Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଡୁପ୍ଲେକ୍ସ
ଡୁପ୍ଲେକ୍ସ
★★★★★

© Soumya Shubhadarshinee

Tragedy

8 Minutes   155    6


Content Ranking

ମଣିଷର ସ୍ୱପ୍ନ ସମ୍ଭାର ବାସ୍ତବ ହେବା ସମ୍ଭବ ନୁହେଁ । ଆଉ ଯଦି ସତ ହୁଏ ସେ ମଣିଷ ଠାରୁ ଭାଗ୍ୟଶାଳୀ ଆଉ କେହି ନୁହେଁ ! .....

*****************

--'' ତୁମେ ଗୋଟେ ଫ୍ଲାଟ୍ ନିଅ ଆମ ପାଇଁ ।''

--'' ହେ , ସୋମା , ଆର୍ ୟୁ ଓକେ !''

--" ହଁ ବାବା , ମୁଁ ବିଲକୁଲ ସୁସ୍ଥ ମସ୍ତିଷ୍କରେ , ଟ୍ରଷ୍ଟ ମି । ତୁମେ ଆମ ପାଇଁ ଫ୍ଲାଟ୍ ଗୋଟେ ନିଅ ପ୍ଲିଜ।''

--'' ମୁଁ କିଛି ବୁଝି ପାରୁନି , ଏଇଟା କେମିତି ସମ୍ଭବ ?''

--'' ଶହ ଶହ ଲୋକ ଫ୍ଲାଟ୍ ନେଉଛନ୍ତି , ତୁମେ ନେବ ଏଥିରେ ଅବୁଝା କ'ଣ ?''

--'' ଲୋକ ମାନେ ନିଜ ଫାମିଲି ପାଇଁ ନିଅନ୍ତି ଫ୍ଲାଟ୍ କିନ୍ତୁ ଆମେ !''

--'' ଓଃ ! ଅବଶ୍ୟ , କିନ୍ତୁ ଥରେ ଭାବି ଦେଖ ଆମର କ'ଣ ଗୋଟେ ଫ୍ଲାଟ୍ ନେବାର ଅଧିକାର ନାହିଁ ? ".......

**************

ଭିନ୍ନ ଭିନ୍ନ ସହରର ଦୁଇଟି ଅପରିଚିତ ମଣିଷ ଭିତରେ ଗୋଟେ ଅଦୃଶ୍ୟ ସମ୍ପର୍କ ଗଢ଼ା ହେବା ବେଶ ସହଜ ଆଜିର ସମୟରେ । ବିଜ୍ଞାନ ସୁଯୋଗର ପ୍ରାଚୁର୍ଯ୍ୟ ଉପହାର ଦେଇଛି ଆଜି । ଇଣ୍ଟରନେଟର ଶକ୍ତି ତରଙ୍ଗ ସମ୍ପର୍କ ଗଢିବାରେ ବେଶ ପାରଙ୍ଗମ । ସୁଦୂର ବିଦେଶରେ ଥିବା ଅଜଣା ଅଶୁଣା ମଣିଷ ସହ ମଧ୍ୟ ସାବଲୀଳ ସମ୍ପର୍କ ଗଢ଼ା ଯାଇପାରେ ।

କିନ୍ତୁ ଯଦି ପୁରୁଣା ସମ୍ପର୍କ ଗୋଟିଏ ସେଇ ଇଣ୍ଟରନେଟ୍ ମାଧ୍ୟମରେ ପୁଣି ଥରେ ସତେଜ ହେଇଯାଏ ତେବେ ସେଥିରେ ମିଳେ ଭିନ୍ନ

