Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

3  

Prasanta kumar Hota

Inspirational

ଜୀବନରୁ ପଦେ

ଜୀବନରୁ ପଦେ

9 mins
15.1K


ମୋର ଅଧଃପତନ ଆରମ୍ଭ ହୋଇ ସାରିଥାଏ। ବିଦ୍ୟାଳୟ ର ଜଣେ ଭଲ ଛାତ୍ର ହଠାତ୍ କଲେଜରେ ଖରାପ୍ ଛାତ୍ର ହୋଇଯିବ କେହି ବିଶ୍ଵାସ କରି ପାରୁ ନଥିଲେ। କେହି ବିଶ୍ଵାସ କରୁ ବା ନକରୁ ମୋର ଶିକ୍ଷାର ମାନ ଆଉ ଆଗକୁ ବଢି ପାରିଲା ନାହିଁ। ଏଥିପାଇଁ ବିଶେଷ କାରଣ ମଧ୍ୟ କେହି ଜାଣି ପାରୁ ନଥିଲେ। ନା ମୋର ଚରିତ୍ରଗତ ଦୁଷ୍ଟାମି ଥିଲା ନା କୁଳାଙ୍ଗାର ବୃତ୍ତି ଥିଲା। ବେଶି ସମୟ ଘର ବାହାରେ ବି କଟୁ ନଥିଲା ତଥାପି ପାଠ ମୁଣ୍ଡ ଭିତରେ ପଶିବା ପାଇଁ ବାଟ ପାଉ ନଥିଲା। ତେଣୁ କୌଣସି କାରଣକୁ ଇଙ୍ଗିତ କରି କେହି ଗାଳି ମଧ୍ୟ ଦେଇ ପାରୁ ନଥିଲେ । ମୁଁ ମଧ୍ୟ ବ୍ୟତିବ୍ୟସ୍ତ ନଥିଲି ଯେହେତୁ ମୋର ସମୟ ଭଲରେ କଟି ଯାଉଥିଲା। ନିୟମିତ କଲେଜ ଯିବା, ଘରେ ଉପସ୍ଥିତ ରହିବା ଓ ଖେଳ ସମୟରେ ଖେଳିବା ସବୁ ସୁରୁଖୁରୁରେ ଯାଉଥିଲା। ଛାତ୍ର ଜୀବନରେ ଆଉ କଣ ବା ଅଧିକା ଦରକାର। ସଫଳତା ଓ ସକ୍ଷମତା ସଦାବେଳେ ଯେ ଜୀବନ ଆନନ୍ଦର ନିୟାମକ ଭାବେ କାର୍ଯ୍ୟ କରିବ ଏମିତି ନିଶ୍ଚିୟତା ନାହିଁ। ମୁଁ ମୋର ସ୍ଵାଭାବିକ ଆନନ୍ଦ ନେଉଥିଲି।

ମୋ ଛାତ୍ର ଜୀବନର ଇତି ହେଲା ଯେତେବେଳେ ଗ୍ରାଜୁଏସନ୍ ସରିଗଲା ଓ ଆଗକୁ ପାଠ ପଢିବାର ସବୁ ରାସ୍ତା ବନ୍ଦ ହୋଇଗଲା ବୋଲି ହୃଦବୋଧ ହେଲା। ସେତେବେଳେ ମୁଁ ଜାଣି ପାରିଲି ଯେ ମୁଁ ଦିଗହରା। ଜୀବନରେ କିଛି କରିବା ପାଇଁ ଯେପରି ସବୁ ରାସ୍ତା ବନ୍ଦ ହେଇ ଯାଇଛି। କେବଳ ପାଠକୁ ଭିତ୍ତି କରି ଯିଏ ଅଗ୍ରସର ହୁଏ ସେ ପାଠରେ ବଳବତ୍ତର ରହିବା ନିହାତି ଆବଶ୍ୟକ ଯାହା ମୋ ପାଖରେ ନଥିଲା। ପାଠ ଛଡା ଅନ୍ୟ କୌଣସି ଦିଗରେ ଯେ ମୁଁ ସକ୍ଷମ ତାହା ଭାବି ପାରୁନଥିଲି । କଲେଜ ପରୀକ୍ଷାରେ ସର୍ବନ୍ୟୁନ ନମ୍ବର ରଖି ଆଗକୁ ବଢିବାର ଯେ ସ୍ଵପ୍ନ ଦେଖି ହେବ ତାହା ଧିରେ ଧିରେ କୃଷ୍ଣ ପକ୍ଷ ଚନ୍ଦ୍ର ପରି ଅମାବାସ୍ୟା ଆଡକୁ ଗତି କରୁଥିଲା।

ଆଗତ ଅନ୍ଧାର ଯେତେବେଳେ ନିଶ୍ଚିତ ବୋଲି ମନେହୁଏ ସେତେବେଳେ ସମସ୍ତେ ଆଲୋକର ସନ୍ଧାନରେ ବ୍ୟସ୍ତତା ଦେଖାନ୍ତି।

