Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଦର୍ପଣ - 5
ଦର୍ପଣ - 5
★★★★★

© Anil Kumar Parhi

Others

6 Minutes   14.2K    15


Content Ranking

ଅନୀଲ କୁମାର ପାଢୀ

ବନ୍ଧୁ ଫୋନ କଲେ, " କୋଉଠି କି ହୋ "! ମୁଁ ପରିବା ଆଣିବାକୁ ଯାଇଥିଲି। ମନଟା ବି ଗୋଟେ ବିଶେଷ କାରଣରୁ ଖୁସିଥିଲା। ପରିବା କିଣିବା ଆଳରେ ମାର୍କେଟ ପାଖରେ ଥିବା ଠେଲା ଦୋକାନରୁ ପକୁଡି ଘୁଘୁନି ଆଉ ଗରମ ଜଲିପି ଖାଇବି ଭାବିନେଇଥିଲି। ଆଗକୁ ଖରାଛୁଟି ଆସୁଛି। ପତ୍ନୀଙ୍କର ବି ଛୁଟି। ଖାଇବାପିଇବାରେ ଭୟଂକର ରେଷ୍ଟ୍ରିକ୍ସନ୍ କରିବେ। ଡାଇବେଟିସ ଟେଷ୍ଟ ବି ହେବ!

ଏହି ସମୟରେ ବନ୍ଧୁଙ୍କ ଫୋନ୍ ବିରକ୍ତ କଲା। ତେବେ କିଛି କହିପାରିବି କି! ସାରା ସାହିତ୍ୟ ସଂସାରରେ ମୋର ଏକମାତ୍ର ହିତୈଷୀ ବନ୍ଧୁ ସେ। ଦେହପା ବୁଝିବାକୁ ବି ପହଞ୍ଚନ୍ତି।

ମୁଁ ପଚାରିଲି - ତମେ କୋଉଠି?

କୋଉଠି ମାନେ! ତମ ବନ୍ଦ କବାଟ ପାଖରେ ଠିଆହୋଇଛି। ଜଲ୍ଦି ଆସ। ପିମ୍ପୁଡିଗୁଡାକ ଖାଇଗଲେଣି। କହିଲେ ବନ୍ଧୁ।

ଠେଲା ଗାଡି ପାଖରୁ ଫେରିଲି ଘରକୁ। ବନ୍ଧୁ ଫୁଲି ପେଟୁଆ ହୋଇଯାଇଥିବା ମୋ ପରିବା ବ୍ୟାଗ୍ କୁ ଦେଖି କହିଲେ - ଏକ୍ଲା ଲୋକ! କେତେ ପରିବା ଖାଉଛ ଯେ!

ବସିଲା ପରେ ସେ ମୋ ହାତକୁ ଗୋଟିଏ ଲଫାପା ବଢେଇଦେଇ ମୁରୁକିମୁରୁକି ହସିଲେ। କହିଲେ - ପଢ।

ସେ ସେମିତି ହସୁଥାନ୍ତି।

ଲଫାପା ଭିତରେ ପ୍ରିଣ୍ଟେଡ୍ କାଗଜ ଖଣ୍ଡିଏ ଥାଏ। ସେହି କାଗଜରେ ଯାହା ଲେଖାଥିଲା ତାକୁ ପଢି ମୁଁ କେବଳ ଆଶ୍ଚର୍ଯ୍ୟ ହୋଇଗଲି ତା ନୁହେଁ, ଚିଠିଟିକୁ ଅବିଶ୍ବାସ କରିବା ଆରମ୍ଭ କଲି। ଭାବନାକୁ ମନଭିତରେ ଛପେଇ କହିଲି - ଶୁଭେଚ୍ଛା!

ବନ୍ଧୁ କହିଲେ - ଶୁଭେଚ୍ଛା ନା ଛେନାଗୁଡ! ଶଃ, ମୋତେ ଗୋଟେ କିଏ ବାଛିଲା ମ! ତମ ପରି ସାହିତ୍ୟିକମାନେ ସିନା ବଛାହେବା କଥା!

