Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayanta Mohapatra

Inspirational Others

2.3  

Jayanta Mohapatra

Inspirational Others

ଆଉ ଥରେ

ଆଉ ଥରେ

9 mins
9.2K


ମାର୍ଗଶିର ମାସ ଶୀତ ସକାଳର କୋହଲା ପାଗ, ସବୁଜିମା ଭରା ଘାସ ଉପରେ କାକରର ବୁନ୍ଦା ଅଳସ ଭାଙ୍ଗୁ ଥିଲାବେଳେ, ବିଶ୍ଵଜିତଙ୍କ ମଥାରେ କିନ୍ତୁ ଫୁଟି ଉଠିଥିଲା ଅସଂଖ୍ୟ ଘର୍ମବିନ୍ଦୁ । ଶୁଭ ଖବରର ବାର୍ତ୍ତାବହ ବୋଲି ଯୋଉ ଆଖି ଝରକା ପାଖରେ ଥିବା ଥୁଣ୍ଟା ଆମ୍ବ ଗଛଟାରେ ଯାହାକୁ ଖୋଜି ବୁଲୁଥାଏ, ଆଜି କାହିଁକି କେଜାଣି ସେ ଡାମରା କାଉର ରାବ, କର୍କଶ ଲାଗି ଅସହ୍ୟ ବୋଧ ହେଉଥିଲା ତାଙ୍କୁ । ଅନେକ ଅସମାହିତ ପ୍ରଶ୍ନ ଗୁଡିକର ଉତ୍ତର ଖୋଜି ଚାଲିଛନ୍ତି ସେ ନିଜ ଭିତରେ । ହଠାତ ମୋବାଇଲର ରିଂଗ୍ ପ୍ରକୃସ୍ଥିତ କରାଇଲା ତାଙ୍କୁ । ହାତକୁ ମୋବାଇଲଟା ନେଇ ‘କଲର ଅନ୍ନୋନ’କୁ ଦେଖି ଉଠେଇବାକୁ ଯାଉଛନ୍ତି କି କଟିଗଲା ।

“କିଏ କଲ କରିଥାଇ ପାରେ ? ହେଲା ନା ନାହିଁ ?” ଭାବି ଭାବି ବିଶ୍ୱଜିତ ଟିକେ ଅସ୍ଥିର ହୋଇ ପୁଣିଥରେ ଝରକା ପାଖକୁ ଫେରି ଆସି ଭାବନା ରାଇଜରେ ହଜିଗଲେ ।

ବିଶ୍ୱଜିତଙ୍କ ସିଙ୍ଗାପୁର ଛାଡ଼ି ଭୁବନେଶ୍ୱର ଆସିବାର ପ୍ରାୟ ତିନି ମାସ ହୋଇ ଗଲାଣି । ଏହି ତିନି ମାସ ଭିତରେ ସେ ଜୀବନର ଅନ୍ୟ ଏକ ରୂପକୁ ନ ଚାହିଁ ମଧ୍ୟ ଦେଖିବାକୁ ବାଧ୍ୟ ହୋଇଥିଲେ । ଯେଉଁ ହାତ ଦିନେ ଆକାଶକୁ ଛୁଇଁ ଯାଉଥିଲା, ସେ ଆଜି ହାତ ପାତି ଠିଆ ହୋଇଛି । ଯେଉଁ ଲୋକ ଦିନେ ଉତ୍ସବ ମାନଙ୍କର କେନ୍ଦ୍ର ବିନ୍ଦୁ ଥିଲା, ସେ ଆଜି ଘର ଆଢୁଆଳରେ ରହି ଏକାନ୍ତ ଖୋଜି ବୁଲୁଛି । ଯାହାର ଫଳସ୍ଵରୂପ ସେ ନିଜକୁ ଏହି କୋଠରୀ ଭିତରେ ଆବଦ୍ଧ ରଖି କାରାବାସ ସମ ଜୀବନ ନିର୍ବାହ କରୁଛନ୍ତି । ଆସିବାର ଦିନଠାରୁ ଏହି ଖୋଲା ଝରକାଟା ହିଁ କେବଳ ଗୋଟିଏ ମାଧ୍ୟମ ସେ ବାକି ରଖିଛନ୍ତି, ଯାହା ତାଙ୍କୁ ବାହାର ଦୁନିଆର ଅସ୍ତିତ୍ଵକୁ ତାଙ୍କୁ ଅନୁଭବ କରାଇପାରୁଛି । ଦେଶର ଘଟଣାମାନଙ୍କର ତର୍ଜମା, ପାରିବାରିକ ସମସ୍ୟାର ସମାଧାନ, ଭବିଷ୍ୟତର ଯୋଜନା ଆଦି ସବୁକିଛି ବିଷୟରେ ଏଠି ଠିଆ ହୋଇ ଚିନ୍ତା ବା ଚିନ୍ତନ କରନ୍ତି ସେ । କିନ୍ତୁ ନିଜକୁ ନାନା ପ୍ରକାରରେ ବ୍ୟସ୍ତ ରଖୁଥିଲେ ମଧ୍ୟ ଦିଗ ବଦଳାଇ ମନ ବାରମ୍ବାର ଟାଣି ଆଣୁଥାଏ, ସେହି ଦିନର ଘଟଣା ଗୁଡ଼ିକୁ, ଯୋଉ ଦିନଟି ତାଙ୍କ ଜୀବନ ସ୍ରୋତର ଦିଗ ବଦଳାଇ ଦେଇଥିଲା ।

ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର, ବିଶ୍ୱଜିତଙ୍କ ପାଇଁ ବିଶେଷତ୍ୱ ବିହିନ ଅନ୍ୟ ଏକ ସାଧାରଣ କାର୍ଯ୍ୟ ଦିବସ । ସବୁଦିନ ପରି ସକାଳୁ ଉଠି ନିତ୍ୟକର୍ମ ସାରି ୯’ଟା ପୂର୍ବରୁ ଆସି ଅଫିସରେ ପହଞ୍ଚି ଯାଇଥିଲେ ସେ । ଠିକ ସମୟରେ ଅଫିସରେ ପହଞ୍ଚିବା ତାଙ୍କର ଗୋଟେ ଅଭ୍ୟାସ । କମ୍ପ୍ୟୁଟର ଖୋଲି ଇ-ମେଲ୍ ଚେକ୍ କରୁଥିଲା ବେଳେ, ହଠାତ୍ ଗୋଟେ ମିଟିଂ ଇନଭାଇଟ୍ ଉପରେ ତାଙ୍କର ନଜର ପଡ଼ିଲା । କାଲି ଅଫିସରୁ ଗଲା ପରେ ଆସିଥିଲେ ମଧ୍ୟ ଅଜେଣ୍ଡା ବିହିନ ଏଇ ମିଟିଂଟା ଠିକ୍ ସକାଳ ୯’ଟା ବେଳେ ସିଡ଼୍ୟୁଲ୍ ହେଇଥିବାର ଦେଖି ତାଙ୍କୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା । ବ୍ୟଗ୍ରତାର ସହିତ ହାତ ଘଡ଼ି ଉପରେ ଟିକେ ନଜର ବୁଲାଇ ଆଣିଲେ ସେ । ୯’ଟା ବାଜିବାକୁ ଆଉ ୫ ମିନିଟ୍ ବାକି ଥିଲା । ଚାରିଆଡ଼କୁ ଆଖି ବୁଲାଇ ଆଣିଲେ । ଅନ୍ୟ ସହକର୍ମୀଙ୍କ ଭିତରୁ କେହି ବି ଆସି ନଥିଲେ ଏଯାଏଁ । ମ୍ୟାନେଜରଙ୍କ ଚାମ୍ୱର୍ ମଧ୍ୟ ଖାଲି ପଡ଼ିଥିଲା । କାହାକୁ କିଛି ପଚାରିବା ପାଇଁ ତାଙ୍କ ପାଖରେ କୌଣସି ଅବସର ନଥିଲା ।

ବିଳମ୍ବ ନ କରି ଠିକ ୯’ଟା ବେଳକୁ ମିଟିଂରୁମ ଆଗରେ ପହଞ୍ଚି କବାଟ ଖଟ୍ ଖଟ୍ କରି “ମେ ଆଇ କମ୍ ଇନ୍”, କହି ଅନୁମତିର ଅପେକ୍ଷାରେ ଠିଆ ହୋଇ ରହିଲେ ବିଶ୍ୱଜିତ ।

ଭିତରୁ “ୟୁ ମେ କମ୍ ଇନ୍", ଶୁଣି କବାଟ ଖୋଲି ଭିତରକୁ ଗଲେ ।

ରୁମ୍ ଭିତରେ ଜଣେ ମହିଳାଙ୍କୁ ଛାଡ଼ି ଆଉ କେହି ନଥିଲେ । ସାମ୍ନାର ଟେବୁଲ୍ ଉପରେ କେତେ ଗୁଡ଼ିଏ କମଳା ରଙ୍ଗର ବଡ଼ ଲଫାପା ଥାକ ଥାକ ହୋଇ ଥୁଆ ହେଇଥିଲା । ବିଶ୍ୱଜିତଙ୍କୁ ଦେଖି ସେ ଗୋଟେ ଚୌକି ଆଡ଼କୁ ଆଙ୍ଗୁଠି ଦେଖେଇ ବସିବା ପାଇଁ ଇସାରା ଦେଲେ । ଚୌକିରେ ଧୀରେକିନା ବସିଲା ବେଳକୁ ସାମ୍ନା କାନ୍ଥର ଭିଡ଼ିଓ କନଫରେନ୍ସ ସ୍କ୍ରିନର ଉପରେ ନଜର ପଡ଼ିଲା ତାଙ୍କର । ସ୍କ୍ରିନରେ ଗୋଟେ ଖାଲି ଚୌକି ଦେଖି ଅନ୍ୟ ଜଣେ ମଧ୍ୟ ମିଟିଂରେ ଯୋଗ ଦେବେ, ସେ କଥାକୁ ସେ ବୁଝିପାରିଥିଲେ ।

କୌତୂହଳ ବସତଃ ଆଉ ଅପେକ୍ଷା ନକରିପାରି ସେ ମହିଳାଙ୍କୁ, “ଏ ସବୁ କ’ଣ ହେଉଛି, ସେ ବିଷୟରେ ମୁଁ କିଛି ଜାଣି ପାରେ କି ?" ବୋଲି ପଚାରିଲେ ।

