Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଓଢଣା ଫାଙ୍କର ଲୁହ
ଓଢଣା ଫାଙ୍କର ଲୁହ
★★★★★

© Chinmoyee Mohanty

Tragedy

5 Minutes   7.5K    13


Content Ranking

ଗାଁ ମୁଣ୍ଡର ଟିଉବୱଏଲ୍ ପାଖରେ ବାଲଟି ଧରି,ମୁଣ୍ଡରେ ଓଢଣା ଟାଣି,ଲଂବା ଗୋଟେ ଧାଡିରେ ଛିଡା ହେଇଥିଲା ତମସା। ତା ସାମନାରେ ଦଳିତ ବର୍ଗର ସ୍ତ୍ରୀ ଲୋକମାନେ। ତା' ଟର୍ମ ଆସିବା ଯାଏ ଅପେକ୍ଷା କରିବା ଛଡା ଅନ୍ୟ ଉପାୟ ନାହିଁ ।ଆଜିଠୁ ପାଣି ରଖିବାକୁ ପଡିବ।ନହେଲେ ହଇରାଣ।ସକାଳୁ ସକାଳୁ ବାସନ ମଜା,ଗାଧୁଆ, ରୋଷେଇ ଏମିତି ସବୁ କେତେ କାମ।ସବୁ କାମ ସାରି,ତାକୁ ପୁଣି କଲେଜ୍ ଯିବାକୁ ପଡିବ।ପବ୍ଲିକ ଟିଉବୱଏଲ୍।ବାବୁଘର ବୋହୁ,କଲେଜ୍ ର ଅଧ୍ୟାପିକା, ଏ ସବୁର ମାନେ କିଛି ନାହିଁ।ଏଠି ସମସ୍ତେ ସମାନ।ଘରୁଆ ଘରର ସ୍ତ୍ରୀ ଲୋକମାନେ କେହି ଦାଣ୍ଡକୁ ଆସନ୍ତି ନି।ସମସ୍ତଙ୍କ ଅଗଣାରେ ଟିଉବୱଏଲ୍, ନହେଲେ କୁଅ।ତାଙ୍କର ବାଡିପଟେ ଗୋଟେ କୁଅ ଅଛି।ହେଲେ କୋଉଦିନୁ ଅସର ହେଇ ପଡିଛି।ବାଡି ପଟକୁ ପ୍ରାୟ କେହି ଯାଆନ୍ତି ନାହିଁ।କେବଳ ଯାଏ ତମସା।ଦିନେ ଦେଖିଲା ବେଳକୁ କୂଅ ପାଖରେ ପଡିଥିଲା ଦଉଡି ଟାଏ।ପାଖକୁ ଯାଇ ଦେଖେ ତ ବିରାଟ ଗୋଟେ ନାଗସାପ।ଚିତ୍କାର କରି ପଳେଇ ଆସିଲା ତମସା।କୂଅ ର ଟିକେ ପାଖକୁ ଲାଗି ବରପାଲି ପାଇଖାନା ଟେ।ସେଇଟା ଆଉ କେହି ବ୍ୟବହାର କରନ୍ତି ନି ତା'ଛଡା।ବାଡି ପଟ ପୁରା ଅରମା।ତା'ରି ଭିତରେ ସରୁ ରାସ୍ତାଟିଏ ପାଇଖାନା କୁ।ସାପ ଟାକୁ ଦେଖିଲା ପରେ,ଭାରି ଡରି ଯାଇଥିଲା ତମସା।ହେଲେ କ'ଣ ସେ କରି ପାରିବ ??ସେଇ ପରିବେଶ ଭିତରେ ତାକୁ ତ ଚଳିବାକୁ ପଡିବ।

