Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Drama

5.0  

Chinmayee Barik

Drama

ଲେଡିଜ୍ ହଷ୍ଟେଲ୍..ରୁମ୍ ନଂ-501

ଲେଡିଜ୍ ହଷ୍ଟେଲ୍..ରୁମ୍ ନଂ-501

9 mins
7.5K


ରୁମ୍ ଭିତରେ ପାଞ୍ଚଟା ବେଡ୍ ।ବେଡ୍ ତଳେ ଆଟେଜ୍ ଓ ବେଗ୍ , ପାଖ ସେଲ୍ଫ୍ ରେ ନିଜ ନିଜର କିଛି ବହି ଆଉ କସ୍ ମେଟିକ୍ ଜିନିଷ, କବାଟ କଣରେ ଗୋଟେ ଝାଡୁ ଆଉ କିଛି ବାଲତି.. ମଗ୍,ସବୁ ବେଡ୍ ଉପରେ ଗୋଟିଏ ତାର.. ଯେଉଁଥିରେ ଝୁଲୁଥାଏ କିଛି ପାଲଟା ଲୁଗା ,ଖଟ ଖୁରା ପାଖରେ ପାଣି ବୋତଲ ,ତକିଆ ପାଖରେ ମୋବାଇଲ୍ ଆଉ ଚାର୍ଜର ।

ପାଞ୍ଚ ଜଣ ମଣିଷ ସେଠି ।ଝିଲି,ସାସା,ଇନା,ଚିଚି,ସିନ୍ଥଲ୍ ।

ରାତିରେ କେବଳ ଏମାନେ ପାଞ୍ଚ ହୋଇ ରୁହନ୍ତି ।ଦିନସାରା ରୁମ୍ ରେ ମଣିଷ ସଂଖ୍ୟା ବଦଳୁ ଥାଏ ।

ହଷ୍ଟେଲ୍ ସାରା ଝିଅ କେତେବେଳେ କୁଆଡେ ଯାଆନ୍ତି ଜଣା ନାହିଁ ଯଦିଓ ମୁଖ୍ୟ ଉଦ୍ଧେଶ୍ୟ ପାଠ ପଢାଥାଏ ।ସବୁ ରବିବାର ସକାଳ ଓଳି ମିଟିଂ ବସେ ।ସବୁ ଝଗଡାର ସମାଧାନ ହୁଏ ।କିଏ ବାଥରୁମରେ ଅସନା ପ୍ୟାଡ୍ ପକାଉଛି,କିଏ ପିଆଜ ଚୋରି କରି ନିଜ ରୁମରେ ରଖୁଛି,କିଏ ଡେରୀ ରାତିରେ ଫେରୁଛି,କିଏ ମାର୍କେଟିଂରେ ପଇସା ମାରି ଖାଉଛି ଇତ୍ୟାଦି ଇତ୍ୟାଦି ।

ହଷ୍ଟେଲରେ ରାତିଟା ଦିନ ପରି ଲାଗେ ।ରାତି ସାରା ଫୋନ୍ ଧରି କିଏ ରୋଷେଇ ଘରେ,କିଏ ବାଲ୍ କୋନିରେ,କିଏ ନିଜ ଖଟ ଉପରେ ବସି ଗପୁ ଥାଆନ୍ତି ।ଭୋକ ଲାଗିଲେ ପାଖରେ ବିସ୍କୁଟ,ମିକ୍ସଚର ଆଉ ପାଣି ଥାଏ ।ସେତେକ ପାଟିରେ ପକେଇ ପୁଣି ଗପ ଚାଲେ ଫୋନ୍ ରେ ।

