Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamala Satpathy

Romance

2  

Kamala Satpathy

Romance

ବିବର୍ଣ୍ଣ ପୃଥିବୀ

ବିବର୍ଣ୍ଣ ପୃଥିବୀ

13 mins
7.6K


ମୁଁ ଯଦି ଚାହିଁଥାନ୍ତି କ’ଣ କରିପାରି ନଥାନ୍ତି .. ନା ଇଚ୍ଛା କରିଥିଲେ ସୂର୍ଯ୍ୟ ରହିଯାଇ ନଥାନ୍ତା ? ଥରେ କହିକି ଦେଖିଥିଲେ, କ’ଣ ଅସୁବିଧା ଅବା ହେଇଯାଇ ଥାଆନ୍ତା ? ଯିବା ପୂର୍ବରୁ ତା’ ଅକୁହା କଥା କାହିଁକି ମୁଁ ପଢିପାରି ନଥିଲି ? ସବୁକିଛି କରିପାରିବା ତ ମୋ ପାଇଁ ସମ୍ଭବ ଥିଲା, ତେବେ କଲିନି କାହିଁକି ? କାହିଁକି ଭାବିଲିନି ଯେ ସୂର୍ଯ୍ୟ କେବଳ ମୋରି ପାଇଁ ଏତେ ଦୂରରୁ ଧାଇଁ ଆସିଥିଲା ! ମୁଁ କ’ଣ ଜାଣିପାରିନି ମୋରି ସ୍ବପ୍ନ, ମୋରି ସାନ୍ନିଧ୍ୟ ତାକୁ ଏପର୍ଯ୍ୟନ୍ତ ଆଉ କାହାର ହେବାକୁ ଦେଇନି ! ତେବେ କାହିଁକି ପୁଣି ଥରେ ନିରାଶାର ଅତଳ ଗହ୍ବର ଭିତରକୁ ତାକୁ ଠେଲିଦେଇ ମୁଁ ଆଗେଇଗଲି ?

ଓଃ, ମୋ ମୁଣ୍ଡ ଭିତରଟା କେମିତି କେମିତି ହେଇଯାଉଥିଲା । ପାପ କ’ଣ, ପୂଣ୍ୟ କ’ଣ, କିଏ ଠିକ୍ କିଏ ଭୁଲ୍‌, ଚିନ୍ତା କରୁ କରୁ ବୟସ ଖସି ଖସି ତଳ ପାହାଚକୁ ଚାଲିଗଲାଣି । ତଥାପି ସ୍ଥିର କରିପାରିନି ନିଜର ଭବିଷ୍ୟତ, ଆଉ ସୂର୍ଯ୍ୟ ସହିତ ନିଜ ସମ୍ପର୍କର ମାନ୍ୟତା । ଅତୀତର ଅନ୍ଧକାର ଏପର୍ଯ୍ୟନ୍ତ ସୁଦ୍ଧା ମୋର ବର୍ତ୍ତମାନ ଆଉ ଭବିଷ୍ୟତ, ଉଭୟକୁ ଆବୋରି ବସିଛି । ସେଥିରୁ ବାହାରି ଯିବାକୁ ଯେତେ ଥର ଚେଷ୍ଟାକଲେ ବି ପାଦ ମୋର ଦବିଯାଉଛି ସେଇ ପଙ୍କ ଭିତରକୁ ।

ସୂର୍ଯ୍ୟକୁ ମନେ ପକେଇଲେ, ନିଜ ଉପରେ ଯେତିକି କ୍ରୋଧ ଆସେ, ତାକୁ ଭୁଲିଗଲେ ଆସେ ଆହୁରି ଅନେକ । ସୂର୍ଯ୍ୟକୁ ଯଦି ଗ୍ରହଣ କରିନେଇଥାନ୍ତି, ତା’ ପ୍ରତି ତ ନ୍ୟାୟ ହୋଇଥାନ୍ତା, କିନ୍ତୁ ରଜତଙ୍କର କ’ଣ ହେଇଥାନ୍ତା ? ମୋ ଜୀବନରେ ଆସିଥିବା ସବୁ ପୁରୁଷ ମୋ ପାଇଁ ପାଲଟି ଯାଇଥିଲେ ଗୋଟିଏ ଗୋଟିଏ ବିରାଟ ପ୍ରଶ୍ନବାଚୀ, ଯାହାର ଉତ୍ତର କେବଳ ଥିଲି ମୁଁ ଏକା । କିନ୍ତୁ ମୋ ପାଇଁ ମୁଁ ନିଜେ ହିଁ ଥିଲି ଅନ୍ୟ ଏକ ଦୁର୍ବୋଧ୍ୟ ପ୍ରଶ୍ନ ।

ସୂର୍ଯ୍ୟ ନିଜେ ଥରେ କହିଥିଲା – “ଶାଶ୍ବତୀ, କଲେଜ୍ ଜୀବନରେ ସମସ୍ତେ ପ୍ରେମ କରନ୍ତି .. ସ୍ବପ୍ନ ଦେଖନ୍ତି । ଭବିଷ୍ୟତକୁ ନିଜ ନିଜ ହିସାବରେ ସୁନ୍ଦରରୁ ସୁନ୍ଦରତର କରି ଗଢି ତୋଳନ୍ତି । କିନ୍ତୁ ପ୍ରକୃତ ଜୀବନରେ ସେ ସବୁର କିଛି ମୂଲ୍ୟ ନଥାଏ । କିଛିଟା ସ୍ବପ୍ନ ଭାଙ୍ଗିଦିଏ ପରିସ୍ଥିତି, ଆଉ କିଛିଟା ଭାଙ୍ଗିଦିଏ ନିଜର ବୟଃପ୍ରାପ୍ତି, ଆଉ କିଛିଟା ମନକୁ ମନ ଭାଙ୍ଗିଯାଏ ସବୁକିଛିର ସମ୍ମିଶ୍ରଣରେ ।“

ତାହାହେଲେ ନିଜ କଥାରେ କାହିଁକି ଅଟଳ ରହିପାରିଲା ନାହିଁ ସେ ! ସାହିତ୍ୟର ଛାତ୍ର ସେ । ସବୁକଥାକୁ ହୃଦୟର ନିଭୃତ କୋଣରୁ ଆଲୋଚନା କରିବା ତା’ କାମ । କିନ୍ତୁ ନିଜ ଭବିଷ୍ୟତର ଯେବେ ପ୍ରଶ୍ନ ଆସିଲା, ସବୁକିଛି ଭୁଲିଗଲା ସେ ! ଯଦି କଲେଜ୍ ପରିସରର ପ୍ରେମର କିଛି ଭବିଷ୍ୟତ ନଥାଏ, ତେବେ କାହିଁକି ସେଭଳି ଭବିଷ୍ୟତର ଆଶା ରଖି ସେ ଧାଇଁ ଆସୁଥିଲା ମୋ ପାଖକୁ ? ଗଲା ବେଳେ ବାରମ୍ବାର କରୁଣ ଆଖିରେ ପଛକୁ ବୁଲିକି କାହିଁକି ବା ଚାହୁଁଥିଲା ? ଶେଷ ପର୍ଯ୍ୟନ୍ତ ବୋଧେ ଆଶା ରଖିଥିଲା, ମୁଁ ତାକୁ ଯିବାକୁ ଦେବିନାହିଁ । ମୁଁ ମଧ୍ୟ ସେଇ କଥା ହିଁ ଭାବୁଥିଲି । ହେଲେ ହୃଦୟରୁ ବାହାରି ଆସୁଥିବା ଭାଷାକୁ ମୁଁ ଶବ୍ଦର ରୂପ ଦେଇପାରିଲି ନାହିଁ । ବରଂ ହାତ ହଲେଇ ବିଦା କରିଦେଲି । ଫଣ ଫଣ ହୋଇ ଉଠିଥିଲା ସୂର୍ଯ୍ୟର ମୁହଁଟା । ମେଘଭରା ବାଦଲର ଘନ ଆସ୍ତରଣରେ ଅଦୃଶ୍ୟ ହୋଇଗଲା ତା’ର ସଂପୂର୍ଣ୍ଣ ସତ୍ତା । ସବୁକିଛି ଦେଖିଲି, ଅନୁଭବ କଲି, ଦୁଃଖ କଲି, କିନ୍ତୁ ଫେରି ଆସିବାକୁ କହି ପାରିଲିନି ।

