Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କପେ ଚା'
କପେ ଚା'
★★★★★

© Chinmayee Barik

Abstract Others

3 Minutes   7.3K    20


Content Ranking

ମୁକ୍ତି ସମସ୍ତେ ଖୋଜନ୍ତି । କିନ୍ତୁ ମୁକ୍ତିଟା କିଛି ସୀମା ଭିତରେ ଖୋଜାଯାଏ । ସଂପୂର୍ଣ ସ୍ୱାଧୀନତା ମଣିଷକୁ ଆକଚା ମାକଚା କରେ । ଯେଉଁ ମଣିଷ ବନ୍ଧନରେ ରୁହେ ସେ ଖୋଜେ ଟିକିଏ ସ୍ୱଧୀନତା । ଆଉ ଯେଉଁ ମଣିଷର କିଛି ବନ୍ଧନ ନାହିଁ ସେ ବି କଷ୍ଟ ପାଏ । ଭାବେ ମୋତେ କେହି ଜଣେ ଟିକେ ଆକଟ କରନ୍ତା କି ଭଲରେ ମନ୍ଦରେ ?

ଫେରି ଯାଉଛି କିଛି ବର୍ଷ ତଳକୁ । ବାବା ଦିନରେ ଦୁଇକପ୍ ଚା ପିଅନ୍ତି ..ସକାଳେ ଆଉ ସଂଜରେ । ସବୁବେଳେ ସିଲୁ ଦେଇ କରିକି ଚା' ଦିଏ ବାବାଙ୍କୁ । କେତେବେଳେ କେମିତି ମୁଁ କରେ । ରୋଷେଇ ଘରଟା ମୋତେ କଳାପାଣି ଭଳି ଲାଗେ..ଗୋଟେ ଜେଲ୍ ଖାନା । ଯଦି କେତେବେଳେ ସିଲୁଦେଇ ନ ଥାଏ ମୋତେ କରିବାକୁ ପଡେ । ମୁଁ ଗର ଗର ହୁଏ । ଭାବେ କାହିଁକି ଯେ ବାବା ଏତେ ଚା'ପିଉଛନ୍ତି ?? ଦୁମ୍ ଦୁମ୍ ହୋଇ ଚା'କପେ ନେଇ ଥୋଇଦିଏ ।ଭାବେ କେବେ ତ୍ରାହି ମିଳିବ ଏ ଚା' କପ୍ ରୁ....

ବଦମାସୀର ଶେଷ ସୀମାରେ ମୁଁ ବସବାସ କରୁଥିଲି ସବୁବେଳେ । ସେଥିଲାଗି ମୋତେ କୌଣସି ପାର୍ଟି ପିକନିକ୍ ରେ ଛଡା ଯାଉ ନ ଥିଲା । ମୁଁ ରାଗେ ଭାରୀ । ବାବା ବୋଉ କିନ୍ତୁ ମୋ ସୁରକ୍ଷା ନେଇ ଚିନ୍ତିତ ସବୁ ବେଳେ । ଥରେ ନୃସିଂହନାଥ ଗଲି ଯେ ପାହାଡ ତଳକୁ ଗଡି ଗଲି..ଯଦି ମୋ ସାଂଗ ମାନେ ମୋତେ ଧରି ନ ଥାଆନ୍ତେ ତା ହେଲେ ସେ ଦିନ ମୋ ଶେଷ କଥା ହୋଇ ଥାଆନ୍ତା ।

ଦିନେ ହଠାତ୍ ଚା' କପ୍ ରୁ ମୋତେ ତ୍ରାହି ମିଳିଗଲା । ବାବା ଆର ପୁରକୁ ଚାଲିଗଲେ । ତା ପରେ ମୁଁ ଅନୁଭବ କଲି ସେ ଚା'କପ୍ ର ମୋହ । କେହି କୁହନ୍ତା କି ଚା'କପେ ତିଆରି କର୍ ବୋଲି...

ଯେଉଁ ଜାଗାରେ ମୋତେ ମୁକ୍ତି ମିଳିଛି ସେଇଠି ହିଁ ମୁଁ ଖୋଜିଛି ବନ୍ଧନର ମୋହ । ଘଣ୍ଟା ଘଣ୍ଟା ସେ ଚା କପ୍ କୁ ହାତରେ ଧରି ବସିଛି ଆକାଶକୁ ମୁହଁ କରି । ବେଳେ ବେଳେ ପାଟି ଆଁ କରି ଜୋର୍ ରେ ଦଲକାଏ ପବନ ଗିଳି ପକାଇଛି । ଆଖିରୁ ଧାରେ ଲୁହ ଖସି ଆସିଛି ।