ଆନନ୍ଦ ।

ସୁଜୟ ଠିକ ସେମିତି ଖୋଜି ପାଇଗଲା ସୋମାକୁ ବହୁଦିନ ପରେ ଏଇ ଫେସ୍ ବୁକ୍ ରୁ । ଖୁବ୍ ସନ୍ତର୍ପଣରେ ହୃଦୟରେ ସାଇତା ଅତୀତର ନାମହୀନ ସମ୍ପର୍କ ସୋମ , ବେଶ ସବୁଜ ଆଜିବି ତା'ର ସ୍ମୃତି । ଯେମିତି ଠିକ ତା' ପଡିଶାଘରେ ମାଉସୀଙ୍କ କାନୀ ଧରି ଠିଆ ହେଇଛି ଝିଅଟା ଆଉ ସେ ଚୁପକି ତା' ପଛରେ ଭୋ' କହି ଡରେଇ ଦେଇ ପାରିବ । ଝିଅଟା କାନ୍ଦିବନି କିନ୍ତୁ କାନ୍ଦିବାର ଚମତ୍କାର ଅଭିନୟ କରିବ । ଆଉ ସେ ମନେଇବାର ହଜାରେ ପ୍ରୟାସ କରୁଥିବ ଖୁସି ଖୁସି !

ସୁଜୟ ଏବେ ମୁମ୍ବାଇରେ ନିଜ ପରିବାର ସହ ଆଉ ସୋମା ଆଜିବି ସେଇ ସହରରେ । ତା' ମିଷ୍ଟ୍ର ଜଣେ ବିଜନେସ୍ ମ୍ୟାନ୍ ।

ସୁଜୟ ସେଇ ସହର ଛାଡି ଦେଇଥିଲା ଖାସ କରି ସୋମାକୁ ଭୁଲି ଯିବାପାଇଁ । ଜିଦ କରିଥିଲା ମମି ପାଖରେ ,'' ମମି ଏ ସହରରେ ରହିପାରିବିନି ମୁଁ , ବଞ୍ଚି ପାରିବିନି ଜମା ମୋତେ ଏଠୁ ଦୂରକୁ ନେଇଯାଅ ପ୍ଲିଜ ।''

ମମିର ସୁଜୟ ବ୍ୟତୀତ ଆଉ କେହି ନଥିଲେ । ପାପା ଚାଲିଗଲା ପରେ ମମି ଏଇ ପୁଅର ସାହାରାରେ ବଞ୍ଚି ଥିଲା , କେମିତି ଟାଳି ଥାନ୍ତା ପୁଅର ବିକଳ ଅନୁରୋଧ !

ସେମାନେ ସହର ଛାଡି ଦେଇ ତା' ମାମୁଁ ଘର ଗାଁ ଚାଲିଯାଇଥିଲେ । ଆଉ ଧିରେ ଧିରେ ସୋମା ଗୋଟେ ସ୍ମୃତି ଭାବରେ ଛାତି ଭିତରେ ନିବୁଜ ହେଇଯାଇଥିଲା ।

ମଣିଷ ଭୁଲିଯିବାର ଅଭିନୟ କରେ , କିନ୍ତୁ ପ୍ରକୃତରେ ପାରେନି । ଅତୀତ ସାଇତା ହୁଏ ନୀରବରେ ।

*************

ପଡିଶା ଘର ସହ ସବୁବେଳେ ଗୋଟେ ଅଦୃଶ୍ୟ ସମ୍ପର୍କ ଗଢେ ମଣିଷ । ମମିବି ସୋମା ମମିର ବାନ୍ଧବୀ ସାଜି ନିଜ ସୁଖ ଦୁଃଖ ବାଣ୍ଟୁଥିଲା । ସୁଜୟ ଆଉ ସୋମାବି ଥିଲେ ଭଲ ସାଙ୍ଗ । ସାଥିରେ ଛୋଟ ବେଳର ଅନେକ ସ୍ମୃତି ସାଉଁଟି ଥିଲେ । ଆଉ ପରିଣତ ବଯସରେ ଦୁହେଁ ମିଠା ଭବିଷ୍ୟତର ସ୍ୱପ୍ନ ସଜେଇଥିଲେ ।

