Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

2.7  

Lopamudra Mishra

Others

ଧଳା କୁର୍ତ୍ତା

ଧଳା କୁର୍ତ୍ତା

14 mins
535


ସିପୁନ୍ ରାଗରେ ଗର ଗର ହେଇ ସାଇକେଲ୍ ଟାକୁ ଗେଟ୍ ପାଖରେ କଚାଡି ଦେଇ ଘର ଭିତରକୁ ପଶିଗଲା । ମୁହଁ ଟା ତାର ଅଭିମାନ ଓ ବିରକ୍ତିରେ ଫଣ ଫଣ । ମମି ଆଉ ଜେଜେମାଆ ଆସି ତା ପଢ଼ାଘର କବାଟ ପାଖେ ଠିଆ ହୋଇ ତା ରାଗର ଅସଲ କାରଣ ଟା କଣ ପଚାରୁଛନ୍ତି । ବହି ଖାତା ଟେବୁଲ ଉପରେ ରଖୁ ରଖୁ ସେମାନଙ୍କୁ ଲକ୍ଷ କରି ସେ ଆହୁରି ବେଶୀ ରାଗରେ କହିଲା, "ତୁମେ ମାନେ ମୋ ରାଗର ଅସଲ କାରଣ ।"

ପୁଅର ଆରୋପ ଶୁଣି ଚନ୍ଦନା ଜାଣିବାକୁ ଚାହିଁଲେ ସେ ଓ ତାଙ୍କ ଶାଶୂ ପ୍ରତିଭା କେମିତି ସିପୁନ୍ ର ରୂଷିବାର କାରଣ ହୋଇପାରନ୍ତି ।

--ଆମେ କଣ ଦୋଷ କଲୁ ଯେ ତୁ ଏମିତି ରାଗୁଛୁ?

--ଦୋଷ !! ଜେଜେଙ୍କୁ କିଏ ପଠେଇଥିଲା ମୋତେ ଖୋଜିବା ପାଇଁ ? ମୋର ଆଜି ଲାଷ୍ଟ୍ ପିରିୟଡ଼ ଖେଳ ଅଛି ବୋଲି କହିକି ଯାଇଥିଲି କି ନାହିଁ ? ତଥାପି ତାଙ୍କୁ କାହିଁକି ପଠେଇଲ ? ମୋର ସବୁ ସାଙ୍ଗମାନଙ୍କ ଆଗରେ ମୋତେ କେତେ ଖରାପ ଲାଗିଲା !

ଜେଜେମାଆ ଵି ବୁଝେଇବାକୁ ଯାଇ କହିଲେ, "ଆରେ ତୋ ଜେଜେ ତୋତେ ଖୋଜିବାକୁ ଗଲେ, ଏଥିରେ ଏମିତି ଖରାପ ଲାଗିବାରେ କଣ ଅଛି ଯେ ତୁ ଏଡ଼େ ମୁହଁ ଟା କରି ଆମ ଉପରେ ଖିଂକାରି ହେଉଛୁ? "

--ନାଇଁ ଖୁସି ରେ ତ ଡେଇଁଵି ଆଉ ! ତୁମେମାନେ ଜେଜେଙ୍କ କୁର୍ତ୍ତା ସଫା କରୁନାହଁ । କୋଉଦିନ ର ପୁରୁଣା କୁର୍ତ୍ତା ଗୋଟେ ସବୁବେଳେ ପିନ୍ଧିକି ସବୁଆଡେ ବାହାରିଯାଉଛନ୍ତି । ଧଳା କୁର୍ତ୍ତା ଟା ପୁରା ମାଟିଆ ଦିଶୁଛି । ମୋତେ ଲାଜ ଲାଗେ ଜେଜେଙ୍କର ଏମିତି ବେଶ ଭୂଷା । ଚନ୍ଦନା ଏଥର ସିପୁନ୍ ଉପରେ ରାଗିଯାଇ କହିଲେ, "ଆମେ ଯଦି ସଫା କରୁନୁ ତୁ କରିଦେଉନୁ ? ବେଶୀ ଗୋଟେ ରାଗି ଜାଣିଛି " ।

ପ୍ରତିଥର ସିପୁନ୍ ଏମିତି ରାଗିକରି ଘରକୁ ଆସିବାର ଅଧଘଣ୍ଟା ଛାଡ଼ି କରି ତା ଜେଜେ ବିଶ୍ୱମ୍ବର ବାବୁ ଘରକୁ ଫେରନ୍ତି । ଦେହରେ ଥାଏ ସେହି ମସିଆ ଦିଶୁଥିବା ଖଦଡ଼ କୁର୍ତ୍ତା ଓ ଧୋତି । କାନ୍ଧରେ ନାଲି ଗାମୁଛା । ବଜାର୍ ରୁ ନାତି ପାଇଁ ମିଠା ଓ ଚକୋଲେଟ୍ ଧରି ଆସିଥାନ୍ତି । ନାତି କୁ ମନେଇବାକୁ ଯାଇ କୁହନ୍ତି, "ଆରେ ମିଠାଟେ ଖାଇଦେ । ମୁଁ ସତ କହୁଛି ଆଉ ତତେ ଖୋଜିବାକୁ ତୋ ସ୍କୁଲ କି ଟିୟୁସନ୍ କୁ ଯିବିନି । ତୁ ଡେରୀ ନକରି ଜଲଦି ଆସିଗଲେ ତ ମୁଁ ଯାଆନ୍ତିନି? ଆଜି କାଲି ଯୋଉ ଗାଡ଼ି ଘୋଡ଼ା, ମୁଁ ପା ଟିକେ ଡରିଯାଏ ।"

ସପ୍ତାହ ରେ ଅତିକମ୍ ରେ ତିନିଦିନ ତ ଏମିତି ହୁଏ । ସିପୁନ୍ ସ୍କୁଲ, ଟିୟୁସନ କିମ୍ବା ଖେଳପଡ଼ିଆ ରୁ ଏମିତି ରାଗିକି ଆସି ଘରେ ପାଟିଗୋଳ କରେ ଆଉ ତା ପଛେ ପଛେ ଟିକେ ଛାଡ଼ିକି ଚକୋଲେଟ ଓ ମିଠା ଧରି ବିଶ୍ଵମ୍ବର ବାବୁ ଆସି ପହଞ୍ଚିଯାଆନ୍ତି ।

ଗୋଟିଏ ବୋଲି ନାତି ସିପୁନ୍ ର ସାମାନ୍ୟ ବିଳମ୍ବ ରେ ବ୍ୟତିବ୍ୟସ୍ତ ବିଶ୍ଵମ୍ବର ବେଳେ ବେଳେ ଖାଲି ଦେହରେ ଖେଳପଡିଆ ରେ ଯାଇ ହାଜିର ହୋଇଯାଆନ୍ତି । ସେଠି ଜେଜେଙ୍କୁ କିଛି ନକହିପାରି ସିପୁନ୍ ଘରେ ଆସି ସମସ୍ତଙ୍କ ଉପରେ ଚିଡଚିଡ୍ ହୁଏ । ବାବା ଘରେ ଥିଲେ ଡ଼ରିକି କିଛି କୁହେନାହିଁ କିନ୍ତୁ ଭିତରେ ଭିତରେ ଭୀଷଣ ରାଗୁଥାଏ । ଖାଇବାକୁ ଡାକିଲେ ମନା କରିଦିଏ ।