ବାଃ! କଳିଙ୍ଗ ଗୌରବ! ମୁଁ କହିଲି। ବନ୍ଧୁ ହସିଲେ। ପଚାରିଲେ - କଣ କରିବା! ଗୋଟେ ବାୟୋଡେଟା ଫର୍ମ ବା ପୂରଣ କରି ପଠାଇବାକୁ କୁହାଯାଇଛି!

ମୁଁ କହିଲି - ଦେଇଦେବା!

ଦେଇଦେବା ଯେ .... ହେଲେ, ଆଉଗୋଟିଏ କଥା ବି ଅଛି। ସେ କହିଲେ। ତମେ କେବେ ଚିଠିଟା ପୂରା ପଢନା। ବନ୍ଧୁ ଆଂଶିକ ବିରକ୍ତିରେ କହିଲେ। ମୁଁ ପ୍ରକୃତରେ ସେୟା କରେ। ଏଣୁ, ଏ ଚିଠିଟି ବି ମୁଁ ସମ୍ପୂର୍ଣ୍ଣ ପଢିନଥିଲି। ଉଦ୍ଦିଷ୍ଟ ପରିଚ୍ଛେଦଟି ପଢିଲା ପରେ ମୋର ଫାକାସୀ ଗୁଡୁମ ହୋଇଗଲା। ଲେଖାଥିଲା - ସମ୍ପୂର୍ଣ୍ଣ ବାୟୋଡେଟା ସହିତ ସହଯୋଗ ରାଶି ହିସାବରେ ଏକହଜାର ଟଙ୍କା ଡ୍ରାଫ୍ଟ ଆକାରରେ ପ୍ରଦାନ କରିବାକୁ ହେବ।

ମୁଁ ଜାଣିପାରିଲି ନାହିଁ ଯେ ମୋର ବର୍ତ୍ତମାନ କାନ୍ଦିବା କଥା ନା କାଗଜକୁ ଟିକିଟିକି କରି ଚିରି ଫିଙ୍ଗିଦେବା ଉଚିତ୍। ମୁଁ କଠୋର ଦୃଷ୍ଟିରେ ବନ୍ଧୁଙ୍କୁ ଅନେଇଲି - କିଛି ପଠେଇବା ଦରକାର ନାହିଁ। କଳିଙ୍ଗ ଗୌରବ ସମ୍ମାନ କେବଳ ତମେ ନୁହେଁ, ମୁଁ ବି ପାଉଛି। ମୁଁ କହିଲି ଏବଂ ଟିପୟ ଉପରେ ଥିବା ମ୍ୟାଗାଜିନ ଭିତରୁ ସେହି ଏକାପ୍ରକାର ଲଫାପା କାଢି ବନ୍ଧୁଙ୍କ ହାତକୁ ବଢେଇଲି।

ସତରେ! ବନ୍ଧୁ ଗଦଗଦ ହୋଇ କହିଲେ। ଯାହା ହେଉ ଭଲ ହେଲା। ଦିଜଣ ଯିବା!

ଲଫାପାଟି ପୂରା ପଢିନଥିବାରୁ ମୁଁ ଟଙ୍କା ବିଷୟରେ ଜାଣିନଥିଲି।

ମୁଁ ତମ ପାଇଁ ବି ପଠେଇଦେଉଛି, କହିଲେ ବନ୍ଧୁ। ତମେ ପରେ ଦେଇଦେବ।

ନାଇଁ, ମୁଁ ଦେବି ନାହିଁ, ମୁଁ କହିଲି।

କେତେ କୁଆଡେ ଅଯଥା ଖର୍ଚ୍ଚ କରୁଛେ, ଗୋଟିଏ ସାହିତ୍ୟ ଅନୁଷ୍ଠାନର ସଭ୍ୟ ହିସାବରେ ହଜାରଟା ଟଙ୍କା ଦେଇଦେଲେ କଣ ହେବ ଯେ! ଜାଣିଛ, ଗୋଟେ ସଭାର ଆୟୋଜନରେ କେତେ ଖର୍ଚ୍ଚ ହୁଏ। ବନ୍ଧୁ ସଫେଇଦେଲେ।

