Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

3  

Lopamudra Mishra

ଅବଶିଷ୍ଟ ସୃଷ୍ଟିର ଶ୍ମଶାନ

ଅବଶିଷ୍ଟ ସୃଷ୍ଟିର ଶ୍ମଶାନ

13 mins
764


ଲୋପାମୁଦ୍ରା ମିଶ୍ର

ସ୍କୁଲ୍ ଟାର ଅବସ୍ଥିତି ଏବେ ଯେଉଁଠି ଅଛି ଆଗରୁ ବି ସେଇଠି ଥିଲା । କିନ୍ତୁ ବର୍ତ୍ତମାନ ପରି ସ୍କୁଲ କୁ ଲାଗି ସେଠି କୌଣସି ଘର ଦ୍ୱାରା ନଥିଲା । ସ୍କୁଲ ଚତୁର୍ପାଶ୍ୱ ରେ କେଵଳ ଫାଙ୍କା ବିଲ ସବୁ ଦିଗନ୍ତ ବିସ୍ତାରୀ ଦୂରକୁ ଦୂରକୁ ଲମ୍ବି ଯାଇଥିଲେ । କେତୋଟି ଗଛ, ଗୋଟିଏ ଛୋଟ ପୋଖରୀ, ଆଖି ପାଉନଥିବା ବିଲମାଳ ବ୍ୟତୀତ ସ୍କୁଲ ପାଖା ପାଖି ଦୁଇଶହ ମିଟର ଦୂର ଆଗକୁ ପାଦ ଚଲା ରାସ୍ତା ଅତିକ୍ରମ କରିଗଲେ ଗୋଟିଏ ଝୁମ୍ପୁଡ଼ି ଘର ମଧ୍ୟ ସେହିଠାରେ ଥିଲା । ସେହି ଝାଟିମାଟି କାନ୍ଥ ଓ ଚାଳ ଛପର ର ଦଦରା କୁଡ଼ିଆ ଭିତରେ ରହୁଥିଲେ ଜଣେ ପ୍ରଚଣ୍ଡ ପ୍ରତିଭାବାନ କଳାକାର । ତାଙ୍କୁ କିଏ ସ୍ରଷ୍ଟା ବା କଳାକାର ର ମାନ୍ୟତା ଦେଇଥିଲେ କି ନାହିଁ ଜଣାନାହିଁ କିନ୍ତୁ ସେ ନିଜ ସୃଷ୍ଟିରେ ଥିଲେ ମଗ୍ନ ଓ ବିଭୋର । ବାହାର ଦୁନିଆଁ ସହ ତାଙ୍କର ସଂଯୋଗ ଥିଲା ଖୁବ କମ୍ ।

ବବ୍ଲୁ ସେହି ପ୍ରାଥମିକ ବିଦ୍ୟାଳୟ ରେ ପଢୁଥିଲା । ବହୁତ ସାନ ହେଇଥିଲା । ପିଲାବେଳୁ ପାଠ,ସଙ୍ଗୀତ ଚିତ୍ରାଙ୍କନ ଓ ମାଟିର ନାନା ରକମର ମୂର୍ତ୍ତିଗଢିବା ପ୍ରତି ବବ୍ଲୁ ର ଅହେତୁକ ଆକର୍ଷଣ । କୌଣସି ଦିନ ସ୍କୁଲ ବନ୍ଦ କରି ଘରେ ରହେନାହିଁ । ବର୍ଷା ଝଡ଼ି ରେ ବି ତିନ୍ତି ଭିଜି ସ୍କୁଲ ରେ ହାଜର ହୋଇଯାଏ । ସେ ଜାଣିଥିଲା ସେହି ଝୁମ୍ପୁଡ଼ି ଘର ଟିରେ କେହିଜଣେ ମୂର୍ତ୍ତି ଗଢୁଛନ୍ତି । ବିଭିନ୍ନ ଦେବା ଦେବୀଙ୍କ ପୂଜା ପାର୍ବଣ ପୂର୍ବରୁ ସେହି କୁଡ଼ିଆ ବାହାରେ ଟ୍ରଲି, ସାଇକେଲ, ରିକ୍ସା ସବୁ ଆସି ଲାଗେ । ଦେବା,ଦେବୀ ମାନେ ସେଇଠୁ ଟ୍ରଲିରେ ବସି ମଣ୍ଡପ କୁ ବାହାରିଯାଆନ୍ତି ।

ଖୂଦୁରୁକୁଣୀ ଓ ଦୁର୍ଗାପୂଜା ପୂର୍ବରୁ ଘମାଘୋଟ ମୂର୍ତ୍ତି ଗଢ଼ା କାମ ଚାଲେ । ବବ୍ଲୁ ଦେଖେ କଳାକାର ଲୋକଟି ନିଜ କୁଡିଆରୁ ଖୁବ କମ୍ ବାହାରକୁ ଆସୁଛି । ସେ ନିଜକୁ ଅଟକେଇ ରଖିପାରେନି । ତା ଭିତରର କୁନି କଳାକାର ଟି ତାକୁ ଟାଣିନିଏ କଳାର ସେହି କ୍ଷୁଦ୍ର ସାମ୍ରାଜ୍ୟ ଆଡ଼କୁ । ସେ ଲୁଚି ଲୁଚି ଦେଖେ କଳାକାରଙ୍କ ଏକନିଷ୍ଠ ମୂର୍ତ୍ତିଗଢ଼ା କାରୁକାର୍ଯ୍ୟ କୁ । ସେହିସବୁ ସୁନ୍ଦର ସୁନ୍ଦର ସମ୍ପୂର୍ଣ୍ଣ ଗଢ଼ା ଓ ଅଧାଗଢ଼ା ମୂର୍ତ୍ତିମାନଙ୍କ ଭିତରେ ଲୋକଜଣଙ୍କ ମଜ୍ଜି ଯାଇ ନିଜ କାମ କରୁଥାନ୍ତି । କେତେବେଳେ ତୁଳୀ ଧରି ରଙ୍ଗ ଦେଉଥାନ୍ତି ତ କେତେବେଳେ ମାଟି ଲେପି ମୂର୍ତ୍ତିର ଆକାର କୁ ଆକର୍ଷଣୀୟ କରୁଥାନ୍ତି । ବବ୍ଲୁ କୁ ଲାଗେ ସେ ଲୋକ ସତେ ଯେମିତି ସେହି ମୃଣ୍ମୟ ମୂର୍ତ୍ତିମାନଙ୍କ ସାମ୍ରାଜ୍ୟ ରେ ଏକମାତ୍ର ସମ୍ରାଟ ।

