Narayan chandra Senapati


3  

Narayan chandra Senapati


ଧରମ ଭାଇ

ଧରମ ଭାଇ

3 mins 487 3 mins 487

ମଧ୍ୟରାତ୍ର ଛୁଇଁବାକୁ କିଛିକ୍ଷଣ ଅପେକ୍ଷାରେ।ମାନସ ଓ ମାନସୀ ଶଯ୍ୟାରେ ନିଦକୁ ଅପେକ୍ଷା କରିଥାନ୍ତି।ମାନସର ଅନ୍ୟମନସ୍କ ମନରେ ଭରିରହିଥିଲା କିଛି ସ୍ମୃତିର ଆହ୍ୱାନ।ହଠାତ୍ ମୋବାଇଲ୍ ର ରିଙ୍ଗ ଟୋନ୍ ଟା ତାକୁ ଚେତେଇ ଉଠାଇଦେଲା ବିଛଣାରୁ।ଫୋନ୍ ଟାକୁ ଧରି ରିସିଭ୍ କରିବା ପୂର୍ବରୁ ସହଧର୍ମିଣୀ ମାନସୀର କେତେକ ଅବାନ୍ତର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା ତାକୁ।ସେ କିଏ..କାହିଁକି...ଓ ଏ ଅସମୟରେ ଫୋନ୍ କାହିଁକି କରିଛି ଆଦି ସନ୍ଦେହର ପ୍ରଶ୍ନ ବାଣ କ୍ଷତ ବିକ୍ଷତ ଓ ବିବ୍ରତ କରୁଥାଏ ମାନସକୁ।ମାନସ ଏକ ବିଜ୍ଞ ସରଳ ଉଚ୍ଚମନା ଦରଦୀ ମଣିଷ।ତଥାପି ସେ ଧୀର କ୍ଷୀଣ ଗଳାରେ କହିଲା..ମୋର ଜଣେ ସମ୍ପର୍କୀୟା ଭଉଣୀ ଫୋନ୍ କରିଛି।ଏତିକି କାନରେ ନ ପଶୁଣୁ ମାନସୀ ମୋବାଇଲ୍ ଟିକୁ ଛଡେଇ ନେଇ ଦେଖିଲା...ନାଁ ଅଛି ଅନୀତା।

  ଏ ଅନୀତା କିଏ? କେଉଁ ଦିନରୁ ତୁମର ଭଉଣୀ ହେଲାଣି ? କହି ଗର୍ଜି ଉଠିଲା ମାନସୀ।

  ତୁମେ ତାକୁ ଜାଣିନ..।ମୁଁ ତାର ଧରମ ଭାଇ,ମାନସର ଉତ୍ତର ଥିଲା।

 ଓ.. ଧରମଭାଇ...ଏଇମିତି ଚାଲିଛି ଲୁଚା ଛପା ପ୍ରେମ...।ଏଇମିତି ଅନେକ ଅବାଞ୍ଛିତ ଅବାନ୍ତର ଟିପ୍ପଣୀ ଓ ତିରସ୍କାର ବାରମ୍ବାର ଧକ୍କା ଦେଉଥାଏ ମାନସର ନିଷ୍କପଟ ମନକୁ। ଛତ ବିକ୍ଷତ କରୁଥାଏ ତା ନିଷ୍ପାପ ହୃଦୟକୁ।ଏଇମିତି ଯୁକ୍ତି ତର୍କ ବାଦ ବିବାଦ ତିରସ୍କାର ଓ ଭତ୍ସନା ସହଚରୀମାନେ କିଛିକ୍ଷଣ ଆନନ୍ଦରେ କରୁଥାନ୍ତି ଉଦଣ୍ଡ ନୃତ୍ୟ।କେବଳ ମାନସର କେଇପଦ ଆଦୃତ କଥାକୁ ନୀରବରେ ଶୁଣୁଥିଲା ସେ ସମୟର ଜନୈକ ଶ୍ରୋତା "ସମୟ" ଅତି ଆଗ୍ରହରେ।

