Sulagna Mohanty

Tragedy Others


3  

Sulagna Mohanty

Tragedy Others


ପାଦ

ପାଦ

2 mins 7.5K 2 mins 7.5K

ଆମର ବୁଢ଼ାମେଳ ଭିତରେ ଖାଲି ଖୋକାବାବୁ ହିଁ ଥିଲେ ଯିଏ ଟୋକାମନ ନେଇ ରହିଥିଲେ। ହଁ, ନ ବି ରୁହନ୍ତେ ବା କିପରି!! ଯେତେବେଳେ ଆମେ ବୁଢ଼ାମାନେ ସବୁ ନିଜ ପୁଅବୋହୁଙ୍କ ନାଁ ରେ ଅଭିଯୋଗ ସବୁ ବାଢୁଥାଉ, କେବଳ ଖୋକାବାବୁ ହିଁ ନିଜ ପୁଅବୋହୁଙ୍କୁ ପ୍ରଶଂସାରେ ପୋତି ପକାନ୍ତି। ହଁ, ଏଥିରେ କଣ ବା ଆଶ୍ଚର୍ଯ୍ୟ ହେବାର ଅଛି!! ପଇସା ଅଛି। ପୁଅବୋହୂ ନାତିନାତୁଣୀରେ ଭରପୁର ଘର। ଖାଲି ଯାହା ହସଖୁସି ମଜାମଜଲିସ କରି ଶେଷଦିନଗୁଡା ଗଣିଦବା କଥା।

ଥରେ ଥରେ କିନ୍ତୁ ହିଂସା ହୁଏ ମତେ ତାଙ୍କର ସେ ମନଖୋଲା ହସ ଦେଖିଲେ!!! ଏମିତି ଠୋଠୋ ହସ କେତେଜଣ ଅବା ହସି ପାରନ୍ତି? କାହିଁକି ଜୀବନର ସବୁ ସୁଖ ଖାଲି ଗୋଟିଏ ଲୋକର ଭାଗ୍ୟରେ?? କାହିଁକି ଗୋଟିଏ ଲୋକ ସବୁବେଳେ ସୁଖୀ ଆଉ ଗୋଟିଏ ଲୋକ ସବୁବେଳେ ଦୁଃଖୀ?? କାହିଁକି ଜଣେ ରାଜା ଆଉ କାହିଁକି ଜଣେ ରଙ୍କ? କାହିଁକି ଜଣଙ୍କ ପାଖେ ଚକଚକିଆ ଜରିପୋଷାକ ଆଉ ଜଣଙ୍କ ପାଖରେ ଖାଲି ଚିରା ଲେଙ୍ଗୁଟି? ବହୁତ କିଛି ମନରେ ଆସେ। କିନ୍ତୁ ଯାହା ହେଲେ ବି ସେ ମୋ ବନ୍ଧୁ। ମୁଁ ନିଜ ମନକୁ ସମ୍ଭାଳି ନିଏ।

ଗତ ଦଶ ଦିନ ହେଲା ଖୋକାବାବୁର ଦେଖା ନଥିଲା। ଫୋନଟା ବି ତାଙ୍କର ବନ୍ଦ ଥିଲା। ଆମ ମନକୁ ପାପ ଛୁଉଁଥିଲା। ପାଚିଲା ଆମ୍ବ ଆମେ ସବୁ। କିଛି ଠିକ୍ ନାହିଁ କେତେବେଳେ କିଏ ଗଳି ପଡିବ!! ହେଲେ ଖୋଜିବୁ ଯଦି ଖୋକାବାବୁଙ୍କୁ କେମିତି ଖୋଜିବୁ??!! ଏଠି ତ ସମସ୍ତେ ମର୍ଣ୍ଣିଙ୍ଗୱାକରେ ହିଁ ଦେଖା। ସେଇଥିରୁ ହିଁ ସାଙ୍ଗ। ସେଇଥିରୁ ହିଁ ବନ୍ଧୁତା। କିଏ କାହାକୁ କେବେ ଡାକେନା କି କିଏ କେବେ କାହା ଘରକୁ ଯାଉନା। କାଇଁ କାହାଘରକୁ ଯାଇ ଶାନ୍ତିଭଙ୍ଗ। ବରଂ ଏଇ ଚା'ଦୋକାନଟି ସବୁଠୁ ଭଲ। ଯାହା ଖଟିଗପ ଗୁଲିଗମାତ ସବୁ ଏଇଠି।

