Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନା, ମୁଁ ଈଶ୍ୱର ନୁହେଁ
ନା, ମୁଁ ଈଶ୍ୱର ନୁହେଁ
★★★★★

© ବିନୟ ଭୂଷଣ (Binaya Bhusan) ପାଣିଗ୍ରାହୀ (Panigrahi)

Inspirational Tragedy

7 Minutes   168    4


Content Ranking

ନିମ୍ନ ମଧ୍ୟବିତ୍ତ ପରିବାରର ସ୍ୱପ୍ନ ବେଳ ଅବେଳରେ କେତେବେଳେ ଯେ କଡ ଲେଉଟାଇ ଆଶଙ୍କାରେ ପରିଣତ ହେଇଯାଏ ଜଣାପଡେନାହିଁ। ସେମିତି ହେବାର ଗୋଟେ ସମ୍ଭାବ୍ୟ କାରଣ ହେଇପାରେ ଏକତରଫା ସ୍ୱପ୍ନ ଦେଖିବା ଏବଂ ସାମର୍ଥ୍ୟ କଳନା ନକରି ସେଇ ସ୍ୱପ୍ନକୁ ପୂରା କରିବାପାଇଁ ନିଜର ସବୁକିଛିକୁ ବାଜିରେ ଲଗାଇ ଦେବା। ତାହା ବୋଧହୁଏ ଅଧିକାଂଶ ନିମ୍ନ ମଧ୍ୟବିତ୍ତ ପରିବାରର ସବୁଠାରୁ ବଡ଼ କମଜୋରି। ଏମିତି ତ ଅନେକ କାରଣ ରହିଛି ତେବେ, ଅନ୍ୟ ଗୋଟିଏ ପ୍ରମୁଖ କାରଣ ହେଉଛି, ପାରିବାରିକ ଗୌରବ ଓ ଆତ୍ମସମ୍ମାନ ନ ହରାଇ ସତ ଉପାୟରେ କିଛି ହାସଲ କରି ନିଜର ପରପିଢୀକୁ ଉଚ୍ଚ ମଧ୍ୟବିତ୍ତ ବର୍ଗକୁ ଉଠେଇ ନେଵାର ଅଦମ୍ୟ ଇଛା।

ଇସ୍ପାତ ନଗରୀ ରାଉରକେଲା ସହରର ଗଳିକନ୍ଦିରେ ରାକେଶ ସାର ଏକ ଅତି ପରିଚିତ ନାଁ। ସେ ମ୍ୟୁନ୍ସିପାଲିଟି ର ଚେୟାମ୍ୟାନ ନୁହଁନ୍ତି କିମ୍ବା ଜଣେ ପ୍ରଭାବଶାଳୀ ସର୍ବଭାରତୀୟ ପ୍ରଶାସନିକ ସେବାଧିକାରୀ ମଧ୍ୟ ନୁହଁନ୍ତି। କିଛିଗୋଟେ ବଡ଼ ବ୍ୟବସାୟ ନାହିଁ ତାଙ୍କର କିମ୍ବା ସେ କୌଣସି ସମାଜ ସେବା ସଂଗଠନର ସକ୍ରିୟ ସଦସ୍ୟ ନୁହଁନ୍ତି। ତାଙ୍କର ପରିଚୟ ଖୁବ ସ୍ଵତନ୍ତ୍ର ଏବଂ ସଂକ୍ଷିପ୍ତ ,ଆଉ ସେଇ ପରିଚୟ ହେଲା ' ରାକେଶ ସାର'। ଯେତେ ଦୁର୍ବଳ ଛାତ୍ର ହେଉ ପଛେ ରାକେଶ ସାରଙ୍କ ପାଖରେ ଯଦି ବର୍ଷେ ଦି'ବର୍ଷ ବର୍ଷ ପଢ଼ିଲା ତେବେ ସେ ଆଉକିଛି ହଉ କି ନହେଉ ,ଡାକ୍ତର କି ଇଞ୍ଜିନିୟର ଟିଏ ହେବା ଥୟ।

