Pranati Mahapatra

Inspirational


3  

Pranati Mahapatra

Inspirational


ଅଭୁଲା ସେ ଦୃଶ୍ୟ

ଅଭୁଲା ସେ ଦୃଶ୍ୟ

4 mins 7.0K 4 mins 7.0K

ଶରୀର ବ୍ୟାଧି ମନ୍ଦିରମ୍। ଶରୀର ଥିବା ଯାଏ ରୋଗ ଲାଗି ରହିଛି, ରହିବ ମଧ୍ୟ। ତେଣୁ ଏହି ଶରୀରର ସୁରକ୍ଷା ପାଇଁ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ମଣିଷ ଦ୍ୱିତୀୟ ଇଶ୍ଵର କୁହାଯାଉଥିବା ଡ଼ାକ୍ତରଙ୍କ ପାଖକୁ ଦୌଡ଼ି ବାକୁ ପଡେ। ସେମିତି ନାନା ପ୍ରକାର ରୋଗଭୋଗୁଥିବା ଯୋଗୁଁ ମୁଁ ମଧ୍ୟ ଦିନେ ଯିବାକୁ ମନସ୍ଥ କଲି। ନିର୍ଧୁମା ଖରା । ଡାକ୍ତରଙ୍କ ପାଖକୁ ଯିବାକୁ ଘରଠାରୁ ୪କିଲୋମିଟର ରାସ୍ତା। ପାଦରେ ଚାଲି ଚାଲି ଯିବା ସମ୍ଭବ ନୁହେଁ ଭାବି ଘରୁ ବାହାରିଲି ଛକ ପାଖକୁ। ଖରାରେ ଦେହମୁହଁ ଜଳିଯିବା ଭଳି ଲାଗିଲା। କଣ କରିବି। ସକାଳେ ତ ଜଣେ ପଡୋଶୀଙ୍କ ସହାୟତାରେ ନମ୍ବର କରିଛି । ଯିବାକୁ ତ ପଡିବ। ଖରା ହେଉ ଅବା ବର୍ଷା। ଏମିତି ଅନେକ କଥା ଭାବୁ ଭାବୁ ଗୋଟିଏ ରିକ୍ସା ବାଲା ଆସି ପହଞ୍ଚି ଗଲା। ରିକ୍ସା ଚାଳକ ଜଣକ ପଚାରିଲା ,ମାଆ ଯିବେ?

ଛୋଟ ଉତ୍ତରଟିଏ ଦେଲି-ହଁ ଯିବି। ଦରଦାମ ନ ପଚାରି ବସିଗଲି ରିକ୍ସାରେ। ଯାଉ ଯାଉ ରିକ୍ସା ବାଲା ପଚାରିଲା-ମାଆ କୁଆଡେ ଯିବ?

ମୁଁ-ଡାକ୍ତର ପାଖକୁ, ଶ୍ରୀରାମ ନର୍ସିଂ ହୋମ୍।

ରିକ୍ସାବାଲା-ଏତେ ଖରାରେ, ସକାଳୁ ସକାଳୁ ଗଲେ ନାହିଁ।

ମୁଁ-କଣ କରିବି ପୁଅ। ଡାକ୍ତର ପାଖକୁ ଯିବାକୁ ହେଲେ ନମ୍ବର କର,ଆଉ ସେ ଦେଇଥିବା ସମୟରେ ହିଁ ପହଞ୍ଚିବାକୁ ପଡିବ।

