ସମୟ ବଳବାନ
ସମୟ ବଳବାନ
ବିଶାଳ ଶ୍ୱେନପକ୍ଷୀ ପରି ଏୟାର୍ ଇଣ୍ଡିଆର ସୁଦୃଶ୍ୟ ଯାହାଜ ଏ1473 ଦିଲ୍ଲୀ ବିମାନ ବନ୍ଦରରୁ ଉର୍ଦ୍ଧ୍ବମୁଖୀ ହେଲା।ତଳେ ରହିଗଲା ସଂଧ୍ୟା ଆଲୋକରେ ତାରକିତ ଦିଲ୍ଲୀ ସହରର ଅନୁପମ ସୌନ୍ଦର୍ଯ୍ୟ।ଝରକା ପାଖରେ ବସି ,ଆଲୋକ ଫୁଆରା/ ବର୍ଣ୍ଣାଳିରେ ବିଭୂଷିତା ରାଜଧାନୀର ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ମୋ ପାଟିରୁ ବାହାରି ପଡିଲା "ଆଃ ! ସତେତ ବିବାହ ବେଦୀରେ ସୁସଜ୍ଜିତା କନ୍ୟାଠାରୁ ଅଧିକ ସୁନ୍ଦର ଦେଖାଯାଉଛି ରାଜଧାନୀ ! ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ !"
ଚେକ୍ ଇନ୍ ଏବଂ ସିକ୍ୱୁରିଟି ଚେକ ସମୟରେ, ଲମ୍ବା ଲାଇନରେ ଠିଆହୋଇ ଭୋଗିଥିବା ଯନ୍ତ୍ରଣା,ଏ ଦୃଶ୍ୟ ଦେଖି ମନରୁ ଅପସରି ଯାଉଥିଲା।ତା ସହିତ ଭାବନାର ବଳୟ ଭିତରକୁ ପଶି ଆସୁଥିଲେ, ବିଗତ ଆଠଦିନର ସୁନ୍ଦର ସ୍ମୃତି;ଅକ୍ଷରଧାମ ପୀଠର ପବିତ୍ର ବାତାବରଣ,ତା'ର ସନାତନ ସଂସ୍କୃତି ସହିତ ବିଜଡିତ ନୌକା ବିହାର ,ସାଂଧ୍ୟକାଳୀନ 'ଲାଇଟ୍ ଓ ମ୍ୟୁଜିକ୍' କାର୍ଯ୍ଯକ୍ରମ,ଦିଲ୍ଲୀହାଟ ଭ୍ରମଣ ତଥା ଝିଆରୀର ବିବାହ ମହୋତ୍ସବ ଅବସରର ଅନେକ ମଧୁମୟ ସ୍ମୃତି।ସେ ସବୁ ରୋମନ୍ଥନ କରୁକରୁ ଆଖି ନଇଁ ଆସୁଥିଲା।ତନ୍ଦ୍ରା ଭାଙ୍ଗିଗଲା,ଯେତେବେଳେ ପରିଚାରିକାଙ୍କ ହାତରେ ଥିବା ରାତ୍ରୀ ଭୋଜନର ବାସ୍ନା ନାକରେ ବାଜିଲା।ଭୋଜନ ସମାପ୍ତି ପରେ ସ୍ନାୟୁମାନେ ଶିଥିଳ ହୋଇ ପଡୁଥିଲେ।
ଏକ ପ୍ରକାର ଅର୍ଦ୍ଧଶୁପ୍ତ ଅବସ୍ଥାରେ ଭୁବନେଶ୍ବର ମାଟି ଛୁଇଁବାର ପ୍ରତୀକ୍ଷିତ ଦୁଇଘଣ୍ଟା ସମୟ ବିତିବାକୁ ବସିଥିଲା;ଏହି ସମୟରେ ହେଲା ଏକ ପ୍ରବଳ ବିସ୍ଫୋରଣ---ମୋର ମସ୍ତିସ୍କରେ;ସ୍ନାୟୁମାନେ ସମସ୍ତେ ହଠାତ୍ ସଚେତନ ହୋଇ ଉଠିଲେ।ପିନ୍ଧିଥିବା ଜ୍ୟାକେଟ୍ ପକେଟରେ ଥିବା ପର୍ସଟି ହଜିଯାଇଥିଲା।ତା ଭିତରେ ଥିଲା ଦୁଇଟି ଡେବିଟ୍ କାର୍ଡ,ପ୍ୟାନ୍ କାର୍ଡ,ପାଞ୍ଚହଜାର ଟଙ୍କା ସହିତ ଅନ୍ୟାନ୍ୟ ଦରକାରୀ କାଗଜପତ୍ର।
