Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପିଲା ମନ ଓ ଜହ୍ନ
ପିଲା ମନ ଓ ଜହ୍ନ
★★★★★

© ସତ୍ୟବତୀ ସ୍ୱାଇଁ

Others

4 Minutes   262    6


Content Ranking

ଜହ୍ନ ପୋଖରୀରେ ଅଛି,ପୁଣି ଆକାଶରେ ! ମୁଁ ଯୁଆଡେ ଯାଉଛି ସେ ମୋ ସାଙ୍ଗେ ଦୌଡୁଛି । ଆମ ଘର ଦୁଆରେ ଆକାଶରେ ଗୋଟେ ଜହ୍ନ,ପୁଣି ବାଡ଼ି ଆକାଶରେ ବି ! ମାମୁଁ ଘର ଗାଁ ରେ ଗୋଟେ ଜହ୍ନ,ଆମ ଗାଆଁରେ ଆଉ ଗୋଟେ !  ଆହା ଅଦ୍ଭୁତ ସେଇ ସରଳ,ନିଷ୍କପଟ ସଫା ପିଲା ମନତଳ କୋମଳ ଜିଜ୍ଞାସା !  ମୁଁ ଗଣୁଛି ଆକାଶର ତାରା ଏକ ଦୁ ତିନି....ପଚାଶ....ଶହେ,ଶହେ ଏକ । ନା ଆଉ ହେବନି । ଭୁଲ ହୋଇ ଗଲା । ପୁଣି ଗଣା ଏକ.... ଦୁଇ......

ହେଇ ଅନା.... ସେ ବିଲ ସେପଟେ ଯେଉଁ ବଡ଼ ବଡ଼ କିଆ ବୁଦା ,ତା ଭିତରେ ଯେଉଁ ଦଣ୍ଡା, ସେଠି ମଣିଷ ମଲେ ପୋଡା ହୁଅନ୍ତି । ଭୂତ ହୋଇ ରୁହନ୍ତି ସେଠାରେ । ଯା... ଦଣ୍ଡାକୁ ହାତ ବଢ଼େଇଲୁ ! ଏଥର ହାତ କାମୁଡୁ,ଆଣ୍ଠୁ କାମୁଡୁ । ଜମା ଯିବା ନାହିଁ ତେଣିକି । ଭୂତ ଅଛି ଲୋ ମା....କି ଅବୋଧ,ଅଜବ,ଅବୁଝା କିମ୍ଭୁତ କିମ୍ବାକାର ଭାବନା !

ଜାଣିଛୁ ! ଦିଜ ନନାଙ୍କ ବାଡ଼ିରେ ଗୋଟିଏ ଛୋଟ ଆମ୍ବ ଗଛ,ହାତ ପାଇବ,ଏଡ଼େ ଏଡ଼େ ଆମ୍ବ ହେଇଛି । ଶୁଣ.. ଆଜି ଖରା ବେଳେ ନନା ଘର ସମସ୍ତେ ଶୋଇ ପଡିଲେ ଚୁପକି ଆମ୍ବ ତକ ତୋଳି ଆଣି ଆମ୍ବ ଝାଲ୍ କରିବା । ନନା ଘର ସେଇ ଯୋଉ ପାକେଇ ଧୋବଲା ମୁଣ୍ଡି ବୁଢ଼ୀ ଭାରି ରାଢ ।  ଦେଖି ଦେବ ଯଦି ନା ଗାଳି ତ କରିବ ଯାହା,ଘରେ କହି ମାଡ଼ ଖୁଆଇବ ନିଶ୍ଚେ । ମୁଁ ଜଗିବି,କୁନା ତୋଳିବ,ଧୀର ଗୋଟେଇବ । ଯଦି କିଏ ଆସେ ମୁଁ ବିଲେଇ ପରି ଵୋବେଇବି,କିଏ ଆସିଲା ଜାଣି ତମେମାନେ ପଳେଇ ଆସିବ ।