ପାଖାପାଖି ପଞ୍ଚାବନ ବର୍ଷ ବୟସ୍କ ଏଇ ରାକେଶ ସାରଙ୍କର ସ୍କୁଲ କ୍ୟାରିଅର ଅତ୍ୟନ୍ତ ଉତ୍ତମ ଥିଲା। ପ୍ରତ୍ୟେକ ଭଲ ଛାତ୍ରଙ୍କ ପରି ତାଙ୍କର ବି ଗୋଟେ ବଡ ଇଛା ଥିଲା ଡାକ୍ତର କିମ୍ବା ଆଇ.ଆଇ.ଟିଆନ ହେଇ ବେଶ ନାଁ କମାଇବା ପାଇଁ। ମାତ୍ର, ପରିବାରର ଅତିରିକ୍ତ ଆର୍ଥିକ ଅପାରଗତା ତାଙ୍କୁ ବାଧ୍ୟ କରିଦେଇଥିଲା ଜଗତସିଂହପୁର ଜିଲ୍ଲାରେ ନିଜ ଗାଁ ସ୍କୁଲ ଏରକଣା ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପାସ କରିବା ପରେ କୌଣସି ଏକ ସହରକୁ ଯାଇ ,କିଛି ରୋଜଗାର କରି ନିଜେ ପଢିବା ସଙ୍ଗେସଙ୍ଗେ ବାପମାଆଙ୍କ ଚଳିବା ପାଇଁ କିଛି ପଇସା ପଠାଇବା ପାଇଁ। ସେଇ ଲକ୍ଷ୍ୟରେ ଘରୁ ଗୋଡ଼ କାଢ଼ିଥିଲେ ଆଉ ନିର୍ଦ୍ଧିଷ୍ଟ ନ କରି ମଧ୍ୟ କେମିତି କେଜାଣି ପହଁଚି ଯାଇଥିଲେ ଆସି ରାଉରକେଲା ର ସେକ୍ଟର-୫ ରେ। ଘରୋଇ ଟ୍ୟୁସନ କରି ସେଇ ପଇସାରେ ଗଣିତରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଗୋଟିଏ ନାମକରା ଘରୋଇ ମହାବିଦ୍ୟାଳୟ ରେ ଅଧ୍ୟାପନା କରିବା ସହିତ କିଛି ଅଧିକ ରୋଜଗାର କରିବା ଉଦ୍ଦେଶ୍ୟରେ ନିଜର ଗୋଟିଏ ଟ୍ୟୁଟୋରିଆଲ ଖୋଲିଥିଲେ ସେକ୍ଟର-୫ରେ। ତା'ପରଠାରୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ସହରର ଏକ ପ୍ରମୁଖ ସ୍ଥାନରେ ପାଖାପାଖି ଦୁଇ ହଜାର ସ୍କୋୟାର ଫୁଟ ର ପ୍ଲଟ ଖଣ୍ଡେ କିଣି ଡୁପ୍ଲେକ୍ସଟିଏ ବନେଇ ଦେଇଛନ୍ତି। ମାରୁତି ୱାଗନ-ଆର କାରଟିଏ କିଣିଦେଇଛନ୍ତି। ବିଗତ ତିନି ଦଶନ୍ଧିରୁ କିଛି ଅଧିକ ସମୟ ଭିତରେ ରମେଶ ସାର ଇସ୍ପାତ ନଗରୀରେ ଇସ୍ପାତ କାରଖାନା ଠାରୁ ମଧ୍ୟ ଅଧିକ ପରିଚିତି ଲାଭ କରିପାରିଛନ୍ତି ଜଣେ ସୁଦକ୍ଷ ଟ୍ୟୁଟର ହିସାବରେ।