“ମୁଁ ଜାସଲିନ୍ ଟାନ, ଏଚ.ଆର୍. ଡିପାର୍ଟମେଣ୍ଟ୍ । ମୁଁ ହିଁ ତୁମକୁ ଏ ମିଟିଂ ଇନଭିଟେସନ୍ ପଠେଇଥିଲି । ଆମେ ଏବେ ତୁମ ଟିମର ଗ୍ଲୋବାଲ୍ ହେଡ଼ ‘ଡେଭିଡ୍ ସିଅନ’ଙ୍କର ଅପେକ୍ଷାରେ ଅଛନ୍ତି । ସେ ବର୍ତ୍ତମାନଠାରୁ ଆରମ୍ଭ କରି କେତେବେଳେ ବି ଆମ ସହ ଯୋଗ ଦେଇ ପାରନ୍ତି । ଆସିଲା ପରେ ତାଙ୍କଠାରୁ ତୁମେ ସବୁକିଛି ଜାଣିବାକୁ ପାଇବ । ଏହାଠାରୁ ଅଧିକ ଜଣାଇବା ମୋର କାର୍ଯ୍ୟ ଅଧୀକାର ପରିଧିରୁ ବାହାରେ ।”, କହି ଚୁପ ରହିଲେ ଜାସଲିନ୍ ।

ପ୍ରହେଳିକା ଭରା ପ୍ରତ୍ୟେକ ମୁହୂର୍ତ୍ତର ଅପେକ୍ଷା, ବିଶ୍ୱଜିତଙ୍କ ପାଇଁ ଅସହ୍ୟ ହୋଇପଡ଼ୁଥିଲା । ଲଗାତାର ତିନି ବର୍ଷ ଧରି ସେ ମ୍ୟାନେଜର ହିସାବରେ ୫୦ ଜଣିଆ ଟିମ୍ ସହିତ ଯେଉଁ ପ୍ରୋଜେକ୍ଟରେ ଅକ୍ଳାନ୍ତ ପରିଶ୍ରମର ସହିତ କାମ କରୁଥିଲେ ତାହା ସଫଳତାର ସହ ଠିକ୍ ମାସେ ତଳେ ହିଁ ଲାଇଭ୍ ହୋଇଥିଲା । ଏବେ ପୁରା ଟିମ୍ ନୂଆ କାମର ଅପେକ୍ଷାରେ ଅଛନ୍ତି । ଏହି ମିଟିଂଟା ବୋଧହୁଏ ସେଇଥି ପାଇଁ ହେଇଥାଇପାରେ । ଗ୍ଲୋବାଲ୍ ମ୍ୟାନେଜର ଆସି କଥା ହେବେ ମାନେ ତାଙ୍କର ପରବର୍ତ୍ତୀ ଆସାଇନମେଣ୍ଟ, ରିଜିଓନାଲ୍ ନହୋଇ ଗ୍ଲୋବାଲ୍ ହେଇଯାଇପାରେ । ଉଜ୍ବଳ ଭବିଷ୍ୟତର ଆଶା ନେଇ ତାଙ୍କର ମନ ଉତଫୁଲ୍ଲିତ ହୋଇଉଠୁଥିଲା । ଏମିତି ଭାବୁଥିଲା ବେଳେ ସ୍କ୍ରିନରେ କିଛି ଚଞ୍ଚଳତା ଦେଖାଗଲା ଓ ଚୌକିରେ ଜଣେ ଆସି ବସି ପଡ଼ିଲେ । ତାଙ୍କର ଆସିବା ଦେଖି ଜାସଲିନ ମଧ୍ୟ ସଚେତ୍ ହେଇଗଲେ ।

ଟିକେ ସମୟ ଅପେକ୍ଷା କରି ବିଶ୍ୱଜିତଙ୍କ ଆଡ଼େ ଚାହିଁ ଜାସଲିନ୍ କହିବାକୁ ଆରମ୍ଭ କଲେ, “ବିଶ୍ୱଜିତ, ଇଏ ହେଉଛନ୍ତି ଡେଭିଡ୍ ସିଅନ, ଗ୍ଲୋବାଲ୍ ହେଡ୍, ଫିକ୍ସଡ୍ ଇନକମ୍ ଆଇ.ଟି. । ସେ ଏବେ ଆଜି ମିଟିଂର ଜରୁରୀ ସୂଚନାଟି ତୁମକୁ ଜଣାଇବେ ।”