ବହୁତ କଷ୍ଟରେ ବାବୁଲି ଚା'ଦୋକାନୀ ତା' ଲୋକ ଲଗେଇ ଖୋକାବାବୁଙ୍କ ଖବର ନେଲା। ତା'ଠାରୁ ଆମେ ଯାହା ଶୁଣିଲୁ ଆମ ପାଦତଳୁ ମାଟି ଖସିଗଲା। ସେ ଦେଇଥିବା ଘର ଠିକଣାରେ ପହଞ୍ଚିଲୁ। ଘରବୋଲି ଯେଉଁଠି ପହଞ୍ଚିଲୁ ସେଇଟା ତ' ନୁହେଁ ସେଇଟା ଥିଲା ବୃଦ୍ଧାଶ୍ରମଟିଏ। ଦଶଦିନ ତଳେ ଆରପାରିକୁ ଚାଲି ଯାଇଥିଲେ ଖୋକାବାବୁ। ଘରଦ୍ୱାର ବିକି ଯେଉଁ ପୁଅକୁ ପାଠ ପଢେଇଥିଲେ ସେଇପୁଅ ଆମେରିକା ଯିବାପୁର୍ବରୁ ତାଙ୍କୁ ସେଇ ବୃଦ୍ଧାଶ୍ରମରେ ରଖେଇଦେଇ ଯାଇଥିଲା। ଛ ମାସପରେ ଆସି ତାଙ୍କୁ ନେଇଯିବାର ପ୍ରତିଶୃତି ଦେଇ। ଛ ମାସଯାଇ ଛ ବର୍ଷ ବିତିଯାଇଥିଲା। ପୁଅର ଆଉ ଦେଖା ନଥିଲା। ଶେଷରେ ଦଶଦିନ ତଳେ ଖୋକାବାବୁ ଆରପାରିକୁ ଚାଲି ଯାଇଥିଲେ। ବିନା ପୁଅବୋହୂ, ବିନା ନାତିନାତୁଣୀ, ଆଉ ବିନା ବନ୍ଧୁବାନ୍ଧବରେ। ଲଜ୍ଜାରେ ଖୋକାବାବୁଙ୍କ ବ୍ୟକ୍ତିତ୍ୱ ଆଗରେ ମୋର ମଥା ନଇଁଗଲା। କେହି କାହାସାଙ୍ଗେ ଆଉ କଥା ହେଉନଥାନ୍ତି ସେଦିନ। ସମସ୍ତେ ଚୁପ୍।

ସେଦିନ ଭାରି ମନ ନେଇ ଘରକୁ ଫେରିଲାବେଳେ ଲାଗିଲା କିଏ ଜଣେ ମୋ ନାଁ ଧରି ଡାକିଲା। ବୁଲି ଦେଖିଲି। କେହି ନାହିଁ। ଘରମୁହାଁ ହେଇ ଚାଲିବାକୁ ଲାଗିଲି। ପୁଣି ମନେପଡ଼ିଗଲା ଖୋକାବାବୁ କଥା। କି ଲୋକଟିଏ ସେ ସତରେ! ଆଖି ଆଗରେ ତାଙ୍କ ମୁହଁଟି ଭାସିଗଲା। ଆଉ କାନରେ ବାଜିଗଲା ତାଙ୍କର ସେ ମନଖୋଲା ଠୋଠୋ ହସ ଆଉ ତାଙ୍କର ପଦୁଟିଏ କଥା, "ଦାସବାବୁ। ଆପଣଙ୍କ ପାଦରେ ଜୋତା ନାହିଁ ବୋଲି କାନ୍ଦୁଛନ୍ତି!! ଆପଣଙ୍କ ଚାରିଆଡକୁ ଚାହିଁଦେଖନ୍ତୁ। ଦେଖିବେ ବହୁତ ଲୋକଙ୍କର ପାଦ ହିଁ ନାହିଁ।"

ସୁଲଗ୍ନା ମହାନ୍ତି


Rate this content
Originality
Flow
Language
Cover Design