Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମରୁଯାତ୍ରୀ
ମରୁଯାତ୍ରୀ
★★★★★

© Kara Bijay

Drama Romance

10 Minutes   7.3K    13


Content Ranking

                                            ମରୁଯାତ୍ରୀ 
                                                                କେ.ବିଜୟ
                                              
        ଅନିନ୍ଦିତା ରାୟ ।
        ବାସ୍ତବିକ୍ ଅନିନ୍ଦିତ ଶୋଭିତ ମୁଖମଣ୍ଡଳ । ସାଗର ପରି ଘନନୀଳ ଜ୍ଞାନଦୀପ୍ତ ଚକ୍ଷୁ ଯୁଗଳ । ସାଗରର ଲହରି ପରି ଘନ ଦୋଳାୟମାନ କେଶରାଜି । ପଦ୍ମ ପାଖୁଡା ଭଳି ଓଠ । ଗୋଲାପି ମସୃଣ ଗଣ୍ଡଦେଶ । ମୁକ୍ତାପରି ଦନ୍ତପଂକ୍ତି । ସୁଠାମ ସୁଢଳ ବକ୍ଷ ଯୁଗଳ । କ୍ଷୀଣ କଟି । ଦୀର୍ଘ ଅଥଚ ମଧ୍ୟମ ଶରୀର । ଚମ୍ପାକଳି ପରି ହସ୍ତ ପଦର ଅଙ୍ଗୁଳି ।
          ସତରେ ଅନିନ୍ଦିତ ,ଉପମା ବିହୀନ ସୌନ୍ଦର୍ଯ୍ୟ । ସ୍ରଷ୍ଟା ହୁଏତ ଅବସର ସମୟରେ ଗଢିଥିଲେ । ମୁହଁରେ ସଦାବେଳେ  ହସର ଧାରେ ଆଲୁଅ ତା'ର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରୁଥିଲା ।
            ସେଦିନ ଗୋଟିଏ ଝଲକରେ ତାକୁ ଦେଖି ତାର ସୌନ୍ଦର୍ଯ୍ୟକୁ ମାପି ନେଇଥିଲା ଅସୀମ୍  ନିଜ ମନର ମାପ କାଠିରେ । ମୁହୂର୍ତ୍ତକ ପାଇଁ ଦେଖାଦେଇ ହଜିଯାଇଥିଲା ବାହାଘରର ଭିଡ଼ ଭିତରେ , ସେହି ଝିଅଟି । ଅସୀମ ତାକୁ  ବହୁତ୍ ଖୋଜିଥିଲା । ମନରେ ଆଶାର ଶୃଙ୍ଗଟିଏ । ନିଶ୍ଚୟ କେଉଁଠି ପାଇଯିବ । ବାହାଘର ଭିଡ ଭିତରୁ ସେ କୁଆଡେ ଯିବ ? ନିଶ୍ଚୟ ଏଠି ସେଠି କେଉଁଠି ଘୁରି ବୁଲୁଥିବ ଗୋଟିଏ ରଙ୍ଗୀନ ପ୍ରଜାପତି ପରି । କିନ୍ତୁ ଅନେକ ଖୋଜିବା ପରେ ବି ତାକୁ ନ ପାଇ ,ପରିଶେଷରେ ନିରାଶ ହୋଇ ଫେରି ଆସିଥିଲା ବରଯାତ୍ରୀ ସଙ୍ଗେ ।