ଏ ସବୁ ସତ୍ତ୍ୱେ ବି ହଷ୍ଟେଲ ଜୀବନ ଭାରୀ ନିଆରା ।

------***********------------------****************----------

"ଝିଲି" ଦମଦାର୍ ଝିଅ ।ନିଜ ଇଛାରେ ବଞ୍ଚେ ।ହାତ କଟା ଗେଞି ଆଉ ଗାମୁଛାରେ ତାର ଦିନ ଯାଏ ହଷ୍ଟେଲ୍ ରେ ।ରାତି ହେଲେ ସେତକ ବି ଖୋଲି ଫିଙ୍ଗିଦିଏ ଟଙ୍ଗା ହୋଇଥିବା ତାର ଉପରକୁ ।ସ୍ୱଳ୍ପ ଅନ୍ତ୍ରବସ୍ତ୍ରରେ ସେ ଶୁଏ ।ଅନେକ ବନ୍ଧୁ ତାର ।ତା ଲାଗି ସବୁ ଦିନ ଅଲଗା ପିଲା ଆଉ ଅଲଗା ବାଇକ୍ ସବୁ ଆସେ ।ସମସ୍ତେ କୌତୁହଳରେ ଦେଖନ୍ତି ସେମାନଙ୍କୁ ବାଲକୋନୀରୁ ବେକ ଶଷ୍ଢା ଟେକି ।କିଏ କିଏ ଈର୍ଷାରେ ଜଳି ତାକୁ ଖରାପ କୁହନ୍ତି ।କାହା କଥାରେ ଫରକ୍ ପଡେନି ତାକୁ ।ବୀର ଦର୍ପରେ ବାହାରି ଯାଏ ।ଫେରିଲା ବେଳକୁ ଗୋଛାଏ ଚୋକଲେଟ୍ ଆଉ ଗିଫ୍ଟ ନେଇ ଫେରେ ।ସେ ସବୁକୁ ବାଣ୍ଟି ଦିଏ ସବୁ ଝିଅଙ୍କୁ ।ରାତି ଅଧରେ ଯଦି କାହାରକିଛି ଅସୁବିଧା ହୁଏ କାନ୍ଧରେ ପକେଇ ସେ ହସ୍ପିଟାଲକୁ ନେଇ ଯିବାର ସାହାସ ରଖେ ।ବାଲକୋନିରୁ ଡେଇଁ ନାଇଟ୍ ଶୋ ପିକଚର୍ ଦେଖିବାର ରେକର୍ଡ ବି ଅଛି ତାର ।ଖୋଲା ହୃଦୟର ଝିଅଟେ ।ସେଥିଲାଗି ସମସ୍ତଙ୍କର ପ୍ରିୟ ।ହେଲେ ନିଜର ଜିଦ୍ ରଖିବାକୁ ବାପକୁ ବି ମଉସା ଡାକି ପାରେ ।

"ଇନା"ସବୁ ବେଳେ ସବୁ କଥାରେ କୁଁ କୁଁ ହୁଏ ।ଥଣ୍ଡା ହେବ ବୋଲି ସପ୍ତାହରେ ଥରେ ଗାଧୋଏ ।ବାହାରକୁ ଗଲେ ବୋଝାଏ ସେଣ୍ଟ ମାରି ବାହାରି ଯାଏ ।ଗୋରା ତକ୍ ତକ୍ ଝିଅଟେ ବୋଲି ତା ପଛରେ ଅନେକ ପ୍ରେମିକ ।ତା ଅଗାଧୁଆ ପଣ ମୋଟେ ବାରି ହୁଏନି ।ଭଲ ମଡର୍ଣ ଡ୍ୟାନ୍ସ କରେ ।ଗୀତ ବି ଗାଏ ।ଗେହ୍ଲେଇ ହୋଇ କଥା ହୁଏ ।ବୋକା ଙ୍କ ଭଳି ଅନାଏ ।ପଡିଶା ଘର କଙ୍ଗାରୁ ଭଳି ଟୋକାଟା ପ୍ରତି ତାର ଆକର୍ଷଣ ଖୁବ୍ ।ଏତେ ସୁନ୍ଦର ପିଲାଙ୍କୁ ଛାଡି ସେ ବିବାହିତ କଙ୍ଗାରୁ ଟୋକା ପଛରେ ଏତେ ଦିୱାନା କାହିଁକି କେହି ବୁଝି ପାରନ୍ତିନି ।ଖଟ ତଳେ କୋଲଡ୍ ଡ୍ରିଙ୍କସ୍ ବୋତଲରେ ସେ ହ୍ୱିସ୍କି ପୁରାଇ ରଖିଥାଏ ।ସେଥିରୁ ଢୋକେ ନ ପିଇଲେ ତାକୁ ନିଦ ହୁଏନି ।

" ସିନ୍ଥଲ"ତା ନାଁ କୁ ନେଇ ଭାରୀ ଗର୍ବ କରେ ।କୁହେ ଏହା ଗୋଟେ ୟୁନିକ୍ ନେମ୍ ।ବାଗ ଗଢଣ ପୁରୁଷ ପରି ।ସବୁ ଚୁଟିକୁ ଗୋଛାଇ ମୁଣ୍ଡରେ ପଛପଟେ ଗୋଟେ ଜଟ କରିଥିବ ।ହାତରେ ଗୋଟେ ବଳା ।ଜିନ୍ସ ପ୍ୟାଣ୍ଟ ଆଉ ଟି ସାର୍ଟ ଛଡା ଆଉ କେଉଁ ପୋଷାକ ପିନ୍ଧେନା ।ଝରକା ଦେଇ ହାଇ ୱେ କୁ ଅନାଇ ଥାଏ ଅଧିକାଂଶ ସମୟ ।ଗୁଣୁ ଗୁଣୁ ହୋଇ ଗୀତ ଗାଏ ପୁଣି ନିଜେ ନିଜେ ହସେ ।ପଚାରିଲେ ରାଗି ଯାଏ ।ତା ସାଙ୍ଗ ଦେବାଶିଷ ଆଉ କୋଉ ଝିଅ ସହ କଥା ହେଲେ ସହି ପାରେନି ।ହେଲେ ସେ ନିଜେ ପ୍ରେମ ବି କରେନି ।ଜିମ୍ ଯାଉଥିବା ପୁଅ ତାକୁ ପସନ୍ଦ ।ହେଲେ ଦେବାଶିଷ ଯେମିତି ଆଉ କେଉଁ ଝିଅଙ୍କ ସହ କଥା ନ ହେବା ଦରକାର ।ଯେଉଁ ଦିନ ଦେଖିଲା ଏମିତି କିଛି ତେବେ ସେ ରାତିରେ ହାଉ ହାଉ ହୋଇ କାନ୍ଦି ଆଉ କାହାକୁ ଶୁଆଇ ଦେବନି ।