କାହିଁକି କହି ପାରିଲିନି, ତା’ର ଉତ୍ତର ମୋ ପାଖରେ କିଛି ନଥିଲା । ରଜତର ଲୋଭରେ ସୂର୍ଯ୍ୟକୁ ତ୍ୟାଗ କରିଦେଲି, ହେଲେ ସତରେ କ’ଣ ରଜତଙ୍କୁ ମୁଁ ସଂପୂର୍ଣ୍ଣ ଆପଣେଇ ପାରିଲି ? ରଜତଙ୍କ ବାହୁରେ ସୂର୍ଯ୍ୟର କଳ୍ପନାରେ ମଗ୍ନ ରହିଲି । କିନ୍ତୁ ଯେତେବେଳେ ସୂର୍ଯ୍ୟ ସହିତ ନଦୀ କୂଳରେ ବସି ସନ୍ଧ୍ୟାକୁ ଉପଭୋଗ କରୁଥିଲି, କଫିହାଉସ୍ ର ନିଭୃତ କୋଣରେ ବସି ଗରମ ଗରମ କଫିକୁ ଓଠରେ ଲଗୋଉଥିଲି, ସେତେବେଳେ ରଜତଙ୍କ ଦେହର ଗନ୍ଧ, ତାଙ୍କ ନିଶ୍ବାସ ପ୍ରଶ୍ବାସ, ତାଙ୍କ ଫୁସ୍ ଫୁସ୍ କଥା ସବୁ ମତେ ମୋହାଚ୍ଛନ୍ନ କରି ରଖିଥିଲା । ମୁଁ ଭୁଲି ଯାଉଥିଲି, ମୋ ସାମନାରେ ବସିଥିବା ବ୍ୟକ୍ତି ମୋ ସ୍ବାମୀ ରଜତ ନୁହେଁ, ବରଂ ମୋ କଲେଜ ବେଳର ପ୍ରେମିକ ସୂର୍ଯ୍ୟ ।

ରଜତଙ୍କୁ ଧୋକା ଦେବାକୁ ଚାହୁଁନଥିଲି କି ସୂର୍ଯ୍ୟକୁ ମିଥ୍ୟା ଆଶ୍ବାସନା ଦେବାକୁ କେବେ ଚେଷ୍ଟା କରୁନଥିଲି । ହେଲେ ଅଜାଣତରେ ଦୁଇଟି ଯାକ ଭୁଲ ମୁଁ ଏକା ସାଙ୍ଗରେ କରି ଚାଲିଥିଲି । ଶରୀର ଆଉ ମନ ମୋର ଦୁଇ ଭାଗରେ ବିଭକ୍ତ ହୋଇ ସାରିଥିଲା । ଶରୀର ସୂର୍ଯ୍ୟର ଉପସ୍ଥିତିକୁ ଗ୍ରହଣ କରିବାକୁ ଚାହୁଁ ନଥିଲା ବେଳେ, ମନ ଚାହୁଁ ନଥିଲା ରଜତଙ୍କୁ । ରଜତଙ୍କର ଉପସ୍ଥିତି ମୋର ଆବଶ୍ୟକତା ଥିଲା ବେଳେ ସୂର୍ଯ୍ୟର ଉପସ୍ଥିତିକୁ ମୁଁ ପସନ୍ଦ କରୁଥିଲି । କାମ କରୁଥିଲି ରଜତଙ୍କ ପାଇଁ, ଆଉ ସ୍ବପ୍ନ ଦେଖୁଥିଲି ସୂର୍ଯ୍ୟକୁ ନେଇ । ସମାଜରେ ରହିକି ବାଧ୍ୟ ଥିଲି ଯାହା ସବୁ କରିବାକୁ, ହୃଦୟ ମୋର ସେସବୁ କରିବାକୁ ଆଗ୍ରହୀ ନଥିଲା । ମୋ ନିଜର ମାନସିକ ଦ୍ବନ୍ଦ୍ବ ମୋର ପୃଥିବୀକୁ କରି ଦେଇଥିଲା କେତେ ବିବର୍ଣ୍ଣ ସତରେ !

ସେଥିପାଇଁ ବୋଧେ ସେଦିନ ସୂର୍ଯ୍ୟ ଫେରିଗଲା ବେଳେ ମୁଁ ତାକୁ ରୋକି ପାରିଲିନି, ବରଂ ରାଣ ଦେଇ ଅନୁରୋଧ କଲି ମୋ ଚିନ୍ତାରୁ ନିଜକୁ ମୁକ୍ତ କରିନେବାକୁ । ସେ କୌଣସି ପ୍ରତିଶ୍ରୁତି ଦେଇ ନଥିଲା ମତେ । ଚୁପ୍ ଚାପ୍ ଫେରି ଯାଇଥିଲା । ମୁଁ ନିଜକୁ ଧିକ୍କାରି ଉଠିଲି । କେତେ ସ୍ବାର୍ଥପର ହେଇଗଲିଣି ମୁଁ ସତରେ ! ମୋ ନିଜର ବୈବାହିକ ଜୀବନ ନଷ୍ଟ ହେଇଯିବାର ଭୟ ମୋତେ ସୂର୍ଯ୍ୟର ଭାବାବେଗକୁ ପାସୋରି ଦେବାକୁ ବାଧ୍ୟ କରି ଦେଉଥିଲା । ମୁଁ ଭଲରେ ଜାଣିଥିଲି ସୂର୍ଯ୍ୟ କେବେ ବି କାହାର ହେଇପାରିବନି । ତଥାପି ମୁଁ ତାକୁ ବାଧ୍ୟ କରୁଥିଲି ଅନ୍ୟର ହେଇଯିବାକୁ ।

ଆଉ ଆଜି ଯେତେବେଳେ ଖବର ପାଇଲି ଯେ ସେ ସତରେ ଅନ୍ୟର ହେଇଯାଉଛି, ସେତେବେଳେ ମୋ ମନରେ କାହିଁକି ଦେଖାଦେଇଛି ଏ ବ୍ୟାକୁଳତା ? କାହିଁକି ମୁଁ ସ୍ବୀକାର କରିବାକୁ ଚାହୁଁନାହିଁ ଯେ ସୂର୍ଯ୍ୟ ବି ରକ୍ତମାଂସରେ ଗଢା ଏକ ମଣିଷ । ତା’ର ବି ଅଧିକାର ଅଛି ନିଜ ଜୀବନକୁ ସରସ ସୁନ୍ଦର କରିବାକୁ । ମୁଁ ଯେତେବେଳେ ତାକୁ କିଛି ଦେଇ ପାରିବିନି, ତେବେ ତା’ ଠାରୁ ତ୍ୟାଗର ଆଶା କାହିଁକି ରଖିଆସିଛି ?

