Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ତିମିର ତୃଷ୍ଣା

ତିମିର ତୃଷ୍ଣା

11 mins
15K



       ହଠାତ୍ ଗୋଟିଏ ଝଟକା ମାରି ଟ୍ରେନ ଅଟକିଗଲା l ବିରକ୍ତିରେ ଉଠି ବସିଲା ଅଶ୍ୱିନୀ l କି ଅସହ୍ୟ ଗରମ ! ଫ୍ୟାନ୍ ବୁଲୁଛି l କିନ୍ତୁ ଗରମ ପବନ ହିଁ ଚାରି ଆଡେ ଖେଳେଇ ଯାଇ ଅଶ୍ୱସ୍ତିରେ ଭରି ଦେଉଛି ଦେହ, ମନ, ପ୍ରାଣ l ଉପର ବର୍ଥରୁ ତଳକୁ ଓହ୍ଲେଇ ଆସିଲା ଅଶ୍ୱିନୀ l ତଳ ଦୁଇଟି ବର୍ଥରୁ ଗୋଟିକରେ ମୀରା ଶୋଇଛି l ଅନ୍ୟଟିରେ ସଞ୍ଜୁ ଶୋଇଛି କାନ୍ଥ ଆଡକୁ ମୁହଁ କରି l ଅଶ୍ୱିନୀ ଜାଣେ ସେ ଶୋଇ ନ ଥିବ କଦାପି l ବାଗଲକୋଟ୍ ଆସିବା ସ୍ଥିର ହେବା ଦିନ ଠାରୁ ସେ କେମିତି ଗୁମସୁମ୍ ହୋଇଯାଇଛି l କିନ୍ତୁ ଅଶ୍ୱିନୀ ଅସହାୟ l କାଲି ରାତିରେ ତା’ ମାଆ କହୁଥିଲା ତା’କୁ ଆଉ ଗୋଟିଏ ସୁଯୋଗ ଦେବା ପାଇଁ l ହୁଏତ ପରବର୍ତ୍ତୀ ସୁଯୋଗରେ ସେ ଆଇ.ଆଇ.ଟି ପାଇଯାଇପାରେ l କିନ୍ତୁ ପରବର୍ତ୍ତୀ ସୁଯୋଗ ଯଦି ଏ ଭଳିଆ ହେବ ? ପରବର୍ତ୍ତୀ ସୁଯୋଗରେ ସେ ଯଦି ଏନ୍.ଆଇ.ଟି. ବି ନ ପାଏ……? ନିଜକୁ ଅସୁରକ୍ଷିତ ମନେ କଲା ଅଶ୍ୱିନୀ l

       ଆଇ.ଆଇ.ଟି ନ ହେଲା ନାହିଁ l ଏନ୍.ଆଇ.ଟି. ବି କ’ଣ ମନ୍ଦ ଯେ ? ଏନ୍.ଆଇ.ଟି. ପାଇବା ପାଇଁ ବି ବହୁତ ପ୍ରତିଯୋଗିତା l ପୁଣି ସେମାନେ ସାଧାରଣ ବର୍ଗର l ସେ ଯାହା ବି ହେଉ, ଗୋଟିଏ ଅନିଶ୍ଚିତ ଭବିଷ୍ୟତ ଅପେକ୍ଷା, ନିଶ୍ଚିତ ବର୍ତ୍ତମାନ ଗ୍ରହଣୀୟ ବୋଲି ଜ୍ଞାନୀମାନେ କହିଛନ୍ତି l ଆଇ.ଆଇ.ଟିଆନ ମାନଙ୍କର ମର୍ଯ୍ୟାଦା କୁଆଡେ ଏନ୍.ଆଇ.ଟି. ପାସ୍ ଆଉଟମାନଙ୍କ ଅପେକ୍ଷା ଅଧିକ l ପରିବର୍ତ୍ତିତ ଯୁଗର ଏହି ଚିନ୍ତାଧାରାକୁ ଗ୍ରହଣ କରିପାରେନି ଅଶ୍ୱିନୀ l

       ସଞ୍ଜୁକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲା ସିଏ l ସଞ୍ଜୁ ତା’ର ପହିଲି ଆଷାଢର ପ୍ରଥମ ଜଳବୁନ୍ଦା l ତା’ର ଜନ୍ମ ପର ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ସ୍ମୃତିକୁ ନିଜ ଡାଇରୀ ଭିତରେ ସଜେଇ ରଖିଛି ଅଶ୍ୱିନୀ l ଅଶ୍ୱିନୀର ଇଚ୍ଛା ଥିଲା ସଞ୍ଜୁ ଅଧ୍ୟାପକଟିଏ ହେବ କିମ୍ବା ଆଇlଏlଏସ୍ ପାଇଁ ପ୍ରିପେୟାର୍ କରିବ l କିନ୍ତୁ ସଞ୍ଜୁ ଆଉ ତା’ ମାଆ ଚାହୁଁଥିଲେ କିଛି ଅଲଗା l ସଞ୍ଜୁ ତା’ ଭଳି ସ୍ୱପ୍ନବିଳାସୀ ନୁହେଁ l ଅନେକଟା ମାତ୍ରାରେ ତା’ ମାଆ ଭଳି ବାସ୍ତବବାଦୀ l ସିଏ ଚାହେଁନି କୋଇଲିର କୁହୁରେ ବିଭୋର ହେବା ପାଇଁ କିମ୍ବା ଚନ୍ଦ୍ର ବିଭୋର ରାତିରେ ପବନରେ ଭାସି ଆସୁଥିା ସୁଗନ୍ଧ ଫୁଲର ମୃଦୁ ମୃଦୁ ବାସ୍ନାରେ ହଜିଯିବା ପାଇଁ l ସେ ଚାହେଁନି ଧାରା ଶ୍ରାବଣରେ କାଗଜ ଡଙ୍ଗା ତିଆରି କରି ଭସେଇବା ପାଇଁ କିମ୍ବା ବାର ମାସର ତେର ପର୍ବର ଆନନ୍ଦରେ ନିଜକୁ ହଜେଇଦେବା ପାଇଁ l ସିଏ ସାମାଜିକ ନୁହେଁ, ଅସାମାଜିକ ବି ନୁହେଁ l ସାଧାରଣତଃ ପୁଅର ଯେଉଁ ସବୁ ଗୁଣକୁ ନେଇ ଗର୍ବ କରିବା କଥା, ସେ ସବୁ ଗୁଣ ସଞ୍ଜୁ ପାଖରେ ଅଛି l ସେ ବହୁତ ଭଲ ପାଠ ପଢେ l କାହା ସହିତ ମିଳାମିଶା କରେନି l ତା’ର ଆନୁଆଲ୍ ରିପୋର୍ଟ୍ ବି ବହୁତ ଭଲ l ତଥାପି ବି ସନ୍ତୁଷ୍ଟ ହୋଇପାରେନି ଅଶ୍ୱିନୀ l

