Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନହରମୁଣ୍ଡା ଡାକବଙ୍ଗଳା
ନହରମୁଣ୍ଡା ଡାକବଙ୍ଗଳା
★★★★★

© Kulamani Sarangi

Horror

5 Minutes   7.3K    19


Content Ranking

ପ୍ରତାପପୁର ଠାରୁ ନହରମୁଣ୍ଡା ଡାକ ବଙ୍ଗଳା ଚାଳିଶ୍ କିଲୋମିଟରରୁ କମ୍ ହବନି। ପ୍ରତାପପୁରରେ ରେଞ୍ଜ ଅଫିସର ଭାବରେ ମୁଁ ଅବସ୍ଥାପିତ ହେବାପରେ ନହରମୁଣ୍ଡା ଡାକବଙ୍ଗଳାରେ ଥରେ ରାତ୍ରି ଯାପନ କରିବାର ମହାର୍ଘ ଅନୁଭୂତି ମୋର ହୋଇଥିଲା। ସରକାରୀ ଗସ୍ତରେ ଯାଇ ନହରମୁଣ୍ଡା ରାସ୍ତାରେ ଫେରୁ ଫେରୁ ଥରେ ସଂଧ୍ୟାର ଏକ ବିଳମ୍ବିତ ପ୍ରହରରେ ନହରମୁଣ୍ଡାର ପ୍ରକୃତି ମତେ ମନ୍ତ୍ରମୁଗ୍ଧ କରିଦେଇଥିଲା।

ଭୟଙ୍କର ଜଙ୍ଗଲ ଭିତରେ ନହରମୁଣ୍ଡା ଡାକ ବଙ୍ଗଳା ଥିଲା ଏକମାତ୍ର କୋଠା। ଚତୁର୍ଦ୍ଦିଗରେ ମାଇଲ୍ ମାଇଲ୍ ଧରି ନିଘଞ୍ଚ ବନାନୀ। ଅଗଣିତ ଛୋଟ ବଡ ପାହାଡରେ ପୂର୍ଣ୍ଣ ନହରମୁଣ୍ଡାର ବିଶାଳ ଉପତ୍ୟକା । ଛୋଟ ଏକ ପାହାଡ ତଳେ ଡାକ ବଙ୍ଗଳାଟିଏ। ପୁରାତନ ଅର୍ଦ୍ଧଜୀର୍ଣ୍ଣ ପ୍ରାସାଦ;ଅତୀତରେ କେଉଁ ଏକ ଜମିଦାର ରାଜାଙ୍କର ବୋଧହୁଏ ଥିଲା ଶିକାର ଆଡ୍ଡା।

ସଂଧ୍ୟା ନଇଁ ଆସିଲେ ନହରମୁଣ୍ଡାର ପ୍ରକୃତିରେ ହିମ ଶୀତଳ ନିରବତା ଓହ୍ଲାଇ ଆସେ। ସେଦିନ ବୋଧହୁଏ ତିଥି ଥିଲା ଶୁକ୍ଳ ଦଶମୀ ବା ଏକାଦଶୀ। ଶୀତଳ ଜ୍ୟୋତ୍ସ୍ନାରେ ସ୍ନାତ ତରୁଲତାରାଜି ପରସ୍ପର ନିରବରେ ଆଳାପ କରୁଥିଲେ। ଡାକବଙ୍ଗଳା ଭସ୍ମସ୍ନାତ ଧ୍ୟାନମଗ୍ନ ସନ୍ୟାସୀ ପରି ବସି ରହିଥିଲା। ଡାକବଙ୍ଗଳା ପାଖରେ ଜିପ୍ ଅଟକାଇ ପାହାଡ ଉପରକୁ ଉଠିଲି। ଦଶମୀ ଜହ୍ନର ରୂପା କୀରଣରେ ଝଲସି ଉଠୁଥିଲା ନହରମୁଣ୍ଡାର ବନାନୀ। ଛୋଟ ପାହାଡର ଶୀର୍ଷରେ ପହଞ୍ଚି ଜ୍ୟୋସ୍ନାସ୍ନାତ ଉପତ୍ୟକାକୁ ଦେଖି ରୋମମୂଳ ମୋର ଟାଙ୍କୁରି ଉଠିଲା।ସତେ କ'ଣ ଏତେ ସୌନ୍ଦର୍ଯ୍ୟ ପୃଥିବୀରେ ସମ୍ଭବ !

