Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jagatabandhu Mohapatra

Tragedy

5.0  

Dr Jagatabandhu Mohapatra

Tragedy

ଭୋକ

ଭୋକ

7 mins
13.9K



· ଡାଃ ଜଗତବଂଧୁ ମହାପାତ୍ର



ସୁକାନ୍ତି ବିଛଣାରେ ପଡିରହିଥିଲା, ଗୋଟିଏ ଭଙ୍ଗା ଦଦରା ବଖୁରିଆ ବସ୍ତି ଘରେ I ପେଟରେ ପ୍ରବଳ ଭୋକ, ହେଲେ ଉଠିବାକୁ ତା’ ଦେହରେ ଶକ୍ତି ନାହିଁ କିମ୍ବା ତାକୁ ସାହାଯ୍ୟ କରିବାକୁ କେହି ଜଣେ ବି ତା’ ପାଖରେ ନାହାନ୍ତି I ତା’ର ଜୀର୍ଣ୍ଣ ଶୀର୍ଣ୍ଣ ଶରୀରଟା ଖଣ୍ଡେ ମସିଣା ଉପରେ ଲୋଟୁଥାଏ I ପାଖ କାରଖାନାର ସାଇରନ ବାଜିଲା, ରାତି ୧୨ଟା ହେଲା, ବୋଧେ ! ସମୟ ସୁଅରେ ଭାସି ଯାଇଥିବା ତା’ ଅତୀତ ଜୀବନର ପୃଷ୍ଠାକୁ ସେ ଓଲଟାଇ ଚାଲିଥିଲା I


କାହିଁକି କେଜାଣି ସେଦିନ ସୁମନ୍ତର ସୁସ୍ଥ ସବଳ ଚେହେରା ଓ ତା’ର ବିନମ୍ର ବ୍ୟବହାରରେ ଆକର୍ଷିତ ହୋଇ ସୁକାନ୍ତି ତାକୁ ଭଲ ପାଇ ବସିଥିଲା I ମନର ମଣିଷ ଭାବେ ସୁମନ୍ତକୁ ତା’ ହୃଦୟରେ ସ୍ଥାନ ଦେଇ ସାରିଥିଲା I ସୁମନ୍ତ ରାଜଧାନୀରେ କୋଉ ଗୋଟେ କମ୍ପାନୀରେ ଚାକିରୀ କରିଥିବା କଥା ତାକୁ କହିଥିଲା I ସୁକାନ୍ତିକୁ ନେଇ ସହରରେ ରାଣୀ ପରି ଅୟସରେ ରଖିବ, ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲା I ସୁମନ୍ତ କଥାରେ ରାଜି ହୋଇ ତା’ ହାତ ଧରି ସାରା ଜୀବନ ବାଟ ଚାଲିବ, ବୋଲି ନିଜ ଘରକୁ ପର କରିଦେଇଥିଲା, ସୁକାନ୍ତି I ସୁନେଲି ସ୍ଵପ୍ନରେ ମନ ତା’ର ଆନନ୍ଦରେ ବିଭୋର ହୋଇ ଉଠିଥିଲା, ସେତେବେଳେ I ସେ ସହରକୁ ଯିବ, ଆଉ ସହରରେ କେବଳ ସୁମନ୍ତ ଆଉ ସେ ଆଉ ତାଙ୍କର ଛୋଟିଆ ସଂସାର I