ମୁଁ ଟିକିଏ ଗର୍ଜିକି କହିଲି - ନା ତମେ ଦେବ ନା ମୁଁ।

ଆରେ ଭାଇ ସଂପାଦକ କାହ୍ନୁ ପଟ୍ଟନାୟକକୁ ଜାଣିଛ! ଦେଖିଛ ତା ପତ୍ରିକାକୁ। ନିଉଜ୍ ପେପର୍ ପ୍ରିଣ୍ଟରେ ସେଇ ଯୋଉ ସାପ୍ତାହିକ ଟାବଲେଟ ସାଇଜ୍ ର ବାହାରେ। ସେଠି ଯେତେ ନୂଆ, ଧତରା କବିଙ୍କୁ ଦେଖିନ! ସେଠି କବିତା ବାହାରିବା ପାଇଁ ପତ୍ରିକାର ବାର୍ଷିକ ସଦସ୍ୟତା ସହିତ ପ୍ରତି କବିତା ସାଙ୍ଗରେ ଦୁଇଶ ଟଙ୍କା ଦବାକୁ ପଡେ କାହ୍ନୁ ପଟ୍ଟନାୟକକୁ। ବନ୍ଧୁ ଶେଷ ଚେଷ୍ଟା କଲେ। ଇଏ ତ ଗୋଟିଏ ଅନୁଷ୍ଠାନ ଭାଇ। ପୁଣି ପୁରସ୍କାର ବି ଦେଉଛନ୍ତି!!

ନା, ନା, ନା। ମୁଁ କହିଲି।

ଠିକ୍ ଅଛି। ପଠେଇବା ନାହିଁ। କହିଲେ ବନ୍ଧୁ।

ବନ୍ଧୁ ବିଦାୟ ନେଇ ଫେରିଗଲେ। ବିଷଣ୍ଣ ଦିଶୁଥିଲେ ସେ।

ବନ୍ଧୁ ଆସନ୍ତି, ଯାଆନ୍ତି। କେବେ ଆଉ କଳିଙ୍ଗ ଗୌରବ କଥା ଉଠାନ୍ତି ନାହିଁ। ପ୍ରାୟ ପନ୍ଦରଦିନ ପରେ ସେ କହିଲେ, ଭାଇ! ତମେ କିଛି ନିମନ୍ତ୍ରଣ ପାଇଛ କି?

ମୁଁ ମନାକଲି।

ଦେଖ ଭାଇ, ବନ୍ଧୁ କହିଲେ, ତମ କଥା ଅନୁସାରେ ମୁଁ ଟଙ୍କାଟିଏ ବି ପଠେଇଲି ନାହିଁ, ହେଲେ, ମୋତେ ସେମାନେ କଳିଙ୍ଗ ଗୌରବ ସମ୍ମାନରେ ସମ୍ମାନୀତ କରୁଛନ୍ତି। ଏଇ ରବିବାର। ଟାଉନ୍ ହଲ। ଦିନ ଏଗାରଟା।

କଙ୍ଗ୍ରାଚୁଲେସନ। ମୁଁ କହିଲି।

ଯିବା ରବିବାର ଦିନ। ବନ୍ଧୁ କହିଲେ।

ମୁଁ ଯିବିନି। ମୁଁ କହିଲି।

ବନ୍ଧୁ ମୁହଁ ଶୁଖାଇଦେଲେ। ବିଚରା ମୁଁ ଯୁଆଡେ ଡାକିଛି ଯାଇଛନ୍ତି। ଏଥର ମୁଁ ତାଙ୍କ ସାଙ୍ଗରେ ନଗଲେ କାଳେ ଭାବିବେ ମୋତେ ପୁରସ୍କାର ମିଳୁନି ବୋଲି ଈର୍ଷାରେ ମୁଁ ଯାଉନି। ମୁଁ ଟିକିଏ ହସିଲି, କହିଲି, ହଉ ଯିବା!