ବବ୍ଲୁ ଘରକୁ ଫେରି ନିଜ ବାଡ଼ି ପଟେ ମାଟି ଚକଟି କୁନି କୁନି ମୂର୍ତ୍ତି ଗଢିବା ଆରମ୍ଭ କରିଦିଏ । କାଳୀ, ଦୁର୍ଗା, ଗଣେଶ, ଖୂଦୁରୁକୁଣୀ ସବୁ ଦେବା ଦେବୀଙ୍କ କ୍ଷୁଦ୍ରାକାର ମୂର୍ତ୍ତିଗୁଡ଼ିକ ବବ୍ଲୁର କୁନି କାରିଗରୀ ହାତର ସ୍ପର୍ଶ ପାଇ ଅପୂର୍ଵ ହୋଇଉଠନ୍ତି । ସେହି ମୂର୍ତ୍ତି କାରିଗରଙ୍କ କଳାକୁ ଅନୁକରଣ କରି ସାନ କଳାକାର ବବ୍ଲୁ ନିଜକୁ ବି ମଜ୍ଜେଇ ଦିଏ ମୂର୍ତ୍ତି ତିଆରିରେ । ସେ ସେହି ବଡ଼ ମୂର୍ତ୍ତିମାନଙ୍କର ଅବିକଳ ନକଲ ତିଆରି କରିବାକୁ ଚେଷ୍ଟା କରି ଅଳ୍ପ ବହୁତେ ସଫଳ ମଧ୍ୟ ହୁଏ । ଫରକ କିନ୍ତୁ ଏତିକି, ସେହି କଳାକାରଙ୍କ ହାତତିଆରି ବଡ଼ ବଡ଼ ମୂର୍ତ୍ତି ଗୁଡ଼ିକ ବିରାଟ ବିରାଟ ପୂଜା ମଣ୍ଡପରେ ମହା ଆଡମ୍ବର ରେ ପୂଜା ପାଉଥିବା ବେଳେ ବବ୍ଲୁର ଛୋଟ ଛୋଟ ଠାକୁର ଠାକୁରାଣୀମାନେ କୌଣସି ମଣ୍ଡପରେ ପୂଜା ପାଆନ୍ତି ନାହିଁ ।

ବବ୍ଲୁ ଖେଳଛୁଟିରେ ଓ ସ୍କୁଲ ପୁରା ଛୁଟି ହେଲାପରେ ଛୁଟିଯାଏ ସେହି ମୂର୍ତ୍ତି ତିଆରି କୁଡ଼ିଆ ଆଡ଼କୁ । କଳାକାରଙ୍କ ଶ୍ମସ୍ରୁ ଭର୍ତ୍ତି ଭାବୁକ ମୁଖ ବବ୍ଲୁ ଆଡ଼େ ଯେବେ ମୁହାଁଏ ଓ ତାଙ୍କ ଗଭୀର ଆଖିର ନମନୀୟ ନଜର ବବ୍ଲୁର ଦୃଷ୍ଟି ସହ ଯେବେ ଅଳ୍ପ ମିଶିଯାଏ ସେ ଦୌଡ଼ି ଧାଇଁ ସେ ଜାଗା ଛାଡ଼ି ଚାଲିଆସେ ।

ଟିକେ ବଡ଼ ହେବା ପରେ ବବ୍ଲୁ ଉପରେ ପାଠର ଚାପ ବେଶି ପଡ଼ିଲା । ସେହି କୁଡ଼ିଆ ପାଖ ସ୍କୁଲ ଛାଡ଼ି ବବ୍ଲୁ ଦୂର ଏକ ହାଇସ୍କୁଲ କୁ ପଢ଼ିବାକୁ ଗଲା । ହାଇସ୍କୁଲ ରେ ପଢ଼ିବା ସମୟରେ ମଧ୍ୟ ବବ୍ଲୁ ସ୍କୁଲ ଯିବା ଆସିବା ରାସ୍ତାରେ ବେଳେବେଳେ ଅନ୍ୟମନସ୍କ ହୋଇ କୁଡ଼ିଆ ଆଡ଼େ ଚାଲିଯାଉଥିଲା ଦେଖିବାପାଇଁ ମୂର୍ତ୍ତି କଳାକାର ଏବେ କେଉଁ ଈଶ୍ୱରଙ୍କୁ ମାଟି ଓ ରଙ୍ଗ ତୂଳୀ ରେ ଜୀବନ୍ୟାସ ଦେଉଛନ୍ତି ।

ଏ ଭିତରେ ବବ୍ଲୁ ଜାଣିସାରିଥିଲା ସେହି କଳାକାର ଜଣଙ୍କ ନାଁ ବିଶ୍ଵକର୍ମା । "ଠିକ ତ ସେ ନିଶ୍ଚୟ ବିଶ୍ଵକର୍ମା ! ସାରା ଦୁନିଆଁ ଯେଉଁ ଈଶ୍ଵରଙ୍କ ସାମ୍ନାରେ ହାତ ପତେଇ ନିଜର ସୁଖ, ଶାନ୍ତି ଓ ସମୃଦ୍ଧିର ଭିକ୍ଷା ମାଗୁଛି, ସେହି ଈଶ୍ଵରଙ୍କ ସର୍ଜନାକାରୀ ଲୋକଟି ବିଶ୍ଵକର୍ମା ନୁହେଁ ତ ଆଉ କଣ ? ", କିଶୋର ବବ୍ଲୁ ମନେ ମନେ ଭାବୁଥିଲା । କାହିଁକି କେଜାଣି ବିଶ୍ୱକର୍ମା ଙ୍କ ପ୍ରତି ବବ୍ଲୁର ମନରେ ଅଜସ୍ର ଭକ୍ତି ଓ ସମ୍ମାନ ଠୁଳ ହେଇଯାଉଥିଲା ସେ ଯେତେବେଳେ ତାଙ୍କୁ ସେହି ନିଛାଟିଆ ଭଙ୍ଗା ଚାଳିଆଘରେ ଏକାକୀ ଏକାଗ୍ର ଚିତ୍ତରେ ଈଶ୍ୱର ଗଢୁଥିବାର ଦେଖୁଥିଲା । "ସେ ଏତେ ସୁନ୍ଦର ସୁନ୍ଦର ଠାକୁର ଠାକୁରାଣୀ ମୂର୍ତ୍ତି ତିଆରି ପାରୁଛନ୍ତି, ତେବେ ଅନ୍ୟ କାହାର ପ୍ରତିମୂର୍ତ୍ତି ବି ତ ନିଶ୍ଚୟ ଗଢି ପାରନ୍ତେ ! କରନ୍ତିନି କାହିଁକି ? ଭଗବାନ କଣ ତାଙ୍କୁ ମନା କରିଛନ୍ତି ଆଉ କିଛି ଗଢିବାକୁ ? ",ବିଶ୍ଵକର୍ମାଙ୍କୁ ନେଇ ବବ୍ଲୁ ର ମନରେ ଏଇ କେତୋଟି ପ୍ରଶ୍ନ ପ୍ରତିଥର ଖେଳେଇ ହୋଇଯାଏ ।

ବବ୍ଲୁ ପାଠରେ ଯେତିକି ମନୋନିବେଶ କରୁଥିଲା ବିଶ୍ଵକର୍ମା ଓ ତାଙ୍କ କଳାର ସାମ୍ରାଜ୍ୟ ଠୁ ସେତିକି ବେଶି ଦୁରେଇ ଯାଉଥିଲା । ମାଟ୍ରିକ ପରୀକ୍ଷାର ବୋଝ ତା ମୁଣ୍ଡରୁ ମାଟି ମୂର୍ତ୍ତି ତିଆରି କରିବାର ଆକାଂକ୍ଷା କୁ କାଢ଼ି ଫିଙ୍ଗିଦେଇଥିଲା ।