ମୋର ବିକଳ ଅବସ୍ଥା ସହଜରେ ଅନୁମେୟ।ପାଖରେ ଥିବା ହାଣ୍ଡବ୍ୟାଗଟି ବିକଳ ହୋଇ ଦରାଣ୍ଡି ପକାଇଲି।ଜ୍ୟାକେଟ ଏବଂ ପ୍ୟାଣ୍ଟ, ସାର୍ଟର ପ୍ରତି ପକେଟ୍ ତନ୍ନତନ୍ନ କରି ଖୋଜିଲି।ନାଃ କେଉଁଠାରେ ନାହିଁ ପର୍ସଟି।ବସିଥିବା ସିଟ୍ ଏବଂ ପାଖରେ ବସିଥିବା ଶ୍ରୀମତୀଙ୍କ ସିଟ୍ ତନ୍ନତନ୍ନ କରି ଖୋଜିଲି।ସେ ମୋର ଅବସ୍ଥା ଦେଖି ,କଣ ହେଲା ବୋଲି ପଚାରିଲେ।କହିଲି "ପର୍ସଟି ବୋଧହୁଏ ସିକ୍ୱୁରିଟି ଚେକ୍ ସମୟରେ ଚୋରି ହୋଇଗଲା।"
ମନେ ମନେ ସିକ୍ୱୁରିଟି ଷ୍ଟାଫଙ୍କୁ ଅଜସ୍ର ଗାଳି ବର୍ଷଣ କଲି।ପୁଣି ଚିନ୍ତାକଲି,ପ୍ରାୟ ଶହେ ଥର ଏୟାର୍ ଟ୍ରାଭଲ କରିଥିଲେ ମଧ୍ୟ ଦେଶ ହେଉ ବା ବିଦେଶ ହେଉ,ସିକ୍ୱୁରିଟି ଷ୍ଟାଫଙ୍କର ସଚ୍ଚୋଟପଣିଆ କେବେହେଲେ ସନ୍ଦେହର ପରିସର ଭିତରକୁ ଆସିନାହିଁ ।ତେଣୁ ସେମାନଙ୍କୁ ଅଯଥା ସନ୍ଦେହ କରିବା ଅନୁଚିତ୍।ବୋଧହୁଏ ଏୟାର୍ ପୋର୍ଟ ଭିତରେ କେଉଁଠାରେ ପକେଟ୍ ମାର୍ ହେଇଗଲା।
ସମ୍ଭାବ୍ୟ ପରିଣତି ବିଷୟରେ ଚିନ୍ତା କଲି।ଡେବିଟ୍ କାର୍ଡର କଭର୍ ଉପରେ ପିନ୍ ନମ୍ବର ଲେଖିଛି ନା ନାଇଁ, ମନେ ପକାଇଲି।(ଏ ବଦଭ୍ୟାସଟି ମୋର ଆଗେ ଥିଲା)।
ଯଦି କୌଣସି ପ୍ରକାରେ ଚୋର ପିନ୍ କୋଡ୍ ପାଇଯିବ ତାହେଲେ ଆକାଉଣ୍ଟରେ ଥିବା ସବୁ ଟଙ୍କା ଆତ୍ମସାତ କରିଦେବ।ପାଖରେ ଟଙ୍କାଟିଏ ମଧ୍ୟ ନାହିଁ, ଏୟାର୍ପୋର୍ଟରୁ ଘରକୁ ଯିବାପାଇଁ ।
ସାଙ୍ଗରେ ସଢୁ ଥିଲେ।ଭାବିଲି ତାଙ୍କଠାରୁ ପାଞ୍ଚ ଶହ ଟଙ୍କା ଧାର କରି କାମ ଚଳାଇବି।କିନ୍ତୁ ମୋର ଆକାଉଣ୍ଟ ଯେବେ ଚୋର ଖାଲି କରିଦେବ,ତାହେଲେ କାଲିଠାରୁ ମୁଁ କପର୍ଦକଶୂନ୍ୟ ହୋଇଯିବି।ସକାଳୁ ଯାଇ ପ୍ରଥମକାମ ହେବ କାର୍ଡ୍ ଦୁଇଟିକୁ ବ୍ଳକ୍ କରିବା।