       ଜୀବନର ପ୍ରଥମ ପାହାଚରୁ ହିଁ ସ୍ୱପ୍ନ ଭଙ୍ଗର ସୂଚନା ପାଇ ସାରିଥିଲା ଅଶ୍ୱିନୀ l ଟିକି ସଞ୍ଜୁ କଥା କହିବା ଆରମ୍ଭ କଲା l ବୋଉ ବାବା ବଦଳରେ ସିଏ ଡାକିଲା ମମ୍ମି, ଡାଡ୍ଡି l ବୋଉ ବାବା ଡାକ କୁଆଡେ ଆଉଟ୍ ଅଫ୍ ଫେସନ୍ ହୋଇଗଲାଣି l ଧୂଳି ମାଟିରେ ଗୋଳି ହୋଇ ମାଟି ସହ ଏକାକାର ହେବ ପରିବର୍ତ୍ତେ ସେ ଗାଇଲା ରାଇମ୍ସ୍ l ଘରକୁ କେହି ଆସିଲେ ତା’କୁ ତା’ ମାଆ ଆକ୍ସନ୍ ସହ ରାଇମ୍ସ୍ ଗାଇବା ପାଇଁ କହେ l ଅନ୍ୟମାନେ ଖୁସି ହୁଅନ୍ତି କି ନାହିଁ କେଜାଣି ମୀରା କିନ୍ତୁ ଖୁସିରେ ଫୁଲି ଉଠେ l ଅଶ୍ୱିନୀର ମନେ ପଡିଯାଏ ଗାଆଁ ଦାଣ୍ଡର ଗୋବିନ୍ଦ ମୂଷା ଆଉ ମୂଷି ଖେଳ କଥା l ମାଲିକର ଇସାରା ପାଇବା ମାତ୍ରେ ସେ କୂଅରୁ ପାଣି କାଢିବା ଭଳି ଅଭିନୟ କରେ, ପୁଣି ଅଭିନୟ କରେ, ବେସର ବାଟିବା, ଧାନ କୁଟିବା, ପରିବା କାଟିବା ଭଳି l ପୁଣି ଅଭିନୟ କରେ ଦେଢଶୁରକୁ ଦେଖି ଲୁଚିଯିବା ଭଳି l ଅଶ୍ୱିନୀ ମନେ ମନେ ଭାବେ ମୂଷାଟି ସତରେ କ’ଣ ଏ ସବୁର ମାନେ ବୁଝୁଥିବ ? ସଞ୍ଜୁ ରାଇମ୍ସ କହୁଥିବା ବେଳେ ଅଶ୍ୱିନୀ ଭାବୁଥିଲା, ସତରେ କ’ଣ ସେ ବୁଝୁଥିବ ସେ ରାଇମ୍ସର ମାନେ ସବୁ ? ଆହା…………. କେଉଁଠି ଲୁଚିଗଲା କଳାକଳେବର କହ୍ନେଇ ଗୀତ ଆଉ ଶ୍ରୀପଞ୍ଚମୀରେ ଶ୍ରୀଫଳ ଧରି ଗାଆଁ ଦାଣ୍ଡରେ ବୁଲିବା ଦୃଶ୍ୟ l

