Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Paramita Sarangi

Tragedy

5.0  

Paramita Sarangi

Tragedy

ମା'ର ଅସହାୟ ଦୁଇ ଆଖି

ମା'ର ଅସହାୟ ଦୁଇ ଆଖି

4 mins
7.5K


ଅନେଶତ ମସିହା ର ସେ ପ୍ରଳୟଙ୍କରୀ ଦିନ ଆସିଯାଇଥିଲା। ପୃଥିବୀ ର କିଛି ଭୂଖଣ୍ଡ ଭିତରେ ମାନେ ଓଡ଼ିଶାରେ ପ୍ରକୃତି ତାଣ୍ଡବଲୀଳା ଆରମ୍ଭ କରି ଦେଇଥିଲା। ଯେମିତି ରୂଦ୍ର ତାଙ୍କର ତୃତୀୟ ନୟନ ଖୋଲି ଦେଇ ଥିଲେ। ଚାରିଆଡେ ହା ହା କାର। କେହି ବୁଝି ବି ପାରୁ ନ ଥିଲେ, କିପରି ଏ ପରିସ୍ଥିତି ରେ କେଉଁ ପଦକ୍ଷେପ ନିଆ ଯାଇ ପାରିବ।

ସେଦିନର ସେ ଘଟଣା ମନେ ପଡିଲେ ଆଜି ବି ଗୋଟେ ଭୟ ର ଚାଦର ମନଟାକୁ ଆଚ୍ଛାଦିତ କରି ଦିଏ। ହଠାତ୍ ଘୁ ଘୁ କରି ପ୍ରବଳ ବେଗରେ ମାଡ଼ି ଆସିଥିଲା ପବନ, ଉଡ଼ାଇ ନେଇ ଗଲା ଝରକା କୁ ଚଉକାଠ ସହ। ସେଇ ଗୋଟିଏ ଝରକା କ'ଣ ଉଡିଗଲା, ତା ପଛ କୁ ପଛ ପବନ ର ଚାପ ରେ ଆଉ ଦୁଇଟି ଝରକା ବି ଉଡିଗଲା। ଆମେ ତିନି ଭଉଣୀ , ଭାଇ , ନନା ଆଉ ମା ବସି ରହିଲୁ ଖଟ ଉପରେ। ଖୋଲାଝରକା ଦେଇ ବିନା କୌଣସି ବାଧା ରେ ପବନ ଆଉ ପାଣି ତାଣ୍ଡବନୃତ୍ୟ କରି କରି ପଶି ଚାଲିଥିଲେ।ଭାଗ୍ୟ ଭଲ ଥିଲା ସେ ଦିନ ନନା ଅଫିସ ଯାଇ ନ ଥିଲେ।

ସେହି ପରିସ୍ଥିତି ରେ ନିଜକୁ ଅବିଶ୍ବାସ ଆଖି ରେ ଦେଖୁ ଦେଖୁ , ହଠାତ୍ କବାଟ କୁ କେହି ଜଣେ ଖୁବ୍ ଜୋରରେ ପିଟି ଚାଲିଥିଲେ। କବାଟ ଖୋଲି ବାକୁ ଡର ଲାଗୁଥିଲା।କାଳେ ପବନ ର ଚାପ ରେ ଘର ର ଆଜବେଷ୍ଟସ ଉଡିଯିବନି ତ! ତଥାପି କିଏ ଡାକୁଛନ୍ତି , ଦେଖିବାକୁ ତ ପଡିବ।ମା' ଓହ୍ଲାଇଲେ ଖଟ ଉପରୁ, ତଳେ ଚଟାଣ ଉପରେ ପାଣି ର ସୁଅ ବହି ଚାଲୁଥିଲା।

କବାଟ ଖୋଲିଲା ପରେ ପଶି ଆସିଲେ ଦେବ ମଉସା। ବିଚରା ଗାଁ କୁ ଫେରୁଥିଲେ, ହେଲେ ଆଉ ଯାଇ ପାରିଲେ ନାହିଁ। ଅଗତ୍ୟା ବାଟ ରେ ଆମ ଘର ପଡ଼ୁଥିବାରୁ ଏଇଠି ଅଟକି ଗଲେ। ବହୁମୁତ୍ର ରୋଗରେ ପୀଡିତ, ତା ସହ ରକ୍ତ ଚାପ ରୋଗ ମଧ୍ୟ। ତାଙ୍କୁ ଭିତରକୁ ଡ଼ାକି ଖଟ ଉପରେ ଗୋଡ଼ ହାତ ରଖି ବସିବାକୁ ଅନୁରୋଧ କଲୁ। ଯେହେତୁ ସେ ରୋଗି ମଣିଷ ଥିଲେ, ମା ତାଙ୍କ ପାଖରେ ଚୁଡା ଓ ମୁଢ଼ି ଡବା ଆଣି ରଖି ଦେଲା।

ଏପରି ଦୁଇ ଦିନ ବିତି ଗଲା। ଘରେ ଥିବା ଚୁଡା, ମୁଢ଼ି ଆଉ ବିସ୍କୁଟ ବି ସରିଗଲା।ଦେବ ମଉସା ଙ୍କ ପାଖରେ ତାଙ୍କର ଔଷଧ ନ ଥିଲା। ଧିରେଧିରେ ସେ ବିମାନ ହେବାକୁ ଲାଗିଲେ। ଆମେ ଭୋକରେ ଛଟପଟ ହେଉଥିଲୁ। ମା'ଙ୍କୁ ଚାହିଁଲି, ତାଙ୍କ ଆଖି ରେ କିଛି କରି ନ ପାରିବାର ବିକଳ ପଣଟେ ଛଟପଟ ହେଉଥିଲା।

ଦୁଇ ଦିନ ପରେ ରାତିଅଧରେ ତୋଫାନ ଥମିଗଲା।ଧରାରେ ଟିକିଏ ଶାନ୍ତି ଫେରି ଆସିଲା, ହେଲେ କେତେ ସମୟ।

ସକାଳ ହେଲା, ଭାବିଥିଲି ଅନ୍ୟ ଦିନ ପରି ସବୁ କିଛି କ୍ଷଣ ଭିତରେ ସବୁ ଠିକ ଠାକ୍ ହୋଇ ଯିବ ବୋଲି। ହେଲେ....

ଘର ଭିତରେ ପବନ ଓ ପାଣି ସହ ଖୁବ୍ ମଇଳା ପଶି ଆସି ଥିଲା। ବଗିଚାରେ ଥିବା ନଡ଼ିଆ ଗଛ, ପିଜୁଳି ଗଛ, ଅମୃତ ଭଣ୍ଡା ଗଛ, କଦଳୀ ଗଛ ସବୁ ଭାଙ୍ଗି ଯାଇଥିଲା। ମା ଙ୍କୁ ଆମ ମାନଙ୍କର ପେଟ ଭରି ବାର ଚିନ୍ତା ଘାରୁଥିଲା। ସେ ବାଡ଼ି ରେ ଖୋଜି ଖୋଜି ଭାଙ୍ଗି ପଡିଥିବା ଗଛରୁ ପରିବା ସଂଗ୍ରହ କରୁଥିଲେ କି , ହଠାତ୍ ଡେଣା ଭାଙ୍ଗି ଛଟପଟ ହେଉଥିବା ଚଢ଼େଇ ଟି ଉପରେ ତାଙ୍କ ଦୃଷ୍ଟି ପଡ଼ିଲା। ତାକୁ ଉଠେଇ ଆଣି ଗୋଟିଏ ଅଖା ବସ୍ତାରେ ଉପରେ ରଖି କିଛି ଚାଉଳ ତା ସାମ୍ନାରେ ପକାଇ ଦେଇଥିଲେ।

ତରତର ହୋଇ କିଛି ପରିବା କାଟି ମା' ଡାଲମା ଷ୍ଟୋଭ ରେ ବସାଇ ଦେଲେ। ଇଲେକ୍ଟି ଖୁଣ୍ଟ ସବୁ ଠା ଠା ରେ ଉପୁଡ଼ି ପଡ଼ିଥିଲା। ଲାଇନ୍ ନ ଥିଲା। ହିଟର ତ ଚାଲୁ ନ ଥାଏ ତେଣୁ ଡାଲମା ହେବା ପର୍ଯ୍ୟନ୍ତ ଅପେକ୍ଷା କରି ଥିଲୁ। ଭାତ ଗଣ୍ଡେ ପେଟରେ ପଡ଼ିଲେ, ତାପରେ ଅନ୍ୟ କଥା। ଡାଲମା ହେଲା ପରେ ମା ଚାଉଳ ଧୋଇ ପ୍ରେସର୍ କୁକର ରେ ଭାତ ବସାଇଥିଲେ। ସେତେବେଳେ ସେହି ଭାତ ଆଉ ଅଣ ଵଘରା ଡାଲମା ମହାପ୍ରସାଦ ପରି ବାସୁଥାଏ।