"ସାସା"ସବୁ ବେଳେ ଚୁପ୍ ଚାପ୍ ।ଶୁଣାଯାଏ ତା ବାପା, ତା ମା କୁ ଡିଭୋର୍ସ ଦେଇଛନ୍ତି ।ସେ ସବୁବେଳେ ଫୋନ୍ ରେ କାହାସହ କଥା ହୁଏ କେହି ଜାଣନ୍ତିନି ।ଗୋଟେ ଓକିଲ ଆସେ ତାକୁ ଦେଖା କରିବାକୁ ।ଅନ୍ୟମାନଙ୍କ ଅପେକ୍ଷା ସେ ଅଧିକ ପଢେ ।ତାର ଗୋଟେ ବୟ ଫ୍ରେଣ୍ଡ ଅଛି ବୋଲି ରିମ୍ୟୁର ଅଛି ।ସେ କାଳେ ଗୋଟେ ବଡ ବିଜନେସ୍ ମ୍ୟାନ୍ ହେଲେ ସେ ପିଲାଟି କାଳେ ଖୀର୍ଷ୍ଟିୟାନ୍ ।ଥରେ କଣ ହେଲା କେଜାଣି ସୁଇସାଇଡ୍ କରିବାକୁ ଚେଷ୍ଟା କରିଥିଲା ।ହେଲେ ଏହା ପଛର କାରଣ କାହାକୁ ଜଣା ନ ଥିଲା ।

"ଚିଚି"ନିପଟ ମଫସଲରୁ ଆସିଛି ।ଭାରୀ ଠାକୁର ଭକ୍ତ ।ରାତି ଚାରିଟାରୁ ଉଠି ଗାଧୋଇ ସେ ଗୀତା ପଢିବା ଆରମ୍ଭ କରି ଦିଏ ।ସେ କଣ ଖାଇବ ଏକଥା ବି ସେ ଘରକୁ ପଚାରି ବୁଝେ ତା" ମା "ଙ୍କଠୁ ।ପ୍ରେମର ଘୋର ବିରୋଧୀ ସେ ।ତଳକୁ ମୁହଁ ପୋତି କଲେଜ ଯାଏ ଆଉ ଫେରେ ବି ।ତା ବାପାଙ୍କ ଛଡା ଦ୍ୱିତୀୟ ପୁରୁଷ ଆଉ କେହି ଆସନ୍ତିନି ତା ପାଖକୁ ।ଭଲ ଚା କରି ଜାଣେ ।ନିଜ ହାତରେ ଚା କରି ଅନ୍ୟକୁ ପିଆଇବା ତାର ଭାରୀ ସଉକ ।ପୁରୁଣା ଓଡିଆଗୀତ ତାର ପସନ୍ଦ ।କଣେଇ କଣେଇ ହସେ ।ପାଉଁଜ ରେ ଗୋଛାଏ ଘୁଙ୍ଗୁର ଲଗାଇଚାଲେ ସେ ।ସେଥିଲାଗି ସମସ୍ତେ ତାକୁ ଝୁମୁରୀ ଡାକନ୍ତି ।

----''********----*********----''''---'*************----'''''''''''''

ଲେଡିଜ୍ ହଷ୍ଟେଲ୍ ରୁମ୍ ନଂ 501ରୁ ଦିନେ ଗୋଟେ ଅଘଟଣ ଘଟିଲା ।"ଚିଚି"ପ୍ରେଗନେଣ୍ଟ ।ହାଲ୍ଲା ହୋଇଗଲା ଚାରିଆଡେ ।"ଚିଚି"କୁ ପଚରା ଗଲା ।ଯେତେ ପଚାରିଲେ ବି ସେ ଚୁପ୍ ରହିଲା ।ସେ ଏ ବିଷୟରେ କିଛି ଜାଣେନି କହିଲା ।ଗର୍ଭବତୀ କେମିତି ହେଲା ବୋଲି ନିଜେ ଆଶ୍ଚର୍ଯ୍ୟ ହେଉ ଥିଲା ।ହଷ୍ଟେଲ୍ ର ଦରୱାନ କହୁଥିଲା କିଛି ଦିନ ହେଲା ସେ ଦେଖେ ରାତି ଅଧରେ ଗୋଟେ ଲମ୍ବା ଛାଇ 501 ରୁମ୍ କୁ ଲାଗିଥିବା ବାଲକୋନିକୁ ଆସେ ।ଚୋର ବୋଲି ଭାବି ଅନେକ ଥର ତାକୁ ପିଛା କରିଛି ହେଲେ ବାଲକୋନି ପାଖରେ ସେ ଉଭେଇ ଯାଏ ।ବୋଧ୍ ହୁଏ ସେ ଗୋଟିଏ "ଭୂତ"....