ଗୋଟିଏ ରାତି ସେଠାରେ ରହି ପ୍ରକୃତିର ପ୍ରାଣପ୍ରାଚୁର୍ଯ୍ୟକୁ ମନଭରି ଉପଭୋଗ କରିବାର ଅଦମ୍ୟ ଲାଳସାକୁ ଏଡେଇ ପାରିଲିନି।

ନିର୍ଜନ ପ୍ରକୃତିର ନିରବତାକୁ ଭାଙ୍ଗି ମୁଣ୍ଡ ଉପରେ ଟିଟ୍ଟିଭ ଉଡିଗଲା।ସ୍ନାୟୁର ତନ୍ତ୍ରୀରେ ମୋର ବହିଗଲା ଅନିର୍ବଚନୀୟ ରୋମାଞ୍ଚର ତରଙ୍ଗ।ଜିପ୍ ପାଖକୁ ଆସି ଡ୍ରାଇଭରକୁ କହିଲି "ମହମ୍ମଦ, ଆଜି ଏ ବଙ୍ଗଳାରେ ରହିଯିବା।"ମହମ୍ମଦର କିନ୍ତୁ ଇଚ୍ଛା ନଥିଲା। କହିଲା "ସାର୍,ମାତ୍ର ଚାଳିଶି କିଲୋମିଟର୍ ବାଟ,ଘଣ୍ଟାଏ ବି ଲାଗିବନି ପହଞ୍ଚିବାପାଇଁ। କାହିଁକି ଏଠି ଏତେ ଅସୁବିଧାରେ ରହିବା?

ମୁଁ ପଚାରିଲି -ବଙ୍ଗଳାରେ ରହିବାରେ ଅସୁବିଧା ପୁଣି କଣ ମହମ୍ମଦ? 'ଡ୍ରାଇଭର କହିଲା-ସାର୍ ଚଉକିଦାର ଏଠି ରହେନାହିଁ। ରହିବାକୁ ହେଲେ ପାଖ ଗାଁକୁ ଯାଇ ତାକୁ ଜିପରେ ବସେଇ ଆଣିବାକୁ ପଡିବ। ତା'ଛଡା ସାର୍ ଏ ବଙ୍ଗଳାରେ ଭୂତପ୍ରେତ ଉପଦ୍ରବ ଥାଏ ବୋଲି ଜନରବ ଅଛି।ସେଥିପାଇଁ ତ ସାର୍ ଏ ବଙ୍ଗଳାରେ କୌଣସି ଅଫିସର୍ କେବେ ରହନ୍ତିନି।

ମହମ୍ମଦ କଥା ଶୁଣି ମୁଁ ହସି ଉଠିଲି। କହିଲି-ମହମ୍ମଦ, ତମର ଗତ ମାସରେ ବାହାଘର ହେଇଚିନା? ଠିକ୍ ଅଛି,ମୁଁ ତମକୁ ଏଠି ରହିବାକୁ ବାଧ୍ୟ କରୁନି। ତମେ ଗୋଟାଏ କାମ କର,ଚୌକିଦାର୍ କୁ ଖବର ଦେଇ ତମେ ତମ ଘରକୁ ଚାଲିଯାଅ। ସକାଳେ ଆସି ମତେ ଏଠୁ ନେଇଯିବ।'

ମହମ୍ମଦର ଉତ୍ତରକୁ ଅପେକ୍ଷା ନକରି ମୁଁ ଡାକବଙ୍ଗଳା ଆଡକୁ ଆଗେଇଲି। କିଛି ସମୟପରେ ମହମ୍ମଦ ଚୌକିଦାରକୁ ଛାଡିଦେଇ ପ୍ରତାପପୁର ଚାଲିଗଲା।

