Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Inspirational

3  

Sachidananda Kar

Inspirational

ଠାକୁରଙ୍କୁ କଅଣ ମାଗିବା

ଠାକୁରଙ୍କୁ କଅଣ ମାଗିବା

2 mins
812


- ' ଠାକୁରଙ୍କୁ କଅଣ ମାଗିବୁ, ଝିଅ ? '

ମନ୍ଦିର ଦୁଆରେ ଭିକ୍ଷା ଆଶାରେ ବସିଥିବା ଜଣେ ମହିଳାଙ୍କର ଏ ପ୍ରଶ୍ନ।

ମହିଳା ଚାହିଁ ରହିଥିଲେ କୁମାରୀ ଆଡେ।

ମନ୍ଦିର ଭିତରକୁ ଯାଉ ଯାଉ ଅଟକିଗଲା କୁମାରୀ।ମହିଳାଙ୍କୁ ବୁଲି ଚାହିଁଲା।

ବାହା ବୟସ ହୋଇ ସାରିଥିଲା।ବାପା ତା'ପାଇଁ ବର ଖୋଜୁଥିଲେ।ଝିଅମାନେ ସୁନ୍ଦର ବର ମାଗନ୍ତି, ସେ ଶୁଣିଥିଲା।ତେଣୁ ସେମିତି କିଛି ମାଗିବାକୁ ମନ ଭିତରେ କଥା ରଖିଥିଲା କୁମାରୀ।ହେଲେ ସେକଥା ସେ ମହିଳାଙ୍କୁ କହି ପାରିବନି ଭାବିଲା।

ଚହଲି ଯାଇଥିଲା ତା' ମନ। ସାମାନ୍ୟ ଦ୍ବନ୍ଦ୍ବରେ ପଡି ଯାଇଥିଲା ସେ।

ଅଳ୍ପ ସମୟ ଠିଆ ହେବା ପରେ ସେ ମହିଳାଙ୍କ ପାଖକୁ ଆସିଲା।କହିଲା - ' କାହିଁକି ମତେ ଏ ପ୍ରଶ୍ନ ? '

ମହିଳା ସାମାନ୍ୟ ହସି କହିଲେ - ' ଯେତେ ଝିଅ ଏଠିକି ଆସୁଛନ୍ତି ସମସ୍ତଙ୍କୁ ପଚାରୁଛି। '

- ' ହେଲେ କାହିଁକି ? ' ସେ କହିଲା।

- ' ଜାଣେ ଝିଅମାନେ ସୁନ୍ଦର ବର ହିଁ ମାଗିଥାନ୍ତି ଏଠି।ସେଥିପାଇଁ..। ' ମହିଳା କହିଲେ।

- ' ତେବେ ତୁମେ କ'ଣ କହିବାକୁ ଚାହୁଁଛ ? ' ସେ ପୁଣି କହିଲା।

- ' ମୋ କଥାଟି ଶୁଣିଲେ ବଳେ ଜାଣିଯିବୁ। ' ମହିଳା କହିଲେ।

ଆଉ କିଛି ନ କହି ସେ ଖୁବ୍ ଆଗ୍ରହରେ ମହିଳାଙ୍କୁ ଚାହିଁ ରହିଲା।

ମହିଳା ଆରମ୍ଭ କଲେ ...

- ' ମୁଁ ବି ଦିନେ ମନ୍ଦିରକୁ ଆସି ଗୋଟେ ସୁନ୍ଦର ବର ମାଗିଥିଲି।ପାଇଥିଲି ସେମିତି ସୁନ୍ଦର ବର।ଯେଉଁଠିକି ବାହା ହୋଇ ଗଲି ମୋର ଘର ଭାବିଲି।ତା'ର ଯତ୍ନ କଲି।ହେଲେ ମୋତେ ମୋ ବାପାଙ୍କ ସାଙ୍ଗରେ ସେଇଠୁ ଫେରି ଆସିବାକୁ ପଡିଲା।କାରଣ ମୋର ସ୍ବାମୀ ହଠାତ୍ ମରିଗଲେ। '