ରବିବାର ଦିନ ପ୍ରାୟ ଦିନ ଦଶଟାବେଳେ ବନ୍ଧୁଙ୍କ ହୋଣ୍ଡା ଆକ୍ଟିଭାର ପେଁ ପାଁ ଶୁଭିଲା। ମୁଁ କୁଦିପଡି ପଛରେ ବସିଗଲି।

ଟାଉନ୍ ହଲ୍ ର ଦିବଂଗତ ଦିବ୍ୟ ସାହିତ୍ୟିକମାନଙ୍କ ଫଟୋ ମଳିନ ଦିଶୁଥିଲା। ବୁଢିଆଣୀ ଜାଲ ଏମିତି ଛନ୍ଦିଯାଇଥିଲା ଯେ କେତୋଟି ଫଟୋ ଖସିପଡିବା ଅବସ୍ଥାରେ ଥାଇ ଜାଲରେ ଛନ୍ଦି ଯାଇଥିଲେ।

ପ୍ଲାଷ୍ଟିକ୍ ଚେୟାରଗୁଡିକ ସାହିତ୍ୟିକମାନଙ୍କ ବୋଝ ସହିସହି ଫସିଲ ପରି ଦିଶୁଥିଲେ। କବାଟ ବନ୍ଧରେ ଗୁଲୁଆସୀ ଫୁଲର ମାଳ ଝୁଲୁଥିଲା। ମଞ୍ଚରେ ଗୋଟେ ଚାରି ବାଇ ଦୁଇର ଫ୍ଲେକ୍ସରେ ଲେଖାଥିଲା ସାହିତ୍ୟ ସଂସଦର ନାମ ଏବଂ ତଳକୁ ସମ୍ବର୍ଦ୍ଧନା ଉତ୍ସବ। ଦୁଇଚାରିଜଣ ଧଳା ଟ୍ରାଉଜର ପଞ୍ଜାବୀ ପିନ୍ଧା ଆୟୋଜକ ଟହଲ ମାରୁଥିଲେ। ସେମାନଙ୍କ କାଖ ପାଖ ଝାଳର ବୃତ୍ତଟିଏ ଆଙ୍କିଥିଲା। ସେମାନେ ଯେତେବେଳେ ପାଖ ଦେଇ ଯାଉଥିଲେ ଝାଳମିଶା ଡିଓର ଗନ୍ଧରେ ନାକ ବନ୍ଦ ହୋଇଯାଉଥିଲା।

ମୁଁ ଟିକିଏ ପଛକୁ ବସିବାକୁ ଚାହୁଁଥିଲି। ସମ୍ବର୍ଦ୍ଧିତ ପ୍ରତିଭାମାନେ ଆଗ ନହେଲେ ଦ୍ବିତୀୟ ଲାଇନ୍ ରେ ବସିବା କଥା। ବନ୍ଧୁ ମୋତେ ପ୍ରାୟ ଟାଣିଟାଣି ଦ୍ବିତୀୟ ଲାଇନକୁ ନେଇଗଲେ।

ଅଧ ଘଣ୍ଟା ଭିତରେ ଟାଉନ୍ ହଲ ଭର୍ତ୍ତି। ସାହିତ୍ୟ ସଭାରେ ଏତେ ଲୋକ ହେବା ମୋ ଦେଖିବାରେ ପ୍ରଥମ। କଣ ମୁଖ୍ୟମନ୍ତ୍ରୀ ନା ପ୍ରଧାନମନ୍ତ୍ରୀ ଚିଫ୍ ଗେଷ୍ଟ!