ଜାସଲିନଙ୍କ ପରେ, ଗମ୍ଭୀର କଣ୍ଠରେ ଡେଭିଡ୍ ତାଙ୍କ ବକ୍ତବ୍ୱଟି ଆରମ୍ଭ କଲେ, “ବିଶ୍ୱଜିତ୍, ତୁମର ଦକ୍ଷତା ଏବଂ ବ୍ୟାଙ୍କ୍ ପ୍ରତି ତୁମର ଅବଦାନକୁ ନେଇ ତୁମେ ପ୍ରଶଂସାର ପାତ୍ର । ସେଥି ପାଇଁ ବ୍ୟାଙ୍କ ତରଫରୁ ମୁଁ ତୁମକୁ ମୋର କୃତଜ୍ଞତା ଜ୍ଞାପନ କରୁଛି । ଗତ ୩ ବର୍ଷ ଧରି ତୁମେ ଯେଉଁ ଆପ୍ଲିକେସନଟି ତିଆରି କରାଇଥିଲ, ତାହା ଫଳରେ ଆସନ୍ତା ୫ ବର୍ଷ ଭିତରେ ବ୍ୟାଙ୍କ ନିଜର ପରିଚାଳନା ଖର୍ଚ୍ଚ କମ କରିବା ସହିତ ରେଭନିୟୁର ବୃଦ୍ଧି କରିବ ବୋଲି ଆଶା କରୁଛି । କିନ୍ତୁ ତୁମେ ନିଜେ ଜାଣିଛ ଯେ, ଥରେ ଲାଇଭ୍ ହେଇ ସାରିଲା ପରେ ସେଇ କାମ ପାଇଁ ଆମକୁ ଆଉ ଏତେ ଜଣ ଡେଭଲପରଙ୍କର ଆବଶ୍ୟକତା ପଡ଼ିବନି । ଏହା ସହିତ ଆନ୍ତର୍ଜାତିକ ବଜାରର ମାନ୍ଦା ଅବସ୍ଥା ଯୋଗୁଁ ଆସନ୍ତା ୩’ବର୍ଷ ପାଇଁ କୌଣସି ନୂଆ କାମ ଆରମ୍ଭ କରିବା ଉପରେ ରୋକ ଲାଗିଯାଇଛି । ତେଣୁ ଏ ସମସ୍ତ କଥା ବିଚାରକୁ ନିଆଯାଇ ସିନିଅର ମ୍ୟାନେଜମେଣ୍ଟ ଗୋଟେ ବଡ଼ ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ତୁମର ପୁରା ଟିମ୍ ସହିତ ତୁମକୁ ମଧ୍ୟ ଚାକିରୀରୁ ବହିଷ୍କାର କରା ଯାଉଛି । ବାକି ପ୍ରସ୍ଥାନ ପ୍ରକ୍ରିୟା ସମ୍ବନ୍ଧୀୟ ସମସ୍ତ ନୀତି ନିୟମ, ଜାସଲିନ ତୁମକୁ ବୁଝାଇ ଦେବେ । ଧନ୍ୟବାଦ, ନମସ୍କାର ।"

ତାଙ୍କ କଥା ସାରି ଡେଭିଡ୍ ସାଙ୍ଗେ ସାଙ୍ଗେ ଚୌକ ଛାଡ଼ି ପଳାଇଲେ । ଜାସଲିନ ଲଫାପା ଖୋଲି କିଛି ଡକ୍ୟୁମେଣ୍ଟ କାଢ଼ି, ଟେବୁଲ ଉପରେ ରଖି, କ’ଣ ସବୁ ବୁଝାଇ ଚାଲିଥିଲେ, କିନ୍ତୁ ସେଥି ପ୍ରତି ବିଶ୍ୱଜିତଙ୍କର କୌଣସି ନିଘା ନଥିଲା । ଡେଭିଡଙ୍କ ବକ୍ତବ୍ୱ ଶୁଣିଲା ପରଠାରୁ ସତେ ଅବା ସେ ନିର୍ଜୀବ ପଥର ପାଲଟି ଯାଇଥିଲେ । ମିଟିଂ ରୁମରୁ ବାହାରକୁ ଆସିବା ସମୟରେ ସେ କେବଳ ଏତିକି ବୁଝି ପାରିଥିଲେ କି ତାଙ୍କୁ ସେହି କବାଟ ପାଖରୁ ହିଁ ବିଲଡିଙ୍ଗ ବାହାରକୁ ଯିବାକୁ ପଡ଼ିବ । ନିଜ ସିଟ୍ ପାଖକୁ ଯିବା କିମ୍ବା ସହକର୍ମୀଙ୍କ ସହ କୌଣସି ପ୍ରକାରର କଥାବାର୍ତ୍ତା ହେବା ପାଇଁ ତାଙ୍କୁ ବାସନ୍ଦ କରାଯାଇଥିଲା । ଧୀରେ ଧୀରେ ବାହାରକୁ ଅଗ୍ରସର ହେଲା ବେଳେ, ଉପରକୁ ମୁହଁ ଉଠାଇ କାହା ସହିତ ନଜର ମେଳେଇବାକୁ ଡର ଲାଗୁଥିଲା ତାଙ୍କୁ । ଆଖି ବନ୍ଦ କରି ଏକମୁହାଁ ହୋଇ ବିଲଡିଙ୍ଗ ବାହାରକୁ ଜଲଦି ଜଲଦି ପଳାଇ ଆସିଥିଲେ ସେ ।

ହାତ ଘଣ୍ଟାରେ ଜମାରୁ ୧୦’ଟା ବାଜିଥିଲା । ଅଫିସ ବିଲଡିଙ୍ଗ ବାହାରେ ଠିଆ ହୋଇ କ’ଣ କରିବେ ବା ନ କରିବେ କିଛି ସ୍ଥିର କରି କରିପାରୁନଥିଲେ, ବିଶ୍ୱଜିତ । ଚାକିରୀ ହରାଇବାର ସୂଚନାଟା ଏତେ ଅକସ୍ମାତ୍ ଥିଲା ଯେ ସେ ତାକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ଆଉ କିଛି ନଭାବି ଟ୍ରେନ୍ ଧରି ଘରକୁ ଫେରିଆସିଲେ ।

