ରିସେପସନ
ରିସେପସନ
ଶେଷରେ ଜିତା ପଟ ହେଲା "ଅନନ୍ୟାର" ।ଏ ବିବାହ ପାଇଁ ଅନେକ ପାମ୍ପଡ଼ ବେଲିଛି ସେ ।ଗିନା ଗିନା ତେଲ ମାଲିସ କରିଛି ତା ବାବା,ଜେଜେ,ଓ ବସୁଧା ମାମଙ୍କୁ।
ଅନେକ ବିରୋଧ ସତ୍ତ୍ୱେ ସେ ତା ଜିଦରେ ଅଟଳ ।ଯେମିତି ହେଲେ ଏ ବିବାହ ହେବ ହିଁ ହେବ ।ବନ୍ଧୁ,ବାନ୍ଧବ,ଓ ସାହୀ ପଡୋସୀ କେତେ ମତ ମନ୍ତବ୍ୟ ଦେଇଛନ୍ତି ନ ଚାହିଁଲେ ବି।
କିଏ ଛି ଛା କରିଛି ।ଏସବୁ କୁଆଡେ ବେସରମ କଥା ।କାନ ଉଠିଲା ଦିନୁ ଶୁଣି ନଥିଲେ।
ଅନନ୍ୟା ଅଲାଜୁକିଟାଏ ।ଉଚ୍ଚ ଶିକ୍ଷିତ,ଚାକିରିଆ ବୋଲି
ଇନ୍ଦ୍ର ଚନ୍ଦ୍ର ମାନୁନି ।ବୋପଟା ବି ସେମିତି ବେହିଆ ଟିଏ ।କେଜାଣି କେମିତି ରାଜି ହେଉଛି ଝିଅର ଏମିତି ବିବାହ ପ୍ରସ୍ତାବରେ? କି ଯୁଗ ହେଲାରେ ...ଏପରି ଅନେକ ଅନେକ ଆକ୍ଷେପ,ବିଦ୍ରୁପ । ଅନନ୍ୟା କିନ୍ତୁ ନଛୋଡ ବନ୍ଧା।
ଏ ବିବାହ ହେବ ହି ହେବ।
ଅନନ୍ୟା,ବୟସ ପଚିଶି,ମନୋବିଜ୍ଞାନର ଅଧ୍ୟାପିକା ।ବାବାର ଜୀବନ,ଗେଲ୍ହୀ,ଛାତିର ସ୍ପନ୍ଦନ,ଜୀବନର ସ୍ଵପ୍ନ ବି ।ଜେଜେଙ୍କ ଅତି ଆଦରର ଅନି ।ତା ବାବା କୋଟିରେ ଗୋଟିଏ। ତାର ,ଘର ଓ ଜେଜଙ୍କ କାମ କରୁ କରୁ କେବେଳେ ପଞ୍ଚାବନ ବୟସରେ ପହଞ୍ଚିଛନ୍ତି ତାଙ୍କୁ ଜଣା ପଡିନି ।କେମିତି ଗୋଟିଏ ନିଶାରେ ବାବାଙ୍କ ରୁଟିନ ବନ୍ଧା ଜୀବନ ।ସତେକି ଗୋଟିଏ ମେସିନ। ତା ସହ ଅଫିସ କାମ ।କେଉଁ ଥିରେ ଅସଫଳ ନୁହନ୍ତି।
କିନ୍ତୁ ଅନନ୍ୟା ଦେଖେ ବାବା ବେଳେ ବେଳେ ତାକୁ କୋଳରେ ଧରି ଆକାଶକୁ ଚାହାନ୍ତି ।ବୋଧେ ତାରାରେ କାହାକୁ ଖୋଜନ୍ତି ।ପଚାରିଲେ କୁହନ୍ତି ନା ରେ ଏମିତି ଦେଖୁଥିଲି ତାରାଟା କେତେ ସ୍ୱାର୍ଥପର ହସୁଛି ସବୁବେଳେ ମୋତେ ଦେଖି ।ତୁମକୁ ଦେଖି କାହିଁକି ବାବା?କାହିଁକି ନା ତୋ ପରି ଗେଲ୍ହୀ ଝିଅଟିଏ ତା ପାଖରେ ନାହିଁ ନା....
ମୁଁ ଦେଖେ ବାବା ରାତି ରାତି ଶୋଇ ପାରନ୍ତି ନାହିଁ ।କଡ଼ ଲେଉଟାଉ ଥାନ୍ତି ବାର ବାର ।ଦିନେ ଦିନେ ତକିଆ ଓଦା ହୋଇଯାଇଥାଏ ପଚାରିଲେ କୁହନ୍ତି,ଝାଳରେ ଓଦା ହୋଇ ଯାଇଛି ।ହାଡ଼ଭଙ୍ଗା ଶୀତରେ ଝାଳ!!!!....
