ପ୍ରେମହୀନ ଦାମ୍ପତ୍ୟ ଜୀବନ
ପ୍ରେମହୀନ ଦାମ୍ପତ୍ୟ ଜୀବନ
ଅଳ୍ପ ଦିନ ତଳର ଘଟଣା । ମୋଟର ସାଇକେଲରେ ତେଲ ପକାଇବା ପାଇଁ ଲମ୍ବା ଧାଡିରେ ଛିଡା ହୋଇଥାଏ । ହଠାତ ପଛକୁ ଚାହିଁ ଦେଖିଲି ମୋ ପଛରେ ଜଣେ ସୁନ୍ଦରୀ କର୍ମଜୀବି ମହିଳା ତାଙ୍କର ସ୍କୁଟିରେ ତେଲ ପକାଇବା ପାଇଁ ଧାଡିରେ ଅପେକ୍ଷା କରି ରହିଛନ୍ତି । ଭାରି ବ୍ୟସ୍ତ ଜଣା ପଡୁଥାନ୍ତି । ବୟସ ବୋଧ ହୁଏ ତିରିଶିରୁ ଅଧିକ ହେବନାହିଁ । ବେଶ ପରିପାଟୀ ଖୁବ ଆଧୁନିକା । ଦାମୀ ଜିନ୍ସ ପାଣ୍ଟ ଶାର୍ଟ ପରିହିତା ଭଦ୍ର ମହିଳାଙ୍କର କଳା ଚଷମା ଥାଏ ତାଙ୍କ ମୁଣ୍ଡ ଉପରେ । ହଠାତ ତାଙ୍କର ମୋବାଇଲି ଫୋନ ବାଜି ଉଠିଲା । ଫୋନ କଲ ରିସିଭ କଲେ । ସେ ଫୋନ କଲଟି ଥିଲା ବୋଧେ ତାଙ୍କ ପତିଦେବଙ୍କର । ଆଜ୍ଞା ମୋର ବୋଧେ କହିବାରେ ଭୁଲ ହୋଇଗଲା । କାରଣ ନିକଟରେ ମାନ୍ୟବର ଶୀର୍ଷ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ସ୍ୱାମୀ ଆଉ ସ୍ତ୍ରୀର ମାଲିକ ନୁହଁନ୍ତି । ତେଣୁ ସ୍ୱାମୀଙ୍କୁ ପତି ଦେବ ବୋଲି ସମ୍ବୋଧନ କରିବା କେମିତି ।
ସେ ଯାହା ହେଉ, ପତିଦେବ ଖୁବ ନରମ ଗଳାରେ କହୁଥିଲେ, -ମୋର ଭୀଷଣ ଜ୍ଵର ଆରମ୍ଭ ହେଇ ଗଲାଣି, ଦେହ ମୁଣ୍ଡ ବିନ୍ଧିଲାଣି, କଣ ଖାଇବି? କିଛି ଘରେ ନାହିଁ । ଶୀଘ୍ର ଆସ, ମୋତେ ଜମା ଭଲ ଲାଗୁନାହିଁ ।
ସ୍ୱାମୀଙ୍କ ଠାରୁ ଏ କଥା ଶୁଣି ଭଦ୍ର ମହିଳା ଜଣକ ନାଗ ସାପ ପରି ଫଁ ଫଁ ହୋଇ ରୁକ୍ଷ ଗଳାରେ କହିଲେ, "ମୁଁ କଣ କରିବି? ତୁମଙ୍କୁ କଣ ଯାଇ ଫୁଲ ଚନ୍ଦନ ଦେଇ ପୂଜା କରିବି? । ମୋ ପାଖରେ ସମୟ ନାହିଁ । ମୋର ଅନ୍ୟ ଫୋନ କଲ ଆସିଲାଣି । ଏତିକି କହି ଫୋନ କାଟିଦେଲେ "। କିନ୍ତୁ ମୁଁ ଦେଖିଲି ତାଙ୍କର କୌଣସି ଫୋନ କଲ ଆସି ନଥିଲା ଏବଂ ସେ ଫୋନରେ ମଧ୍ୟ କାହା ସହିତ କଥା ହେଲେନାହିଁ । ଗାଡ଼ିରେ ତେଲ ପକାଇ ଚାଲିଗଲେ ।
କିନ୍ତୁ ସ୍ଵ ଚକ୍ଷୁରେ ଦେଖିଥିବା ଏହି ଘଟଣାଟି ମୋ ସ୍ମୃତି ପଟରୁ ଗଲାନାହିଁ । ଏ ଘଟଣାଟି ମୋତେ ବହୁତ ଆଘାତ ଦେଲା ଏବଂ ମୋ ମନକୁ ଆନ୍ଦୋଳିତ କଲା । ମୁଁ ନିରୁପାୟ ହୋଇ ଭାବିଲି, ହାୟରେ ବିଧାତା ! ଏ କଣ ଦାମ୍ପତ୍ୟ ଜୀବନ? ଯେଉଁଠି ସ୍ନେହ ନାହିଁ, ପ୍ରେମ ନାହିଁ, ଆଉ ଦୁଃଖ ସୁଖରେ ଭାଗିଦାରୀ ନାହିଁ, ସେ କଣ ଦାମ୍ପତ୍ୟ ଜୀବନ?