ଚାକିରୀ ହରାଇବାର ଖବର, ବିଶ୍ୱଜିତ ଏଯାଏଁ କାହାକୁ ଜଣାଇ ନଥିଲେ । ବହୁତ ଥର ମୋବାଇଲ ଆଣି ପତ୍ନୀ ଇରାଙ୍କୁ କଲ ଲଗେଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସାହସ ହରାଉଥିଲେ । କେମିତି କହିବେ, କଣ କହିବେ ସେ ସବୁ ସ୍ଥିର କରିବା ଅସମ୍ଭବ ହେଉଥିଲା ତାଙ୍କ ପାଇଁ ।

ଶୂନ୍ୟ ମସ୍ତକ, କୋହ ଭରା ହୃଦୟ, ଗଳିତ ଆତ୍ମବିଶ୍ୱାସ ସହିତ ବିଶ୍ୱଜିତ, କଲିଂ ବେଲ ଚିପି ଦୁଆର ଖୋଲା ହେବାର ଅପେକ୍ଷାରେ ଠିଆ ହୋଇ ରହିଲେ । ଅପ୍ରତ୍ୟାଶିତ ସମୟରେ କବାଟ ଖୋଲି ସାମ୍ନାରେ ବିଶ୍ୱଜିତଙ୍କୁ ପାଇ ଆଶ୍ଚର୍ଯ୍ୟ ଚକିତ ହୋଇ ନିରନ୍ତର ପଚାରି ବସିଲେ ଇରା, “କ’ଣ ହେଲା ? ଏତେ ଶିଘ୍ର ଫେରି ଆସିଲ ଯେ ? ଦେହ ଭଲ ଲାଗୁନି କି ? ମୁହଁଟା କାହିଁକି ଶୁଖିଲା ଦିଶୁଛି ? ଘରେ କାହାର କିଛି ଅସୁବିଧା ହୋଇଗଲା କି ? ଆରେ କିଛି କହୁନ କାହିଁକି ? …”

ଜୋତା କାଢ଼ି, ସୋଫାରେ ବସୁ ବସୁ, ଏକ ଦୀର୍ଘ ଶ୍ୱାସ ନେଇ ବିଶ୍ୱଜିତ ଉତ୍ତର ଦେଲେ, “ଚାକିରୀ ଚାଲିଗଲା ।" କଥାଟା ଶୁଣୁ ଶୁଣୁ ସ୍ତବ୍ଧ ହୋଇ ବିଶ୍ୱଜିତଙ୍କ ପାଖରେ ଦୁଲକିନା ବସି ପଡ଼ିଲେ, ଇରା ।

ଏମିତି କିଛି ସମୟ ବିତିଯିବା ପରେ ହଠାତ୍ ସୋଫାରୁ ଉଠି ପଡ଼ି; “ଚା ନା କଫି ? କଫି ଛାଡ଼, ଚାଲ ଗୋଟେ ଭଲକିନା ଅଦା ପକେଇକି ଚା ନେଇକି ଆଣୁଛି । ପିଲାଙ୍କ ଜନ୍ମ ହେଲା ଦିନଠାରୁ ଆମ ଦୁହିଁଙ୍କୁ, ଦୁହିଙ୍କ ପାଇଁ ଏକାନ୍ତର କେବେ ବି ସମୟ ଟିକେ ମିଳୁ ନଥିଲା । ଆଜି ମିଳିଛି, ଚାଲ ସାଙ୍ଗହେଇ ତାହାର ଫାଇଦା ଉଠାଇବା ଆଉ ଶାନ୍ତିରେ ବସି ଚା ପିଇବା ।”, କହି ରୋଷେଇ ଘରକୁ ଚାଲିଗଲେ ଇରା ।

ଇରାଙ୍କର ଭାବଭଙ୍ଗୀର ଅକସ୍ମାତ୍ ପରିବର୍ତ୍ତନକୁ ବୁଝିବା ବିଶ୍ୱଜିତଙ୍କ ପାଇଁ ଟିକେ କଷ୍ଟକର ହେଉଥିଲା । କିନ୍ତୁ କେଜାଣି କାହିଁକି ସେ ପରିବର୍ତ୍ତିତ ପରିସ୍ଥିତି ତାଙ୍କ ମାନସିକ ଅବସ୍ଥାକୁ ଟିକେ ଶାନ୍ତ କରିବାରେ ସହାୟକ ହୋଇଥିଲା । କିଛି ସମୟ ପରେ ଇରାଙ୍କର ସେ ଷ୍ପେସାଲ୍ ଚା’ରୁ ଦି ଢୋକ ପିଇଦେଲା ପରେ, ବାକି ସବୁ ଅନୁଶୋଚନା ଦୂର ହୋଇ ସବୁ କିଛି ଯେମିତି ସ୍ୱଭାବିକ ଲାଗିଲା ତାଙ୍କୁ ।

ନୀରବତାକୁ ଭଙ୍ଗ କରି ଇରା ପଚାରିଲେ, “ବିଶ୍ୱଜିତ, ଆଗକୁ କ’ଣ କରିବ ବୋଲି ଭାବୁଛ ?”