             କିନ୍ତୁ ସ୍ୱପ୍ନର ବଣିକ ସାଜି ଅହର୍ନିଶି ତା'ର ସେହି ସ୍ୱପ୍ନ ସୁନ୍ଦରୀକୁ ହିଁ ସ୍ୱପ୍ନ ଦେଖୁଥିଲା । ତା'ର ସେହି ସ୍ମିତହାସ୍ୟ ବୋଳା ମୁଖମଣ୍ଡଳ , ୠଷି ମନଚୋରା ସୌନ୍ଦର୍ଯ୍ୟ , ହରିଣୀ ଭଳି ଚଳଚଞ୍ଚଳ ଆଖି ଦିଓଟିକୁ ସେ ଶତ ଚେଷ୍ଟାକରି ବି ଭୁଲି ପାରୁନଥିଲା । ତା' ମନଟା ଘୁରି ବୁଲୁଥିଲା କେଉଁ ଏକ ଅଜଣା ମୁଲକରେ , ନିଜ ମନର ଅଜ୍ଞାତ ସାମ୍ରାଜ୍ଞୀର ସନ୍ଧାନରେ । ମନରେ ଅସଂଖ୍ୟ ଆଶା ଓ ନିରାଶାର ଦ୍ୱନ୍ଦ୍ୱ।
             ମନେ ମନେ ଭାବୁଥିଲା , ଭାଇଙ୍କ ବାହାଘରରେ ତାକୁ ଦେଖିଥିଲା ଯେତେବେଳେ ନିଶ୍ଚୟ ଭାଉଜଙ୍କ ସମ୍ପର୍କୀୟା ହେଇଥିବ । ଭାଉଜଙ୍କୁ ଏ ସମ୍ପର୍କରେ ଥରେ ପଚାରି ବୁଝି ନେଇଥିଲେ ତା' ମନର ଦ୍ୱନ୍ଦର ଅବସାନ ହେଇଯାଆନ୍ତା । କିନ୍ତୁ ଭାଉଜଙ୍କୁ ଏକଥା ପଚାରିବ ବା କେମିତି ? ସେ ତାଙ୍କ ଆଖିରେ ଧରାପଡିଯିବ । ସେ ତାକୁ ଥଟ୍ଟା କରିବେ , ଭାଇଙ୍କୁ ନିରୋଳା ମୁହୂର୍ତ୍ତରେ କହିଦେବେ, ତେବେ ସେ ନିଜେ ଭାଇଙ୍କ ଦୃଷ୍ଟିରେ ନ୍ୟୂନ ହେଇଯିବ । କେମିତି ଏକଥା ତାଙ୍କୁ ପଚାରିବ ଭାବି ପାରୁନଥିଲା ।
             କିନ୍ତୁ ତା' ହୃଦୟରେ ସେହି ଝିଅଟିର ପ୍ରତିଛବି ଅତି ସ୍ପଷ୍ଟ ଭାବରେ ଆଙ୍କି ହେଇଯାଇଥିଲା । ନିଃଶବ୍ଦ ନିଶୁନ୍ ରାତ୍ରିର ଅନ୍ଧକାରରେ ସେ ଯେତେବେଳେ ଶଯ୍ୟାରେ ଆଖି ବନ୍ଦ କରି ନିଦରେ ଶୋଇବାକୁ ଚେଷ୍ଟା କରୁଥିଲା , ସେହି ଝିଅଟିର ଶାନ୍ତ ସରଳ ମୁହଁଟିର ପ୍ରତିଛବି ତା' ମାନସରେ ଅନାୟାସରେ ଉଙ୍କି ମାରୁଥିଲା ।
               ହଠାତ ଦିନେ ଭାଉଜଙ୍କ ଘରୁ ଫୋନ୍ ଆସିଲା , ତାଙ୍କ ସମ୍ପର୍କୀୟା ଭଉଣୀ ଅନିନ୍ଦିତା ଯିଏ ଦିଲ୍ଲୀରେ ରହେ , ଛୁଟି କଟାଇବା ପାଇଁ ଭୂବନେଶ୍ୱର ଆସି କିଛି ଦିନ ରହିବ ।
               ଏକଥା ଶୁଣି ଅସୀମ ମନରେ ପ୍ରଶ୍ନଟିଏ ଉଙ୍କିମାଇଲା , ଏହି ଅନିନ୍ଦିତା ସେହି ଝିଅଟି ନୁହେଁ ତ ?   ତା' ଶୂନ୍ୟ ମନର ନିଃସ୍ତବ୍ଧ ଇଲାକାର ବାଦସାହୀ ?