ଖରାଦିନେ ସକାଳୁଆ ସ୍କୁଲ ।  ଠରାଠରୀ ରେ କଥା ହୋଇଥାଉ,ସ୍କୁଲ ଛୁଟିପରେ ବେଗେ ଫୋପାଡ଼ି ଭଗନ ପୋଖରୀରେ ବୁଡିବା । ପାଣି ତଳେ ବୁଡି ବୁଡି ଲୁଚକାଳି ଖେଳିବା । ପଦ୍ମ ଚକା ପକାଇ ପାଣିରେ ପହଁରିବା । କଇଁ ଫୁଲ ଓ କଇଁ ବେଣ୍ଟ ତୋଳିବା । ଦେହରେ ଶିଉଳି ବସି ଦେହ ଶ୍ୱେତା ହେବା ଯାଏ ବୁଡିବା । ବୋଉ ଡେରି ହେବା ଦେଖି ବାଡ଼ି ଧରି ଯିବେ । ବୋଉଙ୍କୁ ଦେଖି କିଲି ବିଲି ହୋଇ ଦଉଡ଼ି ଦଉଡ଼ି ଆଗ ଘରେ ପହଞ୍ଚିବା । କି ସୁନ୍ଦର ସେଇ ଅପାସୋରା ମୁକୁଳା ଜୀବନ !

ସ୍କୁଲ ଛୁଟି ପରେ ନିର୍ଧୁମ ଖେଳ ଠାକୁର ଦାଣ୍ଡେ । ବାଗୁଡି,ବୋହୁଚୋରି, ଷଡେଇ ଗଦା ଖେଳ,ପଟା ଗଦା ଖେଳ,ବାଲି ଚୁଲିରେ ଷଡେଇ ବସାଇ ଭାତ ତରକାରୀ ରନ୍ଧା,ବୋହୁ ବୋହୁକା ଖେଳର କି ଅପୂର୍ବ ଆନନ୍ଦ ! ଅନ୍ଧାରକୁ ଭାରି ଡର ।

ରାତି ହେଲେ ଜେଜ, ଜେଜମାଙ୍କ କୋଳରେ ପସି ସାତ ତାଳ ପାଣି, ସାତ ତାଳ ପଙ୍କ, ପଙ୍କ, ଭିତରେସିନ୍ଧୁକ,ତା ଭିତରେ ଫରୁଆ ସେଥିରେ ବୁଢ଼ୀ ଅସୁରୁଣୀର ଜୀବନ ନାଟିକା,ମଣ୍ଡା ଖିଆ ଅସୁର,କଳୁରି ବେଣ୍ଟ,ଟୁଆଁ ଟୁଇଁ ଗପ ଅବାସ୍ତବ ଚିତ୍ର ଯାଦୁର ସ୍ପର୍ଶ । ମୁହଁରେ ଥିଲା ରାମାୟଣ,ମହାଭାରତ କଥା ।  ଓହୋ କି ଆଶ୍ଚର୍ଯ୍ୟ,ଚକିତ ସେଇ ଅବୁଝା ପିଲା ମନ !  ବୀର, ହିରୋ ଚରିତ୍ର ଗଭିର ପ୍ରଭାବ ପକାଉଥିଲା ମନ ଉପରେ । କେଡେ ସହଜରେ ସବୁ କଥା ଗ୍ରହଣ କରି ନେଉଥିଲା ଶୈଶବର କଙ୍କି ପଛେ ଗୋଡ଼ାଇବା ବୟସ !  

ବିନା ଅନୁ ଶାଶନ,ବିନା କାଇଦାରେ ଗଢ଼ା ଚରିତ୍ର । ପାରିବାରିକ ସ୍ନେହମମତାର ସହଭାଗୀତା, ଅତ୍ମୀୟତା ର ଶିକ୍ଷା,ଗୁରୁ ଗୁରୁ ଜନଙ୍କ ପ୍ରତି କର୍ତ୍ତବ୍ୟ,ଭକ୍ତି,ସମ୍ମାନର ଆପେ ଆପେ ପଡୁଥିଲା ସେଇ କଅଁଳ ବୟସରେ ଜବରଦସ୍ତ ମୁଳୁଦୁଆ । ଦେଖି ଦେଖି ଶିଖି ହୋଇ ଯାଉଥିଲା କିଛି ପ୍ରଥା ପରମ୍ପରା ।  କି ଅନୁକରଣ ପ୍ରିୟ ମାନସିକତା ମଣିଷ ଜୀବନର ସକାଳ  ! !

