ବିବେକ
ବିବେକ
ସହରରେ ପିଲାଟିଏ ରୁହେ। ସେ ଯୁକ୍ତ ଦୁଇ ଦ୍ଵିତୀୟ ଶ୍ରେଣୀରେ ପଢେ। ତା ନାଁ ବିବେକ । ଦେଖିବାକୁ ଯେମିତି ଡଉଲ ଡାଉଲ ଚେହେରା, ବୁଦ୍ଧି -ବିବେକ -ବ୍ୟବହାର ମଧ୍ୟ ଖୁବ୍ ଚିତ୍ତାକର୍ଷକ ।ସେଥିଲାଗି ତା ବୋଉ ବୁଝି ବିଚାରି ନାମ ରଖିଛନ୍ତି ବିବେକ।
ପାଠ ପଢ଼ାରେ ବିବେକ ଖୁବ୍ ଆଗରେ । ଖବରକାଗଜ ପଢିବାରେ ଖୁବ୍ ରୁଚି ରଖେ ସେ । ଘରକୁ ଆସୁଥିବା ଖବର କାଗଜକୁ ମଧ୍ୟ ଯତ୍ନ କରି ସଜେଇ ରଖେ। ଖବରକାଗଜ ନଷ୍ଟ କରିବା ତ ଦୂରର କଥା, ଘରର କେହି ସଦସ୍ୟ ପୃଷ୍ଠାଟିଏ ମୋଡି ଦେଲେ, ବିବେକ ଠୁ ଟ୍ୟୁସନ୍ ନେବାକୁ ପଡେ ସେଦିନ ତାଙ୍କୁ ।
ଦିନେ ଖବରଟିଏ ପଢ଼ିବା ବେଳେ ବାରମ୍ବାର ସେ ଛି ଛି କହୁଥିଲା ତା ମନକୁ ମନ। ଖବରଟି ଥିଲା, ଦୁଷ୍କର୍ମର ଶିକାର ପାଳଟି ଜୀବନ ହରାଇଥିବା ଏକ ସାତ ବର୍ଷର ନିଷ୍ପାପ ଶିଶୁ କନ୍ୟାର । ବିବେକ ଆଖିରୁ ଝରିପଡୁଥାଏ ଧାର ଧାର ଲୁହ। ମନେମନେ ତିରସ୍କାର କରୁଥିଲା ପୁରୁଷ ସମାଜକୁ ,କାମାନ୍ଧ ପୁରୁଷ ମାନଙ୍କୁ ।ତା ମନକୁ କହୁଥିଲା ନାରୀ ଉପରେ ଅତ୍ୟାଚାର ଧ୍ୱଂସାଭିମୁଖୀ ମାନବ ସଭ୍ୟତାର ସୂଚନା । ଧ୍ଵଂସ ହୋଇଯାଉ ଏ ବିକୃତ ପ୍ରାୟ କାମନା ବାସନାର ସଂସାରଟା। ଗଢିଉଠୁ ନୂଆ ଏକ ମାନବ ସଭ୍ୟତା ।ଯାହା ଅସଭ୍ୟତା, ଅବିବେକତା, ଅମାନୁଷିକତା ଆଉ ପାଶବିକତା ଠାରୁ ଥିବ ବହୁ ଦୂରରେ ।ଆଖିରୁ ଧାର ଧାର ଲୁହ ଝରାଇ ଫାଡି ଚାଲିଥିଲା, ବିବେକ, ସେଦିନ ଖବର କାଗଜର ପୃଷ୍ଠା ପରେ ପୃଷ୍ଠା ନିଜ ହାତରେ। ସତେ ଯେମିତି ନିଜ ବିବେକର ନିର୍ଦ୍ଦେଶରେ, ବିବେକ, ସେଦିନ ଧ୍ଵଂସ କରିଦେବାକୁ ଚାହୁଁଥିଲା ଏ ପାଶବିକ କାମାନ୍ଧ ପୁରୁଷ ସମାଜକୁ ।
-ଗୁପ୍ତେଶ୍ଵର ନନ୍ଦ
ଶଙ୍କରା, ବିନିକା, ସୁବର୍ଣ୍ଣପୁର
9337885558