ସାରଙ୍କର ବର୍ତ୍ତମାନର ପରିବାର କହିଲେ ତାଙ୍କର ଧର୍ମପତ୍ନୀ କାମିନୀ ଓ ଏକମାତ୍ର ପୁଅ ଦେବାଶିଷ। ଦେବାଶିଷ ପାଠପଢା ଦୃଷ୍ଟିରୁ ସେତେ ମେଧାବୀ ନହେଲେ ବି ଜଣେ ଉତ୍ତମ ଏବଂ ସୁଶୀଳ ଛାତ୍ର ହିସାବରେ ବେଶ ଆଦୃତ ଥିଲା। ପାଠପଢା ରେ ଧ୍ୟାନ ଦେଇପାରେନାହିଁ ସିନା କ୍ରୀଡ଼ା-କସରତ,ଅଭିନୟ, ଚିତ୍ରଙ୍କନ ଆଦିରେ ସର୍ବଦା ଅଗ୍ରଣୀ। ଭାଷା ଓ ସାହିତ୍ୟ ପ୍ରତି ତା'ମନରେ ରହିଥିଲା ଅହେତୁକ ଦୁର୍ବଳତା। ଏମିତିକି, ପ୍ରତ୍ୟେକ ପରୀକ୍ଷାରେ ଓଡ଼ିଆ, ଇଂରାଜୀ ଓ ସଂସ୍କୃତ ବିଷୟରେ ଗଣିତ ଠାରୁ ଅଧିକ ମାର୍କସ ରହୁଥିଲା ତା'ର।ସ୍ୱଭାବରେ ଶାନ୍ତ ଏବଂ ମାତ୍ରାଧିକ ପ୍ରକୃତିପ୍ରେମୀ ମଧ୍ୟ। ଗଣିତ ବିଷୟଟି ପ୍ରତି ତା ମନରେ ଥିବା ଭୟ ବହୁତ ସମୟରେ ସାରଙ୍କ ଠାରୁ ତା'ର ବ୍ୟବଧାନକୁ କୌଣସି ପ୍ରକାରେ କମିବାକୁ ଦେଉ ନଥିଲା। ସାର ତାକୁ ବାରମ୍ବାର ବୁଝାଉଥିଲେ ଯେ ଗଣିତ ଓ ବିଜ୍ଞାନ ରେ ଭଲ କରୁଥିବା ପିଲାମାନେ କଉଁଠି ବି ହାରନ୍ତି ନାହିଁ। ସେ ବୁଝୁଥିଲା, ନିଷ୍ଠାର ସହ ସେଇ ଦୁଇଟି ବିଷୟ ଉପରେ ପରିଶ୍ରମ କରୁଥିଲା ,ମାତ୍ର ସଫଳ ହେଇପାରୁ ନଥିଲା। ତେବେ ବହୁ କଷ୍ଟକରି ମ୍ୟାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସକରି ସାରଙ୍କର ଇଜ୍ଜତ ବଞ୍ଚାଇ ଦେବାପରେ କଲେଜରେ ନାମଲେଖା ପାଇଁ ଆବେଦନ କରିବା ପୂର୍ବରୁ ମାଆଙ୍କୁ ଅନୁରୋଧ କରିଥିଲା ବାପାଙ୍କୁ ବୁଝାଇ ଦେବାପାଇଁ ଯେ ସେ ଯୁକ୍ତଦୁଇ ରେ ବିଜ୍ଞାନ ନ ନେଇ କଳା ନେଇ ପଢିବାକୁ ଚାହୁଁଥିଲା ବୋଲି। ଏକଥା ବି ସ୍ପଷ୍ଟ କହିଦେଇଥିଲା ଯେ ବିଜ୍ଞାନ ନେଇ ପଢିଲେ ହୁଏତ ପାସ କରିବା ତା'ପାଇଁ କଷ୍ଟକର ହେଇଯାଇପାରେ ବୋଲି। ପୁନଶ୍ଚ, ତା'ର ଲକ୍ଷ ମଧ୍ୟ ଭିନ୍ନ ଥିଲା। ଆହୁରି ମଧ୍ୟ କହିଥିଲା ଯେ ସେ ଇଞ୍ଜିନିୟର କିମ୍ବା ଡାକ୍ତର ହେବା ପରିବର୍ତ୍ତେ ଜଣେ ଓଡ଼ିଆ ଅଧ୍ୟାପକ ହେବାକୁ ଅଧିକ ପସନ୍ଦ କରୁଥିଲା।