ଅନେକ ଖାନ ତଲାସି କରାଗଲା ।କୁକୁର,ପୋଲିସ୍ ଆସିଲେ ..କିଛି ମିଳିଲାନି...

କିନ୍ତୁ ସମସ୍ତେ କହୁଥିଲେ "ଚିଚି"ପ୍ରେଗନେଣ୍ଟ..

ତେବେ "ଚିଚି "ପେଟରେ କଣ ବଢୁଛି ଗୋଟେ ଭୂତ ଛୁଆ??????

ରୁମ୍ ନଂ 501 ରେ ସବୁଦିନ ଲାଗି ଗୋଟିଏ ତାଲା ଲଗାଇ ଦିଆଗଲା....

ସମସ୍ତଙ୍କ ପାଖରେ ସେଇ ଗୋଟିଏ ଇନଭାଇଟେସନ କାର୍ଡ ପହଞ୍ଚିଛି, ଗେଟ୍ ଟୁଗେଦର୍ ସେରିମୋନି

ର ।ଜୁନ୍ ଆଠ୍ ରେ ଫିକ୍ସ ।

ପାଞ୍ଚ ବର୍ଷ ପରେ ପାଞ୍ଚ ବନ୍ଧୁ ଏକା ସାଥିରେ ବସିଛନ୍ତି ଗୋଟିଏ ଟେବୁଲ ପାଖରେ ।ସମସ୍ତେ କୌତୁହଳ ସମସ୍ତଙ୍କ ବିଷୟରେ ଜାଣିବାକୁ ।

---------------*******-------------**********-----'--------

(ସମସ୍ତେ ନିଜ ନିଜ ବିଷୟରେ ଯାହା କହିଲେ ସଂକ୍ଷେପରେ ଏଇଆ ଥିଲା.....)

"ଝିଲି"ଆଗଭଳି ବେପରୁଆ ଢଙ୍ଗରେ ଜିଇଁଛି ।ଗେଞି ଆଉ ଗାମୁଛା ବଦଳରେ ସେ ଏବେ ଘରେ ମେକ୍ସିରେ କାମ ଚଳାଉଛି ।ଏକା ରୁହେ ସେ ।ତା ପୁଅ ଓ ସ୍ୱାମୀ ତାଙ୍କ ଦ୍ୱିତୀୟ ସ୍ତ୍ରୀ "ରିମା" ପାଖରେ ରୁହନ୍ତି ।ବେଳେ ବେଳେ ଝିଲି ପାଖକୁ ଆସନ୍ତି ।ଯେଉଁ ଦିନ ଝିଲି ଜାଣିଲା ତା ସ୍ୱାମୀ "ରିମା"ର ପ୍ରେମରେ ପଡିଛନ୍ତି ,ତା ପରେ ସେ ନିଜେ ହିଁ ବିବାହ କରାଇ ଦେଲା ଦୁଇ ଜଣଙ୍କର ।କାରଣ ସେ ନିଜେ ଏତେ ଦାୟିତ୍ୱ ନେଇ ପାରିବନି ।ସେମାନଙ୍କ ସହ ଏକାଠି ରହିଲେ ଅଘଟଣ ସୃଷ୍ଟି ହେବ ବୋଲି ସେ ନିଜେ ଏକା ରହିବାକୁ ମନସ୍ଥ କରିଛି ।ତା ସ୍ୱାମୀ ଆଉ ରିମା ତାକୁ ଖୁବ୍ ସମ୍ମାନ କରନ୍ତି ।ସବୁ ଭଲ ମନ୍ଦ ବୁଝନ୍ତି ।ତାକୁ କେହି ଘୃଣା କରିବା ଆଗରୁ ସେ ନିଜ ଲାଗି ସମ୍ମାନର ଗୋଟିଏ ଜାଗା ତିଆରି କରି ନେଇଛି ।ସ୍ୱାମୀଙ୍କ ବିଜନେସ୍ ସେ ବୁଝେ ବସି ବସି ।କାରଣ ତା ବାଁ ଗୋଡର ଆଣ୍ଠୁ ତଳୁ ତାର ଗୋଡ କଟି ଯାଇଛି ଗୋଟେ ଏକ୍ସିଡେଣ୍ଟରେ ।ହେଲେ ଏବେ ବି ତାର ସେଇ ବିନ୍ଦାସ୍ ଚାହାଁଣୀ..ଆଖିରେ ଦୁଷ୍ଟାମୀ ।ହସି ହସି କହିଲା ...ଏବେ ବି ତାର ଅନେକ ପୁରୁଷ ବନ୍ଧୁ ।ବାଲକୋନି ଡେଇଁ ସିନା ଯାଇ ପାରିବନି ହେଲେ ଏବେ ସବୁ ମୋବାଇଲ୍ ର ଚାର୍ଟ ବକ୍ସ ଭିତରେ ।