ଏପର୍ଯ୍ୟନ୍ତ ମୋ ବିଷୟରେ କେହି ଚିନ୍ତା କରୁ ନଥିଲେ। ହଠାତ୍ କିନ୍ତୁ ସମସ୍ତେ ଚିନ୍ତା କରିବା ଆରମ୍ଭ କରିଦେଲେ। ଚିନ୍ତା ଥିଲା ମୋର ଭବିଷ୍ୟତ କଣ ହେବ। ସମାଧାନର ସୂତ୍ର କହିବା ଅପେକ୍ଷା ସମସ୍ତେ ଆକ୍ଷେପରେ ବ୍ୟସ୍ତ ଥିଲେ। ଆକ୍ଷେପ ଯେତେବେଳେ ଆସ୍ତେ ଆସ୍ତେ କୁତ୍ସା ଆଡକୁ ଗତି କରେ ସେତେବେଳେ ମଣିଷର ଅନ୍ତର୍ନିହିତ ଶକ୍ତି ମଧ୍ୟ କ୍ଷୟ ହେବା ଆରମ୍ଭ କରେ। ମୁଁ ବା ସେଥିରୁ ବାଦ୍ ଯିବି କେମିତି। ମୋର ଅନ୍ତଃ ମନ ମଧ୍ୟ ବିଦ୍ରୋହ କରି ଉଠୁଥିଲା। କିନ୍ତୁ ସ୍ୱାବଲମ୍ବୀ ଯିଏ ନୁହେଁ ତାର କ୍ରିୟା ପ୍ରତିକ୍ରିୟାର କୌଣସି ଗୁରୁତ୍ଵ ନଥାଏ।

ମୁଁ ସ୍ଥିର କରି ସାରିଥିଲି ଯେ ଟ୍ୟୁସନ କରି କିଛି ପଇସା ରୋଜଗାର କରିବି। ମୋର ସ୍କୁଲ ସମୟର ଅଙ୍କ ଦକ୍ଷତା ଥିଲା। ତେଣୁ ସ୍କୁଲ୍ ପିଲାଙ୍କୁ ପଢାଇବାରେ କିଛି ଅସୁବିଧା ହେଲା ନାହିଁ। କିନ୍ତୁ ପଢାଇବା ଓ ରୋଜଗାର ପାଇଁ ପଢାଇବା ଭିତରେ ଯେ ଏତେ ପାର୍ଥକ୍ୟ ଅଛି ତାହା କେବଳ ଅନୁଭବୀ ହିଁ ବୁଝି ପାରିବ। ମୁଁ କୌଣସି ଯାଗାରେ ବେଶି ସମୟ ତିଷ୍ଠି ପାରିଲି ନାହିଁ। ମୋତେ ମୋର ସାମର୍ଥ୍ୟ ଉପରେ ମଧ୍ୟ ସନ୍ଦେହ ଆସିବା ଆରମ୍ଭ ହେଇଗଲା। ମୁଁ କଣ କରିବି ଏହି ଚିନ୍ତା ଘାରିବାକୁ ଲାଗିଲା। ଅନାଦର ଭାବ ଯେତେବେଳେ ସବୁଆଡ଼େ ବସା ବାନ୍ଧିବାକୁ ଆରମ୍ଭ କରେ ସେତେବେଳେ ମର୍ଯ୍ୟାଦା ତାର ସତ୍ତା ହରାଇ ବସେ।

ଦିନେ ମୋ ବାପାଙ୍କର ଜଣେ ବନ୍ଧୁ ପରିମଳ ଦାସ ଘରକୁ ଆସିଥିଲେ। ସେ ଜଣେ ବିଦ୍ଵାନ ଓ ଜ୍ୟୋତିଷ ବିଷାରଦ ଥିଲେ। କଥା ଛଳରେ ବାପା ମୋ ଆଡେ ଇଙ୍ଗିତ କରି ତାଙ୍କୁ କହିଲେ- ଏ ପିଲାଟା ମୋର କଣ କରିବ ମୁଁ ଭାବି ଭାବି ନୟାନ୍ତ ହେଇ ଗଲିଣି। ଯାହା ବାପା କେବେ କହି ନଥିଲେ ତାହା ଶୁଣି ଆଶ୍ଚର୍ଯ୍ୟ ଲାଗିଲା ଓ ନିଜକୁ ଅତି ଛୋଟ ମନେହେଲା। ନିଜ ଇଚ୍ଛା ବିରୁଦ୍ଧରେ କିଛି ଜିନିଷ ଘଟିଲେ ବି ସେଥିରେ ଯେ ପ୍ରଭୁଙ୍କର ମଙ୍ଗଳ ଉଦ୍ଦେଶ୍ୟ ଥାଏ ତାହା କେବଳ ସମୟରୁ ଜଣାପଡେ।