ସିପୁନ୍ ର ରାଗିବାର ମୂଖ୍ୟ କାରଣ ଏୟା ଯେ, ତା ଜେଜେ କାହିଁକି ସବୁବେଳେ ଭଲ ପୋଷାକ ପିନ୍ଧନ୍ତିନି । ମସିଆ ଦିଶୁଥିବା ପୁରୁଣା କୁର୍ତ୍ତାଟେ ପିନ୍ଧି ସେ ସବୁଆଡ଼େ ଚାଲିଯାଆନ୍ତି । ଅନ୍ୟ ପିଲାଙ୍କ ଜେଜେମାନେ ପ୍ୟାଣ୍ଟ ସାର୍ଟ ପିନ୍ଧି ବହୁତ ସ୍ମାର୍ଟ୍ ଦିଶୁଥିବା ବେଳେ ସିପୁନ୍ ର ଜେଜେ ଖଦଡ଼ କୁର୍ତ୍ତା ପିନ୍ଧି ଗୋଟେ ନିହାତି ମଫସଲିଆ ଓ ମଳିମୁଣ୍ଡିଆ ପରି ଲାଗନ୍ତି ।

ଜେଜେଙ୍କ ପେନସନ୍ ଟଙ୍କାଟା ଆସିଲେ କିନ୍ତୁ ସିପୁନ୍ ର ଫର୍ମାଇସ ଆଗ ପୂରଣ ହୁଏ । ମମି ସେତେବେଳେ ଥଟ୍ଟା କରି କୁହନ୍ତି, "କିରେ ଏବେ ଆଉ ତତେ ଜେଜେଙ୍କ ଟଙ୍କାଟା ମଇଳା ଦିଶେନି ବୋଧେ ? ନୁହେଁ? "

ସିପୁନ୍ ଜେଜେଙ୍କ ପାଖରେ ବସି କହୁଥାଏ, "ଯୋଉଟା ଅସନା ଲାଗେ ସେଇଟା କୁ ଅସନା କହିବିନା । ଜେଜେ ତ ଏତେ ଟଙ୍କା ପାଉଛନ୍ତି, ତାଙ୍କ ପାଇଁ ନୂଆ କୁର୍ତ୍ତା ହଳେ ଆଣିଦେଉନ ? "

ସେ ପୁଣି ଜେଜେଙ୍କୁ ଉଦେଶ୍ୟ କରି କୁହେ, "ଜେଜେ ! ଏଥର ତୁମେ ଅଲଗା କରି କିଛି ଟଙ୍କା ରଖ ନିଜ ପାଇଁ । ନୂଆ ଗୋଟେ ହ୍ୱାଇଟ୍ କୁର୍ତ୍ତା କିମ୍ବା ସାର୍ଟ ନିଜର କିଣିବ । ହେଲା । ସବୁଥର ଟଙ୍କାଗୁଡ଼ା ସମସ୍ତଙ୍କ ପାଇଁ ଖର୍ଚ୍ଚ କରିଦେଉଛ ।"

ବିଶ୍ୱମ୍ବର ସିପୁନ୍ ର କଥାରେ ହଁ ମାରନ୍ତି । କିନ୍ତୁ ପେନସନ୍ ଟଙ୍କା ଉଠେଇବାର ସପ୍ତାହକ ଭିତରେ ସବୁ ଟଙ୍କା ସାରିଦିଅନ୍ତି । ସେ ଜାଣନ୍ତି ପୁଅର ସ୍ୱଳ୍ପ ଦରମାରେ ଘରର ଯାବତୀୟ ଖର୍ଚ୍ଚ ସାଙ୍ଗକୁ ତାଙ୍କର ତିନିଝିଅଙ୍କ ଘରକୁ ପୁନେଇଁ ପର୍ବରେ ଭାର ବେଭାର ଦେବା କଷ୍ଟକର ହେଇପଡ଼େ । ସେଥିପାଇଁ ସେ ନିଜେ ନିଜ ଉପରକୁ ଅଳ୍ପ କିଛି ଖର୍ଚ୍ଚର ବୋଝ ଉଠେଇ ଆଣନ୍ତି ।

ସିପୁନ୍ ଜେଜେଙ୍କୁ ନୂଆ କୁର୍ତ୍ତାଟେ କିଣିବା ପାଇଁ କହି କହି ଥକିଲା,ଜେଜେ କିନ୍ତୁ 'ଏ ମାସ','ଆରମାସ' କହି କହି କଥାଟା ଟାଳିଦେଲେ । ସିପୁନ୍ ସ୍କୁଲ ଶେଷକରି କଲେଜ୍ ରେ ଆଡମିସନ୍ ନେଲା ତଥାପି ଜେଜେ ତାର କୁର୍ତ୍ତା ହଳେ କିଣିବାକୁ ସକ୍ଷମ ହେଲେନାହିଁ । ସିପୁନ୍ ର ବାବା ନିହାର୍ ବାବୁ ମଧ୍ୟ କୌଣସିଦିନ ନିଜ ବାପାଙ୍କ ପୋଷାକ ପରିଚ୍ଛଦ ଉପରେ ଏତେଟା ଗୁରୁତ୍ୱ ଦେଇନାହାଁନ୍ତି । ପ୍ରଭାତୀ ଅବଶ୍ୟ ବୃଦ୍ଧ ସ୍ୱାମୀଙ୍କୁ ତାଙ୍କର ଅନେକଥର କହିବାର ଶୁଣାଗଲାଣି, "ହଇହେ ! କେତେଦିନ ଆଉ ସେ ପୁରୁଣା ପଞ୍ଜାବୀ ହଳକ ପିନ୍ଧୁଥିବ ? ନୂଆ ହଳେ କରୁନ ? ସେହି ଗୋଟିକ କୁ ଯୁଆଡ଼େ ଯାଉଛ ଗଳେଇ ଦେଇ ବାହାରି ପଡ଼ୁଛ । "

ବିଶ୍ୱମ୍ବର ପତ୍ନୀଙ୍କ କଥାରେ ହସି ଦେଇ କହନ୍ତି, "ହଉ ଦେଖିବା ଆରମାସ କୁ । ଧଳା ସୂତା କପଡ଼ା ୨ମିଟର ଖଣ୍ଡ କିଣି ଆଣି ଟେଲର୍ ପାଖକୁ ଯାଇ ମାପଟା ଦେଇଆସିବି "। ଆର ମାସ ଯାଇ ତା'ଆରମାସ ହୁଏ, ବିଶ୍ୱମ୍ବର ଆହୁରି ମାସଟିଏ ଅଧିକ ବୁଢ଼ା ହେଇଯାଆନ୍ତି, ସରକାରଙ୍କ ପାଖରୁ ଆହୁରି ମାସଟିଏର ପେନଶନ୍ ଵି ପାଇଯାଆନ୍ତି, ଆଉ ଏମିତି କେତେଟା ମାସ ପେନଶନ୍ ତାଙ୍କ ଭାଗ୍ୟରେ ଅଛି ସେହିକଥା ବସି ଭାବନ୍ତି କିନ୍ତୁ କୁର୍ତ୍ତା କିଣିବା ବା ବନେଇବା କଥାଟା ସମ୍ପୂର୍ଣ୍ଣ ଭୁଲିଯାଆନ୍ତି ।

