Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ରଜ ଶେଷ ଦିନ
ରଜ ଶେଷ ଦିନ
★★★★★

© Chinmayee Barik

Inspirational Abstract

3 Minutes   7.3K    8


Content Ranking

ରଜ ଶେଷ ଦିନ ।ଭଦ୍ରକ ବସ୍ ଷ୍ଟାଣ୍ଡରେ ବସ୍ ଅପେକ୍ଷାରେ ଠିଆ ହୋଇଥାଏ ।ପ୍ରବଳ ଭିଡ । ଭାବୁଥାଏ ଘରକୁ ଫେରିଯିବି,ଭୁବନେଶ୍ୱର ଆଉ ଯାଇ ହେବନି । କାହା ପାଟି ଶୁଣଲି ....ମୋ ଦେଇ ଲୋ....ଲୁସି ଦେଇ ଲୋ ....।କିଏ ଡାକୁଛି ବୁଲି ଦେଖିଲି ଗୋଟିଏ ଝିଅ ଗୋଟିଏ ହାତରେ ଶାଢୀ କାନି ଧରିଛି ଆଉ ଆର ହାତରେ ଗୋଟିଏ ଭେନିଟି ଧରି ମୋ ଆଡକୁ ଝପଟି ଆସୁଛି । ମୁଁ ଜାଣି ପାରିଲିନି ଦୂରରୁ ।ଏମିତି ବି ମୁଁ ଟିକେ ଲୋକ ଡେରିରେ ଚିହ୍ନେ । ଝିଅଟି ଦୌଡି ଆସି ମୋ ଠାରୁ ହାତେ ଦୂରରେ ହଠାତ୍ ଅଟକି ଗଲା । ମୁଁ ଦେଖିଲି ଖୁବ୍ ସୁନ୍ଦର ଝିଅଟେ ।ଆଖିରେ କଳା,ଓଠରେ ଲିପଷ୍ଟିକ୍,ମଥାରେ ବିନ୍ଦି,ହସ ହସ ମୁହଁ,ପାଟିରେ ପାନ ପୁରାଇଛି । ତା ଆଖିକୁ ଅନେକ ସମୟ ଅନାଇଲି । ତା ଆଖିରୁ ଆପଣାପଣରର ଅଙ୍କୁଶଟେ ଯେମିତି ମୋ ହୃଦୟକୁ ତା ଆଡକୁ ଟାଣି ନେଉଛି । ତା ଆଖି ଛଳ ଛଳ । ତା ଓଠରେ ବାହାରିଲା,ଦେଇଲୋ ମୋତେ ଚିହ୍ନି ପାରୁନୁ ? ନା ଚିହ୍ନି ଅନ୍ୟ ମାନଙ୍କ ଭଳି ମୋତେ ଘୃଣା କରୁଛୁ କଥା ହେବାକୁ । କହିବୁ ଯଦି ଚାଲିଯିବି ଦୂରରୁ ଟିକେ ଦେଖି । କେତେ ଦିନରୁ ଦେଖି ନ ଥିଲି ତୋତେ । ଏଠି ଦେଖି ମୁଁ ଆଉ ରୋକି ପାରିଲିନି । ଦେଇ....କିଛି କହୁନୁ ଯେ??.....uffff. ......ଏ ଶବ୍ଦ ମୋ ହୃଦୟକୁ ହାତୁଡିରେ ଯେମିତି କିଏ ବାଡଉ ଥିଲା । ସେ ହାତେ ଦୂରରେ ସେମିତି ଛଳ ଛଳ ଆଖିରେ ଠିଆ ହୋଇଥିଲା ।ତା କଥା ଶୁଣି ମୋ ଭିତରର କଣ ଗୋଟିଏ ଭାବନା ଧଡାସ୍ କରି ବାହାରି ଗଲା । ତାକୁ ଝିଙ୍କି ଆଣି କୁଣ୍ଢେଇ ପକାଇଲି । ଇସ୍,କି ଶାନ୍ତି । ହଁ,ଏବେ ମୁଁ ଚିହ୍ନି ପାରିଥିଲି ସେ ଝିଅଟିକୁ ।