ସମୟର ପ୍ରବାହମାନ ଧାରାରେ ଏବେ ସେ ନିବିଡ଼ତା ଛଳନାର ଆବରଣ ଭିତରେ ହଜି ଯାଇଛି । ସବୁ ଛଳନା ପ୍ରତାରଣା ଭିତରେ ମନୁଷ୍ୟ ନିରୀହ ଶିଶୁ ପରି ନିଜକୁ ଅସହାୟ ମନେ କରୁଛି ।
ମନେ ମନେ ଭାବିଲି ବୋଧେ ଏହା ପ୍ରେମ ବିବାହ ହୋଇଥିବ । ପ୍ରେମରେ ବୋଧେ ଯବନିକା ପଡି ଯାଇଛି । ଅଫିସ କାମର ଚାପରେ, ପଦ ପଦପି ମୋହରେ ଏବଂ ସ୍ୱ ଉପାର୍ଜନର ସାମର୍ଥ୍ୟ ହେତୁ ବୋଧହୁଏ ଏ ଭଳି କ୍ରୁରତା ଏବଂ ଭଲ ପାଇବାର ଛଳନା ସବାର ହୋଇ ଯାଇଛି ।
ବିବାହିତା ସ୍ତ୍ରୀ ଯଦି ନିଜର ସ୍ୱାମୀଙ୍କୁ ଏଭଳି ଆଚରଣ କରୁଥାନ୍ତି, ତେବେ ଶାଶୁ ଶଶୁରଙ୍କ ଅବସ୍ଥା ଏବଂ ତାଙ୍କ ସେବା ଶୁଶ୍ରୁଷା କେଉଁ ମାର୍ଗରେ ଥିବ? ଭାବିଲି ବୋଧ ହୁଏ ସେମାନେ ଜରା ନିବାସରେ ଆଶ୍ରୟ ନେଇଥିବେ ଅଥବା ଭାଗ୍ୟକୁ ଆଦରି ଗାଁରେ ପରିତ୍ୟକ୍ତ ଅବସ୍ଥାରେ ଭଗବାନଙ୍କୁ ଡାକୁଥିବେ ।
ଯେଉଁଠାରେ ନିଜେ ସ୍ୱାମୀ ଅସହାୟ, ଦୁର୍ବଳ ଅଲୋଡ଼ା ଏବଂ ଅପାଙ୍କ୍ତେୟ ସେଠାରେ ସୁଖମୟ ଦାମ୍ପତ୍ୟ ଜୀବନ ଆଶା କରିବା କେମିତି? ଜାଣିଥିଲି ନାରୀ ସର୍ବମସହା, ପ୍ରେମମୟୀ, ଆବେଗମୟୀ,, କରୁଣାମୟୀ କିନ୍ତୁ ବାସ୍ତବରେ ମୁଁ ଦେଖିଲି କଣ?
ଏଭଳି ଦୃଷ୍ଟାନ୍ତ ଯଦିଓ ସବୁ ଦମ୍ପତିଙ୍କ କ୍ଷେତ୍ରେ ପ୍ରଯୁଜ୍ୟ ନୁହେଁ ତଥାପି ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଥିବ ନିଶ୍ଚୟ । କାରଣ ନାରୀ ଉପାର୍ଜନକ୍ଷମ ଏବଂ ସ୍ୱାବଲମ୍ବୀ ହୋଇଗଲେ ବୋଧେ ନାରୀତ୍ୱରେ ସ୍ୱେଚ୍ଛାଚାରିତା ଆସିଯାଏ । ଗର୍ବ ଏବଂ ଅହଂକାର ତାର ନାରୀ ସୁଲଭ ଗୁଣକୁ କିଛି ମାତ୍ରାରେ ନଷ୍ଟ କରିଦିଏ । ମାତ୍ର ଅନେକ ନାରୀ ଅଛନ୍ତି ଯେଉଁମାନେ ହସ ହସ ମୁହଁରେ କୋମଳ ବାକ୍ୟ କହି ଅନ୍ୟର ହୃଦୟକୁ ଜୟ କରିଥାନ୍ତି । ସେମାନେ ଯେତେ ଉଚ୍ଚ ପଦ ପଦବୀରେ ଥିଲେ ମଧ୍ୟ ନାରୀ ସୁଲଭ ଗୁଣର ମହନୀୟତାକୁ ପ୍ରଦର୍ଶନ କରିଥାନ୍ତି ।
କୌଣସି ସିଦ୍ଧାନ୍ତରେ ପହଂଚିବା ପୂର୍ବରୁ ମୋର ଗାଡ଼ିରେ ତେଲ ପଡି ସାରିଥିଲା । ସେ ସ୍ଥାନ ଛାଡି ଚାଲି ଯାଇଥିଲି ଗନ୍ତବ୍ୟ ପଥରେ ---।
ସଦାନନ୍ଦ ପ୍ରତିହାରୀ