ସିପୁନ୍ ପ୍ଲୁସ ଟୁ ପଢ଼ା ସାରି ଇଞ୍ଜିନିୟରିଙ୍ଗ ପଢ଼ିବା ପାଇଁ ଭୁବନେଶ୍ୱର ଚାଲିଯାଏ । ତା ଜେଜେଙ୍କ ହାତକୁ ଏବେ ମୋବଇଲ ଫୋନ ଟେ ଆସିଯାଇଥାଏ । ସେ ମୋବାଇଲ ରୁ କଣ୍ଟାକ୍ଟ ନମ୍ବର ଖୋଜି ପାରନ୍ତିନି । ଗୋଟେ ଡ଼ାଇରୀ ରେ ସମସ୍ତଙ୍କ ନମ୍ବର ଲେଖିରଖିଥାନ୍ତି । କେଵଳ ସିପୁନ୍ ର ନମ୍ବର ଟା ତାଙ୍କ ମୁହଁରେ ଘୋଷା ହେଇଯାଇଥାଏ । ସିପୁନ୍ ସାଙ୍ଗରେ ଘରକୁ ଆସିଥିବା ତାର ଆଉ ଦୁଇଜଣ ସାଙ୍ଗଙ୍କ ନମ୍ବର ଵି ଟିପି ରଖିଥାନ୍ତି । ସିପୁନ୍ କେବେ କେମିତି ଜେଜେଙ୍କ ଫୋନ ରିସିଭ୍ ନକଲେ ଜେଜେ ତା ସାଙ୍ଗଙ୍କ ନମ୍ବର ରେ କଲ୍ କରିଦିଅନ୍ତି ଆଉ ସିପୁନ୍ ଜେଜେଙ୍କର ଏହି କାମ ରେ ବଡ଼ ବିରକ୍ତ ହୋଇଯାଏ । ରାଗିକି ମମିଙ୍କୁ ଫୋନ କରି ଗାଳି କରେ । "ଜେଜେଙ୍କୁ ଟିକେ ମନାକର ମୋ ସାଙ୍ଗ ମାନଙ୍କୁ ଆଉ ଫୋନ ନକରିବା ପାଇଁ ",କହି ଫୋନ କାଟିଦିଏ । ଯେତେ ଯାହା କହିଲେ ମଧ୍ୟ ବିଶ୍ୱମ୍ବର ବାବୁ ସିପୁନ୍ କୁ ଦିନକୁ ଦୁଇଥର ଫୋନ ନଲଗେଇଲେ ଶାନ୍ତି ପାଆନ୍ତିନି ।

ସିପୁନ୍ ଘରକୁ ଆସୁଥିଲା ବେଳେ ଜେଜେ ରାସ୍ତା ସାରା ତାକୁ ଫୋନ କରି ପଚାରୁଥାନ୍ତି, "ସିପୁନା ! କୋଉଠି ହେଲୁଣି? " । ସେ ବେଳେ ବେଳେ ରାଗିଯାଇ କହେ," ମୁଁ ଆଜି ଆସୁନାହିଁ । ଆଉ ବାରମ୍ବାର ଫୋନ କରନା ମୋତେ ।" ସିପୁନ୍ କିନ୍ତୁ ଘର ପାଖରେ ଵସ୍ ରୁ ଓଲ୍ହେଇବା ଆଗରୁ ଜେଜେ ସେହି ମସିଆ କୁର୍ତ୍ତା ଟା ପିନ୍ଧି ଆସି ଠିଆ ହୋଇଯାଇଥାନ୍ତି । ସିପୁନ୍ କୁ ଦେଖି ହସି ହସି ହାତ ଦେଖେଇ ତାଙ୍କ ଆଡ଼କୁ ଆସିବା ପାଇଁ ଇଙ୍ଗିତ କରନ୍ତି । ପୁଣି ଯେବେ ତାର ଫେରିବା ବେଳ ହୁଏ ଜେଜେ ପାଞ୍ଜି ଟେ ଧରି ବସିଯାଆନ୍ତି ମାହେନ୍ଦ୍ରି ବେଳା ବାହାର କରିବା ପାଇଁ । ସିପୁନ୍ ର ପଛେ ପଛେ ଵସ୍ ଷ୍ଟପ୍ ଯାଏଁ ଯାଆନ୍ତି । ତା ହାତରେ କେବେ ଦୁଇଶହ ତ କେବେ ପାଞ୍ଚଶହ ଟଙ୍କା ଓ ଗୋଟାଏ ଲେମ୍ବୁ ଗୁଞ୍ଜି ଦିଅନ୍ତି ।

ସିପୁନ୍ ର ଇଂଜିନିୟରିଙ୍ଗ ତୃତୀୟ ବର୍ଷ ବେଳକୁ ସେ ଲକ୍ଷ୍ୟ କରେ ଜେଜେ ଆଉ ଆଗପରି ଫୁର୍ତ୍ତୀ ରହୁନାହାଁନ୍ତି । ଵସ୍ ଷ୍ଟପ୍ ପାଖରେ ତାର ଆସିବା ବାଟକୁ ଅପେକ୍ଷା କରି ଠିଆ ହେଉନାହାଁନ୍ତି । ସିପୁନ୍ ର ଚୀର ଶତ୍ରୁ ସମ ଯିଏ ତାକୁ ବାରମ୍ବାର ଉପହାସ କରି ଜେଜେଙ୍କ ଦେହରେ ଲୋଟି ପଡିଥାଏ, ସେହି ମସିଆ ପୁରୁଣା କୁର୍ତ୍ତା ଟା ଏବେ ଜେଜେଙ୍କ କାଠ ଆଲଣାରେ ସେମିତି ଟଙ୍ଗା ହୋଇରହିଥାଏ । ଜେଜେ ଏବେ ବାବାଙ୍କ ପୁରୁଣା ସାର୍ଟ ଆଉ ଗୋଟେ ସଫେଦ ଧୋତି ପିନ୍ଧି ଚୌକି ଉପରେ ବସି ରହନ୍ତି । ବେଳେ ବେଳେ ଡ଼ାଇରୀ ଖୋଲି କଣ ସବୁ ଲେଖିପକାଉଥାନ୍ତି । ସିପୁନ୍ ଯାଇ ଜେଜେଙ୍କ ପାଖରେ ବସେ । ଜେଜେ ତା ମୁଣ୍ଡ ଆଉଁଶି ଦିଅନ୍ତି । ଜେଜେଙ୍କୁ ସିପୁନ୍ ସ୍ମାର୍ଟ ଫୋନର କରାମତି ସବୁ ଦେଖାଏ । ଜେଜେ ଖୁବ୍ ଖୁସି ହୁଅନ୍ତି । ସେହି ଫୋନ ମାଧ୍ୟମରେ ସିପୁନ୍ କୁ ଦୂରରେ ଥାଇ ମଧ୍ୟ ଦେଖିପାରିବେ ଜାଣି ଗୋଟେ କିଣିବା ପାଇଁ ଆଗ୍ରହ ଦେଖାନ୍ତି । ସିପୁନ କହେ ଏଠୁ ଗଲେ ବାବାଙ୍କ ଫୋନ କୁ ଭିଡ଼ିଓ କଲ୍ କରି ସେ କଥା ହେବ ।

ସିପୁନ୍ ଏବେ ଯେବେ ଜେଜେଙ୍କୁ କୁର୍ତ୍ତାଟେ କିଣିବା କଥା କହେ ଜେଜେ କହନ୍ତି, "ଆଉ କେଇଟା ଦିନ ବଞ୍ଚିବି ଯେ ନୂଆ କୁର୍ତ୍ତା ପିନ୍ଧିଵି? "

ସିପୁନ୍ ଜେଜେଙ୍କ କଥାରେ ରାଗିଯାଇ କହେ, "ମଣିଷ କଣ ଖାଲି ମରିବା କୁ ଅପେକ୍ଷା କରି ରହିଥାଏ ନା କଣ ? ତାହେଲେ ଚାଲ ଏବେଠୁ ଆଉ କିଛି ନକରି ଶ୍ମାଶନ ରେ ବସିକି ରହିବା, ସେଇଠି ମୃତ୍ୟୁ କୁ ଅପେକ୍ଷା କରିରହିଥିବା " ।