ଚଉକିଦାରର ବୟସ ଲାଗପାଟ ଷାଠିଏ ବର୍ଷ। ଛ'ଫୁଟ ପାଖାପାଖି ଉଚ୍ଚ।ଅସ୍ଥିଙ୍କକାଳସାର କଳା ମିଚି ମିଚି ଚେହେରା। କୋଟରଗତ ଆଖି।ମୁଣ୍ଡରେ ଲମ୍ବା ଖୋର୍ଦ୍ଧା ଗାମୁଛାର ଠେକା।

ବୁଢା ଡାକବଙ୍ଗଳା ତାଲା ଖୋଲୁ ଖୋଲୁ ପଚାରିଲା ' ସାର୍ ଆପଣ କଣ ଆଜି ଏଠି ରହିବେ?'

ମୁଁ ଆଶ୍ଚର୍ଯ୍ଯ ତଥା ବିରକ୍ତ ହୋଇ ତା ମୁହଁକୁ ଚାହିଁ ପଚାରିଲି --କାହିଁକି, ତମର ସନ୍ଦେହ ହେଲା କାହିଁକି? ଡାକ ବଙ୍ଗଳା ରହିବାପାଇଁ ହେଇଚିନା;ଏଠି କଣ କେହି କେବେ ରହନ୍ତି ନାହିଁ?

ମୋ ବିରକ୍ତିର ପ୍ରଭାବ ତା ଉପରେ କିଛି ପଡିବାପରି ମୋର ମନେ ହେଲାନି। ନିର୍ଲିପ୍ତ କଣ୍ଠରେ ବୁଢା କହିଲା -ନାଇଁ ସାର୍, କେତେବେଳେ କେମିତି କାଁ ଭାଁ ଜଣେ ଅଧେ ଅଫିସର ଦିନବେଳା ଏଠାକୁ ବିଶ୍ରାମ ନବାକୁ ଆସନ୍ତି। ରାତିରେ ରହନ୍ତିନି।ଭୂତଙ୍କ ସାଙ୍ଗରେ କିଏ ରହିବ ସାର୍?

ମୋ ବିରକ୍ତିର ସୀମା ରହିଲା ନାହିଁ । କହିଲି-ଫାଲତୁ କଥା।ଏଠି ନିଜ ଆଖିରେ କେବେ ଭୂତ ଦେଖିଚ ତମେ,ନାଁ ଖାଲି ଶୁଣାକଥା?'

ବୁଢା କହିଲା-ସାର୍ ନହରମୁଣ୍ଡା ଡାକ ବଙ୍ଗଳାରେ ବେଡ୍ କେବେ ଖାଲି ରହେନାହିଁ। ବାହାରେ ତାଲା ପଡିଥାଏ,ଭିତରେ କିନ୍ତୁ ବେଡ୍ ଉପରେ କିଏ ଜଣେ ଧଳା ଚାଦର ଘୋଡି ହୋଇ ଶୋଇଥିବାର ଅନେକ ଥର ମୁଁ ଦେଖିଚି ସାର୍।'

ମୁଁ କହିଲି 'ଧେତ୍ ସବୁ ମନର ବିକାର।'।

ବୁଢା କହିଲା 'ବାହାରେ ତାଲା ପଡିଥିଲେ ବି ଭିତରେ ରାତିରେ ଆଲୁଅ ଆପେ ଆପେ ଜଳେ ଲିଭେ। କାଚ ଝରକା ଉପରେ ଦେଖାଯାଏ ଲମ୍ବା ହାତର ଛାଇ।----'

ବୁଢା ମୁହଁରୁ ମନଗଢା ଭୂତ କାହାଣୀ ଶୁଣି ମୁଁ ଆଉ ମୋ ମନକୁ ଭାରାକ୍ରାନ୍ଥ କରିବାକୁ ଚାହୁଁ ନଥିଲି। କହିଲି-ଆଚ୍ଛା,ତୁମେ ଯାଅ ଶୋଇବ।ଦର୍କାର ପଡିଲେ ମୁଁ ତମକୁ ଡାକିବି।

ଚୌକିଦାର କହିଲା- ସାର୍ ମୁଁ ଟିକିଏ ଅଫିମିଆଁ ଲୋକ। ନିଘୋଡ ନିଦରେ ଶୋଇଯାଏ। ଦରକାର ପଡିଲେ ଯୋରରେ ଡାକିବେ।'