ମୋ ଜୀବନରେ ଘଟଣାର ମୋଡ ଠିକ୍ ଏହିଠାରୁ ହିଁ ଆରମ୍ଭ ହେଲା।

ପରିମଳ ସାର୍ ବାପାଙ୍କର ଅତି ଘନିଷ୍ଠ ଥିଲେ। ବାପାଙ୍କର ବିଚଳିତ ଅବସ୍ଥା ଦେଖି ସେ ବିଚଳିତ ନହେବା ପାଇଁ କହିଲେ। କିନ୍ତୁ ପାଣି ଯେତେବେଳେ ଚହଲି ସାରିଛି ତାକୁ ତ ସ୍ଥିର ହେବା ପାଇଁ ସମୟ ଲାଗିବ। ବାପା ଚୁପ୍ ରୁହନ୍ତେ ପରିମଳ ସାର୍ ବୁଝାଇବା ପରି କହିଲେ ସ୍ଵାଭାବିକ ପରିସ୍ଥିତିରେ ସମସ୍ତେ ଗତି କରି ପାରନ୍ତି କିନ୍ତୁ ଅସ୍ୱାଭାବିକ ପରିସ୍ଥିତିକୁ ଯିଏ ଆୟତ୍ତ କରିପାରେ ତାର ମହାନତାର ସ୍ତର ଲୋକ ଲୋଚନକୁ ଆସିଯାଏ ।ଦ୍ରୌପଦୀ ପଞ୍ଚ ସ୍ଵାମୀର ପତ୍ନୀ ହୋଇ ସତୀର ଆଖ୍ୟା ପାଇ ପାରିଲେ ଅଥଚ ଉର୍ମିଳାଙ୍କ ସତୀତ୍ଵ କାହା ଆଖିକୁ ଦିଶିଲା ନାହିଁ। ଉଭୟେ ସତୀ କିନ୍ତୁ ଜଣେ ସ୍ଵାଭାବିକ ପରିସ୍ଥିତି ଦେଇ ଯାଇଛନ୍ତି ଓ ଆଉ ଜଣେ ଅସ୍ୱାଭାବିକ ପରିସ୍ଥିତିକୁ ଧର୍ଯ୍ୟର ସହିତ ସମ୍ମୁଖୀନ ହୋଇଛନ୍ତି। ତୁମେ ଧର୍ଯ୍ୟ ଧର, ଯାହା ଉଚିତ ଓ କରଣୀୟ କରିଚାଲ। ସବୁ ଠିକ୍ ହେଇଯିବ।

ପରିମଳ ସାର୍ ଙ୍କ ବକ୍ତବ୍ୟରେ ବାପା କିଛି କହି ପାରୁ ନଥିଲେ। ମୁଁ ମଧ୍ୟ ବ୍ୟସ୍ତ ହୋଇ ପଡୁଥିଲି କାରଣ ବାପାଙ୍କର ଏତେ ଗୁଡ଼ାଏ ଚିନ୍ତା ମୋତେ ମଧ୍ୟ ଭଲ ଲାଗୁ ନଥିଲା ।

ବାପା ମୋ ଆଡ଼କୁ ଅନାଇ କିଛି କହିବା ପାଇଁ ଚାହୁଁ ଥିଲେ କିନ୍ତୁ ପରିମଳ ସାର୍ ଇସାରାରେ ମନାକଲେ କହିଲେ ତୁମେ ବ୍ୟସ୍ତ ହୁଅ ନାହିଁ। ପରିସ୍ଥିତିକୁ ଆୟତ୍ତ କରିବାକୁ ହେଲେ ଶେଷ ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିବାକୁ ହେବ। ବିନା ପ୍ରୟାସରେ ହାରିବାର ଦୁଃଖ ଆତ୍ମଘାତି ହୋଇ ଥାଏ।

ବାପା କଣ ବୁଝିଲେ କେଜାଣି - ହୋଉ! ତାହେଲେ ତୁମେ କିଛି ରାସ୍ତା ଦେଖାଅ ବୋଲି କହିଲେ।

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଏପରି ସମୟ ଥାଏ ଯାହା ତାର ଅଜାଣତରେ ଜୀବନକୁ ଏକ ଭିନ୍ନ ମୋଡ଼ ଦେଇ ଥାଏ। ସେ କାହାର ଇଚ୍ଛା ଅନିଚ୍ଛାକୁ ଅପେକ୍ଷା କରେ ନାହିଁ।