ସୁକାନ୍ତିର ସ୍ଵପ୍ନ ମଧ୍ୟ ସତ ହେଲା, ଆସିଗଲା ସେ ରାଜଧାନୀକୁ I କିନ୍ତୁ ତା’ର ସୁନେଲି ସ୍ଵପ୍ନ ସବୁ ଯେମିତି ଧିରେ ଧିରେ ଭାଙ୍ଗି ଚୁରମାର ହେଇଯାଉଥିଲା, କାରଣ ସେ ଜାଣିବାକୁ ପାଇଥିଲା, ସୁମନ୍ତ ଗୋଟେ ମଦ୍ୟପ ବୋଲି I ସୁମନ୍ତକୁ ବୁଝାଇ ସୁଝାଇ ବାଟକୁ ଆଣିବାକୁ ଅନେକ ଚେଷ୍ଟା କରିଥିଲା, ସେ I କିନ୍ତୁ ତା’ର ସମସ୍ତ ଚେଷ୍ଟା ଆଉ ଉଦ୍ୟମରେ ସେ ବାରମ୍ବାର ବିଫଳ ହେଉଥିଲା, ଏବଂ ଦୁଇ ଜଣଙ୍କ ଭିତରେ ସବୁବେଳେ କଳି ଝଗଡା ଲାଗି ରହୁଥିଲା I ଅଶାନ୍ତିର ଅଣଚାଶ ପବନ ଭିତରେ ସୁକାନ୍ତି ଯେମିତି ଅଣନିଶ୍ଵାସୀ ହୋଇ ଉଠୁଥିଲା I ହତାଶ ଆଉ ପୁଞ୍ଜିଭୁତ ଦୁଃଖରେ ସେଦିନ ଭାଙ୍ଗି ପଡିଥିଲା, ସୁକାନ୍ତି, ଯୋଉଦିନ ଶୁଣିଥିଲା, କମ୍ପାନୀ ଚାକିରିରୁ ସୁମନ୍ତକୁ ସବୁଦିନ ପାଇଁ ବାହାର କରିଦିଆଯାଇଛି I


ଦୁଇଜଣଙ୍କ ପେଟର ଭୋକକୁ ଦୂର କରିବା ପାଇଁ ସୁକାନ୍ତି ସେଦିନ ଅଣ୍ଟା ଭିଡି ବାହାରକୁ ଗୋଡ କାଢିଥିଲା I ପର ଦୁଆରେ ଖଟି କୌଣସି ମତେ ସଂସାର ରଥକୁ ଟାଣି ନେଇଥିଲା, ସୁକାନ୍ତି I


ମଦ ଆଉ କେବେ ବି ପିଇବନି ବୋଲି ପ୍ରତିଶ୍ରୁତି ଦେଇ ସୁମନ୍ତ ଯୋଉଦିନ ତା’ ମୁଣ୍ଡ ଛୁଇଁ ଶପଥ କରିଥିଲା, ସେଦିନ ଖୁସିରେ ଆତ୍ମହରା ହୋଇ ଉଠିଥିଲା, ସୁକାନ୍ତି I ତା’ର ପେଟରେ ପେଟେ ଭୋକ ଥିଲେ ସୁଦ୍ଧା, ଏଣିକି ତାଙ୍କର ସଂସାର ରଥ ସୁଖ, ଶାନ୍ତି ଆଉ ଆନନ୍ଦରେ ଗଡି ଚାଲିବ, ବୋଲି ସୁକାନ୍ତି ମନରେ ଗଭୀର ବିଶ୍ଵାସ ଜନ୍ମିଥିଲା I ଭବିଷ୍ୟତର ସୁନେଲି ସ୍ଵପ୍ନ ଦେଖିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍ ଦିନେ ସୁମନ୍ତ ଆସି କହିଥିଲା, ବୁଝିଲ ଆମ କପାଳ ଫିଟିଗଲା I ମୋତେ ଆଉ ଗୋଟେ ଯାଗାରେ ଚାକିରି ମିଳିଯାଇଛି I ଆଉ ସେଠି ରହିବାକୁ ଘର ବି ମିଳିଯାଇଛି I ଏଇ ଦିନ କେଇଟା ଭିତରେ ଏ ଝୁମ୍ପୁଡି ବସ୍ତି ଘର ଛାଡି ଆମେ ନୂଆ ଘରକୁ ଚାଲିଯିବା I ନିଜକୁ ବିଶ୍ଵାସ କରିପାରୁନଥିଲା, ସୁକାନ୍ତି I ଭାବୁଥିଲା, ସତରେ ଭଗବାନ କ’ଣ ଆମ ଭାଗ୍ୟରେ ଏତେ ସୁଖ ଲେଖିଛନ୍ତି ? ଆନନ୍ଦରେ ମନ ତା’ର କୁରୁଳି ଉଠିଥିଲା I