ସୋମାର ସେ ଚଞ୍ଚଳପଣ ଆବୋରି ନେଉଥିଲା ସୁଜୟକୁ । ଆଉ ସୁଜୟର ନିରୋଳା ହସ ଆକର୍ଷିତ କରୁଥିଲା ସୋମାକୁ । ବେଶ ସଜଳ ପ୍ରେମ କାହାଣୀ ଥିଲା ଦୁହିଁଙ୍କର ।

ଛାତ ଉପରେ ଛୋଟ ଗୋଟେ ରୁମ୍ ଥିଲା ସୁଜୟର ପଢ଼ା ଘର । ଯେଉଁଠି ବିତି ଥିଲା ଅନେକ ସ୍ପନ୍ଦିତ ମୁହୂର୍ତ୍ତ , ଦେଖା ହେଇଥିଲା ଅଗଣିତ ସ୍ୱପ୍ନ , ଗଢ଼ା ହେଇଥିଲା ଯୁଗ୍ମ ଜୀବନର ମାନଚିତ୍ର । ସମ୍ମତି ଥିଲା ଉଭୟଙ୍କ ଭିତରେ ଆଉ ମମିରବି ବୋଧେ !

ସେଦିନ ହୋଲି ରଙ୍ଗରେ ଭିଜା ସୋମାକୁ ନିଜ ଦେହରେ ଜଡେଇ ନେଇ ସୁଜୟ , ଭିନ୍ନ ଗୋଟେ ଅନୁଭବରେ ହଜିଯାଇଥିଲା ସମ୍ପୂର୍ଣ୍ଣ ଭାବେ। ତା' ଚିତ୍ରିତ ଓଠରେ ନିଜ ସମ୍ମତିର ସ୍ଵାକ୍ଷର ଅଙ୍କିବାକୁ ଯାଉଥିଲା ବେଳେ ସୋମା କିନ୍ତୁ ଟିକିଏବି ସହଜ ହେଇ ପାରିନଥିଲା । କେମିତି ଗୋଟେ ପ୍ରତିରୋଧ ଥିଲା ତା' ଭିତରେ । ଭିଜା ସ୍ୱରରେ କହିଥିଲା , '' ନା ସୁଜୟ ଏସବୁ ପାଇଁ ମୁଁ ପ୍ରସ୍ତୁତ ହେଇନି , ମୋତେ କ୍ଷମା କର । ମୁଁ କେବଳ ତୁମର ଏଥିରେ ସନ୍ଦେହ ନାହିଁ କିନ୍ତୁ ସାମାଜିକ ସ୍ୱୀକୃତିବି ଲୋଡ଼ା ତା' ପୂର୍ବରୁ ନୁହେଁ !"

ଲୁହ ଟଳ ମଳ ଆଖିରେ ଏତକ କହିଥିଲା ଝିଅଟା । ଏମିତି ଦୁଃଖ ଦେବା କଥା କଳ୍ପନାବି କରି ନଥିଲା

ସୁଜୟ ତେଣୁ ତୁରନ୍ତ ବାହୁ ବନ୍ଧନରୁ ମୁକ୍ତ କରିଦେଲା ସୋମାକୁ ।ପରବର୍ତ୍ତୀ ସମୟରେ କେବେବି ସେମିତି ଅଭାବିତ ମୁହୂର୍ତ୍ତ ଆଣି ନଥିଲା ସେ ଦୁହିଙ୍କ ଭିତରେ । ସେମିତି ଶାଶ୍ୱତ ସମ୍ପର୍କଟେ ଗଢ଼ିଥିଲେ ଦୁହେଁ ନିଜର ସମସ୍ତ ଆବେଗକୁ ନେଇ ।