ସେ ବର୍ଷ ଦୁର୍ଗାପୂଜା ରେ ବବ୍ଲୁ ବାପା ମାଆ ଙ୍କ ସହ ମଣ୍ଡପ ବୁଲିବାକୁ ଯାଇଥିଲା । ମାଆ ଦୀପ ଜାଳିଲେ । ବବ୍ଲୁର ପାଠପଢା ଓ ପରୀକ୍ଷା ପାଇଁ ଦେବୀଙ୍କ ପାଖରେ ମାନସିକ ରଖିଲେ । ବାପା ଓ ମାଆ ଦୁହେଁ ବନ୍ଦ ଚକ୍ଷୁରେ ପୁଅର ମଙ୍ଗଳ ପାଇଁ ଜଗତଜନନୀ ମାଆ ଦୁର୍ଗା ଙ୍କୁ ପ୍ରାର୍ଥନା କରୁଥିଲା ବେଳେ ବବ୍ଲୁ ଖୋଲା ଆଖିରେ ମୃଣ୍ମୟୀ ମୂର୍ତ୍ତିର ନିଖୁଣ କାରୁକାର୍ଯ୍ୟ କୁ ଦେଖି ମୁଗ୍ଧ ହେଉଥିଲା । "ବାଃ ! କି ସୁନ୍ଦର କାରିଗରୀ !! ମୁଁ ଏମିତି ଗଢି ପାରନ୍ତି କି ? ",ବବ୍ଲୁ ନିଜକୁ ନିଜେ କହୁଥିଲା ।

ସେଦିନ ପୁଣିଥରେ ବିଶ୍ଵକର୍ମା ଙ୍କ ମୂର୍ତ୍ତିଗଢ଼ା ଦୃଶ୍ୟ ତାର ମନେ ପଡିଗଲା । ଅନେକ ଦିନ ହେବ ମାଟିର ସେହି ଅଦ୍ଭୁତ କଳାକାରଙ୍କୁ ସେ ଦେଖିନାହିଁ । ତାଙ୍କ ବିଷୟରେ ଜାଣିବାକୁ ବବ୍ଲୁର ଖୁବ ଇଚ୍ଛା ହେଉଥିଲା । "ଏହି ଦୁର୍ଗା ମଧ୍ୟ ନିଶ୍ଚେ ତାଙ୍କରି କୁଡିଆରୁ ଆସିଛନ୍ତି ", ବବ୍ଲୁ ଅନ୍ୟମନସ୍କ ହେଇ ନିଜକୁ ନିଜେ କହୁଥିଲା ।

ଦେବୀଙ୍କ ସାମ୍ନାରେ ସଭିଏଁ ଭିକ୍ଷୁକ ସମ ହାତ ପାତି କିଛି ନା କିଛି ମାଗୁଥିଲେ । "ବାପା, ବିଶ୍ଵକର୍ମା ବି କଣ ଏଠିକୁ ଆସି ନିଜ ହାତ ତିଆରି ଦେବୀଙ୍କୁ ହାତ ପତେଇ ସୁଖ, ଶାନ୍ତି, ଧନ,ସମ୍ମାନ ମାଗୁଥିବେ ? ", ବବ୍ଲୁ ଫେରିବା ରାସ୍ତାରେ ଅସୀମ ବାବୁଙ୍କୁ ପଚାରୁଥିଲା ।

--ହଁ ବୋଧେ । ସେ ଯଦି ଆସିଥିବେ ତ ପୂଜା ବି ଦେଇଥିବେ ଆଉ କିଛି ନା କିଛି ନିଜର ସମସ୍ୟା ଦେବୀଙ୍କୁ ଜଣେଇଥିବେ ନିଶ୍ଚୟ । ତାଙ୍କ ହାତଗଢ଼ା ମୂର୍ତ୍ତି ପୂଜାରୀ ନନାଙ୍କ ଶ୍ଳୋକ ମନ୍ତ୍ର ରେ ପରା ଜୀବନ୍ୟାସ ପାଆନ୍ତି । କଳାକାର ତ କେଵଳ ଆକାର ଦିଏ ଆଉ ସେଥିପାଇଁ ପାରିଶ୍ରମିକ ବି ନିଏ । ତା କାମ ସେତିକିରେ ଶେଷ ।

--ବାପା, ଯିଏ ଆକାର ଦେଲା, ମୂର୍ତ୍ତି ର ସୌନ୍ଦର୍ଯ୍ୟ କୁ ନିଖୁଣ ଭାବେ ଉପସ୍ଥାପନ କଲା ତାକୁ ତ ଦେବୀ ସବୁକିଛି ବିନା ପ୍ରାର୍ଥନା ରେ ଦେଇଦେବା କଥା । ନୁହେଁ କି ?

--ନାଇଁ ବବ୍ଲୁ ସେମିତି ହୁଏନି । ତାର କର୍ମ ସେଇଟା । ମୂର୍ତ୍ତି ତିଆରି ତାର ପେଶା । ସେ ତା କାମ କରିଛି ମାତ୍ର । ସେ ଭଲ କି ମନ୍ଦ କାମ କରିଛି ତାର ଫଳ ତାକୁ ଭଗବାନ ବିଚାରକରି ଦେବେ । କର୍ମ ଜାଣି ଫଳ । ତୁ ଯଦି ଏବେ ନପଢି ଠାକୁରଙ୍କ ମୂର୍ତ୍ତି ଗଢ଼ିବୁ ବା ଦିନରାତି ଖାଲି ପ୍ରାର୍ଥନା କରିବୁ ତୁ କଣ ପରୀକ୍ଷାରେ ଭଲ କରିପାରିବୁ କି ?

ବବ୍ଲୁର ବୁଝିବା ଶକ୍ତି ଅନେକଟା ବଢ଼ି ଯାଇଥିଲା । ବାପାଙ୍କୁ ଆଉ କିଛି ପଚାରି ନଥିଲା କିନ୍ତୁ ଏତିକି ଜାଣିସାରିଥିଲା ସେହି ବିସ୍ମୟ ମୂର୍ତ୍ତି କାରିଗର ଟିର ମୂର୍ତ୍ତି ଗଢିବା ପେଶା ନୁହେଁ ବରଂ ନିଶ୍ଚୟ ଗୋଟେ ନିଶା ଥିଲା । ଭୀଷଣ ଗୋଟେ ନିଶା । ନହେଲେ ଘର ଠୁ ଦୂରରେ, ଜନବସତି ଠୁ ଅଲଗା ହେଇ ଭଙ୍ଗା ଚାଳିଆ ଟିଏ ରେ ତପସ୍ୱୀ ପରି କିଏ ଦିନ ରାତି କେଵଳ କାଦୁଅ ମାଟିରେ ଲଟପଟ ହେଇ ମୂର୍ତ୍ତି ଗଢ଼ାରେ ମଜ୍ଜି ରହନ୍ତା !

