Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Misra

Drama Inspirational

3  

Santosh Kumar Misra

Drama Inspirational

ଅନୁଭୁତି - ୪

ଅନୁଭୁତି - ୪

12 mins
7.4K



ସେ ଦିନ ଥିଲା ରବିବାରl ସାପ୍ତାହିକ ହାଟର ଦିନ ମୋ ଘର ସାମ୍ନାରେ ହାଟ ବସେl ଆଗିଲା ସାତଦିନ ପାଇଁ ଯାହାର ଯାହା ଅତ୍ୟାବଶ୍ୟକ ସାମଗ୍ରୀ ଦରକାର ସେ ସେହି ହାଟରୁ ହିଁ ସଂଗ୍ରହ କରିଥାଏl ତେଣୁ ହାଟଟି ସ୍ବାଭାବିକ ଭାବରେ ଟିକିଏ ଭିଡ ରହେl ମୁଁ ମର୍ଣିଂୱାକ୍‌ ରୁ ଫେରି ଚା’ କପଟି ହାତରେ ଧରି ମୋ ବଗିଚାରେ ବୁଲୁଥାଏ| ମୋ ଗେଟ୍‌ ବାହାରେ ପରିବା ହାଟରେ ଭିଡ ଜମି ଆସୁଥାଏ| ଯିଏ ଆଖିରେ ନଦେଖିଥିବ ସେ ଦୃଶ୍ୟ ସେ ଅନୁଭବ କରି ପାରିବନି ତାହା କେମିତି ଆଉ କେତେ ଦୃଷ୍ଟିରେ ନିଆରାl ସବୁ ତଟକା ପରିବା, ତା’ ପୁଣି ଜୈବିକ ସାର ପ୍ରସ୍ତୁତ, ଭେଜାଲର ପ୍ରଶ୍ନ ହିଁ ନାହିଁl l ଚା’ ପିଉ ପିଉ ମୁଁ ସକାଳ ହାଟର ସେ ମନୋରମ ଦୃଶ୍ୟକୁ ଉପଭୋଗ କରୁଥାଏ| କିଛି ସମୟ ପରେ ମୁଁ ଦେଖିଲି ପ୍ରାୟ ଚାଳିଶ କି ପଚାଶ ଜଣ ଲୋକ ମୋ ଗେଟ୍‌ ଫିଟେଇ ମୋ ଘର ଭିତରକୁ ଆସିବାକୁ  ଚେଷ୍ଟା କରୁଥିଲେ କିନ୍ତୁ ମୋତେ ବଗିଚାରେ ବୁଲୁଥିବାର ଦେଖି ହୁଏତ ସାହାସ କଲେନି ଗେଟ୍‌ ଫିଟେ‍ଇ ପସି ଆସିବାକୁl ମୁଁ ସେମାନଙ୍କର ଏପ୍ରକାର ସଂଭ୍ରମତା ଦେଖି ସେମାନଙ୍କୁ ହାତଠାରି ଭିତରକୁ ଡାକିଲିl ଏତେ ଲୋକଙ୍କୁ ଏକାଠି ଆସିବାର ଦେଖି ମୁଁ ଟିକିଏ ଅବଶ୍ୟ ଚିନ୍ତିତ ହେଲିl କାରଣ ସେମାନଙ୍କର କିଛି ବି କାମ ହେଇପାରିବନି ଯେହେତୁ ସେଦିନ ରବିବାର ଥିଲାl ସେମାନେ ଆସି ମୋ ଆଗରେ ଠିଆ ହେଲେ ଏବଂ କହିଲେ ଯେ ସେମାନେ କିଛି ପରାମର୍ଶ ଲାଗି ଆମପାଲି ଗ୍ରାମରୁ ଆସିଛନ୍ତିl ଏତେ ଲୋକଙ୍କୁ ବସିବାକୁ ଦେବାକୁ ମୋ ଘରେ ସେହି ମାତ୍ରାରେ ଚୌକି ନଥିଲା l ତେଣୁ ମୁଁ ସେମାନଙ୍କୁ ମୋ ପୂର୍ବରୁ କେହି ଜଣେ ଅଧିକାରୀ ଘର ଆଗରେ ତିଆର କରିଥିବା କିଛି ସିମେଣ୍ଟ ଚୌକିରେ ବସିବାକୁ କହିଲିl ଯାହେଉ ସମସ୍ତେ ସେହି ସିମେଣ୍ଟ ଚୌକିରେ ଖୁନ୍ଦା ଖୁନ୍ଦି ହୋଇ ବସିଲେl ଏହି ଭିତରେ ମୋ ଅର୍ଦ୍ଦଳି ମୋ ପାଇଁ ଘରୁ ଗୋଟିଏ ଚୌକି ଆଣି ଆସି ସାରିଥାଏl ମୁଁ ସେମାନଙ୍କର ମଝିରେ ବସିଲିl ବସିବା ପର୍ବ ସରିଯିବାପରେ ମୁଁ ପଚାରିଲି କୁଆଡେ ସବୁ ଆସିଥିଲେ?