ବୁଢା ଚାଲିଯିବାପରେ ବାହାରକୁ ଆସିଲି,ନହରମୁଣ୍ଡା ପ୍ରକୃତିକୁ ମନଭରି ଉପଭୋଗ କରିବାପାଇଁ ।ବଙ୍ଗଳାର ବଗିଚା ଭିତରେ ଝଙ୍କାଳିଆ ଆମ୍ବଗଛ ତଳେ ଥିବା ସିମେଣ୍ଟ ବେଞ୍ଚ ଉପରେ ବସିଲି। ହଠାତ୍ ବିରାଟ ଶବ୍ଦରେ ଚମକି ପଡିଲି। ମୁଣ୍ଡ ଉପରେ,ଗଛର ଡାଳ ପତ୍ର ଦେଇ ଝିର୍ ଝିର୍ ଶବ୍ଦ ଶୁଣାଗଲା। ସତେଅବା ଗାଡିଏ ବାଲି କିଏ ଗଛ ଉପରେ ଅଜାଡିଦେଲା। କିନ୍ତୁ ଆଶ୍ଚର୍ଯ୍ଯ ! ଗୋଟିଏ ବି ବାଲିକଣା ତଳେ ପଡିଲାନାହିଁ। ଜନ ମାନବ ଶୂନ୍ୟ ଅନ୍ଧକାର ରାତି,ନିଘଞ୍ଚ ଅରଣ୍ୟଏବଂ ଅଭାବନୀୟ ଘଟଣା ସବୁ ଏକତ୍ରିତ ହୋଇ ମୋର ସ୍ନାୟୁର ତନ୍ତ୍ରୀକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିଲେ।

ମନ ଭିତରୁ ଦୁର୍ଭାବନାକୁ ତଡିଦେଇ,ସାହସ ସଞ୍ଚୟ କରି ପୁଣି କିଛି ସମୟ ବସିଲି। କିଛି ସମୟ ବିତିଗଲା।ହଠାତ୍ ମୋର ମନେହେଲା ଅତି ପାଖରେ କିଏ ଯେମିତି ସୁଁ ସୁଁ ହୋଇ କାନ୍ଦୁଚି। ଚାରିଆଡକୁ ଚାହିଲି,କେହି ନଥିଲେ। ଘଟିଯାଇଥିବା ଅଭାବନୀୟ ଘଟଣା ଯୋଗୁଁ ମୋର ଆଉ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ସ୍ପୃହା ହେଲାନାହିଁ। ବଙ୍ଗଳା ଭିତରକୁଯାଇ ଶୋଇବାପାଇଁ ଭାବିଲି। ବାରଣ୍ଡା ଉପରେ ପାଦ ଦେଉ ଦେଉ ମନେହେଲା ଶୟନ କକ୍ଷ ଭିତରେ କିଏ ଯେମିତି କଥାବାର୍ତ୍ତା ହେଉଛି । ଭାବିଲି ଚୌକିଦାର ବୋଧହୁଏ ଅଫିମ ନିଶାରେ ବିଡି ବିଡି ହେଉଛି। କିନ୍ତୁ ଘର ଭିତରକୁ ଯାଇ ଦେଖିଲି କେହି ନଥିଲେ। କିଛି ସମୟ ବିତିଗଲା।ଲାଇଟ୍ ଲିଭାଇ ଶୋଇବାକୁ ଚେଷ୍ଟା କଲି। ନିର୍ଜନ ବାତାବରଣରେ ଶାନ୍ତି ଭଙ୍ଗ କରି ଟପ୍ ଟପ୍ ଶବ୍ଦ ଶୁଣାଗଲା।ଆଲୁଅ ଲଗାଇ ବଙ୍ଗଳା ଭିତରର ସବୁ କୋଠରୀ ଦେଖିଲି।ଯେଉଁ କୋଠରୀକୁ ଗଲି ତା ପାଖ କୋଠରୀରୁ ଶବ୍ଦ ଆସିଲା ପରି ଶୁଣାଗଲା।ଶେଷରେ ଶୟନକକ୍ଷ ସଂଲଗ୍ନ ସ୍ନାନାଗାର ଭିତରୁ ସେ ଶବ୍ଦର ଉତ୍ପତ୍ତି ସ୍ଥଳ ଠାବ କଲି।ପାଣି ଟ୍ୟାପରୁ ଟବ୍ ଉପରେ ଟୋପା ଟୋପା ପାଣି ପଡି ସେ ଶବ୍ଦ ସୃଷ୍ଟି ହେଉଥିଲା।ଚନ୍ଦନ ଗନ୍ଧରେ ବାଥରୁମ୍ ମହକି ଉଠୁଥିଲା।ଚଟାଣ ଉପରେ ବିନ୍ଦୁ ବିନ୍ଦୁ ପାଣି ଲାଗି ରହିଥିଲା।ପରିବେଶ କହୁଥିଲା ସତେ ଯେମିତି କିଏ ଜଣେ ସଦ୍ୟ ସ୍ନାନକରି ବାଥରୁମ୍ ରୁ ଚାଲିଯାଇଛି।ଆଶ୍ଚର୍ଯ୍ଯ ହେଲି।ଶୋଇବା ପୂର୍ବରୁ ପାଦ ଧୋଇବା ପାଇଁ ଆସିବାବେଳେ ବାଥରୁମ୍ ରେ ସୁଗନ୍ଧ ନଥିଲା।ମୁଁ ବି କୌଣସି ସୁଗନ୍ଧିତ ସାବୁନ୍ ବ୍ୟବହାର କରି ନଥିଲି।ମସ୍ତିସ୍କରେ ଦୁଶ୍ଚିନ୍ତାର ପ୍ରବାହ ନେଇ ଶୋଇବାକୁ ଚେଷ୍ଟା କଲି।