ବବ୍ଲୁର ମାଟ୍ରିକ ପରୀକ୍ଷା ଫଳ ବାହାରି ସାରିଥିଲା । ସେ ସ୍କୁଲରେ ସର୍ବାଧିକ ନମ୍ବର ରଖି ଟପର୍ ହେଇଥିଲା । ଗାଁ ଛାଡ଼ି, ଘର ଛାଡ଼ି, ବିଶ୍ଵକର୍ମାଙ୍କ କାରିଗରୀ ର ମୋହ କୁ ଛାଡ଼ି ସେ ତା ଭବିଷ୍ୟତ ଗଢିବା ପାଇଁ ସହରର ବଡ଼ ଏକ ପ୍ରତିଷ୍ଠିତ କଲେଜ୍ କୁ ପଢିବାପାଇଁ ଚାଲିଯାଇଥିଲା । ଯେବେ ବି ଦିନେ ଦୁଇଦିନ ପାଇଁ ଘରକୁ ଆସୁଥିଲା କେଵଳ ମାଆଙ୍କ ମମତାର ବ୍ୟଞ୍ଜନ ଓ ସ୍ନେହଁ ର ପଣତ ଭିତରେ ହିଁ ଆବଦ୍ଧ ହେଇ ରହିଯାଉଥିଲା । ଦୁଇଦିନର ଛୁଟି ଦୁଇମିନିଟ୍ ପରି ସରିଯାଉଥିଲା ଓ ସେ ପୁଣି ନିଜ ଭବିଷ୍ୟତଗଢ଼ା କାରଖାନା କୁ ଫେରିଯାଉଥିଲା ।

ବବ୍ଲୁ କଳାର ସେହି ସାମ୍ରାଜ୍ୟ, ଝୁମ୍ପୁଡ଼ି ଘରକୁ ସମୟ ଅଭାବରୁ ଯାଇପାରୁନଥିଲା କିନ୍ତୁ ଖବର ରଖିଥିଲା, ବିଶ୍ୱକର୍ମା ଏବେ ବି ତାଙ୍କ କାରୁକାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ବିବାହ କରିନାହାଁନ୍ତି । ସମୟ ପାଇନାହାଁନ୍ତି ମୂର୍ତ୍ତି ଛାଡ଼ି ସଂସାର ଗଢିବାକୁ ।

ସମୟ କାହାକୁ ଅପେକ୍ଷା କରେନାହିଁ । ସେ ପୃଥିବୀର ଘୁର୍ଣ୍ଣନ ସହ ଘୁରି ଘୁରି ଆଗକୁ ଧାଉଁଥାଏ ଅବିରତ ଗତିରେ । ଏହି ଗତିଶୀଳତା କାହା ଜୀବନର ଅମା ଅନ୍ଧାର କୁ ଦୂରକରି ଚଲାପଥରେ ଉଜ୍ଜ୍ୱଳତା ବିଛାଡ଼ି ଦେଉଥିବା ବେଳେ ଆଉ କାହାର ଜୀବନ ଦୀପକୁ ଫୁଙ୍କି ଲିଭେଇ ଦେଇ ଘୁରି ଘୁରି ଚାଲିଯାଉଥାଏ ।

ବବ୍ଲୁର ଜୀବନରେ ଅନେକ ପରିବର୍ତ୍ତନ ଆସିସାରିଥାଏ । ସେ ସେହି ମୂର୍ତ୍ତି କାରିଗର ଓ ମାଟିମୂର୍ତ୍ତି ଗୁଡ଼ାଙ୍କୁ ସମ୍ପୂର୍ଣ୍ଣ ରୂପେ ଭୁଲି ଜୀବନ୍ତ ମୂର୍ତ୍ତି ଗୁଡ଼ାଙ୍କ ଭଙ୍ଗା, ଫଟା ଶରୀର କୁ ଯୋଡ଼ି ସିଲେଇ କରିବାର କଳା ଶିଖୁଥାଏ ରକ୍ତ ମାଂସର ମୂର୍ତ୍ତି ମରାମତି କଳା କେନ୍ଦ୍ରରେ । ନୂତନ ଜୀବନ ସଞ୍ଚାର କେନ୍ଦ୍ରରେ । ଅନ୍ୟ ଭାଷାରେ ଯାହାକୁ କହନ୍ତି ମେଡିକାଲ କଲେଜ୍ । ବବ୍ଲୁ ବ୍ୟସ୍ତ ତା ଡାକ୍ତରୀ ପାଠରେ , ସେ ବି କୋଉ କାରିଗରୀ ବିଦ୍ୟା ଠାରୁ କମ ନୁହେଁ । ଖୁବ ସୁକ୍ଷ୍ମ କାରୁକାର୍ଯ୍ୟ ଶିଖି କରିବାକୁ ହୁଏ । ବବ୍ଲୁ କଳାକାର । ବିଦ୍ୟା ଟା ଚଟ୍ କରି ଧରିନିଏ । ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସେହି ସୁକ୍ଷ୍ମ କଳାରେ ସେ ନିପୁଣତା ଲାଭ କରେ । ଉତ୍ତୀର୍ଣ୍ଣ ହୁଏ, ଡିଗ୍ରୀ ପ୍ରାପ୍ତ କରେ ।

ବବ୍ଲୁ ଏବେ ଆଉ ଗାଁ ଆଡ଼େ ଆସିପାରେନାହିଁ । ସେ ନିଜର ଏକ ସାମ୍ରାଜ୍ୟ ଗଢିସାରିଛି । ସାମ୍ରାଜ୍ୟ ତ ନୁହେଁ ସହାୟ ସ୍ଥଳୀ କହିଲେ ଠିକ ହେବ । ଅନେକ ବୃଦ୍ଧ, ଦୁଃଖୀ, ଅସହାୟ, ଅନାଥ ରୋଗୀ ମାନଙ୍କୁ ବିନାମୂଲ୍ୟ ରେ ଚିକିତ୍ସା ଯୋଗାଇ ଦେଉଛି । ବାପାମାଆ ଯେହେତୁ ତା ସହ ଏହି ନୂଆ ସହରକୁ ଚାଲିଆସିଛନ୍ତି, ସେ ଆଉ ଏତେଟା ଚିନ୍ତିତ ନୁହେଁ ଗାଁ ର ସେହି ପୁରୁଣା ଘର ଦ୍ୱାର କୁ ନେଇ । ଆପଣାର ଲୋକଙ୍କୁ ନେଇ ତ ଘର । ବିନା ପରିଜନ ରେ ଫାଙ୍କା ଘରଟା କେବଳ ଇଟା,ସିମେଣ୍ଟର ନିର୍ଜୀଵ ସୌଧ ।

ଡାକ୍ତର ରାଜୀବ, ଅନ୍ୟ ମାନଙ୍କ ପାଇଁ ଡାକ୍ତର ବାବୁ ବା ଡ଼କ୍ଟର ରାଜ୍ ହେଇପାରନ୍ତି କିନ୍ତୁ ବାପାମାଆ ଓ ବନ୍ଧୁ ପରିଚିତ ଙ୍କ ପାଇଁ ସେ ସେହି ବବ୍ଲୁ । କୁନି ପୁଅ ବବ୍ଲୁ । ସଦା ବ୍ୟସ୍ତମୟ ଜୀବନ ଟେ କାଟୁଥିବା ଡ଼କ୍ଟର ରାଜ୍ ଙ୍କର ଖାଇବା ଶୋଇବାରେ କୌଣସି ଠିକଣା ରହେ ନାହିଁ । ଆହୁରି ଯଦି କେଉଁଦିନ ଗାଁରୁ ବା ନିଜ ଅଞ୍ଚଳ ରୁ କେହି ପେସେଣ୍ଟ୍ ଆସିଯାଆନ୍ତି ତ ପୁରା ଦିନ ବିତିଯାଏ ସେମାନଙ୍କର ସବୁକଥା ଟିକିନିଖି ବୁଝିବା ସହ ପୁଣି କ୍ଲିନିକ୍ ର ଦାୟିତ୍ୱ ନେବାରେ ।

