Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

3  

Lopamudra Mishra

Others

ପୂଣ୍ୟ ସଂକ୍ରାନ୍ତି

ପୂଣ୍ୟ ସଂକ୍ରାନ୍ତି

3 mins
406


ପୂଣ୍ୟ ସଂକ୍ରାନ୍ତି

ବୁଢୀର ଧୁଡୁ ଧୁଡୁ ଲୋଳିତ ଚମଡା ଦେହର ମାଂସ ରୁ ଅଲଗା ହେଇ ତଳକୁ ଓହଳି ପଡିଛି l ଦେହରେ ବଳ ନାହିଁ କିନ୍ତୁ ମୁଣ୍ଡରେ ଝୁଡି ଟି ଧରି ଗୋଟି ଗୋଟି ପାଦ ପକେଇ କେନାଲ ବନ୍ଧ ଡେଇଁ ସେ ଆଗକୁ ଚାଲିଛି l ବନ୍ଧ କଡ଼ରେ ନିର୍ଦ୍ଧିଷ୍ଟ ଜାଗାଟିଏ ବାଛି ବୁଢ଼ୀ ଝୁଡ଼ି ରୁ ନାନା ରକମ ର ଶୁଖୁଆ କୁ କାଢ଼ି ସଜେଇ ଦେଲା l

ଆଜି ଧନୁମୁଆଁ ସଂକ୍ରାନ୍ତି l ପାଖ ଫଳ ଠେଲା ରୁ ଫଳ କିଣୁଥିବା କିଛି ପୂଣ୍ୟବାନ ଲୋକ ଶୁଖୁଆ ପରି ଶୁଖି କଣ୍ଟା ଦିଶୁଥିବା ବୁଢ଼ୀ କୁ ଆଉ ତା ଶୁଖୁଆ ଝୁଡ଼ିକୁ ଘୃଣା ଦୃଷ୍ଟି ରେ ଦେଖୁଥାନ୍ତି l କେହି କେହି ତ ବୁଢ଼ୀକୁ ତାତ୍ସଲ୍ୟ କରି ପଦେ ଦୁଇପଦ କହି ଚାଲି ଯାଉଥାନ୍ତି l

"ମାଉସୀ ସଂକ୍ରାନ୍ତି ଟାରେ କିଏ କିଣିବ ଶୁଖୁଆ ? କାହିଁକି ଏଠି ବସି ସକାଳୁ ଟାରୁ ଲୋକଙ୍କୁ ଶୁଖୁଆ ଗନ୍ଧ ଶୁଙ୍ଘାଉଛୁ ? "

ବୁଢୀର ଛୋଟ ନାତି ଆସି ଜଗିଛି l ଜେଜେମାଆ ର କିଛି ବିକ୍ରି ହେଲେ ଘରକୁ ଆଳୁ, ସାରୁ ଦଶ କୋଡିଏ ଟଙ୍କାରେ କିଣି ନେଇକି ଯିବ l

ନାସ୍ତିକ ଟେ ଠିଆ ହେଇ ପୋଡ଼ା ମକ୍କା ଖାଉଥିଲା l ବୁଢ଼ୀ ପାଖକୁ ଆସିଲା l ଲୋକେ ତା ଆଡ଼କୁ ସନ୍ଦେହ ଦୃଷ୍ଟି ରେ ଦେଖିଲେ l ଲୋକଟା ବୋଧେ ଅଣଓଡ଼ିଆ l ନାଁ ତ ଓଡ଼ିଆ କହୁଛି l ଦୁଇଜଣ ଲୋକ ବୁଢୀ କୁ କହିଲେ, "ମାଉସୀ ସଂକ୍ରାନ୍ତି ରେ ଵି ତ ତୋର ଭଲ ବେପାର ହେଉଛି? "