ସମୟ ସୁଅରେ ଦିନେ ସୁମନ୍ତ ସାଥିରେ ସେହି ନୂଆ ଘରେ ପାଦ ରଖିଥିଲା, ସୁକାନ୍ତି I ଝୁମ୍ପୁଡି ବସ୍ତିର ସେହି ନୂଆଣିଆ ଭଙ୍ଗା ଦଦରା ଚାଳଘର ଠାରୁ ଏ ଘର ଅପେକ୍ଷାକୃତ ବଡ ଓ ସିମେଣ୍ଟ କଂକ୍ରିଟରେ ତିଆରି ପକ୍କା ଘର ଥିଲା I ଉଭୟଙ୍କର ପେଟର ଭୋକକୁ ଶାନ୍ତ କରିବା ପାଇଁ ସେଦିନ ବାହାରୁ ଖାଇବା ଆଣିବା ପାଇଁ ବାହାରକୁ ଚାଲିଯାଇଥିଲା, ସୁମନ୍ତ I ଝରକା ପାଖରେ ଠିଆ ହୋଇ ବାହାରକୁ ଅନେଇ ରହିଥିଲା, ସୁକାନ୍ତି I ଘରଟା ସହରର ଏକ ନିଛାଟିଆ ଯାଗାରେ ଥିଲା I ବାହାରେ ଚନ୍ଦ୍ର କିରଣ ବିଛୁରିତ ହୋଇ ପଡିଥିଲା I ଚାରିଆଡେ ଶୂନ୍ୟତା ରାଜୁତି କରୁଥିଲା I କାହିଁକି କେଜାଣି ସୁକାନ୍ତି ସେଦିନ ଆତ୍ମବିଭୋର ହୋଇ ଉଠୁଥିଲା I


ହଠାତ୍ ସେତିକିବେଳେ ସୁମନ୍ତ ଘର ଭିତରକୁ ପଶି ଆସିଲା, ଆଉ କହିଲା, ଏଇଠୁ ବଜାରଟା ଟିକେ ଦୂର, ଖାଦ୍ୟ ଆଣି ଫେରୁ ଫେରୁ ମୋର ଟିକେ ଡେରି ହେବ, ତେଣୁ ମୁଁ ଏଇ କେକ୍ ଆଉ କୋଲ୍ଡ ଡ୍ରିଂକ୍ସ ଆଣିଛି I ସେଇ ଘର ଭିତରେ ଥିବା ଟେବୁଲ ଉପରେ କେକ୍ ଆଉ କୋଲ୍ଡ ଡ୍ରିଂକ୍ସ ବୋତଲକୁ ଥୋଇ ଦେଇ କହିଲା-ମୁଁ ଏବେ ଗଲି ଆଉ ସାଙ୍ଗେ ସାଙ୍ଗେ ଫେରୁଛି I ଆଜି ଆମେ ସାଙ୍ଗ ହୋଇ ଖାଇବା I ସୁମନ୍ତ କବାଟଟା ବାହାର ପଟୁ ବନ୍ଦ କରି ବାହାରକୁ ଚାଲିଗଲା I