“ଏଯାଏଁ କିଛି ସ୍ଥିର କରି ନାହିଁ । ଭାବୁଛି ପଢ଼ା ପଢ଼ି ଆରମ୍ଭ କରି ପୁଣିଥରେ ଅନ୍ୟ କମ୍ପାନୀରେ ନୂଆ ଚାକିରୀ ପାଇଁ ଚେଷ୍ଟା କରିବି । ମାର୍କେଟ ଟିକେ ମାନ୍ଦା ଅଛି ସତ କିନ୍ତୁ ନିଜର ଦକ୍ଷତା ଓ ଅଭିଜ୍ଞତାକୁ ଦେଖିକି ମୋତେ ସହଜରେ ଚାକିରି ମିଳିପାରିବ ବୋଲି ମୋର ଆଶା ଓ ବିଶ୍ୱାସ ।”, ବୋଲି ବିଶ୍ୱଜିତ ଜବାବ ଦେଲେ ।

“କେତେ ଦିନ ଲାଗିବ ? ଯଦି ଅଧିକ ଦିନ ଲାଗିଲା, ସେଥି ପାଇଁ ଆମର ବିକଳ୍ପ ବ୍ୟବସ୍ଥା କ’ଣ ? ଜୀବନ ଶୈଳୀରେ କିଛି ପରିବର୍ତ୍ତନ ଆଣିବା ନା ସବୁ ଯେମିତି ଚାଲିଛି ସେମିତି ଚାଲିଥିବ ?” ଇରାଙ୍କ ପ୍ରଶ୍ନ ବାତାବରଣରେ ହଠାତ ଉଷ୍ମତା ଭରି ଦେଲା ।

କିଛି ସମୟ ଭାବି ବିଶ୍ୱଜିତ ଉତ୍ତର ଦେଲେ, “କେତେ ଦିନ ଭିତରେ ଆଉ ଗୋଟେ ନୂଆ ଚାକିରୀ ମିଳିଯିବ, ତାହାର କୌଣସି ଠିକ ଠିକଣା ନାହିଁ । ଆମ ଚିହ୍ନା ଜଣାରେ କାହାକୁ ମାସେ, ତ କାହାକୁ ତିନି ମାସ ଏବଂ ଜଣେ ଜଣଙ୍କୁ ବର୍ଷେ ମଧ୍ୟ ଲାଗିଥିଲା । ତେଣୁ ଆମେ ମୋଟା ମୋଟି ଭାବେ ଚାରି ମାସ ଧରି ଚାଲିବା ।”

“ଠିକ ଅଛି, ଘର କଥା ତୁମର କିଛି ଚିନ୍ତା କରିବାର ଦରକାର ନାହିଁ, ସେଇଟା ମୋ ଉପରେ ଛାଡ଼ି ଦିଅ । ତମେ ନିଜର ସବୁ ଧ୍ୟାନ ଚାକିରୀ ଖୋଜା ଖୋଜିରେ ଲଗେଇ ଦିଅ । ବତ୍ତର୍ମାନ ଯାହା ଥିଲା ତାଠାରୁ ବି ଭଲ ପାଇବା ପାଇଁ ଚେଷ୍ଟା କରିବା । ହୁଏତ ଯାହା ହେଉଛି ଭଗବାନ ଆମ ଭଲ ପାଇଁ କରିଛନ୍ତି ।” କହି ଚା କପ୍ ଧରି ଇରା ରୋଷେଇ ଘରକୁ ଚାଲିଗଲେ ।

“ଚା ନା କଫି ?” ବୋଲି ପଚାରି ଇରା ଯୋରରେ ବିଶ୍ୱଜିତଙ୍କୁ ହଲାଇ, ଭାବନାର ଢେଉକୁ ଭାଙ୍ଗି, ତାଙ୍କୁ ପ୍ରକୃତିସ୍ଥ କରାଇ ଦେଲେ । “କ’ଣ ବର୍ତ୍ତମାନରେ ରହିବ ନା ସେ ମାର୍ଚ୍ଚ ୨୦ରେ ଅଟକି ରହିଥିବ ? ଚା ରଖିଛି ପିଇ ଦିଅ ।” କହି ରୁମ୍ ବାହାରକୁ ଚାଲିଗଲେ ।

ଇରାଙ୍କ ଚଲାପଥକୁ ଚାହିଁ ମନେ ମନେ ନିଜ କୃତଜ୍ଞତା ତାଙ୍କୁ ଜଣାଇଲେ ବିଶ୍ୱଜିତ । ଚାକିରୀ ହରାଇବାର ଦିନଠାରୁ ଆଜି ଯାଏଁ ସେ ଇରାଙ୍କର ଅନ୍ୟ ଏକ ରୂପକୁ ଦେଖିବାକୁ ପାଇଥିଲେ । ଯୋଉ ଇରାକୁ ସେ ଦିନେ ସାହାରା ଖୋଜୁଥିବା ଲତା ବୋଲି ଭାବିଥିଲେ, ସେ ଏକ ବିଶାଳ ଦ୍ରୁମ ସମ ତାଙ୍କର ହିଁ ସାହାରା ହୋଇଛି । ଯୋଉ ଇରା ସବୁ କଥାରେ ତାଙ୍କର ଭୁଲ କାଢ଼ି ବସୁଥିଲା ସେ ଆଜି ତାଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇଛି ।