ସେଦିନ ସନ୍ଧ୍ୟାରେ ବାପାମାଆ ଙ୍କ ସହ ବସି ଚା'ପିଉଥିଲେ ଡାକ୍ତର ରାଜୀବ । ଅନେକ ଦିନ ପରେ ଏହି ସୁଯୋଗ ଟି ପାଇଛନ୍ତି ଡାକ୍ତର ବାବୁଙ୍କ ବାପାମାଆ । ପୁଅର ବ୍ୟସ୍ତତା ରେ ସେମାନେ ମଧ୍ୟ ବେଳେ ବେଳେ ବିଚଳିତ ହେଇଯାଆନ୍ତି । ଦୁହେଁ ଏକସଙ୍ଗେ ମନେ ମନେ ଭାବନ୍ତି, "ଇୟା ଠୁ ଭଲ ହେଇଥାନ୍ତା ଯଦି ଆମ ପୁଅ ଗାଁରେ ରହି ମୂର୍ତ୍ତି ଗଢିଥାନ୍ତା । ସେ କାମରେ ଆହୁରି ଫୁରସତ୍ ଅଛି । କିନ୍ତୁ ଡାକ୍ତର୍ ର ଜୀବନଟା ବଡ଼ କଷ୍ଟକର । ନା ସେ ନିଜ ପାଇଁ ଜୀଇ ପାରୁଛି ନା ପରିବାର ପାଇଁ । ତଥାପି ଲୋକଙ୍କର ଅଭିଯୋଗ ! ଆରେ ବାବୁ ଡାକ୍ତର ବି ଗୋଟେ ମଣିଷ, ସେ କିଛି ଚମତ୍କାରିତା ଜାଣିନି । କେଵଳ ସେ ପଢିଛି, ସାଧନା କରିଛି, ମାନବ ଶରୀର ଉପରେ ଗଭୀର ଗବେଷଣା କରିଛି । ନିଜ କୁ ଭୁଲି ରୋଗୀ କୁ ସମୟ ଦେଇଛି । ଦୟାକରି ତାକୁ ଭଗବାନ କହି ତା ପରିଶ୍ରମ, ତ୍ୟାଗ, ଅଧ୍ୟବସାୟ ଉପରେ ଉପହାସ କରନାହିଁ । "

ଚା' ରୁ ଢ଼ୋକ ଟେ ନେଉ ନେଉ ଅସୀମ ବାବୁ ପୁଅକୁ କହିଲେ -ବବ୍ଲୁ ସେ ବିଶ୍ଵକର୍ମା ମନେ ଅଛି ତୋର ? ସେଇ ଯେଉଁ ବାୟା କାରିଗର ଟା ମ ! ତା ପୁତୁରା ଫୋନ କରିଥିଲା ମୋତେ । ବିଶ୍ୱକର୍ମା ର କଣ ଗୋଟେ ହେଇଛି । ତାକୁ ନେଇ ଆସିବ କହୁଥିଲା ।

ବିଶ୍ଵକର୍ମା ଙ୍କ ନାଁ ଟା ହିଁ ଯଥେଷ୍ଟ ବବ୍ଲୁ କୁ ଅନ୍ୟମନସ୍କ କରିଦେବା ପାଇଁ । ସେ ହାତରେ ଧରିଥିବା ଚା'କପ ଟା ଟି ପୟ ଉପରେ ଟିକେ ଜୋରକରି ଥୋଇ ଦେଲା ।

--ବାପା, କଣ ହେଇଛି ତାଙ୍କର ?

--ମୁଁ ଜାଣିନି ଭଲକରି । ଶୁଣିଥିଲି ତା ଘରେ ନିଆଁ ଲାଗିଯାଇଥିଲା । ତା ବୃଦ୍ଧ ବାପମାଆ ଓ ବଡ଼ଭାଈ ଜିଅନ୍ତା ଦଗ୍ଧ ହେଇଗଲେ । ବିଶ୍ୱକର୍ମା ର ଭାଉଜ ଓ ପୁତୁରା ବାହାଘର ପାଇଁ ବନ୍ଧୁଘରକୁ ଯାଇଥିଲେ ବୋଲି ବଞ୍ଚିଗଲେ ସେ ଦୁହେଁ । ବିଶ୍ୱକର୍ମା ତ ସବୁଦିନ ତା ମୂର୍ତ୍ତି ମାନଙ୍କ ସହ ସେହି ବିଲ ମଝିର ଭଙ୍ଗା କୁଡ଼ିଆରେ ରୁହେ । ବିଚରା ଜାଣିପାରିଲାନି ତା ଘରେ ଏତେବଡ଼ ଅଘଟଣ ହେଇଯାଇଛି ।

--ବାପା, କେବେ ହେଲା ଏତେ ସବୁ ଦୁର୍ଘଟଣା ?

--ବର୍ଷେ ପାଖା ପାଖି ହେଲାଣି । ବଡ଼ ଦୁଃଖୀ ପରିବାର ଟେ ତାଙ୍କର । ବଡ଼ ଭାଈ ଟା ତ ତାଙ୍କର ମୂକ, ବଧିର ଥିଲା । ବିଶ୍ୱ ର ରୋଜଗାର ରେ ଯାହା କଷ୍ଟେ ମଷ୍ଟେ ଚଳନ୍ତି ସେମାନେ । ଏବେ ତା ପୁତୁରା ଇଟାଭାଟି କାମ କରି ଯାହା ଦୁଇପଇସା ଘରକୁ ଆଣୁଛି, ସେଇଥିରେ ଚଳୁଛନ୍ତି ।

--ସେ ତ ଈଶ୍ୱର ଗଢନ୍ତି, କିନ୍ତୁ ଈଶ୍ୱର କାହିଁକି ତାଙ୍କ ପାଇଁ, ତାଙ୍କ ପରିବାର ପାଇଁ ଏତେ ନିର୍ମମ ହେଲେ ବାପା?

--ସେଇ ଗଢିବାଟା ତ ତାଙ୍କ ବେଉସା । ଈଶ୍ୱର ଆଉ କଣ କରିବେ ? ଯାହାର ଯେତେବେଳେ ଯୋଉ ଯୋଗ ଥିବ ।

--ମୁଁ କିନ୍ତୁ ମାନି ପାରୁନି ବାପା । ଯିଏ ଈଶ୍ୱର ଙ୍କୁ ଆକାର, ପ୍ରକାର ଦେଉଛି, ଭକ୍ତ ର ହୃଦୟରେ ଜୀବନ୍ତ ମୂର୍ତ୍ତିଟିଏର ର ଛବି ସୃଷ୍ଟି କରିବା ପାଇଁ ଖୋରାକ ଯୋଗେଇ ଦେଉଛି, ସବୁ ଧାର୍ମିକ ଅନୁଷ୍ଠାନ ର ପ୍ରାଣ କେନ୍ଦ୍ର ସେହି ଭଗବାନ ଙ୍କୁ ମନ ପ୍ରାଣ ଢାଳି ନିଖୁଣ କରି ଗଢିତୋଳୁଛି, ତାକୁ ଯଦି ଈଶ୍ୱର ସହାୟ ହେଉନାହାଁନ୍ତି ଆଉ କାହାକୁ ହେବେ ତାହେଲେ ? ଈଶ୍ୱର ତାହେଲେ କାହାର? ତାଙ୍କ ପ୍ରତିକୃତି ନିର୍ମାତା ବିଶ୍ୱକର୍ମାଙ୍କ ପରି କାରିଗର ର ତ ଆଦୌ ନୁହଁନ୍ତି । ତେବେ ନିଶ୍ଚୟ ଯିଏ ହଜାର ହଜାର ଟଙ୍କା ଦେଇ ଈଶ୍ୱର ଙ୍କୁ ପଣ୍ୟ ଦ୍ରବ୍ୟ ପରି କିଣୁଛି ନତୁବା ଯିଏ ଲକ୍ଷ ଲକ୍ଷ ଟଙ୍କା ଈଶ୍ୱରଙ୍କୁ ଦାନ ଦେବାକୁ ସକ୍ଷମ ହେଇପାରୁଛି, ଈଶ୍ୱର କେଵଳ ସେହି ଆର୍ଥିକ ସ୍ୱଚ୍ଛଳ ମାନଙ୍କର ହେଇଥିବେ ।