ଅଦ୍ଭୁତ ଥିଲା ମୋର ଚିନ୍ତାଧାରା ! ଅଦ୍ଭୁତ ଥିଲା ମୋ ମାନସିକ ଦ୍ବନ୍ଦ୍ବ ! ମୁଁ କ’ଣ ସୂର୍ଯ୍ୟର ବିବାହରେ ଈର୍ଷ୍ବାନ୍ବିତ ହୋଇପଡିଛି ? ନା, ନା, ମୁଁ ଏତେ ବି କୁତ୍ସିତ ମାନସିକତାର ଅଧିକାରିଣୀ ନୁହେଁ । … ହେଲେ ରହି ରହି ଆଜି କାହିଁକି ଲାଗୁଛି ଯଦି ମୁଁ ଚାହିଁଥାନ୍ତି, ସୂର୍ଯ୍ୟକୁ ନିଜ ପାଇଁ ନିଶ୍ଚୟ ବାନ୍ଧି ରଖି ପାରିଥାନ୍ତି । ସୂର୍ଯ୍ୟର ପ୍ରସ୍ତାବକୁ ଠୋକର ନମାରି ଯଦି ରଜତଙ୍କୁ ଦୂରେଇ ଦେଇଥାନ୍ତି, ତା’ହେଲେ ଏ ଦିନ ମତେ ଦେଖିବାକୁ ପଡିନଥାନ୍ତା । ମତେ ନ ବାହା ହେଇଥିଲେ ବି ରଜତଙ୍କର କିଛି ଅସୁବିଧା ହେଇନଥାନ୍ତା । ତାଙ୍କ ଜୀବନରେ ଗୋଟିଏ ଶାଶ୍ବତୀ ବଦଳରେ, ଅନେକ ସୁନ୍ଦରୀଙ୍କ ପ୍ରବେଶ ହୋଇ ପାରିଥାନ୍ତା । ହୁଏତ ଅନ୍ୟ କାହାକୁ ବାହା ହେଇଥିଲେ, ସେ ଅଧିକ ସୁଖୀ ହୋଇଥାନ୍ତେ .. ଯାହା ମୁଁ ତାଙ୍କୁ କରିପାରି ନାହିଁ ।

ମୋ ବିବଶତା ଏଇଆ ଥିଲା ଯେ ସୂର୍ଯ୍ୟ ଠାରୁ ମୁଁ କେବେ କିଛି ଆଶା କରିନି, ତଥାପି ସୂର୍ଯ୍ୟ ଥିଲା ମୋ ଜୀବନରେ ଏକ ମହତ୍ତ୍ବପୂର୍ଣ୍ଣ ଅଧ୍ୟାୟ । ତାକୁ ସଂପୂର୍ଣ୍ଣ ରୂପେ ଆପଣେଇ ନେବାର ଇଚ୍ଛା ମନରେ କେବେ ଜାତ ହେଇନି ସତ, ହେଲେ ନିଜ ଠାରୁ ଦୂରେଇ ଦବାକୁ କି ତା’ ଜୀବନରୁ ନିଜକୁ ଦୂରେଇ ନେବାକୁ କେବେ କଳ୍ପନା କରି ପାରିନାହିଁ । ଏ ପ୍ରକାରର ସଂପର୍କକୁ ସାମାଜିକ ସ୍ବୀକୃତି କେବେ ମିଳିପାରିବ ନାହିଁ, ଜାଣି ସୁଦ୍ଧା ତା’ ସହିତ ଥିବା ସଂପର୍କକୁ ତୁଟେଇ ଦେବା ମୋ ପକ୍ଷରେ ସମ୍ଭବ ହେଇପାରିନି । ଭବିଷ୍ୟତରେ ଯେ କେବେ ହେଇପାରିବ, ସେ ବିଶ୍ବାସ ବି ନାହିଁ ।

ଆଜି ସୂର୍ଯ୍ୟର ବାହାଘର କାର୍ଡ ଆସି ପହଞ୍ଚିଛି ଡାକରେ । ରହି ରହି ମନଟା ଉଦାସ ହେଇଉଠୁଚି ସେ କାର୍ଡକୁ ଦେଖି । ଆଜି ପର୍ଯ୍ୟନ୍ତ ସୂର୍ଯ୍ୟ ବାହା ହେଇନଥିଲା କେବଳ ମୋରି ପାଇଁ । ତଥାପି ସେଥିପାଇଁ ମୁଁ କେବେ ବିଚଳିତ ହୋଇନାହିଁ । ସୂର୍ଯ୍ୟର ଏକୁଟିଆ ପଣ ପାଇଁ ନିଜକୁ ଦୋଷ ଦେଇନାହିଁ । କିନ୍ତୁ ଆଜି ହଠାତ୍ ଏ ପରିଣତ ବୟସରେ ସେ ନେଇଥିବା ନିର୍ଣ୍ଣୟ ଲାଗି ମନ ମୋର ଛଟପଟ କରି ଉଠୁଥିଲା । ଯୋଉଠି ଏତେ ବର୍ଷ ସେ ଏକା ଏକା କାଟି ଦେଇପାରିଲା, ଆଉ କିଛି ବର୍ଷ କାହିଁକି ନୁହେଁ ? ପ୍ରଶ୍ନଟା ବାରମ୍ବାର ମତେ ଚହଲୋଉଥିଲା ।

ମନ କହୁଥିଲା ଦୌଡିଯାଇ ତା’ ବାହାଘରକୁ ରୋକି ଦିଅନ୍ତି । ଜଣେଇ ଦିଅନ୍ତି ତା’ ନବ ବିବାହିତା ପତ୍ନୀକୁ ଯେ ଯୋଉ ଆଶା ରଖି ସେ ସୂର୍ଯ୍ୟକୁ ବାହା ହେଉଛି, ସେ ଆଶା ତା’ର ଆଦୌ ସଫଳ ହେଇପାରିବ ନାହିଁ । କାରଣ ତାକୁ ସ୍ବୀକାର କରିବାର ଅନେକ ପୂର୍ବରୁ ସୂର୍ଯ୍ୟ ତା’ର ତନ ମନ ଧନ, ସବୁ ମୋ ପାଖରେ ସମର୍ପି ଦେଇଛି । ତା’ ସମଗ୍ର ଜୀବନରେ ରହିଛି କେବଳ ମୋରି ଛାପ .. ସେ ଛାପକୁ ଯେତେ ଚେଷ୍ଟା କଲେ ବି ସେ ଲିଭେଇ ପାରିବ ନାହିଁ । ସେମିତି ହେବାକୁ ମୁଁ ଦେବି ହି ନାହିଁ !