ସେମାନେ ଗୋଟେ ପରିପୂର୍ଣ୍ଣ ଘର ଗଢି ପାରିବେ ଏତକ ଜଣା ଥିଲା ଉଭୟଙ୍କୁ । ବିଶ୍ୱାସ ଥିଲା ନିଜ ଉପରେ ଆଉ ନିଜ ପ୍ରେମ ଉପରେ । କିନ୍ତୁ ବିଶ୍ୱାସ ନଥିଲା ସୋମାର ପରିବାରର କାରଣ ଗୋଟେ ସମୃଦ୍ଧ ସାମାଜିକ ପରିଚୟ ନଥିଲା ସୁଜୟ ପାଖରେ । ଆଜିବି ମନେ ଅଛି ସେଇକଥା ସୋମା ନନାଙ୍କର , " ଗୋଟେ ଅର୍ବାଚୀନ , ଯାହାର ଭୂତ ଭବିଷ୍ୟତ ନାହିଁ , ଜାତି ଗୋତ୍ର ନାହିଁ ସେ ପୁଣି ମୋ ଝିଅ ପାଇଁ ହୁଁ !''

ଅବ୍ରାହ୍ମଣ ଥିଲା ସୁଜୟ , ଯାହା ପର୍ଯ୍ୟାପ୍ତ ଥିଲା କୁଳୀନ ବ୍ରାହ୍ମଣ ଝିଅ ସହିତ ବିବାହ ଭାଙ୍ଗିବାକୁ । ପ୍ରତିରୋଧ ସମସ୍ତେ କରିଥିଲେ ଏମିତି କି ସୋମାର ମା ' ବି ।

'' ମୋ ବଂଶ ମର୍ଯ୍ୟାଦା ନଷ୍ଟ ହେଇଯିବ ଅପା , ତୁମେ ପୁଅକୁ ବୁଝେଇ ଦିଅ । ''

ଚୁପ ଚାପ ସବୁ ସହିଯାଇଥିଲା ମମି । କିଛି କରିବାର ଜୁ ନଥିଲା । ଅତୀତର ସମାଜ ପ୍ରେମପାଇଁ ଉଦାର ନଥିଲା । .....

******************

ସୋମା ବେଶ ଆନ୍ତରିକତା ସହ କଥା ହେଲା ସୁଜୟର ପରିବାର ସହ । ତା' ସ୍ତ୍ରୀ ସୋନି ସହ ଠିକ ଗୋଟେ ବାନ୍ଧବୀ ପରି ଆଉ କୁନି ପୁଅ ରୋହନ ସହ ଗୋଟେ ଆଣ୍ଟି ପରି । ଗଢି ନେଲା ପୁଣି ଅଦୃଶ୍ୟ ସମ୍ପର୍କର ଡୋର ଭଲ ବାନ୍ଧବୀର ପରିଚୟରେ । କିନ୍ତୁ ସତରେ ସେ କ'ଣ କେବଳ ବାନ୍ଧବୀ !.......

ସୋନିର ପସନ୍ଦ ଟ୍ରାଡିସ୍ନାଲ୍ ଶାଢ଼ୀ । ହୁଏତ କେବେ କଥାରେ କଥାରେ କହି ଦେଇଥିବ । ସେଥିପାଇଁ ନୂଆ ବର୍ଷ ଭେଟି କୋରିୟର କରି ପଠେଇଥିଲା ସୋମା ସୁନ୍ଦର ସମ୍ବଲପୁରୀ ପାଟ , ପୁଅ ପାଇଁ ଖେଳଣା , ସୁଜୟ ପାଇଁ ତା' ହାତ ଲେଖା ବହି । କବିତା ଲେଖୁଛି ସେ ଚମତ୍କାର , ପ୍ରେମସିକ୍ତ କବିତା ।

ପ୍ରକୃତ ପ୍ରେମ ଠାରୁ ଦୂରେଇ ଗଲା ପରେହିଁ ଲେଖିହୁଏ ପ୍ରେମ କବିତା !......

ଉପହାର ଗୁଡିକ ପାଇ ଫୋନ୍ କରିଥିଲା ସୁଜୟ ସୋମାକୁ। ପଚାରିଥିଲା କ'ଣ ଆଜିବି ଉପହାର ଦେବାର ଯୋଗ୍ୟତା ଅଛି ତା'ର ?