ଏମିତି ଅନେକ ଆଡୁ ଅନେକ କଥା ଭିତରେ ନର୍ସିଂ ହୋମ୍ ପାଖରେ ଯାଇ ରିକ୍ସା ପହଞ୍ଚି ଗଲା। ୫୦ଟଙ୍କିଆ ନୋଟ୍ ଟିଏ ବଢେଇ ଆଗକୁ ଆଗେଇ ଗଲି। ଭିତରେ ଶୀତତାପ ନିୟନ୍ତ୍ରଣ ଥିବା କୋଠରୀ। ଅନେକ ମୋ ଭଳି ଓ ଆହୁରି ଅଧିକ ଶାରୀରିକ ପୀଡା ଭୋଗୁଥିବା ରୋଗୀ ବସିଥାନ୍ତି। ମୁଁ ମଧ୍ୟ ଫାଙ୍କା ଥିବା ଗୋଟିଏ ଚେୟାରରେ ବସିଗଲି।ଯେତେବେଳେ ଯାହାର ନମ୍ବର ଡକାଯାଉଛି ,ସେ ଡାକ୍ତରଙ୍କ ପାଖକୁ ଯାଉଥାନ୍ତି। ମୁଁ ବି ମୋ ନମ୍ବର ଡ଼କା ହେବା ଯାଏ ଚେୟାରରେ ବସିରହିଲି। ଇତିମଧ୍ୟରେ.....

କିଛି ସମୟ ବସିବସି ,ପାଖ ଲୋକଙ୍କ କଥା ଶୁଣି ଶୁଣି ଅତିଷ୍ଠ ହୋଇଗଲି।

ମୋ ବାମ ପାଖ ଚେୟାରରେ ବସିଥାନ୍ତି ୨୨/୨୫ବର୍ଷର ଜଣେ ଝିଅ ଓ ୭୦/୭୫ବର୍ଷର ବୃଦ୍ଧ ବ୍ୟକ୍ତି। ଅନେକ ସମୟ ଧରି ବସି ବସି ବୋଧହୁଏ ବୟସ୍କ ବ୍ୟକ୍ତି ଜଣକ ବିରକ୍ତ ହୋଇଲେଣି। ତାଙ୍କୁ ସେ ଝିଅ ଜଣକ ଯେତେ ବୁଝାଇଲେ ବି ସେ ବୁଝୁନଥାନ୍ତି।

ତାଙ୍କ କଥୋପକଥନର କିଛି ଅଂଶ ,ଏଠାରେ ରଖିବାକୁ ଉଚିତ ମନେ କରୁଛି।

ବୃଦ୍ଧ-କେତେବେଳେ ଡାକ୍ତର ଆସିବେ?

ଝିଅ-ଡ଼ାକ୍ତର ପରା ଆସିଲେଣି।

ବୃଦ୍ଧ-ଚାଲୁନୁ ଯିବା।

ଝିଅ-ଆମକୁ ଡାକିବେ,ତୁମେ ବ୍ୟସ୍ତ ହୁଅନା। ଚୁପଚାପ ବସ।

ବୃଦ୍ଧ-ପଇସା ଆଣିଛୁ ତ;

ଝିଅ-ହଁ ହଁ,ଆଣିଛି।

ବୃଦ୍ଧ -ଆରେ କେତେ ଟଙ୍କା ଆଣିଛୁ

ଝିଅ -ହଁ,ଯେତେ ଟଙ୍କା ଦରକାର ଆଣିଛି।

ତୁମେ ଚୁପଚାପ ବସ,ଖାଲି ବକ ବକ ହେଉଛ।

ବୃଦ୍ଧ - ତୁ ଖାଇକରି ଆସିଛୁ ତ?

ଝିଅ -ହଁ ବାପା।

ବାପା- କଣ ଖାଇଛୁ?

ଝିଅ-ରୁଟି ଖାଇଲି।

ବାପା -ଖାଲି ରୁଟି ଖାଇଲୁ ନା,କଣ ଟିକେ ଲଗାଇ ଖାଇଥାନ୍ତୁ ସିନା।

ମୋ ପଛରେ ଲାଗି ଲାଗି ମାଆ ମୋର ନିଜକୁ ବି ଭୁଲିଗଲାଣି। ତୁ ଯା,ଏଇ ପାଖ ଦୋକାନରୁ ଗୋଟେ ଜୁସ୍ ପିଇ ଆସିବୁ। ମୋ ମାଆ, ମୋ ଧନ । ଶୁଖିକି କଳା କାଠ ପଡିଗଲାଣି।