ମନରେ ମୋର ଆଜି ସୃଷ୍ଟି ହେଉଛି ଅସଂଖ୍ୟ ଝଡ । ହେଲେ ନିଜର ବୈବାହିକ ଜୀବନ ନଷ୍ଟ ହେଇଯିବାର ଭୟରେ, ସେ ଝଡକୁ ମୁଁ ରୂପ ଦେଇ ପାରୁନଥିଲି । କି ତାକୁ ସେଇଠି ଛାଡିଦେଇ ଆଗକୁ ବଢିଯାଇ ବି ପାରୁନଥିଲି ।

ଉପରକୁ ଯେତେ ସାହସ ଦେଖେଇଲେ ବି ମୁଁ ଯେ ଏକ ଭୀରୁ ବ୍ୟକ୍ତି, ସେକଥା ସ୍ବୀକାର କରିବାକୁ ମୁଁ ଆଦୌ କୁଣ୍ଠାବୋଧ କରୁନଥିଲି । ଭୀରୁ ନହେଇଥିଲେ, କଲେଜ୍ ଛାଡିବା ଦିନ ଯେତେବେଳେ ସୂର୍ଯ୍ୟ ମୋର ହାତ ଧରି ମତେ ଅନୁରୋଧ କରିଥିଲା, “ଶାଶ୍ବତୀ, ମତେ ଭୁଲିଯିବୁନି ତ ?” ମୁଁ ତାକୁ କିଛି ପ୍ରତିଶ୍ରୁତି ଦେଇ ପାରିନଥିଲି କାହିଁକି ? ସୂର୍ଯ୍ୟର ଭବିଷ୍ୟତ ବିଷୟରେ ସନ୍ଦିଗ୍ଧ ଥିବା ମୋର ହୃଦୟ, ମୋର ଭବିଷ୍ୟତ ଜୀବନରେ ତା’ ଭୂମିକାକୁ ଗ୍ରହଣ କରିବାକୁ ସାହାସ କରି ପାରିନଥିଲା । ନଦୀର ଦୁଇ ତୀରର ଉଦାହରଣ ଦେଇ, ସବୁଦିନ ପାଇଁ ତା’ ଠାରୁ ଦୂରେଇ ଯିବାର ଚେଷ୍ଟା କରିଥିଲି ମୁଁ ସତ, ହେଲେ କ’ଣ ପାରିଥିଲି ? ସୂର୍ଯ୍ୟ ଠାରୁ ଦୂରେଇ ଯିବାକୁ ଚେଷ୍ଟା କଲା ପରେ ତା’ର ଅଭାବଟା ମତେ ଆହୁରି ଅଧିକ ବ୍ୟତିବ୍ୟସ୍ତ କରି ପକେଇଥିଲା । ସୂର୍ଯ୍ୟର ସାହଚର୍ଯ୍ୟ ମୋର କାମ୍ୟ ଥିଲେ ବି ତାକୁ ନିଜର କରିବାକୁ ମାନସିକ ସ୍ତରରେ ମୁଁ ନିଜକୁ ପ୍ରସ୍ତୁତ କରି ପାରୁନଥିଲି । କାରଣ ଯେତେ ଭଲ ଛାତ୍ର ହେଲେ ବି ସୂର୍ଯ୍ୟ ଥିଲା ତ ବେରୋଜଗାର ! ପ୍ରକାରାନ୍ତରେ ତାକୁ ଜଣେଇ ଦେଇଥିଲି ଯେ ତା’ ବେକାରୀ ହେଉଛି ଆମ ମିଳନରେ ବାଧା ସୃଷ୍ଟି କରୁଥିବା ଏକ ଅଭେଦ୍ୟ ପ୍ରାଚୀର । ସେ କିନ୍ତୁ ସେସବୁକୁ ମହତ୍ତ୍ବହୀନ ବୋଲି ଭାବୁଥିଲା । ତା’ ଅନୁସାରେ, ସମ୍ପର୍କ ଏକ ମଧୁର ଅନୁଭୂତି । ଏହାର ଆଧାର ଚାକିରି, ଅର୍ଥ, ସମ୍ମାନ ପରିକା କେତୋଟି ଅବାସ୍ତବ ଶବ୍ଦ କେବେ ନହୋଇପାରେ !

କିନ୍ତୁ ମୁଁ ତାକୁ କେମିତି ବୁଝେଇ ଥାଆନ୍ତି ଯେ ସେହି ଅବାସ୍ତବ ଶବ୍ଦମାନଙ୍କର ଅଭାବରେ ସୃଷ୍ଟି ହେଇଥାଏ ଅନ୍ଧାରର ବିରାଟ ଗୋହିରି, ଯାହା ଭିତରେ ଜାଣିଶୁଣି ପାଦ ରଖିବାର ଇଚ୍ଛା ବା ସାହାସ ମୋର କେବେ ନଥିଲା କି ଭବିଷ୍ୟତରେ ବି ରହିବ ନାହିଁ ।

ସୂର୍ଯ୍ୟର ଆମନ୍ତ୍ରଣକୁ ସ୍ବୀକାର କରିବି, ନକରିବିର ମାନସିକ ଦ୍ବନ୍ଦ୍ବ ଭିତରେ ଗତି କରୁଥିଲା ବେଳେ ରଜତଙ୍କ ଭଳି ଏକ ସୁପୁରୁଷଙ୍କ ସହିତ ବାପା ମୋ ବିବାହ ସ୍ଥିର କରିଦେଲେ । ସୂର୍ଯ୍ୟ ପାଖରେ ରହିଥିବା ସମସ୍ତ ଅଭାବ, ରଜତଙ୍କ ନିକଟରେ ଥିଲା ପରିପୂର୍ଣ୍ଣ । ସୂର୍ଯ୍ୟ ଠାରୁ ସବୁଥିରେ ରଜତ ଥିଲେ ଶ୍ରେଷ୍ଠ । ଆଉ ସେସବୁର ମୋହକୁ କାଟିଦେବା ମୋ ଭଳି ଏକ ବସ୍ତୁବାଦୀ ଝିଅ ପକ୍ଷରେ ଏତେ ସହଜ ନଥିଲା । ରଜତଙ୍କ ସାଙ୍ଗରେ ବିତେଇବାକୁ ଥିବା ରଙ୍ଗୀନ ଜୀବନର ଲୋଭ ସମ୍ବରଣ କରି ନପାରି, ସୂର୍ଯ୍ୟକୁ ସବୁଦିନ ପାଇଁ ବିଦାୟ ଜଣେଇ ଦେଲି ମୁଁ । ରଜତଙ୍କ ସହିତ ପ୍ରାରମ୍ଭୀକ ଜୀବନ ବିତି ଯାଇଥିଲା ମଧୁରରୁ ମଧୁରତର ହେଇ । ସୁଖର ପ୍ରକୃତ ସଜ୍ଞା ଖୋଜି ପାଇଥିଲି ରଜତଙ୍କ ବାହୁରେ । ଜୀବନର ମାନେ ପଢିଥିଲି ରଜତଙ୍କ ଆଖିରେ । ଅଜବ ଏକ ନିଶାରେ ଉଡି ଯାଉଥିଲା ସମୟ ପ୍ରଜାପତିର ପଙ୍ଖ ଉପରେ ସବାର ହେଇ !