ଖୁବ୍ ସାବଲୀଳ ଭାବେ କହିଥିଲା ସୋମା ଡୁପ୍ଲେକ୍ସ ଗୋଟେ ନିଅ ଆମ ପାଇଁ । ସେଇଟି ହେଉ ଜୀବନର ପ୍ରଥମ ଆଉ ଶେଷ

ଉପହାର ।

ଆଉ ପ୍ରଶ୍ନ ଭିତରେ ଛନ୍ଦି ହେଇଯାଇଥିଲା ସୁଜୟ । ସେମାନେ କ'ଣ ଏମିତି ସୌଭାଗ୍ୟଶାଳୀ । ଜୀବନର ଉତ୍ତର ବୟସରେ ତଳ ଉପର ଦୁଇଟି ଭିନ୍ନ କିନ୍ତୁ ଅଭିନ୍ନ ଘରେ । ଯେଉଁଠି ସୋମାକୁ ଅନୁଭବ କରିବାର ସୁଯୋଗ ଥିବ । ହୁଏତ କେବେ ଅତୀତ ସ୍ମୃତି ରୋମନ୍ଥନ କରିବାର ଅବସର ମିଳିବ । ନିଜ ଅପାରଗତା ଆଉ ସମୟର ତାଡ଼ନାରେ ହଜି ଯାଇଥିବା ଆତୀତକୁ ପୁଣି ଥରେ ଦେଖିବାର ସମ୍ଭାବ୍ୟତା ଥିବ ।

ଭାବିବାକୁ ଖୁବ୍ ଭଲ ଲାଗୁଥିଲା ଏଇ ଡୁପ୍ଲେକ୍ସର ସ୍ୱପ୍ନ । କିନ୍ତୁ ସ୍ୱପ୍ନ ସବୁ ନିର୍ଦ୍ଧିଷ୍ଟ ପରିସର ଭିତରେ ଆବଦ୍ଧ । ସେମାନେ ବାସ୍ତବ ହୁଅନ୍ତି କେତେ ?.......

ଓଡ଼ିଶା ସହ ହୁଏତ କୌଣସି ସମ୍ପର୍କରେ ନାହିଁ ଆଉ ସୁଜୟ । ମୁମ୍ବାଇରେ ନିଜର ଫ୍ଲାଟ୍ ନେଇ ଏକରକମ ସେଟେଲ୍ ହେଇସାରିଛି । ସେ ଓଡ଼ିଶାରେ ଡୁପ୍ଲେକ୍ସ କିଣିବାର କୌଣସି ଆବଶ୍ୟକତା ନାହିଁ । ବୁଝେଇ ହେବନି ସୋନିକୁ । କି ମନେଇ ହେବନି ମୁମ୍ବାଇର ଚାକଚକ୍ୟ ଛାଡି ଓଡ଼ିଶାରେ ରହିବା ପାଇଁ । ଏତକ ନଗ୍ନ ବାସ୍ତବତା । ଆଉ ସୋମା ସେ କ'ଣ ସତରେ ଆସି ରହିପାରିବ ତା' ସହ ଗୋଟେ ଡୁପ୍ଲେକ୍ସରେ ?........

କିନ୍ତୁ ଏଇଟା ସୋମାର ଆଶା , ଗୋଟେ ଆନ୍ତରିକ ଇଚ୍ଛା । କେବେ କିଛି ମାଗି ନଥିବା ଅତୀତର ଗୋଟେ ନିରୀହ ଦାବି । ସେଇତକ ପୂରଣ କରିବା କ'ଣ ଜରୁରୀ ନୁହେଁ , ଗୋଟେ କର୍ତ୍ତବ୍ୟ ନୁହେଁ ?.....