ପାଲା ଶୁଣି ଶୁଣି ମନେ ରହି ଯାଉଥିଲା ଅନେକ ଗୀତ । ମୁକ୍ତ ବା ଟିକେଟ ସେଲ୍ ଯାତ୍ରା ମଜା ଲୁଟିବାର ଅନୁଭୂତି କିଛି ଥିଲା ନିଆରା । ବାପା ଶୋଇ ପଡିଲେ ଲୁଚି ଲୁଚି ଯାତ୍ରା ଦେଖିବାକୁ ଯିବା । ଦୈବାତ ଧରା ପଡିଗଲେ କିଲିକିଆ ବିଧା,ଚାପୁଡ଼ା,ପୁଣି ପାଞ୍ଚଣ ଫାଟୁଥିଲା ପିଠିରେ । ଫିଟୁ ପଛେ ପିଠି ମନ କିନ୍ତୁ ଖୋଜେ ସେଇ ମୁହୁର୍ତ୍ତ । ସେଇ ଅଣଲେଉଟା ସମୟ ।  ହେ ପିଲାଦିନ  ! ଆ ଟିକେ ଛାତିରେ ଜାକି ଧରିବି ।

ଖରାଦିନେ ତାଳ ଗଛରୁ ତାଳ କାଟି ଖାଇବା,ଆମ୍ବ କାଟୁ କାଟୁ ହାତ କାଟିବା, ପାଚିଲାତେନ୍ତୁଳି ଚକଟି,ସେଥିରେ ଲଙ୍କା,ପିଆଜ,ଲୁଣ ପକାଇ ବାଡ଼ି ପଟ ଓଲି ତଳେ ସାଙ୍ଗ ହୋଇ ହାପୁଡିବା; ବର୍ଷା ଦିନେ ଜାମୁକୋଳି ଗଛରୁ ପଡି ଗୋଡ ଭାଙ୍ଗିବା,କୁଆଁର ପୂର୍ଣ୍ଣିମା ରାତିରେ ପାଳ ଭୂତ ହୋଇ ଝିଅ ମାନଙ୍କୁ ଡରାଇବା  । କି.. କି.. ଅଦ୍ଭୁତ କାରନାମା କରିବାକୁ ମନ କହୁଥିଲା ସତରେ ସେଇ ନିଆରା ବୟସ !

କୁକୁର,ଛେଳି,ବିଲେଇ,ଠେକୁଆ,ନେଉଳ,ପାରା ଓ ଗାଈ ପାଳିବାକୁ ମନ ଭାରି ହକ ହକ ହେଉଥିଲା ।  ମାଛ ଧରିବାକୁ କି ମଜା ଲାଗୁଥିଲା ! ମାଛ ପଛେ ଖାଲେଇରେ ନଥାଉ ପଙ୍କରେ ଲଟ ପଟ ହେବାରେ ଖୁବ ଗୋଟିଏ ଅଫୁରନ୍ତ ଖୁସି ମିଳୁଥିଲା ।  ବନିସରେ ଜିଆ ଗୁନ୍ଥି ମାଛ ଧରିବା ଅନ୍ୟନ ଅବର୍ଣ୍ଣନୀୟ ଆନନ୍ଦ ! ବିଲକୁ ଯିବାକୁ,ବିଶେଷ କରି ବାପା ବୋଉଙ୍କ କାମ କରିବାକୁ ବହୁତ ମନ ହେଉଥିଲ  ।

ପାଠ ପଢିବାକୁ ଯେମିତି କିଏ ଛେଳିକୁ ହାଣ ମୁହଁକୁ ନେଲା ପରି ଲାଗୁଥିଲା ।  ସ୍କୁଲକୁ ନଯିବା ପାଇଁ ମିଛ ପେଟ କାମୁଡ଼ିବାର ଅଭିନୟ କରିବା ।  ବାପାଙ୍କ ସାଇକେଲ ଚଳାଇବାକୁ କି ପାଗଲାମୀ ! ନିଦ ହୁଏନି କେମିତି ସକାଳ ହେବ ,ବାପା କାମକୁ ଯିବେ,ଲୁଚେଇ ସାଇକେଲ ଘେରାଏ ଘାଇଁ ଘାଇଁ ଚଲେଇବା । ଚେନ୍ ଖସିଗଲେ କି ଡର ! ବାପାତ ମାରିବେ.... କିଛି ଭୁଲ କରିଦେଲେ କାହାକୁ କିଛି ନକହି ଶୋଇ ପଡିବା । ବୋଉ ଡାକିଲେ ଗାଲେଇ ପଡି ଶୋଇବା ବାହାନା କରିବା ।

ଏବେ ଅସନା ଲାଗୁଛି;କିନ୍ତୁ ପିଲା ଦିନେ ବୋହି ପଡୁଥିବା ସିଙ୍ଘାଣି କୁ ଜିଭ ବୁଲାଇ ଚାଟି ଦେବାରେ ଟିକେ ବି ସଂକୋଚ କି ଅସନା ଲାଗୁ ନଥିଲା । ସାଙ୍ଗଠୁ ମାଗି ଖାଇବାରେ ଏତେ ଟିକେ କୁଣ୍ଠା ବୋଧ ନଥିଲା । ଖରା,ବର୍ଷା, ଶୀତ କୁ ଖାତିର ନଥିଲା । ଖଣ୍ଡିଆ ଖାବରା କୁ ତିଳେ ଭୟ ନଥିଲା ।

