Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Tragedy

2.5  

Aravinda Das

Tragedy

ତୁ ଧୀରେ ଧୀରେ ଚାଲ ସମୟ

ତୁ ଧୀରେ ଧୀରେ ଚାଲ ସମୟ

4 mins
624



 କେତେବେଳୁ ସଜବାଜ ହୋଇ, ସରଳା ଦର୍ପଣରେ ନିଜକୁ ବାରମ୍ବାର ଦେଖୁଥିବାର ଦେଖି ହସୁଥିଲେ ବିମଳେନ୍ଦୁ ।

ଗାଡ଼ି ହର୍ଣ୍ଣ ଶୁଣି ସରଳା ବାହାର ରାସ୍ତାକୁ ଦେଖି ତିନିଥର ନିରାଶ ହୋଇ ଫେରିଲେଣି।ନାତି ରିକି'ର ଆଜି ଜନ୍ମଦିନ।

ପୁଅ ରବି, ଗାଡ଼ି ନେଇ ଅଳ୍ପ ସମୟ ଭିତରେ ପହଂଚିବ ।ଖୁସିରେ ଝଲସି ଉଠୁଥିଲା ସରଳା'ଙ୍କ ମୁହଁ।ଗତ କାଲି ରାତିରେ ବି ଖୁସିରେ ତାଙ୍କୁ ନିଦ ହୋଇନଥିଲା।

- ରବିକୁ ଟିକେ ଫୋନ ଲଗେଇଲ ;ଏତେ ବେଳ ଯାଏଁ କୁଆଡେ ଗଲା ?

- ଓହୋ, ଏତେ ବ୍ୟସ୍ତ ହୁଅନା।ଟ୍ରାଫିକ ଜାମରେ ଫସି ଯାଇଥିବ ରବି।ସାଢ଼େ ଛଅଟା ପରା ହୋଇନି।

- ଏ ପୁରୁଣା ଘଣ୍ଟାଟା ବି ତମ ମୁଣ୍ଡ ପରି ବୋଧେ ଠିକ୍ ନାହିଁ।ସେତେବେଳଠୁ ସାଢ଼େ ଛଅ ଟା ବାଜିନି ?

ବିଳମ୍ଭ ଆଉ ସଜ୍ୟ ହେଉନଥିଲା ବୋଧେ।କାହା ପାଇଁ ପ୍ରତୀକ୍ଷା ତ ସବୁଠୁ ବିରକ୍ତିକର।

ଏଇ ସମୟ ବି ବଡ଼ ଅଦ୍ଭୁତ ଜିନିଷ।ଅନାଉ ଅନାଉ ବିତିଯାଏ ସମୟ; ହାତ ମୁଠା ଭିତରୁ ବାଲି ମୁଠେ ଖସି ଯିବା ଭଳି।ହେଲେ ଯେତେବେଳେ ମଣିଷ ଚାହେଁ, ଶୀଘ୍ର ସମୟ ବିତିଯାଉ, ସେତିକିବେଳେ ଏ ପୋଡାମୁହାଁ ସମୟ ଖେଳ ଦେଖାଏ; ଆଜି ଭଳି।

- ସେ ବ୍ୟାଗରେ କଣ ସବୁ ରଖିଛ କି ?ବହୁତ ବଡ଼ ଦିଶୁଛି। "

- ରିକି ପାଇଁ ଖାଲି ଗିଫ୍ଟ ଅଛି।ଆଉ କଣ ରଖିବି ?

ମୁରୁକି ହସି ଚୁପ୍ ରହିଲେ ବିମଳେନ୍ଦୁ।ସେ ଜାଣନ୍ତି ସେ ବ୍ୟାଗ ଭିତରେ କଣ ଲୁଚାଇ ପୁରାଇଥିବେ ସରଳା। କହିଲେ କଣ ଶୁଣନ୍ତି ?

ଯା ହେଲେବି ମା ମନ।

ମୋବାଇଲରେ ଗୀତ ଲଗାଇଲେ ବିମଳେନ୍ଦୁ।ବାବୁସାନ'ଙ୍କ ସ୍ୱରରେ ଏକ ଲୋକପ୍ରିୟ ଓଡ଼ିଆ ଗୀତ।"ତୁ ଧୀରେ ଧୀରେ ଚାଲ ସମୟ..."