କିନ୍ତୁ ଖୁବ୍ ଶୀଘ୍ର ସେ ନିଶା ସବୁ ଜୀବନରୁ କମି କମି ଆସିଲା । ରଜତଙ୍କ ସ୍ନେହ ପ୍ରେମ, ଭଲ ପାଇବା, କିଛି କମିଯାଇ ନଥିଲା ସତ, ହେଲେ କମି ଯାଇଥିଲା ତାଙ୍କ ପ୍ରତି ମୋର ନିଷ୍ଠା । କିଛିଦିନ ପୂର୍ବରୁ ରଜତଙ୍କ ଯୋଉ ପ୍ରେମ ସ୍ରୋତରେ ମୁଁ ନିଜକୁ ଭୁଲି ଯାଇଥିଲି,ତାହା ଏବେ ଲାଗୁଥିଲା ମିଛ ଏକ ବନ୍ଧନ । ତାଙ୍କର ଭଲ ପାଇବା, ତାଙ୍କର ଆନ୍ତରିକତା, ଆଉ ଏବେ ମନକୁ ବାନ୍ଧି ରଖିବାକୁ ସକ୍ଷମ ନଥିଲା, ବରଂ ବିରାଟ ବୋଝଟିଏ ଛାତି ଉପରେ ଥୁଆ ହେଇଥିବା ପରି ଲାଗୁଥିଲା । ନିଜକୁ ଭାରି ଅସହାୟ ଲାଗୁଥିଲା ମତେ । ପ୍ରତି ମୁହୂର୍ତ୍ତରେ ଲାଗୁଥିଲା, କେଉଁ ଅଜଣା ମାୟା ମିରିଗ ପଛରେ ମୁଁ ଧାଇଁ ବୁଲୁଛି ! କାହିଁକି ଜୀବନକୁ ସୁନାର ପଞ୍ଜୁରି ଭିତରେ ବନ୍ଦୀ କରରି ଖୁସି ହେବାର ଅଭିନୟ କରୁଛି !

ରହି ରହି ସୂର୍ଯ୍ୟର ଅନୁପସ୍ଥିତି ମତେ ବିବ୍ରତ କରି ପକୋଉଥିଲା । ସେତେବେଳେ ସୂର୍ଯ୍ୟ ପାଇଁ ମୁଁ ଥିଲି ଏକ ଆବଶ୍ୟକତା । କିନ୍ତୁ ମୋର କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ମୁଁ ତା’ର ସେଇ ଆବଶ୍ୟକତାକୁ ନିରାଶତାରେ ପରିଣତ କରେଇ ଦେଇଛି । ଏବେ ଚେଷ୍ଟା କରୁଥିଲି ଅନେକ ବାହାନା ଖୋଜି ନିଜକୁ ଦୋଷମୁକ୍ତ କରିବାକୁ । ଆଉ ସେହି ପ୍ରଚେଷ୍ଟା ଭିତରେ ରହି ରହି ଦିନକୁ ଦିନ ନିଜର ଆତ୍ମବଳ ମୁଁ ହରେଇ ଚାଲିଥିଲି ।

ଥରେ ନୁହେଁ, ଦୁଇ ଥର ନୁହେଁ, ଅନେକ ଥର ସୂର୍ଯ୍ୟ ମୋ ଜୀବନକୁ ଫେରି ଆସିବାର ବୃଥା ପ୍ରୟାସ କରିଛି । ହୃଦୟରେ ତା’ ପ୍ରତ୍ୟାବର୍ତ୍ତନକୁ ଡରି ଡରି ମୁଁ ସ୍ବୀକାରୋକ୍ତି ଦେଉଥିଲେ ସୁଦ୍ଧା, ସେହି ଭୟର ପ୍ରକୃତ କାରଣ କ’ଣ, ସେକଥାକୁ କେବେ ମୁଁ ବୁଝିପାରିନି କି, ସୂର୍ଯ୍ୟକୁ ବୁଝେଇ ପାରିନି । ତୁଳାଦଣ୍ଡର ଗୋଟିଏ ପାଖରେ ଜୀବନ ଏବଂ ଅନ୍ୟ ପାଖରେ ହୃଦୟକୁ ରଖି ଯେତେ ଥର ତଉଲିବାକୁ ଚେଷ୍ଟା କରିଛି, କିଛି ବି ସମାଧାନ ପାଇ ପାରିନାହିଁ । ସୂର୍ଯ୍ୟର ଅନୁପସ୍ଥିତିରେ ତା’ର ମୂଲ୍ୟ ଅଧିକ ଲାଗେ ସତ, କିନ୍ତୁ ତାକୁ ଆପଣେଇବାକୁ ଆଗେଇ ଗଲା ବେଳେ ରଜତ ଲାଗନ୍ତି ବେଶି ମୂଲ୍ୟବାନ । ସଂପୂର୍ଣ୍ଣ ରୂପେ ରଜତଙ୍କର ହେଇଯାଇ ସୂର୍ଯ୍ୟକୁ ଭୁଲିଯିବାକୁ କରିଥିବା ଚେଷ୍ଟାରେ କେବେ ବି ସଫଳ ହେଇପାରି ନାହିଁ । ଆଉ ଆଜି ସେହି ବିଫଳତାପୂର୍ଣ୍ଣ କାହାଣୀକୁ ଆଗକୁ ବଢେଇବାକୁ ଆସି ପହଞ୍ଚିଛି ସୂର୍ଯ୍ୟର ବାହାଘର କାର୍ଡ । ଯାହାକୁ ସକାଳ ପହରୁ ହାତରେ ଧରି ମୁଁ ବ୍ୟସ୍ତ ବିବ୍ରତ ହୋଇ ଘୂରିବୁଲୁଛି ।

ଫୋନ୍ ର କ୍ରିଂ କ୍ରିଂ ଶବ୍ଦରେ ନିଜ ଭିତରୁ ବାହାରି ଆସିଲି ମୁଁ । ସେ ପାଖରେ ସୂର୍ଯ୍ୟ ଥାଇ ପ୍ରଶ୍ନ କରୁଥିଲା – କାର୍ଡଟା ପାଇଲି କି ନାହିଁ । ଇଚ୍ଛା ହେଉଥିଲା ଚିତ୍କାର କରିଉଠନ୍ତି । ଏମିତି ମାନସିକ ଦ୍ବନ୍ଦ୍ବରେ ମତେ ପକେଇ, ନିଜେ କେମିତି ସୁଖ ଶେଯର କଳ୍ପନା କରିପାରୁଛି କହି, ମନଭରି ଗାଳି ଦିଅନ୍ତି । ଅଭିମାନ କରନ୍ତି । କିନ୍ତୁ କାହିଁକି କେଜାଣି, ସୂର୍ଯ୍ୟ ସାମନାରେ ନିଜକୁ କେବେ ମୁଁ ପ୍ରକାଶ କରି ପାରିନାହିଁ । କରିବାକୁ ଦରକାର ପଡିନାହିଁ କହିଲେ ଚଳିବ । ସୂର୍ଯ୍ୟ କିନ୍ତୁ ମୋ ମନର ପ୍ରତିଟି ତାରକୁ ବଜେଇ ଜାଣେ । ବିବାହର ଅନେକ ବର୍ଷ ବିତି ଯାଇଥିଲେ ବି ରଜତ ଯୋଉ ବିଷୟରେ ଅଛନ୍ତି ଅନଭିଜ୍ଞ, ସେ ସବୁକୁ ଠିକ୍ ଭାବରେ ସେ ଚିହ୍ନେ । ସେଇଥିପାଇଁ ଏତେ ଚେଷ୍ଟା କରିକି ବି ସୂର୍ଯ୍ୟକୁ ମୁଁ ଭୁଲି ପାରୁନାହିଁ ।