ଏସବୁ କହି ଝିଅର ମୁହଁ ଆଉଁସି ଦେଲେ।

ଝିଅ -ଓହୋଃ, ତୁମେ ଟିକେ ଚୁପ୍ ହୋଇ ବସ ଭଲା।

ବାପା -ହଁ ବସୁଛି, ତୁ ଯାଆ,ଜୁସ୍ ଆଣି ପିଇବୁ।

ଝିଅ -ତୁମେ ବସ ,ଡାକ୍ତର ଦେଖାଇ ସାରି ଗଲାବେଳେ ପିଇବା ଦୁଇଜଣ ଯାକ।

ପାଖରେ ବସିଥିବା ଲୋକଙ୍କୁ ପଚାରିଲେ ବୃଦ୍ଧ ଜଣକ-ଆଛା, ବାବୁ କେତେଟା ବାଜିଲାଣି? ଏ ଡାକ୍ତର ବାବୁ ଏଯାବତ କାହିଁକି ଡାକୁନାହାନ୍ତି।

ପାଖ ବ୍ୟକ୍ତି କିଛି ନ କହି ନୀରବ ରହିଲେ।

ପୁନର୍ବାର ମୋତେ ପଚାରିଲେ ,ଆରେ ମାଆ, ସମୟ କେତେ ହେଲାଣି?

ମୁଁ -ଅନେକ ବେଳରୁ ଏମାନଙ୍କ କଥା ଶୁଣୁଥିଲି।

ଘଣ୍ଟା ଦେଖି କହିଲି-ଏବେ ୧୨ଟା୪୫

ବୃଦ୍ଧ-ଏତେ ବେଳ ଯାଏ ଡାକ୍ତର ବାଵୁ ଡାକୁ ନାହାନ୍ତି ଯେ...

ମୁଁ -ଡାକିବେ,ମଉସା,ଯାହାର ଯେତେବେଳେ ନମ୍ବର ଆସିବ ,ତାକୁ ଡାକିବେ ସିନା।

ବୃଦ୍ଧ -ତୁମର କଣ ହୋଇଛି?

ମୁଁ -ମୋର ଦେହ ଅସୁସ୍ଥ।

ବୃଦ୍ଧ-କଣ ହୋଇଛି?

ବଡ଼ ବିରକ୍ତିରେ ଝିଅ କହିଲା-ତୁମେ କାହିଁକି ଏମିତି ହେଉଛ?ଟିକେ ଚୁପ୍ ହୋଇ ବସ।

ମୁଁ କିନ୍ତୁ ଆଉ ଚୁପ୍ ହୋଇ ପାରିଲି ନାହିଁ।ସେ ଝିଅ ଟିକୁ କହିଲି,ତୁମେ ଏମିତି କାହିଁକି ବିରକ୍ତ ହେଉଛ? ବୁଢା ଲୋକ। ସେ ଯାହା ପଚାରୁଛନ୍ତି କହିଦେଲେ ତ ବୁଝିଯିବେ।

ଝିଅ-ଆପଣ ଜାଣି ନାହାଁନ୍ତି, ସେ ପଚାରି ପଚାରି ମୁଣ୍ଡ ଖରାପ କରିଦେବେ। ମୁଁ ବିରକ୍ତ ହେଉନାହିଁ। ହେଲେ ଅନ୍ୟମାନେ କଣ ଏକଥା ବୁଝିବେ।

ମୁଁ ତ ସବୁକଥାର ଉତ୍ତର ଦେଉଛି। ହେଲେ ସେ ଅନ୍ୟମାନଙ୍କୁ ବି ପଚାରି ପଚାରି ବିରକ୍ତ କରିଦେଉଛନ୍ତି।

ମୁଁ କହିଲି-ତାଙ୍କର କଣ ହୋଇଛି?