                    ସମସ୍ତଙ୍କର ଅନୁରୋଧ କ୍ରମେ ମଧୁ ମାଷ୍ଟ୍ରେ ଛିଡାହେଲେ କିଛି କହିବା ପାଇଁl ସେ ଥିଲେ ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକl ସେହି ଗାଁରେ ଚାକିରୀ ଆରମ୍ଭ କରିଥିଲେ ଆଉ ସରକାରୀ ଚାକିରୀରୁ ଅଧୁନା ଅବସର ଗ୍ରହଣ କରିବାପରେ ସେହି ଗାଁରେ ସ୍ଥାୟୀ ଭାବରେ ରହିଯାଇଛନ୍ତିl ଗ୍ରାମ ବାସୀଙ୍କର ତାଙ୍କ ଉପରେ ଅନେକ ଭରଷାl ସେମାନେ ମନେ କରନ୍ତି ମଧୁ ମାଷ୍ଟ୍ରେ ତାଙ୍କର ବଳିଷ୍ଠ ଯୁକ୍ତି ବଳରେ ସବୁ ସରକାରୀ ବାବୁ ମାନଙ୍କୁ ଅଚିରେ ବଶ କରିନେଇ ପାରନ୍ତିl ମଧୁ ମାଷ୍ଟ୍ରେ ସାଙ୍ଗରେ ଥିଲେ ଗ୍ରମବାସୀଙ୍କର ସାହାସ ଆସିଯାଏl ମୋର ମନେ ପଡୁଥିଲା ମୁଁ ବଦଳିରେ ଆସି ନୂଆ କରି ଏହି ଜାଗାରେ ଯୋଗଦେଲା ପରେ ଥରେ ସେହି ଗାଁକୁ କୌଣସି କାମରେ ଯାଇଥିଲିl ଜିଲ୍ଲପାଳଙ୍କର ନିର୍ଦ୍ଦେଶ ଥାଏ ଗାଁକୁ ଗଲା ସମୟରେ ସବୁ ବିଭାଗର କାମ ପ୍ରତି ନଜର ଦେଇ କିଛି ଅଘଟଣ ଘଟୁଥିଲେ ତାଙ୍କୁ ଜଣେଇବା ପାଇଁl ସେହି ଅନୁସାରେ ମୁଁ ମୋ ସହକର୍ମୀ ମାନଙ୍କ ସହିତ ସେ ଗାଁର ସ୍କୁଲକୁ ଯାଇଥିଲି l ଖରାଦିନ ଥିଲାl ମଶିଣା ଖଣ୍ଡିଏ ପକେଇ ମଧୁମାଷ୍ଟ୍ରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ବେଶ ଗାଢ ନିଦରେ ଶୋଇଥିଲେl ଜଣେ ଶିକ୍ଷୟତ୍ରୀ ପାଚିକା ଆସି ନଥିବାରୁ ମଧ୍ୟାହ୍ନ ଭୋଜନ ରାନ୍ଧୁଥିଲେ ପିଲାଙ୍କ ପାଇଁl ପିଲା କୋଡିଏ କି ବାଇଶି ସ୍କୁଲ ବାରଣ୍ଡାରେ କାଚ ବାଟି ଖେଳିବାରେ ବ୍ୟସ୍ତଥିଲେl ଏପରି ଅବ୍ୟବସ୍ଥା ଦେଖି ମୋ ଦେହ ସହିଲାନି l ମୁଁ ସବୁ ଦୃଶ୍ୟକୁ ମୋ ମୋବାଇଲ୍‌ କ୍ୟାମେରାରେ ଫଟୋ କରି ଆଣିଲି ଏବଂ ପରେ ଜିଲ୍ଲାପାଳଙ୍କୁ ଅବଗତ କରିଥିଲିl ଏହି ଘଟଣାରେ ମଧୁମାଷ୍ଟ୍ରେ ଦଣ୍ଡିତ ହେଇଥିଲେl ତାଙ୍କର ମୋ ଉପରେ ବେଶ୍‌ ରାଗ ଥାଏl ତାଙ୍କ ଭାଷାରେ ମଉକା ପାଇଲେ ସେ ମୋତେ ନିଶ୍ଚୟ ଦେଖିଦେବେl ଆଜି ତାଙ୍କୁ ଲୋକମାନଙ୍କ ଗହଣରେ ଦେଖି ମୋ ମନକୁ ପାପ ଛୁଇଁଥାଏl ତଥାପି ମୁଁ ଧୈର୍ଯ୍ୟର ସହିତ ତାଙ୍କୁ ଶୁଣିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହେଉଥାଏl

                    ମଧୁମାଷ୍ଟ୍ରେ ଆରମ୍ଭ କଲେ କହିବାl ସେହି ଗାଁର ଗରୁଡ ବେହେରାକୁ ଆଗ ମୋତେ ପରିଚୟ କରାଇଦେଲେl ପରେ ପରେ ସେ ଯାହା କହିଲେ ତାର ସାରମର୍ମ ଏପରିଥିଲା: ଗରୁଡ ବେହେରା ଆମପାଲି ଗ୍ରାମର ଜଣେ କୃଷି ଶ୍ରମିକl ସ୍ତ୍ରୀ ଓ ଅର୍ଜ୍ଜୁନ ନାମରେ ଗୋଟିଏ ସାବାଳକ ପୁଅକୁ ନେଇ ତା’ର ଘର ସଂସାରl ପୁଅଟି ସେହି ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେଇଥିଲା କିନ୍ତୁ ପରୀକ୍ଷାରେ ପାଶ କରି ପାରିନଥିଲାl ଜମି ବାଡି ବୋଲି ଗରୁଡର ମାତ୍ର ଅଧ ଏକର ଚାଷଜମି ସହିତ ନଅହାତ ଘରଡିହ ଯାହା ଉପରେ ସେ ସରକାରଙ୍କର ଇନ୍ଦିରା ଆବାସ ଯୋଜନାରେ ବ୍ଲକ ସହାୟତାରେ ଖଣ୍ଡେ ଘର ତିଆରି କରିଛିl ତା ଛଡା ଅନ୍ୟ ମାନଙ୍କର ଜମିରେ ବାପ ପୁଅ ମୂଲିଆ ଭାବରେ କାମ କରି ଦୁଃଖେ ସୁଖେ ଚଳନ୍ତିl ପୁଅ ତାର ପାଖ ଗାଁର ନିଧି ପଧାନଙ୍କ ଝିଅ ମିତାଲି ସହିତ ଗାଁ ସ୍କୁଲରେ ପଢୁଥିଲାl ସେତେବେଳ ଠାରୁ ଉଭୟେ ପରସ୍ପର ପ୍ରତି ଆକୃଷ୍ଟ ହେଇଥିଲେ ଏବଂ ବିବାହ କରିବାକୁ ମନସ୍ଥ କରିଥିଲେl