ଜେଜେ ପୁଣି କହନ୍ତି, "ହଉ ହଉ ତୁ ଚାକିରୀ କର ମୋ ପାଇଁ ଗୋଟେ କିଣିଆଣିବୁ । ସେଇଟା ପିନ୍ଧିକି ଯିବି ତୋ ପାଇଁ ଝିଅ ଦେଖିବାକୁ " ।

ଏଥର ସିପୁନ୍ ଟିକେ ଖୁସି ହୁଏ । ଜେଜେଙ୍କୁ ପଛପଟୁ ଧରି କୁହେ, "ତୁମେ ସେଥିପାଇଁ ବ୍ୟସ୍ତ ହୁଅନା ମ । ମୁଁ ପା ଝିଅ ଦେଖିଦେଇଛି । ତୁମେ ଖାଲି ବାହାଘରରେ ନାଚିବାକୁ ପ୍ରସ୍ତୁତ ହେଇ ରୁହ " ।

--"କିରେ, ଏଇ ଇଂଜିନିୟରିଂ ପଢ଼ା ହେଉଛି ତାହେଲେ ? ଝିଅଟି ଦେଖିବାକୁ କେମିତି?", ବିଶ୍ୱମ୍ବର ବାବୁ ହସି ହସି ପଚାରନ୍ତି ।

ସିପୁନ୍ କହେ, "ଠିକ ତ ଜେଜେମାଆ ଭଳିଆ " । ଉଭୟ ହସନ୍ତି ।

ସିପୁନ୍ ଅନେକ ଥର ଭାବିଲାଣି, "ଏଥର ଘରକୁ ଗଲେ ଜେଜେଙ୍କ ପାଇଁ ଧଳା କୁର୍ତ୍ତାଟେ ନିଶ୍ଚୟ ନେଇକି ଯିଵି" । କିନ୍ତୁ ପ୍ରତିଥର ସେ ଘରକୁ ବାହାରିଲା ବେଳକୁ ଏଡ଼େ ତରବର ରେ ବାହାରେ ଯେ ସବୁକଥା ଭୁଲିଯାଏ ।

ସିପୁନ୍ ର ଇଂଜିନିୟରିଙ୍ଗ ଶେଷବର୍ଷ । ଶେଷ ସେମିଷ୍ଟାର ପରୀକ୍ଷା ପୂର୍ବରୁ କ୍ୟାମ୍ପସ୍ ରେ ଟାଟା କମ୍ପାନୀ ର ଜବ୍ ସିଲେକ୍ସନ ଲିଷ୍ଟ ରେ ସିପୁନ୍ ର ନାଁ ମଧ୍ୟ ଆସିଗଲା । ପରୀକ୍ଷାଟା ସରିଗଲେ ଟ୍ରେନିଂ ରେ ଯୋଗ ଦେବ । ତାପରେ ପୁଣି ପୋଷ୍ଟିଙ୍ଗ । ଘରେ ସମସ୍ତେ ଖୁବ ଖୁସି । ଜେଜେମାଆ କୁଆଡେ ସିପୁନ୍ ଛୋଟ ହେଇଥିଲା ବେଳେ ବାଲେଶ୍ୱର ର ପଞ୍ଚଲିଙ୍ଗେଶ୍ୱର ଙ୍କ ଠାରେ ମାନସିକ ରଖିଥିଲା ସିପୁନ୍ ବଡ଼ ହେଇ ଚାକିରୀ ପାଇଲେ ଆସି ମାନସିକ ପୂରଣ କରିବ । ଏତିକି ବେଳେ ତାର ଵି ସେହିକଥା ମନେ ପଡିଗଲା । ସେ ଜିଦ୍ଦି କଲା ସପରିବାରେ ସିପୁନ୍ କୁ ନେଇ ବାଲେଶ୍ଵର ଯିବାପାଇଁ । ମୁଣ୍ଡ ଉପରେ ଫାଇନାଲ୍ ଏକ୍ଜାମିନେସନ୍ । ସିପୁନ୍ ଛୁଟି ଦେଖି ଆସିବ କହିଲା ।

ଜେଜେ ଦୁଇଦିନ ହେଲା ଆଦୌ ଫୋନ କରି ନାହାଁନ୍ତି । ସିପୁନ୍ କଥା ଟା ହଜମ କରିପାରିଲାନି । "ଜେଜେ ଦିନେ ଫୋନ୍ ନକରି ରହି ପାରନ୍ତିନି । କଣ ଦେହ କିଛି ହେଲାକି ? ଏଥର ଆସିଲା ବେଳେ ଵି ଟିକେ ରୋଗୀଣା ଲାଗୁଥିଲେ " । ଏମିତି ଭାବି ସେ ନିଜ ଆଡୁ ଜେଜେଙ୍କ ନମ୍ବର ଲଗେଇଲା । ମମି ଫୋନ ଉଠେଇଲେ । ଜେଜେ ଶୋଇଛନ୍ତି ବୋଲି କହିଲେ । ଦେହ ପା କଥା ପଚାରିଲାରୁ କହିଲେ , " ହଁ ଭଲ ଅଛନ୍ତି । "

"ଜେଜେ ତ ଏମିତି ଅବେଳ ରେ ଶୁଅନ୍ତିନି । " ସିପୁନ୍ କୁ କିଛି ଠିକ ଲାଗିଲାନି । ପଢ଼ା ପଢ଼ିରେ ମନ ଲାଗିଲା ନାହିଁ । ଆରଦିନ ସକାଳୁ ଘର ପାଇଁ ଵସ୍ ଧରିଲା । ଆସି ଦେଖିଲା ଘର ଆଗରେ ଗାଡ଼ି ଟେ ଠିଆ ହେଇଛି । ବାପା ଆଉ ସାନ ପିଉସା ଜେଜେଙ୍କୁ ଦୁଇ ପଟରୁ ଧରି ଗାଡ଼ି ପାଖକୁ ଆଣୁଛନ୍ତି । ସିପୁନ୍ ବ୍ୟାଗ୍ ଟା ଜେଜେମାଆ ହାତରେ ଦେଇକରି ନିଜେ ଯାଇ ଜେଜେଙ୍କୁ ଧରି ଗାଡ଼ିରେ ବସେଇଲା । ମମିଙ୍କ ଆଡ଼କୁ ଅନେଇ ପଚାରିଲା, "ଜେଜେଙ୍କୁ ସାର୍ଟ ଗୋଟେ ପିନ୍ଧେଇନ କାହିଁକି ? ଏମିତି ଖାଲି ଗାମୁଛା ଟେ ପିନ୍ଧି କେହି ହସ୍ପିଟାଲ ଯାଏ?" ।

ଚନ୍ଦନା ଦୂରରେ ଠିଆ ହୋଇ କହୁଥିଲେ, "ସକାଳୁ ବହୁତ ଥର ଝାଡା ହେଲାଣି । ସବୁ ଲୁଗାପଟା ଖରାପ କରିଦେଉଛନ୍ତି । ସେଥିପାଇଁ ତୋ ବାବା କହିଲେ.. " । ସେ ସେତିକି କହିଛନ୍ତି ନିହାରବାବୁ କଥାଟା ଅଟକେଇ ପୁଅକୁ ପଚାରିଲେ,"ତତେ କିଏ କହୁଥିଲା ପଢ଼ା ପଢ଼ି ଛାଡ଼ି ଏବେ ଘରକୁ ଆସିବାକୁ ? "