ଗତ କିଛି ମାସ ଭିତରେ ସେ ବହୁ ଯାଗାରେ ଇଣ୍ଟରଭ୍ୟୁ ଦେଇଥିଲେ ମଧ୍ୟ ଏଯାଏଁ ତାଙ୍କୁ କୌଣସି ଥିରେ ସଫଳତା ମିଳି ପାରି ନଥିଲା । କିଏ ତାଙ୍କର ଚାକିରୀ ହରାଇବାର କାରଣକୁ ସନ୍ଦେହ କରୁଥିଲା ତ, କିଏ ତାଙ୍କର ପ୍ରାପ୍ୟ ଦରମା କାଟି ପରିସ୍ଥିତିର ଫାଇଦା ଉଠାଇବାକୁ ଚାହୁଁ ଥିଲା । କିଏ ତାଙ୍କୁ ଖାଣ୍ଟି ଟେକ୍ନୀକଲ୍ କହି କାଟୁଥିଲା ତ କିଏ ଖାଣ୍ଟି ମ୍ୟାନେଜେରିଆଲ୍ କହି ମନା କରୁଥିଲା ।

ଚାକିରୀ ମିଳିବାରେ ବିଳମ୍ବତା ଦେଖି, ଅନ୍ୟ କିଛି ନଭାବି ତାଙ୍କର ବିକଳ୍ପ ଯୋଜନାକୁ କାର୍ଯ୍ୟକାରୀ କରାଇ ଦେଲେ, ଇରା । ଆତୁର ହୋଇ ଯେ କୌଣସି ଚାକିରୀକୁ ଗ୍ରହଣ କରିବାର ସପକ୍ଷରେ ଜମାରୁ ନଥିଲେ ସେ । ତେଣୁ ଖର୍ଚ୍ଚକୁ କମ ରଖି ଅଧିକ ଦିନ ପର୍ଯ୍ୟନ୍ତ ଚେଷ୍ଟା କରିବାକୁ ଚାହୁଁଥିଲେ ସେ । ସେଥିପାଇଁ ସିଙ୍ଗାପୁର ଛାଡ଼ି ଭୁବନେଶ୍ୱର ଆସିବାକୁ ପଡ଼ିଥିଲା ସେମାନଙ୍କୁ ।

ବିଶ୍ୱଜିତ ଦିନେ ଭୁବନେଶ୍ୱର ଫେରିବେ ବୋଲି ଚାହୁଁ ଥିଲେ ମଧ୍ୟ ସେଇଟା ଏହି ଭଳି ହେବ ବୋଲି ସେ କେବେ ଭାବି ନଥିଲେ । ପନ୍ଦର ବର୍ଷର ବିଦେଶର ରହଣୀ ଭିତରେ ପ୍ରତି ବର୍ଷ ଡିସେମ୍ବର ମାସରେ ସେ ତିନି ସପ୍ତାହ ଛୁଟି ନେଇ ବୁଲି ଆସନ୍ତି ଏଠିକି । ପୁରା ପରିବାରକୁ ଏକାଠି କରି ଭୋଜି ଭାତ କରିବା; ସମସ୍ତଙ୍କୁ କିଛି ନା କିଛି ଉପହାର ଦେବା; ନୂଆ ନୂଆ ରେଷ୍ଟୁରାଣ୍ଟରେ ଖାଇବା; ସାଙ୍ଗ ସାଥି ମେଳରେ ଗୁଲିଖଟି କରିବା; ଆଦି କାର୍ଯ୍ୟ କଳାପ ସହିତ ସେ ସମୟ ଅତିବାହିତ କରିଥାନ୍ତି । ତାଛଡ଼ା ସେ ସବୁ କରିବା ସମୟରେ ବିନା ଦ୍ୱେଧାରେ ମନ ଇଛା ଖର୍ଚ୍ଚ କରିଥାନ୍ତି ସେ । ଆଜିର ପରିସ୍ଥିତି କିନ୍ତୁ ନିଆରା । ଗୋଟେ ପଟେ ଚାକିରୀ ନ ପାଇବାର ବିଫଳତା ଏବଂ ଅନ୍ୟ ପଟେ ନିୟନ୍ତ୍ରିତ ଜୀବନ ଯାପନର ଆବଶ୍ୟକତା ତାଙ୍କ ସ୍ୱତପୃତ ପ୍ରବୃତ୍ତିକୁ ସମ୍ପୂର୍ଣ୍ଣ ରୂପେ ବାନ୍ଧି ରଖିଥିଲା । ବୃତ୍ତି ହିଁ ପରିଚୟର ପରିଚାୟକ ହେଉଥିବା ସମାଜରେ, ବୃତ୍ତି ବିହିନ ବଞ୍ଚିବା କେତେ କଷ୍ଟକର, ସେ ତାହା ଠିକ ରୂପେ ଅନୁଭବ କରିପାରିଥିଲେ । ଏସବୁ ବିବିଧ ପରିସ୍ଥିତିକୁ ସଠିକ ଭାବେ ସମ୍ମୁଖୀନ କରି ନପାରି, ନିଜକୁ ଘରର ଚାରି କାନ୍ଥ ଭିତରେ ଆବଦ୍ଧ କରି ରଖିଥିଲେ ସେ ।