"ଇନା" ସେ "କଙ୍ଗାରୁ" କୁଛାଡି ଗୋଟେ "ବାଘ" କୁ ବାହା ହୋଇଛି ।ଛଅ ଫୁଟ୍ ଆଠ ଇଞ୍ଚର ଜଣେ ଅଙ୍ଗ୍ଲୋ ଇଣ୍ଡିଆନ୍ କୁ ବାହା ହୋଇ ଆମେରିକାରେ ସେଟଲ୍ ହୋଇଛି ।ଗୋଟିଏ ପୁଅ ।ଏବେ ସେ ମୋଟେ ନ ଗାଧୋଇଲେ ବି ତାକୁ କେହି କିଛି କୁହନ୍ତିନି ।ଏବେ ବି ସେଣ୍ଟ ଲଗାଏ,ଗୀତ ଗାଏ,ନାଚେ ।କ୍ଲବ ଏଟେଣ୍ଡ କରେ ।ହଜବେଣ୍ଡ ୱାଇଫ୍ ମିଶିକି ଡ୍ରିଙ୍କ୍ କରନ୍ତି ।କୋଲ୍ଡ ଡ୍ରିଙ୍କ୍ସ ବୋତଲ୍ ର ଆବଶ୍ୟକତା ଆଉ ନାହିଁ।

"ସିନ୍ଥଲ"ଆଉ ଅଣ୍ଡିଆ ହୋଇ ନାହିଁ ।ପିଠି ଯାଏଁ ଚୁଟି ବଢି ଯାଇଛି ।ମଥାରେ ସିନ୍ଦୂର,ଆଖିରେ କଳା ଆଉ ଓଠରେ ସେକ୍ସି ହସ ।ଦେଖିଲେ ଜାଣି ହେବନି ଏ ସେଇ ପୁରୁଷ କାଟର ଝିଅ ବୋଲି ।ଜିମ୍ କୁ ଯାଉଥିବା ପୁରୁଷ ତାକୁ ଭଲ ଲାଗୁଥିଲେ ବି ସେ ତା ନହ ନହକା ସାଙ୍ଗ ଦେବାଶିଷକୁ ବାହା ହୋଇଛି ।ଦୁଇଟି ଯାଆଁଳା ଝିଅର ମା'ଏବେ ସେ ।ଘରର ସବୁ ଦାୟିତ୍ୱ ତାର ..ଚଟି ସିଲେଇଠୁ ଚଣ୍ଡି ପାଠ ଯାଏଁ ।ସେକ୍ସି ହସ ତଳେ ତା ଓଠରେ ଗୋଟିଏ ବେଦନା ଲୁଚି ରୁହେ ।ଟିକେ ସ୍ୱାଧୀନରେ ବଞ୍ଚିବାକୁ ଡହଳ ବିକଳ ହୁଏ ।ଦେବାଶିଷର କଠୋର ଶାସନ ଆଗରେ ସେ ମୋଡି ମାଡି ହୋଇ ରୁହେ ।ରାତିରେ ଅଇଁଠା ଖାଦ୍ୟ ପକାଇବାକୁ ଯାଇ ବାଲକୋନିରେ କୁକୁର ମାନଙ୍କୁ ଦେଖେ ।ଭାବେ... ହୁଏତ ସେ କୁକୁର ହୋଇ ଥାଆନ୍ତା କି?ଅନ୍ତତଃ ନିଜ ସ୍ୱଧୀନରେ ଟିକେ ଭୋ ଭୋ ହୋଇ ଭୁକି ପାରି ଥାଆନ୍ତା ।ବାଥରୁମ୍ ର ଟ୍ୟାବ୍ ଖୋଲି ଅନେକ ବେଲ ଯାଏଁ କାନ୍ଦେ ।

"ସାସା" ଏବେ ଆଉ ଏତେ ଚୁପ୍ ଚାପ୍ ରୁହେନି ।ଅନେକ ସାହାସ ଜୁଟାଇ ସେ ନିଜ ମା"କୁ ଅନ୍ୟ ଠାରେ ବିବାହ କରି ଦେଇଛି ।ନୂଆ ବାପାକୁ ବାପା ନ ଡାକି ଅଙ୍କଲ୍ ଡାକେ ।ଏ ଯାଏଁ ସାସା ବାହା ହୋଇନି ।ଭଲ ପାଉଥିବା ବଡ ବିଜନେସ ମ୍ୟାନ ଖ୍ରୀଷ୍ଟିୟାନ ପିଲାଟି ସହ ଲିଭ୍ ଇନ୍ ଟୁଗେଦର ରିଲେସନ ସିପ୍ ରେ ଅଛି ।ସାସା ନିଜେ ଗୋଟେ ଅନାଥ ଆଶ୍ରମ କରିଛି।ସାସା ଆଉ ତା ବୟ ଫ୍ରେଣ୍ଡ ଭିତରେ ଖୁବ୍ ଭଲ ଅଣ୍ଡରଷ୍ଟାଣ୍ଡିଂ ଅଛି ।ଦୁହେଁ ମିଶି ଅନାଥ ପିଲାଙ୍କ ଲାଗି ଅନେକ ପ୍ରୋଜେକ୍ଟ ତିଆରି କରନ୍ତି ।ଏକା ସାଙ୍ଗେ ରୁହନ୍ତି...ପରସ୍ପରକୁ ବୁଝନ୍ତି ।ବାହାଘରକୁ ଏକ ସାମାଜିକ ବନ୍ଧନ ବୋଲି ଭାବନ୍ତି ।