ପରିମଳ ସାର୍ ମୋ ଆଡେ ଅନାଇଲେ -ପଚାରିଲେ, ତମେ କଣ କରୁଛ।

ମୁଁ ନିର୍ବିକାର ଭାବେ ଉତ୍ତର ଦେଲି- କିଛି ନାହିଁ ।

- କଣ କରିବାକୁ ଚାହୁଁଛ

- ଜାଣିନି

- କିଛି କରିବାକୁ ଇଚ୍ଛା ଅଛି

- ହଁ

- କଣ କରିବ

- ଜାଣିନି

- କିଛି କହିଲେ କରିବ

- ହଁ

- ସେ ବିଶ୍ଵାସ ମୁଁ କେମିତି ପାଇବି

- କିଛି କହିକି ଦେଖନ୍ତୁ

ମୁଁ ଯଦି କହିବି ଆଉ ତୁମେ ନକର ତାହେଲେ ମୋତେ ଅପମାନ ହେବ ବୋଲି ଜାଣିଛ ତ।

- ହଁ! କିନ୍ତୁ ମୁଁ ଏମିତି ହେବାକୁ ଦେବିନି। ଯଦି ମୋ ସାମର୍ଥ୍ୟ ଭିତରେ ଅଛି ତାହେଲେ ମୁଁ ନିଶ୍ଚିତ କରିବି।

ପରିମଳ ଏଥର ପାଖକୁ ଆସି କହିଲେ ମୁଁ ଯାହା କହିବି କେବଳ ତୁମ ସାମର୍ଥ୍ୟ ଭିତରେ ହିଁ କହିବି।

ତାହେଲେ କୁହନ୍ତୁ- ବୋଲି ମୁଁ ନମ୍ର ଭାବରେ କହିଲି

ପରିମଳ କିଛି ସମୟ ଗମ୍ଭୀର ହୋଇ ମୋତେ ଦେଖିଲେ, ତାପରେ କହିଲେ- ତୁମେ ଆଜିଠୁ ପ୍ରତି ଦିନ ଗୋଟିଏ ଅଧ୍ୟାୟ ଗୀତା ପଢିବ।

- ଗୀତା! ଗୀତା କଣ ପାଇଁ ପଢିବି ?

କୌଣସି ପ୍ରଶ୍ନ କର ନାହିଁ।

- କିନ୍ତୁ ମୁଁ ଯାହା କରିବି ତାର କୌଣସି କାରଣ ତ ଥିବା ଦରକାର। କଣ ପାଇଁ କରୁଛି ତା ତ ଜାଣିବା ଦରକାର।

ଗୀତା ଏକ ଆଧ୍ୟାତ୍ମିକ ଗ୍ରନ୍ଥ। ସମସ୍ତେ ପଢିବା କଥା। ମୁଁ ମଧ୍ୟ ପଢୁଛି। ତୁମେ ବି ପଢ। ଏହାଠାରୁ ଅଧିକା କିଛି ଜାଣିବା ଆବଶ୍ୟକ ନାହିଁ। ହଁ, ମନେରଖ ତୁମେ ମତେ କହିଛ, ମୁଁ ଯାହା କହିବି ତୁମେ କରିବ। ତେଣୁ କୌଣସି ଦିନ ଗୀତା ପଢା ଯେମିତିକି ବନ୍ଦ ହେବ ନାହିଁ। ଅଠର ଦିନରେ ଅଠର ଅଧ୍ୟାୟ ସରିବ। ତାପରେ ପୁଣି ପ୍ରଥମ ଅଧ୍ୟାୟ ଆରମ୍ଭ ହେବ। ଅନିଚ୍ଛା ସତ୍ଵେ ମୁଁ ହଁ କଲି କିନ୍ତୁ ଏପରି ପ୍ରତିଶ୍ରୁତି ଦେବାର ଅର୍ଥ କିଛି ବୁଝି ପାରିଲି ନାହିଁ।

ତାପର ଦିନ ସକାଳୁ କେହି ଉଠିବା ଆଗରୁ ମୁଁ ଗୀତା ବହି ଧରି ବସି ପଡିଲି। ଅନ୍ୟଥା ସମସ୍ତଙ୍କ ଅଯାଚିତ ଦୃଷ୍ଟି ମୋ ଉପରେ ପଡିବ। ସମସ୍ତେ ଉଠି ପଡିଲେ ଯେଉଁ ସଙ୍କୋଚ ଭାବ ଆସିବ ସେଥିରୁ ମୁଁ ବଞ୍ଚିବା ପାଇଁ ଚାହୁଁ ଥିଲି। ଯାହା ହେଉ ଅଠର ଦିନରେ ଅଠର ଅଧ୍ୟାୟ ସରିଗଲା। ଅବଶ୍ୟ ମୁଁ ଏହାର ଅଣୁ ମାତ୍ର ହେତୁ ମଧ୍ୟ ଖୋଜି ପାଇଲି ନାହିଁ। ମନେ ମନେ ପରିମଳ ସାର୍ ଙ୍କ ଉପରେ ବିରକ୍ତ ହେଲି। ଏହାର କିଛି ଦିନ ପରେ ସେ ଆସି ଘରେ ପହଞ୍ଚିଲେ। ମୋତେ ଡାକି ପଚାରିଲେ କେମିତି ଚାଲିଛି।