ହଁ ବାବା ମାନେ ବି କାନ୍ଦନ୍ତି....ମନର ଆଖିରୁ ଲୁହ ଝରାନ୍ତି, ପିଅନ୍ତି ବି,କିନ୍ତୁ ନିଃଶବ୍ଦେ।
ବଡ଼ ହେଲା ପରେ ମୁଁ ବୁଝି ପାରିଲି ଆକାଶରେ ବାବା କାହାକୁ ଖୋଜନ୍ତି?କାହିଁକି ଖୋଜନ୍ତି?ତକିଆ କାହିଁକି ଓଦା ହୁଏ?କଡ଼ କାହିଁକି ଓଲଟାନ୍ତି?ଅନେକ କାହିଁକିର ଉତ୍ତର ମିଳିଗଲା ଅନନ୍ୟାକୁ ଆପେ ଆପେ।
କାରଣ ବାବା ଅନ୍ଧାର ରାତିର ନିଃସଙ୍ଗ ପ୍ରକୃତି ର ଅଚାନକ ଝଡରେ ଭାଙ୍ଗି ପଡିଥିବା ଶାଳ ଗଛଟିଏ ।ଭଲ ପାଇଁ ମ୍ୟାରେଜ କରିଥିବା ଜୀବନ ସାଥିଟି ବ୍ରେଷ୍ଟକ୍ୟାନ୍ସରରେ ତାଙ୍କୁ ଏକା ଛାଡି ଚାଲି ଯାଇଥିଲେ ।ମୋତେ ଯେତେବେଳେ ମାତ୍ର ତିନି ବର୍ଷ ।ମା କଣ ମୁଁ ଜାଣିନି କି ବାବା ମାକୁ ଖୋଜିବାର ଅବକାଶ ଟିଏ ଦେଇ ନାହାନ୍ତି ।ଜେଜେ କୁହନ୍ତି ମୋ ମା’ଙ୍କ କେତେ ସୁନ୍ଦର ଗୁଣ,ରୂପ, ଓ ସ୍ଵଭାଵ।
ମୋତେ ଏବେ ଭାରି କଷ୍ଟ ଲାଗେ ବାବା କେମିତି ଚାଲୁଛନ୍ତି ଏକା ଏକା ପ୍ରିୟ ବାଟ ଚଲା ମନର ମଣିଷଟିକୁ ହରାଇ ।କ’ଣ କରିବି?ଏବେ ତ ମୋ ମ୍ୟାରେଜ ବି ପକ୍କା ହେଇ ଗଲାଣି ।କିଛିଦିନ ପରେ ମୁଁ ଏ ଘର ଛାଡ଼ି ଚାଲିଯିବି ।କ’ଣ ହେବ ମୋ ବାବା, ଅଶୀ ବର୍ଷ ଜେଜେଙ୍କ ଅବସ୍ଥା?ଶେଷରେ ସିଦ୍ଧାନ୍ତ ନେଲି ନା ମୋ ମ୍ୟାରେଜ ପୂର୍ବରୁ କିଛି ତ ଗୋଟେ ବନ୍ଦୋବସ୍ତ କରିବାକୁ ପଡିବ ।ନଚେତ ବାବା ବଞ୍ଚିବେ କେମିତି!!!
ସର୍ତ୍ତ ରଖିଲା ଅନନ୍ୟା ସେ ଯାହା କହିବ ବାବା ରାଜି ନହେଲେ ସେ ମ୍ୟାରେଜ କରିବନି । କୌଣସି ମତେ ବି ନୁହେଁ।
ବସୁଧା ମାମ ତାର ପ୍ରିୟ ମାମ, ଅବିବାହିତ ।ଆଜକୁ ଦୀର୍ଘ ତିରିଶି ବର୍ଷ ତଳେ ବିବାହ କରିବାକୁ ତାଙ୍କ ବର ଆସିଲା ବେଳେ ବାଟରେ ଟ୍ରକ ଧକ୍କାରେ ମୃତ୍ୟୁବରଣ କରିଥିଲେ ।ଯେତେ ଯିଏ ବୁଝାଇଲେ ବି ମାମ ଜୀବନରେ ଆଉ ବିବାହର ସ୍ଵପ୍ନ ଦେଖିବେନି ପଣ କରିଥିଲେ।
ଈଶ୍ୱରଙ୍କ ଇଛା କାହାକୁ ବା ଜଣା.... ହୁଏତ ମାମ ପଚାଶ ବର୍ଷ ହେଲେ ବି ବିବାହ ନ କରିବା ଅନନ୍ୟା ପାଇଁ ଅଶାର ବତୀ ଘରଟିଏ ହେଲା ।ବହୁତ ଘାଣ୍ଟ ଚକଟା ବୁଝାସୁଝା ପରେ ଅନନ୍ୟାକୁ ରାସ୍ତା ମିଳିଗଲା ।ଆନ୍ତରିକ ଇଛା ଦୃଢ଼ ମନୋବଳ ଅସାଧ୍ୟ ସାଧନ କଲା।
ଆଜି ତାର ମିଠା ଫଳ ସ୍ୱାଦ ଚାଖୁଛି ଅନନ୍ୟା ।ଝିଅରୂ ମମତାମୟୀ ମା ଟିଏ ପାଲଟି ଯାଇଛି ସେ ।ଦୁଇଟି ଏକା ଏକା ବାଟ ଚାଲୁଥିବା ମଣିଷଙ୍କୁ ସାଙ୍ଗ ହୋଇ ଚାଲିବାର ସୁଯୋଗ ଟିଏ ସୃଷ୍ଟି କରି ପାରିଛି।
ବହୁ ତର୍କ ବିତର୍କ ବାଧାବିଘ୍ନ ଡେଇଁ ଅନନ୍ୟା ତା ବାବା ସହ ବିବାହ କରୁଛି ବସୁଧା ମାମଙ୍କର।
ଏବଂ ବନ୍ଧୁ ବାନ୍ଧବ,ବାଜା,ଗୀତ,ଭୋଜିଭାତ ରେ ଫାଟି ପଡୁଛି ଅନନ୍ୟାର ମନ ଓ ଘର ।ଜେଜେଙ୍କ ଦାନ୍ତ ନଥିବା ପାଟିର ହସ,ଆଃ କି ଚମତ୍କାର!!!
କାରଣ ଆଜି ତା ବାବାଙ୍କର "ରିସେପସନ"।
ସତ୍ୟବତୀ ସ୍ୱାଇଁ,ମୀନୁ
ବାଲିକୁଦା
ଜଗତସିଂହପୁର।