  ବୁଝିଲ ମାନସୀ, ଏ ସଂସାରରେ କେବଳ ମା'ଠାରୁ ଜନ୍ମିତ ଭଉଣୀ କ'ଣ ଭଉଣୀ ? ତୁମେ ଜାଣିନ, ମୋ ପବିତ୍ର ଭାରତୀୟ ସଂସ୍କୃତିକୁ।ଏଠି ଯେ ସେନେହ ଶରଧାରେ ଭାଇକୁ ମମତାର ବନ୍ଧନରେ ନିଃସ୍ୱାର୍ଥପରତାରେ ବାନ୍ଧିଥାଏ ସେ ଜଣେ ସଚ୍ଚା ଭଉଣୀ।ମାନସୀର ମୁହଁରୁ ଜ୍ୱାଳାମୁଖି ଅଗ୍ନି ଉଦ୍ଗୀରଣ ପରି ବର୍ଷୁଥିଲା ସେ ଭାଷଣ, ବାଜ୍ୟେ ସମ୍ପର୍କକୁ ମୁଁ ବିଶ୍ୱାସ କରେନା।ତାହା ଖାଲି ପ୍ରବଞ୍ଚନା ଓ ଧର୍ମକୁ ଆଖିଠାର..ମାତ୍ର ବାସ୍ତବରେ ସେଥିରେ ନ ଥାଏ ଆନ୍ତରିକତା..ବିଶ୍ୱାସ..ଓ ଭରସା।ଏ ମିଛ ସମ୍ପର୍କ ଅବାସ୍ତବ ଓ ସଭ୍ୟତାର ବିଷାକ୍ତ ଜତୁଗୃହ।ତେବେ ମୋତେ ତୁମେ ଜଣାଅ, ଏ ଅନୀତା କିପରି ତୁମର ଭଉଣୀ ହେଲା?ଦୀର୍ଘ ୯ ବର୍ଷର ବୈବାହିକ ସମ୍ପର୍କ ଭିତରେ ଏଭଳି ଅକସ୍ମାତ ଭଉଣୀର ଚିହ୍ନ ଆଜି ମୁଁ ପାଇଛି।କୁହ....ତା ସହିତ ତୁମର ସମ୍ପର୍କ କ'ଣ?

  ହଉ, ତେବେ ଶୁଣ କହି ବହୁ ଦିନର ସାଇତା ସ୍ମୃତି ପେଡିଟାକୁ ଖୋଲିଦେଲା ମାନସ॥

  ସେତେବେଳେ ମୁଁ ଥିଲି ଅବିବାହିତ।ମହାପାତ୍ର ଟ୍ରେଡିଂ କମ୍ପାନୀର ଏମ୍.ଡି.।ଆମର ପାରମ୍ପରିକ ଚିରଶତ୍ରୁ ଥିଲା ସମ୍ବିତ ପଟ୍ଟନାୟକ ଯେ କି ପଟ୍ଟନାୟକ ଟ୍ରେଡିଂ କମ୍ପାନୀର ଏମ୍.ଡି.।ଶତ ସହସ୍ର ଚେଷ୍ଟାକରି ତା କମ୍ପାନୀକୁ ଆଶାନୁରୂପ ଅଗ୍ରସର କରାଇପାରୁ ନ ଥିଲା ସେ।ଶେଷରେ ଷଢଯନ୍ତ୍ର କରିଥିଲା ଟଙ୍କା ଲୁଟ୍ ସହ ଜୀବନରୁ ମୋତେ ମାରିଦେବାକୁ।ଥରେ ଅଫିସ୍ ରୁ ବିଳମ୍ବ ରାତ୍ରିରେ ଅନ୍ୟୁନ ୫୦ ଲକ୍ଷ ଟଙ୍କାନେଇ ଫେରିବାର ଥିଲା,ଅଫିସ୍ ର କୌଣସି ଏକ ଗୃହଶତ୍ରୁଠାରୁ ଖବର ନେଇ, ଫେରିବା ଜଙ୍ଗଲ ରାସ୍ତାରେ ମୂତୟନ କରିଥିଲା ଭଡାଟିଆ ଗୁଣ୍ଡା।ମୁଁ ଫେରୁଥାଏ ଜିପ୍ ରେ।ନିଘଞ୍ଚ ଜଙ୍ଗଲ ଭିତରେ ଶୁଣିଲି ଏକ ଅବଳାର ଆର୍ତ୍ତଚିତ୍କାର।ସ୍ୱର ଅନ୍ୱେଷଣ କରି ପହଞ୍ଚିଲି ପାଖରେ।ଯାହା ଦେଖିଲି ହୃଦୟ ମୋର ବାରମ୍ବାର ପ୍ରଣୋଦିତ କଲା ସେ ବିପନ୍ନକୁ ସାହାଯ୍ୟ କରିବାକୁ।ସେ ଝିଅଟିକୁ ଉଲଗ୍ନ କରି ଧର୍ଷଣ କରିବାକୁ ଉଦ୍ୟତ ହେଉଥିଲେ ଦୁର୍ବୃତ୍ତମାନେ।ଆପ୍ରାଣ ଚେଷ୍ଟା କରି ନିଜ ଇଜ୍ଜତକୁ ବଞ୍ଚାଇବାକୁ ବାରମ୍ବାର ସଂଗ୍ରାମ କରୁଥିଲା ସେ ବିଚାରୀ,କାକୁତି ମିନତି ବି କରୁଥିଲା ଓ ଭଗବାନଙ୍କୁ ଡାକୁଥିଲା ମଧ୍ୟ।ମୋ ବିବେକ କହିଲାନି ତାକୁ ସାହାଯ୍ୟ ନ କରିବାକୁ।ଭାବିଲି ଏ ଯଦି ମୋ ମା',ଭଉଣୀ କି ଝିଅ ହୋଇଥାନ୍ତା !ଟଙ୍କାକୁ ଲୋଭ ନ ରଖି ଦୁର୍ବୁର୍ତ୍ତଙ୍କ ସଙ୍ଗେ କରିଥିଲି ଯୁଦ୍ଧ।ବଞ୍ଚାଇଥିଲି ସେ ବିଚାରୀଟାକୁ।ମାତ୍ର ସମ୍ବିତର ଗୁଣ୍ଡାମାନେ ଅସମୟରେ ମୋତେ ଆକ୍ରମଣ କରିଥିଲେ।ସେମାନଙ୍କୁ କାବୁ କରି ଘଉଡାଇ ଥିଲି,ସେ ଝିଅଟିବି ମୋତେ ଅନେକ ସାହାଯ୍ୟ କରିଥିଲା।ମୋ ମୁଣ୍ଡରେ ଶକ୍ତ ମାଡ ବାଜି ଲଢୁଥିବା ବେଳେ ସେମାନଙ୍କ ଆଖିକୁ ବାଲି ଫିଙ୍ଗି ଦୁର୍ବଳ କରିଦେଇଥିଲା।ପରେ ଶକ୍ତ ଆଘାତରୁ ସଂଜ୍ଞାହୀନ ହୋଇ ପଡିରହିଲି।ବହୁତ ଚେଷ୍ଟା କରିଥିଲା ସେ ମାତ୍ର ମୁଁ ଚେତା ପାଇ ନ ଥିଲି।ଅକସ୍ମାତ୍ ବର୍ଷାର ବର୍ଷଣ ମୋତେ ନବ ଜୀବନ ଦେଇଥିଲା।ଊଠି ଦେଖିଲି,ଜଙ୍ଗଲରେ ମୁ୍ଁ ଏକାକୀ।ଜିପ୍ ପାଖରେ ଦେଖିଲି ମୋ ଡାଏରୀରେ ଏକ ଲିଖିତ ଚିଠି ଯାହାକି ଥିଲା ଅଭାଗିନୀ ସେ ଝିଅଟାର।ଲେଖାଥିଲା...