                    ପୁଅର ଏହି ସମ୍ପର୍କ କଥା ଜାଣିବା ପରେ ଗରୁଡ ନିଜେ ଦିନେ ତା’ ପୁଅର ବିବାହ ପ୍ରସ୍ତାବ ନେଇ ନିଧି ପଧାନଙ୍କ ଘରକୁ ଗଲାl ଅପର ପକ୍ଷରେ ନିଧି ପଧାନ କିନ୍ତୁ କଥାଟିକୁ ସାଧାରଣ ଭାବରେ ଗ୍ରହଣ କଲେ ନାହିଁl କାରଣ ଯାହା ଜଣାଗଲା, ଗରୁଡ ଥିଲା ନିହାତି ଗରୀବl ସମ୍ପତ୍ତି ବାଡି ବୋଲି ତା’ର ମାତ୍ର ଅଧ ଏକର ଚାଷ ଜମି ଓ ନଅ ହାତର ଘରଡିହ ଖଣ୍ଡେ ଥିଲାl ନିଧି ପଧାନ ଗରୁଡ ଠାରୁ କିଛି ମାତ୍ରାରେ ଅଧିକ ସ୍ବଚ୍ଛଳ ଥିଲେl ଗରୁଡ କେବେ କେମିତି ନିଧିଙ୍କ ଜମିରେ କୃଷି ଶ୍ରମିକ ଭାବରେ କାମ ମଧ୍ୟ କରିଛିl ତେଣୁ ନିଧିଙ୍କର ମତ ଥିଲା ତାଙ୍କ ହଳିଆ ଭାବରେ କାମ କରୁଥିବା ଗରୁଡର ପୁଅ ସହିତ ତାଙ୍କ ଝିଅର ବାହାଘର କଲେ ତାଙ୍କ ନାକ କଟିଯିବ ସମାଜରେl ତେଣୁ ସେ ଗରୁଡକୁ ଏପରି ଧୃଷ୍ଟତା କରିଥିବାରୁ ଯାବତୀୟ ତିରସ୍କାର କଲେl ବିଚରା ଗରୁଡ ସେଦିନ ନିଧି ପଧନଙ୍କ ଘରୁ ଅପମାନିତ ହେଇ ଲେଉଟି ଆସିଲାl ଘରେ କିନ୍ତୁ କାହାରିକୁ କିଛି କହିଲା ନାହିଁl

                    ଏଣେ ଅର୍ଜ୍ଜୁନ ଓ ମିତାଲିଙ୍କର ପ୍ରେମ ସମ୍ପର୍କ ହାଟରେ ପଡି ଦାଣ୍ଡରେ ଗଡିବାକୁ ଆରମ୍ଭ କଲାl ଗାଧୁଆ ତୁଠରେ ଗାଁ ମାଇପେ ଫୁସୁରୁଫାସର ହେଲେl ନିଧିଙ୍କୁ ଗାଁର ବୟସ୍କ ଲୋକ ମାନଙ୍କର ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହେଲାl ନିଧିଙ୍କର ସ୍ତ୍ରୀ ନିଧିଙ୍କୁ ପୁଣି ସେ ପ୍ରସ୍ତାବ ଉପରେ ବିଚାର କରିବାକୁ ଏକପ୍ରକାର ବାଧ୍ୟ କରିବାକୁ ଲାଗିଲେl ନିଧି କଅଣ କରିବେ ବା କଅଣ ନକରିବେ ଭାବି ପାରିଲେନିl ନିଧିଙ୍କର ଏହି ଭାବାନ୍ତର ଭିତରେ ଗାଁର ଜଣେ ବୟସ୍କ ଲୋକ ନିଧିଙ୍କୁ ବୁଝାସୁଝା କରି ପୁଣିଥରେ ଅର୍ଜ୍ଜୁନ ଓ ମିତାଲିଙ୍କର ବିବାହ ପ୍ରସ୍ତାବକୁ ଆଗେଇ ନେବାକୁ ଗାଁର କେତେଜଣ ମୁଖିଆ ଲୋକଙ୍କୁ ଦାୟିତ୍ବ ଦେଲେ ଏବଂ ପ୍ରସ୍ତାବ ଆଗେଇଲା l