- ବନ୍ଦ କର ସେ ଗୀତ।ରବି ଡାକିଲେ ଶୁଭିବନି।"କହିଲେ ସରଳା।

ବାହାରୁ ପାଟି ଶୁଭିଲା ରବି'ର। ବିମଳେନ୍ଦୁ ଓ ସରଳା କାର ର ପଛ ସିଟରେ ବସିଲେ।ସାମ୍ନା ସିଟରେ ରବି ଓ ଡ୍ରାଇଭର।ରବି ମୁହଁ ଖୋଲିଲା, "ବୋଉ, ସାଢ଼େ ସାତଟାରେ କେକ କଟିଙ୍ଗ।ରିକି ସାଙ୍ଗରେ ତିନିଜଣ ସାଙ୍ଗଙ୍କୁ ନେଇ ଆସିଛି ।ଯେତେ ମନାକଲେ କଣ ଶୁଣୁଛି ?"

- ପିଲାଲୋକ ସେ।ଦଶମ ପର୍ଯ୍ୟନ୍ତ ତ ଘରେ ରହି ପଢ଼ିପାରିଥାନ୍ତା।ଜିଦି କରି ତମେ ଦୁହେଁ ତାକୁ ହଷ୍ଟେଲ ପଠାଇଦେଲ।ହଷ୍ଟେଲରେ ଏକୁଟିଆ ରହୁଛି।

-ଏକୁଟିଆ ପୁଣି କଣ ?ହଷ୍ଟେଲରେ ଅନ୍ୟ ପିଲାମାନେ ତ ସବୁ ଅଛନ୍ତି।ଘରେ ବରଂ ସେ ବୋର ହେଉଥାନ୍ତା।ଆମେ ଦୁହେଁ ତ ସବୁବେଳେ ଟୁର ଓ ପ୍ରୋଜେକ୍ଟ କାମରେ ବାହାରେ ବୁଲୁଛୁ।ଏକା ବୟସର ମଣିଷଙ୍କ ମିଶିକି

ଚୁପଚାପ ହୋଇ ବସିଥିଲେ ବିମଳେନ୍ଦୁ।କାର କାଚ ବାଟେ ବାହାରକୁ ଅନାଉଥିଲେ।ତାଙ୍କରି ପରିଚିତ ସହର, ଏବେ କିନ୍ତୁ କେତେ ଅପରିଚିତ ଲାଗୁଛି ? କେଉଁ ଆଉ ସେ ବାହାରକୁ ବୁଲିବାପାଇଁ ବାହାରିଛନ୍ତି କି ?

ଘରେ ପହଁଚିଲା ପରେ ସରଳା ଘର ର କୋଣ ଅନୁକୋଣ ଉପରେ ଆଖି ବୁଲାଇଆଣି ଦୀର୍ଘନିଶାସଟିଏ ଛାଡ଼ିଲେ।ବାରମ୍ବାର ମନଟା ଭାରି ହୋଇଯାଉଥିଲା।ଅବ୍ୟକ୍ତ ବେଦନା ସବୁକୁ କେଵଳ ଛାତି ଭିତରେ ସାଇତି କରି ରଖାଯାଏ। ନାତି ହାତରେ ଉପହାରଟିକୁ ଦେଇ ଦୁହେଁ ବହୁତ ଆଶୀର୍ବାଦ କଲେ।ରିକି ନିଜ ସାଙ୍ଗମାନଙ୍କ ସହ ପରିଚୟ କରାଇଦେଲା।ପିଲାମାନେ ହୋ ହାଲ୍ଲା ,ନାଚ ଗୀତରେ ମାତିଥିଲେ।ବାର୍ଥଡ଼େ ଗୀତ ମୋବାଇଲରେ ଲଗାଇଲା ପରେ କେକ୍ କଟାଗଲା।ବେଲୁନ ଫୁଟାଉଥିଲେ ପିଲାମାନେ ।ନାତି ପାଟିରେ ଆଗେ କେକ୍ ଖୁଆଇଦେଲେ ସରଳା।ବୋହୁ ନୀତା ଗୋଟେ ପ୍ଲେଟରେ ଜଳଖିଆ ବାଢ଼ିଦେଲା।

ରବି ବଡ଼ ପାଟିରେ କହିଲା, "ବାପା,ବୋଉଙ୍କୁ ପିଲାଙ୍କ ସହ ଡିନର ବି ଦେଇଦିଅ।"