ଯୁକ୍ତିର ଉର୍ଦ୍ଧ୍ବରେ ଏଇ ପ୍ରସଙ୍ଗ । ସେବେ ସିନା ସୁଜୟ ଅସହାୟ ଥିଲା , ପରିସ୍ଥିତିର ଅଧିନ ଥିଲା , ସାମାଜିକ ପ୍ରତିରୋଧରେ ହାରି ଯାଇଥିଲା , କିନ୍ତୁ ଆଜି ହୁଏତ ପରିସ୍ଥିତି ଭିନ୍ନ । ସେ ସାମର୍ଥ୍ୟ ରଖେ ଏଇ ଅନୁରୋଧ ପୂରଣ କରିବାର । ହଁ ନିଶ୍ଚୟ ଏଇ ଉପହାର ଦେବାକୁ ହେବ ତାକୁ ।

***************

ପୂରା କୋଡିଏ ବର୍ଷ ପରେ ଆସିଥିଲା ସେ ସେଇ ସହରକୁ । ପ୍ରକୃତରେ ଅବିଶ୍ୱାସନୀୟ ଭାବେ ପରିବର୍ତ୍ତନ ହେଇଯାଇଥିଲା ସବୁକିଛି । ବେଶ ସୁଦିର୍ଘ ରାସ୍ତା ଧାଉଁ ଥିଲା ଗାଁର ମାଟି ରାସ୍ତା ସ୍ଥାନରେ । ସୁଉଚ୍ଚ ଅଟ୍ଟାଳିକା ମାନେ ସାଜି ସୁଜି ବସିଥିଲେ କୁନି କୁନି ମାଟି ଘର ଜାଗାରେ । କୌଣସି ଘର ଆଉ ପରିଚିତ ନଥିଲା ।

ଏମିତିକି ସେ ସୋମାର ଘର ଖୋଜି ପାଇଲା ନାହିଁ । ଯଦିଚ କଚେରୀ ଘର ପାଖ ପଡ଼ିଆରେ ସେ ରହୁଛି ବୋଲି ଜଣେଇଥିଲା ।

ମନେ ପଡୁଥିଲା କଚେରୀର ଛୋଟ ଛୋଟ ଆଜବେସଷ୍ଟସ୍ ଘର , ଟୁଙ୍ଗୀ ପାନ ଦୋକାନ , ଝିରିଆ ଅଜାର ଚା' ଦୋକାନ , ବଡ଼ ବିଲାତି କଇଆଁ ଗଛ । କେତେ କ୍ରିକେଟ ଖେଳ କଚେରୀ ପାଖ ବଡ଼ ପଡି଼ଆରେ । ସବୁ ସୁନ୍ଦର ସାଇତା ସ୍ମୃତି ।

ଆଜି କିନ୍ତୁ ବିଲକୁଲ ଚିହ୍ନି ହେଉନଥିଲା ସେ ପରିବେଶ । ଗୋଟେ ସୁନ୍ଦର କୋଠାଘର ଛିଡା ହେଇଥିଲା କଚେରୀ ରୂପରେ । ସେଇଠି ବ୍ୟବସ୍ଥିତ ହେଇ ରହିଥିଲା କେତେ ଗୁଡିଏ ଦୋକାନ । ସହର ହେଇଯାଇଥିଲା ଗାଁଟି ସତରେ। ତେଣୁ ଏଇ ପରିବର୍ତ୍ତିତ ପରିବେଶରେ ଠିକଣା ଖୋଜି ପାଇବା କ'ଣ ସହଜ ?......

ଅନେକ ଚେଷ୍ଟା ପରେ , ଲୋକଙ୍କୁ ପଚାରି ବୁଝି ଶେଷକୁ ସେ ଯେଉଁଠି ପହଁଚିଲା ସେଇଟି ଗୋଟେ ବିଶାଳ ଘର ଥିଲା । ହଁ ନିଶ୍ଚିତ ବିଶାଳ ହେବା ଜରୁରୀ ଯେତେ ହେଲେ ବିଜନେସ୍ ମ୍ୟାନ୍ , ପ୍ରତିପତ୍ତିଶାଳୀ , ଧନୀକ , ସୁଯୋଗ୍ୟ । ସୋମାର ନନା ତା' ଠାରୁ ଅଧିକ ଉପଯୁକ୍ତ ମଣିଷ ଖୋଜିଥିବେ ନିଜ ଝିଅ ପାଇଁ !