ସିପୁନ୍ କିଛି ଉତ୍ତର ନଦେଇ ଜେଜେଙ୍କୁ ଧରି ଗାଡ଼ିରେ ବସି ପଡ଼ିଲା । ମେଡିକାଲରେ ଜେଜେଙ୍କ ଦେହରେ ସାଲାଇନ୍ ଓ ଇଞ୍ଜେକ୍ସନ ଲାଗିଲା । ସିପୁନ୍ ଆଉ ବାବା ରାତିସାରା ଜେଜେଙ୍କୁ ଜଗି ବସିଥିଲେ । ଭୋରୁ ଦୁହିଁଙ୍କ ଆଖି ଲାଗିଯାଇଛି ଜେଜେ ଉଠି ଦୁଇ ହାତରେ ଦୁହିଁଙ୍କ ମୁଣ୍ଡକୁ ଆଉଁଶି ଦେଉଛନ୍ତି । ନିହାରବାବୁଙ୍କ ନିଦ ଭାଙ୍ଗିଗଲା ।

--ବାପା ! ଏବେ କେମିତି ଲାଗୁଛି ?

--ହଁ ଭଲ ଲାଗୁଛି । ସିପୁନା କେତେବେଳେ ଆସିଲା ?

--କାଲିରୁ ଆସିଲାଣି ।

ଜେଜେ ଭଲ ହେଇ ଘରକୁ ଫେରିଲେ । ବାଲେଶ୍ୱର ଯିବା ସ୍ଥଗିତ ରହିଲା । ଆଗକୁ ସିପୁନ୍ ର ପରୀକ୍ଷା । ପରୀକ୍ଷା ପାଇଁ ଭଲ କରି ପ୍ରସ୍ତୁତ ହେବାକୁ ପଡ଼ିବ । ସେ ଦୁଇ ଚାରି ଦିନ ରହି ଫେରିଗଲା ।

ପରୀକ୍ଷା ସରିଲା । ସିପୁନ୍ ମହୀଶୂର ଗଲା ଟ୍ରେନିଂ ପାଇଁ । ଟ୍ରେନିଂ ଭିତରେ ଆଉ ଘରକୁ ଆସିନାହିଁ । ମମିଙ୍କ ସହ, ଜେଜେଙ୍କ ସହ ଫୋନରେ କଥା ହୁଏ । କେବେ କେବେ ଭିଡ଼ିଓ କଲ୍ କରି ସମସ୍ତଙ୍କୁ ଦେଖେ । ଜେଜେ ଜେଜେମାଆ ହସି ହସି ନାତି ସହ କଥା ହୁଅନ୍ତି ।

ଟ୍ରେନିଂ ପରେ ସିପୁନ୍ ମୁମ୍ବାଇ ରେ ଜଏନ୍ କଲା । ମୁମ୍ବାଇ ଯିବା ପୂର୍ବରୁ ଘରକୁ ଆସିଥିଲା । ଜେଜେ ଆଗ ଅପେକ୍ଷା ବେଶୀ ସୁସ୍ଥ ଜଣାଯାଉଥିଲେ । ଜେଜେମାଆ ର ମାନସିକ ତଥାପି ପୂରଣ ହେଇପାରିଲା ନାହିଁ । ସିପୁନ୍ ବ୍ୟସ୍ତ ଭିତରେ ଭୁବନେଶ୍ୱରରୁ ଅରିଜିନାଲ ସାର୍ଟିଫିକେଟ ସଂଗ୍ରହ ଓ ଅନ୍ୟାନ୍ୟ କାର୍ଯ୍ୟ ସମାପ୍ତ କରି ତରବରିଆ ଭାବେ ମୁମ୍ବାଇ ପଳେଇଲା ।

ପ୍ରଥମ ମାସ ର ଦରମା ସିପୁନ୍ ର ହାତକୁ ଆସିବା କ୍ଷଣି ସେ ଚିନ୍ତା କଲା କାହା ପାଇଁ କଣ କିଣିବ । ସର୍ବପ୍ରଥମେ ତାର ଜେଜେଙ୍କ କଥା ମନକୁ ଆସିବାରୁ ପର ଶନିବାର ସନ୍ଧ୍ୟାରେ ମାର୍କେଟ ଯାଇ ବାଛି କରି ଜେଜେଙ୍କ ମାପରେ ସଫେଦ ସୁନ୍ଦର କୁର୍ତ୍ତା ହଳେ କିଣିକରି ଆଣିଲା । ଆରମାସ ଚଉଦ ତାରିଖ ରେ ଘରକୁ ଯିବାପାଇଁ ଫ୍ଲାଇଟ ଟିକଟ କରିସାରିଛି । ଜେଜେ ଏବେ ଦୁଇ ଚାରିଦିନ ରେ ଥରେ ଫୋନ କରନ୍ତି । "ସିପୁନାର ନୂଆ ଚାକିରୀ, କାମ ଚାପ ରହୁଥିବ",ଏମିତି ଭାବି ବେଶୀ ଆଉ ତାକୁ ଫୋନ କରି ତାର ସମୟ ନଷ୍ଟ କରନ୍ତିନି ।

ରବିବାର ସକାଳେ ଜେଜେ ଫୋନ କରିଥିଲେ । ପଚାରୁଥିଲେ, "କେବେ ଆସିବୁ " ।

--ଆରମାସ ରେ ଯିବି କହିଥିଲି ପରା । ମକର ସଂକ୍ରାନ୍ତି ବେଳକୁ ।

--କଣ ଟ୍ରେନ ରେ ଆସିବୁ ?

--ନାଇଁ ଏରୋପ୍ଲେନ୍ ରେ ଟିକଟ କରିଛି । ବାବା ସେଦିନ ଆସିବେ ଗାଡ଼ି ନେଇକି ଭୁବନେଶ୍ୱର କହୁଥିଲେ ।

--ମୁଁ ଵି ତାହାଲେ ତୋ ବାବା ସହିତ ସେଦିନ ଯିବି ଏୟାରପୋର୍ଟ ରୁ ତତେ ଆଣିବାକୁ ।

--କଣ ସେହି ମସିଆ କୁର୍ତ୍ତା ଟା ପିନ୍ଧି କି?

--ମୋ ଇଞ୍ଜିନିୟର ନାତି କୁ ଆଣିବାକୁ ଆଉ କଣ ପୁରୁଣା ପଞ୍ଜାବୀ ପିନ୍ଧି ଯିବି ନା କଣ? ଏକଦମ ନୂଆଟେ ପିନ୍ଧିକରି ଯିବିନା ଆଉ ।

ଜେଜେଙ୍କ ହାତରୁ ମୋବାଇଲ ଛଡେଇ ନେଇ ଜେଜେମାଆ ଵି ଦୁଇପଦ କଥା ହେଲା । ତାହାରି ଭିତରେ ସେ ସେହି ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର କଥା କହିବାକୁ ମଧ୍ୟ ଭୁଲିଲାନାହିଁ । ସେହିକଥା ହେବାର ଦୁଇ ଦିନ ପରେ ଦିନେ ସକାଳୁ ସିପୁନ୍ ଅଫିସ ପାଇଁ ରେଡି ହେଉଛି ବାବାଙ୍କ ଫୋନ ଆସିଲା ।

--ସିପୁ ! ଜେଜେଙ୍କ ଦେହ ଟିକେ ଖରାପ ଅଛି । ତତେ ବହୁତ ଖୋଜୁଛନ୍ତି । ତୁ ଆସିପାରିବୁକି ବାବା?