                 ତା' ମନରେ ଆଶାର ସ୍ତିମିତ ଶିଖାଟିଏ ଯେପରି ହଠାତ୍ ପ୍ରଜ୍ୱଳିତ ହୋଇଉଠି ତା ଅନ୍ଧାରି ମନରେ ଅସଙ୍ଖ୍ୟ ପ୍ରଦୀପର ଜ୍ୟୋତି ଜାଳିଦେଲା । ବ୍ୟାକୁଳତା ଓ ଅନେକ ମଧୁମୟ ଭାବନାର ଉତ୍ପୀଡ଼ନରେ ପ୍ରତୀକ୍ଷା କରିଥିଲା ଅନିନ୍ଦିତାର ଆଗମନକୁ । ମନରେ ସାଗରର ଅସଙ୍ଖ୍ୟ ଆଶାର ଉର୍ମିମାଳା ।
                  ତା'ର ସମସ୍ତ ବ୍ୟାକୁଳତା ଓ ଉତ୍ପୀଡନର ଅନ୍ତ ଘଟାଇ ତା'ରି ଘରେ ପାଦ ଦେଇଥିଲା ଅନିନ୍ଦିତା ସେଦିନ । ଅନିନ୍ଦିତାକୁ ଦେଖି ସ୍ତମ୍ଭିତ ହୋଇ ଯାଇଥିଲା ଅସୀମ୍ । ତାର ବିଶ୍ୱାସ ହେଉନଥିଲା । ତା'ର ସ୍ୱପ୍ନର ନାୟିକା ସ୍ୱଦେହରେ ତା'ରି ସମ୍ମୁଖରେ ବିରାଜମାନ ! ଏହା ସମ୍ଭବ ହେଇପାରିଲା କିପରି ଯେ ? ଆଜିଯାଏଁ ଯେଉଁ ସ୍ୱପ୍ନର ନାୟିକାକୁ ଖୋଜି ବୁଲୁଥିଲା ତାକୁ ଯେ ଅପ୍ରତ୍ୟାଶିତ ଅତି ନିକଟରେ ପାଇଯିବ , ଏହା ତା'ର କଳ୍ପନାତୀତ ଥିଲା ।
                     ଇସ୍ କି ରୂପ ଲାବଣ୍ୟ !
                     ବାସ୍ତବିକ୍ ଅନିନ୍ଦିତ ରୂପ ଲାବଣ୍ୟରେ ଭରପୁର ଝିଅଟିଏ ।
                     "ଅପୂର୍ବ ସୁନ୍ଦର ! "  ସ୍ୱତଃ ଅସୀମ୍ ମୁହଁରୁ ଉଚ୍ଚାରିତ ହେଇଯାଇଥିଲା । ତା' ଶରୀରର ପ୍ରତିଟି ଅଙ୍ଗର ଇଞ୍ଚ ଇଞ୍ଚ ଅଂଶରେ ତା' ଦୃଷ୍ଟି ଘୁରି ଆସିଥିଲା ।
                       ଅସୀମର ମନଟା ଅଧୀର ଚଞ୍ଚଳ ହୋଇଉଠିଲା ।
                       ଦୀର୍ଘ ପ୍ରତୀକ୍ଷିତ ତା' ମନର ବାଦସାହୀ , ସ୍ୱପ୍ନର ମାନସୀ ଓ ତା' ଆବେଗର ଉତ୍ସକୁ ଅପ୍ରତ୍ୟାଶିତ ଭାବେ ଅତି ନିକଟରେ ପାଇ , ତା' ହୃଦୟର ରୁଦ୍ଧ  ଦ୍ୱାର ଗୁଡିକ ହଠାତ୍ ଯେପରି ଉନ୍ମୁକ୍ତ ହେଇଗଲେ । ମଳୟର ଚେନା ଚେନା ସମୀରଣ ପରି ଅନିନ୍ଦିତା ରୂପରେ ତା'ର ପ୍ରତିଟି ଅବସ୍ଥିତି ଯେପରି ତାର ଉନ୍ମୁକ୍ତ ଦ୍ୱାର ଗୁଡିକ  ଦେଇ ତା' ହୃଦୟ ଭିତରକୁ ସଟ୍ କରି ପଶି ଆସିଲେ । ତା' ହୃତ୍ ସ୍ପନ୍ଦନ ତୀବ୍ର ହୋଇଉଠୁଥିଲା । ଛାତିତଳେ ଏକ ଉଚ୍ଛ୍ୱସିତ ଭାବପ୍ରବଣତାର ସ୍ରୋତଟିଏ ନିଃଶବ୍ଦରେ ପ୍ରବାହିତ ହେଇଗଲା । ଏକ ଅଦମ୍ୟ ଉତ୍ତେଜନାରେ ସମଗ୍ର ଶରୀର ସ୍ୱେଦାକ୍ତ ହୋଇ ଉଠୁଥିଲା ।
