Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -147
ଜହ୍ନମାମୁଁ -147
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.6K    14


Content Ranking

ଦଗା - ୧

ଜଣେ ନବାବ୍ ଥିଲେ । ତାଙ୍କର ସୁନ୍ଦରୀ କନ୍ୟାଟିଏ ଥିଲେ । ଖାଲି ସୁନ୍ଦରୀ ନୁହେଁ, ସେ ଯୁଦ୍ଧ ବିଦ୍ୟାରେ, ଘୋଡା ଚଢିବାରେ, ତୀର ଚାଳନାରେ ବି ଧୁରନ୍ଧର ଥିଲେ । ନବାବ୍ଙ୍କର ପୁଅ ନଥିଲେ ବୋଲି ପୁଅପିଲା ଯେଉଁ ସବୁ ବିଦ୍ୟା ଶିଖିବା ସ୍ୱାଭାବିକ, କନ୍ୟା ବା ଶାହ୍ଜାଦୀ ସେସବୁ ଶିଖି ନେଇଥିଲେ ।

ଶାହ୍ଜାଦୀଙ୍କ ବିଭା ହେବା ବୟସ ହେଲା । ନବାବ୍ ପାତ୍ର ଖୋଜିଲେ । ଶାହ୍ଜାଦୀ କହିଲେ, “ବାବା, ତମେ ଏଣୁତେଣୁ ଜଣେ ନବାବ୍ ବା ସୁଲତାନ୍ର ପୁଅଟିଏ ଯୋଗାଡ କରି ଆଣିଲେ ମୋଟେ ଚଳିବ ନାହିଁ । ମୋତେ ଯିଏ ବିଭା ହେବ, ସେ ଯୁଦ୍ଧ ବିଦ୍ୟା, ଅସ୍ତ୍ରଚାଳନା, ଘୋଡାଚଢା ଇତ୍ୟାଦିରେ ଅନ୍ତତଃ ମୋର ସମକକ୍ଷ ହୋଇଥିବ ବା ମୋଠାରୁ ଅଧିକ ଗୁଣୀ ହୋଇଥିବା ଏକାନ୍ତ ଆବଶ୍ୟକ ।”

ନବାବ୍ ପଚାରିଲେ “ଆରେ ଝିଅ, ସେମିତି କିଏ ଥିବ, ତାକୁ କେମିତି ଖୋଜି ବାହାର କରିବା?”

ଶାହ୍ଜାଦୀ କହିଲେ “ବାବା, ସେଥିରେ ଅସୁବିଧାଟା କ’ଣ? ସର୍ବସାଧାରଣ ଏବଂ ଆଖପାଖର ରାଜ୍ୟମାନଙ୍କୁ ଜଣାଇଦିଅ କି ଯିଏ ମୋତେ ବିଭା ହେବାକୁ ମନ ବଳାଇବ ସିଏ ଆସି ମୋ ସହ ଏସବୁ ବିଷୟରେ ପ୍ରତିଯୋଗିତାରେ ଭାଗ ନେବ । ଯଦି ମୋତେ ପରାଜିତ କରି ପାରିବ, ତେବେ ଯାଇ ବିଭା ହେବ!”

ନବାବ୍ ବୁଝାଇ ଦେଲେ “ଝିଅ! ତୁ ବୁଝିପାରୁ ନାହୁଁ । ଏଥିରେ ବହୁତ ଅସୁବିଧା ଅଛି । ଯିଏ ମନ ସିଏ ଆସି ପ୍ରତିଯୋଗିତାରେ ଭାଗ ନେବାକୁ ଚାହିଁବ । ସେ ହାରି ଯାଉ ବରଂ, କିନ୍ତୁ ତୋ ସହ ଲଢିଥିଲା, ଏହିକଥାରେ କ’ଣ କମ୍ ଗର୍ବିତ ହେବା କଥା?”