ପୁଣି ମନେ ପଡିଲା,ଆଧାର୍ କାର୍ଡ ଟି ମଧ୍ୟ ପର୍ସରେ ଥିଲା।ନୂଆ ଆଧାର କାର୍ଡ କରିବା ପାଇଁ ଯେଉଁ ଝାମେଲା ,ତାହା ମଧ୍ୟ ସାମନା କରିବା ପାଇଁ ପଡିବ।
ମସ୍ତିସ୍କରେ ମୋର ଶତ ବୃଶ୍ଚିକର ଦଂଶନ।ମୋର ଏ ଅବସ୍ଥା ଦେଖି ଶ୍ରୀମତୀଙ୍କର ମନ ମରିଗଲାଣି।ବିମାନ ଭୁବନେଶ୍ବର ଭୁଇଁ ଛୁଇଁଲା।ଶ୍ରୀମତୀ କହିଲେ " ତମେ ବସିଥିବା ସିଟ୍ ର ପଛପଟ ଟିକିଏ ଦେଖିନବା,କାଳେ ପଡିଥିବ।" ମୁଁ କହିଲି ,କଣ ଆଉ ଦେଖିବା,ପଡିଥିଲେ ପଛରେ ବସିଥିବା ଭଦ୍ରଲୋକଙ୍କର ଦୃଷ୍ଟି ତ ପଡିଥାନ୍ତା,ଛାଡ ଏୟାର ପୋର୍ଟରେ ଚୋରିହେବା ପର୍ସ ଏୟାର କ୍ରାଫ୍ଟରେ କୁଆଡୁ ମିଳିବ ?"
ତଥାପି ଶ୍ରୀମତୀଙ୍କର ମନ ମାନିଲା ନାହିଁ ।ପଛ ଧାଡିକୁ ଯାଇ ସିଟ୍ ତଳକୁ ଚାହିଁ ମତେ ଚମକାଇଦେଲେ "ହଁ ହେ ପଡିଚି।"
ସ୍ୱର୍ଗରୁ ଚାନ୍ଦ ମୋ ହାତରେ ପଡିଲାପରି ଲାଗିଲା।ସବୁ ଦୁଃଖ ମୋର ସୂର୍ଯ୍ୟ କିରଣ ସ୍ପର୍ଶରେ କୁହୁଡି ପରି ଉଭେଇ ଗଲା।
ତଥାପି ମନକୁ କେମିତି ଏକ ଶୂନ୍ୟତା କିଛି ସମୟ ପାଇଁ ଯାବୁଡି ଧରିଲା।ସମୁଦ୍ରରେ ,ପହଁରା ନଜାଣିଥିବା ,ବୁଡିଯାଉଥିବା ଯାତ୍ରୀକୁ ଉଦ୍ଧାର କଲେ ସେ ଯେପରି କୂଳରେ ହାଲିଆ ହୋଇ ପଡିଯାଏ ମୋର ଅବସ୍ଥା ସେହିପରି ଥିଲା।
ପର୍ସରେ ଥିବା ଟଙ୍କା ପାଇଁ ମୋର ଦୁଃଖ ନଥିଲା,ଥିଲା ସମ୍ଭାବିତ ସମସ୍ୟା ଗୁଡିକୁ ସାମନା ପାଇଁ ।ହୃଦୟଙ୍ଗମ ହେଲା ସମୟ କିପରି ବଳବାନ ! ଏକ ମୁହୁର୍ତ୍ତରେ ମସ୍ତିସ୍କର ସ୍ନାୟୁରେ ପ୍ରବଳ ବିସ୍ଫୋରଣ କରିପାରେ ତ ପର ମୁହୁର୍ତ୍ତରେ ଘଟଣା ଚକ୍ରର ପରିବର୍ତ୍ତନ କରି ମସ୍ତିସ୍କକୁ ଶାନ୍ତ ଓ ଆନନ୍ଦିତ କରିପାରେ ଏହି ସମୟ।ଯେତେ ବସ୍ତୁବାଦୀ ହେଲେ ମଧ୍ୟ ସମୟର ଏହି ଖେଳକୁ ମଣିଷ ସହଜରେ ବୁଝିପାରେନାହିଁ ।ଶ୍ରୀମତୀଙ୍କୁ ପଚାରିବାକୁ ବାକିଅଛି,କୌଣସି ଦେବଦେବୀଙ୍କୁ କିଛି ଯାଚିଛନ୍ତି ନା ନାହିଁ, ପର୍ସ ମିଳିଲେ ଲାଞ୍ଚ ଦେବାପାଇଁ ।