ବାଟରୁ ଗୋଟେ ବାଦାମ୍ ଠୁଙ୍ଗା ପକେଟରେ ପକେଇଥିଲି। ମାଗିକି ଦିଇଟା ଲୁଣ ପୁଡିଆ ବି ଆଣିଥିଲି। ଠୁଙ୍ଗା ଖୋଲି ବଂଧୁଙ୍କ ଆଗରେ ଧରିଲି। ସେ ସିରିୟସ୍ ଦିଶୁଥାନ୍ତି।

ଥାଉ। ଧନ୍ୟବାଦ। ବନ୍ଧୁ କହିଲେ।

ନଉନ ଦିଇଟା। ପାଟିରେ ପକାଅ। ମୁଁ ଗୋଟେ ବାଦାମ୍ ପାଟିରେ ପକାଉପକାଉ କହିଲି।

କି ଯେ ବୁଦ୍ଧି ମୋର! ସମ୍ବର୍ଦ୍ଧିତ ହେବାକୁ ଯାଉଥିବା ପ୍ରତିଭା ବାଦାମ୍ ଖାଇବେ! ଯିଏ ଦେଖିବ କଣ୍ ଭାବିବ! ହେଲେ, ମୋର ଏତକ ଅନୁଭବ ଆସିଲାବେଳକୁ ମୋ ଜିଭ ଜାଣିସାରିଥିଲା ଯେ ଯେଉଁ ବାଦାମକୁ ପାଟିରେ ପକେଇ ମୁଁ ଚାକୁଲଉଛି ସେଇଟା ପଚା! ଏ ହେ ଥୁଃ! ପ୍ରଥମ ବାଦାମ ପଚା! କଣ୍ କରିବି। ପାଟିଟା ଖରାପ ଲାଗୁଛି। ମୁଁ ଗୋଟାଏ ପୁଡିଆ ଖୋଲି ଅର୍ଦ୍ଧେକ ବିଟ୍ ଲୁଣ ପାଟିରେ ଢାଳିଦେଲି।

ଇଲୋ ମୋ ବୋପାଲୋ! ଦିଦିନ ହେଲା ଜିଭ ସାରା ତୁଣ୍ଡୁକା। କଳ ଘା। ଶଳା ବାଦାମ ବାଲାଟା ଲୁଣ ସାଙ୍ଗରେ ଲଙ୍କାଗୁଣ୍ଡ ମିଶେଇଥିଲା କି! ମୁଁ ସୁଉସାଆ ହେଉଥିଲି। ପାଖରେ ପାଣି ନଥିଲା। ଏ ଯନ୍ତ୍ରଣା କେବଳ ସହିବା କଥା!

ବହୁ ଶୀଘ୍ର ଗେଷ୍ଟ କିଏ ହେବ ସେ ଦ୍ବିବିଧା ବି ଦୂର ହୋଇଗଲା ଯେତେବେଳେ ଲୋକାଲ ଏମଏଲଏ ଆଉ ବ୍ଲକ୍ ଚେୟାରମ୍ୟାନ ସଭାମଣ୍ଡନ କଲେ। ଏମାନଙ୍କ ପାଇଁ ଏତେ ଲୋକ!

ସଭାକାର୍ଯ୍ୟ ଆଗେଇ ଚାଲିଥାଏ। ପ୍ରତି ସଭା ପରି କିଏ କଣ କହୁଛି କେହି ଶୁଣୁନଥାନ୍ତି। ବୋଧେ ଲମ୍ବା ବାଳବାଲା ଭିଡିଓ ବାଲା ସବୁ ଶୁଣିବାକୁ ବାଧ୍ୟ ହେଉଥାଏ। ମୁଁ ବୋର୍ ହୋଇଯିବା ଅନୁଭବ କରି ବନ୍ଧୁ କହୁଥାନ୍ତି - ଆଇ ଆମ୍ ସରି ଭାଇ। ଅଯଥାରେ ବିଳମ୍ବ ହେଉଛି। ମୁଁ ମୋ ଫେସବୁକର ପୋଷ୍ଟିଂ ଉପରେ ନଜର ପକାଉପକାଉ କହିଲି - ଠିକ୍ ଅଛି!