ଝିଅ କିଛି କହିବା ଆଗରୁ ବୃଦ୍ଧ ଜଣକ କହିବା ଆରମ୍ଭ କଲେ-

ମୋ ଘର ଭଦ୍ରକରେ।ମୁଁ ଗାଁରେ ସରପଞ୍ଚ ଥିଲି। ତା ଆଗରୁ ସରକାରୀ ଚାକିରୀ ବି କରିଥିଲି। ଅବସର ପରେ ଗାଆଁରେ ରହିଲି,ଗାଆଁର ଭଲ ମନ୍ଦ,ହାନିଲାଭରେ ମୋତେ ଡକାପଡେ। କେତେ କେତେ ନିଆୟ,ନିସାପରେ ମୋ ନିଷ୍ପତ୍ତିକୁ ମାନନ୍ତି। ମୋର ତିନି ପୁଅ,ଏଇ ଗୋଟିଏ ଝୁଅ।

ଆମେ ବି ତିନିଭାଇ। ମୋର ନିଜର ତିନି ତିନିଟି କୋଠାଘର,୧୭ଏକର ସମ୍ପତ୍ତି।ଘରବାଡି ମିଶି ୨୦ଏକର। ପୁଅସବୁ ବାହାହୋଇ ନାତିନାତୁଣୀ ହେଲେଣି। ବୋହୁ ଦୁଇଜଣ ସରକାରୀ ଡାକ୍ତରଖାନାରେ ନର୍ସ। ସମସ୍ତେ ଭଲରେ ଅଛନ୍ତି। ବଡ ଖୁସି ଆନନ୍ଦମୟ ମୋ ଘର। ମୋର ଦୁଃଖ ଗୋଟିଏ।

ମୁଁ-ଆଉ ଦୁଃଖ କଣ ମଉସା। ଏତେ ସୁଖ ଥାଉ ଥାଉ, ଦୁଃଖ କାହିଁକି କରୁଛନ୍ତି।

ବୃଦ୍ଧ-ସମସ୍ତେ ବାହାସା ହୋଇ ଘର ସଂସାର କଲେ। ହେଲେ ଏଇ ଝିଅଟି...

ଆହୁରି ବିରକ୍ତ ହୋଇଗଲା ଝିଅଟି। ବାପା, ତୁମେ ଟିକିଏ ଚୁପ୍ ହୁଅ।ଘରକଥା ଏମିତି କହି କଣ ପାଉଛ? ତ ଏତେ ବେଳେ ,ସେ ଝିଅକୁ କହିଲି,ଦେଖ, ତାଙ୍କ ମନର କଥାଗୁଡା ସେ ଯଦି ନ କହିବେ ତାହାହେଲେ, ତାଙ୍କ ଦେହ ଆହୁରି ଖରାପ ହେବ। ବାପା ପରା।ସବୁବେଳେ ପିଲାଙ୍କ ଚିନ୍ତା ତାଙ୍କ ମୁଣ୍ଡରେ। କେମିତି ଭୁଲି ଯିବେ ସେ।

ଝିଅ-ଆପଣ ଜାଣି ନାହାଁନ୍ତି, ତାଙ୍କୁ ଖାଇବାକୁ ଦେବି। ସେ ନ ଖାଇ ବସିରହିବେ। ବାପା ଖାଉନାହାନ୍ତି,

କହିବେ, ତୁ ମତେ ଖୋଇଦେ। ଖୋଇଦେବି,କହିବି

ଯାଅ ତୁମେ ଖଟରେ ଶୋଇବ।

ସେ କହିବେ, ନାହିଁ, ନାହିଁ, ତୁ ମୋ ହାତ ଧରି ,ଖଟ ପାଖକୁ ନେଇଚାଲ,ଥାପୁଡେଇ ଥାପୁଡେଇ ଶୋଇଦେବୁ।

ଏକଥା ଶୁଣି, ମୋ ଆଖିରୁ ଠପଠପ ହୋଇ ଲୁହ ଗଡିପଡିଲା,

ଆଃ ,କି ଅପୂର୍ବ ଶିହରଣ ଖେଳିଗଲା ମୋ ଅନ୍ତରରେ।

ଧନ୍ୟ,ସେ ଝିଅ, ଯିଏ ପୁଅପରି ବାପାଙ୍କର ସେବା କରୁଛି।

ଆଖିଲୁହ ପୋଛି କହିଲି -ଧନ୍ୟ ତୁମେ, ସାର୍ଥକ ତୁମ ଜୀବନ।

ଝିଅ କହିଲା-ଜାଣନ୍ତି, ନ ଗାଧୋଇ ଦେଲେ -ଗାଧୋଇ ବେନି,ସାର୍ଟ ନ ପିନ୍ଧାଇ ଦେଲେ ସେମିତି ଗାମୁଛା ପିନ୍ଧି ବସିଥିବେ।

