Kanan Bala Nayak

Inspirational Tragedy


4.3  

Kanan Bala Nayak

Inspirational Tragedy


ରଣ ଚଣ୍ଡୀ

ରଣ ଚଣ୍ଡୀ

4 mins 1.9K 4 mins 1.9K

ଗୌରବାବୁ ଙ୍କ ବିଲରେ ଧାନ କାଟୁ କାଟୁ ମଝିରେ ମଝିରେ ମୁଣ୍ଡ ଉପର କୁ ଟେକି ସୂରୁଜ ଦେବତାକୁ ଅନାଉ ଥାଏ ସାବି ଓରଫ ସାବିତ୍ରୀ. ସାବି କୁ ଏତେ ଥର ଉପରକୁ ଅନାଉ ଥିବା ଦେଖି, ତା ସାଙ୍ଗରେ କାମ କରୁଥିବା ଯମୁନା କହିଲା, ଆଲୋ ସାବି ତୁ ସେ ସୂରୁଜ ଦେବତା ଟାକୁ ଏମିତି ଏତେ ଥର ଦେଖୁଛୁ କାହିଁକି? ବେଳ ହୋଇ ଗଲେ ଆମେ ସମସ୍ତେ ଘରକୁ ଯିବା, ତୁ ବି ଯିବୁ. ତୁ ଏମିତି ଥରକୁ ଥର ତାକୁ ଦେଖିଲେ ସେ କଣ ଶୀଘ୍ର ଚାଲିବ ନା କିସ? ଆଲୋ ତୁ କାହୁଁ ଜାଣିବୁ ଘରେ ପରା ମିନୁ ଟାକୁ ଏକୁଟିଆ ଛାଡି ଦେଇ ଆସିଛି. କାହିଁକି ତୋ ଶାଶୁ ବୁଢୀ କୁଆଡେ ଗଲା କି? ସେ ପରା ତା ଝିଅ କୁ ଜ୍ବର ବୋଲି ଦି ଦିନ ହେଲାଣି ତା ଘରକୁ ଯାଇଛି. ଓହୋ ସେଇଥି ପାଇଁ ତୁ କାଲି ବି ତର ତର ହେଉଥିଲୁ. ହଁ,ତୁ ତ ଜାଣୁ ମୋ କପାଳ ମନ୍ଦ. କାମ କୁ ନ ଆଇଲେ ଘରେ ଚୁଲି ଜଳିବନି.ତେଣୁ ମିନୁକୁ ଘରେ ଏକା ଛାଡି ଆଇଛି. ହେଲେ ମନଟା ଖାଲି ଆଉଟୁ ପାଉଟୁ ହେଉଛି. ନିରୀହ ଆଦିବାସୀ ସ୍ତ୍ରୀ ଲୋକଟି ସାବି. ଛନ୍ଦ କପଟ କିଛି ଜାଣେନି. ତା ସ୍ବାମୀ ହରିଆ ଟା ମଦ, ହାଣ୍ଡିଆ ଖାଇ ଖାଇ ଯକ୍ଷ୍ମାରେ ପିଡିତ ହୋଇ ବାର ବର୍ଷ ହେଲାଣି ମୃତ୍ୟୁ ବରଣ କରିଛି.ପର ଘରେ ପାଇଟି କରି ସାବି ଯାହା ରୋଜଗାର କରେ ତାକୁ ପିଟାମରା କରି ତା ଠାରୁ ଛଡାଇ ନେଇ ମଦ, ହାଣ୍ଡିଆ ପିଏ ହରିଆ. ଯେତେ ମନା କଲେ ମାନେନା. ମଦ, ହାଣ୍ଡିଆ ପିଇ ପିଇ ହରିଆ ଦିନେ ବେମାରୀ ରେ ପଡିଲା.