       ଅଶ୍ୱିନୀ ଚାହୁଁଥିଲା ସଞ୍ଜୁକୁ ଓଡିଆ ମାଧ୍ୟମରେ ପଢେଇବା ପାଇଁ l କିନ୍ତୁ ମୀରା ଜିଦ୍ ଧରି ବସିଲା ଇଂରାଜୀ ମାଧ୍ୟମ ପାଇଁ l ଇଏ ବି କୁଆଡେ ଆଭିଜାତ୍ୟର ଚିହ୍ନ l ମନେ ମନେ ସେ ଦିନ ହସିଥିଲା ଅଶ୍ୱିନୀ l ନିଜର ସୀମିତ ଆୟ ଭିତରେ ବାପା, ମା’, ଭାଇଭଉଣୀଙ୍କ କଥା ବୁଝି ଛୁଆକୁ ଇଂରାଜୀ ମାଧ୍ୟମରେ ପଢେଇବା ବେଳକୁ ହାରାସ୍ ହୋଇ ଯାଉଥିଲା ଅଶ୍ୱିନୀ ବେଳେ ବେଳେ l ଅବଶ୍ୟ ମୀରା ତା’କୁ ବହୁତ ସହଯୋଗ କରିଥିଲା l ନିଜ ପାଇଁ ତା’ର କିଛି ବି ଡିମାଣ୍ଡ୍ ନ ଥିଲା l ସ୍ୱାମୀର ସୀମିତ ଆୟ ଭିତରେ ପୁଅକୁ ଉପଯୁକ୍ତ ମଣିଷ କରି ଗଢିବା ସ୍ୱପ୍ନରେ ସେ ନିଜ କଥା ଭୁଲି ଯାଇଥିଲା ଯେମିତି l କିନ୍ତୁ ଖୁସି ହୋଇ ପାରୁ ନ ଥିଲା ଅଶ୍ୱିନୀ l ସଞ୍ଜୁର ପିଠିରେ ସ୍କୁଲ୍ ବ୍ୟାଗର ବୋଝ ବର୍ଷକୁ ବର୍ଷ ବଢି ଚାଲୁଥିଲା l ଅସହାୟ ହୋଇ ଅଶ୍ୱିନୀ ଦେଖୁଥିଲା କେମିତା ତା’ର ଚଳଚଞ୍ଚଳ ଶୈଶବ ହଜି ଯାଉଥିଲା ଏବଂ କେମିତି ଆସୁଥିଲା ଉନ୍ମାଦ ହୀନ ଯୌବନ l ସଞ୍ଜୁ ପୁସ୍ତକକୀଟଟିଏ ହିଁ ପାଲଟି ଯାଇଥିଲା l କିନ୍ତୁ ଯେଉଁ ଦିନ ସଞ୍ଜୁ ତା’ ଥାକରୁ ନେଇ ନଭେଲ୍ ସବୁ ପଢିବାକୁ ଆରମ୍ଭ କରିଥିଲା, ଆଶାର କ୍ଷୀଣ ବୀଜଟିଏ ଅଙ୍କୁରି ଉଠିଥିଲା ତା’ ମନରେ l ବହୁତ ଭଲ ମାର୍କ୍ ରଖି ସଞ୍ଜୁ +2 ପାସ୍ କଲା l ଇଂରାଜୀରେ ଅଶି ମାର୍କ୍ ରଖିଥିଲା l ସାଧାରଣତଃ ବିଜ୍ଞାନ ଛାତ୍ରମାନେ ଲିଟରେଚରରେ ଏତେ ମାର୍କ୍ ରଖନ୍ତିନି l ସଞ୍ଜୁର +2 ରିଜଲଟ୍ ବାହାରିବା ଦିନ ବି ଘରେ ଗୋଟିଏ ଡ୍ରାମା ହୋଇ ଯାଇଥିଲା l ଠିକ୍ ଏ ଭଳିଆ ଗୋଟିଏ ଡ୍ରାମା ହୋଇଥିଲା ବହୁତ ବର୍ଷ ପୂର୍ବେ l ସଞ୍ଜୁ ବୋଧହୁଏ.............l ବୋଧହୁଏ କ’ଣ ଷ୍ଟାଣ୍ଡାର୍ଡ୍ ୱାନରେ ହିଁ ପଢୁଥିଲା l ସେ ଦିନ ତା’ର ରିଜଲ୍ଟ୍ ବାହାରିବାର ଥିଲା l ଅଶ୍ୱିନୀ ଅଫିସରୁ ଫେରି ଦେଖେ ତ ଘରର ବାତାବରଣ ପୁରା ଗୁମସୁମ୍ l ସତେ ଯେମିତି କାଳ ବୈଶାଖୀଟିଏ ବହିଯାଇଛି, ସେ ଭଳିଆ ପରିବେଶ l ମୀରା ଏକଦମ୍ ଗମ୍ଭୀର l ସଞ୍ଜୁ ଆଖିରେ ଶୁଖିଯାଇଥିବା ଲୁହର ଚିହ୍ନ ତଥାପି ସୁସ୍ପଷ୍ଟ l କାରଣଟା କ’ଣ ହୋଇଥିବ, କିଛି ଭାବି ପାରୁ ନ ଥିଲା ଅଶ୍ୱିନୀ l ଏମିତିରେ ସଞ୍ଜୁ କାହା ସହ ଝଗଡା କରେନି ଯାହା କି ତା’ ବୟସର ପିଲା ପାଇଁ ସ୍ୱାଭାବିକ l ତେବେ................ ? ପରୀକ୍ଷାରେ ଖରାପ କରି ଦେଇଛି କି ଆଉ ? ସେ ଧାରଣା ବି ଭୁଲ ଥିଲା l ସଞ୍ଜୁ 98% ରଖିଥିଲା l

       : ତେବେ ଏହି ନିରବ ଝଡର କାରଣ କ’ଣ ? ରସିକତା କଲା ଅଶ୍ୱିନୀ l

       : ସୋନି ତା’ ଠାରୁ ଗୋଟିଏ ମାର୍କ୍ ଅଧିକ ରଖିଛି l ଗମ୍ଭୀର ହୋଇ କହିଲା ମୀରା l

       ହୋ ହୋ ହୋଇ ହସି ଉଠିଲା ଅଶ୍ୱିନୀ l

       : ଏଥିରେ ଏତେ ଦୁଃଖ କରିବାର କ’ଣ ଅଛି ? ମୁଁ ଭାବିଥିଲି ସେ ଫେଲ୍ ହୋଇଯାଇଛି l

       : ଦୁଃଖ କରିବାର କିଛି ନାହିଁ ? ଗୋଲ୍ଡ୍ ମେଡାଲ୍ ସୋନିକୁ ମିଳିବ, ମୋତେ ନୁହେଁ l କାନ୍ଦୁ କାନ୍ଦୁ କହୁଥିଲା ସଞ୍ଜୁ l