------*******------*******

ଏବେ ସମସ୍ତଙ୍କର ଲକ୍ଷ୍ୟଥିଲା "ଚିଚି" ଆଡେ ।"ଚିଚି"ସବୁ ଦିନ ପରି ଆଜି ବି ଚୁପ୍ ଚାପ୍ ଆଉ ନୀରିହ ଲାଗୁଥିଲା ।ସମସ୍ତଙ୍କର ଉତ୍କଣ୍ଠା ଥିଲା ଚିଚି ମୁହଁରୁ କିଛି ଶୁଣିବାକୁ ।ଲାଗୁଥିଲା ଚିଚି ଏବେ ବି ଯେମିତି ପେଟ ଫୁଲେଇ ବସିଛି ...ଭୂତ ର ଛୁଆ କୁ ପେଟରେ ଧରି ।

"ସାସା"ଆଉ ରହି ପାରିଲାନି ।କହିଲା" ଚିଚି" ,ତୋ କଥା ଆମେ ଅନେକ ଭାବିଛୁ ।ଫୋନ୍ କରିବାକୁ ଚେଷ୍ଟା କରିଛୁ ,ହେଲେ ତୁ ନମ୍ବର ବଦଳାଇ ଦେଇଥିଲୁ ।ଆଜି ବି ଆମେ ସବୁ ସନ୍ଦେହ ଘେରରେ ।ତୁ କିଛି କହିବୁ କି ତୋ ବିଷୟରେ ...ତୋର ଏ ଚୁପ ଚାପ ଟା ମୋଟେ ସହି ହେଉନି ।

ଚିଚି ଆଖି ଉଠାଇ ସମସ୍ତଙ୍କୁ ଅନାଇଲା ।ଟିକେ ହସି କହିଲା ,ଏହା ଭିତରେ ଅନେକ କଥା ଘଟିଛି ମୋ ସହ ।ମୁଁ ଜାଣେନି ଏହା ମୋ ଲାଗି କେତେ ଦୁଃଖ କି ସୁଖ ।ହେଲେ ଏତିକି କହିବି ଏ ଭିତରେ ମୁଁ ଯୁଗଟେ ଜିଇଁ ସାରିଛି ।

-ଓହୋ...ତୁ ସଫା ସଫା କହ ।ଧେର୍ଯ୍ୟ ନାହିଁ ଏମିତି ବୁଲେଇ ବାଙ୍କି ଶୁଣିବାକୁ ।ସାସା ଅତିଷ୍ଠ ହୋଇ କହିଲା ।

ଚିଚି ଆରମ୍ଭ କଲା ତା କାହାଣୀ ।

-ମୋ ପେଟର ବୁଜୁଳା ଧୀରେ ଧୀରେ ବଢି ସାରିଥିଲା ।ସବୁ ସିନା ଲୁଚେଇ ହୁଏ ହେଲେ ପେଟର ବୁଜୁଳାଟା ଲୁଚିବ କେମିତି?ହଷ୍ଟେଲ ସାରା ହାଲ୍ଲା ହୋଇ ସାରିଥିଲା ।ହଷ୍ଟେଲ ସୁପରିଟେଣ୍ଡ ବି ମୋ ଉପରେ ଅସନ୍ତୁଷ୍ଟ ଥିଲେ ଖୁବ୍ ।ଦରୱାନ୍ ବି ପ୍ରମାଣ ଦେଇ ସାରିଥିଲା ବେଳେ ବେଳେ ଗୋଟିଏ ଛାଇ ଦେଖାଯାଏ ଆମ ରୁମ୍ ବାଲକୋନିରେ ।ମୋ ବାପାଙ୍କୁ ଡକା ସରିଥିଲା ।ମୁଁ ଖାଲି ଥରୁ ଥିଲି ।ଆଶ୍ଚର୍ଯ୍ୟ ହେଉଥିଲି ।

ବାପା ମୋତେ ପଚାରିଲେ କଣ କରିଛୁ ସତ କହ ।ମୁଁ କେବଳ ଏତିକି କହିଲି ,ମୁଁ କିଛି ଜାଣେନି ବାପା ।

ଗୋଟେ ନିପଟ ମଫସଲରୁ ଆସିଥିବା ବାପା ତା ବଢିଲା ଝିଅକୁ ଆଉ ଅଧିକ କଣ ପଚାରି ପାରି ଥାଆନ୍ତା ?ହଷ୍ଟେଲ୍ ସୁପରିଟେଣ୍ଡଟ୍ ମାମ୍ ଙ୍କୁ ବାପା କହିଲେ ...ମାଡାମ୍ ,ଭାବୁଥିଲି ଝୁଅକୁ ନେଇଟିକେ ଡାକ୍ତର ପାଖକୁ ଯିବି ।ମୋ ସହ ଟିକେଚାଲନ୍ତୁ ।ଏମିତି ଅବସ୍ଥାରେ ଝୁଅକୁ ନେଇ କେଉଁ ମୁହଁରେ ଘରକୁ ଫେରିବି?