ନିଦ ହେଲା ନାହିଁ।ଆଖି ବୁଜି ପଡିରହିଲି।ଟିକିଏ ଛାଇନିଦ ହେଉ ହେଉ ପୁଣି ଚାଉଁକିନା ନିଦ ଭାଙ୍ଗିଗଲା।ଘରସାରା ମିଟିମିଟି ଅନ୍ଧାର ଖୁନ୍ଦି ହୋଇଥିଲା।ଅଥଚ ଶୋଇବା ପୂର୍ବରୁ ମୁଁ ଆଲୁଅ ଲିଭାଇ ନଥିଲି।

ସ୍କାଇଲାଇଟ୍ ଉପରେ ଆଖି ପଡିବା ମାତ୍ରେ ଦେହ ମୋର ଶୀତେଇ ଉଠିଲା।ସ୍କାଇଲାଇଟ୍ ରେ ଦେଖାଯାଉଥିଲା ଝାପସା ଚନ୍ଦ୍ରାଲୋକରେ ଗୋଟାଏ ମାଙ୍କଡ ମୁଣ୍ଡ।ଆଖି ମିଟିକାରେ ସେ ମୁଣ୍ଡ ଉଭେଇଗଲା।ଶେଜରୁ ଉଠି ଝରକା ଖୋଲିଲି।କୋଠରୀରେ ଚାରୋଟି ଝରକା।ଗୋଟିଏ ଝରକା ଖୋଲିବା ସଙ୍ଗେସଙ୍ଗେ ଆପେ ଆପେ ଅନ୍ୟ ତିନୋଟି ଝରକା ଧଡ୍ ଧାଡ୍ ଖୋଲିଗଲା।ଅଥଚ ବାହାରେ ପବନର ପ୍ରବାହ ନଥିଲା,ପତ୍ର ବି ହଲୁନଥିଲା।ଝରକା ବାଟଦେଇ ଚନ୍ଦ୍ର କିରଣ ବିଚ୍ଛୁରିତ ହୋଇ ପଡିଲା।