       ସଞ୍ଜୁର ଏ ବୟସରେ ଏ ପ୍ରକାର ପ୍ରତିଯୋଗିତାମୂଳକ ମନୋଭାବ ଦେଖି ସ୍ତବ୍ଧ ହୋଇଗଲା ଅଶ୍ୱିନୀ l ଅଥଚ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତରେ ଶୂନ ରଖି ମଧ୍ୟ ଟିକେ ଗ୍ଲାନି ନ ଥିଲା ଅଶ୍ୱିନୀ ମନରେ l ଆଜିର ଗଣିତ ଅଧ୍ୟାପକ ଅଶ୍ୱିନୀକୁ ଦେଖିଲେ କିଏ କେବେ ବିଶ୍ୱାସ କରିପାରିବ ଯେ, ଇଏ ଦିନେ ଗଣିତରେ ଶୂନ ରଖୁଥିଲା l ଅଥଚ ଅଶ୍ୱିନୀ ଗଣିତରେ ବିଶ୍ୱବିଦ୍ୟାଳୟର ବେଷ୍ଟ୍ ଗ୍ରାଜୁଏଟ୍ ଓ ପୋଷ୍ଟ୍ ଗ୍ରାଜୁଏଟ୍ ହୋଇ ପାରିଥିଲା l ଗଣିତରେ ଶୂନ ରଖୁଥିବା ବେଳେ ବାବା କି ବୋଉଙ୍କର କିଛି ବି ଭାବାନ୍ତର ହେଉ ନ ଥିଲା l ବାବା ଟିକେ ବ୍ୟସ୍ତ ହେଉଥିଲେ l କିନ୍ତୁ ବୋଉ ସବୁବେଳେ ଖୁସି ଥିଲା l ତା’ ପୁଅ ଶ୍ରେଣୀ ପରେ ଶ୍ରେଣୀ ଉଠି ଉଠି ଯାଉଛି, ସେତିକି ହିଁ ତା’ ପାଇଁ ଯଥେଷ୍ଟ ଥିଲା l

       ମୀରାକୁ ବୁଝେଇ କିଛି ଲାଭ ନାହିଁ ଜାଣି ଚୁପ୍ ରହିବାକୁ ଶ୍ରେୟସ୍କର ମନେ କଲା ଅଶ୍ୱିନୀ l ସଞ୍ଜୁ ପଢାପଢି ପ୍ରତି ବହୁତ ସିନ୍ସିୟର୍ ଥିଲା l କହିବାକୁ ଗଲେ ଏକ୍ସଟ୍ରା-ଅର୍ଡିନାରୀ ବ୍ରିଲିଆଣ୍ଟ୍ l ପ୍ରତି ବର୍ଷ ଶ୍ରେଣୀରେ ପ୍ରଥମ ବି ହେଉଥିଲା l କିନ୍ତୁ ଖୁସି ହେଇ ପାରୁ ନ ଥିଲା ଅଶ୍ୱିନୀ l ସେ ସଞ୍ଜୁ ଭିତରେ ନିଜର ହଜି ଯାଇଥିବା ଆତ୍ମାକୁ ଖୋଜୁଥିଲା l

       +2ରେ ସଞ୍ଜୁ ଭଲ ମାର୍କ୍ ରଖିଥିଲେ ବି ପ୍ରଥମ ଥରରେ ଆଇ.ଆଇ.ଟିl ପାଇ ନ ଥିଲା l ଅଶ୍ୱିନୀ ଚାହୁଁଥିଲା ସେ ଇଂରାଜୀ ଅନର୍ସ୍ ନେଇ ପଢୁ l ଅନ୍ତତଃ ଅଧ୍ୟାପକଟିଏ କିମ୍ବା ଆଇlଏlଏସ୍ ତ ହୋଇ ପାରିବ l

        : ବାବା ! ତୁମର ଯେଉଁ ବୁଦ୍ଧି l ଅଧ୍ୟାପକଟିଏ କିମ୍ବା ଆଇlଏlଏସ୍ ହେବା ପାଇଁ କେତେ ପରିଶ୍ରମ ଦରକାର l ପୁଣି ନିହାତି କମରେ ପାଞ୍ଚଟି ବର୍ଷ ତ ଅପେକ୍ଷା କରିବାକୁ ପଡିବ l ସେଥିରେ ପୁଣି ଅଧ୍ୟାପକ ହେବା ପାଇଁ ଏମ୍lଫିଲ୍l କର l ପିlଏଚ୍lଡିl କର l ଦୁନିଆଁ ପାଲା l ଶେଷରେ ଦରମା କେତେ ମିଳିବ ? ଅତି ବେଶିରେ ଚାଳିଶି କି ପଚାଶ ହଜାର l ସିଏ ପୁଣି ଲୁଗାକୁ ହେଲା ବେଳକୁ କାନିକୁ ନିଅଣ୍ଟ l ମୁଁ ତୁମର ଏଇ ମିଡିଲ୍ କ୍ଲାସ୍ ମେଣ୍ଟାଲିଟିକୁ ପସନ୍ଦ କରିପାରୁନି l ମୀରା ବି ତାଳ ଦେଇଥିଲା ସଞ୍ଜୁ ସାଙ୍ଗରେ l