-ଆରେ,ଏବେଠୁ ଆମେ କାହିଁକି ଖାଇବୁ ?ନଅଟା ବାଜୁ, ଆମେ ସମସ୍ତେ ତ ଏକାଠି ମିଶିକି ଖାଇବା।

- ନାଇଁ ବୋଉ, ରିକି ତା ସାଙ୍ଗମାନଙ୍କ ସହ ନାଇଟ ଶୋ ଦେଖି ସେଠାରୁ ହଷ୍ଟେଲ ଚାଲିଯିବ।ୱାର୍ଡେନ'ଙ୍କ ଠାରୁ ମୁଁ ସ୍ପେଶାଲ ପରମିସନ ଆଣିଛି।ରାତିରେ ମୁଁ ଓ ନୀତା ଗୋଟେ ପାର୍ଟିକୁ ଯିବୁ।ସେଇଠି ଆମର ଡିନର।ତେଣୁ ତମେ ଦହେଁ ହିଁ ଖାଇବ।ଡେରିହେଲେ ଅସୁବିଧା ତୁମ ଦହିଙ୍କୁ।

- ଅସୁବିଧା କଣ ?ଘର କଥା।ଆମେ ଦୁହେଁ ତ ଘର ଭିତରେ ଅଛୁ।।ତମେମାନେ ପାର୍ଟିକୁ ଯାଅ। ତୋ ବାପା ଓ ମୁଁ ଘରେ ଅଛୁ।ରିକି ସିନେମା ଦେଖି ଏଠିକୁ ଆସି ଆଜି ରାତିଟା ଘରେ ରହୁ।ତା ସହିତ ଟିକେ କଥା ହୁଅନ୍ତି।

- ତାର ପାଠ ବହୁତ।କାଲି ସ୍କୁଲ ମିସ୍ କରିବନି ବୋଲି ମୁଁ ପ୍ରିନ୍ସପାଲକୁ କହିଛି।"

ଟିକେ ହତାଶ ହୋଇଗଲେ ସରଳା।ରବି ଟିକେ ଅନାଇଲା ନୀତା ମୁହଁକୁ।

ସରଳା ପୁଣି କହିଲେ," ମୋତେ ମୁଣ୍ଡଟା ବୁଲାଇଲା ଭଳି ଲାଗୁଛି ସକାଳୁ।ଦେହଟା ଦୁର୍ବଳିଆ ଲାଗୁଛି।ଆଜି ଫେରି ପାରିବିକି ନାହିଁ କେଜାଣି। ?"

ନୀତା ବଡ଼ ପାଟିରେ କହିଲା, "ଏଇଟା କେଉଁ ନୂଆ କଥା କି ବୋଉ ? ଆପଣଙ୍କର ତ ସବୁବେଳେ ଗ୍ୟାସ ପ୍ରୋବ୍ଲେମ।ଆଗେ ଟ୍ୟାବ୍ଲେଟ ଖାଆନ୍ତୁ।ଇନୋ ଗୋଳାଇ ପିଇ ଦିଅନ୍ତୁ।"

- ଜର ଜର ବି ଲାଗୁଛି।ଖାଇବିନି ମୁଁ କିଛି।ଜର ଆସିଲାଣି ବୋଧେ।ଆମର ସେଇଠି ଯେଉଁ ଡାକ୍ତର ଆସୁଛି ଠିକ୍ କରି ପରୀକ୍ଷା କରୁନି ବୋଧେ।"

- ତୋ ବୋଉ ପୁରା ମିଛେଇ।ତା ଦେହ ପୁରା ଭଲ ଅଛି।ସପ୍ତାହରେ ଦୁଇ ତିନି ଦିନ ଡାକ୍ତର ଆସି ସବୁ ଚେକ୍ କରୁଛି।

ରବି ଥର୍ମୋମିଟର ଆଣି ଦେଖି ହସିଦେଇ କହିଲା, "ଜର ଫର କିଛି ନାହିଁ।ଆମେ ଦୁହେଁ ବି କାଲି ଭୋରରୁ ଦିଲ୍ଲୀ ଯାଇ ସେଠାରୁ ଲଣ୍ଡନ ଯିବୁ।"

- ଆଛା ?କାଲି ସକାଳୁ ଚାଲିଯିବ ତୁମେ ଦୁହେଁ ?