ସହରର ପାଣି ପବନରେ ବଢିଥିବା ତମସାର, ଆଗରୁ ଗାଁ, ଗାଁ ପରିବେଶ ,ଏ ସବୁ ପାଇଁ ଥିଲା ଅହେତୁକ ଆକର୍ଷଣ।ଛୁଟିରେ କେବେ କେମିତି ଗାଁ କୁ ଗଲେ,ଆଉ ଆସିବାକୁ ମନ କରେନି।ଧାଡି ଧାଡି ଘର...ମଝିରେ ଲଂବି ଯାଇଛି ରାସ୍ତା,ମନ୍ଦିର ଦେଇ ସ୍କୁଲ୍ ଯାଏ।ଘର ସାମନାରେ ପଥର ପାହାଚ ଥାଇ ପୋଖରୀ।କାଚକେନ୍ଦୁ ଭଳି ପାଣି।ପୋଖରୀ ହୁଡା ରେ ନଡ଼ିଆ ଗଛ ଧାଡିକି ଧାଡି।ଘର ପଛପଟେ ବିରାଟ ଆମ୍ବ ତୋଟା।ଆହୁରି କେତେ ରକମର ଫଳ ଗଛ।ଜାମୁ ,ଆତ,ପଣସ,କେନ୍ଦୁ ଏମିତି ସବୁ।ଖରାଛୁଟି ଗାଁ ରେ ହିଁ କଟୁଥିଲା। ଶାମୁକିଆ ପୋଖରୀରେ ଚାପ ରେ ମଦନମୋହନ ଙ୍କର ଚନ୍ଦନ ଯାତ୍ରା, ଚାପଖେଳ,ଆଉ ଦହି ପଖାଳ ଭୋଗ।ଅକ୍ଷୟ ତୃତୀୟା ଠାରୁ ଭଉଁରୀ ଯାଏ ଚାଲେ ଏଇ ଯାତ୍ରା।ଚନ୍ଦନ ପଡିଆ ରେ ଲାଗେ ମେଲଣ।ମନଲୋଭା ମନୋହରୀ ଦୋକାନ ଛଡା ଜାତି ଜାତି ମିଠା ଦୋକାନ।ଭାରି ଭଲ ଲାଗେ ଏ ସବୁ ତମସାକୁ।

ସାଆନ୍ତ ଘର ପିଲାମାନେ ଗାଁ କୁ ଆସିଚନ୍ତି ବୋଲି,ସମସ୍ତେ ସଜାଗ।ସେମାନଙ୍କର ଯେମିତି କିଛି ବି ଅସୁବିଧା ନହୁଏ।ହଳିଆ, ଚାକର ଲାଗି ପଡନ୍ତି ସମସ୍ତେ।ପୋଖରୀ ରେ ଜାଲ ପଡି ଧରାହୁଏ ମାଛ।ଯୋଗିଆ ଚମାର କାଟି ଗଦେଇ ଦିଏ କଅଁଳିଆ ତାଳସଜ।ହାଡି ଗୁଡିଆଣୀ ଗରମ ଗରମ ମୁଢି ଭାଜି,ଉଖୁଡା,ପୁଆ ମିଠେଇ ଆଣି ଦେଇଯାଏ।ପୁଆ ମିଠେଇ ତା' ଗାଁ ର ଏକ ନିଆରା ମିଠେଇ।ଚାଉଳ,ମୁଗ ଚୁନାରେ ଡାଳି ଗଜା ଛଣା ହେଇ, ଗୁଡରେ ପାଗ ହେଇ ମିଠେଇ ତିଆରି ହୁଏ।ଆଉ କୋଉଠି ବି ସେମିତି ମିଠେଇ ସେ ଖାଇନି।ତା' ଗାଁ ର ଝିଅ ଟିଏ ତା'କଲେଜ୍ ରେ ପଢୁଥିଲା।ବହୁତ୍ ଦିନ ପରେ ତା'ରି ହାତରେ ତମସା କିଛି ପୁଆ ମିଠେଇ ମଗେଇ ଥିଲା।ସେ ମିଠେଇ ରେ ସେ ଖୋଜୁଥିଲା ହାଡି ଗୁଡିଆଣୀ ର ହାତର ବାସ୍ନା।ହାଡି ଗୁଡିଆଣୀ କେବେଠୁ ମରି ହଜି ଗଲାଣି,ଆଉ ତା ସାଙ୍ଗରେ ପୁଆ ମିଠେଇ ର ସୁଆଦ ବି ବଦଳି ଯାଇଛି।