ପାନିଆ ଧରି ମୋ ପଛେ ପଛେ ଚାଲିଥିବେ,ମୁଣ୍ଡ କୁଣ୍ଡାଇ ଦେ କହିକହି।

ମୋ ପାଟିରୁ ବାହାରି ଆସିଲା, ପିଲାବେଳେ ସେ ତୁମର କେତେ ନ କରିଛନ୍ତି। କେବେ ବି ଥକି ଯାଇନାହାଁନ୍ତି। ଆଉ ଏବେ ତୁମେ ବିରକ୍ତ ହେଉଛ?

ଆରେ ନାହିଁରେ ମାଆ। ସେ କେବେବି ମୋ ଉପରେ ବିରକ୍ତ ହୁଏ ନାହିଁ।ଆମ ବୁଢା ବୁଢୀ ଦୁଇଜଣଙ୍କ ପାଇଁ ସେ ପରା ବାହା ହେଲାନାହିଁ।

ସେ ପରା ମୋ ମାଆ। ସେ କାହିଁକି ଏ ବୁଢା ପୁଅ ଉପରେ ବିରକ୍ତ ହେବ। ଜାଣିଛୁ ଝିଅ; କାଲି ସକାଳେ ମୋ ପାଇଁ ଦୁଇଟା ହରଲିକ୍ସ ଆଣିଛି। ସଞ୍ଜବେଳେ ଚା'ନ ଦେଇ ମାଡିବସି ଏଡ଼େ ବଡ଼ ଗ୍ଲାସରେ ଗ୍ଲାସେ ପେଇଲା,ଆଉ କହିଲା ତୁମେ ଦୁର୍ବଳ ଦେଖାହେଲଣି। ଟିକିଏ ବେଶି ବେଶି ଖାଆ। ନହେଲେ ମୋତେ ଗାଳି ଦେଇ ପାରିବନି।

ବୁଝିଲୁ ଝିଅ, ଏଭଳି ଝିଅକୁ ଆଜି ମୋ ମାଆ ରୂପରେ ପାଇବା ବଡ ଭାଗ୍ୟର କଥା। ମୋର କେତେ ରୋଗ। ଏହି ଝିଅ ବିଉଟି ପାର୍ଲର କରି,ଟିଉସନ କରି,ମୋତେ କଟକ, ଭୁବନେଶ୍ୱର, କାହିଁ କାହିଁ ବଡବଡ ଡାକ୍ତରଖାନା ନେଉଛି। କୋଟି ପୂଣ୍ୟ କରିଥିଲେ ଏଭଳି ଲକ୍ଷ୍ମୀ ପ୍ରତିମା ଝିଅ ମିଳେ। ଏହା କହି ବାପା,ନିଜ ଝିଅକୁ ଗେଲ କରିପକାଉଥାନ୍ତି।

ଏଇଠି କହିରଖେ,

ପିଲାଦିନରୁ ବାପାଙ୍କୁ ହରାଇଥିବା ,ସବୁ ବାପାଙ୍କ ପାଖେ ଝିଅମାନଙ୍କୁ ଦେଖିଲେ ମୋ ମନ ହୁଏ, ମୋତେ ବି କେହି ଏଭଳି ସ୍ନେହ ଆଦର କରନ୍ତା କି; ମୁଁ ବି ଏଭଳି ମୋ ବାପାଙ୍କର ସେବା କରନ୍ତି କି ? ମୋ ଝିଅ ଜନମ ସାର୍ଥକ ହୋଇଯାଆନ୍ତା।


Rate this content
Originality
Flow
Language
Cover Design