       ଆଉ ସ୍ତବ୍ଧ କି ଚକିତ ହେଉ ନ ଥିଲା ଅଶ୍ୱିନୀ l ସିଏ ଯେମିତି ଆଶା କରୁଥିଲା, ଏହା ହିଁ ଘଟିବ l ପ୍ରଥମ ସୁଯୋଗରେ ସଞ୍ଜୁ ଆଇ.ଆଇ.ଟି. ପାଇଲା ନାହିଁ l ଆଇ.ଆଇ.ଟିl ପାଇବ ବୋଲି ସେ ଏତେ କନଫିଡେଣ୍ଟ୍ ଥିଲା ଯେ ଏନ୍.ଆଇ.ଟି. ବି ଦେଲା ନାହିଁ l ଭାଙ୍ଗି ପଡିଥିଲା ସଞ୍ଜୁ l କିନ୍ତୁ ତା’କୁ ସାହସ ଦେଇଥିଲା ଅଶ୍ୱିନୀ l ଗୋଟିଏ ବର୍ଷ କୋଚିଙ୍ଗ୍ ନେବା ପାଇଁ କହିଥିଲା l ସଞ୍ଜୁ ଗୋଟିଏ ଭଲ ଇନଷ୍ଟିଚ୍ୟୁଟରେ ଆଇ.ଆଇ.ଟିl ପାଇଁ କୋଚିଙ୍ଗ୍ ନେଲା l ଏଥର କିନ୍ତୁ ଅଶ୍ୱିନୀ ଜିଦ୍ କରି ତାକୁ ଏନ୍.ଆଇ.ଟି. ଏଣ୍ଟ୍ରାନ୍ସରେ ବସିବା ପାଇଁ ବାଧ୍ୟ କରେଇଥିଲା l ସଞ୍ଜୁ ଆଇ.ଆଇ.ଟିl ପାଇଲା ଯଦିଓ, କମ୍ ରାଙ୍କ୍ ଥିବା ଯୋଗୁଁ ତା’ର ମନପସନ୍ଦ ଟ୍ରେଡ୍ ପାଇପାରିଲା ନାହିଁ l କିନ୍ତୁ ଏନ୍.ଆଇ.ଟି.ରେ ଭଲ କରିଥିବା ଯୋଗୁଁ ତା’ର ମନପସନ୍ଦ ଟ୍ରେଡ୍ ପାଇପାରିଥିଲା l ଅଥଚ ସେ ଚାହୁଁଥିଲା ଏନ୍.ଆଇ.ଟି. ଜଏନ୍ ନ କରି ଆଉ ଗୋଟିଏ ବର୍ଷ ଚେଷ୍ଟା କରିବ l କିନ୍ତୁ ସାହସ ହୋଇ ନ ଥିଲା ଅଶ୍ୱିନୀର l ଏମିତିରେ ତ ଗୋଟିଏ ବର୍ଷ ନଷ୍ଟ ହେଲାଣି l ପୁଣି ଆଉ ଗୋଟିଏ ବର୍ଷ ? ଏଥର ଯା’ ହେଲେ ବି ଏନ୍.ଆଇ.ଟି. ପାଇଛି l ନେକ୍ସଟ୍ ଟାଇମ୍ ଯଦି ଏନ୍.ଆଇ.ଟି. ବି ନ ହୁଏ............. ? କାହିଁକି କେଜାଣି ମୀରା ବି ସଞ୍ଜୁକୁ ସମର୍ଥନ କରୁଥିଲେ ବି ଏତେ ଜୋର୍ ଦେଇ ପାରି ନ ଥିଲା l

***   ***   ***   ***   ***

       ବାଥରୁମ୍ ଯିବା ପାଇଁ ଚପଲ୍ ଗଳେଇଲା ଅଶ୍ୱିନୀ l ବାଥରୁମରୁ ଫେରି ବେସିନ୍ ପାଖରେ ମୁହଁ ଧୋଇଲା l ମୁହଁ ବୁଲେଇ ପାଖରେ ଯାହାକୁ ଦେଖିଲା ତା’ର ଆଶ୍ଚର୍ଯ୍ୟର ସୀମା ରହିଲା

ନାହିଁ l ଆରେ ଏ ଯେ କାର୍ତ୍ତିକ l କାର୍ତ୍ତିକ ବି ତା’କୁ ସେଠାରେ ଦେଖିବ ବୋଲି ଆଶା କରି ନ ଥିଲା ଯେମିତି l ଆଖିରେ ତା’ର ଲୁହର ଚିହ୍ନ ସ୍ପଷ୍ଟ l ମୂହୁର୍ତ୍ତକରେ ନିଜକୁ ସମ୍ଭାଳି ନେଇ ଅଶ୍ୱିନୀକୁ ନମସ୍କାର କଲା ସିଏ l

       : ଆରେ କାର୍ତ୍ତିକ ! ତୁମେ ଏଠାରେ ? ଏତେ ଦିନ ପରେ ତୁମକୁ ଦେଖିବି ବୋଲି ଆଶା କରି ନ ଥିଲି l ଆଉ ଖବର ସବୁ କ’ଣ ? କ’ଣ କରୁଛ ଆଜିକାଲି ? ଏକ ନିଃଶ୍ୱାସରେ ଏତିକି କହିଯିବା ପରେ ହଠାତ୍ କଥାଟି ପଚାରିବା ଠିକ୍ ହୋଇନାହିଁ ଯେମିତି l

       : ଏନ୍.ଆର୍.ଏସ୍.ଏ. ରେ ଜୁନିଅର୍ ପ୍ରୋଗ୍ରାମର୍ ଭାବେ ଜଏନ୍ କରିବାକୁ ଯାଉଛି l ଆସ୍ତେ କହିଲା କାର୍ତ୍ତିକ l