*************

ପ୍ରାୟ ଛ' ମାସ ହେଲା ସୋମା ଫୋନ୍ କରୁନି ଆଉ , କି ମିଳୁନି ଫେସବୁକ୍ ରେ । କେମିତି ଅପ୍ରତ୍ୟାଶିତ ଭାବେ ଅଦୃଶ୍ୟ ହେଇଯାଇଛି । ସୁଜୟ ବ୍ୟତିବ୍ୟସ୍ତ ହେଇ ଆସିଛି ଖୋଜିବାକୁ ନିଜ ଅତୀତକୁ । ବାଧ୍ୟ କରିଛି ଆବେଗ , ପରବର୍ତ୍ତେଇଛି ସୋମାର ଡୁପ୍ଲେକ୍ସ । ହଁ କିଣିଛି ସେ ସେମାନଙ୍କ ପାଇଁ ପୁରୀରେ , ସମୁଦ୍ର କୂଳରେ ହୋଟେ ସୁଦୃଶ୍ୟ ଘର ,

ସୋମା - ସୁଜୟ ର ଘର !

ଜାଣେ ସେ ହୁଏତ ସେଇ ଘରଟା କେବେ ପରିପୂର୍ଣ୍ଣ ପରିଚୟ ପାଇବ ନାହିଁ । କିନ୍ତୁ ପ୍ରୀତି ସ୍ବାକ୍ଷର ବହନ କରିବ ନିଶ୍ଚିତ । ଆଉ କେହି ନଜାଣୁ ପଛେ ଅନ୍ତତଃ ସେ ଦୁହେଁ ଜାଣିବେ ଏଇ ଉପହାରର ଅସ୍ତିତ୍ୱ । ସେଇତକ ହିଁ ସୁଖ ହଁ ଗୋଟେ ପୂର୍ଣ୍ଣତା !

ସେମାନଙ୍କର ଗୋଟେ ଘର ଅଛି ଏଇ ଅନୁଭବ ହିଁ ଲୋଡ଼ା , ନିଜ ଅସମ୍ପୂର୍ଣ୍ଣ ସ୍ୱପ୍ବକୁ ସାକାର କରିବା

ପାଇଁ ।

**************

ସୋମାର ଘର ସମ୍ନାରେ ଦରୱାନ୍ ଅଟକେଇ ଦେଲା ସୁଜୟର ଦ୍ରୁତ ପାଦ ଯୋଡିକୁ। ପଚାରିଲା ଆସିବାର କାରଣ , କାହାକୁ ଭେଟିବାକୁ ଅଛି , କାହିଁକି ଭେଟିବାର ଅଛି ? ଏମିତି ବିଭିନ୍ନ ପ୍ରଶ୍ନ । ସୁଜୟ ଟିକେ ଅପ୍ରତିଭ ହେଇଗଲା କ'ଣ କହିବ ସେ ସୋମାକୁ ଭେଟିବାକୁ ଆସିଛି , ନା ଏପରି କହିବା ସମୀଚିନ ନୁହେଁ । ସମ୍ଭ୍ରାନ୍ତ ଘରର ବୋହୁ କୁ ଭେଟିବାକୁ ଏମିତି ଜଣେ ସୁଜୟ ଆସିବା ହୁଏତ ସମାଜିକତା ଦୃଷ୍ଟିରୁ ସଠିକ ନୁହେଁ । ସେ ଜଣେଇଲା ସୋମାର ସ୍ୱାମୀଙ୍କ ସହ ଭେଟ କରିବାକୁ ଆସିଛି । ସେ ତାଙ୍କର ଜଣେ ସହୃଦ । ଦରୱାନ୍ ହୁଏତ ବିଶ୍ୱାସ କଲା ଆଉ ପଥ ଉନ୍ମୁକ୍ତ ହେଇଗଲା ।