    ଭାଇ ଆଜି ମୋତେ ଇଜ୍ଜତ ଦେଇ ଆପଣ ଭଗବାନଠୁ ବି ବଳି ଅଧିକ ଉପକାର କରିଛନ୍ତି।ମୁଁ ଏକ ଅନାଥିନୀ।ମୋ ସ୍ୱାମୀକୁ ମାରି ମୋତେ ବଳପୂର୍ବକ ବିବାହ କରିବାକୁ ଭୀରୁ ଦାଦା ଯୋଜନା ଚଲାଇଛି।ମୁଁ ଜାଣେ ମୁଁ କେବେ ବି ତାପରି ରାକ୍ଷସଠାରୁ ରକ୍ଷା ପାଇବିନି।ତେଣୁ ମୁଁ ଏ ନଦୀରେ ବୁଡି ଆତ୍ମ ହତ୍ୟା କରିବାକୁ ଯାଉଛି।ମୋତେ ଭୁଲ୍ ବୁଝିବେନି।

    ଇତି  ଆପଣଙ୍କର ଅଭାଗିନୀ ଭଉଣୀ ଅନୀତା।

  ଇତସ୍ତତଃ ଓ ବିବ୍ରତ ହୋଇ ଦୌଡିଲି ସେ ନଦୀକୂଳକୁ।ଦେଖିଲି ସେ ଗଣ୍ଡରେ ବୁଡି ଭାସୁଛି।କୂଳକୁ ଆଣି ତା ପେଟରୁ ପାଣି କାଢିଲି।ବହୁତ କଷ୍ଟରେ ସେ ଫେରି ପାଇଲା ଚେତା।ଚେତା ପାଇ ଧକେଇଵକାନ୍ଦି ମୋ ମୁଣ୍ଡର କ୍ଷତରୁ ନିର୍ଗତ ରକ୍ତ ଦେଖି ସେ ବିବ୍ରତ ହୋଇଗଲା।ଶାଢୀର କାନି ଚିରି ପୋଛିଲା ଶରଧାରେ ମୋ ମଥାର ଲହୁ,ଆଦରରେ ବାନ୍ଧିଦେଲା ତା ଶାଢୀର କାନି ଖଣ୍ଡେ ମୋ ମଥାରେ ତ ଖଣ୍ଡେ ମୋ ହାତରେ।କାନ୍ଦି କାନ୍ଦି କହିଲା ଆଜିଠୁ ତୁମେ ମୋର ଭାଇ।ହେଲେ କାହିଁକି ମୋତେ ବଞ୍ଚାଇଲ ଭାଇ।କିଏ ମୋତେ ସାହାରା ହେବ?ସେଇଦିନୁ ସେ ଭଉଣୀଟାକୁ ଅନେକ ଦିନ ଅନାଥାଶ୍ରମରେ ରଖି ତା କଥା ବୁଝୁଥିଲି।ବିବାହ ପରେ ସେ ମୋତେ ମନା କରିଥିଲା ସାହାଯ୍ୟ କରିବାକୁ..କାହିଁକି ନା ..ସେ ଚାହୁଁ ନଥିଲା ତା-ମୋ ଭାଇ ଭଉଣୀର ପବିତ୍ର ସମ୍ପର୍କରେ କିଏ ଅପବିତ୍ର ଜଳ ଢାଳୁ।ମାତ୍ର ଏତିକି ବିନତି କରିଥିଲା ଭାଇ...ମୁଁ ବଞ୍ଚିଥିବା ଯାଏଁ ଯେମିତି ସବୁ ରାକ୍ଷୀ ପୁନେଇଁରେ ତୁମ ହାତରେ ରାକ୍ଷୀ ବାନ୍ଧିବି।ସେଥିପାଇଁ ରାକ୍ଷୀପୁନେଇଁ ପୂର୍ବଦିନ ସେ ମୋତେ ଫୋନ୍ କରି ଜଣାଏ।ଆଜି ସେଇଥି ପାଇଁ ସେ ଫୋନ୍ କରିଥିଲା ତା ଘରକୁ କାଲି ଯାଇ ରାକ୍ଷୀ ବାନ୍ଧିବାକୁ।

   କଥା ନ ସରୁଣୁ ହାତରେ ରାକ୍ଷୀପୁନେଇଁର ସଜ ଧରି ପହଞ୍ଚିଗଲା ଅନୀତା ତା ଭାଇ ଘରେ।ଆନନ୍ଦର ମହକ ଯେତିକି ତା ଓଠର ହସ ଦେଇ ବାହାରି ଆସୁଥିଲା ଆଶଙ୍କାର ଉଷୁମ ବି ସେତିକି ବାରି ହେଉଥିଲା ତା ମୁଖମଣ୍ଡଳରେ।ଭାଇକୁ ପ୍ରଣିପାତ ପରେ ଇସାରାରେ ଭାଉଜକୁ ଚିହ୍ନି ଭକ୍ତିପୂତ ପ୍ରଣାମ ଜଣାଇଲା ଅନୀତା।ସଙ୍କୋଚରେ କହିଥିଲା ଭାଇ,ମୋର ଭୁଲ୍ ହୋଇଯାଇଛି।ତୁମେ ଫୋନ୍ ରିସିଭ୍ ନ କରିବାରୁ ବ୍ୟସ୍ତ ହୋଇ ଚାଲି ଆସିଲି ତୁମ ଘରକୁ ବିନା ଅନୁମତିରେ।ଭାଉଜ ଆପଣ ମୋତେ ଯେଉଁ ଦଣ୍ଡ ଦେବେ ତାହା ନିଃସଙ୍କୋଚରେ ଗ୍ରହଣ କରିବି।ମାନସୀର ହୃଦୟରୁ ସନ୍ଦେହର ଖଣ୍ଡିଆଭୂତ ଗୁଡାକ ଧିରେ ଧିରେ ଅପସରି ଗଲା ପରି ଲାଗିଲା।ସମ୍ପର୍କର ଆଇନାଟା ଏତେ ଚିକ୍କଣ ଓ ଏତେ ସ୍ୱଚ୍ଛ ତା ଅସ୍ୱଚ୍ଛ ମନ ଏବେ କଳିପାରିଲା।ନିଜ ସ୍ୱାମୀର ମହାନତା ଏତେ ..ମାତ୍ର ସେ ତାଙ୍କୁ ନୀଚ୍ଚ ପରି କଦର୍ଯ୍ୟ ବ୍ୟବହାର କରିଛି ସେଥିପାଇଁ ନିଜ ବିବେକକୁ ବାରମ୍ବାର କୁଠାରଘାତ କରିଥିଲା।ଏ ଭାଇ ଡାକର ମହତ୍ତ୍ୱ..ଭଉଣୀ ପ୍ରତି ଭାଇର ମମତାର ନିବନ୍ଧନକୁ ସେ ଶହେ ସଲାମ୍ କଲା।ନିଜକୁ ଶତ ଧିକ୍କାର କଲା।ଆଖିରୁ ଅମାନିଆ ନିଷ୍ଠୁର ନିର୍ଲଜ ଅଶ୍ରୁଗୁଡାକ ଧାର ଧାର ହୋଇ ବହିଯାଉଥାଏ।ଲଜ୍ଜାରେ ମଥାନତ କରି ଅନୀତାକୁ କହିଲା...ଅନୀତା ମୋତେ କ୍ଷମା କର।ଆଖିରୁ ଲୁହ ପୋଛି ଦେଇ ଅନୀତା କହିଲା..ତୁମେ ପରା ମୋ ଭାଉଜ,ହିନ୍ଦୁ ଧର୍ମ ଅନୁସାରେ ବଡ ଭାଉଜ ମା' ସମାନ।ମା' କେବେ ତା ଝିଅକୁ କ୍ଷମା ମାଗିପାରେ?ମାନସ ଆଡକୁ ଯାଇ ମାନସୀ କହିଲା..ମୋତେ କ୍ଷମା କରିଦିଅ।ମଥାକୁ ଆଉଜେଇ ନେଇ ମାନସ କହିଲା..ଆମେ ପରା ଜନମ ଜନମର ସାଥୀ...ତମର ଏ ସାମାନ୍ୟ ସନ୍ଦେହକୁ ମୁଁ କ'ଣ ଭୁଲ୍ ଭାବିପାରେ।ତା ଛଡା ମୋ ଭଉଣୀ ତ ତୁମକୁ କ୍ଷମା କରିଦେଇଛି...।