       ହଠାତ୍ କିଛି ଗୋଟାଏ ପଚାରିବାକୁ ଯାଇ ଚୁପ୍ ରହିଗଲା ଅଶ୍ୱିନୀ l ଅଦ୍ଭୁତ ପିଲା ଏହି କାର୍ତ୍ତିକ l କାର୍ତ୍ତିକ ତା’ର ଡାଇରେକ୍ଟ୍ ଷ୍ଟୁଡେଣ୍ଟ୍ ନ ଥିଲା ଯଦିଓ, ତଥାପି ବି ଅନେକ ସମୟ କାର୍ତ୍ତିକ୍ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଛି l ଫିଜିକ୍ସ୍ ଅନର୍ସରେ ୟୁନିଭର୍ସିଟିର ବେଷ୍ଟ୍ ଗ୍ରାଜୁଏଟ୍ କାର୍ତ୍ତିକ ଫିଜିକ୍ସରେ ପିlଜିl ନ କରି ପିlଜିlଡିlସିlଏlରେ ଆଡମିସନ୍ ନେଲା l ଚାହିଁଥିଲେ ଏମ୍lସିlଏl ବି କରି ପାରିଥାନ୍ତା l କିନ୍ତୁ ପିlଜିlଡିlସିlଏl ପରେ ଏମ୍.ସି.ଏ. କରିବ ବୋଲି କହିଲା l କାର୍ତ୍ତିକ୍ ଗୋଟିଏ ପ୍ରହେଳିକା, ଗୋଟିଏ ଅଦିନିଆ ମେଘ l ଥିବ ଥିବ ବର୍ଷିଯିବ l ଝଡ ପରି ଆସେ l କ୍ଲାସରେ ଏମିତି ପ୍ରଶ୍ନ ପଚାରେ ଯାହାର ଉତ୍ତର ନ ଥାଏ କୌଣସି ଶିକ୍ଷକଙ୍କ ପାଖରେ l ନିମ୍ନ ମଧ୍ୟବିତ୍ତ ପରିବାରର ପିଲାଟିଏ l ତେଣୁ ଟିକେ କମ୍ପ୍ଲେକ୍ସ୍ ରହୁଥିଲା ତା’ ଭିତରେ l ସବୁବେଳେ ସ୍ୱପ୍ନ ଦେଖୁଥିଲା ଭଲ ଚାକିରି କରିବ l ଏମ୍lସିlଏl କରୁଥିବା ସମୟରେ ହିଁ ଏନ୍.ଆର୍.ଏସ୍.ଏ. ରେ ଜୁନିଅର୍ ପ୍ରୋଗ୍ରାମର୍ ପାଇଁ ଅଫର୍ ପାଇଥିଲା l ତା’ ବାପା ମାଆ ଚାହୁଁଥିଲେ ସିଏ ଜଏନ୍ କରୁ l କିନ୍ତୁ ଜଏନ୍ କରି ନ ଥିଲା କାର୍ତ୍ତିକ l ଆହୁରି କିଛି ଭଲ ଅଫର୍ ପାଇଯିବାର ସ୍ୱପ୍ନ ତା’ ଆଖିରେ ସେତେବେଳେ l ଅନେକ ଚାକିରି ପାଇଁ ଅଫର୍ ପାଇଛି l କିନ୍ତୁ ଇଣ୍ଟରଭିଉରେ ହିଁ କଟି ଯାଇଛି l କଟି ଯିବନି କେମିତି ? ସମସ୍ତେ ବହୁତ ବୁଝେଇଛନ୍ତି, ଇଣ୍ଟରଭିଉକୁ ଟିକେ ସୋଫିଷ୍ଟିକେଟେଡ୍ ହୋଇ ଯିବା ପାଇଁ l ଇଣ୍ଟରଭିଉରେ ଟାଲେଣ୍ଟ୍ ସହିତ ପର୍ସନାଲିଟି ବି ଆବଶ୍ୟକ l କିନ୍ତୁ ହେଲା ନାହିଁ l ସେମିତି ଅଯତ୍ନ ବର୍ଦ୍ଧିତ ଦାଢୀ, ରୁକ୍ଷ ବାଳ, ମନ ଇଚ୍ଛା ପୋଷାକରେ ସେ ଫେସ୍ କରିବ ଇଣ୍ଟରଭିଉ l ଏଣୁ ଇମ୍ପ୍ରେସନ୍ ମାର୍କିଙ୍ଗରେ ହିଁ କଟିଯାଏ l ପୁଣି ସାଧାରଣ ବର୍ଗର ପ୍ରାର୍ଥୀ l କିନ୍ତୁ,କୌଣସିଥିରେ କମ୍ପ୍ରୌମାଇଜ୍ କରିବାକୁ ପ୍ରସ୍ତୁତ ନ ଥିଲା ସିଏ l ହଠାତ୍ ଦିନେ ସେ ସ୍ଥିର କଲା ସିଭିଲ୍ ପାଇଁ ଚେଷ୍ଟା କରିବ l ଅତି ମାତ୍ରାରେ ଅସ୍ଥିର ମସ୍ତିଷ୍କର ପିଲା l ପ୍ରଥମ ବର୍ଷ ଫିଜିକ୍ସ୍ ଓ ମ୍ୟାଥ୍ସ୍ ଅପ୍ସନାଲ୍ ନେଇ ସିଭିଲ୍ ଦେଲା l ସେହି ସମୟରେ ହିଁ ମ୍ୟାଥ୍ସ୍ ପାଇଁ କୋଚିଙ୍ଗ୍ ନେବାକୁ ଆସିଥିଲା ତା’ ପାଖକୁ l ସେହି ସମୟରେ ହିଁ ତା’ ସହ ଅନ୍ତରଙ୍ଗ ହେବାର ସୁଯୋଗ ପାଇଥିଲା ସେ l ଅସମ୍ଭବ ଟାଲେଣ୍ଟ ପିଲାଟାର l କିନ୍ତୁ ଅସମ୍ଭବ ଭାବରେ ଅସ୍ଥିର ମଧ୍ୟ ସିଏ l କେତେବେଳେ ସିଏ ତା’ର ନିଷ୍ପତ୍ତି ବଦଳେଇ ସାରିଥିବ, କେହି ବି ଜାଣି ପାରିବେ ନାହିଁ l ନିହାତି ଭାବରେ ଅନପ୍ରେଡିକ୍ଟେବଲ୍ l ପ୍ରଥମ ଥର ମେନ୍ ନ ପାଇବା ପରେ ଦ୍ୱିତୀୟ ଥର ସୋସିଓଲୋଜି ଓ ଓଡିଆ ନେବା ପାଇଁ ସ୍ଥିର କରିଥିଲା ସିଏ l ଏ ଭିତରେ ରେଲୱେରେ ବି ଗ୍ରେଡ୍ ସି ପ୍ରୋଗ୍ରାମର ପୋଷ୍ଟ୍ ପାଇଁ ବି ଆପଏଣ୍ଟମେଣ୍ଟ୍ ଲେଟର୍ ଆସିଥିଲା l ତାକୁ ବି ଜଏନ୍ କଲାନି l ସେତିକିବେଳେ ଅଶ୍ୱିନୀର ଟ୍ରାନ୍ସଫର୍ ହୋଇଗଲା l

       : କ’ଣ ଏତେ ଭାବୁଛନ୍ତି ସାର୍ ?