କିନ୍ତୁ ଆଜିଠୁ ସବୁକିଛି ଭୁଲିବାକୁ ପଡିବ । ସୂର୍ଯ୍ୟ ବିନା ଜୀବନଟାକୁ ସ୍ବୀକାର କରିନେବାକୁ ପଡିବ । ସୂର୍ଯ୍ୟର କଥା ମୋ କାନରେ ପଡୁଥିଲା । ଆଉ ମୁଁ ନିରବରେ ସେସବୁକୁ ଆତ୍ମସାତ୍ କରୁଥିଲି … “ଶାଶ୍ବତୀ, କିଛି ବର୍ଷ ପୂର୍ବରୁ ତୁ ହି କହିଥିଲୁ ଆମେ ନଦୀର ଦୁଇ କୂଳ ! ସେତେବେଳେ ତୋ’ କଥାକୁ ବିଶ୍ବାସ କରିନଥିଲି । ତତେ ନିଜ ହାତମୁଠାରେ ପାଇବାର ଆଶା ନେଇ, ପ୍ରତି ଥର ନିଜ ସୀମାରେଖାକୁ ଅତିକ୍ରମ କରିବାକୁ ପ୍ରାଣପଣେ ଚେଷ୍ଟା କରି ଆସିଥିଲି । କିନ୍ତୁ ଏବେ ହୃଦୟଙ୍ଗମ କରୁଛି, ପ୍ରକୃତରେ ଆମେ ନଦୀର ଦୁଇ କୂଳ । ଜଣେ ଜଣଙ୍କୁ କିଛି ଦିନ ପର୍ଯ୍ୟନ୍ତ ଦେଖିପାରୁଛେ । କିଛି ଦିନ ବିତିଗଲା ପରେ ସେ ଦୂରତ୍ବ ବଢି ବଢି ସଂପୂର୍ଣ୍ଣ ଦୂରେଇଯିବ । ଜଣେ ଜଣଙ୍କର ଉପସ୍ଥିତି ବିଷୟରେ ଦୃଢ ନିଶ୍ଚିତ ଥିଲେ ବି କେହି କାହାରିକୁ ଆଉ ଦେଖି ପାରିବା ନାହିଁ । ତା’ ପଛରେ ଦୌଡି ଦୌଡି ତା’ହେଲେ କାହିଁକି ଆଉ ଅଶାନ୍ତ ହେବା ! ବରଂ ଜଣେ ଜଣଙ୍କ ମାୟାରୁ ମୁକ୍ତ ହୋଇଯାଇ ଆଗେଇ ଯିବାଟା କ’ଣ ଏବେ ବେଶି ଉଚିତ ହେବନି !”

କେତେ ସହଜରେ ଏସବୁ କଥା କହିଦେଇ ପାରିଲା ସୂର୍ଯ୍ୟ ! ଚିନ୍ତା କଲାନି ଥରେ – ମୁଁ କ’ଣ ଚାହୁଁଥିବି ! ମନକଥା ମୋର ତାକୁ ଅଚ୍ଛପା ନୁହେଁ, ତଥାପି ଆଜି ନଜାଣିବାର ଛଳନା କଲା । ଏହା ମୋର ଅପମାନ ନୁହେଁ ତ ଆଉ କ’ଣ ? ମୁଁ ଜାଣେ, ସୂର୍ଯ୍ୟ ସବୁବେଳେ ସୌନ୍ଦର୍ଯ୍ୟର ଉପାସକ । ନୂତନତାର ପ୍ରଶଂସକ । ଏକ ସୁନ୍ଦରୀ ତରୁଣୀକୁ ବାହୁରେ ପାଇଲା ପରେ ସେ କାହିଁକି ମୋ ପାଇଁ ଦୁଃଖିତ ହେବ ! କାହିଁକି ମୋ ଇଚ୍ଛା ଅନିଚ୍ଛା କଥା ଚିନ୍ତା କରିବ !

ମନଟା ଛିନ୍ ଭିନ୍ ହେଇଗଲା ମୋର । ମନ କହୁଥିଲା ସବୁ ନଷ୍ଟଭ୍ରଷ୍ଟ କରି ଥୋଇଦିଅନ୍ତି । ମୋ ଜୀବନ ସହିତ ଖେଳିବାର ଅଧିକାର କୋଉଠୁ ପାଇଲା ସୂର୍ଯ୍ୟ ? ଏତେ ବଡ ଦୁଃସାହାସ କାହିଁକି କରିବାକୁ ଗଲା ସେ ? ମୁଁ ଛାଡିବିନି ତାକୁ । ଦୃଢତାର ସହିତ ମୁକାବିଲା କରିବି । ଦେଖେଇ ଦେବି ସୂର୍ଯ୍ୟକୁ, ମତେ ଯେତେ ଅବଳା ଦୁର୍ବଳା ସେ ଭାବୁଛି, ସେମିତି ନୁହେଁ ମୁଁ । ତା’ ଜୀବନରେ ଯାହା ସବୁ ଅଘଟଣ ଭବିଷ୍ୟତରେ ଘଟିବାକୁ ଯାଉଛି, ସେସବୁ ପାଇଁ ମୁଁ ଦାୟୀ ନୁହେଁ । ବରଂ ସେସବୁ ହେବ ତା’ ପ୍ରାୟଶ୍ଚିତର ମୂଲ୍ୟ !

ବଡ ବ୍ୟାକୁଳତାରେ ଦିନଗୁଡା ଗଡି ଯାଉଥିଲା ମୋର । ସୂର୍ଯ୍ୟର ବିବାହ ଯେତିକି ପାଖେଇ ଆସୁଥିଲା, ମୋ ଭିତରେ ସେତିକି ପ୍ରଜ୍ବଳିତ ହେଇ ଉଠୁଥିଲା ପ୍ରତିଶୋଧର ବହ୍ନି । ଶୀଘ୍ର ଯଦି ଏସବୁର ପରିସମାପ୍ତି ନ ଘଟେ, ମୋର ସଂପୂର୍ଣ୍ଣ ଅସ୍ତିତ୍ବ ସେ ବହ୍ନିରେ ଜଳିପୋଡି ଧ୍ବଂସ ହୋଇଯିବ । ଅବଶ୍ୟ ସେଥିକୁ ମୋର ଭୟ ନଥିଲା, ଖାଲି ଏତିକି ଚାହୁଁଥିଲି ଧ୍ବଂସ ହେଲା ପୂର୍ବରୁ ସୂର୍ଯ୍ୟର ସୁନ୍ଦରୀ ପତ୍ନୀକୁ ଜଣେଇ ଦେବାକୁ ଯେ ସୂର୍ଯ୍ୟ ଏକ କାପୁରୁଷ ! ସେ ଭୀରୁ .. ସେ ପଳାତକ .. ସମସ୍ତଙ୍କ ଜୀବନ ସହିତ ଖେଳିବା ତା’ର ଏକ ପୁରୁଣା ଅଭ୍ୟାସ !