ଶାହ୍ଜାଦୀ ପ୍ରସ୍ତାବ ଦେଲେ “ବାବା, ସେ ଅବସ୍ଥାର ପ୍ରତିକାର ମଧ୍ୟ ମୁଁ ସ୍ଥିର କରି ରଖିଛି । ତମେ ସଙ୍ଗେ ସଙ୍ଗେ ଏକଥା ବି ଘୋଷଣା କରିବ କି ଯିଏ ହାରିଯିବ, ତା’ ଘୋଡା ଓ ଅସ୍ତ୍ର ବ୍ୟାଜ୍ୟପ୍ତ ହେବ । ଖାଲି ସେତିକି ନୁହେଁ, ତା’ ପିଠିରେ ମୋ ନାମ ଛେଙ୍କା ଦେଇ ଲେଖିଦିଆଯିବ!”

ନବାବ୍ଙ୍କ ମନକୁ କଥାଟି ଏଥର ବେଶ୍ ପାଇଲା । ଶାହ୍ଜାଦୀଙ୍କ ପ୍ରସ୍ତାବ ଅନୁସାରେ ଘୋଷଣା କରିଦିଆ ଗଲା ।

ତଥାପି ମଧ୍ୟ ଅନେକ ଯୁବକ ଆସିଲେ । ଘୋଡା ଦୌଡରେ, ଅସୀ ଚାଳନାରେ, ତୀର ମାରିବାରେ ଓ ଘୋଡାରେ ଚଢି କଂଟକିତ ଗଦା ସାହାଯ୍ୟରେ ଯୁଦ୍ଧ କରିବାରେ – ଏମିତି କେତେ ବିଷୟରେ ପ୍ରତିଯୋଗିତା ହେଉଥାଏ । ଅଧିକାଂଶ ଯୁବକ ପ୍ରଥମ ଗୋଟାଏ ଦୁଇଟା ବିଷୟରେହିଁ ହାରି ଯାଉଥାନ୍ତି । ଚାରିଜଣ ପ୍ରକାଣ୍ଡ ମଣିଷ ପ୍ରସ୍ତୁତ ହୋଇ ରହିଥାନ୍ତି ଦୌଡିଯାଇ ପରାଜିତ ପ୍ରାର୍ଥୀକୁ ମାଡି ବସି ତା’ ହାତ ପଛକୁ କରି ବାନ୍ଧି ଦେଉଥାନ୍ତି ଓ ପିଠିରେ ତତଲା ଲୁହାରେ ଶାହ୍ଜାଦୀଙ୍କ ନାମ ଲେଖି ଦେଉଥାନ୍ତି ।

ଲୋକେ ସବୁଦିନେ ସେଠାରେ ଜମା ହୋଇ ପ୍ରତିଯୋଗିତା ଉପଭୋଗ କରୁଥାନ୍ତି ।

ଦିନେ ବହୁ ଦୂରରୁ ଜଣେ ରାଜପୁତ୍ର ଆସି ନବାବଙ୍କୁ ଭେଟିଲେ ଓ ସେ ସେହି ପ୍ରତିଯୋଗିତାରେ ଭାଗନେବେ ବୋଲି କହିଲେ । ରାଜପୁତ୍ରଙ୍କ ପିତା ନବାବ୍ଙ୍କର ମିତ୍ର ଥିଲେ । ନବାବ୍ ରାଜପୁତ୍ରଙ୍କ ଆଚାର ବ୍ୟବହାରରେ ମୁଗ୍ଧ ହୋଇ କହିଲେ, “ପୁଅ, ତମେ ତ ମୋ ଝିଅର ସର୍ତ୍ତ ଜାଣିଛ । ଯଦି ପରାସ୍ତ ହେବ, ତମ ପିଠିରେ ତା’ ନାମ ଲେଖା ହେବ । ତମେ ତମ ରାଜ୍ୟରେ ଭବିଷ୍ୟତର ରାଜା । ଏଭଳି ହିନସ୍ତା ହେବା ତମ ପକ୍ଷରେ ଆଦୌ ଭଲ ହେବନାହିଁ ପରା!”