ଗୋଟି ଗୋଟି ସବୁ ଝରକା ବନ୍ଦ କରି ପୁଣିଥରେ ଶୋଇବାପାଇଁ ଚେଷ୍ଟା କଲି।କିନ୍ତୁ ଅସମ୍ଭବ ।ଝରକା ସବୁ ବନ୍ଦ କରି ଶେଜପାଖକୁ ଆସିବା ପୂର୍ବରୁ ଧଡଧାଡ୍ ସବୁ ଝରକା ଖୋଲିଗଲା।ବାୟୁ ମଣ୍ଡଳର ସ୍ତରେ ସ୍ତରେ ମୁଁ ଅନୁଭବ କରୁଥିଲି ଭୌତିକ ସତ୍ତା।

ଶୋଇ ପାରିଲିନି।ଝରକା ପାଖକୁ ଆସି ବାହାରକୁ ଚାହିଁଲି।ଯାହା ଦେଖିଲି ସେଥିରେ ମୋର ଲୋମମୂଳ ଟାଙ୍କୁରି ଉଠିଲା।ଝରକା ଠାରୁ ପ୍ରାୟ ଶହେ ଗଜ ଦୂରରେ ଧଳା ଶାଢି ପିନ୍ଧି ଚନ୍ଦ୍ର କିରଣରେ କେହିଜଣେ ତରୁଣୀ ଠିଆ ହୋଇଥିଲା।ଝରକାର ବିପରିତ ଦିଗକୁ ଥିଲା ତାର ମୁହଁ।ଧୀରେ ଧୀରେ ବୁଲିପଡି ଚାହିଁଲା ସେ ତରୁଣୀ।ଆଃ କି ବିଭତ୍ସ ! ମୋ ଧମନୀରେ ପ୍ରବାହିତ ସବୁ ରକ୍ତ ଏକାବେଳକେ ସତେ ଅବା ବରଫ ପାଲଟିଗଲା।ତରୁଣୀର କାନ୍ଧଉପରେ ଥିଲା ମାଙ୍କଡର ମୁଣ୍ଡ,ଆଉ ଦାନ୍ତ ଦେଖେଇ ବିଭତ୍ସ ହସ ହସୁଥିଲା ସେ ନରବାନରୀ !ପାଦତଳୁ ମୋର ପୃଥିବୀ ଖସିଗଲାପରି ଲାଗିଲା। ଜାଗତିକ ପରିବେଶଠାରୁ ବହୁ ଦୂରରେ ଏକ ଭୌତିକ ରାଜଧାନୀରେ ଅଶରୀରୀ ଗହଣରେ ରହିଛି ବୋଲି ମୁଁ ଅନୁଭବ କଲି। ଖୁବ୍ ବଡପାଟିରେ ଚୌକିଦାରକୁ ଡାକିଲି।କିନ୍ତୁ ସେ ଶୁଣିଲା ନାହିଁ ।ସେ ଶୋଇଥିବା କୋଠରୀକୁ ଆସି କବାଟରେ ହାତ ମାରିଲି।କେଁ କଟର ଶବ୍ଦ କରି କବାଟ ଖୋଲିଗଲା।କୋଠରୀ ଫାଙ୍କା ପଡିଥିଲା।ମୋର ଧମନୀରେ ବଢିଗଲା ରକ୍ତର ବେଗ।ଛାତି ଭିତରେ ହାତୁଡି ପିଟାର ଶବ୍ଦ ;ପଥର ମୂର୍ତ୍ତି ପରି ସ୍ଥାଣୁ ହୋଇ ମୁଁ ଅବଶିଷ୍ଟ ରାତି ବସିରହିଲି କୋଠରୀ ଭିତରେ।

ପ୍ରତାପପୁର ଫରେଷ୍ଟ ରେଞ୍ଜରେ ଥିବାଯାଏ ମୁଁ ଆଉ କେବେ

ନହରମୁଣ୍ଡା ଡାକବଙ୍ଗଳାକୁ ଯାଇନି। ପରବର୍ତ୍ତୀ ସମୟରେ ଭୂତ,ପ୍ରେତ,ଅଶରୀରୀଙ୍କ ସ୍ଥିତି ଉପରେ ଅନାସ୍ଥା ଥିବା ମୋର ଜଣେ ବଂଧୁଙ୍କୁ ମୁଁ ଘଟଣା ପ୍ରସଙ୍ଗରେ ନହରମୁଣ୍ଡାର ସେ ମାୟାବିନୀ ରାତି କଥା କହିଥିଲି।