ମୁଁ ମଧ୍ୟ ଆନୁସଙ୍ଗିକ ଢଙ୍ଗରେ କହିଲି- ଠିକ୍ ଚାଲିଛି

ପରିମଳ ସାର୍ ହସିଲେ, କହିଲେ- ପଢିବାକୁ ବୋଧେ କଷ୍ଟ ହେଉଛି। ମୋତେ ସୁଯୋଗ ମିଳିଲା ଭଳି ସଙ୍ଗେ ସଙ୍ଗେ ହଁ କହିଲି।

-ଠିକ୍ ଅଛି। ପରିମଳ ଅଗତ୍ୟା ବୁଝାଇବା ପରି କହିଲେ ଗୋଟିଏ ଅଧ୍ୟାୟରେ ପାଖାପାଖି 40 ଶ୍ଳୋକ ଥିବ - ତୁମେ ପ୍ରତିଦିନ ଅଳ୍ପ ଅଳ୍ପ ପଢ।

ମୁଁ ସେହି ଅଳ୍ପର ଗୁରୁତ୍ଵ ବୁଝିବା ପୂର୍ବରୁ କାଳ ବିଳମ୍ବ ନକରି କହିଲି-ମୁଁ ଦିନକୁ 10ଟି ଶ୍ଳୋକ ପଢିବି।

ସେଇ ସ୍ମିତ ହାସ୍ୟକୁ ବଜାୟ ରଖି ପରିମଳ କହିଲେ- ନା !ନା ଦଶଟି ବହୁତ ହେଇଯିବ ତୁମେ ମାତ୍ର ପାଞ୍ଚଟି ପଢ। ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନାଇଲି। କାରଣ ମୁଁ ଭାବୁଥିଲି ସେ ଦଶଟି କହିବା ଶୁଣି ବିରକ୍ତ ହେବେ। କିନ୍ତୁ ପୁରା ଓଲଟା ହେଲା। ମୋତେ ଆହୁରି କମ୍ ପଢିବା ପାଇଁ କହୁଛନ୍ତି।

ପରିମଳ ଟିକେ ରହି ପୁଣି ଆରମ୍ଭ କଲେ-ତୁମେ ଯେଉଁ 5ଟି ପଢିବ ତାର ଅର୍ଥ ତଳେ ଲେଖା ହେଇଛି ତାକୁ ଟିକେ ଧ୍ୟାନର ସହ ପଢିବ। ବୁଝି ନପାରିଲେ ଆମେ ଆଲୋଚନା କରିବା। ମୁଁ ଆଉ କିଛି କହିଲି ନାହିଁ। ମୋର ନୀରବତାକୁ ସେ ସମ୍ମତି ଭାବେ ଗ୍ରହଣ କରି ଫେରିଗଲେ।

ବହୁତ ଦିନ ବିତିଗଲା। ଦିନେ ସାର୍ ଆସି ଘରେ ପହଞ୍ଚିଲେ। ସେତେବେଳକୁ ମୋର ମନ ବ୍ୟସ୍ତ ହେଉଥାଏ।

ଜ୍ଞାତି କୁଟୁମ୍ବ ଲୋକମାନେ ମୋର ଦୈନିକ ଗୀତା ପଢିବା ଖବର ପାଇ ନିଜ ନିଜ ଭିତରେ ଆଲୋଚନା ଆରମ୍ଭ କରି ଦେଇଥାନ୍ତି। ମୁଁ ଚାକିରୀ ନପାଇବାରୁ ପୁରୋହିତ କାମ କରିବି ବୋଲି ମଧ୍ୟ ସମସ୍ତେ ନିଜ ନିଜର ମତ ଦେଉଥିଲେ। କେହି କେହି ମଧ୍ୟ ଜ୍ୟୋତିଷୀ ଶିଖିବା ପାଇଁ ବାପାଙ୍କୁ ପରାମର୍ଶ ଦେଉଥାନ୍ତି।

ମୋର ଭାବନାକୁ ପୂର୍ଣଛେଦ ଦେଇ ପରିମଳ ସାର୍ ପଛରୁ ଡାକିଲେ। ମୁଁ ବୁଲିଲା ବେଳକୁ ସେ ମୋ କାନ୍ଧ ଉପରେ ହାତ ରଖି ପଚାରିଲେ କଣ ଜ୍ୟୋତିଷୀ ଶିଖିବ।

କିଛି ନ ବୁଝି ମୁଁ ବିରକ୍ତିରେ ନା ବୋଲି କହିଲି।

ପରିମଳ ସାର୍ ମଧ୍ୟ ହୋଉ ବୋଲି କହି ପଚାରିଲେ - ଆଛା ଗୀତା ପଢୁଚ ତ!