ବିବାହ ବ୍ରତରେ ଗାଣ୍ଡିରେ ଗୋଡ଼ ବାଡେଇ ବହେ ନଚା ହେଉଥିଲା । ଭୋଜିଭାତ ନାଁ ଶୁଣିଲେ କି ଖୁସି ! ! ବୋଉ ସାଙ୍ଗେ ମାମୁଁ ଘରକୁ ଗଲେ ଲାଗୁଥିଲା ସତେ କି କେଉଁ ଗୋଟେ ଆନନ୍ଦର ନନ୍ଦନକାନନକୁ ଯାଉଛୁ । କେଜାଣି ମାମୁଁ ଘରକୁ ଆସିଲେ କେମିତି ଗୋଟିଏ ଆନନ୍ଦ ଚଦର ଘୋଡେଇ ହୋଇ ପଡୁଥିଲା ମନ !

ବାପା କାନ୍ଧରେ ବସି ଦଶହରା ବୁଲିବାକୁ ଗଲା ବେଳେ ଲାଗୁଥିଲା" ମୁଁ ଗୋଟେ ରାଜା" । କି ଖୁସି ! ! ବର୍ଷାରେ କାଗଜ ଡଙ୍ଗା ଭସେଇ ଚୁବୁରୁ ଚୁବୁରୁ ହୋଇ ଓଦା ସର ଘରକୁ ଫେରିବା ଓ ବୋଉର କୃତ୍ରିମ ରାଗର ଶିକାର ହେବା କେତେ ମଜା !

ଏଇ ମାତ୍ର ତିରିଶି ବର୍ଷ ଭିତରେ ସବୁ କୁଆଡେ ହଜି ଯାଇଛି । ସବୁ ଲାଗୁଛି କେମିତି ସ୍ବପ୍ନ ! ! ଟ୍ୟାପ ଟାଙ୍କି ପାଣିରେ ଗାଧୋଇଲା ବେଳେ ମୁଁ ଅନିଷ ଅଣ୍ଡାଳେ ସେଇ ଭଗନ ପୋଖରୀ ପାଣିକୁ । କମ୍ପ୍ୟୁଟରେ ଟପଟାପ୍ କଲାବେଳେ,ଶିଡି,ବା ସିନେମା ହଲରେ ମନ ପଡେ ସେ ଦିନ ଯାତ୍ରାର କାକର ଭିଜା ରାତି । ମୋ ପିଲା ଫୋନ୍ ରେ ମାତିଲା ବେଳେ ମନ ପଡେ ଜେଜମା ଜେଜବାପା ଙ୍କ ଗପ । ସ୍କୁଲ ବସରେ ପିଲା ପଢିବାକୁ ଗଲାବେଳେ ଆଖିରେ ଦିଶିଯାଏ କୋତରା ବସ୍ତାନୀ ଓ ଚଟେଇ ବାଡାର ଦୃଶ୍ୟ ।

ଅଣୁ ବିଭାଜନ ବାପା ମା ଛୁଆ ପରିବାର ଭିତରେ ଖୋଜେ ସେଇ ବଡ଼ ପରିବାରର ଭାତ ହାଣ୍ଡି ଓ ଡାଲମା ବାସ୍ନା,ସ୍ନେହମମତା,ଆବଦକାଇଦା,ପାରସ୍ପରିକ ବୁଝାମଣା । ପିଲା ପାଟିରୁ ତା ଆବଶ୍ୟକତା ଶୁଣୁ ଶୁଣୁ ପୂରଣ କଲା ବେଳେ ମନ ପଡେ କେତେ କନ୍ଦା କଟା ପରେ ମିଳୁଥିଲା କଲମ କି ଖାତା ଟିଏ ମୋତେ ! !

ଏବେ ସବୁ ଅଛି ମୋ ପାଖେ ନାହିଁ କେବଳ ସେଇ ପିଲା ଦିନ,ମନ,ସ୍ବପ୍ନ କି ଜହ୍ନ...... ।

*ମୀନୁ,ସତ୍ୟବତୀ ସ୍ଵାଇଁ,ବାଲିକୁଦା,ଜଗତସସିଂହପୁର*

ଜହ୍ନ ଆକାଶ ପୋଖରୀ

Rate the content


Originality
Flow
Language
Cover design

Comments

Post

Some text some message..