ଭୁବନେଶ୍ଵର ଆସି ଚାକିରୀ ଖୋଜିବା ସହିତ ନିଜର ଗୋଟେ ସ୍ଟାଟ୍-ଅପ ଖୋଲିବାକୁ ମଧ୍ୟ ଚେଷ୍ଟା କରୁଥିଲେ, ବିଶ୍ୱଜିତ । ସେଥିପାଇଁ ନିଜର ସମସ୍ତ ଅଭିଜ୍ଞତାକୁ ନେଇ ଏକ ‘ବିଜିନେସ୍ ପ୍ଲାନ’ ତିଆରି କରି ତାକୁ କିଛି ‘ଫଣ୍ଡିଙ୍ଗ୍ ଏଜେନ୍ସି’ ପାଖକୁ ପଠାଇ ସେମାନଙ୍କର ପ୍ରତିକ୍ରିୟାକୁ ବଡ଼ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲେ ସେ । ସେମାନଙ୍କ ଉତ୍ତର ଆସିବାର ବିଳମ୍ବତା ତାଙ୍କୁ ଅଧିକ ଅସ୍ଥିର ଓ ଚିଡ଼ଚିଡ଼ା କରିଦେଉଥିଲା ।

ସବୁ ଭାବନାକୁ ପୁଣିଥର ପଛରେ ପକାଇ ଇରା ରଖିଥିବା ଚା’କୁ ପିଇବାକୁ ଲାଗିଲେ, ବିଶ୍ୱଜିତ । ସବୁବେଳେ ଇରାଙ୍କର ସେ ‘ଚା ଓ କଫି ଦରକାର’ ବୋଲି ପଚାରିବା କିନ୍ତୁ ମନକୁ ମନ ଚା ଆଣି ଥୋଇ ଦେବାର ପ୍ରକୃତିଟି ତାଙ୍କୁ ଅବୁଝା ହେଲେ ବି ଭଲ ଲାଗୁଥିଲା । ତେଣୁ ଆଜି ଯାଏଁ ସେ ବିଷୟକୁ ନେଇ କେବେ ହେଲେ କିଛି ପଚାରି ନାହାଁନ୍ତି ଇରାକୁ । ସେ କଥା ଭାବି ତାଙ୍କୁ ଟିକେ ହାଲକା ଲାଗୁଥିଲା । ଏତିକି ବେଳେ ମୋବାଇଲ ରିଂଗଟା ପୁଣିଥରେ ବାଜି ଉଠିଲା । ବିଶ୍ୱଜିତଙ୍କ ପୂର୍ବରୁ ଇରା ଯାଇ ମୋବାଇଲଟା ଉଠାଇ ନେଲେ । ଇରାଙ୍କ ମୁହଁର ଭାବଭଙ୍ଗୀକୁ ଦେଖି ଖବରଟି ଖୁସିର ନା ଦୁଃଖର ତାହା ଅନୁମାନ କରିବାକୁ ଚେଷ୍ଟା କରୁଥିଲେ ବିଶ୍ୱଜିତ । ଏତିକିବେଳେ ଆଖି ଛଳ ଛଳ କରି ଫୋନଟିକୁ ଛାତିରେ ଜାକିଦେଇ ବସି ପଡ଼ିଲେ ଇରା । ଇରାଙ୍କ ଆଖିର ଲୁହ ବ୍ୟତି ବ୍ୟସ୍ତ କରିଦେଲା ବିଶ୍ୱଜିତଙ୍କୁ । ଦୋ ଦୋ ପାଞ୍ଚ ହେଉଥିଲା ବେଳେ, ଇରା ଉଠି ଆସି ଯୋରରେ କୁଣ୍ଢେଇ ପକାଇଲେ ବିଶ୍ୱଜିତଙ୍କୁ । ବିଶ୍ୱଜିତଙ୍କ ସାର୍ଟରେ ଲୁହଟା ପୋଛୁ ପୋଛୁ କୋହ ଭରା କଣ୍ଠରେ କହିଲେ ଇରା, “ଆମ ତପସ୍ୟାର ଅନ୍ତ ହେଲା; ମୋ ବିଶ୍ୱଜିତର ପ୍ଲାନକୁ ଫଣ୍ଡିଙ୍ଗ ପାଇଁ ମଞ୍ଜୁରି ମିଳିଗଲା ।”

ବିଶ୍ୱଜିତ, ଫଣ୍ଡିଙ୍ଗ୍ ମଞ୍ଜୁର ହେବା କଥା ଶୁଣି ହରାଇଥିବା ଆତ୍ମବିଶ୍ଵାସକୁ ଫେରିପାଇ ସଚେତ୍ ହୋଇଗଲେ । ଜୀବନରେ ସମସ୍ତଙ୍କର ସାହାରା ହେବାପାଇଁ ଦ୍ରୁମ ସମ ଆଉଥରେ ଛିଡ଼ା ହୋଇଗଲେ । ଠିକ ସେତିକି ବେଳେ କ୍ଳାନ୍ତିରେ ଭାଙ୍ଗି ପଡ଼ି ଲତା ପରି, ବିଶ୍ୱଜିତଙ୍କ ଉପରେ ଲୋଟି ପଡ଼ିଲେ ଇରା ।


Rate this content
Log in

Similar oriya story from Inspirational