ଅସୀମ ବାବୁ ଓ ବବ୍ଲୁ ସେଦିନ କଳାକାରଟି ବିଷୟରେ ଏତିକି ଆଲୋଚନା କରିଛନ୍ତି, ବବ୍ଲୁ ର ଫୋନ ଆସିଲା । ସେ ଉଠି ଚାଲିଗଲା ।

ନେକ୍ସ୍ଟ୍ ପେସେଣ୍ଟ୍ ର ନାଁ ଡକାହେଲାରୁ ଡାକ୍ତରବାବୁ ଯନ୍ତ୍ରବତ୍ ଦ୍ୱାର ଆଡ଼କୁ ଅନେଇ ଦେଲେ । ବୃଦ୍ଧବ୍ୟକ୍ତି ଜଣଙ୍କ ସମ୍ଭ୍ରମତାର ସହ ଧୀର ପାଦରେ ଭିତରକୁ ପଶି ଆସୁଥିଲା । ତାଙ୍କ ଶରୀର ରେ ଅନେକ ପରିବର୍ତ୍ତନ । ଲାଗୁଛି ଯେମିତି ମାଟିର ମୂର୍ତ୍ତିରୁ ମାଟି ଧୋଇଯାଇ ଖାଲି କୁଟା ଛଣର ଛାଞ୍ଚ ଟା ଠିଆ ହେଇଛି । ମୁହଁ ଟି ଆଗପରି ସେମିତି ଦାଢୀରେ ଭର୍ତ୍ତି । କିନ୍ତୁ ଗାଢ଼ କଳାରଙ୍ଗ ଟା ସମ୍ପୂର୍ଣ୍ଣ ସଫେଦ ହେଇଯାଇଛି ବୟସର ପବନ ବାଜି । ସେ ଆସି ଡାକ୍ତର ବାବୁଙ୍କ ପାଖ ଚୌକିରେ ବସିଲେ । ତାଙ୍କ ସେହି ଗଭୀର ଆଖିର ଚାହାଣୀ ଆଜିବି ପୂର୍ବପରି ସତେଜ । ବବ୍ଲୁ ବ୍ୟକ୍ତିଜଣଙ୍କୁ ଦେଖି, ତାଙ୍କ ଆଖି ଯୋଡିକ ଦେଖି ଭାବୁକ ହେଇଯାଉଛି । ସେ ଭୁଲି ଯାଉଛି ସେ ଏବେ ଡାକ୍ତର ଆଉ ତା ସାମ୍ନାରେ ବସିଥିବା ବୃଦ୍ଧ ଜଣଙ୍କ ତା ରୋଗୀ ।

--ସାର୍ ନମସ୍କାର ।

--ନାଁ ନାଁ କକା, ମୋତେ ସାର୍ ଡାକି ଲଜ୍ଜିତ କରନ୍ତୁନି ।

--ଆଜ୍ଞା ଆପଣ ତ ଆମ ଅଞ୍ଚଳର ଗର୍ବ ।

ଲୋକଜଣଙ୍କ କଥା କହୁ କହୁ ମୁହଁରେ ଗାମୁଛା ଦେଇ କାଶି ଉଠିଲେ ।

ବବ୍ଲୁ ତାଙ୍କୁ ପାଣି ଗ୍ଲାସ ଟା ବଢ଼େଇ ଦେଉ ଦେଉ କହିଲା, "କକା ଆପଣଙ୍କର ମନେ ଅଛି, ମୁଁ ଲୁଚି ଲୁଚି ଯାଇ ଆପଣଙ୍କ କୁଡ଼ିଆରେ ମୂର୍ତ୍ତି ତିଆରି ଦେଖୁଥିଲି ? ବାଃ କି ସୁନ୍ଦର ଆପଣଙ୍କ କାରିଗରୀ ! ମୁଁ ଅଭିଭୂତ ହେଇଯାଏ । ଆଉ କରୁଛନ୍ତି କି ନାହିଁ ?"

--ଇଚ୍ଛା ତ ଖୁବ । ମୃତ୍ୟୁ ଯାଏଁ ଗଢିବାକୁ ମନହୁଏ । କିନ୍ତୁ ଶରୀର ଆଉ ସାଥ୍ ଦେଉନି । ହାତ ବନ୍ଦ ହେଇଗଲାରୁ ମୋ ଜୀବନ ବି ସେଇଠି ଅଟକି ରହିଯାଇଛି ।

--ତାହେଲେ କଣ କେଵଳ ପୁତୁରା ର ରୋଜଗାର ରେ ଚଳୁଛନ୍ତି ?

--ନାଁ ନାଁ, ମୋତେ ଅଳ୍ପକିଛି କଳାକାର ଭତ୍ତା ମିଳୁଛି । ଚାଲିଛି ସେଇଥିରେ । ମୋର ଖର୍ଚ୍ଚ ବା କଣ ?

--ଆଉ ରହୁଛନ୍ତି କୋଉଠି ?

--ସେଇଠି, ଯୋଉଠି ମୋତେ ପିଲାବେଳୁ ଦେଖିଆସୁଛ । ସେ ସାମ୍ରାଜ୍ୟ ଛାଡ଼ି ମୁଁ ଆଉ ଯିବି କୁଆଡ଼େ ?

--କିନ୍ତୁ କକା, ସେଠି ତ ଆଉ କିଛି ମୂର୍ତ୍ତି ତିଆରି ହେଉନାହିଁ । ସେଠି କାହିଁକି ଏ ବୟସରେ ଏକା ଏକା ରହୁଛନ୍ତି ?

--ମୁଁ ସେ ଜାଗା ଛାଡ଼ି କୁଆଡ଼େ ଯାଇପାରିବିନି ବାବା । ସେଇଠି ମୋର କଳାକାର ଜୀବନର ସୃଷ୍ଟି, ସେଇଠି ମୋ କଳାର ସୃଷ୍ଟି ଆଉ ସେଇ ଜାଗା ବି ହେବ ମୋ ସ୍ମଶାନ । ଅବଶିଷ୍ଟ ଅଧାଗଢ଼ା, ବିକ୍ରି ପାଇଁ ଅଯୋଗ୍ୟ, ଭଙ୍ଗା ଦରଭଙ୍ଗା, ରଙ୍ଗଛଡ଼ା ଯେଉଁ ଈଶ୍ୱର,ଇଶ୍ଵରୀ ମାନେ ସେଠି ଅଛନ୍ତି ସେମାନେ ମୋର ଏକାନ୍ତ ନିଜର । ଅନ୍ତରଙ୍ଗ । ସେମାନଙ୍କୁ ଏକ୍ଲା ଛାଡ଼ି ମୁଁ କଣ ରହି ପାରିବି ? ସେମାନେ ବି ମୋର ସୃଷ୍ଟି । ମୋ ଜନ୍ମିତ ପିଲାପରି । ଏବେ କିଛି ଆଉ ତିଆରି ହେଉନାହିଁ । ମାଟିର ବଳକା କାରୁକାର୍ଯ୍ୟ ଯାହା କିଛି ସେଠି ଅଛି ମୋ ସହ ଦିନେ ମିଶିଯାଇ ସ୍ମଶାନ ଭୂଇଁ ହେଇଯିବ । ମୁଁ ଆଉ କେଉଁଠି କି ଯିବି କୁହ ? ମୁଁ ପରା ସେହି ସ୍ମଶାନର ସମ୍ରାଟ୍ ।