କାମିନୀ ଦେବୀ ସାରଙ୍କ ଭଲ ମୁଡ ଦେଖି ଯେତେବେଳେ ଏ ବିଷୟରେ ଆଲୋଚନା କରି ତାଙ୍କୁ ମନେଇବାପାଇଁ ଚେଷ୍ଟା କଲେ ସେତେବେଳେ ସାରଙ୍କ ମୁଣ୍ଡ ଗରମ ହେଇଗଲା। କ୍ରୋଧରେ ଅଗ୍ନିଶର୍ମା ହେଇ ସେ କହିଲେ,"କଣ କହିଲ, କଣ କହିଲ କାମିନୀ,ରାକେଶ ମାଷ୍ଟ୍ର ର ପୁଅ ଆର୍ଟସ ପଢିବ ! ଖାସ ତମରି ପାଇଁ ସେ ପିଲା ଆଜି ଏଇ ଅବସ୍ଥା କୁ ଆସିଛି। ଇଏ ଆଉ କିଛି ନୁହେଁ ,ତମରି ଜିନର ପ୍ରଭାବ। ତମ ଚୌଦ ପୁରୁଷରେ କାହାରି ଗଣିତ ହେଉନଥିଲା ବୋଲି ପ୍ରମାଣିତ କରିଦେଉଛି ତମ ପୁଅ,ବୁଝିଲ ?

ସେକଥା ହେଇପାରିବ ନାହିଁ। ସେ ବିଜ୍ଞାନ ନେଇ ପଢିବ ମାନେ ପଢିବ ,ଆଉ ଆଇ.ଆଇ.ଟି. ରୁ ଇଂଜିନିଅରିଂ କରିବାଟା ଥୟ। ବ୍ରହ୍ମା ,ବିଷ୍ଣୁ ,ମହେଶ୍ବର ଆସିଲେ ମଧ୍ୟ ମୋର ଏ ନିଷ୍ପତ୍ତି ବଦଳିବାର ନାହିଁ। ସେଥିପାଇଁ ଯେତେ ଅର୍ଥ ଖର୍ଚ୍ଚ ହେବ,ମୁଁ କରିବି। ତାକୁ ସଫାସଫା ଜଣାଇଦିଅ ଏକଥା।" ଚୁପ ରହିଥିଲେ କାମିନୀ। କାରଣ, ଆମ ସମାଜରେ ଗୋଟିଏ କଥା ପ୍ରାୟ ପ୍ରତି ପରିବାରରେ ଦେଖାଯାଏ। ତାହାହେଲା, ପତି ଓ ପତ୍ନୀ ଙ୍କ ଭିତରେ ଯିଏ ଟିକେ ଅଧିକ ବିଚାରବନ୍ତ ଓ ସହନଶୀଳ ତାକୁ ଅକାରଣରେ ବହୁତ କଥା ସହିଯିବାକୁ ପଡେ। ବିଶେଷ କରି ପିଲାମାନଙ୍କ ଭୁଲ ଭଟକା କିମ୍ବା କମଜୋରି ସଂକ୍ରାନ୍ତରେ। ଅନ୍ୟ କାରଣଟି ହେଲା, ପାରିବାରିକ କଳହ ପ୍ରତି ଭୟ। କଲେଜ ଓ ଟ୍ୟୁଟରିଆଲ କ୍ଳାସ ରେ ସକାଳ ପାହିଲାଠୁଁ ବିଛଣାକୁ ଯିବାଯାକେ ଗଜର ଗଜର ହେବା କାରଣରୁ ସାର ବେଳେବେଳେ କିଛି କାରଣ ନଥାଇ ମଧ୍ୟ ଚିଡିଚିଡା ହୁଅନ୍ତି। ତେଣୁ, କାମିନୀ ଦେବୀ ତାଙ୍କ କଥାକୁ ଦେହକୁ ନିଅନ୍ତି ନାହିଁ।