ତମସା ଯୋଉଦିନ ବୋହୁ ହେଇ ଶାଶୁଘର ଗାଁ କୁ ଆସିଲା, ତା'ଆଖିରେ ଥିଲା ଆଖିଏ ଉଷୁମ ସ୍ୱପ୍ନ।ତା' ଗାଁ ଆଉ ବହିରେ ପଢିଥିବା ଗାଁ ର ଦୃଶ୍ୟ ସବୁକୁ ଫେଣ୍ଟାଫେଣ୍ଟି କରି କଳ୍ପନା ରେ ଆଙ୍କିଥିଲା,ସୁନ୍ଦର ଗୋଟିଏ ଗାଁ ର ଚିତ୍ରପଟ।ହେଲେ ସବୁକିଛି ଏଠି ଥିଲା ପୁରାପୁରି ଅଲଗା।ରଜରେ ଅଭିଆଡୀ କୁଆଁରୀ ଝିଅ ମାନଙ୍କ ପାନଖିଆ ନାଲି ନାଲି ଓଠର ଖିଲିଖିଲି ହସରେ ,ଗାଁ ଦାଣ୍ଡ ଫାଟି ପଡୁ ନଥିଲା... ଦିନଟିଏ ବି ସେ ଶୁଣିପାରି ନଥିଲା, ଫୁଲ ବଉଳ ବେଣୀ ଗୀତର ଲହର ଦିଆ ସୁର।ଗାଁ ରେ ଘର ସବୁ ବୁଦି ଵୁଦିକିଆ।ଆଖିର ଓଦା ପଣତ ତା'ର ଫିଟିଯାଇ,ନଈ ହେଇ ବହିଯାଇଥିଲା ଯେମିତି। ସେ ଦେଖୁଥିଲା, ତା'ଗାଁ... ଯୋଉଠି ତା'ର ଏନ୍ତୁଡି ଜଳିଥିଲା।ଆଉ ଏ ଗାଁ... ଯୋଉଠି ଦିନେ ତା'ର ଜୁଇ ନିଆଁ ଜଳିବ !!

ପ୍ରକୃସ୍ଥିତ ହେଲା ତମସା।ଏ ସବୁ କୁ ଭାବି ଲାଭ କ'ଣ !! ସବୁକିଛି ସେ ଛାଡି ଆସିଛି ଅନେକ ପଛରେ।ୟା ଭିତରେ ସମସ୍ତେ ପାଣି ନେଇ ଚାଲି ଗଲେଣି।ଲଂବା ଧାଡିଟା କମି ଗଲାଣି।ଆଉ ଦୁଇ ଜଣଙ୍କ ପରେ, ତା' ପାଳି।ତା' ସାମନାରେ ଛିଡା ହେଇଥିଲା ,ନିଧିଆ ସାମଲର ବୋହୁ।ଶୁଣିଛି, ତା ସ୍ୱାମୀ ତାକୁ କୁଆଡେ ବହୁତ୍ ପିଟେ।କରଣ ଘରର ଝିଅ ଟିଏ।ମନୁଆ ସାଙ୍ଗରେ କେମିତି ଭାବ ହେଲା କେଜାଣି... ଯାତ୍ରା ଦେଖିବାକୁ ଯାଇ ମନୁଆ ସାଙ୍ଗରେ ଚାଲି ଆସିଥିଲା, ସମସ୍ତଙ୍କୁ ପଛରେ ଛାଡି ସବୁଦିନ ପାଇଁ।ସେଇ ଦିନଠୁ ବାପା ,ଭାଇ କେହି ତା'ଦୁଆର ମାଡନ୍ତିନି କି ତା' ମଲା ହଜିଲା ଖୋଜନ୍ତିନି।ଭଲ ପାଇବାର ନିଶା ତୁଟି ଗଲା ପରେ,ଆରଂଭ ହେଇଯାଇଛି ମନୁଆର ତା' ଉପରେ ଅତ୍ୟାଚାର।କୋଉ ସାହସରେ ବି ଏ ସବୁର ପ୍ରତିବାଦ କରିବ ସିଏ ! ଭାଗ୍ୟକୁ ଆଦରି ପଡି ରହିଛି।କଲା କର୍ମର ଫଳ ଭୋଗୁଛି।ବିଚାରୀ ....ଗୋଟେ ଦୀର୍ଘଶ୍ୱ|ସ ବାହାରି ଆସିଲା ତମସାର।

