ଗୋଠ ଖଣ୍ଡିଆ
ଗୋଠ ଖଣ୍ଡିଆ
ଘରକାମ କରୁ କରୁ ସେ ଫଟା କାନ୍ଥ ଫଟେଇ ଉଠିଥିବା ଗଛଟିକୁ ଦେଖେ।କେତେ ବା ମାଟି !ହେଲେ ସେତିକି ମାଟିରେ ଜୀବନଟିଏ ଠିଆ ହେଇଛି କଅଁଳ ପତ୍ର ମେଲି ।କଣ ତାର ଭବିଷ୍ୟତ ସେ ନିଜେ ବି ଜାଣିନି ।ତଥାପି ମୁଣ୍ଡ ହଲେଇ ଖେଳୁଛି ପବନ ସାଥୀରେ ।ଆଲୁଅ ମୁହାଁ ହେଇ ଦେଖୁଛି ଆକାଶକୁ ।ସେଇଠୁ ସେ ବୁଝିଗଲା ଜଗତ ଆଉ ଜଗଦୀଶ୍ଵରଙ୍କ ସହିତ ଜୀବନର ଏକ ନିବିଡ ସଂପର୍କ ଅଛି ।ସେ ବି ପାଳିବ ନିଜ ଜୀବନକୁ ବୋଲି ପ୍ରତିଜ୍ଞା କଲା ନିଜ ସାଥୀରେ ।
ହଁ କାଲି ଗାଈକୁ ଘାସ ଦିମୁଠା ଦେଇ ଆଉଁସି ଦେଲା ବୋଲି କେତେ ଟାପରା ଶୁଣିଲା ଶାଶୁଘରୁ ।ମଡର୍ଣ୍ଣ ଫାମିଲିରେ କୁଆଡୁ ଗୋଟେ ନିପଟ ମଫସଲିଆଣୀ ଆସି ଜୁଟିଛି ।ଗୁହାଳକୁ ଯାଇ ସେଇ ମୁକ ପଶୁମାନଙ୍କ ନୀରବ ଚାହାଣୀ ଭିତରେ ସେ ଖୋଜି ପାଏ ନିରୁତା ଭଲ ପାଇବା ।ସେ କଥା ସେ କାହାକୁ କହି ପାରେନି ।ସତରେ ସେ ମଫସଲିଆଣୀଟେ ।ନହେଲେ ଦିପହରେ ବାସନ ମାଜିବାକୁ ଆସିଥିବା ଚାକରାଣୀ ସାଙ୍ଗରେ ବସି ଗପ ଯୋଡନ୍ତା ?ସେମାନେ ଛୋଟ ଲୋକ ।ମୁଣ୍ଡରେ ବସେଇଲେ ଆଉ କଥା ମାନବେନି ।କିନ୍ତୁ ଏତିକି ଟେକ୍ନିକ୍ ସେ ଜାଣିନି ।"ଗୋଡ ତଳର ଲୋକଗୁଡାକୁ ମୁଣ୍ଡରେ ବସାନି "କହିଲେ ଓଲଟା ଯୁକ୍ତି କରେ ।
"ଗୋଡ ତଳର କିଏ ମ।ସମସ୍ତେ ତ ସମାନ ।ଆଉ ସତରେ ଯଦି ଗୋଡ ତଳର ତେବେ ତମମାନଙ୍କ ମୁଣ୍ଡଟା ତ ତା ଗୋଡ ଉପରେ ଥୁଆ ହେଇଛି ।ଗାନ୍ଧୀ ବିନା ଇଣ୍ଡିଆ ଚଳିବ ,କିନ୍ତୁ ସେ ନହେଲେ ତମର ଦିନେ ବି ଚଳେନି ।ସମସ୍ତଙ୍କ ଅଣ୍ଟା ପିଠି ଧରି ଯାଏ "।
"ବାଃ ,ତୋର ଖୁରାକୁ ଜୁହାର ।ଭୁଲ୍ କରିବୁ ,କହିଲେ ପୁଣି ଜବାବ ଦେବୁ ।ଗୋଠ ଖଣ୍ଡିଆଟେ ।'
ହଁ ସେ ଗୋଠ ଖଣ୍ଡିଆ ।ମୁଖା ପିନ୍ଧା ଜୀବନ ଭିତରେ ସତ ମୁହଁଟେ ଖୋଜେ ।ଉପରେ ଉପରେ କୋଳାକୋଳି ଭିତରେ ସେ ସତସତିକାଭଲ ପାଇବା ଟିକେ ପାଇଁ ଝୁରି ମରେ ।ବଂଶ ଭିତରେ ଥିବା ଆଡବାୟା ପୁଅଟିକି ଅକୁଣ୍ଠ ଭଲ ପାଏ ।ସେ ଟୋକା ବି ସେମିତି ।ତା ଆସିବା ବାଟକୁ ଚାହିଁ ବସିଥାଏ ।ଆଉ ଯେତେ ଯିଏ ଥିଲେ ବି ସେଇ ସାନ ମାଆଟି ତାର ଅତି ପ୍ରିୟ ।ସମସ୍ତେ ଯୋଉ ବାଟରେ ଚାଲନ୍ତି ସେ ବାଟରେ ସେ ଚାଲି ଶିଖିନି ।ଆଉ ତା ବାଟଟା ସବୁଦିନେ ଅଗମ୍ୟ। ସେ ବାଟେ କିଏ ବା କାହିଁକି ଚାଲିବ ?ତଥାପି ସେ ମନେ ପକାଏ ଜଗତ ଆଉ ଜଗଦୀଶ୍ଵରଙ୍କ ସହିତ ତାର କିଛି ନା କିଛି ସମ୍ପର୍କ ଅଛି ।ସେଥିପାଇଁ ସେ ବି ଜୀବନ ଜୀଇଁବାକୁ ଆଉ ଆକାଶମୁଖା ହେଇ ସ୍ବପ୍ନ ଦେଖିବାକୁ କେବେ ବି ଭୁଲେନି ।