ସରକାରୀ ଡାକ୍ତରଖାନା ର ଔଷଧ କିଛି କାମ ଦେଲାନି. ଡାକ୍ତର କହିଲେ ସହର କୁ ନେଇ ବଡ ଡାକ୍ତର ଙ୍କୁ ଦେଖାଇବା ପାଇଁ. ସାବି ପର ଘରେ ପାଇଟିକରି ଯାହା ରୋଜଗାର କରିଥିଲା, ତାକୁ ତ ମଦ ହାଣ୍ଡିଆ ପିଇ ଉଡାଇ ଦେଇ ଥିଲା ହରିଆ. ଆଉ ହରିଆ କୁ ସହର ନେବାକୁ ପଇସା କେଉଁଠୁ ଆଣି ଥାଆନ୍ତା ସାବି? ତେଣୁ ଚିକିତ୍ସା ଅଭାବ ରୁ ମୃତ୍ୟୁ ବରଣ କରିଥିଲା ହରିଆ. ହରିଆ ମଲା ବେଳକୁ ମିନୁ ଦୁଇ ବର୍ଷର ହୋଇ ଥାଏ. କଥାରେ ଅଛି ପରା ଦୁଃଖିର ଦୁଃଖର କେବେ ଅନ୍ତ ହୁଏନା . ହରିଆ ମଲା ପରେ ମିନୁ ମୁଁହ କୁ ଚାହିଁ ବଞ୍ଚିଥିଲା ସାବି. ନିଜ ଝିଅ ପାଇଁ ଅନେକ କଷ୍ଟ ମଧ୍ୟ କରୁଥିଲା. ମିନୁ ପାଟିରୁ ମା ଡାକଟିଏ ଶୁଣିବା ପାଇଁ ଚାତକ ପରି ଅନାଇ ଥାଏ ସାବି. ହେଲେ ତିନି ବର୍ଷର ହେଲା ପଛେ, ମିନୁ ପାଟିରୁ ମା ଡାକ ଟିଏ ନ ଶୁଣି, ଦିନେ ତା ଶାଶୁ କହିଲେ ଆଲୋ ସାବି, ମିନୁ କୁ ପରା ଦୁଇ ପୁରି ତିନି ଚାଲିଲାଣି. ହେଲେ ତା ପାଟିରୁ ଶବଦ ଟେ ଶୁଣିବାକୁ ମିଳୁନି. ତୁ ତାକୁ ନେଇ ଟିକେ ଡାକତର ଦେଖଉନୁ. ମୁଁ ବରଂ ଗୋଟେ ଦିନ ତୋ ବଦଳ ରେ ପାଇଟି କରି ଦେବି. ତା ପର ଦିନ ବୁଢୀ ସାବି ବଦଳରେ ପାଇଟି କରିଗଲା ଆଉ ସାବି ମିନୁକୁ ନେଇ ଡାକ୍ତରଖାନା. ଅନେକ ପରୀକ୍ଷା କରିବା ପରେ ଡାକ୍ତର କହିଲେ ମିନୁ ଗର୍ଭରେ ଥିବା ବେଳେ ଯେଉଁ ପ୍ରକାର ଖାଇବା ଖାଇବା କଥା ତାହା ସାବି ଖାଇନି, ତେଣୁ ମିନୁ ଜନ୍ମରୁ ମୂକ ହୋଇ ଜନ୍ମ ହୋଇଛି. ସେ ଜୀବନ ସାରା କଥା କହି ପାରିବ ନାହିଁ. ଆଉ କିଛି କରି ହେବନି. ଡାକ୍ତର ଙ୍କ କଥା କିଛି ସାବି ବୁଝି ପାରୁନଥାଏ. ଖାଲି ନିଜ କପାଳ କୁ ଧିକ୍କାରି ଭାଗ୍ଯ କୁ ଆଦରି ପଡିବା ଛଡା ତା ପାଖରେ ଆଉ କିଛି ଉପାୟ ନଥାଏ. ମିନୁକୁ ଏବେ ଚଉଦ ବର୍ଷ. ଈଶ୍ବର ସିନା ମିନୁ ତୁଣ୍ଡରେ ଭାଷା ଦେଇ ନଥିଲେ କିନ୍ତୁ ଭାରି ସୁନ୍ଦର ରୂପଟେ ଦେଇଥିଲେ. ସତେ ଯେମିତି ଗୋଟିଏ ଚାଉଳରେ ଗଢା.