ନାସ୍ତିକ ବୁଝିଗଲା ଲୋକ ଦୁଇଜଣ ତାକୁ ସୂଚେଇ ଦେଉଥିଲେ ବା ମନେ ପକେଇ ଦେଉଥିଲେ ସଂକ୍ରାନ୍ତି ରେ ଆମିଷ ଖାଆନ୍ତିନି, ସେ ପୁଣି ଶୁଖୁଆ ପରି ତୁଚ୍ଛା ନଗଣ୍ୟ ଆଇଁସ ଟେ ଖାଇବା ବା କିଣିବା ଆଦୌ ସମୀଚିନ ନୁହେଁ l ନାସ୍ତିକ ହସିଲା l ବୁଢ଼ୀ ହାତକୁ ପଚାଶ ଟଙ୍କା ର ନୋଟ୍ ଟିଏ ବଢ଼େଇ ଦେଇ ଶୁଖୁଆ ପୁଟୁଳି ଟି ଧରି ଦୌଡି ଦୌଡି ଘର ମୁହାଁ ହେଲା l ଆପାର୍ଟମେଣ୍ଟ ପାଖ ମନ୍ଦିର ପାଖରୁ ମିସେସ ମହାପାତ୍ର ପୂଜା ସାରି ନନା ଙ୍କୁ ୨00 ଟଙ୍କା ଦକ୍ଷିଣା ଦେଇ ଅଜସ୍ର ପୁଣ୍ୟ କମେଇ, ପରିବାର ପାଇଁ କୋଟି ଆଶୀର୍ବାଦ ଲଭି ପ୍ରଫୁଲ୍ଲ ଚିତ୍ତ ରେ ଆପାର୍ଟମେଣ୍ଟ ଗେଟ୍ ପାର କରି ଭିତରକୁ ଆସିଲେ l ୱାଚମ୍ୟାନ୍ ନାସ୍ତିକ ବାବୁଙ୍କ ହାତରେ ଶୁଖୁଆ ପୁଟୁଳି ଓ ମିସେସ ମହାପାତ୍ର ଙ୍କ ହାତରେ ପୂଜା ଝୁଡ଼ି ଦେଖି ଦ୍ୱନ୍ଦ୍ୱ ରେ ପଡିଗଲା l "ଏଠି ସବୁ ଅଜବ ଲୋକ ରହୁଛନ୍ତି l ରାସ୍ତାରେ ଶୁଖୁଆ ବଜାର ଦେଇ ୟାଙ୍କ ଗାଡ଼ି ଗଲେ ଘୃଣା ରେ ନାକ ବନ୍ଦ କରିଦେଉଥିବା ବାବୁମାନେ ଏସବୁ କଣ ସତରେ ଖାଆନ୍ତି ?? କେଜାଣି? "

ନାସ୍ତିକ ବାବୁଙ୍କ ନାଁ କେହି ଜାଣନ୍ତିନି l ସେ ନୂଆ ଆସିଛନ୍ତି l ମିସେସ ମହାପାତ୍ର ଲିଫ୍ଟ ରେ ପଶିଲେ l ନାସ୍ତିକ ବାବୁ ମଧ୍ୟ l ମିସେସ ମହାପାତ୍ର କ୍ରୋଧିତ ଦୃଷ୍ଟି ରେ ନାସ୍ତିକ ଜଣଙ୍କୁ ଦେଖିଲେ l କିଛି କହିପାରିଲିଲେ ନାହିଁ l

ଲିଫ୍ଟ ର ବଟନ୍ ଦବେଇବା ଆଗରୁ ମିସେସ ମହାପାତ୍ର ମୁହଁ ରେ ରୁମାଲ ଭର୍ତ୍ତି କରି ଏକପ୍ରକାର ଡେଇଁ ପଡ଼ିଲେ ଲିଫ୍ଟ ବାହାରକୁ l ସିଡ଼ି ରେ ଚଢିବା ଆରମ୍ଭ କଲେ l ଲିଫ୍ଟଟା ସଂକ୍ରାନ୍ତି ରେ ମାରା ହେଇଗଲା l

ନାସ୍ତିକ ବାବୁ ଡୋର୍ ବେଲ୍ ଦେଲେ l ମହିଳା ଜଣେ କବାଟ ଖୋଲିଲେ l

"ବାବୁ ! ସେଇଟା କଣ ? " ସ୍ତ୍ରୀଲୋକ ଜଣଙ୍କ (ସମ୍ଭବତଃ ଘରୋଇ ସହାୟିକା ) ଆଶ୍ଚର୍ଯ୍ୟ ହେଇ ପଚାରିଲା l

--ଶୁଖୁଆ l

--ଆପଣ ତ ନିରାମିଷାଶୀ l ୟାକୁ କାହିଁକି ଆଣିଲେ ?