ମାଡାମ୍ ରୋକ୍ ଠୋକ୍ ମନା କରିଦେଲେ ।କାରଣ ଦୁଇଟା ଥିଲା ।ମୋର ଆଠ ମାସର ହଷ୍ଟେଲ୍ ଭଡା ବାକି ଥିଲା ଆଉ ଗୋଟେ ଗୁରୁବାର ରାତିରେ ମାଡାମଙ୍କ ସହ କଲେଜ ପ୍ରନିସିପାଲଙ୍କୁ ଦେଖିଥିଲି ଗୋଟିଏ ଶେଯରେ ,ଅସଂଯତ ଅବସ୍ଥାରେ ମାଡାମ୍ ଙ୍କ ରୁମ୍ ରେ ...ଯେତେବେଳେ ମୁଁ ତାଙ୍କୁ ଚା ଦେବାକୁ ଯାଇଥିଲି ।

ଘରେ ରାତାରାତି ପହଞ୍ଚିଲି ।ବୋଉ ଗୁହାଳ ଘରେ ଜଗି ବସିଥିଲା ।ଧଡାସ୍ କରି ମୋତେ ପେଲି ଦେଇ ଗୁହାଳଘର ବନ୍ଦ କରିଦେଲା ।ତିନି ଦିନ କାଳ ସେ ଘରେ ମୁଁ ଏକା ।ଦୁଇ ଓଳି ବୋଉ ଖାଇବାକୁ ଆଣି ଦୂରରୁ ପେଲିଦିଏ ଗାଲରେ ଗୋଟେ ଖୁନ୍ଦା ମାରି ।ତିନିଦିନ ପରେ ସକାଳ ଚାରିଟାରେ ହଠାତ୍ ବାପା ବୋଉ ମୋତେ ଗୋଟେ ହସ୍ପିଟାଲ୍ ନେଇଗଲେ ।ସେଠି ଡାକ୍ତର ଯାହା କହିଲା ସବୁ ଶୁଣି ଆବାକ୍ ।ମୋ ପେଟରେ କାଳେ ଗୋଟେ ବିରାଟ ଟ୍ୟୁମର ବୃଦ୍ଧି ହେବାରେ ଲାଗିଛି ।ତୁରନ୍ତ ଅପରେସନ ନ କଲେ ମୋ ମୃତ୍ୟୁ ସୁନିଶ୍ଚିତ ।

ଅଭାବି ଘର ।ପାରାଲିସିସ୍ ରେ ପଡିଛି ସାନ ଭାଈ ।ଦୁଇଟା ଗାଈ ବିକ୍ରି ହେଲା,ବୋଉର ଗହଣା ଆଉ ଆମ ବାଡିପଟ ବିଲ ବି ବିକ୍ରି ହେଲା ।ମୋର ଅପରେସନ ହେଲା ।ବାପା,ବୋଉ ମୋତେ ଆପଣେଇ ନେଲେ ହେଲେ ପୁଣି ସମସ୍ୟା ।ମୋର ବାହାଘର କେଉଁଠି ବି ହେଇ ପାରିଲାନି ।ଗାଁ ସାରା ମୋତେ ନେଇ ଟୁପୁର ଟାପୁର ।

ଦିନେ ସୁଦୂରରୁ ଆସି ଥିବା ଡାକ୍ତର ଅବିନାଶ ମୋତେ ଦେଖି ଏକା ଥରକେ ପସନ୍ଦ କରିନେଲେ ।ମୁଁ ଆଶ୍ଚର୍ଯ୍ୟ ହେଲି ।ପଛରେ ଯଦି କିଛି ଜାଣି ଅସୁବିଧା ହେବ ଏଇ ଡରରେ ଦିନ ଗଣୁ ଥାଏ ।ବାହାଘର ଦୁଇ ଦିନ ବାକିଥାଏ ,ତାଙ୍କୁ ଫୋନ କରି ସବୁ କହିଦେଲି ।ସେ କିଛି ସମୟ ଚୁପ୍ ରହିଲେ ।ଫୋନ୍ କାଟିଦେଲେ ।ମୁଁ ଆଶ୍ୱସ୍ତ ହେଲି ...ଯା ହେଉ ସେ ସବୁ ଜାଣିନେଲେ ବୋଲି ।ତା ପରଦିନ ସେ ଫୋନ କରି କହିଲେ ...ଚିଚି,ମୁଁ ତୁମକୁ ହିଁ ବାହା ହେବି ।

ଆଉ ଆଜି ମୁଁ ଗୋଟିଏ ପୁଅ ଆଉ ଗୋଟିଏ ଝିଅର ମା ମୁଁ ।

ସମସ୍ତେ ଅଣ ନିଃଶ୍ୱାସୀ ହୋଇ ଶୁଣୁଥିଲେ ଚିଚିର କଥା ।ଗପ ଶୁଣିଲା ଭଳି ଲାଗୁଥିଲା ।ଝିଲିର କିଛି କଥା ହଜମ ହେଲାନି ।ପାନ ଛେପକୁ ଢୋକି କହିଲା ,ସବୁ ବୁଝି ହେଲା ଯେ ହେଲେ ରାତିରେ ଆସୁଥିବା ସେ ଭୂତଟା....???