       କାର୍ତ୍ତିକର ପ୍ରଶ୍ନରେ ସଚେତନ ହେବା ବେଳକୁ ନିଜକୁ କାର୍ତ୍ତିକର ସିଟ୍ ପାଖରେ ଆବିଷ୍କାର କଲା ସିଏ l

       : ମୁଁ ଜାଣିଛି ଆପଣ ମୋ ବିଷୟରେ ହିଁ ଭାବୁଛନ୍ତି l ସେ ଦିନ ଯଦି ଆପଣଙ୍କ କଥା ମାନିଥାନ୍ତି ..............l ଲୁହରେ ପୁଣି ଭର୍ତ୍ତି ହୋଇଗଲା ଆଖି ତା’ର l

       ଅଶ୍ୱିନୀକୁ ଖୋଜି ଖୋଜି ମୀରା ଓ ସଞ୍ଜୁ ବି ଆସିଯାଇଥିଲେ ସେଠାକୁ l କାର୍ତ୍ତିକ ମୀରାକୁ ପ୍ରଣାମ କଲା l ମୀରା ପ୍ରତିନମସ୍କାର ଜଣେଇ ଚୁପ ଚାପ୍ ବସିଗଲା ଅଶ୍ୱିନୀ ପାଖରେ l କଥାବାର୍ତ୍ତାରେ ସିଏ ବାଧା ଦେବାକୁ ଚାହୁଁ ନ ଥିଲା ବୋଧ ହୁଏ l ସଞ୍ଜୁ ବସିଲା କାର୍ତ୍ତିକ ପାଖରେ l କାର୍ତ୍ତିକ ଯେମିତି ଆଜି ନିଜକୁ ଖୋଲିଦେବା ପାଇଁ ସଙ୍କଳ୍ପବଦ୍ଧ ଥିଲା l

       : ପ୍ରଥମ ଭୁଲ କରିଥିଲି ଏନ୍.ଆର୍.ଏସ୍.ଏ. ଜଏନ୍ ନ କରି l ସିଭିଲ୍ ପାଇଁ ଚେଷ୍ଟା କରିବା ମୋର ଅନ୍ୟ ଏକ ଭୁଲ ନିଷ୍ପତ୍ତି ଥିଲା l ପୁଣି ବିଷୟ ବାଛିବାରେ ବି ଭୁଲ କଲି l ଓଡିଆ ଓ ସୋସିଓଲୋଜି ନେବା କଥା ତ ଆପଣ ଜାଣିଥିବେ l ମେନ୍ ବି ପାଇଥିଲି l କିନ୍ତୁ ଭାଇଭାରେ ପୁଣି କଟିଗଲି l ପୁଣି ଓଡିଶା ସିଭିଲ୍ ସର୍ଭିସ୍ ପାଇଁ ବିଷୟ ପରିବର୍ତ୍ତନ କରି ଆପ୍ଲାଏ କଲି l ସେଥିରେ ମଧ୍ୟ ଅକୃତକାର୍ଯ୍ୟ ହେଲି l ବୟସ ଗଡି ଯାଉଥିଲା, କମ୍ପିଟିସନ୍ ବଢି ଯାଉଥିଲା ଏବଂ ମୋ ଖାତାରେ ଅକୃତକାର୍ଯ୍ୟର ସଂଖ୍ୟା ବଢିଯାଉଥିଲା l ମୋ ମନରେ ସିଭିଲ୍ ପାଇବାର ଝୁଙ୍କ୍ ଏତେ ବଢିଯାଇଥିଲା ଯେ ଅନେକ ଜାଗାରୁ ପ୍ରୋଗ୍ରାମ୍ ଅଫିସର୍ ଭାବେ ପ୍ରସ୍ତାବକୁ ମୁଁ ପାଦରେ ଆଡେଇ ଦେଇଥିଲି l ଭାବୁଥିଲି, ଆଜି ନ ହେଲେ କାଲି ମୁଁ ନିଶ୍ଚୟ ସିଭିଲ୍ କିମ୍ବା ଆଲାଏଡ୍ ପାଇଯିବି l ମୋତେ ରେଲୱେରେ ଜଏନ୍ କରିବା ପାଇଁ କେତେ ବୁଝେଇଥିଲେ ଆପଣ l ସେ ଦିନ ଯଦି ଆପଣଙ୍କ କଥା ମାନି ଥାଆନ୍ତି l ଦୀର୍ଘ ନିଃଶ୍ୱାସ ଛାଡିଲା କାର୍ତ୍ତିକ l