-ହଁ, କିନ୍ତୁ ଇୟା ଦ୍ଵାରା ମୋର କଣ ଲାଭ ହେଉଚି ମୁଁ ବୁଝି ପାରୁନି।

- ଠିକ୍ ଅଛି ଲାଭ ହେଉ ନାହିଁ ତ। କ୍ଷତି କଣ ହେଉଛି କହି ପାରିବ।

-କ୍ଷତି! ମୋତେ ଘର ଲୋକ କଣ ବାହାର ଲୋକ ବି ନୀଚ ଆଖିରେ ଦେଖିବା ଆରମ୍ଭ କଲେଣି। ଅନୁଭବ ହେଉଛି ମୁଁ ଯେମିତି କାହା ପାଇଁ ଭଲ ନୁହେଁ। ସମସ୍ତଙ୍କ ପାଇଁ ମୁଁ ଏକ ବୋଝ ଅନାବଶ୍ୟକ ଉପସ୍ଥିତି।

ମୋର କ୍ଷୋଭ ଯେମିତି ପ୍ରଜ୍ଜଳିତ ହୋଇ ବାହାରି ପଡୁଥିଲା।

ପରିମଳ ସାର୍ କିନ୍ତୁ ଅବିଚଳିତ ଥିଲେ। ଅତି ଗମ୍ଭୀରତାର ସହ କହିଲେ- "ଭଲ" ଏକ ଆପେକ୍ଷିକ ଶବ୍ଦ। ତୁ ଯଦି ଚାହୁଁଛୁ ସମସ୍ତେ ତୋତେ ଭଲ କୁହନ୍ତୁ ତା ରାସ୍ତା ମଧ୍ୟ ଅଛି। କିନ୍ତୁ ମନେରଖ ଯେ ପର୍ଯ୍ୟନ୍ତ ଜଣେ ଅନ୍ୟର କୌଣସି କାମରେ ଆସିନାହିଁ ବା ଆସିବାର ଆଶା ଦିଶୁ ନାହଁ ସେ ପର୍ଯ୍ୟନ୍ତ ସେ କାହାର ଭଲ କହିବା ପାଇଁ ବିବେଚିତ ହୋଇ ନଥାଏ। ଉପରକୁ ଭଲ ପାଇବା ଓ ଅନ୍ତରରେ ଗ୍ରହଣ କରିବା ଭିତରେ ବହୁତ ଫରକ୍ ଥାଏ।

ତାହେଲେ ମୁଁ କଣ କରିବି? ପ୍ରଶ୍ନ କଲି

ଅତି ସରଳ ବୋଲି କହିଲେ। ମୁଁ କାବା ହେଇ ତାଙ୍କ ଆଡେ ଅନାଇଲି।

ବୋଧହୁଏ ମୋର ବିବସତା ବୁଝିପାରିଲେ। କହିଲେ - ଅନ୍ୟର ଯେ କୌଣସି ସାମାଜିକ କାମରେ ଆସିପାରିଲେ ତୋତେ ଲୋକ ଭଲ ବୋଲି କହିବେ।

ସେମିତି କଣ ସମ୍ଭବ ! ପଚାରିଲି।

କରିବାର ଇଚ୍ଛା ଥିଲେ ସବୁ ସମ୍ଭବ ବୋଲି କହିଲେ। ଲୋକଙ୍କର ଉପକାରରେ ଆସିବା ଅର୍ଥ ଲୋକଙ୍କର ଆବଶ୍ୟକତାକୁ ବୁଝିବା। ଯେମିତି କାହାର ଔଷଧ ଦରକାର କିନ୍ତୁ ଘରେ କେହି ନାହାନ୍ତି। ବର୍ଷା ହେଉଛି ଷ୍ଟେସନ ଯିବା ଦରକାର ଅଟୋ ମିଳୁନି । ବାସ୍ ଅନ୍ୟର ଆବଶ୍ୟକତାକୁ ନିଜ ବୁଦ୍ଧିରେ ବିଚାର କରି ଯଦି ବିନା ଦ୍ୱିଧାରେ ଅଯାଚିତ ଭାବରେ ସ୍ଵତଃ ପ୍ରବୃତ୍ତ ହୋଇ କରା ଯାଇ ପାରିଲା ତାହେଲେ ଲୋକ କଣ ଦେବତା ବି ପୁଷ୍ପ ବୃଷ୍ଟି କରିବେ। ତୋ ପାଖେ ଯଥେଷ୍ଟ ସମୟ ଅଛି ତୁ ବିନିଯୋଗ କରି ପାରିଲେ ହେଲା।