କିନ୍ତୁ ରାଜପୁତ୍ର କହିଲେ, “ଜାହାଁପନା! ମୁଁ କାହିଁକି ପରାସ୍ତ ହେବି? ମୁଁ ତ ସବୁ ବିଦ୍ୟାରେ ପାରଙ୍ଗମତା ଲାଭ କରିଛି । ଏଣୁ ମୋର ଆଶା ମୁଁ ଜିତିଯିବି ।”

ନବାବ୍ ପଚାରିଲେ “ଆଉ ଯଦି ଜିତି ନ ପାରିବ?”

ରାଜପୁତ୍ର ଗମ୍ଭୀର ହୋଇ କହିଲେ, “ନ୍ୟାୟସଙ୍ଗତ ପ୍ରତିଯୋଗିତାରେ ମୁଁ ଜିତିବି । ଯଦି ପ୍ରତାରଣା ଯୋଗୁଁ ହାରିବି, ତେବେ…” ରାଜପୁତ୍ର ହସିଲେ ।

ନବାବ୍ ସନ୍ତୁଷ୍ଟ ହେଲେ । ପ୍ରତିଯୋଗିତା ଆରମ୍ଭ ହେଲା । ଖୁବ୍ ଅଳ୍ପ ସମୟ ଭିତରେ ଶାହ୍ଜାଦୀ ବୁଝିପାରିଲେ ଯେ ଏଥର ସିଏ ଯାହଙ୍କ ସହ ଲଢୁଛନ୍ତି, ସିଏ ଜଣେ ଅସାଧାରଣ କୌଶଳୀ ଯୋଦ୍ଧା । ତତ୍ସଙ୍ଗେ ସଙ୍ଗେ ସେ ଭଦ୍ର ମଧ୍ୟ । କାରଣ ଯେତେବେଳେ ଘୋଡାରେ ଚଢି ପରସ୍ପର ଆକ୍ରମଣ କଲାବେଳେ ଶାହ୍ଜାଦୀ ଅଡୁଆ ଅବସ୍ଥାରେ ପଡୁଛନ୍ତି, ସେତେବେଳେ ରାଜପୁତ୍ର ତାଙ୍କର ସେ ଅବସ୍ଥାର ସୁଯୋଗ ନେଇ ତାଙ୍କୁ ହରାଇଦେବା ପରିବର୍ତ୍ତେ ଅପେକ୍ଷା କରୁଛନ୍ତି । ଶାହ୍ଜାଦୀ ସମ୍ଭାଳିଯିବା ପରେ ଯାଇ ପୁଣି ଲଢୁଛନ୍ତି ।

ରାଜପୁତ୍ରଙ୍କ ଏପ୍ରକାର କୃତିତ୍ୱ ଦେଖି ଦର୍ଶକମାନେ ପ୍ରବଳ ଉତ୍ସାହରେ ତାଙ୍କର ଜୟଧ୍ୱନି କରିବାକୁ ଲାଗିଲେ । ସେଥିରେ ଶାହ୍ଜାଦୀ ଘୋର୍ ଅପମାନ ଅନୁଭବ କଲେ । ସେ ନିଜକୁ ସେହି ପରିସ୍ଥିତିରୁ ରକ୍ଷା କରିବା ନିମନ୍ତେ ଗୋଟାଏ କୌଶଳ କଲେ । ହଠାତ୍ ରାଜପୁତ୍ରଙ୍କ ଆଡେ ଅନାଇ ସେ ମୃଦୁ ହସିଦେଲେ । ରାଜପୁତ୍ର ଭାବିଲେ, ସେ ବୋଧହୁଏ କିଛି କହିବାକୁ ଚାହୁଁଛନ୍ତି । ତେଣୁ ସେ ଅସ୍ତ୍ର ସମ୍ବରଣ କଲେ । ସେହି ମୁହୂର୍ତ୍ତରେ ଶାହ୍ଜାଦୀ ତାଙ୍କୁ ଘୋଡାରୁ ପକାଇ ଦେଲେ ।

ସୁନ୍ଦରୀ ନବାବ୍ ଶାହ୍ଜାଦୀ

Rate the content


Originality
Flow
Language
Cover design

Comments

Post

Some text some message..