--ଜେଜେଙ୍କର କଣ ହେଇଛି ବାବା ? କଣ ବହୁତ ସିରିୟସ୍ କି ?

--ନାଇଁ, ସେମିତି କିଛି ସିରିୟସ୍ ନୁହେଁ । ଥରେ ଯେମିତି ହେଇଥିଲା ଦୁଇବର୍ଷ ତଳେ ଡାଇରିଆ ପରି ଝାଡ଼ା ଆଉ ବାନ୍ତି, ସେଇମିତି । ବୟସ ହେଲାଣି, ବେଶୀ କିଛି ଖାଇଦେଲେ ବଦହଜମୀ ହେଇଯାଉଛି । ତୁ ଯଦି ଆସିପାରିବୁ ଆସେ । ବେଶୀ କିଛି ଚିନ୍ତା କରନା ।

ସିପୁନ୍ କିନ୍ତୁ ସତରେ ଚିନ୍ତାରେ ପଡିଗଲା । ଯଦି ନେଗ୍ଲେକ୍ଟ କରି ନଯାଏ ଆଉ ଜେଜେ ତାକୁ ମନେପକେଇ ବେଶୀ ଅସୁସ୍ଥ ହୋଇପଡନ୍ତି ତେବେ ସେ ନିଜକୁ କେବେ ଵି କ୍ଷମା କରିପାରିବନି । ପିଲାବେଳୁ ଆଜିଯାଏଁ ଜେଜେ ସବୁବେଳେ ତାକୁ ହିଁ ଖୋଜିଆସିଛନ୍ତି ଆଉ ସେ ତାଙ୍କର ସେହି ଖୋଜିବାରେ ବିରକ୍ତ ହୋଇ ଜେଜେଙ୍କୁ ଖୁବ ଗାଳି ମଧ୍ୟ କରିଛି । ସିପୁନ୍ ଆଗ ପଛ ଆଉ କିଛି ନଭାବି ସେଇଠୁ ଅଫିସ୍ କୁ ଇନଫର୍ମ କରି ଘରକୁ ଯିବାକୁ ବାହାରିଲା । ବ୍ୟାଗରେ ଧଳା କୁର୍ତ୍ତା ଟା ସଯତ୍ନେ ସାଇତି ରଖି ଏୟାରପୋର୍ଟ ପାଇଁ ଟ୍ୟାକ୍ସି ଧରିଲା ।

ଭୁବନେଶ୍ୱର ରୁ ବାବାଙ୍କୁ ଫୋନ୍ କରି ବୁଝିଲା ଜେଜେ ହସ୍ପିଟାଲ ରୁ ଘରକୁ ଆସିସାରିଲେଣି । ଟ୍ୟାକ୍ସି ରେ ଘରକୁ ଆସିବା ରାସ୍ତାରେ ସିପୁନ୍ ଭାବୁଥିଲା, "ହେତ୍ ବେକାର ଟାରେ ମୋତେ ଜେଜେ ଡକେଇଲେ ! ଦେହ ଖରାପ ବାହାନା କରି ଡାକିବା କଣ ନିହାତି ଦରକାର ଥିଲା ? କେତେ କାମ ଥିଲା, ସବୁ ଛାଡ଼ିକି ଏ ବୁଢା ପାଇଁ ଆସିଲି " ।

ଘରେ ପହଞ୍ଚି ଦେଖିଲା ଜେଜେ ତାଙ୍କ ରୁମ୍ ରେ ଖଟ ଉପରେ ଶୋଇଛନ୍ତି, ତିନି ପିଉସୀ ନାନୀ ତିନିକଡ଼ରେ ଜଗିକି ବସିଛନ୍ତି । ମମି ଆଉ ଜେଜେମାଆ ସେଠି ନାହାଁନ୍ତି । ବାବା ମୁଣ୍ଡ ପାଖରେ ବସିକରି ଟିକେ ପରେ ଟିକେ ପାଣି ଦେଉଛନ୍ତି ।

ମମି ସିପୁନ୍ କୁ ଟାୱେଲ୍ ଟେ ଆଣିଦେଇ ବାଥରୁମ ଯିବାକୁ କହିଲେ ଓ ସିପୁନ୍ ର କରୁଣ ମୁହଁ ଏବଂ ପ୍ରଶ୍ନିଳ ଆଖି କୁ ଦେଖି ସବୁ ବୁଝିନେଲା ପରି ଧୀରେ ଉତ୍ତର ଦେଲେ , "ଡ଼କ୍ଟର୍ ପରା କହିଲେ ଘରକୁ ନେଇଯାଅ । "

ଜେଜେମାଆ ଆଜି କାହାକୁ କିଛି ନକହି ଅଲଗା ଏକୁଟିଆ ଠାକୁରଘର ଆଗରେ ବସିଛି । ସିପୁନ୍ କୁ ଦେଖି ତା ଆଖିରୁ ଧାର ଧାର ଲୁହ ଗାଲ ଦେଇ ବୋହିଗଲା । ଜେଜେମାଆକୁ ଟିକେ ସମୟ ଛାତିରେ ଚାପିଧରି ସିପୁନ୍ ଜେଜେଙ୍କ ପାଖକୁ ଗଲା । ଜେଜେ ବାବାଙ୍କ ପାଖରୁ ମୁହଁ ବୁଲେଇଆଣି ସିପୁନ୍ ଆଡ଼େ ଦେଖିଲେ । ଖୁବ କଷ୍ଟରେ ଓଠକୁ ଏପଟ ସେପଟ କରି ଅସ୍ପଷ୍ଟ କେଇପଦ କଥା କହିବାକୁ ଚେଷ୍ଟା କଲେ । ସିପୁନ୍ ବାବାଙ୍କୁ ଉଠେଇ ନିଜେ ଜେଜେଙ୍କ ମୁଣ୍ଡକୁ ନିଜ କୋଳରେ ରଖିଲା । ଜେଜେ ଟିକେ ଖୁସି ଖୁସି ଲାଗିଲେ । ଜେଜେଙ୍କ ଦେହ ଶିଥିଳ ହେଇ ଆସୁଥିଲା କିନ୍ତୁ ସେ କିଛି କହିବାକୁ ଚାହୁଁଥିଲେ । ସିପୁନ୍ ର ନାଁ ନେଇ ଡାକିଲେ । ସିପୁନ୍, "ଆଜ୍ଞା " କହିଲା ।

"ସିପୁନା.. ଧୋବଲା...ପ..ଅଁ...ଜା.. ଵୀ.. ଟେ.. "

ବାସ୍ ସେତିକି । ଆଉ କିଛି ଆଗକୁ ସେ କହିପାରୁନଥିଲେ । ସିପୁନ୍," ହଁ ଜେଜେ ଆଣିଛି " କହିଲା ବେଳକୁ ତା ଜେଜେ ଆଉ ଶୁଣିବାକୁ ନଥିଲେ ।