ପ୍ରଥମ ବର୍ଷଟା କୌଣସି ପ୍ରକାରେ ପାରି ହେଇଗଲା ସିନା ଦ୍ୱିତୀୟ ବର୍ଷ ଫାଇନାଲ ପରୀକ୍ଷା ଯେତେ ଯେତେ ପାଖେଇ ଆସୁଥିଲା ଦେବାଶିଷର ନିଜର ପାରିବାପଣ ଉପରୁ ଆସ୍ଥା ସେତେସେତେ କମି କମି ଯାଉଥିଲା। ଏକ ନିଶ୍ଚିନ୍ତ ଅସଫଳତାଳୁ ଆଖି ସାମ୍ନାରେ ରଖି ଆଗକୁ ପାଦ ବଢାଇବା ବୋକାମୀ ବ୍ୟତୀତ ଅନ୍ୟକିଛି ନୁହେଁ ବୋଲି ଜାଣି ପାରିବା ପରେ ତା'ର ଛୋଟ ମସ୍ତିଷ୍କ ଭିତରେ ଏକ ଅପରିପ୍ରକାଶ୍ୟ ଭୟାନକ ପରିବେଶ ସୃଷ୍ଟି ହେଇ ତାକୁ ପ୍ରତି ମୁହୂର୍ତ୍ତରେ ଡରେଇବାକୁ ଲାଗିଲା।ତାକୁ ଲାଗିଲା ଯେମିତି ସେ ଧୀରେଧୀରେ ମାନସିକ ଭାରସାମ୍ୟ ହରାଇ ବସୁଛି।

ଆଉମାତ୍ର ପାଞ୍ଚଦିନ ପରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବ। ତାଙ୍କର ମଧ୍ୟ ଅନ୍ୟ କଲେଜ ରେ ଇନଭିଜିଲେଟର ଡ୍ୟୁଟି ଅଛି। ପରୀକ୍ଷା ମଝିରେ ଛୁଟି ନେବା ସମ୍ଭବ ନୁହେଁ। ତେଣୁ, ସାର ମନେମନେ ସ୍ଥିର କରିଥିଲେ ପରୀକ୍ଷା ଆଗରୁ ଥରେ କାମିନିଙ୍କୁ ସାଥିରେ ନେଇ ଦେବୁ ପାଖକୁ ଯାଇ ତା ସହ ଦି'ପଦ କଥାହେଇ ତା ମନରେ ଟିକେ ସାହସ ଦେଇ ଆସିବେ। ତେଣୁ, ସେଦିନର ଶେଷ କ୍ଲାସ ସରିବା ପରେ ସାର ଟିଚରସ ଉଏଟିଙ୍ଗ ରୁମରେ ପହଞ୍ଚି ଗୋଟେଦିନ ପାଇଁ ଛୁଟି ଦରଖାସ୍ତ ଖଣ୍ଡେ ଲେଖି ପ୍ରିନ୍ସିପାଳଙ୍କୁ ଦେଇ ଛୁଟି ମଞ୍ଜୁରୀ ନେଇ ଘରକୁ ଫେରିବା ବାଟରେ ଦେବୁ ପାଇଁ ଭଲ ପ୍ୟାଣ୍ଟସାର୍ଟ ହଳେ କିଣିନେଇ ଘରେ ପହଞ୍ଚି ସାର୍ଟ ବୋତାମ ଖୋଲୁ ଖୋଲୁ ଗଳା ଝାଡ଼ି ମିଛିମିଛିକା ଗାମ୍ଭିର୍ଯ୍ୟପୂର୍ଣ୍ଣ ସ୍ୱରରେ କହିଲେ," ହେଇଟି ଶୁଣୁଛ ନା ନାହିଁ? ଦେଖ ତ ଏ ଡ୍ରେସଟା ତମ ରାଜକୁମାରଙ୍କୁ ମାନିବ କି ନାହିଁ।"

କାମିନୀ ଦେବୀ ପାଣିଗ୍ଲାସ ଟା ଆଣି ସାରଙ୍କ ହାତକୁ ବଢ଼େଇ ଦେଇ ଡ୍ରେସ କୁ ଚାହିଁଦେଇ କହିଲେ ," ତମ ପୁଅ ପାଇଁ ତମେ ଡ୍ରେସ ଆଣିଛ ଯେତେବେଳେ ଭଲ ତ ହେଇଥିବ ନିଶ୍ଚୟ। ହେଲେ, ସିଏ ତ ପରୀକ୍ଷା ସରିବା ଆଗରୁ ଘରକୁ ଆସିବାର ନାହିଁ, ସେ ଆସିବା ପର୍ଯ୍ୟନ୍ତ ତମେ ପିନ୍ଧିବ ନା କଣ?"