କଥାଟା କିଞ୍ଚିତ ମନକୁ ପାଇଲା।

ମୁଁ ତା ପରଠାରୁ ନିଜକୁ ଲୋକ ସେବାରେ ସମର୍ପି ଦେଲି। ଏମିତି ଛୋଟ ବଡ କାମ କରୁ କରୁ ଲୋକଙ୍କର ପ୍ରିୟପାତ୍ର ହେବା ଆରମ୍ଭ କଲି। ଲୋକ ମୋତେ ପ୍ରତ୍ୟେକ କଥାରେ ଖୋଜିବା ଆରମ୍ଭ କଲେ। ଏଥିରୁ ଗୋଟିଏ ସତ୍ୟ କିନ୍ତୁ ନିଶ୍ଚିତ ହୋଇଗଲା ଯେ ଜଣେ ଯଦି କାହାକୁ କିଛି ଦେଇ ନାହିଁ ତାର ମଧ୍ୟ କାହାଠୁ କିଛି ଆଶା କରିବାର ଯଥାର୍ଥତା ନାହିଁ। ମୁଁ କାହାକୁ କିଛି ଦେଇ ନଥିଲି ତେଣୁ କିଛି ପାଉ ନଥିଲି। ଏବେ ମୁଁ ଦେବା ଆରମ୍ଭ କଲି ଏବଂ ପ୍ରତି ବଦଳରେ ପାଇବା ମଧ୍ୟ। ମୋତେ ହେୟ ଜ୍ଞାନ କରୁଥିବା ଲୋକେ ମଧ୍ୟ ମୋର ନିକଟସ୍ଥ ହେବା ପାଇଁ ପଛାଇଲେ ନାହିଁ। ଆଗତ ପ୍ରାପ୍ତିର ସମ୍ଭାବନା ସଦାବେଳେ ବଳବତ୍ତର ନଥିଲେ ମଧ୍ୟ ସେଥିରୁ ମିଳୁଥିବା ଶାନ୍ତି ତା ତୁଳନାରେ କିଛି କମ୍ ନୁହେଁ।

ବହୁତ ଦିନ ପରେ ଦିନେ ପରିମଳ ସାର୍ ପହଞ୍ଚି କହିଲେ -ମୋର ଦିନ କାଳ ସରି ଆସିଲାଣି ମୁଁ ଆଉ ବେଶି ଦିନ ବଞ୍ଚିବିନି। ତୋର ଯଦି ଆପତ୍ତି ନଥାଏ ମୋର ଯାହା କିଛି ଜ୍ୟୋତିଷୀ ଜ୍ଞାନ ଅଛି ତୋତେ ଦେଇ ଦେଇ ଯାନ୍ତି। ମୁଁ ଆଶ୍ଚର୍ଯ୍ୟ ହେଲି। ପରିମଳ ସାର୍ ଭଲ ଜ୍ୟୋତିଷ କିନ୍ତୁ ମୋତେ କାହିଁକି ବାଛିଲେ। ସେ ମୋତେ ଜ୍ୟୋତିଷୀ ଶିଖାଇବେ ଏବଂ ତା ଦ୍ଵାରା ମୁଁ ଲୋକଙ୍କର କାମରେ ଆସିବି । ମୁଁ ତତକ୍ଷଣାତ୍ ହଁ କରିଦେଲି। ଅନ୍ୟର ଆବଶ୍ୟକତାରେ ଆସୁଥିବା ବିଦ୍ୟା ବ୍ୟକ୍ତିତ୍ଵକୁ ଯେତିକି ମଜଭୁତ କରେ ସମାଜରେ ପ୍ରତିଷ୍ଠା ମଧ୍ୟ ସେତିକି ପ୍ରଦର୍ଶନ କରେ। ମୋର ଆଗ୍ରହ ହେବା ସ୍ଵାଭାବିକ। ବିଦ୍ୟାରେ ଆଗ୍ରହ ବିଦ୍ୟାକୁ ବିକଶିତ କରେ ଓ ଆଚରଣ ମଧ୍ୟ ଶୃଙ୍ଖଳିତ ହୋଇଯାଏ।

ପରିମଳ ସାର୍ ମଧ୍ୟ ମୋ ଉତ୍ତରକୁ ଅପେକ୍ଷା କଲା ପରି କାର୍ଯ୍ୟରେ ଲାଗି ପଡ଼ିଲେ ଓ ମାତ୍ର ତିନି ଚାରି ମାସ ଭିତରେ ମୋର ଜ୍ୟୋତିଷୀ ରେ ବିଚକ୍ଷଣତା ଆସିଗଲା। ଏହା ପ୍ରାରବ୍ଧ ହେଉ ଅଥବା ଈଶ୍ଵର ଇଚ୍ଛା ମୁଁ ଯାହା ବି ଗଣନା କରୁଥିଲି ପ୍ରାୟ ନିର୍ଭୁଲ ହେଉଥିଲା।

ଯାହାର ପ୍ରଶଂସାର ସୁଅ ଝରଣାର ସ୍ରୋତ ପରି ବୋହୁଥିଲା ସେ ଏବେ ଖରସ୍ରୋତା ନଦୀର ରୂପ ନେବା ଆରମ୍ଭ କଲା। ସୁଯୋଗକୁ ଅପେକ୍ଷା କଲା ପରି ସାର୍ ଦିନେ ପରିହାସରେ ପଚାରିଲେ - କଣ କହି ପାରିବ ତୁମକୁ ଚାକିରୀ ମିଳିବ କି ନାହିଁ ?ତୁମେ ପ୍ରତିଷ୍ଠା ପାଇବ କି ନାହିଁ!