  ମାନସୀର ଆଖିର ଲୁହ କିଛି କହୁଥିଲା...କିଛି ଅଭାବ ଅନୁଭବ କରିଥିଲା।ତା'ର ତ ଭାଇ ନାହିଁ ସେ କେମିତି ବା ଜାଣିଥାନ୍ତା ଭାଇ ଭଉଣୀର ସମ୍ପର୍କ!ମନେ ମନେ ଗର୍ବ ଅନୁଭବ କଲା ଏଇ ଓଡିଆ ମାଟିର ବୋହୂ ବୋଲି।ଯେଉଁ ସଂସ୍କୃତି ଖିଏ ସୂତାରେ ବାନ୍ଧେ ଭାଇ ଭଉଣୀର ମମତା ଡୋରି,ପଦିଏ ମଧୁବୋଳା ଡାକରେ ଚଢେ ସମ୍ପର୍କର ସରଗକୁ ସିଡି ସେଇ ସଂସ୍କୃତିର ପୂଜାରୀ ତା ନିଜ ସ୍ୱାମୀ।ଯେକି ମାନବିକତାର ସ୍ପର୍ଶରେ ଧରମ ଭାଇରୁ ରକ୍ତର ଭାଇଠୁ ଅଧିକ ହୋଇପାରିଛନ୍ତି ସେ କେଡେ ମହାନ...ଯେ ସେଭଳି ସ୍ୱାମୀର ସ୍ତ୍ରୀ!ମାନସ ..ଅନୀତାର ହାତରେ ଉପହାର ଦେଖି..ପଚାରିବାରୁ..ଅନୀତା କହିଲା..ଭାଇ,ଆଜି ମୁଁ ଚାକିରି ପାଇଯାଇଛି।ଯେଉଁ ଭାଇ ତାକୁ ଇଜ୍ଜତ,ଜୀବନ ଦେଇ ନୂଆ ଜୀବନ ଦେଇଛି ସେ ଭାଇ ପାଇଁ ଗରିବ ଭଉଣୀଟାର ଛୋଟ ଉପହାରଟିଏ।ଶ୍ରଦ୍ଧାରେ ମାନସୀ କୁଣ୍ଢେଇ ନେଇଥିଲା ଅନୀତାକୁ..।କହିଥିଲା ଏ ତୁମ ଧରମ ଭାଇ ନୁହଁ ଆଜିଠୁ ତୁମେ ମୋ ଗେହ୍ଳା ନଣନ୍ଦ ଓ ସେ ତୁମ ନିଜ ଭାଇ॥

ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର


Rate this content
Originality
Flow
Language
Cover Design