ଅଳ୍ପଅଳ୍ପ ହସି ସାର କହିଲେ," ହଉ, ଆଉ ରଙ୍ଗବାଜି କରନା, କାଲି ସକାଳେ ଭୁବନେଶ୍ୱର ଯିବାପାଇଁ ପ୍ରସ୍ତୁତ ହେଇଯାଅ। ପରୀକ୍ଷା ଆଗରୁ ତମକୁ ଟିକେ ନ ଦେଖିଲେ ତା ମନୋବଳ ଦୁର୍ବଳ ହେଇଯିବ। ବହୁତ ଦିନ ହେଲା ଘରକୁ ଆସିନାହିଁ । ପ୍ଳସ ଟୁ ସାଇନ୍ସ ର ଫାଇନାଲ ପରୀକ୍ଷା ପିଲାଙ୍କ କ୍ୟାରିୟରର ଗୋଟେ ବହୁତ ବଡ଼ ତ ଟରନିଙ୍ଗ ପଏଣ୍ଟ। ଭେରୀ ହେଭି କୋର୍ସ। ବହୁତ ପରିଶ୍ରମ କରିବାକୁ ପଡୁଥିବ ପିଲାଟାକୁ। ଟିକେ ଦେଖାକରି ,ବୁଝେଇ ସୁଝେଇ ସାହସ ନ ଦେଲେ ସବୁ ଓଲଟ ପାଲଟ ହେଇଯିବ।"

ଭୁବନେଶ୍ୱର ଇଣ୍ଟରସିଟି ସକାଳ ଛଅଟା ରେ ରାଉରକେଲା ଛାଡି ଦିନ ବାରଟା ବେଳକୁ ଭୁବନେଶ୍ୱର ରେ ପହଞ୍ଚେ। ପ୍ରାୟ ତିନିଚତୁର୍ଥାଂଶ ରାସ୍ତା ସିଙ୍ଗଲ ଲାଇନ ହେଇଥିବାରୁ ଦ୍ରୁତଗାମୀ ଟ୍ରେନ ମାନଙ୍କୁ ପାସ ଦେବାପାଇଁ ବହୁତ ସମୟ ପକାଇ ରଖୁଥିବା କାରଣରୁ ଭୁବନେଶ୍ୱର ରେ ପହଂଚିବା ବେଳକୁ ଦିନ ଗୋଟାଏ ତିରିଶି। ଷ୍ଟେସନ ଠାରୁ ଦେବୁର କଲେଜ କୋଡିଏ କିଲୋମିଟର ରୁ ଅଧିକ ହେବ । ଟ୍ରାଫିକ ଅବସ୍ଥା ଯାହା, ଅତି କମରେ ପଇଁଚାଳିସି ମିନିଟ ଲାଗିଯିବ ତା ହଷ୍ଟେଲରେ ପହଂଚିବା ପାଈଁ। ତରବରରେ ଷ୍ଟେସନ ବାହାରକୁ ଆସି ଅଟୋଟିଏ ରିଜର୍ଭ କରି ବସି ପଡିଲେ ସ୍ୱାମୀ-ସ୍ତ୍ରୀ ଦୁହେଁ।

ପୁଅକୁ ଦେଖିବା ପାଇଁ କାମିନୀ ଦେବୀଙ୍କର ମନ ଏତେ ବ୍ୟାକୁଳ ହେଇ ଉଠୁଥିଲା ଯେ ହଷ୍ଟେଲ ସାମ୍ନାରେ ପହଞ୍ଚି ସାର ଅଟୋ ଭଡା ଦେଉଦେଉ ସେ ଆଉ ଅପେକ୍ଷା ନକରି ହଷ୍ଟେଲ ଗେଟ ଆଡକୁ ଏକପ୍ରକାର ରେ ଦୌଡ଼ି ଯାଉଯାଉ କାହିଁକି କେଜାଣି ଠପ କରି ଛିଡା ହେଇଗଲେ। ଗେଟ ସାମ୍ନାରେ ପ୍ରବଳ ଭୀଡ ସାଙ୍ଗକୁ ପୁଲିସବାଲାଙ୍କୁ ଦେଖିଦେଲା ମାତ୍ରେ ହଠାତ କାହିଁକି ତାଙ୍କୁ ଭଲ ଲାଗିଲା ନାହିଁ, ମନକୁ କେମିତି କେମିତି ପାପ ଛୁଇଁଲା ଖାଲି। ସାର ପାଖରେ ପହଞ୍ଚି କହିଲେ," ଆରେ,ଏଠି ଠିଆହେଲ ପୁଣି କାହିଁକି! ଚାଲ।" କାମିନୀ ଦେବୀଙ୍କ ଦେହହାତ ରୁ ସବୁବଳ ନିଃଶେଷ ହେଇ ଯାଇଥିଲା ଯେମିତି। ଛୋଟ ପିଲାଙ୍କ ପରି ସାରଙ୍କ ବାଁ'ହାତ ର ମଝି ଆଙ୍ଗୁଠି କୁ ମୁଠେଇ ଧରି ପାଦ ଉଠେଇଲେ ସେ।