                        ଅନିନ୍ଦିତା କିନ୍ତୁ ଏକ ବେପାରୁଆ ଛନ୍ଦାୟିତ ଭଙ୍ଗୀରେ ଟ୍ରଲି ବ୍ୟାଗଟିକୁ ଟାଣି ଟାଣି ଭାଉଜଙ୍କ ସଙ୍ଗେ ତାଙ୍କ କକ୍ଷ୍ୟକୁ ଚାଲି ଯାଉଥିଲା । ଅସୀମ୍ କିନ୍ତୁ ସ୍ଥିତପ୍ରଜ୍ଞ ପରି ଏକ ଲକ୍ଷ୍ୟରେ ଚାହିଁ ରହିଥିଲା ତାର ଗନ୍ତବ୍ୟ ପଥକୁ ।
                        ସେଦିନ ରାତିରେ ଅସୀମ୍ ଶୋଇ ପାରିନଥିଲା । ଆଖି ବନ୍ଦ କରିବା କ୍ଷଣେ ଅନିନ୍ଦିତାର ପ୍ରତିଛବି ଅନାୟାସରେ ତା' ମାନସରେ ଉଙ୍କି ମାରୁଥିଲା , ସତେ ଯେମିତି ସଦ୍ୟ ପ୍ରସ୍ଫୁଟିତ ଗୋଲାପଟିଏ । ମନଟା ତା'ର ଏକ ଅବ୍ୟକ୍ତ ଉଚ୍ଚାଟରେ ରୋମାଞ୍ଚିତ ହୋଇ ଉଠୁଥିଲା, ସତେ ଯେମିତି ତା' ପଲକରେ ସ୍ୱପ୍ନ ହୋଇ ରହି ଯାଇଥିଲା । ରାତିଟା ଯେପରି ନିଜ କାୟା ବିସ୍ତାର କରି ଦୀର୍ଘ ହେଇଯାଉଥିଲା । ଯେତେ ଦୀର୍ଘ ହେଲେବି ତାକୁ ମୋଟେ ବିରକ୍ତ ଲାଗୁନଥିଲା ବରଂ ସେହି ଦୀର୍ଘ ରାତିଟା ମଧୁମୟ ହୋଇ ଉଠୁଥିଲା । ସେହି ଦୀର୍ଘ ରାତିରେ ପ୍ରାତଃର ପ୍ରତୀକ୍ଷା କରୁ କରୁ ଅନେକ ଅଦେଖା ସ୍ୱପ୍ନରେ ଆତ୍ମବିଭୋର ହୋଇ ଯାଉଥିଲା ।
                   ସେଦିନ ରାତିରେ ଖାଇବା ଟେବୁଲରେ ଭାଉଜ ଅନିନ୍ଦିତା ସଙ୍ଗେ ତା'ର ପରିଚୟ କରାଇ ଦେଇଥିଲେ । କୋକିଳ କଣ୍ଠୀ ମଧୁର ଭାଷିଣୀ ଅନିନ୍ଦିତା ନିଜର ବୀଣା ଜିଣା ସ୍ୱର ତୋଳି ସଂକ୍ଷିପ୍ତରେ କହିଥିଲା , "ହାଏ ।" ତା'ର ସେହି କଣ୍ଠସ୍ୱର ରାତି ତମାମ ତା' ମନ ମଧ୍ୟରେ ଅନୁରଣିତ ହୋଇଥିଲା ।
                   ପରଦିନ ସକାଳୁ ଜଳଖିଆ ଖାଉ ଖାଉ ଭାଉଜ ଅସୀମକୁ ଲକ୍ଷ କରି କହିଥିଲେ , " ଅସୀମ, ତମେ ଆଜି ଅନିନ୍ଦିତାକୁ ଖଣ୍ଡଗିରି ଆଉ ଧଉଳି ଟିକିଏ ବୁଲେଇ ନେଇଆସ । ସେ ବିଚାରି ଘରେ ବସି ବସି ବୋର୍ ହେଇଯିବ ।"