ମହିଳାଙ୍କ ମୁହଁରୁ ଏତିକି ଶୁଣି ଦୁଃଖିତ ହେଲେ ବି ତା'ର ଆଗ୍ରହ ବୃଦ୍ଧି ପାଇଲା।- ' ତା'ପରେ କ'ଣ ହେଲା ? ' ସେ କହିଲା।

- ' ବାପା ଆଉ ଜାଗାରେ ବାହା ଦେଲେ। ସିଏ ବି ସୁନ୍ଦର ବର।ସେଠିକି ଗଲି।ସେ ଘରକୁ ନିଜର ଭାବିଲି।ସେଇଠି ସମସ୍ତଙ୍କ ସହିତ ମଳିମିଶି ଚଳିଲି।ହେଲେ ମୋତେ ପୁଣି ଫେରିବାକୁ ହେଲା।ସେହି ସ୍ବାମୀଙ୍କର ବି ଅସମୟରେ ମୃତ୍ୟୁ ହୋଇଗଲା।ବାପା ମୋତେ ସାଙ୍ଗରେ ନେଇ ଆସିଲେ। '

- ' ଆଶ୍ଚର୍ଯ୍ୟ.....! ' ସେ କହିଲା।

ମହିଳା ପୁଣି କହିଲେ - ' ଯେଉଁମାନଙ୍କର ଘର ନଥାଏ

ସେମାନେ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଯାଆନ୍ତି।କୁହାଯାଏ - ସ୍ବାମୀର ଘର ହିଁ ସ୍ତ୍ରୀର ଘର। '

- ' ସତକଥା ତ ...! ' ସେ କହିଲା।

- ' ଆଉ ବାହା ହେଲିନାହିଁ।ଘରେ ରହିଲି।ବାପା ମରିଗଲେ।ଭାଇମାନେ ମୋର ଦାୟିତ୍ୱ ବୁଝିଲେନି।ଘରୁ ଚାଲି ଆସିଲି।ଉପାୟଶୂନ୍ୟ ଥିଲି।ଏବେ ଏଇ ମୋର ଜୀବନ।ଏଇ ମନ୍ଦିର ଦୁଆର ଏବେ ମୋର ଘର। ' ମହିଳା କହିଲେ ପୁଣି।

ଆହା ! ତା'ର ଆଶ୍ଚର୍ଯ୍ୟର ସୀମା ନ ଥିଲା।

ମହିଳା ଆହୁରି କହିଲେ - ' ସବୁ ଝିଅଙ୍କର ଜୀବନ ଗୋଟିଏ ଜୀବନ ହେଉ। ସବୁ ଝିଅଙ୍କର ନିଜର ଗୋଟିଏ ଘର ହେଉ। - ଏବେ ସବୁଦିନେ ଠାକୁରଙ୍କୁ ମୁଁ ଏତିକି ପ୍ରାର୍ଥନା କରୁଛି।ହାତ ଯୋଡି ମାଗୁଛି।ଏବେ ତୁ ଚିନ୍ତା କର ଝିଅ, ଠାକୁରଙ୍କୁ କଅଣ ମାଗିବୁ। '

ନିର୍ବାକ୍ ହୋଇ ଯାଇଥିଲା ସେ।

ଏହାପରେ ଖୁବ୍ ଆନମନା ହୋଇ ସେ ମନ୍ଦିର ଭିତରକୁ ପ୍ରବେଶ କଲା।ଠାକୁରଙ୍କ ପାଖରେ ପହଞ୍ଚିଲା।

ଏବେ ଠାକୁରଙ୍କୁ କଅଣ ମାଗିବାକୁ ହେବ ପ୍ରାୟ ବୁଝି ସାରିଥିଲା ସେ।


Rate this content
Log in

Similar oriya story from Inspirational