Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

3  

Amiya Bej

Others

ବାପା ଓ ଚକୋଲେଟ୍

ବାପା ଓ ଚକୋଲେଟ୍

2 mins
7.4K


 " ଚକୋଲେଟ୍ ପିଲାଙ୍କ ପାଇଁ କ୍ଷତିକାରକ "

ପ୍ରତ୍ୟେକ ଦିନ ଅଫିସରୁ ଫେରିବା ପରେ , ଫଟିକ୍ ମୋ ପ୍ୟାଣ୍ଟ ପକେଟରେ ହାତପୁରାଇ ଚକୋଲେଟଟି କାଢିନେବ ।

- ବେଶି ଚକୋଲେଟ୍ ଖା'ନା , ଦାନ୍ତ ପୋକ ଖାଇଯିବ ।

ମୁଁ କହୁଥିବି ।

ଆଉ ସୌମ୍ୟା ଏସବୁ ଦେଖି ମୁହଁମୋଡୁ ଥିବ । ଏସବୁ ହେଲା ଆମ ଘରର ଏକ ନିତିଦିନିଆ ଦୃଶ୍ୟ ।

★★★

ଆମେ ପାଞ୍ଚ ଭାଇଭଉଣୀ। ବାପା ହାଟବଜାର ସାରି ଫେରିବା ପରେ , ମା' ଦି'ଟାଯାକ ଭରା ବ୍ୟାଗରୁ , ନାନା କିସମର ପରିବା କାଢି , ଡଲାରେ ସଜାଇଲା ବେଳେ , ସେଠୁ ବାହାରେ , କେନ୍ଦୁ , ନାଲିପିଜୁଳି,ଚାରକୋଳି,ଖଣ୍ଡ ଆଖୁ , ଜରିଏ ଚିନାବାଦାମ , ବେଣୀଏ ମକା , ଏମିତି କେତେକଣ ।

ଆମ ଆଖି କିନ୍ତୁ ଥାଏ , ବାବାଙ୍କ ଲମ୍ବା କାମିଜର ସେ ରହସ୍ୟମୟ ବିଶାଳ ପକେଟ୍ ଉପରେ !

- ଓଃ! କି ଗରମ !

କହି ବାପା ଦେହରୁ କାଢି , କାନ୍ଥ କଣ୍ଟାରେ ଟାଙ୍ଗି ଦିଅନ୍ତି , ତାଙ୍କର ଏକମାତ୍ର ଝାଳୁଆ କାମିଜକୁ ! ଏଥର ବାପା ନିଶ୍ଚୟ ବାରିପଟକୁ ଚାଲିଯା'ନ୍ତି । ବଡନାନୀ ଧିରେଧିରେ ଟଙ୍ଗା କାମିଜ୍ ପାଖକୁ ଯାଇ , କାଢିଆଣେ ପୁଳାଏ ନାରଙ୍ଗୀ ରଙ୍ଗର 'ଲେମନଚୁସ୍' !!

ବାରିପଟୁ ବାପା ଗାଳି କରୁଥିବେ ମା'କୁ ।

- ଶଃ! ଏ ତୁଚ୍ଛା ଚିନିଗୁଡାକୁ ଖାଇ ଦେହ ବିଗାଡିବେ ସବୁ ।

★★★

'ଫଟିକ୍' ଥକିଯାଏ କାଡବୋରିଜ୍ ଖାଇଖାଇ । ଲାଳ ଜୁଡୁବୁଡୁ କଫିରଙ୍ଗର ଅଧାଖିଆ ଚକୋଲେଟଟିକୁ ମୋ'ଆଡକୁ ବଢାଇ କୁହେ

- ପାପା ! ୱନ୍ ବାଇଟ୍ ?

ମୋତେ ବି ଭଲଲାଗେ କାହିଁକି କେଜାଣି ତା' ମିଠା ଲାଳସବୁ ।

- ମାମା ! ୱନ୍ ବାଇଟ୍ ?

- ମୋ' କାମ ନାହିଁ !

ସୌମ୍ୟା ମୁହଁମୋଡେ ପୁଣି ।

★★★

ଅଫିସର ସେ ହଳଦୀ ରଙ୍ଗର ଝିଅଟିର ଆଜିଥିଲା ବା'ର୍ଡେ । ଅବଶ୍ୟ ତା'ର ଗୋଟେ ଭଲ ନାଁ ଅଛି । ବିୟତ୍ ପ୍ରଜ୍ଞା। ମୋ ଚାଳିଶିଆ ଆଖିରେ , କିନ୍ତୁ ସେ ହଳଦିଆ ଲାଗେ ଭାରି । ସୁନାଝିଅଟେ' । ମିନିଟିକରେ ଆପଣାଇ ନେଇ , ଅଧିକାର ମାଗି ବସେ ! କେ ନାହିଁ , ଯେ ତାକୁ ଭଲପାଏନାହିଁ ???

ସେ ଆଜି ବାଣ୍ଟୁଥିଲା ଚକୋଲେଟ୍। ଦେଲା ମୋତେ ବି ଗୋଟେ । ବଦଳରେ ଅଜସ୍ର ଆଶୀର୍ବାଦ ଢାଳିଲି ତା' ମୁଣ୍ଡରେ। ସେଥିରେ ଗୋଟେ ସୁନାରଙ୍ଗର ବର ତା'ପାଇଁ ବି ଥିଲା ।

ଏଥର ଚୋପା ଛଡାଇ , ଚକୋଲେଟ୍ ଖାଇବାର ବେଳ । ମନେ ପଡିଗଲେ ବାପା !

" ଶଃ! ଏ ତୁଚ୍ଛା ଚିନିଗୁଡାକୁ ଖାଇ ଦେହ ବିଗାଡିବେ ସବୁ । "

ସମସ୍ତଙ୍କ ଅଲକ୍ଷ୍ୟରେ ଅତି ସନ୍ତର୍ପଣରେ ଚକୋଲେଟଟିକୁ ପକେଟରେ ପୁରାଇ ରଖିଦେଲି !!!

ବାପାଙ୍କ ଆକଟ ପାଇଁ ନୁହେଁ । ବାପାମାନେ ତ ଏମିତି ଢେର୍ ଆକଟନ୍ତି ।

'ଫଟିକ୍' ପାଇଁ । ତା' ଲାଳ ନଲାଗିଲେ , ଚକୋଲେଟର ବାଇଟଟିକେ , କ'ଣ ପାଟିରେ ଦେଇହୁଏ ??????

■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■


Rate this content
Log in