ସୁଜୟ ସେମିତି ଦ୍ରୁତ ପଦରେ ଚାଲିଲା ସୋମା ପାଖକୁ । ଘରେ ଭେଟ ହେଲା ପରିଚାରିକା ସହ । ସୁଜୟର ଆସିବାର କାରଣ ବୁଝି ସେ ଜଣେଇ ଦେଲା ସୋମାର ସ୍ୱାମୀଙ୍କୁ । ଭଦ୍ରବ୍ୟକ୍ତି ସୁଜୟକୁ ଡକେଇଲେ ଡ୍ରଇଂ ରୁମ୍ କୁ । ବେଶ ସୁନ୍ଦର ଥିଲା ସୋମାର ଘର ଠିକ ତା'ପରି ।

ଡ୍ରଇଂ ରୁମରେ ବସିଥିଲେ ଗୋଟେ ସୌମ୍ୟଦର୍ଶନ ମଣିଷ , ହଁ ସୋମାର ସ୍ୱାମୀ ଆଦିତ୍ୟ । ମଳିନ ହସ ହସି ସ୍ୱାଗତ କଲେ ଆଉ କହିଲେ ସେ ସୁଜୟକୁ ଜାଣନ୍ତି । ସୋମା କହିଛି ତାଙ୍କୁ ସେମାନଙ୍କ ପରିଚିତି ଓ ବନ୍ଧୁତା କଥା । ସୁଜୟକୁ କିନ୍ତୁ କିଛି ଶୁଭୁ ନଥିଲା ସେ ବ୍ୟତିବ୍ୟସ୍ତ ହେଇ କେବଳ ସୋମାକୁ ଖୋଜୁଥିଲା । କିନ୍ତୁ ସୋମା ନଥିଲା କେଉଁଠି । ସୋମା ସଂକ୍ରାନ୍ତରେ କିଛି ପଚାରିବା ଉଚିତ କି ନୁହେଁ ଭାବୁଥିଲା ସୁଜୟ । କିଏ ଜାଣେ ହୁଏତ ଭଦ୍ରବ୍ୟକ୍ତି ଖରାପ ଭାବିବେ ।

ଆଦିତ୍ୟ ନିଜେ କହିଲେ ,

" ଆପଣ ଆସିବାକୁ ଡେରି କରିଦେଲେ ସୁଜୟ କବିତା ଆଉ ଲେଖା ହେଉନି , କବୟିତ୍ରୀ ନାହାନ୍ତି ।''

ଭିତର ଘରକୁ ଚାଲି ଯାଇଥିଲେ ଆଦିତ୍ୟ ଆଉ ତାଙ୍କୁ ଅନୁସରଣ କରୁଥିଲା ସୁଜୟ । ଦୁହେଁ ଯାଇ ପହଁଚିଲେ ସୋମା ପାଖରେ । ସୁଦୃଶ୍ୟ ଘରର ଶୋଭା ବଢଉଥିଲା କାନ୍ଥରେ ଟାଙ୍ଗା ହେଇଥିବା ବିଶାଳ ଫୋଟୋ ଚିତ୍ର ଆଉ ସେଥିରେ ଝୁଲୁ ଥିବା ଗଜରା ମାଳ । ସୁଗନ୍ଧିତ ଧୂପ ଜଳୁଥିଲା ଆଉ ଘରକୁ ବସ୍ନାୟିତ କରୁଥିଲା । ଠିକ ସୋମାର ହସ ପରି ।

ସୁଜୟ ସ୍ଥାଣୁ ହେଇ ଦେଖୁଥିଲା ସୋମାକୁ ଆଉ ଖୋଜୁଥିଲା ଡୁପ୍ଲେକ୍ସର ଭବିଷ୍ୟତ ।

ସୌମ୍ୟା ଶୁଭଦର୍ଶିନୀ

ସୁଜୟ ସୋମା ଫ୍ଲାଟ୍

Rate the content


Originality
Flow
Language
Cover design

Comments

Post

Some text some message..