ତାକୁ ଥରେ ଦେଖିଲେ ତା ଉପରୁ କେହି ନଜର ହଟାଇ ପାରିବ ନାହିଁ. ତାକୁ ଆଦିବାସୀ ଝିଅ ବୋଲି କେହି କହିବେ ନାହିଁ. ଗାଁ ଜମିଦାରଙ୍କ ଭେଣ୍ଡିଆ ପୁଅ ରତନା. ପୁରା ପୁରି ବାଳୁଙ୍ଗା. ଗୋଟେ ପୁଅ ବୋଲି ଅତ୍ଯଧିକ ସ୍ନେହ ପାଇ ପୁରାପୁରି ବିଗିଡି ଯାଇଛି.ତା ଭଳି କିଛି ଛତରା ଟୋକାଙ୍କୁ ଧରି ସବୁବେଳେ ଗାଁ ଟା ସାରା ପଇଁତରା ମାରୁଥିଏ. ତା ଆଖି ଆଗରୁ କି ପିଲା କି ବୁଢୀ କେହି ବାଦ ପଡନ୍ତି ନାହିଁ. ସମସ୍ତେ କୁ କମେଣ୍ଟ ମାରେ. ନାନା ପ୍ରକାର ହଇରାଣ ହରକତ ମଧ୍ୟ କରେ. କର୍ପୁର ସିନା ଉଡି ଯାଇଛି, ହେଲେ କନାଟାତ ପଡି ରହିଛି ନାଁ. ଜମିଦାରୀ ଚାଲି ଯାଇଥିଲେ ମଧ୍ୟ ଗାଁ ଲୋକେ ଆଜିବି ଜମିଦାର ଙ୍କୁ ସମ୍ମାନ କରନ୍ତି.ତେଣୁ ରତନାର ଅତ୍ଯାଚାର ବିଷୟରେ ଜମିଦାର ଙ୍କୁ କେହି କିଛି କହନ୍ତି ନାହିଁ. ରତନାର ଖରାପ ନଜର ରହିଛି ମିନୁ ଉପରେ. ତେଣୁ ମିନୁକୁ କେବେବି ଘରେ ଏକୁଟିଆ ଛାଡେନି ସାବି. ସବୁ ବେଳେ ତା ଶାଶୁ ତାକୁ ଜଗି ରହନ୍ତି. ଏଇ ଦି ଦିନ ହେଲା କିନ୍ତୁ ବାଧ୍ଯ ହୋଇ ମିନୁକୁ ଏକା ଛାଡି କାମକୁ ଆସୁଛି ସାବି. ମିନୁ ଏକୁଟିଆ କଣ କରୁଥିବ, ରତନା ମିନୁକୁ ହଇରାଣ କରୁ ନଥିବ ତ? ମନଟା ଖାଲି ଗୁଡେଇ ତୁଡେଇ ହେଉଛି. କାମରେ ଜମାରୁ ମନ ଲାଗୁନି. ସୂରୁଜ ଦେବତା କେମିତି ଶୀଘ୍ର ପଶ୍ଚିମ ଦିଗକୁ ଯିବେ,ଆଉ ସେ ମିନୁ ପାଖକୁ ଯିବ ସେଇ କଥା ଭାବି ଭାବି ବାର୍ ବାର୍ ଉପରକୁ ଅନାଉ ଛି ସାବି.କାମରୁ ଛୁଟି ହେବାରୁ ସାବି ସିଧା ଧାଇଁଲା ମିନୁ ପାଖକୁ. ହେଲେ ମିନୁ କାହିଁ? ଘରେ ବାହାରେ ପଡିଶା ଘରେ ଚାରିଆଡ଼େ ଅଣ୍ଡାଳି ପକାଇଲା ସାବି. ହେଲେ କେଉଁଠି କୁଆଡେ ମିନୁ ର ସନ୍ଧାନ ପାଇଲା ନାହିଁ. ତା ମନକୁ ପାପ ଛୁଇଁଲା. ତା ଆଶଙ୍କା ଆଉ ସତ ହୋଇ ଯାଇନି ତ? ରତନା ମିନୁର କିଛି ହାନି କରିନି ତ? ଏଇ କଥା ଭାବି ସେ ଗାଁ ସାରା ମିନୁକୁ ଖୋଜୁ ଥାଏ. ମୂକ ଝିଅଟା ଅସୁବିଧାରେ ପଡିଲେ ବି କାହାକୁ ସାହାଯ୍ୟ ପାଇଁ ଡାକି ପାରିବ ନାହିଁ? କଣ କରିବ ଏବେ? ଭାବୁଥିବା ବେଳେ ପଡିଶା ଘରର ଦଶବର୍ଷର ପିଲାଟା ଗାଁ ଶେଷ ମୁଣ୍ଡରୁ ଦଉଡି ଦଉଡି ଆସୁଥିବାର ଦେଖିଲା ସାବି. ପିଲାଟା ଧଇଁ ସଇଁ ହୋଇ କହିଲା ଖୁଡୀ ରତନା ମିନୁକୁ କଣ ସବୁ ଖାଇବା ଜିନିଷର ଲୋଭ ଦେଖାଇ ପାଖ ଜଙ୍ଗଲ ଆଡକୁ ନେଇ ଯାଉଛି.