ଜଣଙ୍କର ଖୋଜିବା ଓ ଆର ଜଣଙ୍କର ଦୂରରେ ରାଗିଯାଇ ଲୁଚିଯିବାର ଗୋଟିଏ ଯୁଗ ଶେଷ ହୋଇଗଲା ।

ଜେଜେଙ୍କ ନିଷ୍ପ୍ରାଣ ଶରୀର ଉପରେ ସିପୁନ୍ ଆଣିଥିବା ଧଳା କୁର୍ତ୍ତା ଟା ଘୋଡେଇ ଦେଲା । ପିନ୍ଧେଇବାକୁ ଚାହିଁ ପିନ୍ଧେଇ ପାରିଲାନି । ଜେଜେ କହୁଥିଲେ, "ଆଉ କେତେକାଳ ଜୀଇଁବି ଯେ,ନୂଆ ପୋଷାକ କିଣି ପିନ୍ଧିବି ? " । ସିପୁନ୍ ର ଆଖିରୁ ଅଭିମାନ ର ଅଶ୍ରୁ ନିଗିଡି ପଡ଼ି ଜେଜେଙ୍କ ବନ୍ଦ ପଡ଼ିଯାଇଥିବା ହୃତପିଣ୍ଡ କୁ ଭିଜେଇଦେଉଥିଲା ।

ସତ୍କାର କାର୍ଯ୍ୟ ସରିଲା ବେଳକୁ ସନ୍ଧ୍ୟା ଗଡ଼ିଯାଇଥିଲା । ଜେଜେମାଆ ଦାଣ୍ଡ କବାଟଟା ଖୋଲାରଖି ଶୀତରେ ଥରି ଥରି ସେହି ରାସ୍ତା କୁ ଅନେଇ ରହିଛି ଯେଉଁ ରାସ୍ତା ଦେଇ ଜେଜେ କିଛି ସମୟ ଆଗରୁ ନିଜର ଶେଷଯାତ୍ରା ଆରମ୍ଭ କରିଥିଲେ । ରାତି ଆଠଟା ପାଖା ପାଖି ଜେଜେଙ୍କ ରୁମ୍ ର ଥାକରୁ ତାଙ୍କ ନୋକିଆ ମୋବାଇଲ ଟା ବାଜି ଉଠିଲା । ଦୁଇ ଥର ଫୁଲ୍ ରିଙ୍ଗ ହେଇ ବନ୍ଦ ହେଲା ପରେ ନିହାରବାବୁ ଫୋନ ଟା ସାଇଲେଣ୍ଟ ରେ ରଖିଦେଲେ ।

ସିପୁନ୍ ର ଘରେ ଆଜି ଏମିତି ଗୋଟିଏ ଦୁଃଖଦ ରାତି, ଜେଜେଙ୍କ ବିହୀନ ଅନ୍ଧାରୁଆ, ବଡ଼ ଅଜବ ଓ ବେଦନାଶିକ୍ତ ଏହି ଗୋଟିକ ଶୀତ ରାତି ସମସ୍ତଙ୍କୁ ବାହାରୁ ଆଉ ଭିତରୁ ଥରେଇଦେଉଛି । ବିଛଣା ରେ ସମସ୍ତେ ଥରି ଥରି ଗଡୁଛନ୍ତି କାହାରି ଆଖିକୁ କିନ୍ତୁ ନିଦ ନାହିଁ । ସକାଳୁ ସମସ୍ତଙ୍କ ଥକିଲା ଆଖିଗୁଡ଼ିକ ପୂର୍ବଦିନର ଦୁଃଖକୁ ଅଳ୍ପ ସମୟ ପାଇଁ ଭୁଲିଯାଇ ନିଶ୍ଚିନ୍ତ ରେ ମୁଦି ହୋଇ ପଡ଼ିଛନ୍ତି । ଜେଜେମାଆ କିନ୍ତୁ ଖୁବ ଆଗରୁ ବିଛଣାରୁ ଉଠି ଆସି ସେହି ତାର ଚିରାଚରିତ ସ୍ଥାନ, ସିଡ଼ି ତଳେ ବସି ଗୁମୁରି ଗୁମୁରି କାନ୍ଦୁଛି । କଲିଙ୍ଗ୍ ବେଲ୍ ର ଟିଂ ଟିଂ ଶବ୍ଦ ରେ ସିପୁନ୍ ର ନିଦ ଭାଙ୍ଗିଗଲା । ସେ କବାଟ ପାଖକୁ ଆସିଲା ବେଳକୁ ବାବା ଦ୍ୱାର ବନ୍ଧ ପାଖରେ ଠିଆ ହୋଇ କାହାର ପରିଚୟ ମାଗୁଛନ୍ତି ।

--ଆଜ୍ଞା ମୁଁ ରୟାଲ୍ ଟେଲର୍ ରେ ସିଲେଇ କରେ ।

--ହଁ । ଏଠି କେମିତି ?

--ଆମ ମାଷ୍ଟ୍ରେ, ସୁଭାଷ ବାବୁ ମୋତେ ପଠେଇଲେ ।

--କାହିଁକି?

--ଏଇଟା ବିଶ୍ୱବାବୁଙ୍କ ଘର ତ ?

--ହଁ ।

--ଆଜ୍ଞା ! ବିଶ୍ୱବାବୁ ଚଉଦ ଦିନ ହେଲାଣି ଆମ ଦୋକାନରେ କୁର୍ତ୍ତା ତିଆରି ପାଇଁ କପଡ଼ା ଆଉ ମାପ ଦେଇଆସିଲେଣି । କହିଥିଲେ ଟିକେ ଶୀଘ୍ର ମାନେ ଚାରି ପାଞ୍ଚ ଦିନ ଭିତରେ କାମ ଶେଷ କରିଦେବା ପାଇଁ । ତାଙ୍କ ନାତି କୁ ଆଣିବାକୁ କୁଆଡ଼େ ଯିବେ କହୁଥିଲେ । କୁର୍ତ୍ତା ସିଲେଇ ସାରି ଏବେ ଫୋନ୍ କଲାବେଳକୁ ଆଉ ଫୋନ ଉଠାଉନାହାଁନ୍ତି । ମାଷ୍ଟ୍ରେ କାଲି ରାତିରେ ଅନେକ ଥର ଫୋନ କଲା ପରେ ଆଜି ମୋତେ କୁର୍ତ୍ତା ଟା ଦେଇ ଏଠିକି ପଠେଇଛନ୍ତି । ଆଜ୍ଞା, ବୁଢ଼ାବାବୁ ଙ୍କ ଦେହ ଭଲ ନାହିଁ କି ? ସେ କଣ ଘରେ ନାହାଁନ୍ତି ?

ସିପୁନ୍ ଦୂରରେ ଠିଆ ହୋଇ ଶୁଣୁଥିଲା, ଆଉ ଟିକେ ପାଖେଇ ଆସିଲା । ନିହାର ବାବୁ ପିଲାଟାକୁ ଧୀର ଧୀରେ କହିଲେ, "ନାଇଁ ବାପା ନାହାଁନ୍ତି ।" ସେ କିଛି ସେକେଣ୍ଡ ଚୁପ ରହି ପୁଣି ମୁହଁ ଉପରକୁ ଉଠେଇ ପିଲାଟି ଉଦେଶ୍ୟରେ କହିଲେ, " କାଲି ସନ୍ଧ୍ୟାରେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ । ତୁମେ ସେ କୁର୍ତ୍ତା ଫେରେଇ ନିଅ । ତୁମକୁ କଣ କିଛି ଟଙ୍କା ବାପା ଦେଇଥିଲେ ? ନାଁ ବାକି ଅଛି ପାଇବାକୁ ? "ସିପୁନ୍ କିନ୍ତୁ ବାବାଙ୍କୁ ଆଡେଇ ଆଗକୁ ଗଲା । ପିଲାଟା ଠାରୁ ରସିଦ୍ ଆଣି ବାକିଆ ଟଙ୍କା ତା ହାତରେ ଦେଇ କୁର୍ତ୍ତା ଥିବା ପଲିଥିନ ବ୍ୟାଗ୍ ଟା ନିଜ ହାତକୁ ନେଲା ।