ଗୋଟାଏ ବାଜିବାକୁ ଆଉ ପାଞ୍ଚ ମିନିଟ୍। ସମ୍ବର୍ଦ୍ଧନା ଉତ୍ସବର ଆରମ୍ଭ। ବନ୍ଧୁ ଉତଫୁଲ୍ଲିତ ଦିଶିଲେ।

ଘୋଷକ ଘୋଷଣା କରିବା ଆରମ୍ଭ କଲେ - ଉତ୍କଳ ମହାଗୌରବ ପୁରସ୍କାର ପାଉଛନ୍ତି, କବି ରାକେଶ, ବିପ୍ଳବ, ପ୍ରଣବ, .........। ବୋଧେ ପନ୍ଦରଜଣଙ୍କ ନାମ ଡାକିଲେ ସେ। ଆମ ପାଖଆଖରେ ଦର୍ଶକ ଭାବରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକ ମଞ୍ଚ ଅଧିକାର କରିନେଲେ। ସେମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ ଭିଡିଓବାଲାକୁ ସମସ୍ତଙ୍କୁ ମିଶେଇ ଫଟୋଟିଏ ନେବାକୁ ଅସୁବିଧା ହେଉଥିଲା। ସମସ୍ତଙ୍କ ହାତରେ ଥିଲା ଖଣ୍ଡେଖଣ୍ଡେ ରଙ୍ଗୀନ କାଗଜ।

ଘୋଷକଙ୍କ ଆବାଜ୍ ପୁଣି ପ୍ରତିଧ୍ବନିତ ହୋଇଉଠିଲା - ଏଥର ମଞ୍ଚ ଉପରକୁ ମୁଁ ନିମନ୍ତ୍ରଣ କରୁଛି ....... ଏମାନେ ସମସ୍ତେ ପାଉଛନ୍ତି ଉତ୍କଳ ଅତିଗୌରବ ସମ୍ମାନ। ପୁଣି ଆମ ଆଖପାଖର ଗୁଡାଏ ସିଟ୍ ଖାଲି ହୋଇଗଲା।

ବନ୍ଧୁ ଅପମାନରେ ମୁହଁ ତଳକୁ କରିଥାନ୍ତି। ଇଏ କଣ୍ କି ହୋ? ମୁଁ ପଚାରିଲି। ବନ୍ଧୁ ନୀରବ ରହିଲେ।

ଘୋଷକ ଘୋଷଣା କଲେ - ସମ୍ମାନଜନକ ଉତ୍କଳ ଗୌରବ ପୁରସ୍କାର ପାଇବେ .....ବନ୍ଧୁଙ୍କ ନାମ ସେହି ତାଲିକାରେ ଆସିଲାବେଳେ ତାଙ୍କ ମୁହଁ ଲାଲ୍ ପଡିଯାଇଥିଲା।

ସେ ମୋତେ ଟାଣିଟାଣି ବାହାରକୁ ନେଇଆସିଲେ। ଅପମାନରେ ତାଙ୍କର ଉର୍ଦ୍ଧ୍ବଶ୍ବାସ ବହୁଥିଲା।

ପୁରସ୍କାରର ଘୋଷଣା ସମାପ୍ତ ହୋଇନଥିଲା। ସେଦିନର ପୁରସ୍କାରର ରେଟ ଥିଲା ଏହିପରି -

1. ଉତ୍କଳ ମହାଗୌରବ - ୩୦୦୦/-

2. ଉତ୍କଳ ଅତିଗୌରବ - ୨୦୦୦/-

3. ଉତ୍କଳ ଗୌରବ - ୧୦୦୦/-

4. ଉତ୍କଳ ସମ୍ମାନ - ୭୫୦/-

5. ଉତ୍କଳ ଯୁବ ସମ୍ମାନ - ୫୦୦/-

ପୁରସ୍କୃତ ପ୍ରତିଭା ଥିଲେ ସତୁରୀ ଜଣ।

ଟାଉନ୍ ହଲ୍ ବୁକିଙ୍ଗ୍ = ୧୫୦୦/-

ଏମଏଲଏ ଓ ଚେୟାରମ୍ୟାନ ନିଜ ଗାଡିରେ ଆସିଥିଲେ।

ଶହେ ଚା କପ୍ ଆଉ ଗୁଲୁଆସୀ ମାଳ, ଭିଡିଓ ଆଉ ଫ୍ଲେକ୍ସ ବାବଦ କେତେ ଖର୍ଚ୍ଚ ହୋଇଥିବ ଯେ!!