କିନ୍ତୁ ସୂର୍ଯ୍ୟ କାହା ସହିତ କେବେ ଖେଳିଲା ସତରେ ! …. ମୋ ମନ ଭିତରେ ବଢି ଚାଲିଥିବା ଅସହ୍ୟ ଯନ୍ତ୍ରଣା ଫଳରେ ମୁଁ ମାନସିକ ଭାରସାମ୍ୟ ହରେଇ ବସିଲି । ରଜତ ବୁଝି ପାରୁନଥିଲେ ମୋ ମନରେ ସୃଷ୍ଟି ହୋଇଥିବା ଝଡର କାରଣକୁ । ମୋ ବ୍ୟସ୍ତ ବିବ୍ରତ ହୋଇପଡିବାର ରହସ୍ୟକୁ ।

ମୁଁ ନିଜେ ବି ତ ବୁଝି ପାରୁନଥିଲି ମୋ ଦୁରାବସ୍ଥାର ପ୍ରକୃତ କାରଣ କ’ଣ ? ସୂର୍ଯ୍ୟର ବିବାହ, ନା ତାକୁ ନିଜର କରି ନପାରିବାର କୁଣ୍ଠା, କାହାକୁ ନେଇକି ମୋ ଭିତରେ ଏ ତୀବ୍ର ଆଲୋଡନ ? ଏସବୁ ଦ୍ବିଧାର ସମାଧାନ କ’ଣ ହେଇପାରିବ, ତାହା ବି ମତେ ଜଣାନଥିଲା । କିନ୍ତୁ ଏକଥା ସତ ଯେ ମୁଁ ଧିରେ ଧିରେ ଅଜବ ଏକ ହୀନମନ୍ୟତାର ଶିକାର ହେଇ ପଡୁଥିଲି ଅଜାଣତରେ !

ମୋର ଏ ମାନସିକ ଅସ୍ଥିରତା ମୋ ପାଇଁ ଥିଲା ସୌଭାଗ୍ୟ କି ଦୁର୍ଭାଗ୍ୟ, ତାହା ମୁଁ ଜାଣେନା । କିନ୍ତୁ ତାହା ଫଳରେ ସୂର୍ଯ୍ୟ ବାହାଘରରେ ଯୋଗ ଦେବାକୁ ମୁଁ ହେଇଗଲି ଅସମର୍ଥ । ସତ କହିବାକୁ ଗଲେ ଶାରୀରିକ ଅସୁସ୍ଥତା ତ ଥିଲା ଏକ ବାହାନା । ମୁଁ ଚାହୁଁ ନଥିଲି ସୂର୍ଯ୍ୟ ଆଗରେ ମୋ ପରାଜୟତା ଆଉ ହୃଦୟର କ୍ଷୁବ୍ଧତାକୁ ପ୍ରଦର୍ଶିତ କରିବାକୁ । ଦେଖିବାକୁ ଚାହୁଁନଥିଲି ସୂର୍ଯ୍ୟର ପତ୍ନୀ ରୂପେ ଅନ୍ୟ କାହାକୁ ।

ସୂର୍ଯ୍ୟ ପରେ ଆସିଥିଲା ମୋ ପାଖକୁ । କର୍ତ୍ତବ୍ୟ ଦୃଷ୍ଟିରୁ ହେଉ, ଅଥବା ଅନ୍ୟ କୋଉଥିପାଇଁ ହେଉ, ସେ ଆସିଥିଲା ଏବଂ ସାଙ୍ଗରେ ଆଣିଥିଲା ତା’ର ପତ୍ନୀକୁ । ତା’ ଆସିବା ଖବର ଶୁଣି ମଧ୍ୟ ଶେଯରୁ ଉଠିପଡିଲି ନାହିଁ । ଦରଜା ପାଖକୁ ଧାଇଁଗଲି ନାହିଁ ସ୍ବାଗତ କରିବାକୁ । ବରଂ ଆଖିରୁ ମୋର ଦୁଇ ଧାର ଲୁହ ଗଡିପଡିଲା । ତାହା ଥିଲା ଅଭିମାନର କି ଦୁଃଖର, ସ୍ଥିର କରିଲା ପୂର୍ବରୁ ହି ଘର ଭିତରକୁ ପଶିଆସିଲା ସୂର୍ଯ୍ୟ ।

ମୋ ଆଖିର ଲୁହ ସବୁବେଳେ ତାକୁ ବିବ୍ରତ କରିଥାଏ । ଆଜି ମଧ୍ୟ କରିଦେଲା । କହିଲା, ”କାହିଁକି ମନଦୁଃଖ କରୁଛୁ ! ବିବାହରେ ଯୋଗ ଦେବାଟା ବଡ କଥା ନୁହେଁ । ତୋ’ ଶରୀରର ସୁସ୍ଥତା ଆଗ । ତା’ ଛଡା ଏ ବୁଢା ବୟସରେ ବାହା ହେବା ପାଇଁ ଆଉ କ’ଣ ସେମିତି ଆଗ୍ରହ ଥିଲା ଯେ କିଏ ଆସିଲେ ନ ଆସିଲେ ଖରାପ ଲାଗିବ ! ଖାଲି ଗୋଟେ ଫର୍ମାଲିଟି ହି ତ ପୂରା କରାଗଲା ! ବରଂ ତୋ’ ଦେହ କଥା ଶୁଣି ବ୍ୟସ୍ତ ହୋଇ ଚାଲିଆସିଲି । ତୁ ନକହିଥିଲେ ବି ମାଳବିକାକୁ ସାଙ୍ଗରେ ନେଇକି ଆସିଛି । ସେ ଚାହୁଁଥିଲା ତତେ ଦେଖା କରିବାକୁ ।“

ମୁଁ ହତବାକ୍ ହେଇ ସୂର୍ଯ୍ୟକୁ ଚାହିଁ ରହିଗଲି । ତା’ ପତ୍ନୀ କ’ଣ ମୋ ବିଷୟରେ, ମୋ ସ୍ବାର୍ଥପରତା ବିଷୟରେ, ପ୍ରତିଶୋଧ ପରାୟଣା ମନୋବୃତ୍ତି ବିଷୟରେ କିଛି ଜାଣି ପାରିଛି କି ? ଛି, କ’ଣ ଭାବୁଥିବ ସେ ସତରେ !

ମୁଁ ସାହାସ କରି ପାରୁନଥିଲି ମାଳବିକାର ସମ୍ମୁଖୀନ ହେବା ପାଇଁ । ନିଜ ସୌନ୍ଦର୍ଯ୍ୟର ଜାଲ ବିଛେଇ ସେ ମୋ ଠାରୁ ସୂର୍ଯ୍ୟକୁ ଦୂରେଇ ନେଲା ପରେ ଆଉ କି ଇଚ୍ଛା ନେଇ ଧାଇଁ ଆସିଛି ଏଠିକୁ ? ମୋ ହୃଦୟର ବହ୍ନିରେ ଘିଅ ଢାଳିବାକୁ ଆସିନାହିଁ ତ ? ମତେ ସୂର୍ଯ୍ୟର ଆଖିରେ ସବୁଦିନ ପାଇଁ ତଳକୁ ଖସେଇ ଦେବାକୁ ଆସିନାହିଁ ତ ? ମତେ ହରେଇ ଦେଇଥିବାର ଗୌରବକୁ ମୋ ଆଗରେ ପ୍ରଦର୍ଶୀତ କରିବାକୁ ଆସିନାହିଁ ତ ?