ଆକାଶ ରେ ସୂର୍ଯ୍ୟ ନଉଁଥିଲେ ଧାନ କିଆରୀ ସେପଟେ।ପାଣି ନେଇସାରି,ଘରକୁ ଯାଇ ଡିବି ଲଣ୍ଠନ ସଜାଡିବ।ସଂଜବତୀ ଜାଳି ପରିବାରର ଶୁଭ ମନାସିବ।ରାତି ପାଇଁ ଖାଇବା ତିଆରି କରିବ।ସମସ୍ତେ ଖାଇ ପିଇ ସାରିବା ପରେ,ବାସନ କୁସନ ମାଜି,ରୋଷେଇ ଘର ସଜାଡି ତା'ପରେ ପରଦିନ କ୍ଲାସ ପାଇଁ ପ୍ରସ୍ତୁତ ହବ।ବିଛଣାକୁ ଗଲା ବେଳକୁ ରାତି ବାରଟା।ଗାଁ ରେ ସେତେବେଳକୁ ଅଧ ରାତି।ଭାରି ଖାଁ ଖାଁ ଲାଗେ।ଅନେକ ବେଳୁ ଶୋଇଯାଇ ଥାଆନ୍ତି ସୂର୍ଯ୍ୟ।ଝରକା ପାଖ ବାଉଁଶ ବୁଦାରୁ ଶୁଭେ ସାଇଁ ସାଇଁ ଶବ୍ଦ।ଦୂର ତାଳବଣରେ ଶୁଭୁଥାଏ ପହରିକିଆ ବିଲୁଆର ହୁ..କେ.. ହୋ।ମନେପଡିଯାଏ,ଜେଜେ ମା କହିଥିବା ଭୂତ, ପ୍ରେତ, ଡାହାଣୀ ଗପ ସବୁ।ଭୟରେ ଆଖି ଦି'ଟା ବୁଜିଦିଏ।ଇଚ୍ଛା ହୁଏ ସୂର୍ଯ୍ୟ ଙ୍କୁ ଯୋର୍ କରି ଜବୁଡି ଧରିବାକୁ; ଛୋଟବେଳେ ଡର ଲାଗିଲେ ବୋଉକୁ ଯେମିତି ଜାବୁଡ଼ି ଧରୁଥିଲା ...ହେଲେ ପାରେନି।କାଳେ ସୂର୍ଯ୍ୟ ଙ୍କ ର ନିଦ ଭାଙ୍ଗି ଯିବ!! ଆଖି ବୁଜି ଠାକୁରଙ୍କୁ ଡାକି ବିଛଣା ରେ ପଡିରହେ।କେତେବେଳେ ନିଦ ଲାଗିଯାଏ।

ଆକାଶ ଫର୍ଚା ହେଇଗଲେ,ଚାଉଁକରି ତା'ନିଦ ଭାଙ୍ଗିଯାଏ।ଘର ଅଗଣା ଝାଡୁ କରି ଗୋବର ପାଣି ଛିଞ୍ଚିବାକୁ ପଡିବ।ନହେଲେ ଶାଶୁ ଉଠି ରାଗିବେ।ଆଉ ସକାଳୁ ସକାଳୁ ତା' ମୁଡ୍ ଟା ଖରାପ ହେଇଯିବ।ଭାବେ ତମସା-----ବାହାଘର ଆଗରୁ କେତେ ଶୋଉଥିଲା ସିଏ।ବାପା ବୋଉ ଯେତେ ଯିଏ ଡାକିଲେ ବି ଜମା ଶୁଣେନି।ତକିଆ ଗୋଡତଳେ ଜାକି ସେମିତି ପଡି ରହିଥିବ।ଆଉ ଛୁଟିଦିନ କଥା ତ ଛାଡ।କେହି ତାକୁ ଉଠାନ୍ତିନି କି ସେ ବି ଉଠେନି।ଦିନ ଅଧଯାଏ ସେମିତି ପଡିରହିଥିବ ବିଛଣାରେ।ବାପା ଦିନେ ରାଗିକି କହିଲେ---"ଶୋଇ ଶୋଇ ଏ ପିଲା ଟା ତା' ଜୀବନ ନଷ୍ଟ କରିଦବ।"କାଇଁ...ଏବେତ କେହି ତାକୁ ନିଦରୁ ଉଠଉନି ! ମନେ ମନେ ହସିଦିଏ ତମସା।