ମୋର ଠିକ୍ ମନେ ଅଛି କୁକର ରେ ଭାତ ର ସିଟି ଦେଇ ନ ଥିଲା କି ବାହାରେ କାହାର ବଡ଼ ବିକଳ କାନ୍ଦଣା ଶୁଣା ଗଲା। ବୁଢ଼ା ଟିଏ କୋଳ ରେ ନାତିକୁ ଧରି ନେହୁରା ହେଉଛି,"ମା ଲୋ ସବୁ ନେଇ ଗଲା ଏ ଅଲକ୍ଷଣା ତୋଫାନ। ମୋ ପୁଅ ବୋହୁ କୁ ଖାଇଗଲା। ଏଇ ବୁଢ଼ା କାନ୍ଧ ରେ ନାତି ଟାକୁ ଧରି ଦୁଇ ଦିନ କିଆବୁଦା ତଳେ ଥିଲି।ତା ମୁହଁ ରେ ଦାନା ଟିଏ ବି ଦେଇପାରିନି।ମୋ ଉପରେ ଦୟା କରି,ତା ପାଟିରେ କିଛି ଦେ। ତାଛଡା ମୋର ଆଉ କେହି ନାହାନ୍ତି।"

ମା ଦଉଡ଼ି ଗଲା ରୋଷେଇ ଘର କୁ। ଗିନା ରେ ଉଷୁମ ଡାଲି ପାଣି ଆଣି ସେ ପିଲା ପାଟି ଭିତରେ ଦେବା କୁ ଚେଷ୍ଟା କରିଥିଲା, ହେଲେ...

"ହଇରେ ବଡ଼ ଠାକୁର, ତୋତେ ଏଇଥି ପାଇଁ ଏତେ ପୂଜା କରିଥିଲି, ଏତେ ବଡ଼ ବୋଝ କେମିତି ଉଠାଇଲି?" ଡାଲିଗିନାଟିକୁ ଏଡାଇ ବୁଢ଼ା ଟି ସେ ଛୁଆଟାକୁ କୋଳ ରେ ଧରି ବାହୁନି ବାହୁନି ଚାଲିଗଲା। ମା'ର ଆଖି ରୁ ଧାର ଧାର ଲୁହ ବୋହୁଥାଏ।

ଆମକୁ ଖାଇବାକୁ ବାଢିଦେଲା। ଖାଇସାରିବା ପରେ କିଛି ସମୟ ବିଶ୍ରାମ ନେଇ ଦେବ ମଉସା ତାଙ୍କ ବାଇକ୍ ରେ ଗାଁ କୁ ଚାଲିଗଲେ। ମା ସେ ଚଢ଼େଇ ଟିକୁ ଦେଖିବାକୁ ଗଲେ, ହେଲେ ସେ ବି ଆଉ ନ ଥିଲା।

ତୋଫାନ ପର ଦିନ ର ସେହି କିଛି କ୍ଷଣ ଭିତରେ ଆମେ ଗୋଟିଏ ଛୋଟ ପିଲା, ଓ ଚଢ଼େଇ ର ମୃତ୍ୟୁ, ମା ଙ୍କ ପ୍ରିୟ ଗଛ ଗୁଡ଼ିକ ଧୂଳିସାତ ହେବା, ଭଙ୍ଗା ଘର ର ମରାମତି ର ଚିନ୍ତା , ଭୋକିଲା ପେଟରେ ର ଜ୍ଵାଳା ଏସବୁ ଦେଖି ଏବଂ ସହି ସାରିଥିଲୁ।

ସେ ଦିନ ବିତି ବାର ପନ୍ଦର ବର୍ଷ ବିତି ଗଲାଣି। ଆମେ ପକ୍କା ଘର କରି ସାରିଲୁଣି। ଟେକ୍ନୋଲୋଜି ବି ଆଗେଇ ଗଲାଣି। ତୋଫାନ ଆସିବା ପୂର୍ବରୁ ଖବର ମିଳିଯାଇଛି। ସମସ୍ତେ ନିଜ ସୁବିଧା ଅନୁଯାୟୀ ବ୍ୟବସ୍ଥା ମଧ୍ୟ କରିରଖୁଛନ୍ତି। ହେଲେ ଆଜି ବି ତୋଫାନ ର ନାଁ ଶୁଣିଲେ ମା'ଙ୍କ ଆଖି କୁ ଚାହିଁ ହୁଏନାହିଁ। ଲାଗେ ପୃଥିବୀର ସବୁଠୁ ଅସହାୟ ଏଇ ଦୁଇଟି ଆଖି।

ପାରମିତା ଷଡ଼ଙ୍ଗୀ


Rate this content
Log in

Similar oriya story from Tragedy