ଆମେ ବାହାରକୁ ଆସିଲୁ। ବନ୍ଧୁ ଗ୍ଳାନିର ସହିତ କହିଲେ - ତମ ସହ ବିଶ୍ବାସଘାତକତା କରିଥିବାରୁ ମୁଁ ଦୁଃଖିତ ଓ ଲଜ୍ଜିତ।

ମୁଁ ତାଙ୍କ ପିଠି ଥାପୁଡେଇଦେଲି।

ବନ୍ଧୁଙ୍କ ସ୍କୁଟର ଟାଉନହଲର ବାଉଣ୍ଡାରୀ ବୁଲିଗଲା ବେଳକୁ ନଜରରେ ପଡିଲା ଘଟଣାଟିଏ। ବାଉଣ୍ଡାରୀକୁ ଲାଗି ମିଆଁପୁଅ ଗୋଟେ ପଲିଥିନ୍ ଟାଙ୍ଗିଛି। ତଳେ ବିଛେଇଛି ଅାଉ ଗୋଟେ। ଧାଡିକିଧାଡି ଉପରୁ ତଳ ଯାଏ ପ୍ଲାଷ୍ଟିକ ରଶି ଟଣାହୋଇଛି। ସେହି ରଶି ଦେହରେ ଝୁଲୁଛି ଭଳିକି ଭଳି ଶାଢି। ସବା ଉପର ରଶିର ଶାଢି ପାଖରେ କଦର୍ଯ୍ୟ ଅକ୍ଷରରେ ଲେଖା ଅଛି ୨୫୦। ତା ତଳକୁ ୨୦୦, ତାଳକୁ ୧୫୦ ଓ ୧୦୦!

ମିଆଁପୁଅ ଖଣ୍ଡିଓଡିଆରେ ଡାକ ଛାଡୁଛି - ମାଲ୍ ଖତମ୍ ହୋଇଗଲା। ଜଲ୍ଦି ଆଓ। ପଲିଷ୍ଟର ଦେଢ ଶୋ, କଟନ୍ ଟା ଆଛେ ଦୁ ଶୋ, ଆର୍ ସିଲ୍କ ଢାଇ ଶୋ।

ଲୋକ ଗଦା ହୋଇଥାନ୍ତି। ସାହିତ୍ୟ ସଭାରେ ବସିଥିବା କିଛି ଶ୍ରୋତାଙ୍କ ସହିତ ଦେଖା ବି ହେଲା।

କିଏ ଗରୀବ। କିଏ ବାହାପର୍ବରେ ଉପହାର ଦବ। କିଏ ଚାକରାଣୀକୁ ବାଣ୍ଟିବ। ଜାଣିବ କିଏ ଯେ ଏଡେ ସୁନ୍ଦର ଶାଢିର ଦାମ୍ ପ୍ରକୃତ ଦାମ କେତେ।

ମିଆଁ ଭାଇ ଡାକ ଛାଡୁଥିଲା - ଏଇଟା ଅସଲି ମାଲ ଆଛେ। ସୁରଟ୍ ସେ ଲାୟା ହୁଁ। ନିଅ, ଜଲ୍ଦି ନିଅ।

ସେହି ରଙ୍ଗୀନ ଶାଢିଗୁଡିକ ମୋତେ ରଙ୍ଗୀନ ସାର୍ଟିଫିକେଟ୍ ମାଫିକ୍ ଲାଗୁଥିଲା ଆଉ ମିଆଁପୁଅର ସେହି ବେପାରୀ ସ୍ବର ମୋ କାନରେ ପ୍ରତିଧ୍ବନିତ ହୋଇଉଠୁଥିଲା।

ବନ୍ଧୁ ପରିବା ସମ୍ବର୍ଦ୍ଧିତ

Rate the content


Originality
Flow
Language
Cover design

Comments

Post

Some text some message..