                    ନିଧିଙ୍କର କିନ୍ତୁ ଗୋଟିଏ ଜିଦ୍‌l ତାଙ୍କ ଘରେ ଯିଏ ହଳିଆ କାମ କରୁଛି ତା’ର ପୁଅକୁ ସେ ଜ୍ବାଇଁ କରିବେ କିପରିl ତାଛଡା ଅର୍ଜ୍ଜୁନର ସେମିତି କିଛି ଆଖିଦୃଷ୍ଟିଆ ରୋଜଗାର ନଥିଲାl ଏ ସମସ୍ୟାର ସମାଧାନ ପାଇଁ ମଧୁମାଷ୍ଟ୍ରେ ତାଙ୍କ ତୀକ୍ଷ୍ଣ ବୁଦ୍ଧି ପ୍ରୟୋଗ କରି ଏକ ପ୍ରସ୍ତାବ ଦେଲେl ପ୍ରସ୍ତାବଟି ହେଲା ଗରୁଡ ବେହେରା ତାର ଜମିବାଡି ତା’ ପୁଅ ନାମରେ ରେକର୍ଡ କରିଦେବl ଗରୁଡ ବେହେରା ମଧୁମାଷ୍ଟ୍ରଙ୍କର ଏହି ପ୍ରସ୍ତାବରେ ସାଙ୍ଗେସାଙ୍ଗ ରାଜି ହେଇଗଲାl ତାର କହିବା କଥାଥିଲା ଅର୍ଜ୍ଜୁନ ତ ତାର ଗୋଟେ ବୋଲି ସନ୍ତାନl ଜମିବାଡି ତା’ ନାମରେ ରହୁ କି ତା’ ପୁଅ ନାମରେ ରହୁ ସେଥିରେ କିଛି ଫରକ ନାହିଁl ଗାଁ ଲୋକଙ୍କ ଚାପରେ ନିଧି ପଧାନ ମଧ୍ୟ ରାଜି ହେଲେ ବିବାହ ପ୍ରସ୍ତାବରେ କିନ୍ତୁ ସର୍ତ୍ତ ରଖିଲେ କି ବିବାହର ଯଥେଷ୍ଟ ପୂର୍ବରୁ ଅର୍ଜ୍ଜୁନ ନାମରେ ଘରବାଡି କାଗଜ ପତ୍ର ପ୍ରସ୍ତୁତ ହେଇଯିବା ଆବଶ୍ୟକl ତାହା ହିଁ ହେଲା l ଗରୁଡ ଗାଁ ମଧ୍ୟସ୍ଥିଙ୍କ ଉପସ୍ଥିତିରେ ପୁଅ ଅର୍ଜ୍ଜୁନ ନାମରେ ତର ସମସ୍ତ ଚାଷ ଜମି ଓ ଘର ଡିହ କବଲା କରିଦେଲା l

                    ଅର୍ଜ୍ଜୁନ ଓ ମିତାଲିଙ୍କର ବିବାହ ସମ୍ପନ୍ନ ହେଲା l ଗରୁଡ ସରକାରଙ୍କ ଠାରୁ ପାଇଥିବା ଇନ୍ଦିରା ଆବାସ ଘରଟି ପୁଅ ବୋହୁଙ୍କ ପାଇଁ ଛାଡି ଦେଲା ଏବଂ ନିଜେ ନିଜର ଗୁହାଳଟିକୁ ବାସପୋଯୋଗୀ ଭାବରେ ସଜାଡିଦେଇ ସେହିଠାରେ ରହିବାକୁ ଲାଗିଲା l କେତେ ଦିନ ଗଲା ପରେ ଦିନେ ବୋହୁ କହିଲା ଯେହେତୁ ଘରେ ଆଉ ବଳକା କୋଠରି ନାହିଁ କେହି ଘରକୁ ଆସିଗଲେ ବସାଉଠା କରିବାକୁ ଅସୁବିଧା ହେଉଛି ତେଣୁ ତାର ପ୍ରସ୍ତାବ ଥିଲା ଗରୁଡ ଏବଂ ତାର ସ୍ତ୍ରୀ ଘର ବାରଣ୍ଡାରେ ତାଟିତୁଟା ବୁଜିଦେଇ ରହିବେ ଓ ସେ ରହୁଥିବା ଚାଳିଆଟି ଘରକୁ ଆସୁଥିବା ଅତିଥି ଅଭ୍ୟାଗତଙ୍କ ପାଇଁ ଖାଲି ରହିବl ପ୍ରଥମେ ବୋହୁ କଥାରେ ଗରୁଡ ବହୁତ କଷ୍ଟ ପାଇଲା କିନ୍ତୁ ତାର ସ୍ତ୍ରୀ ତାକୁ ବୁଝାସୁଝା କରିବାରୁ ସେ ବୋହୁର ପ୍ରସ୍ତାବରେ ରାଜି ହେଲାl କହିବାକୁ ଗଲେ ଗରୁଡ କ୍ରମଶଃ ବେଘରିଆ ହେଲାପରି ଅନୁଭବ କଲା l ପୁତ୍ର ମୋହରେ ବାଇ ଗରୁଡ କିନ୍ତୁ ଚୁପ୍ ରହିଲା l