ତୁମେ ଶୀଘ୍ର ଚାଲ. ପିଲାଟି ପାଖରୁ ଏଇ କଥା ଶୁଣି ସାବି ହାତରେ ଧାନ କଟା ଦାଆ ଟିକୁ ସେମିତି ଧରି ଦଉଡି ଥିଲା ଜଙ୍ଗଲ ଆଡକୁ. ସେତେବେଳକୁ ରତନା ମିନୁକୁ ଜଙ୍ଗଲକୁ ନେଇ କହୁଥାଏ, ତୋ ମାଆ ଏତେ ଦିନ ଧରି ମୋ କବଳରୁ ତୋତେ ବଞ୍ଚାଇ ଆସିଥିଲା କିନ୍ତୁ ଆଜି କିଏ ବଞ୍ଚାଇବ ଦେଖିବି? ଏ ଜମିଦାର ପୁଅ ରତନା ର ନଜର ଥରେ ଯେଉଁଠି ପଡେ ତାକୁ ସେ ଯେମିତି ହେଉ ହାସଲ କରେ. ଆଉ ତୁ ତ କଥା କହି ପାରୁନି. ତେଣୁ ତୁ ଚିତ୍କାର କରି କାହାକୁ ଡାକି ପାରିବୁ ନାହିଁ. ଆଜି ମୋ କବଳରୁ ତୋତେ ତୋ ମାଆ କେମିତି ରକ୍ଷା କରିବ ଦେଖି?ଅନେକ ଦିନରୁ ମୋ ନଜର ତୋ ଉପରେ ଅଛି. ହେଲେ ସବୁ ବେଳେ ସେ ବୁଢୀଟା ତୋତେ ଜଗିଥାଏ. ଆଜି ସୁଯୋଗ ମିଳିଛି. ମିନୁ ଖାଲି ବିକଳ ହୋଇ ତାକୁ ହାତ ଯୋଡୁ ଥାଏ. ହେଲେ ରତନା ଉପରେ ତ ସଇତାନ ସବାର ହୋଇଥାଏ. ସେ ହିତାହିତ ଜ୍ଞାନ ଭୁଲି ମିନୁକୁ ବଳାତ୍କାର କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ସେଠାରେ ପହଞ୍ଚି ଯାଇଥିଲା ସାବି .ମିନୁ କୁ ଏଇ ଅବସ୍ଥାରେ ଦେଖି ତା ଆଖିରୁ ଅଗ୍ନି ସ୍ଫୁରିତ ହେବାରେ ଲାଗିଲା. ନିଜ ସନ୍ତାନକୁ ରକ୍ଷା କରିବା ଲାଗି ପଶୁ ଜନ୍ତୁ ବି ହିଂସ୍ର ପାଲଟି ଯାଆନ୍ତି, ମା ପାର୍ବତୀ କାଳୀ ପାଲଟି ଯାଆନ୍ତି,ସେମିତି ନିରିହ ନିଷ୍କପଟ ଆଦିବାସୀ ମହିଳା ସାବି ମଧ୍ୟ ନିଜ ସନ୍ତାନର ସୁରକ୍ଷା ପାଇଁ ପାଲଟି ଯାଇଥିଲା ରଣ ଚଣ୍ଡୀ. ଆଉ ଧରି ଥିବା ଧାନ କଟା ଦାଆରେ ହାଣି ଦେଇଥିଲା ରତନା କୁ.


Rate this content
Originality
Flow
Language
Cover Design