ଚିଚି ଏକ ରହସ୍ୟମୟ ହସ ହସିଲା ।କହିଲା ହଁ...ସେ ଭୂତର ବାପା ସହ ମୋର ଭେଟ ହୋଇଛି ।

ଆଁ...କଣ କହିଲୁ??କଣ କହିଲୁ???ପୁରା କଥା କହ...ସାସା ଚଷମା ଖୋଲି ଆଗକୁ ଝୁଙ୍କି ବସିଲା ଶୁଣିବାକୁ ।

ଚିଚି ପାଣି ଢୋକେ ପିଇ କହିଲା...ବାହାଘର ତିନିମାସ ପରେ ମୁଁ ବାପ ଘରକୁ ଆସିଥାଏ ।ହଠାତ୍ ଜଣେ ଆଗନ୍ତୁକ ମୋ ଠିକଣା ପଚାରି ପଚାରି ଆସି ପହଞ୍ଚିଲେ ।

ମୋତେ ଦେଖି ମୋ ଗୋଡ ଧରି ପକାଇଲେ ।କହିଲେ ମୋର ଭୂଲ ହୋଇଛି ...ମୋତେ କ୍ଷମା କରି ଦେ ମା ।ମୁଁ ତାଙ୍କୁ ଚିହ୍ନି ପାରିଲି ।ସେ ଆଉ କେହି ନୁହେଁ ...ଭୂତର ବାପା ...ଆମ ହଷ୍ଟେଲ୍ ଦରୱାନ ।ଦଶବର୍ଷ ତଳୁ ତା ପୁଅ ଗୋଟେ ଅଜାତି ଝିଅକୁ ବାହା ହୋଇ ଫେରାର ଥିଲା ।ଦରୱାନ ରାଗରେ ତା ପୁଅକୁ ସୁଧ ବି ହୋଇ ସାରିଥିଲା ।ହେଲେ ବାପ ଡରରେ ବେମାର ମା କୁ ଦେଖିବାକୁ ସେ ବେଳେ ବେଳେ ଆମ ରୁମ୍ ବାଲକୋନି ଦେଇ ଗୋଟିଏ ପାଇପ ସାହାଯ୍ୟରେ ଆସୁଥିଲା ।ହଷ୍ଟେଲ କୁ ଲାଗି ଦରୱାନ ଘର ।ଦରୱାନ ସବୁ ଆଡେ ସେ ଛାଇକୁ ଖୋଜେ ।ହେଲେ ଜାଣି ନ ଥିଲା ସେ ଛାଇ ତା ପୁଅର ଆଉ ସେ ଛାଇ ଲୁଚିଥାଏ ତା ଘରର ଖଟତଳେ ।ଯାହାକୁ ସେ ଭୂତ କହୁଥିଲା ।ଯେତେ ବେଳେ ଜାଣିଲା ସେତେବେଳେ ନିଜକୁ ଅପରାଧୀ ଭାବି ମୋ ଠିକଣା ନେଇ ମୋ ଘରେ ପହଞ୍ଚିଥିଲା ।

ସମସ୍ତେ ହାଁ କରିସବୁ ଶୁଣୁଥିଲେ ...

ଚିଚି ପୁଣି କହିଲା...ଦିନେ ଖବର ପାଇଲି, ମା ମରିବା ପରେ ଦରୱାନର ପୁଅ ଦରୱାନକୁ ଘରୁ କାଢି ଦେଇଛି ।ମୁଁ ଆଉ ମୋ ସ୍ୱାମୀ ଯାଇଥିଲୁ ତା ଘରକୁ ।ସେ ଗୋଟେ ମନ୍ଦିର କଡରେ ଶୋଇଥିଲା ।ସାଙ୍ଗରେ ନେଇ ଆସିଲି ।

ସେଇ ଦିନଠୁ ଏକ ଅସୁରକ୍ଷିତ ସହରରେ ସେ ମୋ ସଂସାରକୁ ପାଦେ ପାଦେ ସୁରକ୍ଷା ଯୋଗାଉଛି...ଗୋଟେ ଦରୱାନ ଭଳି ନୁହେଁ ...ଠିକ୍ ମୋ ବାପା ପରି ।

ସେତକ କହି ଚିଚି ହାତ ଠାରି ଦେଖାଇ ଦେଲା ତା ଗାଡି ଇନୋଭା ଆଡକୁ ।ଗାଡିର ଡ୍ରାଇଭର ସିଟ୍ ରେ ଆଁ କରି ଶୋଇ ଯାଇଥିଲା ବୁଢା ଦରୱାନ ।

....ସମସ୍ତେ ଏକା ସାଙ୍ଗରେ ଉଠି ଯାଇଥିଲେ ଗାଡି ଆଡକୁ...ବୁଢା ଦରୱାନକୁ ନୁହେଁ ,ଚିଚିର ନୂଆ ବାପାକୁ ଦେଖିବାକୁ ।


Rate this content
Log in

Similar oriya story from Drama