ସାବିତ୍ରୀ ଅମାବାସ୍ୟା ପାଇଁ ଭାର ନେଇ ଆସିଥିଲେ ଭାଇ,ଭାଉଜ।ନୂଆଁଣିଆ ଚାଳର ରୋଷେଇ ଘରୁ ଓଢଣା ଟାଣି,ହାତରେ ଡିବି ଟିଏ ଧରି ବାହାରି ଆସୁ ଆସୁ, ଭାଉଜ କୁଣ୍ଢେଇ ଧରି କହିପକେଇଲେ " ତମେ ଅନ୍ୟ ଏକ ବଧୂନିରୁପମା ତମସା।ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସର ନାୟିକା ମୋ ସାମନାରେ ??"ଆଖିରୁ ତାଙ୍କର ବହି ଚାଲିଥିଲା ଧାର ଧାର ଲୁହ।ମଳିଚିଆ ହସ ଟିକେ ହସି ଦେଇ,ଭାଉଜଙ୍କ ଆଖିରୁ ଲୁହ ପୋଛିଥିଲା ତମସା।

ଅନ୍ୟମନସ୍କ ଭାବେ ଟିଉବୱଏଲ୍ କୁ ମାରି ଚାଲିଥିଲା ତମସା।ବାଲଟି ଭର୍ତ୍ତି ହେଇ ପାଣି ଗୁଡା ବହି ଯାଉଥିଲା।ଗୁଡିଆ ଘର ଦାଣ୍ଡ ପିଣ୍ଢାରୁ ହରିଆ ବୋଉ ପାଟି କରୁଥିଲା," ବୋହୁ ସାଆନ୍ତାଣି,ପାଣି ପରା ପୁରି ଗଲାଣି।କଳ ଟାକୁ ମାରିଚାଲିଛ କାଇଁକି ?" ଆରେ ସତେ ତ।ତା'ର ଖିଆଲ ନାହିଁ ଜମା।ପାଣି ବାଲଟି ଧରି ଶୀଘ୍ର ଆସୁ ଆସୁ, ତା' ଆଗରେ ହଠାତ୍ ସାଇକେଲ୍ ରୁ ଓହ୍ଲେଇ ପଡି ,ନମସ୍କାର କଲା କଲେଜ୍ ପିଅନ, ମହେନ୍ଦ୍ର। ମହେନ୍ଦ୍ର ଆଖିରେ ଅନେକ ଜମାଟ ବନ୍ଧା ପ୍ରଶ୍ନ କୁ ସହଜ ରେ ପଢିପାରୁଥିଲା ତମସା।

" ଆରେ ମହେନ୍ଦ୍ର, ତମେ?ମୋ ପାଖରେ କ'ଣ କିଛି କାମ ଥିଲା ??"

"ନାଇଁ ମାଡାମ୍, ଏଇବାଟେ ଯାଉଥିଲି....ଆପଣଙ୍କ ଭଳି ଲାଗିବାରୁ,ଦୁଇ ତିନି ଥର ଏପଟ ସେପଟ ହେଲି।ବିଶ୍ୱାସ ହେଲାନି ଆପଣଙ୍କୁ ଏମତି ଅବସ୍ଥାରେ ଦେଖି।ସେଥିପାଇଁ ଟିକେ ଅଟକି ଗଲି।"ମହେନ୍ଦ୍ର ପଖରୁ ଆଉକିଛି ଶୁଣିବା ପାଇଁ ପ୍ରସ୍ତୁତ ନଥିଲା ତମସା।

"ତମେ ଏଥର ଆସ ମହେନ୍ଦ୍ର।ସଂଜ ଗଡିଯିବ।ମୁଁ ଆସୁଛି।କାଲି କଲେଜରେ ଦେଖାହବ।"

କୌଣସି ମତେ ମହେନ୍ଦ୍ରର ପ୍ରଶ୍ନ ଜାଲରୁ ମୁକ୍ତି ପାଇବା ପାଇଁ, ତରତରରେ କଥା ଗୁଡାକ କହି ପକେଇ, ଦାଣ୍ଡ କବାଟ ଏରୁଣ୍ଡି ଟପି ଘର ଅଗଣା ଭିତରକୁ ପଶିଯାଇଥିଲା ତମସା।ଭରା ବାଲଟିରୁ ଚହଲି ଚହଲି ପାଣି ଗୁଡା ତଳେ ପଡୁଥିଲା.....ଆଉ ତା ସାଙ୍ଗରେ ମିଶିଯାଉଥିଲା ,ଓଢଣା ଫାଙ୍କରୁ ବହିଯାଉଥିବା ତା' ଆଖି ଲୁହ ସବୁ।

ତମସା ପାଣି ମହେନ୍ଦ୍ର

Rate the content


Originality
Flow
Language
Cover design

Comments

Post

Some text some message..