ବିମଳେନ୍ଦୁଙ୍କ ଆଡ଼କୁ ଅନାଇ କହିଲେ, "ଶୁଣ ,ଆମେ ବରଂ ଆଜି ଏଇଠି ରହିଯିବା ଓ କାଲି ସକାଳୁ ଏ ଦୁହିଁଙ୍କୁ ଏୟାରପୋର୍ଟରେ ଛାଡି ଫେରିଯିବା।ତମେ ରାତିରେ ରବି'ର ଟ୍ରାଉଜର ପିନ୍ଧି କାମ ଚଳାଇଦିଅ।"

କଥା ବଦଳାଇବା ପାଇଁ ବିମଳେନ୍ଦୁ କହିଲେ,"ବୋହୁ ,ଖାଇବାକୁ ବାଢ଼ିଦେ ମା।ତମର ବାହାରିବାକୁ ଡେରିହେବ।ମୋର ବି ଏବେ ଆଠଟା ସୁଦ୍ଧା ଡିନର କରିବା ଅଭ୍ୟାସ ହୋଇଗଲାଣି।ଦେହ ବି ଭଲ ଲାଗୁଛି।"

ଚଟକିନା ରବି କହିଲା, "ଦେଖିଲେ ବାପା, ମୁଁ କହୁନଥିଲି, ବହୁତ ଡିସିପ୍ଳିନ ସେଠାରେ;। ନିଜ ଘରେ ଏକୁଟିଆ ରହିବା ଅପେକ୍ଷା,  ସମବୟସ୍କ ଲୋକଙ୍କ ସହ ମିଶିକି ରହିଲେ ଭଲ ଲାଗେ ବୋଲି। ବୋଉ ଜଲଦି ଖାଇଦେ।ରିକି ଓ ପିଲାମାନଙ୍କୁ ହଲ ରେ ଛାଡି ବାପା ଓ ତୋତେ ଗୋଲ୍ଡେନ ହୋମରେ ଛାଡ଼ିଦେଵ।"

ଡାଇନିଂ ଟେବୁଲରେ ରିକି ଓ ପିଲାଙ୍କ ସହ ବସି ଖାଇବାକୁ ଜମା ଇଛା ହେଉନଥିଲା ସରଳାଙ୍କ'ର।କେତେ ମନ କରି ସେ ଆସିଥିଲେ ?ଭାବିଥିଲେ ହୁଏତ ପୁଅ,ବୋହୁ ବାଧ୍ୟ କରି କହିବେ.....

କାନ୍ଥ ଘଣ୍ଟାକୁ ଅନାଇ ସରଳା କହିଲେ,

- ଏ ଘଣ୍ଟା ଟା ଘଣ୍ଟାଏ ଫାଷ୍ଟ ଅଛି ନା କଣ ?

- ନା ବୋଉ ,ପୁରା ଠିକ୍ ଟାଇମ ଅଛି।"ନୀତା କହିଲା।

ସରଳା ଭାବୁଥିଲେ ସମୟଟା ଏଠାରେ ଧୀରେ ଧୀରେ କାହିଁକି ଚାଲୁନି ? ଆଉ କିଛି ମୁହୂର୍ତ୍ତ ବିତାଇ ପାରନ୍ତେ ଏଠି.....

କାରରେ ରିକି'କୁ କୁଣ୍ଢେଇ ଧରିଥିଲେ ସରଳା।ତାଙ୍କ ହାତରେ ଥିବା ବ୍ୟାଗ ଭିତରଟା ଦେଖି ରିକି କହିଲା, "ଜେଜେମା ,ତମେ ଶାଢ଼ୀ ନେଇକି କାହିଁକି ଆସିଥଲ ?"

ବିମଳେନ୍ଦୁ ବୁଲିପଡ଼ି ଅନାଇଲେ ସରଳାଙ୍କୁ।

ଝରକା ବାଟେ ବାହାରକୁ ଅନାଉଥିଲେ ସରଳା।ମୁହଁଟା ତାଙ୍କର କାନ୍ଦ କାନ୍ଦ ଦିଶୁଥିଲା।

ରିକି'ର ଗୋଟେ ସାଙ୍ଗ ପଚାରିଲା, "ରିକି ,ତୋ ଗ୍ରାଣ୍ଡପ୍ୟାରେନ୍ଟସ କେଉଁଠି ରହନ୍ତି ?

- ସେମାନେ ବି ମୋ ଭଳି ହଷ୍ଟେଲ ରେ ରୁହନ୍ତି।



Rate this content
Log in

Similar oriya story from Tragedy