ବବ୍ଲୁ ଶୁଣୁଥିଲା । ଆଶ୍ଚର୍ଯ୍ୟ ହେଉଥିଲା । ଲାଗୁଥିଲା ତା ସାମ୍ନାରେ ଯେମିତି ସ୍ଵୟଂ ସୃଷ୍ଟିକର୍ତ୍ତା ବସିଛନ୍ତି ଆଉ ନିଜ ଅବଶିଷ୍ଟ ସୃଷ୍ଟି ର ବିଲୟ କାହାଣୀ ଶୁଣାଉଛନ୍ତି । ସେ ନିଜ କଥା ସାରିଦେଇଥିଲେ । ବବ୍ଲୁ କିନ୍ତୁ ଶୁଣିବା ସାରିପାରୁ ନଥିଲା । ମୋବାଇଲ ଟା ହଠାତ ଭାଇବ୍ରେଟ୍ ହେବାରୁ ବବ୍ଲୁ କଳାକାରଙ୍କ ସାମ୍ରାଜ୍ୟ ରୁ ନିଜକୁ ଫେରେଇ ଆଣିଲା ।

ବବ୍ଲୁ ଏଥର ଡାକ୍ତର ବବ୍ଲୁ ର ଚରିତ୍ର କୁ ଓଲ୍ହେଇ ଆସିଲା । ବିଶ୍ୱକର୍ମାଙ୍କ ଅଚଳ ବାମ ହାତ ଟା କୁ ଧରି ପରୀକ୍ଷା ନିରୀକ୍ଷା କଲା । ହଠାତ ତାକୁ ଲାଗିଲା ସେଇ ହାତଟା ରକ୍ତ, ମାଂସ ଓ ହାଡ଼ ର ଜୀବନ୍ତ ହାତଟେ ନୁହେଁ, ମାଟିରେ ଗଢ଼ା । ମାଟିରେ ତିଆରି ଏକଦମ ଜଡ଼ ହାତଟିଏ । ମୂର୍ତ୍ତି ରେ ମାଟି ଲେପୁ ଲେପୁ ଯେମିତି ତାଙ୍କ ହାତରେ ମାଟି ଚରିଯାଇଛି ! ଠିକ ସେମିତି । ତଥାପି ମାଟି ମଣିଷ ଟା ପାଇଁ ବବ୍ଲୁ ମେଡ଼ିସିନ ଲେଖିଲା । କେତେଟା ପରୀକ୍ଷା କରେଇନେବା ପାଇଁ ପରାମର୍ଶ ଦେଲା । ଦୁଇଦିନ ରହିବାକୁ ପଡ଼ିବ କହିଲା । ସେ ହାତ ଟା ଯେ ନିଶ୍ଚୟ ଠିକ ହେଇଯିବ ସେ ଆଶ୍ୱାସନା ବି ଦେଲା । ବିଶ୍ୱକର୍ମାଙ୍କ ପୁତୁରା କୁ ଡାକି ସବୁ ବୁଝେଇଦେଲା ।

ସଠିକ ଚିକିତ୍ସା ପାଇ ଦୁଇଦିନ ପରେ ବିଶ୍ୱକର୍ମା ଗାଁ କୁ ଫେରିଗଲେ । ଆଉ ଥରେ ପୁଣି ଆସିବାକୁ ହେବ ତାଙ୍କୁ । ଡାକ୍ତର ବାବୁଙ୍କ ସହ ଗଲା ବେଳେ ଆଉ ଦେଖା ହେଇପାରିନଥିଲା ।

ମାସେ ପରେ ବିଶ୍ୱକର୍ମାଙ୍କର ଆସିବାରେ ଥିଲା । ସେ ଆସିଲେନାହିଁ । ଫୋନ ବି ଆସିଲାନି । ବବ୍ଲୁ ଭାବିଲା ହାତଟା ତାଙ୍କର ଠିକ ହେଇଯାଇଛି ବୋଧେ । ସେ ଭୁଲି ଗଲା । ତା ବ୍ୟସ୍ତତା ତାକୁ ଭୁଲେଇ ଦେଲା ।

ମିନାକ୍ଷୀ ଜିଦି ଧରିଛନ୍ତି ଦୁର୍ଗାପୂଜା ପୂର୍ବରୁ ଏଥର ଗାଁକୁ ଯିବେ । ମହାଳୟା ଶ୍ରାଦ୍ଧରେ ଏଥର ଗାଁ ଘରେ ପିଣ୍ଡ ପକେଇବେ । ବବ୍ଲୁ ର ଶିଖା ସହ ବାହାଘର କଥା ସାହି ପଡ଼ିଶା ରେ ଜଣାଇବେ ଓ ଦୁର୍ଗା ଙ୍କ ପାଖରେ କରିଥିବା ମାନସିକ ବି ପୂରଣ କରିବେ । ବବ୍ଲୁ ମନା କରିପାରିଲାନି । ଅସୀମ ବାବୁ ଓ ମିନାକ୍ଷୀ ଦେବୀ ଆଗୁଆ ଗାଁକୁ ପଳେଇଆସିଲେ । ବବ୍ଲୁ ଦୁର୍ଗାପୂଜା ଦିନକେ ଆଗରୁ ଯାଇ ପହଞ୍ଚିବ କହିଲା ।

♦♦♦♦♦

ପୂର୍ବପରି ପୂଜା ପାଇଁ ଗାଁ ଉତ୍ସବ ମୂଖର ହେଇଉଠିଛି । ମଣ୍ଡପ ର ସାଜ୍ଜ ସଜ୍ଜା ରେ ଆଖି ଝଲସି ଉଠୁଛି । ବବ୍ଲୁ ହାତ ଯୋଡ଼ି, ଆଖି ବୁଜି ଦେବୀଙ୍କ ସମ୍ମୁଖରେ ଠିଆ ହେଲା । ପରବର୍ତ୍ତୀ ମୁହୂର୍ତ୍ତରେ ତାର ଚକ୍ଷୁ ଦୁଇ ଖୋଲିଯାଇ ଦେବୀଙ୍କ ମୁଖକାନ୍ତି ଉପରେ ନଜର ପଡନ୍ତେ, ବିସ୍ମୟରେ ତା ଆଖିର ଆକାର ଆହୁରି ବଡ଼ ବଡ଼ ଗଲା । "ଆରେ ଏ କଣ? ଦେବୀଙ୍କର ଏ କି ରୂପ !! ଏ ରୂପରେ କାହିଁ ସେ ପୂର୍ବର ମାଧୁର୍ଯ୍ୟ ? ",ବବ୍ଲୁ ଆଶ୍ଚର୍ଯ୍ୟ ରେ, ଦୁଃଖରେ କହିପକାଇଲା । ତାକୁ ଲାଗିଲା ଦେବୀ ଯେମିତି ମଣ୍ଡପରେ କାନ୍ଦ କାନ୍ଦ ମୁହଁ କରି ଦଣ୍ଡାୟମାନ ।