ହଷ୍ଟେଲ ଗେଟ ଡେଇଁ ଭିତରକୁ ପଶିଲା ବେଳକୁ ଜଣେ ପୁଲିସ ଅଫିସର ତାଙ୍କୁ ଭିତରକୁ ପଶିବା ପାଇଁ ବାରଣ କରି କହିଲେ,"ଇଂଭେସ୍ଟିଗେସନ ନ ସରିବା ଯାକେ ହଷ୍ଟେଲ ଭିତରକୁ କେହି ପଶି ପାରିବେ ନାହିଁ କିମ୍ବା ହଷ୍ଟେଲ ଭିତରୁ ବାହାରକୁ କେହି ବାହାରି ପାରିବେ ନାହିଁ। ଆପଣ ମାନେ ବାହାରେ ଅପେକ୍ଷା କରନ୍ତୁ ଏବଂ ଆମକୁ ଆମ କାମ କରିବାକୁ ଦିଅନ୍ତୁ ।"

ସାର ସାହସ ସଞ୍ଚୟ କରି ପଚାରିଲେ "କଣ ହେଇଛି ଆଜ୍ଞା ? "

-" ସୁଇସାଇଡ଼ କେସ। ବାସ,ଆଉକିଛି ପଚାରନ୍ତୁ ନାହିଁ ପ୍ଲିଜ।"

- " ସାର, ଆମ ପୁଅ ଏଇ ହଷ୍ଟେଲରେ ରହୁଛି। ତାକୁ ଦେଖାକରିବା ପାଇଁ ଆମେ ରାଉରକେଲା ରୁ ଆସିଛୁ । ରିଟର୍ଣ୍ଣ ଟ୍ରେନ ସନ୍ଧ୍ୟା ଛଅଟା ରେ। ଅପେକ୍ଷା କରିବା ପାଇଁ ଆମ ହାତରେ ଟାଇମ ନାହିଁ । କିଛି ନହେଲେ ତାକୁ ଟିକେ ଡାକିଦେଲେ ଆମେ ଏଇଠି ତା'ର ଭଲମନ୍ଦ ଟିକେ ବୁଝିଦେଇ ଚାଲିଯିବୁ ଆଜ୍ଞା।"-ବଡ଼ କାକୁସ୍ଥ ହେଇ କହିଲେ ରାକେଶ ସାର।

ପୁଲିସ ଅଫିସରଙ୍କର ଦୟା ହେଲା କି କଣ କହିଲେ," ଆଛା ଠିକ ଅଛି, ଆପଣଙ୍କ ପୁଅ ର ନାଁ ଓ ରୁମ ନମ୍ବର ଗୋଟେ କାଗଜରେ ଲେଖିକରି ଦିଅନ୍ତୁ ଆଉ ସେଇ ଗଛତଳ ବେଞ୍ଚରେ ଯାଇ ବସନ୍ତୁ।"

କାଗଜରେ ନାଁ ଓ ରୁମ ନମ୍ବର ଲେଖି ଅଫିସରଙ୍କ ହାତକୁ ବଢ଼େଇ ଦେଇ କାମିନୀ ଦେବୀଙ୍କ ହାତ ଧରି ଗଛତଳେ ଥିବା ସିମେଣ୍ଟ ବେଞ୍ଚ ଆଡକୁ ଯିବାପାଇଁ ପାଦ ବଢାଇଲା ବେଳକୁ ଅଫିସର ଜଣକ ତାଙ୍କ କାନ୍ଧ ଉପରେ ହାତ ରଖି ଅଟକାଇ ଦେଇ ଅତି ଶାନ୍ତ ଓ ସଞ୍ଜତ ସ୍ୱରରେ କହିଲେ,"ନାଇଁ ଆଜ୍ଞା,ଅପେକ୍ଷା କରି କିଛି ଲାଭ ନାହିଁ, ଆପଣ ମାନେ ଭିତରକୁ ଯାଆନ୍ତୁ ।"