କଥାର ଗୁରୁତ୍ବକୁ ଲଘୁହସରେ ବେପରୁଆ ଭାବରେ ଉଡେଇ ଦେଇ ବଂଧୁମୋର କହିଥିଲେ 'ସୁବାସ୍,ଏ ସବୁ ସେଇ ଚୌକିଦାରର କାମ।ନର-ବାନରୀ ସାଜିତୁମକୁ ସେ ବେସ୍ ନାକେଦମ୍ କରିଚି। ମୁଁ ତା କଥା ଭଲ ଭାବରେ ଜାଣେ।ସେ ଏକ ନମ୍ବର ଠକ,ଘରେ ତାର ରୋଗୀଣା ସ୍ତ୍ରୀ। ତାକୁ ଛାଡି ବଙ୍ଗଳାରେ ରାତିରେ ରହିପାରିବନି। ଏଣେ ଚାକିରୀ ମଧ୍ୟ ଛାଡି ପାରିବ ନାହିଁ। ସେଥିପାଇଁ ମଝିରେ ଏ ନାଟକ ସେ ସୃଷ୍ଟି କରୁଥିଲା। ଫଳରେ ଭୂତଭୟରେ ରାତିରେ ବାବୁ ମାନେ ଡାକବଙ୍ଗଳା ପାଖ ମାଡୁନଥିଲେ। ଏବେ ସେ ବିଚରା ମରିଗଲାଣି। ଆଜିକାଲି ନହରମୁଣ୍ଡା ଡାକବଙ୍ଗଳାରେ ଆଉଜଣେ ଚୌକିଦାର ଅଛି। ମୋ କଥା ସତ କି ମିଛ ତମେ ଆଉଥରେ ସେ ଡାକବଙ୍ଗଳାରେ ରାତ୍ରି ଯାପନ କରି ପରୀକ୍ଷା କରିପାର।'

ଏକାବେଳକେ ଏତେ କଥା କହିଦେଇ ବଂଧୁ ମୋ ମୁହଁକୁ ଚାହିଁଲେ ।ତାଙ୍କର ଏ ଯୁକ୍ତି କିନ୍ତୁ ମତେ ସନ୍ତୁଷ୍ଟ କରିପାରୁନଥିଲା। ଅନ୍ତତଃ ସେଦିନ ବାଥରୁମ୍ ରେ ଚନ୍ଦନ ଗନ୍ଧ,ଧଡ୍ ଧାଡ୍ ଝରକା ଆପେ ଆପେ ଖୋଲିବା ଏବଂ ଗଛରୁ ବାଲି ଝରିବା ଶବ୍ଦ ଇତ୍ୟାଦି ଚୌକିଦାରର କାମ ବୋଲି ମୁଁ ଭାବି ପାରୁନଥିଲି। ନହରମୁଣ୍ଡା ଡାକବଙ୍ଗଳାରେ ଆଉ ଏକ ରାତ୍ରି ଯାପନ କରି ସତ୍ୟତା ଉଦ୍‌ଘାଟନ କରିବାର ସତ୍ ସାହସ ମଧ୍ୟ ମୋର ନଥିଲା।

ନହରମୁଣ୍ଡାର ଡାକବଙ୍ଗଳା ମୋପାଇଁ ରହସ୍ୟମୟ ହୋଇ ରହିଗଲା।

(ସ୍ଥାନ,କାଳ,ପାତ୍ର କାଳ୍ପନିକ। କିନ୍ତୁ ତତ୍କାଳିନ ଗଡଜାତରେ ସରକାରୀ ଚାକିରୀ କରୁଥିବା ବ୍ୟକ୍ତିବିଶେଷଙ୍କ ଅନୁଭୂତି ଉପରେ ପର୍ଯ୍ଯବେଷିତ)

ପ୍ରତାପପୁର ଡାକବଙ୍ଗଳା ରେଞ୍ଜ ଅଫିସର

Rate the content


Originality
Flow
Language
Cover design

Comments

Post

Some text some message..