ଜରି ପଲିଥିନ ଟା ଭିତରୁ ନୂଆ ଧଳା କୁର୍ତ୍ତା ଟି ଖୋଲି ନିଜ ହାତରେ ଧରିଲା । ଧୀରେ ଧୀରେ ଜେଜେଙ୍କ ରୁମ୍ ଆଡ଼କୁ ଗଲା । ତାଙ୍କ କାଠ ଆଲଣା ତଳକୁ ଗୋଟେ କଡ଼ରେ ପୁରୁଣା ମସିଆ ଖଦଡ଼ କୁର୍ତ୍ତାଟା ଖସି ପଡିଛି । ସେଇଟିକୁ ତଳୁ ଉଠେଇ ଆର ହାତରେ ଧରିଲା । ମସିଆ କୁର୍ତ୍ତାଟି ଯେମିତି ସିପୁନ୍ କୁ ଉପହାସ କରି କହୁଥିଲା, "ମୋ ସ୍ଥାନ କେହି ନେଇପାରିଲେ ନାହିଁ । "ଦୁଇଟି ଯାକ କୁର୍ତ୍ତା କୁ ଛାତିରେ ଯାକି ଧରି ସିପୁନ୍ ଭୋ କରି କାନ୍ଦି ଉଠିଲା । ତା କାନ୍ଦ ସହ ତାଳ ଦେଇ ଜେଜେମାଆ ସିଡ଼ି ପାହାଚ ତଳେ କାନ୍ଦି କାନ୍ଦି ଲୋଟିଗଲା ।

ଶୁଦ୍ଧ କାର୍ଯ୍ୟ ଶେଷ ହେଲା । ପିଉସୀମାନେ ଲେଉଟିଗଲେ । ସିପୁନ୍ ର ଟିକେଟ୍ କନଫର୍ମ ହେଇଗଲା । ବାବା, ମମି, ଜେଜେମାଆ ଙ୍କ ଶତ ବାରଣ ସତ୍ୱେ ସିପୁନ୍ ଜେଜେଙ୍କ ସେହି ନୂଆ ଆଉ ପୁରୁଣା କୁର୍ତ୍ତା ଦୁଇଟା ନିଜ ସହ ନେଇଯିବା ପାଇଁ ତା ଲଗେଜ୍ ବ୍ୟାଗ୍ ରେ ଭର୍ତ୍ତି କଲା ।

ଗେଟ୍ ଆଗରେ କାର୍ ଠିଆ ହେଇଛି । ସମସ୍ତଙ୍କୁ ପ୍ରଣାମ କରି ସିପୁନ୍ ଗାଡ଼ି ପାଖକୁ ଆସିଲା । ବାବା ଡିକି ରେ ତା ବ୍ୟାଗ୍ ଟା ରଖି ଜଲଦି ଆସିବା ପାଇଁ ଡାକୁଛନ୍ତି । ସେ ଗେଟ୍ ପାର କରିବା ପୂର୍ବରୁ ପଛକୁ ଆଉ ଥରେ ବୁଲିକି ଦେଖିଲା । ପିଣ୍ଡାରେ ପଡିଥିବା ଖାଲି ଚୌକି ଟା ଉପରେ ଜେଜେ ବସିଛନ୍ତି । ସେ ଆଖିମଳି ଆଉ ଥରେ ଦେଖିଲା । ହଁ ତ ଜେଜେ ତାରି ଆଡ଼କୁ ଦୁଇ ହାତ ପ୍ରସାରିତ କରି ହଲଉଛନ୍ତି, ଠିକ ଯେମିତି ସେ ଵସ୍ ରେ ବସି ସାରିଲେ ହାତ ହଲାଇ କହନ୍ତି, "ହଉ ପହଞ୍ଚି ଫୋନ୍ କରିବୁ ।"

ସିପୁନ୍ ଦେଖୁଥିଲା ଜେଜେଙ୍କ ଦେହରେ ଏକଦମ ସଫେଦ ଧଳା କୁର୍ତ୍ତା ଟେ । ଖୁବ ମାନୁଛି ତାଙ୍କୁ । ପଞ୍ଜାବୀର ହାତ ଟା ଟିକେ ବେଶୀ ଲମ୍ବା ହେଇ ଆଙ୍ଗୁଠି ଯାଏଁ ପଳେଇଆସୁଛି । ବାବା ଦୁଇ ଥର ପଛରୁ ଡାକିଲେଣି ସିପୁନ୍ ନଶୁଣି ସେଇମିତି ସେହି ଖାଲି ଚୌକିଟା କୁ ଅନେଇ ଜେଜେଙ୍କୁ ଧଳା କୁର୍ତ୍ତାରେ ଦେଖୁଛି ।

କାନ୍ଧ ଉପରେ ବାବାଙ୍କ ହାତ ସ୍ପର୍ଶ ପାଇ ସେ ପ୍ରକୃତିସ୍ଥ ହେଲା । ଚୌକିଟାକୁ ଆଡ଼କୁ ଲକ୍ଷ କରି ଆଉ ଗୋଟେ ନମସ୍କାର ଜଣାଇଲା । ଆଉ ପଛକୁ ବୁଲି ନଚାହିଁ ସିଧା ଯାଇ ଗାଡ଼ିରେ ବସିଲା । ନିହାରବାବୁ ଡ୍ରାଇଭର କୁ ନିର୍ଦେଶ ଦେଲେ ଗାଡ଼ି ଷ୍ଟାର୍ଟ କରିବାପାଇଁ ।

ଷ୍ଟେସନ ରେ ପହଞ୍ଚିବାକୁ ଅଳ୍ପ ସମୟ ବାକି ଅଛି ସିପୁନ୍ ତା ବାବାଙ୍କୁ କହିଲା, "ବାବା ! ଜେଜେ ଧଳାକୁର୍ତ୍ତା ରେ ତ ବେଶ୍ ଭଲ ଦିଶନ୍ତି ।"

ନିହାରବାବୁ ଦେଖୁଥିଲେ ପୁଅ ର ଦୁଇ ଆଖିକୋଣରେ ଢଳ ଢଳ ଅବଶୋଷର ଦୁଇ ବୁନ୍ଦା ଜଳ । ସେ ମଧ୍ୟ ନୀରବ ରେ ନିଜ ଆଖିତଳକୁ ଆଙ୍ଗୁଠିରେ ସଫା କରିଦେଇ ପୁଅର ମୁଣ୍ତରେ ଦୁଇଥର ହାତ ବୁଲେଇ ଆଣି ତାକୁ ବିଦାୟ ଜଣେଇ ଘରକୁ ଫେରିଆସିଲେ ।

ସିପୁନ୍ ଜେଜେଙ୍କ ଦୁଇଟି ଜାକ କୁର୍ତ୍ତା ସାଙ୍ଗରେ ନେଇଯାଇଥିଲା, କିନ୍ତୁ ତାକୁ ଲାଗୁଥିଲା ସେ ମୁମ୍ବାଇରୁ ଜେଜେଙ୍କ ପାଇଁ ଆଣିଥିବା ସେହି ଧଳା କୁର୍ତ୍ତାଟି ଜେଜେ ପିନ୍ଧି କରି ଚୌକି ଉପରେ ବସି ତାକୁ ବିଦାୟ ଜଣାଇଥିଲେ । ସେହି କୁର୍ତ୍ତାର ମାପ ଟା ବି ବୋଧେ ସାମାନ୍ୟ ବଡ଼ ଥିଲା l

ଲୋପାମୁଦ୍ରା ମିଶ୍ର


Rate this content
Log in