ରାକେଶ ସାର ଓ କାମିନୀ ଦେବୀ ପରସ୍ପରର ଆଖିକୁ ଶୁଷ୍କ ଦୃଷ୍ଟିରେ ଚାହିଁ ଧୀରେଧୀରେ ଭାରୀ ହେଇଯାଉଥିବା ପାଦକୁ ବହୁ କଷ୍ଟରେ ଉଠେଇ ଆଗକୁ ବଢିବାକୁ ଚେଷ୍ଟା କଲେ। ଆଉ ଆଠଦଶ ପାଦ ଗଲେ ରୁମ ନମ୍ବର ବାଇଶି ;ଦେବୁର ରୁମ। ସାଇଡ ହେବାପାଇଁ ନିର୍ଦ୍ଦେଶ ଦେଲେ ଜଣେ ପୁଲିସ କର୍ମଚାରୀ। କାନ୍ଥ ପାଖକୁ ଜାକିହେଇଗଲେ ସ୍ୱାମୀ-ସ୍ତ୍ରୀ ଦୁହେଁ। ଚାରିହାତ ଦୁରତାରେ ଦୁଇଜଣ କନଷ୍ଟେବଲ ଷ୍ଟ୍ରେଚରେ ଶୁଆଇ ଲାସଟିକୁ ବାହାରକୁ ନେଇଗଲା ବେଳେ କାମିନୀଙ୍କୁ ଲାଗିଲା ସତେ ଯେପରି ଦେବୁ କହୁଥିଲା ," ମାଆ, ମୁଁ ବାପାଙ୍କ ଇଛା ପୂରଣ କରି ପାରିଲି ନାହିଁ। "

ହଠାତ ପାଗଳୀଙ୍କ ପରି ଧାଇଁଯାଇ ଷ୍ଟ୍ରେଚର ଉପରେ ଶୋଇଥିବା ପିଲାର ମୁହଁ ଉପରୁ ଚାଦର ଟାଣିଦେଲା ମାତ୍ରେ ତାଙ୍କ କଲିଜା ଫଟେଇ ଚଉଳେ ରକ୍ତ ସହ ଶବ୍ଦଟିଏ ବାହାରିବାର ଉପକ୍ରମ କରି ଅଧାରେ ଅଟକି ଗଲା ," ଦେ..ଉଃ..." । ନା, ସେ ଡାକ ଶେଷ କରିବାର ପୂର୍ବ ମୁହୂର୍ତ୍ତରୁ କାହାରି ଡାକ ଶୁଣିବା ବନ୍ଦ କରିଦେଇଥିଲେ ସବୁଦିନ ପାଇଁ। କାନ୍ଥକୁ ଆଉଜି ଛିଡା ହେଇଥିବା ରାକେଶ ସାର ଦୁଇହାତକୁ ବାଁପାଖ ଛାତି ଉପରେ ଚାପିଧରି ଜୀବନର ଅନ୍ତିମ ନିଶ୍ୱାସଟିକୁ ଛାଡିବା ପୂର୍ବରୁ ବହୁକଷ୍ଟରେ କେବଳ ଏତିକି କହିପାରିଲେ ," ନା, ମୁଁ ଈଶ୍ୱର ନୁହେଁ।" ଠିକ ତା'ର ପରମୁହୂର୍ତ୍ତରେ ପୁରାପୁରି ଚୁପ ହେଇଗଲା ରାକେଶ ସାରଙ୍କର ମଧ୍ୟବିତ୍ତ ପରିବାରର ସବୁଯାକ ସ୍ୱପ୍ନ ଏକସଙ୍ଗେ ।

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର

ପରିବାର ଈଶ୍ୱର ସ୍ୱପ୍ନ

Rate the content


Originality
Flow
Language
Cover design

Comments

Post

Some text some message..