                    ଗରୁଡ ପେଷାରେ ଥିଲା କୃଷି ଶ୍ରମିକ l ତେଣୁ ସକାଳୁ ଗଣ୍ଡେ ବାସି ପଖାଳ ଖାଇ ବିଲକୁ ଯିବା ତାର ଅଭ୍ୟାସl ହଠାତ ଦିନେ ସକାଳୁ ସେ ବିଲକୁ ଗଲାବେଳକୁ ବୋହୁ କହିଲା ତୁମେ ବୁଢା ବୁଢି ଅଲଗା ରୋଷେଇ କର, ମୁଁ ତୁମ ପାଇଁ ରୋଷେଇ କରି ପାରିବିନିl ଗରୁଡ ବୋହୁ କଥାରେ କାନ୍ଦି ପକେଇଲା l କାହାକୁ କିଛି ନକହି ବୁଢାବୁଢି ଅଖିଆ ଅପିଆ ବାହାର ବାରଣ୍ଡାରେ ପଡି ରହିଥାଆନ୍ତି l ମଧୁ ମାଷ୍ଟ୍ରେ ସେହି ବାଟେ ଗଲାବେଳେ ତାଙ୍କ ନଜର ପଡିଲା ବୁଢାବୁଢିଙ୍କ ଉପରେ l ସେ ଅନୁମାନ କଲେ କି କିଛି ଅଘଟଣ ଘଟିଛି ନିଶ୍ଚୟ ଗରୁଡ ପରିବାରରେl ସେ ପାଖକୁ ଯାଇ ସବୁ କଥା ବୁଝିଲେl ଗାଁରେ କଥା ପକେଇଲେ ମଧୁ ମାଷ୍ଟ୍ରେl ଗାଁ ତରଫରୁ ଗରୁଡ ଓ ତା ସ୍ତ୍ରୀ ନିମିତ୍ତ ଖୁରକିର ବନ୍ଦୋବସ୍ତ କରିଦିଆଗଲା ଏବଂ ଗରୁଡର ସମୁଦି ନିଧି ପଧାନଙ୍କୁ ଖବର ଦିଆଗଲାl କିନ୍ତୁ ସେ ଆସିଲେ ନାହିଁ l ଫଳରେ ଗାଁ ଲୋକେ ଏହି ଘଟଣାର ଏକ ଫଳପ୍ରସୁ ନିଷ୍ପତ୍ତି କରାଇବାରେ ପ୍ରଶାସନର ସହାୟତା ଲୋଡିବା ଉଦ୍ଦେଶ୍ୟ ରଖି ମୋ ପାଖକୁ ଆସିଥାଆନ୍ତି l

                    ଏହା ଥିଲା ଏକ ସମ୍ପୂର୍ଣ୍ଣ ପାରିବାରିକ ଘଟଣା l ଜଣେ ବିଡିଓଙ୍କର ଏଭଳି ଏକ ଘଟଣାରେ କିଛି କାର୍ଯ୍ୟାନୁଷ୍ଠାନ କରିବାର ଆଇନଗତ ଅଧିକାର ନାହିଁl ତଥାପି ମାନବିକତା ଦୃଷ୍ଟିରୁ ମୁଁ ଗରୁଡକୁ ସାହାଯ୍ୟ କରିବାକୁ ମନେ ମନେ ସ୍ଥିର କଲିl ଘଟଣାଟି ବାରମ୍ବାର ତର୍ଜମା କରୁ କରୁ ମୋର ମନେ ହେଲା କି ଗରୁଡ ତା’ ନାମରେ ରେକର୍ଡଭୁକ୍ତ ଥିବା ଜାଗାଜମି ତା’ ପୁଅ ନାମରେ କରିବା ଯୋଗୁଁ ଏତେ ଅସୁବିଧା ଭୋଗ କରୁଛିl ତେଣୁ ପ୍ରଥମେ ସେ ଜାଗାଜମି ସଂକ୍ରାନ୍ତରେ କରିଥିବା ଦଲିଲଟି ନାକଚ କରେଇଦେବାଟା ହିଁ ତା ସମସ୍ୟା ସମାଧାନର ସହଜ ଉପାୟl