ସେ ମୋର ଜଣେ ସଂପର୍କିୟ ଭାଇ ଥିଲା । କୌଣସି ଏକ ଅବସ୍ଥାରେ ପଡି ସେ ହିଞଡା ହୋଇ ଯାଇଥିଲା । କାହିଁକି ଏମିତି କଲା କେବେ ପଚାରିବାର ସୁଯୋଗ ପାଇନି । ପାଇଥିଲେ ବି ପଚାରି ନ ଥାନ୍ତି । କିନ୍ତୁ ଶୁଣିଥିଲି ତାର ଏ କାର୍ଯରେ ତା ଘରେ ତାକୁ ଆଉ ପୁରାଇ ଦିଆ ଗଲାନି । ସମ୍ପତ୍ତିରୁ ବେଦଖଲ କରା ଗଲା । ଛି ଛି କଲେ ସବୁ । ଗାଁରେ ପଶିବାକୁ ଦେଲେନି । ଦିନେ ହଠାତ୍ ଘରୁ ଗାୟବ ହୋଇ ଯାଇଥିଲା। ଆସିଲା ପରେ ଏ ଅବସ୍ଥା । ସେ କୁହେ ତାର କିଛି ମନେ ନାହିଁ କଣ ହୋଇ ଥିଲା ତା ସହ । ଅନେକ ଘୃଣାର ଶରବ୍ୟ ହୋଇଥିଲା । ମୁଁ ତାକୁ ଦେଖୁଥିଲି ।କହିଲା,ଏମିତି ଗିଳିଲା ଭଳି ମୋତେ ଅନେଇଛୁ କଣ??ମୋତେ ଲାଜ ଲାଗୁଛି । ମୁଁ କହିଲି ,ରହ ଟିକେ ତୋତେ ଟିକେ ମନ ପୁରାଇ ଦେଖେ ତ ଆଗେ । ହଁ,ସେ ମୋ ଭାଇ ଥିଲା । ଖୁବ୍ ଦୁଷ୍ଟ । ଟିକେ ବେଶୀ ତରକାରୀ ଖାଇଦେଲେ ପଖାଳ ତୁରାଣି ଭିତରେ ମୋ ହାତ ଚିମୁଟି ଖଣ୍ଡିଆ କରି ଦେଉଥିଲା । ରାଗିଗଲେ ଘର ଛାଡି ବିଲରେ ବିଲରେ ଦୌଡୁଥିଲା । କାହା ଗାଈ ଛୁଆ ଦେଲେ ଗାଈର କଷ୍ଟ ଦେଖି ଭୋ ଭୋ କାନ୍ଦୁଥିଲା । ସିଲଟ,ଖଡି ନେଇ ଚୂଲି ପାଉଁଶ ଭିତରେ ଲୁଚାଇ ରଖୁଥିଲା । ସବୁ ମନେ ପକାଇ ଦେଲି ତାକୁ । ହସି ହସି କହିଲା,ସେ ଦିନ କଣ ଅଛି ଆଉ ।ଏବେ ମୁଁ ଘୃଣାର ପାତ୍ର । ତୁ ବି ମୋତେ ଘୃଣା କରୁଥିବୁ । ମୁଁ କହିଲି....ନା ମୁଁ ତୋତେ ଆଗଭଳି ଭଲପାଏ । ତୁ ତୋ ପସନ୍ଦର ରାସ୍ତା ବାଛିଚୁ । ନିଜ ଇଛାରେ ବଞ୍ଚିବାର ସାହାସ କରିପାରିଛୁ । ଏହା ଏକ ବିରାଟ ପରିବର୍ତ୍ତନ। ସମସ୍ତଙ୍କୁ ସାମ୍ନା କରିବା ଟିକେ କଥା ନୁହେଁ। ଆମେମାନେ ତ ଛୋଟ ଛୋଟ କଥାକୁ ସାମ୍ନା କରି ନ ପାରି ମିଛ କହୁଛୁ । କିନ୍ତୁ ତୁ ପ୍ରତି ମୁହୂର୍ତ୍ତରେ ସମାଜକୁ ସାମ୍ନା କରୁଛୁ । ତା ଭିତରେ ବି ତୁ ତୋର ଖୁସିର ଖୋରାକ ଯୋଗାଇ ପାରୁଛୁ । ଆମେମାନେ ତ ଖୁସିର ମୁଖା ପିନ୍ଧି ଗୁମୁରି ଗୁମୁରି କାନ୍ଦୁଥିବା ଲୋକ । ନିଜ ଖୁସି ଲାଗି ନିଜ ଲାଗି ରାସ୍ତାଟେ ବାଛି ନେବା ବି ଖୁବ୍ ବଡ କଥା । ମୋ କଥା ଶୁଣି ସେ ବୋଧ୍ ହୁଏ ଟିକେ ହାଲକା ଦେଖାଗଲା । ଭେନିଟିରୁ କାଡବରିଜ୍,ଜେମସ୍,ଡାଏରୀ ମିଲ୍କ ,ଆଉରି କେତେ ଚକ୍ଲେଟ୍ ଦେଲା । ମୁଁ ସେଥିରୁ ଗୋଟିଏ ଖଟାମିଠା ଚକଲେଟ୍ ନେଇ ବାକିତକ ଫେରାଇ ଦେଲି । ସେ ହସିକି କହିଲା ତୋର standard ସେଇଠି ଅଛି ଟିକେ ବି ବଦଳିନୁ । ସେଇ ଖଟାମିଠାରେ ଅଛୁ । ଆମେ ଦୁହେଁ ଖୁସିରେ ହସୁଥିଲୁ । ଆମକୁ ଅନାଇ ଲୋକମାନେ ତାତ୍ସଲ୍ୟ କରି ହସୁଥିଲେ । ବସ୍ ଆସି ଯାଇଥିଲା । ସେ ମୋତେ ହାତ ହଲାଇ ବିଦାୟ ଦେଲା । ବସ୍ ଛାଡିଲା ବେଳକୁ ଆମ ଦୁହିଁଙ୍କ ଆଖିରେ ଟିକେ ଲୁହ ଆସିଯାଇଥିଲା ।

ବସ୍ ଝିଅଟି ହିଞଡା

Rate the content


Originality
Flow
Language
Cover design

Comments

Post

Some text some message..