--ତୁ ନେଇଯିବୁ ଘରକୁ l ତୋ ପାଇଁ ଆଣିଲି l

--ବାବୁ ଆଜି ପା ସଂକ୍ରାନ୍ତି !

--ହଁ ଟିକେ ସଂକ୍ରାନ୍ତି ରେ ପୂଣ୍ୟ କରିବାକୁ ଇଚ୍ଛା ହେଲା ତ କିଣି ନେଇଆସିଲି l ତୁ ଆଜି ଛାଡ଼ି କାଲି ନେଇଯିବୁ l ଠିକ ଅଛି l ମୋ ପାଇଁ ଚା' ଆଣେ l

ପୁନେଇଁ ସଂକ୍ରାନ୍ତି କାହା ପାଇଁ କେମିତି ! ପୁଣ୍ୟ ର ଦିନଟି ବିତିଗଲେ ସବୁ ଅଖାଦ୍ୟ ଖାଦ୍ୟ ହେଇଯାଏ l ମୁହଁରୁ ରୁମାଲ ହଟି ଯାଏ l

ନାସ୍ତିକ ବାବୁ ଆର ଦିନ ସକାଳୁ ୱାକ୍ ରୁ ଫେରିଲା ବେଳକୁ ଦେଖିଲେ ମଟନ୍ ଦୋକାନୀ କୁ ଫୁରସତ ନାହିଁ l ମାଛ ଦୋକାନ ଆଗରେ ଭିଡ଼ l ମିସେସ ମହାପାତ୍ରଙ୍କ ଘର ଆଗରେ ଡେଲିଭେରୀ ବୟ ଚିକେନ୍ ଲଲିପପ୍ ର ପାର୍ସଲ୍ ଧରି ଠିଆ ହେଇଛି l

ଚିକେନ୍ ର ସେହି ଲେଗ୍ ପିସ୍ ଟାକୁ ପାଟିରେ ପୁରେଇ ଦାନ୍ତରେ ଝିଙ୍କି ନେଇ ମିସେସ୍ ମହାପାତ୍ର କହୁଥିଲେ, "ଛିଃ.. କି ନ୍ୟlଷ୍ଟି ଲୋକଟା ମ ! କାଲି ସଂକ୍ରାନ୍ତିଟାରେ ଶୁଖୁଆ ଧରି ଆସୁଥିଲା l ଭାଗ୍ୟ ଭଲ ମୋ ନଜର ରେ ପଡିଗଲା l ନହେଲେ ମୋର ସବୁ ପୂଜା ବ୍ୟର୍ଥ ଯାଇଥାନ୍ତା ତା ସହ ଲିଫ୍ଟ ରେ ଆସିଥିଲେ l ସେ ଏଠିକି ରହିବାକୁ ଆସିଲା ଦିନରୁ ମୁଁ କହୁଛି ନାଁ ଲୋକଟା ନିହାତି ଗୋଟେ ମ୍ଲେଛ କିମ୍ବା ବିଧର୍ମୀ ହେଇଥିବ !! ଶୁଣ ତା ସହ ବେଶି ମିଳାମିଶା କରିବନି l ତା ହାବ ଭାବ ମତେ ଠିକ ଲାଗୁନି l ଆରେ ଖାଉନ କଣ ଯେ ? ଖାଅ l କାଲି ପୁଣି ସୋମବାର ନନଭେଜ୍ ଖିଆ ହେବନି l"

ଲୋପାମୁଦ୍ରା ମିଶ୍ର


Rate this content
Log in