       : ତା’ ପରେ ତ ଆପଣଙ୍କର ବଦଳି ହୋଇଗଲା l ଅନେକ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେଲି l କିନ୍ତୁ ଭାଏଭାରେ ଜିରୋ l ଏବେ ବୁଝୁଛି ସାର୍, ଭାଇଭା ପାଇଁ ଟିକେ ପ୍ରେଜେଣ୍ଟେବଲ୍ ହେବା ବି ଆବଶ୍ୟକ ଥିଲା l କିନ୍ତୁ, ଆଉ ମୋ ହାତରେ ସମୟ ନାହିଁ l ଦୁଇ ମାସ ଗଲେ ଆଉ କୌଣସି ଚାକିରି ପାଇଁ ଆପ୍ଲାଏ ବି କରିପାରିବିନି l ଘରେ ମାଆ ଅସୁସ୍ଥ l ବାବାଙ୍କ ମନୋବଳ ବି ଭାଙ୍ଗିଗଲାଣି l ସେମାନଙ୍କର ବି ଆଉ ଆସ୍ଥା ରହୁନି ମୋ ପ୍ରତି l କେମିତି ବି ରହିବ ଯେ ? ମୁଁ ସେମାନଙ୍କର ସାହାରା ହେବା ପରିବର୍ତ୍ତେ ସେମାନଙ୍କ ଉପରେ ବୋଝ ହୋଇ ଯାଇଛି l ସାନଭାଇ ଅବଶ୍ୟ ଆର୍ଥିକ ସାହାଯ୍ୟ ଯୋଗେଇଛି ଏତେ ଦିନ ହେଲା l ହଁ ସାର୍, କହିବାକୁ ଭୁଲି ଯାଇଛି l ମୋ ସାନ ଭାଇ, ଯାହାକୁ କି ସମସ୍ତେ ମୂର୍ଖ ତଳରେ କାଟି ଦେଇଥିଲେ, ସେ ବର୍ତ୍ତମାନ୍ ଗୋଟିଏ ସମର୍ଥ କୃଷକ ଆମ ଗାଆଁର l ଅନେକ ଜମି କିଣିଛି l ସଫଳ ଚାଷୀଟିଏ ହୋଇପାରିଛି ଏ ଭିତରେ l ସେ ହିଁ ମୋତେ ସାହସ ଦେଇଛି l ନିଜକୁ ବହୁତ ସ୍ୱାର୍ଥପର ଲାଗୁଛି l ଏ ଭିତରେ ପୁଣି ଥରେ ଏନ୍.ଆର୍.ଏସ୍.ଏ. ରେ ଆପ୍ଲାଏ କରିଥିଲି l ମନେ ଅଛି ସାର୍, ଏହି ଚାକିରିକୁ ମୁଁ ପ୍ରଥମେ ପାଇଥିଲି, ଆଉ ପାଦରେ ଆଡେଇ ଦେଇଥିଲି l ଭାଗ୍ୟ ମୋତେ ଅନେକ ସୁଯୋଗ ଦେଇଛି l କିନ୍ତୁ ମୁଁ ହିଁ ସେହି ସୁଯୋଗ ସବୁକୁ ହାତଛଡା କରିଛି l ଯେତେବେଳେ ଦ୍ୱିତୀୟ ଥର ପାଇଁ ଏନ୍.ଆର୍.ଏସ୍.ଏ. ରେ ସୁଯୋଗ ପାଇଲି, ସାନଭାଇ ହିଁ କହିଲା ଜଏନ୍ କରିଯିବା ପାଇଁ l ମୋର ବି ଚୈତନ୍ୟ ଉଦୟ ହୋଇ ସାରିଥିଲା l ଭାଗ୍ୟ ମୋତେ ପୁଣି ଗୋଟେ ସୁଯୋଗ ଦେଉଥିଲା l କିଏ କହିପାରିବ ସେଇଟା ଶେଷ ସୁଯୋଗ ହୋଇ ନ ଥିବ ବୋଲି ? ଦୀର୍ଘନିଃଶ୍ୱାସ ଛାଡିଲା କାର୍ତ୍ତିକ l

       ଅଶ୍ୱିନୀ ତା’ କାନ୍ଧରେ ହାତ ରଖିଲା l ସେ ହାତ ଆଶ୍ୱାସନାର ହାତ ଥିଲା l ବରକୋଳିଆ ଟୋପା ପରି ଟପ୍ ଟପ୍ ଲୁହ ଝରିପଡିଲା ତା’ ଆଖିରୁ l

       : ମୁଁ ନିଜକୁ କ୍ଷମା କରିପାରୁନି ସାର୍ l ସେଦିନ ଯଦି ଜଏନ୍ କରିଥାଆନ୍ତି, ଆଜି ମୁଁ ପାଞ୍ଚ ବର୍ଷର ଅଭିଜ୍ଞତା ତଥା ସିନିଅରିଟି ପାଇ ସାରିଥାନ୍ତି l ମୋ ସାଙ୍ଗମାନେ ଯାଇ କେଉଁଠି ପହଞ୍ଚିଲେଣି l ମୋର ଅତି ବଡ ହେବାର ନିଶା ଆଜି ମୋତେ ପଛରେ ପକେଇ ଦେଇଛି l

       ଏ ଭିତରେ ସିକନ୍ଦରାବାଦ୍ ଷ୍ଟେସନ୍ ଆସିଗଲା l ଓହ୍ଲେଇଗଲା କାର୍ତ୍ତିକ୍ l ସଞ୍ଜୁ ମୁହଁକୁ ଚାହିଁଲା ଅଶ୍ୱିନୀ l ରକ୍ତ ନ ଥିଲା ଯେମିତି ସେ ମୁହଁରେ l ଆଖି ତା’ର ଲୁହରେ ଭର୍ତ୍ତି ହୋଇଯାଇଥିଲା l

       : ବାବା ! ଆଉ ମୋ ମନରେ ଟିକିଏ ବି ଦୁଃଖ ନାହିଁ l ମୁଁ ଖୁସି ମନରେ ଏନ୍.ଆଇ.ଟି. ଜଏନ୍ କରିବି ବାବା l କାର୍ତ୍ତିକ ଭାଇ କରିଥିବା ଭୁଲର ପୁନରାବୃତ୍ତି ମୁଁ କରିବି ନାହିଁ l

       ଅଶ୍ୱିନୀ ମୁହଁରେ ଫୁଟି ଉଠିଲା ହସ l ସେ ହସ ସଞ୍ଚରିଗଲା ମୀରା ଓ ସଞ୍ଜୁ ମୁହଁକୁ l ଅଶ୍ୱିନୀକୁ ଲାଗୁଥିଲା ଆଉ ତା’ର କିଛି ବି ଅବଶୋଶ ନାହିଁ l

(#Positiveindia)


Rate this content
Log in

Similar oriya story from Inspirational