ସୁକାନ୍ତି ଭାବୁଥିଲା, ପ୍ରକୃତରେ ସୁମନ୍ତ ବଦଳିଗଲେ I ଭଲ ହୋଇଗଲେ I ସତରେ କେତେ ଭଲ ମଣିଷ, ସୁମନ୍ତ I ସୁମନ୍ତର ଭାବନାରେ ମଗ୍ନ ଥାଇ କେତେବେଳେ ସୁକାନ୍ତି ସେ କେକ୍ ଖାଇ ସାରିଥିଲା ଆଉ ସେ କୋଲ୍ଡ ଡ୍ରିଂକ୍ସକୁ ପିଇ ସାରିଥିଲା, ନିଜେ ବି ତାହା ଜାଣି ନ ଥିଲା I କିଛି ସମୟ ପରେ ସୁକାନ୍ତିକୁ କେମିତି ଗୋଟେ ଅଶ୍ଵସ୍ତି ବୋଧ ହେଲା I ମୁଣ୍ଡ ବୁଲାଇଲା ପରି ଲାଗିଲା I ପାଖରେ ଥିବା ଖଟ ଉପରେ ଯାଇ ସେ ଟିକେ ଗଡି ପଡିଲା I


ସୁକାନ୍ତିର ଚେତା ଫେରିଲା ବେଳକୁ ଦେଖିଲା, ସେ ଏକ ନରମ ଗଦି ପଡିଥିବା ସୁନ୍ଦରିଆ ଖଟ ଉପରେ ଶୋଇଛି I ଦେହ ସାରା ଅବ୍ୟକ୍ତ ଯନ୍ତ୍ରଣା, କେଶ ବାସ ସବୁ ଖୋଲା ମୁକୁଲା I ଚେଷ୍ଟା କରି ବି ସେ ଉଠି ପାରୁନି I ତା’ ପାଟିରୁ ସ୍ଵତଃ ବାହାରି ଆସିଲା-ସୁମନ୍ତ କୋଉଠି ତୁମେ ? କୁଆଡେ ଗଲ ?


ଦେଖିଲା ପାଖରେ ଗୋଟିଏ ଅପରିଚିତ ଲୋକଟି ଦାନ୍ତ ନିକୁଟି କହୁଥିଲା-ସୁମନ୍ତ ତା’ କାମ ସାରି ଦେଇଛି I ତମକୁ ସେ ସାତ ହଜାର ଟଙ୍କାରେ ମୋତେ ବିକ୍ରି କରିଦେଇଛି I ଅବଶ୍ୟ ତମର ଏ ଲୋଭିଲା ଦେହଟା ପାଇଁ ସାତ ହଜାର କିଛି ବେଶୀ ନୁହଁ I ହଉ ଛାଡ, ସେ କଥା, ଆଜିଠୁ ତମେ ମୋର I ମୋ ଇସାରାରେ ତମେ ବସିବ, ଉଠିବ, ସବୁ କିଛି କରିବ I ଗଲା କାଲି ରାତିରୁ ଆମ କାମ ଆରମ୍ଭ ହୋଇଯାଇଛି I ଆଜିଠୁ ଏଇଟା ତମ ଘର I ଏଇଠି ରହିବ I ଖାଇବ, ପିଇବ, କିନ୍ତୁ ମନେ ରଖ କେବେ ବି ବାହାରକୁ ଯିବାକୁ ଚେଷ୍ଟା କରିବନି, ନହେଲେ ତମ ଜୀବନ ପ୍ରତି ବିପଦ ଅଛି I ତମେ ଗାଧୁଆ ପାଧୁଆ କର I ତମ ପାଇଁ ମୁଁ ଖାଇବା ପଠେଇ ଦେଉଛି, କହି ସେ କବାଟଟା ବାହାର ପଟୁ ବନ୍ଦ କରି ବାହାରି ଗଲା I


ସୁକାନ୍ତିକୁ ଲାଗୁଥିଲା, ଶୋଇଥିବା ଖଟ ସହ ସେ ଯେମିତି ତଳକୁ ତଳକୁ ଦବି ଦବି ଯାଉଛି I ତା’ ଆଖି ଆଗରେ ଘରଟା ଯେମିତି ଘିରି ଘିରି ହୋଇ ଘୂରିବୁଲୁଥିଲା I ତାକୁ ଲାଗୁଥିଲା, ପୁରା ଘରଟା ଯେମିତି ତାରି ଉପରେ କଚାଡି ହୋଇ ପଡୁଛି I ଏକ ଅଜଣା ଆତଙ୍କର ଭୟରେ ତା’ର ଆଖି ପତା ମୁଦି ହୋଇ ଯାଇଥିଲା I ଯେତେବେଳେ ତା’ର ଆଖି ପତା ଖୋଲିଗଲା, ସେ ଜାଣିପାରିଲା, ଯେ ତା’ର ନାରୀତ୍ଵର ଅପହରଣ ହୋଇସାରିଛି I


ସୁମନ୍ତ ମୋ ସରଳ ବିଶ୍ଵାସରେ ବିଷ ଦେଲା I ମୋ ସହ ପ୍ରତାରଣା କଲା I ମୋ ସହ ଛଳନା କଲା I ମଦର ଭୋକରେ ଭୋକିଲା ଥିଲା, ସୁମନ୍ତ I ଏବେ ସେ ମଦଭାଟିରେ ଥିବ, ଆଉ ତା’ର ଭୋକର ଜ୍ଵାଳାକୁ ଶାନ୍ତ କରିଚାଲୁଥିବ, ସାତ ହଜାର ଟଙ୍କାରେ I


ନିଜ କୃତକର୍ମର ଆତ୍ମଗ୍ଲାନିରେ ଜଳି ଜଳି ସୁକାନ୍ତି ସେଦିନ ବୁକୁ ଥରାଇ କାନ୍ଦୁଥିଲା I ହେଲେ ତା’ ବୁକୁଫଟା କାନ୍ଦଣା ଶୁଣିବାକୁ ବା ଦେଖିବାକୁ ସେତେବେଳେ ସେଠି କେହି ବି ତା’ ପାଖରେ ନଥିଲେ I ପଞ୍ଜୁରୀରେ ବନ୍ଦ ଥିବା ଶାରୀଟିଏ ପରି ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା I


ସେଦିନ ରାତିରେ ଦେହରେ ଦେହେ ଭୋକ ନେଇ ଠିକାଦାର ଗୁମାନ ସିଂହ ଘର ଭିତରକୁ ପଶି ଆସିଲା, ହାତରେ ଗୋଟେ ଗଜରା ମାଳ ବାନ୍ଧି I ସୁକାନ୍ତି ପାଟି ଖୋଲିବା ପୂର୍ବରୁ ବଳପୂର୍ବକ ସୁକାନ୍ତିକୁ ଖଟ ଉପରେ ପକେଇ ଗୋଟେ ନର ମାଂସ ଲୋଭୀ ପଶୁ ପରି କ୍ଷତାକ୍ତ କରିଚାଲିଥିଲା, ସୁକାନ୍ତିକୁ I ଆଉ ମେଣ୍ଟାଇଚାଲିଥିଲା, ତା’ ଦେହର ଭୋକ I ନିଜ ଦେହର ଭୋକର ଜ୍ଵାଳାକୁ ଶାନ୍ତ କରିଥିଲା, ଠିକାଦାର I ଶାନ୍ତି ହୋଇଗଲା, ତା’ର ଭୋକ I


ଦଲାଲ ଡମା ସାହୁ, ସେ ବି ବ୍ୟସ୍ତ ହେଉଥିଲା, ଟଙ୍କାର ଭୋକରେ I ଠିକାଦାର ଠାରୁ ସେ ବି ପାଇଥିଲା, କେତୋଟି ନୋଟ I ଶାନ୍ତି ହୋଇଥିଲା, ତା’ର ଭୋକ I


ଭୋ ଭୋ ହୋଇ କାନ୍ଦୁଥିଲା, ସୁକାନ୍ତି I ଆଖିରୁ ଝରୁଥିଲା, ଲୁହ ଆଉ ଦେହରୁ ବୋହୁଥିଲା, ଲହୁ I ସମସ୍ତଙ୍କର ଭୋକ ହୁଏତ ଦୂର କରିପାରିଥିଲା, ସେ I କିନ୍ତୁ ନିଜ ମନର ଭୋକ ଶାନ୍ତ କରିବାକୁ ସେଦିନ ହୁଏତ ସେ ସମର୍ଥ ନଥିଲା I


ଲୋଭିଲା ଦେହ ପାଇଁ ସୁକାନ୍ତି ବିଭିନ୍ନ ଲୋକମାନଙ୍କର ଏକ ଉପଭୋଗ୍ୟର ସାମଗ୍ରୀ ବନିଯାଇଥିଲା I ସେହିଦିନ ଠାରୁ କେତେ ଲୋକଙ୍କର କେତେ ପ୍ରକାରର ଭୋକକୁ ସେ ଏକାକୀ ଶାନ୍ତ କରିଚାଲିଆସୁଥିଲା I ଅବଶ୍ୟ ଭୋକର ପ୍ରକାର ଥିଲା, ଭିନ୍ନ ଭିନ୍ନ I ଆଉ ନିଜ ମନର ଭୋକକୁ ବି ଲିଭାଇ ଦେଇଥିଲା I କେଜାଣି କେମିତି ସୁକାନ୍ତି ଗୋଟେ ନିର୍ଜୀବ, ସ୍ଥାଣୁ ଆଉ ପଥର ପାଲଟି ଯାଇଥିଲା, ଏବଂ ତା’ ପ୍ରତି ହେଉଥିବା ଅତ୍ୟାଚାରକୁ ସେ ଗୋଟେ ପଥର ପରି ସହି ଚାଲିଥିଲା I


ଦଲାଲ ଡମା ସାହୁ ବି ବେଳେ ବେଳେ ସୁକାନ୍ତି ପାଖରେ ଆସି ତା’ ଦେହର ଭୋକକୁ ଶାନ୍ତ କରୁଥିଲା I ଦିନେ ଦେହର ଭୋକ ମେଣ୍ଟାଇ ସାରି ସେ କହିଲା, ଆରେ ସେ ସୁମନ୍ତଟା ଆଜି ମରିଗଲା I ଖାଲି ତ ପିଇଲା I ପିଇବାଟା ତା’ ପାଇଁ କାଳ ହେଲା I ବିଷାକ୍ତ ମଦ ପିଇ ସେ ମରିଗଲା I ପ୍ରତିକ୍ରିୟାବିହୀନ ମୁଖରେ ସୁକାନ୍ତି ସେଦିନ ଶୁଣିଚାଲିଥିଲା, ଡମା ସାହୁର କଥାକୁ I


ଦିନେ ଦଲାଲ ଡମା ସାହୁ ରାତି ଅଧରେ ଆସି ସୁକାନ୍ତିକୁ ଏ ଘର ଆମକୁ ଛାଡିବାକୁ ହେବ ବୋଲି କହିଲା, କାରଣ ଠିକାଦାର ଗୁମାନ ସିଂହ ତା’ ଘର ପାଖରେ ଗୋଟେ ମହିଳା ସହ ଚୋରା ପୀରତି ଲଗେଇ ଥିଲା I ସେ ମହିଳାର ସ୍ଵାମୀ ଜାଣି ପାରି ଲୋକ ଲଗେଇ ଗୁମାନ ସିଂହକୁ ମାରିଦେଲା I ପୁଲିସ ଏବେ ଏହି ଇଲାକାରେ ଜୋରଦାର ତନାଘନା ଚଲେଇଛି I ଚାଲ ଆଜି ଏ ଯାଗା ଛାଡି ଆମେ ପଳେଇବା I


ପୁଣି ନୂଆ ଯାଗା, ନୂଆ ଗ୍ରାହକ ଆଉ ଦେହ ଭୋକର ବ୍ୟବସାୟ I ସମୟ ଚକ୍ରରେ ଦିନେ ଦଲାଲ ଡମା ସାହୁ ଆଉ ସୁକାନ୍ତି ଆଉ ତାଙ୍କ ପରି ଅନ୍ୟ କେତେଜଣ ପୁଲିସ ହାତରେ ଧରା ପଡି ଜେଲ ଗଲେ I


ଜେଲରୁ ଫେରିଲା ପରେ ସୁକାନ୍ତି ଅନୁଭବ କଲା, ଯେମିତି ତା’ ଦେହର ରଙ୍ଗ ଫିକା ପଡିଯାଇଛି I ମୁଣ୍ଡର କେଶର ରଙ୍ଗ ପରିବର୍ତ୍ତନ ହୋଇଯାଇଛି I ଦେହର ଭୋକ ମେଣ୍ଟାଉଥିବା ଗରାଖମାନଙ୍କ ଆଖିରେ ସେ ଯେମିତି ଅଦରକାରୀ ହୋଇପଡିଛି I ପେଟର ଭୋକ ମେଣ୍ଟାଇବାକୁ ପର ଦୁଆରେ କାମ କରିବାର ଚେଷ୍ଟା ମଧ୍ୟ ସୁକାନ୍ତି କଲା I କିନ୍ତୁ ସେତକ ଯୋଗାଡ ହୋଇ ନ ପାରିବାରୁ ବାଧ୍ୟ ହୋଇ ଭିକ ମାଗି ପେଟର ଭୋକ ମେଣ୍ଟାଇ ଚାଲିଲା I


ଆଜି ସେ ନିଜକୁ ବହୁତ ନିରୁପାୟ ମନେ କରୁଛି I କାରଣ ତା’ ପେଟର ଭୋକ ସମ୍ଭାଳିବାକୁ ତା’ ଦେହରେ ଆଉ ବଳ ନାହିଁ କି ବୟସ ବି ନାହିଁ I ଯୋଉ ମାନଙ୍କର ଭୋକ ସେ ଶାନ୍ତ କରୁଥିଲା, ସେମାନେ ବି ଆଜି କେହି ନାହାନ୍ତି I ସୁମନ୍ତର ଭୋକ ତ ତା’ ଜୀବନ ନେଲା I କେତେ ନିୟମିତ ଗ୍ରାହକ ବି ମରି ହଜି ଗଲେଣି I ଏବେ ନୂଆ ଦଲାଲ ଆଉ ଗ୍ରାହକ କେହି ବି ତାକୁ ଆଡ ଆଖିରେ ଅନଉନାହାନ୍ତି, କାରଣ ସେମାନଙ୍କ ଭୋକ ସେ ଶାନ୍ତ କରିବାକୁ ଅସମର୍ଥ I


ଦଲକାଏ ଥଣ୍ଡା ପବନ କଣା ଚାଳ ଦେଇ ଘର ଭିତରକୁ ପଶି ଆସିଲା, ପୁଣି କାରଖାନାର ସାଇରନ ବାଜି ଉଠିଲା, ସମୟ ସକାଳ ଛଅଟା ହେବ I ଭୋକର ଅସହ୍ୟ ଯନ୍ତ୍ରଣାରେ ସୁକାନ୍ତିକୁ ଲାଗୁଥିଲା, ତା’ର ପାଦ ଠାରୁ ଅଣ୍ଟା ଯାଏଁ, ସତେ ଯେମିତି ବରଫ ପରି ଥଣ୍ଡା ହୋଇଯାଇଛି I ତା’ ଶରୀର ରୂପକ ପିଞ୍ଜରାର ଦୁଆର ଖୋଲି ଯାଇଛି ଓ ତା’ ପ୍ରାଣ ପକ୍ଷୀଟି ବାହାରକୁ ବାହାରି ଯିବାର ଉପକ୍ରମ କରୁଛି I



ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮


Rate this content
Log in

Similar oriya story from Tragedy