ପରାଜୟର ଗ୍ଲାନିରେ ମୁଁ ଦଗ୍ଧିଭୂତ ହୋଇ ଯାଉଥିଲା ବେଳେ ମୋ ସାମନାରେ ଆସି ଉଭା ହେଇଗଲା ମାଳବିକା…. ସୂର୍ଯ୍ୟର ପତ୍ନୀ !

ଚମକି ଉଠିଲି ମୁଁ ! ଇଏ କିଏ ? ସୂର୍ଯ୍ୟର ପତ୍ନୀ ? ନା, ନା, ତା’ କେବେ ହୋଇନପାରେ ! ସୂର୍ଯ୍ୟର ପସନ୍ଦ ନାପସନ୍ଦକୁ ମୁଁ ଭଲ ଭାବରେ ଜାଣେ । ସେ କଦାପି ମାଳବିକାକୁ ହୃଦୟର ସହିତ ସ୍ବୀକାର କରିନଥିବ ! ସୌନ୍ଦର୍ଯ୍ୟର ପୂଜାରୀ ସେ, ଜୀବନରେ ସବୁକିଛି ସୌନ୍ଦର୍ଯ୍ୟର ମାପଦଣ୍ଡରେ ତଉଲିବା ଲୋକ ! ପତ୍ନୀ ରୂପରେ କେମିତି ସ୍ବୀକାର କରିପାରିଲା ସେ ଏ କଦାକାର ଚେହେରାକୁ ! କୋଉ ବିବଶତା ତାକୁ ବାଧ୍ୟ କରିଦେଲା ଏପରି ଏକ ନିର୍ଣ୍ଣୟ ନେଇଯିବାକୁ !

ଆଖି ସାମନାରେ ଦେଖି ମଧ୍ୟ ମୁଁ ବିଶ୍ବାସ କରିପାରୁନଥିଲି ।

ମୋ ହାତ ଉପରେ ହାତ ରଖିଲା ମାଳବିକା । କେମିତି ଏକ ଅଶ୍ବସ୍ତିକର ଭାବ ମୋ ଆଖପାଖରେ ସଞ୍ଚରିଗଲା । ନିରାଶାର ଅତଳ ଗହ୍ବର ଭିତରକୁ ମୁଁ ପଶି ପଶି ଯାଉଥିଲି । ସୂର୍ଯ୍ୟର ଦୁର୍ଭାଗ୍ୟ ଏବଂ ମୋର କ୍ଷୁଦ୍ର ମାନସିକତା ମତେ ହତବାକ୍ କରି ରଖିଥିଲା । ତା’ର ତ୍ୟାଗ ଆଗରେ ନିଜକୁ ଖୁବ୍ ଛୋଟ ମଣୁଥିଲି । ଏପରି କାହିକି କଲା ସୂର୍ଯ୍ୟ ! ନ ବାହା ହେଇଥିଲେ କ’ଣ ଚଳିନଥାନ୍ତା !

ମୋ ହାତ ଉପରେ ହାତ ରଖି ସେ କହିଲା, “ମାଳବିକାକୁ ଆଗରୁ ମୁଁ କହିଦେଇଛି, ତୁ ହେଉଛୁ ମୋର ସବୁଠାରୁ ପ୍ରିୟ ବାନ୍ଧବୀ ! ମୋ ଜୀବନରେ ତୋର ସ୍ଥାନ ଖୁବ୍ ବିଶିଷ୍ଟ ଆଉ ସ୍ବତନ୍ତ୍ର । ସେଥିରେ ଭାଗ ବସେଇବାକୁ ସେ କେବେ ଚେଷ୍ଟା କରିବନି । ଆମ ଦୁଇଜଣଙ୍କର ସମ୍ପର୍କ ହେଉଛି ଦେହାତୀତ ସମ୍ପର୍କ । ନା କିଛି ଦେବାର ଆଗ୍ରହ ଅଛି, ନା ଅଛି ପାଇବାର ଆଶା । ତଥାପି ଆମେ ଦୁଇ ଜଣ ଦୁଇ ଜଣଙ୍କ ପାଖରେ ପୂର୍ଣ୍ଣ ସମର୍ପିତ । ଏ ସଂସାରର ଶ୍ରେଷ୍ଠ ବନ୍ଧୁ .. ପରସ୍ପରକୁ ଦୁଃଖ ଦେବାକୁ ଆମେ ଆଜି ଯାଏ କିଛି ବି କରିନାହୁଁ .. ଆଗକୁ ବି କେବେ କରିବୁ ନାହିଁ । ନକହିକି ବି ଆମେ ପରସ୍ପରର ଆବେଗକୁ ଖୁବ୍ ଭଲ ଭାବରେ ବୁଝୁ …“

ମୋ ଆଖି ଲୁହ ଛଳଛଳ ହେଇଗଲା । ସୂର୍ଯ୍ୟର ସାନ୍ତ୍ବନା ମୋ ପାଇଁ ଥିଲା ବଞ୍ଚିବାର ଆଶ୍ବାସନା । ସୂର୍ଯ୍ୟ ଅନ୍ୟର ହେଇକି ବି ମୋର, ସେଇ ବିଶ୍ବାସରେ ମୁଁ ଏବେ ଭୁଲି ଯାଉଥିଲି ମୋର ସମସ୍ତ ମାନସିକ ଦ୍ବନ୍ଦ୍ବ । ଧିର ସ୍ବରରେ ତାକୁ ଡାକିଲି ମୁଁ, “ସୂର୍ଯ୍ୟ, ମତେ କ୍ଷମା କରିଦେଇ ପାରିବୁ କି .. ମୁଁ ଭୁଲ ବୁଝି ..”

ସେ ମୋ ପାଟିରେ ହାତ ଥୋଇଦେଲା । ଆଖିରେ ଠାରି ଚୁପ ରହିବାର ସଙ୍କେତ ଦେଇ କହିଲା, “ଆଜି ପର୍ଯ୍ୟନ୍ତ କେବଳ ରଜତ ହି ବୁଝିଥିଲେ ଆମ ବନ୍ଧୁତାକୁ .. ଆଜିଠୁ ମାଳବିକା ବି ବୁଝିଯିବ ଯେ …”

ରଜତ ଏବେ ଧିରେ ଧିରେ ବୁଝି ପାରୁଥିଲେ ମୋ ମନର କୁଣ୍ଠାକୁ । ମୋ ବିଶୃଙ୍ଖଳିତ ମନକୁ ସେ ଆଜି ଏତେ ବର୍ଷ ପରେ ପଢିବାର ଚେଷ୍ଟା କରୁଥିଲେ । ପାଖରେ ଠିଆ ହୋଇ ହସୁଥିଲା ମାଳବିକା । ତା’ର ସେହି କଦାକାର ମୁଖ ମଣ୍ଡଳରୁ ବାହାରି ଆସୁଥିଲା ଏକ ସ୍ବର୍ଣ୍ଣାଭ ଜ୍ୟୋତି । ଆଉ ସେହି ଜ୍ୟୋତିର ପ୍ରଭାବରେ ମୁଁ ଧିରେ ଧିରେ ସୁସ୍ଥ ହେଇଉଠୁଥିଲି ।

-0-


Rate this content
Log in

Similar oriya story from Romance