ମୁଁ ଲଜ୍ଜାରେ ବିନମ୍ରତା ଦେଖାଇଲି। କାରଣ ସେତେବେଳକୁ ମୁଁ ବ୍ୟାଙ୍କରେ ଯୋଗ ଦେଇ ସାରିଥାଏ। ମୋର ପ୍ରତିଷ୍ଠା ମଧ୍ୟ ହେଇସାରିଥାଏ।

ମୁଁ ବିନମ୍ରତାରେ ପଚାରିଲି - ଏ ପର୍ଯ୍ୟନ୍ତ କିନ୍ତୁ ମୁଁ ଗୀତା କାହିଁକି ପଢୁଛି ବୁଝି ପାରିଲିନି। କେବଳ ଧର୍ମ ପୁସ୍ତକ ବୋଲି ନା ଆଉ କିଛି।

ଯାଦୁକରୀ ହସ ଥିଲା ପରିମଳ ସାରଙ୍କ ମୁହଁରେ । କହିଲେ - ସୁଦୃଢ କୋଠାଘର କରିବା ପାଇଁ ଯେତେବେଳେ ନିଅ ଖୋଳାଯାଏ ଛୋଟ ପିଲାଟିଏ ଦେଖି ଭାବେ ଯେ ଘର ତ ଉପରକୁ ହେବ ଏଠି ଏମାନେ ତଳକୁ ତଳ କାହିଁକି ଖୋଳୁଛନ୍ତି କିନ୍ତୁ ସେ ବୁଝି ପାରେନି ଉପରକୁ ଉଠିବା ପାଇଁ ତଳକୁ ଧରି ରଖିବା କେତେ ଆବଶ୍ୟକ। ଯେଉଁ ଦିନ ତଳ ଛାଡିଦିଏ ସେହି ଦିନ ଉପର ମଧ୍ୟ ଧ୍ଵଂସ ହେବା ଆରମ୍ଭ କରେ କଥାର ଗୁରୁତ୍ଵ ବୁଝି ପାରିଲା ପରି ଲାଗିଲା। ମୁଁ କିଛି କହିବା ପାଇଁ ଚାହୁଁ ଥିଲି କିନ୍ତୁ ମୋ ପାଟିରୁ କଥା ଛଡାଇ ନେଇ କହିଲେ - ନେହାଭି କ୍ରମନାଶୋସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ସ୍ଵଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍। ମୁଁ ସାର୍ ଙ୍କର କହିବା ତାତ୍ପର୍ଯ୍ୟକୁ ବୁଝି ପାରୁଥିଲି। ଏହା ଗୀତାର ଶ୍ଳୋକ ମୋର ପୁରା ମନେଥିଲା। ମଣିଷ ଜ୍ଞାତରେ ହେଉ ଅବା ଅଜ୍ଞାତରେ ଯଦି କିଛି ବି ସତ୍ କର୍ମ କରିଛି ତାହେଲେ ତାର ଫଳ ସ୍ଵରୂପ ସେ ଅନେକ ବିପଦରୁ ରକ୍ଷା ପାଇଯାଏ। ତାଙ୍କ କହିବାର ଅର୍ଥ ମୁଁ ବୁଝି ପାରୁଛି ବୋଲି ସେ ଜାଣିଲେ।

ପରିମଳ ସାର୍ ମୋ ଆଡେ ଅନାଇ ପୁଣି କହିଲେ, ତୋତେ ଆଉ କଣ କହିବି - ତୁ ତ ଏମିତି ବି ଜ୍ଞାନୀ ହେଇ ସାରିଲୁଣି। ତୋର ମୋତେ ପଚାରିବା ଖାଲି ବାହୁଲ୍ୟ ମାତ୍ର -କହୁ କହୁ ତାଙ୍କ ଦୁଇ ଆଖିରୁ ଦୁଇ ଧାର ଲୁହ ବୋହି ଆସିଲା। ମୁଁ ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ଗୋଡ ତଳେ ପ୍ରଣିପାତ କରି କହିଲି ଆପଣଙ୍କ ଆଶିର୍ବାଦ ବିନା ଏହା କଣ ସମ୍ଭବ ଥିଲା।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational