Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kulamani Sarangi

Comedy

3  

Kulamani Sarangi

Comedy

ଫେସବୁକିଆ ବନ୍ଧୁ

ଫେସବୁକିଆ ବନ୍ଧୁ

4 mins
8.2K


ଫେସବୁକିଆ ବନ୍ଧୁ

(ରମ୍ୟ ରଚନା)

'ହୀନ' ଭାଇ ନିଜ ନାଁ'କୁ ନେଇ ବଡ ଲଜ୍ଜିତ।ସେଥିପାଇଁ ସେ ବାପ ମା'ଙ୍କୁ ଦୋଷ ଦିଅନ୍ତି ନାହିଁ, ଦିଅନ୍ତି ତାଙ୍କ ପୂର୍ବରୁ ଜନ୍ମନେଇ, ଦି'ଚାରି ଦିନଭିତରେ ପରଲୋକଗତ ହୋଇଥିବା ତାଙ୍କର ତିନୋଟି ଭାଇଙ୍କୁ।ଯମ ହାତରୁ ରକ୍ଷା କରିବା ପାଇଁ ମାଆ ତାଙ୍କୁ ଏହି 'ହୀନ'(ଅପର୍ତ୍ତ୍ୟାଣି ବା ଅପତ୍ୟହାନି) ନାମଟିରେ ବିମଣ୍ତିତ କରିଛନ୍ତି । ଗାଁରେ ସମସ୍ତେ ତାଙ୍କୁ ହୀନ ନାମରେ ଡାକନ୍ତି।ଥଟ୍ଟାରେ କେହି କେହି କହନ୍ତି 'କି ହୀନ କାମ କଲୁରେ ହୀନ'।ଆଶ୍ଚର୍ଯ୍ଯ ହୋଇ 'କଣ କଲି' ବୋଲି ପଚାରିଲେ ହିଁହିଁଆ ହସ ସହିତ ଉତ୍ତର ମିଳେ 'ନାଇମ ସେମିତି କହିଦେଲିନା'।ବିଦ୍ୟାଳୟ ରେ ମଧ୍ୟ ନାଁ ରଖାଯାଇଥିଲା 'ହୀନମଣି ମିଶ୍ର '।ଏ ଆତ୍ମଗ୍ଲାନିରୁ ରକ୍ଷାପାଇବା ଉପାୟ ଚିନ୍ତା କରୁଥିବା ବେଳେ ଭୁବନେଶ୍ବରରୁ ଗୋଟିଏ ପ୍ରାଇଭେଟ କମ୍ପାନୀରୁ ତାଙ୍କୁ ସିକ୍ୟୁରିଟି ଚାକିରୀଟିଏ ମିଳିଗଲା।ଆବେଦନ କଲାବେଳେ ବଡ ବୁଦ୍ଧିମତାର ସହିତ ନିଜ ନବମଫେଲ୍ ସାର୍ଟିଫିକେଟରେ 'ହୀନମଣି' ମିଶ୍ରକୁ ସେ 'ଦୀନମଣି ମିଶ୍ର'ରେ ପରିଣତ କରିଦେଇଥିଲେ।'ହ'ବର୍ଣ୍ଣର ଲାଙ୍ଗୁଡଟି କର୍ତ୍ତନ କରିବା ସମୟରେ କ୍ଷମା ମାଗିନେଇ କହିଥିଲେ 'ଭାଇ ହ,ତୁମର ଲାଙ୍ଗୁଡଟି ମତେ ଦେଇଦିଅ।'ହ' ଅମଙ୍ଗ ହୋଇ ଧରାଛୁଆଁ ନଦେବାରୁ ଗବର୍ ସିଂ ଷ୍ଟାଇଲରେ କହିଥିଲେ "ଏ ତେରା ଲାଙ୍ଗୁଡ୍ ମୁଝେ ଦେ ଦେ ହ"।ତାପରେ ଅତି ନିର୍ମମତା ସହିତ 'ହ'ର ଲାଙ୍ଗୁଡଟି କର୍ତ୍ତନକରି ତାକୁ 'ଦ'ରେ ପରିଣତ କରିଦେଲେ ଭାଇନା।କାମଟି ଏତେ ସନ୍ତର୍ପଣରେ ହେଲାଯେ କାନକୁ ଦି'କାନ ହେଲାନାହିଁ।ଇନ୍ଦିରାଗାନ୍ଧୀଙ୍କ 'ଜରୁରୀ କାଳୀନ' ପରିସ୍ଥିତି ସମୟରେ ମଧ୍ୟ ନସବନ୍ଦି କାମ ପୁତ୍ର ସଂଜୟଙ୍କଦ୍ୱାରା ଏତେ ସନ୍ତର୍ପଣରେ ହୋଇନଥିବ ।ସେ ଯା'ହେଉ ସେହିଦିନଠାରୁ ସେ ଗାଁ ଛାଡି ଭୁବନେଶ୍ବରରେ ଦୀନମଣି ମିଶ୍ର ନାମରେ ଇଜ୍ଜତପୂର୍ଣ୍ଣ ଜୀବନ ବିତେଇଲେ।

ଏବେ ଦିନେ ହୀନଭାଇଙ୍କ ସହିତ ସହିଦନଗର ହାଟରେ ଦେଖାହେଲା।'ହୀନଭାଇନା'ବୋଲି ପଛରୁ ଡାକିବାରୁ ନୀଳବର୍ଣ୍ଣ ଶୃଗାଳ ଯେପରି ଜାତିଭାଇଙ୍କ 'ହୁକେହୋ' ଡାକର ପ୍ରକୃତିଗତ ପ୍ରତ୍ୟୁତ୍ତର ଦେଇଥିଲା,ଭାଇନା ସେମିତି 'କିଏକିରେ' କହି ମୋ ଆଡକୁ ଚାହିଁଲେ।କହିଲେ "ବନା କିରେ?ବହୁଦିନ ପରେ ଦେଖାହେଲା ତୋ ସାଙ୍ଗରେ।ହେଲେ ଏବେ ମୋ ନାଁ ହୀନ ନୁହେଁ, ଦୀନ।ଏଠି ମତେ ସମସ୍ତେ ଦୀନମଣି ବାବୁ ନାମରେ ଜାଣନ୍ତି ।" ଭାଇନାଙ୍କ କଥା ଉପରେ କିଛି ହାସ୍ୟରୋଳ ସୃଷ୍ଟି ହେଲା।ତାପରେ ଭାଇନା କହିଲେ " ବନମାଳି ! ମତେ ଟିକିଏ ଫେସ ବୁକିଆ କରିଦିଅନ୍ତୁନି।ଏ ସିକ୍ୟୁରିଟି ଡ୍ୟୁଟିରେ ସମୟ କଟୁନିମ।ଫେସ୍ ବୁକ୍ ରେ ହେଲେ କିଛି ସମୟ କଟିଯାଆନ୍ତା।"

ଭାଇନାଙ୍କ କଥା ଶୁଣି ମୁଁ ତାଙ୍କୁ କିଛି ଜ୍ଞାନବର୍ଦ୍ଧକ ଭାଷଣ ଦେଲି।କହିଲି " ବିଭିନ୍ନ ପ୍ରକାର ଫେସ୍ ବୁକିଆ ଅଛନ୍ତି, ଯଥା ଡିଫେସବୁକିଆ,'କୁତୁକୁତିଆ',ରାଜନୀତିଆ,ପରମାର୍ଥିଆ,ରାତିଅଧିଆ,ହାମ୍ବଡିଆ,ସାହିତ୍ୟିକିଆ,ଦୂରଦର୍ଶନିଆ।"ଭାଇନା କହିଲେ ମତେ ଗୋଟି ଗୋଟି କରି ବୁଝା।

କହିଲି " ସବୁତ ଦିନକରେ ସମ୍ପୂର୍ଣ୍ଣ ବୁଝେଇ ହବନି,ଯେତିକି ପାରିବି କହିବି।ଶୁଣ।ଫେସ୍ ବୁକ୍ ରେ ଯେଉଁମାନେ ନିଜର ଫଟୋ ଦିଅନ୍ତି ନାହିଁ, ସେମାନେ ହେଲେ 'ଡିଫେସ୍ ବୁକିଆ'।ସେପରି ବଂଧୁଙ୍କୁ ଜାଣିବା ମୁସ୍କିଲ୍।ଯେଉଁ ସ୍ଥାନରେ ପ୍ରୋଫାଇଲ୍ ଫଟୋ ରହିବାକଥା ସେଠାରେ ନାକ କାନ ପାଟିହୀନ ଭୁତଟିଏ ଦର୍ଶନ କରିବ।ନାଁ'ରୁ ଅନୁମାନ କରିବ ପୁଅ କି ଝିଅ।ସେପରି ବଂଧୁଙ୍କଠାରୁ ବଂଧୁତା ପାଇଁ ଅନୁରୋଧ ପାଇଲେ ଭାବି ଚିନ୍ତି ଗ୍ରହଣ କରିବ।

ଫେସ୍ ବୁକ୍ ରେ ବହୁତ୍ କୁତୁକୁତିଆ ମିଳିବେ।ଝିଅ କୁତୁକୁତିଆ ମାନେ ପୁଅଙ୍କୁ ଓ ପୁଅ କୁତୁକୁତିଆମାନେ ଝିଅଙ୍କୁ ଜାଲରେ ପକାଇବାପାଇଁ ନିଜ ଫଟୋ ନଦେଇ ସୁନ୍ଦର ମଡେଲ ମାନଙ୍କ ଫଟୋକୁ ପ୍ରୋଫାଇଲଫଟୋ କରି ଛାଡିବେ।ତା ଉପରେ(ଫଟୋକୁ ପ୍ରଶଂସାକରି)ଶହ ଶହ ଲାଇକ୍ ଆସିବ।"ଏ ମାଁ,କି ସୁନ୍ଦର ତମେ। 'ଝକାସସସ୍' 'ଫେଣ୍ଟାଷ୍ଟିକ୍',ମାଇଣ୍ଡ୍ ବ୍ଳୋଇଙ୍ଗ୍ ଇତ୍ୟାଦି ଇତ୍ୟାଦି ।ପ୍ରେମ ବ୍ୟାପର ଆରମ୍ଭ ହବ ଚାଟିଙ୍ଗରୁ ଏବଂ ଶେଷ ହେବ ଫେଲ୍ ରେ।

ରାଜନୀତିଆ ଫେସ୍ ବୁକିଆଙ୍କ କଥା କଣ କହିବି?ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରି ପ୍ରଶଂସାରେ ଶତମୁଖ ଏବଂ ଅନ୍ୟଦଳକୁ ସମ୍ବିଧାନ ବହିର୍ଭୁତ ଭାଷାରେ ଗାଳି ଗୁଲଜ କରିବେ।ସେମିତି ଫେସ ବୁକିଆମାନେ କବି କିମ୍ବା ଲେଖକ ହେଲେ ସରିଗଲା କଥା।କବିତା ଓ ଗଳ୍ପ ଓ ଆଲୋଚନା ମାଧ୍ୟମରେ ଏମିତି ବମ୍ ଫୁଟେଇବେ ଯେ କାନ ତାବେଦା ଏବଂ ଅଳ୍ପଦିନେ ବଧିର ହେବା ସମ୍ଭାବନା ଅଧିକ।ସେମାନେ ସମର୍ଥନ କରୁଥିବା ଦଳକୁ ତମେ କିଛି କହିଲେ ତମ ଉପରେ ରାଗ,ଅଭିମାନ,ଗାଳି,ବେଜିତ୍ ସବୁକିଛି ଅଜାଡି ହେଇ ପଡିବ।ଶେଷରେ ତମେ ତାଙ୍କୁ ଅନଫ୍ରେଣ୍ଡ କରିବ ନହେଲେ ସେ ତୁମକୁ।

'ପରମାର୍ଥିଆ' ଫେସ୍ ବୁକିଆମାନେ ସବୁବେଳେଗୀତା,ଭାଗବତ,

ପୁରାଣ,ରାମାୟଣ,ମହାଭାରତ,ଧର୍ମ, ସଂସ୍କୃତି, ଜୀବନ ଦର୍ଶନ ଇତ୍ୟାଦି ଆଲୋଚନା,ସମାଲୋଚନାମୂଳକ ଲେଖା ଫେସ୍ ବୁକ୍ ରେ ଛାଡନ୍ତି।ସେମାନଙ୍କ ସଂଖ୍ୟା କମ୍, କାରଣ ଜ୍ଞାନ ଥିଲେତ ।

ରାତିଅଧିଆ ଫେସ୍ ବୁକିଆ ମାନେ ଅତି ମାରାତ୍ମକ।ସେମାନଙ୍କ ପାଖରୁ ରାତିଅଧରେ ମେସେନ୍ଜରର ଭିଡିଓ କଲ୍ ଆସିବ।ଅଶ୍ଳିଳ ଭାଷାରେ ପ୍ରେମାଳାପ କରିବାକୁ ସେମାନେ ଖୁବ୍ ଆଗ୍ରହୀ।ଏପ୍ରକାର ଫେସ୍ ବୁକିଆ ମାନେ ବିଭିନ୍ନ ବୟସ ଗ୍ରୁପର ଥାଆନ୍ତି ।

ଅଳ୍ପ ବୟସ/ବୟସୀ ଠାରୁ ଆରମ୍ଭକରି ମଧ୍ୟ ବୟସ/ବୟସୀ ଏବଂ ପରିଣତ ବୟସ/ବୟସୀ ଏ ଗ୍ରୁପ୍ ରେ ଥାଆନ୍ତି ।ସମଲିଙ୍ଗୀ ଓ ଅସମଲିଙ୍ଗୀ ଉଭୟ ଏଥିରେ ଥାଆନ୍ତି ।ଏ ବାଟଟି ବଡ ପିଚ୍ଛିଳ।ଗୋଡ ଖସିବ ତ ଫସିବ।ଗୋଡ ଖସେଇବା ପାଇଁ ଗୁପ୍ତାଙ୍ଗର ଫଟୋ ମଧ୍ୟ ମେସେନ୍ଜରରେ ଆସିବ।ଏ ଭଳି ଫେସ୍ ବୁକିଆଙ୍କୁ ତୁରନ୍ତ ଅନଫ୍ରେଣ୍ଡ୍ କରିବା ଉଚିତ।ଏ ଦଳଙ୍କୁ ହନିଟ୍ରାପ୍ ଫେସବୁକିଆ ମଧ୍ୟ କହିପାରନ୍ତି।

"ହାମ୍ ବଡିଆ" ଫେସ୍ ବୁକିଆମାନେ ନିଜର ଡିଣ୍ଡିମ ପିଟିବାପାଇଁ ଫେସ୍ ବୁକଗିରୀ କରନ୍ତି।ସବୁବେଳେ "ମୁଁ ଏମିତି ଲେଖେ ମୁଁ ସେମିତି ଲେଖେ,ମତେ ଏତେଟା ଆୱାର୍ଡ ମିଳିଚି ,ମୋର ଏତେଟା ବହି ଛପାହେଇଚି" ଇତ୍ୟାଦି ଆତ୍ମରତିରେ ସେମାନେ ମଗ୍ନ।ଏଥିରେ କିଛି ଅସୁବିଧା ନାହିଁ ।ଭଲ ଲେଖକ ମାନଙ୍କର ସୀମିତ ଆତ୍ମରତି ଏବଂ ଅଭିମାନ ରହିବା ଆବଶ୍ୟକ ।କିନ୍ତୁ ଏ ଅଭିମାନ ଯେତେବେଳେ ଗର୍ବରେ ପରିଣତ ହୁଏ ଏବଂ କଥା କଟାକଟି ଯେତେବେଳେ ହାତାହାତି(ଫେସ୍ ବୁକିଆ ହାତାହାତି)କୁ ଆସେ ସେତେବେଳେ ଲଜ୍ଜାକର ପରିସ୍ଥିତି ଉପୁଜେ।କେହି କାହାକୁ ଦେଖନ୍ତି ନାହିଁ, କିନ୍ତୁ ଶୂନ୍ୟରେ ଖଣ୍ଡା ଚଳାଚଳି ଚାଲିଥାଏ।ଏ ଗ୍ରୁପ୍ ରେ ଏମିତି ବି ଫେସ୍ ବୁକିଆ ଅଛନ୍ତି ଯେଉଁମାନେ ନିଜକୁ ସାହିତ୍ୟର ଭୀଷ୍ମ ପିତାମହ କହି ନିଜ ନିର୍ବାଚିତ କିଛି ଲେଖକଙ୍କୁ ମାନପତ୍ର ପ୍ରଦାନକରି ମୁଖପୁସ୍ତକରେ ନିଜର ଏବଂ ନିର୍ବାଚିତ ମାନଙ୍କର ଡିଣ୍ଡିମ ପିଟନ୍ତି।

ଏ କ୍ଷେତ୍ରର ଅର୍ଥନୀତି ଦିଗକୁ ମୁଁ ବିଶେଷ ଆଲୋକପାତ କରି ପାରିବି ନାହିଁ ।ଅକ୍ଷମତା ପ୍ରକାଶ କରୁଛି।

'ସାହିତ୍ୟିକିଆ' ଫେସ୍ ବୁକିଆ ମାନେ କେବଳ ସାହିତ୍ୟ ପରିବେଷଣ, ଆଲୋଚନା,ମନ୍ତବ୍ଯ, ପର୍ଯ୍ଯାଲୋଚନା ଇତ୍ୟାଦି ରେ ସମୟ ଅତିବାହିତ କରନ୍ତି।ଏମାନେ କୌଣସି ରାଜନୀତିରେ ନଥାନ୍ତି।କିଏ ନିନ୍ଦାକଲା ତ ଢୋ,ପ୍ରଶଂସା କଲାତ ହଁ। ଏମାନଙ୍କୁ ଫେସ୍ ବୁକ୍ ର 'ଯୁଧିଷ୍ଠିର ' ବୋଲି ମଧ୍ୟ କହିହବ।

ଦୂରଦର୍ଶନିଆ ଫେସ୍ ବୁକିଆ ମାନେ ବଡ ନିର୍ଲିପ୍ତ ପ୍ରାଣୀ ।ସବୁ ପଢୁଥିବେ,କିନ୍ତୁ କିଛି ମନ୍ତବ୍ଯ ବା ମତାମତ ଦେବେନାହିଁ।କେତେବେଳେ କେମିତି ଇଚ୍ଛାହେଲେ ଗୋଟେ ଦି'ଟା ଲାଇକ୍ ଛାଡିଦେବେ।ଦୂରରେ ରହି ଦର୍ଶନ କରିବେ।ପାଖକୁ ଆସିବେନି।ଏମାନେ ଭଗବତ୍ ଗୀତାର "ନଳିନୀଦଳମମ୍ବୁବତ୍" ବାଣୀରେ ଉଦ୍ବୁଦ୍ଧ।"

ଫେସ୍ ବୁକିଆଙ୍କ ବିଷୟରେ ସଂକ୍ଷେପରେ କହି ମୁଁ ହୀନ (ଦୀନ)ଭାଇନାଙ୍କ ମୁହଁକୁ ଚାହିଁ ପଚାରିଲି "ତମେ କୋଉ ଫେସ ବୁକିଆ ହବାକୁ ଚାହୁଁଚ ଭାଇନା?"

ଭାଇନା କହିଲେ "ନିଃସନ୍ଦେହ,ଡିଫେସ୍ ବୁକିଆ।"


Rate this content
Log in

Similar oriya story from Comedy