                    ସ୍ଥାନୀୟ ତହସିଲଦାର ସେହି ଜାଗାରେ ନିଜେ ଭୂମି ନିବନ୍ଧକ ଅଧିକାରୀ ଭାବେ ମଧ୍ୟ ଦାୟୀତ୍ବ ତୁଲାଉଥିଲେ l ମୁଁ ତାଙ୍କ ସହିତ ଯୋଗାଯୋଗ କରି ଜାଣିଲି ଯେ ଗରୁଡ ପ୍ରସ୍ତୁତ କରି ଦାଖଲ କରିଥିବା ଦଲିଲଟି ଉପରେ ବାକିଆ କର୍ଯ୍ୟାନୁଷ୍ଠାନ ଶେଷ ହେଇନି l ତେଣୁ ଦଲିଲଟି ଗରୁଡ ନାକଚ କରେଇଦେବାରେ ବିଶେଷ ଅସୁବିଧା ନାହିଁ l ଏ କଥା ଜାଣିଲା ପରେ ମୁଁ ଗରୁଡକୁ ସାହାଯ୍ୟ କରିବାକୁ ଚଉକଷ କରି ଆଣ୍ଟା ଭିଡିଲି l ମଧୁମାଷ୍ଟ୍ରେ ଗାଁର ମନ୍ତ୍ରଣା ଦାତାl ମୁଁ ତାଙ୍କୁ ଘଟଣାଟି ବୁଝେଇଦେଲା ପରେ ତାଙ୍କ ମୁହଁରେ ସ୍ମିତ ହାସ୍ୟ ଆସିଗଲାl ତାଙ୍କରି ପ୍ରଚେଷ୍ଟାରେ ଗରୁଡ କରିଥିବା କବଲାଟି ନାକଚ ହେଇଗଲା l

                    ନିଧି ପଧାନ ନେପଥ୍ୟରେ ରହି ପୁରା ଘଟଣାଟି ଉପରେ ତୀକ୍ଷ୍ଣ ନଜର ରଖିଥିଲେ l ସେ ଯେତେବେଳେ ଜାଣିଲେ ଯେ ଗରୁଡ ବିବାହ ଆଗରୁ ପୁଅ ନାମରେ କରିଥିବା କବଲାଟି ନାକଚ କରି ଦେଇଛି ସେ ତାର ଝିଅକୁ ଫେରେଇ ନେବାକୁ ଧମକ ଦେଲେl କିନ୍ତୁ ବିବାହ ତ ସରିଯାଇଥିଲାl ଅର୍ଜ୍ଜୁନ ଓ ମିତାଲି ସେ ଦିନର ତାରିଖରେ ଆଇନ୍‌ତଃ ଭାବରେ ଥିଲେ ସ୍ବାମୀ ଓ ସ୍ତ୍ରୀl ତାଙ୍କୁ ବା କିଏ ଅଲଗା କରି ପାରନ୍ତାl ଏଣେ ଗରୁଡକୁ ଗାଁ ଲୋକେ ତାର ଇନ୍ଦିରା ଆବାସ ଘରେ ରହିବାକୁ କହିଲେ କିନ୍ତୁ ସେ ପୁଣି ସେହି ଚାଳ ଛପର ଘରକୁ ଯିବାକୁ ଇଛା କଲା l କିନ୍ତୁ ତାପର ଠାରୁ ଗରୁଡର ଘରେ ଦୁଇଟି ଚୁଲି ଜଳିଲାl ପୁଅର ମନସ୍ତାପ କିନ୍ତୁ ଗରୁଡକୁ କୌଣସି ମତେ ପ୍ରଭାବିତ କରି ପାରିନଥିଲାl

(ସମାପ୍ତ)

-----------------------------------------------------



Rate this content
Log in

Similar oriya story from Drama