ବାବା ଗଲା ପରେ ସବୁ ସ୍ୱାଧୀନତା ତ ମିଳି ଯାଇଥିଲା । ବୋଉ ଏତେ ଆକଟ କଲାନି ମୋ ମନରେ ଦୁଃଖ ଦେବାକୁ । ପାଠ ପଢିବାକୁ ମୁଁ ଘରଠୁ ଦୂରରେ ରହିଲି । ପ୍ରଥମ ଦିନ ହଷ୍ଟେଲ୍ ରେ ନେଇ ବୋଉ ଛାଡି ଆସିଲା ।ଖୁବ୍ କାନ୍ଦ ଲାଗିଲେ ବି ସବୁ ଗିଳି ପକାଇଲି । ମନରେ ଉତ୍ସାହ ଥିଲା ଏବେ କିଛି କଟକଣା ନାହିଁ । ମୁଁ ସ୍ୱାଧୀନ ହିଁ ସ୍ୱାଧୀନ । ବୋଉ କିନ୍ତୁ ବଡି ଡବା ଭିତରେ ଖଣ୍ଡେ କାଗଜରେ ଲେଖି ପୁରାଇଥିଲା..."ତୁ ଏବେ ନିଜେ ନିଜର ଅଭିଭାବକ ...ମୁଁ ଦୂରରେ,ସବୁବେଳେ ଆସି ପାରିବିନି । ନିଜ ନିଷ୍ପତ୍ତି ନିଜେ ନେବୁ । ବଡ ହେଲୁଣି ପା" ।ବୋଉର ଚିଠି ପଢି ଟିକେ ଅଣନିଃଶ୍ୱାସୀ ଲାଗୁଥିଲା ।

ନିଜ ଇଛାରେ ଜିଇଁଲି । ଭାରୀ ଖୁସି ଥିଲି । କିନ୍ତୁ ଏ ଖୁସି ବେଶୀ ଦିନ ରହିଲାନି । ଯେତେବେଳେ ମୁଁ ଦେଖିଲି ମୋ ସାଙ୍ଗ ମାନଙ୍କ ବାପା,ଭାଇ ସେମାନଙ୍କ ପାଖକୁ ଆସନ୍ତି...ସବୁ କଥାରେ ଆକଟ କରନ୍ତି । ଏଇଟା କରିବୁନି...ସେଇଟା କରିବୁନି...ଏମିତି ଅନେକ କଥା । ମୁଁ ଅସ୍ଥିର ହେଲି ଭାରୀ ।

ସତରେ କଣ ଖୋଜୁଥିଲି ମୁଁ ? ମୁକ୍ତି ନା ବନ୍ଧନ ? ନିଜେ ଜାଣେନି ।

ସେଦିନ ପିକନିକରେ ଯିବାଲାଗି ନାମ ଦିଆ ଯାଉଥିଲା । ଝିଅ ମାନଙ୍କର ଅଭିଭାବକ ମାନଙ୍କୁ ମାଡାମ୍ ଫୋନ୍ କରି ଅନୁମତି ମାଗୁଥିଲେ । କେତେ ଅନୁରୋଧ ପରେ ବି କେତେ ଅଭିଭାବକ ରାଜି ହେଉ ନ ଥିଲେ । ମୋ ଯିବା କଥା ପଚାରିଲେ ,ମୁଁ ହଁ ବି କହିଲି । କାରଣ ମୋ ମୁକ୍ତ ଥିଲି ,ମୋ ନିଷ୍ପତ୍ତି ମୋ ହାତରେ ଥିଲା ।ହଷ୍ଟେଲ କୁ ଫେରି ବହେ କାନ୍ଦି ଥିଲି ।କେହି ଜାଣି ପାରିଲେନି କାହିଁକି ମୁଁ କାନ୍ଦୁଛି....

ବୋଧ୍ ହୁଏ ମୁଁ ଖୋଜୁଥିଲି ବାବା ,ବୋଉଙ୍କ ସେଇ ଆକଟ...କଟକଣା ।

ମୁକ୍ତିଟା ବି ବେଳେ ବେଳେ ଖୁବ୍ ଯନ୍ତ୍ରଣା ଦିଏ ....ବାବା....ମନେ ମନେ କହୁଥିଲି ।

ମଣିଷ ଯେତେ ମୁକ୍ତ ହେଲେ ବି କେଉଁଠି ନା କେଉଁଠି ଖୋଜେ ଟିକେ ବନ୍ଧନ । ଯେତେ ବଡ ମଣିଷ ହେଲେ ବି ମଥା ଉପରେ ଖୋଜେ କାହାର ହାତ । ସଂପୂର୍ଣ ମୁକ୍ତି ମଣିଷକୁ ବଂଚିବାକୁ ଦିଏନା । ଏହା ହିଁ 

ସତ୍ୟ । ମୁଁ ଏବେ ବି ଚା କପ୍ ଟି ଧରି ବସିଥାଏ କାଳେ କେବେ ବାବା କହିବେ...ଏତେ ବେଳ ଯାଏଁ ଚା କପ୍ ଟେ ଦେଲୁନି ଦୁଷ୍ଟ??? ହେଲେ ମୁଁ ଠିକ୍ ଜାଣେ କପେ ଚା ' ପିଇବାକୁ ସେ କେବେ ଫେରିବେନି ମୋ ପାଖକୁ ଆଉ !

Lucy

ବାବା ଚା' ସ୍ୱାଧୀନ

Rate the content


Originality
Flow
Language
Cover design

Comments

Post

Some text some message..