ପୂଜାରୀ ଙ୍କୁ ପଚାରିଲା, "ନନା ବିଶ୍ୱ କକାଙ୍କର ହାତ ବୋଧେ ଠିକ ହେଇଯାଇଥିବ ? ତାଙ୍କୁ କହିଲନି ମୂର୍ତ୍ତି ତିଆରି ପାଇଁ ? ମୂର୍ତ୍ତି ଆହୁରି ସୁନ୍ଦର ହେଇଥାନ୍ତା ଓ ସେ ବି କିଛି ପାରିଶ୍ରମିକ ପାଇଥାନ୍ତେ ।"

-- ଆପଣ କଣ ଜାଣନ୍ତିନି କି ? ବିଶ୍ୱକର୍ମା ପରା ମାସେ ପୂର୍ବରୁ ଚାଲିଗଲେଣି । ସେହି କୁଡ଼ିଆ ଘରେ ଏକାକୀ ଶୋଇଥିଲେ, ସକାଳ ଯାଇ ଦ୍ୱିପ୍ରହର ହେଲା ଉଠିଲେନାହିଁ । ସନ୍ଦେହ ରେ ତାଟି କବାଟ ଭାଙ୍ଗି ଦେଖିଲାରୁ ଲାଠି ହେଇଯାଇଛନ୍ତି ।

ବବ୍ଲୁ ବିଶ୍ୱାସ କରିପାରିଲା ନାହିଁ । ସେ ଦେବୀଙ୍କ କାନ୍ଦୁରା ମୁହଁ କୁ ଆଉ ଦେଖିବାକୁ ଇଚ୍ଛା ନକରି ଧାଇଁଲା ସ୍କୁଲ ପାଖ କଳାର ସେହି ଭଗ୍ନ ସାମ୍ରାଜ୍ୟ ଆଡକୁ । ବିଶ୍ୱଙ୍କ କୁଡ଼ିଆ ପାଖା ପାଖି ଷ୍ଟ୍ରିଟ୍ ଲାଇଟ୍ ଟେ ଜଳୁଥିଲା । ଦୂରରୁ କୁଡ଼ିଆଟା ପାଉଁସିଆ ରଙ୍ଗର ଏକ ବିରାଟ ଜଟାଧାରୀ ତପସ୍ୱୀ ର ଭ୍ରମ ସୃଷ୍ଟି କରୁଥିଲା । ସେ ଧଇଁ ସଇଁ ହେଇ ପାଖକୁ ଗଲା । ତାଟି କବାଟ ମୁକୁଳା ଥିଲା । କୁଡ଼ିଆ ବାହାରେ କଞ୍ଚା ମାଟି ଉପରେ ସଦ୍ୟ ରୋପିତ କଅଁଳ ବୃକ୍ଷ ଦୁଇଟା ମୁଣ୍ଡ ଟେକି ଉପରକୁ ଉଠୁଥିଲେ । ବବ୍ଲୁ ଭିତରକୁ ମୁହଁ ଗଳେଇ ଦେଖିଲା । ତଳେ ହାତ ଭଙ୍ଗା, ଗୋଡ଼ ଭଙ୍ଗା, ମୁଣ୍ଡ ବିହୀନ, ରଙ୍ଗ ବିହୀନ ଅନେକ ଗୁଡ଼ିଏ ମୂର୍ତ୍ତି ଗଡୁଥିଲେ । । ଲାଗୁଥିଲା ସମ୍ରାଟ ଙ୍କୁ ହରେଇ କଳାର ସାମ୍ରାଜ୍ୟ ଧ୍ୱସ୍ତ ବିଧ୍ଵସ୍ତ ହେଇଯାଇଛି ।

ବବ୍ଲୁ ମୂର୍ତ୍ତି ଗୁଡ଼ାଙ୍କର ପାଖକୁ ଗଲା । ଆଜି ପ୍ରଥମ ଥର ସେମାନଙ୍କୁ ସେ ପାଖରୁ ଦେଖୁଥିଲା । ସେ ମୂର୍ତ୍ତିମାନଙ୍କୁ ନିରୀକ୍ଷଣ କରି ଦେଖିଲାରୁ ତାଙ୍କ ଭିତରେ ସେ ସେହି ବିସ୍ମୟ କଳାକାରଙ୍କୁ ଦେଖିପାରିଲା । ସବୁ ମୂର୍ତ୍ତି ଙ୍କ ଆଖିରେ ବିଶ୍ୱକର୍ମାଙ୍କ ଚାହାଣୀ । ଚକ୍ଷୁମାନଙ୍କ ରେ ସେହି ସମାନ ଗଭୀରତା । ମୃତ ପ୍ରାୟ ଗଡୁଥିବା ମୂର୍ତ୍ତି ସବୁ ଜୀବିତ ହେଇଉଠୁଥିଲେ । ବବ୍ଲୁ ଭୟ ପାଇ ପୁଣି ଦୌଡିଲା । ଯେମିତି ପିଲାବେଳେ ବିଶ୍ୱକର୍ମାଙ୍କ ନଜର ତାଙ୍କ ଉପରେ ପଡ଼ିଗଲେ ସେ ଧାଇଁ ଦୌଡ଼ି ସେଠୁ ଚାଲି ଆସେ, ଠିକ ସେମିତି । ସେ ଦୌଡୁ ଥିଲା ଆଉ ବିଶ୍ୱକର୍ମାଙ୍କ ଚାହାଣୀର ସ୍ମୃତି ତା ପଛେ ପଛେ ଆସି ତାକୁ ସେହି ସାମ୍ରାଜ୍ୟକୁ ଭିଡ଼ି ନେବାକୁ ଚାହୁଁଥିଲା ।

ଝାଳରେ ଭିଜି, ଓଦା ଜଡ଼ସଡ଼ ହେଇ ବବ୍ଲୁ ଘରେ ପହଞ୍ଚିଲା । ବାପାମାଆ ବ୍ୟସ୍ତ ହେଇପଡ଼ିଥିଲେ । ମାଆ ତା ସ୍ୱେଦ ଶିକ୍ତ ଶୁଖିଲା କାନ୍ଦୁରା ମୁହଁକୁ ପୋଛୁ ପୋଛୁ ପଚାରିଲେ, "ମଣ୍ଡପ ପାଖରୁ ହଠାତ କୁଆଡ଼େ ପଳେଇଥିଲୁ ରେ ବାୟା ? "

"ମାଆ, ମୁଁ ସେହି ଅବଶିଷ୍ଟ ସୃଷ୍ଟି ର ଶ୍ମଶାନଟାକୁ ଦେଖିବାକୁ ଚାଲିଯାଇଥିଲି ",ବବ୍ଲୁ ଏତକ କହି ଦୀର୍ଘ ନିଶ୍ୱାସ ଟେ ଛାଡ଼ିଲା ଓ ଶାର୍ଟ୍ ର ବୋତାମ ଖୋଲୁ ଖୋଲୁ ଗାଧୁଆ ଘର ଭିତରକୁ ପଶିଗଲା ।

♦♦♦♦♦

ଲୋପାମମୁଦ୍ରା ମିଶ୍ର


Rate this content
Log in