                   ଅସୀମ୍ ଯେପରି ଏକଥା ଭାଉଜଙ୍କ ମୁହଁରୁ ଶୁଣିବାପାଇଁ ବ୍ୟାକୁଳ ହୋଇ ପ୍ରତୀକ୍ଷା କରିଥିଲା । ସେ କହୁ କହୁ ହଁ ଭରିଦେଲା । ତା'ର ଏଭଳି ବ୍ୟାକୁଳ ଉଚ୍ଛନତା ଦେଖି ତାଙ୍କ ମନ ସନ୍ଦିଗ୍ଧ ହୋଇଉଠିଲା । ସେ ଏକ ବକ୍ରିମ ଦୃଷ୍ଟିରେ ଅସୀମକୁ ଚାହିଁ ମୁହଁରେ ଏକ ଦୁଷ୍ଟାମିର ସ୍ମିତ ହସ ଟିଏ ଖେଳେଇ ସେଠାରୁ ଚାଲି ଯାଇଥିଲେ । ଅସୀମର ଆଉ ବୁଝିବାକୁ ବାକି ରହିଲାନି ଯେ ତା' ମନର ବ୍ୟଗ୍ରତା , ବ୍ୟାକୁଳତା ଓ ଉଚ୍ଛ୍ୱସିତ ଭାବ ଭାଉଜଙ୍କ ଆଖିରେ ଧରାପଡି ଯାଇଥିଲା । ତାଙ୍କ ଓଠ ଧାରର ସ୍ମିତ ହସଟି ତାଙ୍କ ନିରବ ସମ୍ମତିର ଲକ୍ଷଣ ମନେକରି ମନେ ମନେ ଉଲ୍ଲସିତ ହୋଇ ଉଠିଥିଲା ।
                   ଜଳଖିଆ ଖାଇସାରି , ଅସୀମ୍ ଓ ଅନିନ୍ଦିତା ଖଣ୍ଡଗିରି ଓ ଧଉଳି ଅଭିମୁଖେ ବାହାରିଲେ । ବାଇକର ପଛ ସିଟରେ ବସି ଅନିନ୍ଦିତା ଅତି ସ୍ୱଛନ୍ଦରେ ଅସୀମ୍ ର କଟୀକୁ ନିଜ କମନୀୟ ବାହୁରେ ବେଷ୍ଠନ କରି ଧରିଥିଲା । ତାର ଉନ୍ନତ ସ୍ଫୀତ ବକ୍ଷୋଜର ସ୍ପର୍ଶ ପାଇ ଅସୀମ୍ ଦେହରେ ଖେଳିଯାଉଥିଲା ଏକ ଅବ୍ୟକ୍ତ ଶିହରଣ । ସ୍ୱପ୍ନରେ ବି ଯାହାର ସ୍ପର୍ଶ ପାଇନଥିଲା , ଯେ ତା'ର ମନର ମହାସାଗରର ଗଭୀରତାରେ ଜଳମଗ୍ନ ସ୍ମୃତି ହୋଇ ରହିଯାଇଥିଲା , ତାକୁ ଏତେ ସମୀପରେ ଯେ ପାଇପାରିବ ସେ କେବେ ସ୍ୱପ୍ନରେ ବି କଳ୍ପନା କରିପାରିନଥିଲା । ଭାବ ବିହ୍ଵଳିତ ହୋଇଉଠି ମନଟା ଭରିଗଲା ପ୍ରଚୁର ପ୍ରଗଳଭତାରେ ।
                    ଖଣ୍ଡଗିରି ଓ ଧଉଳୀର କଳା କିର୍ତ୍ତୀ ଓ କାରୁକାର୍ଯ୍ୟଗୁଡିକର  ଗୋଟି ଗୋଟି କରି ପ୍ରତ୍ୟେକଟିର ପରିଚୟ ପ୍ରଦାନ କରିଥିଲା । ଏକ ସୁଦକ୍ଷ ଗାଇଡ୍ ପରି ବଖାଣିଥିଲା ଏହାର ଏୈତିହ୍ୟ ସମ୍ପର୍କରେ । ଅନିନ୍ଦିତା ସବୁ ମନ ଧ୍ୟାନ ଦେଇ ଶୁଣୁଥିଲା । ପ୍ରାଚୀନ କାରୁକାର୍ଯ୍ୟଭରା ସ୍ଥାପତ୍ୟ ଦେଖି ଆଭିଭୂତ ହେଇଯାଇଥିଲା,  ଯେଉଁଠି ଇଛା ସେଇଠି ଫଟୋ ନେଇଥିଲା ନିଜ କ୍ୟାମେରାରେ । ସେହି ସ୍ଥାପତ୍ୟର କିର୍ତ୍ତୀରାଜି ସଙ୍ଗେ ଅସୀମର କେତୋଟି ଫଟୋ ବି ନେଇଥିଲା । କିନ୍ତୁ ସେ ଥିଲା ନିର୍ବିକାର,  ନିର୍ଲିପ୍ତ , ସରଳ ଓ ଭାବଲେଶହୀନ । ତା'ର ବ୍ୟବହାରରେ ଅସୀମ୍ ପ୍ରତି ତିଳେହେଲେ ଦୁର୍ବଳତା ରହିଥିବା ମୋଟେ ବାରି ହେଉନଥିଲା ବରଂ ଏକ ଅନାବିଳ ବନ୍ଧୁତ୍ୱର ଭାବ ସ୍ପଷ୍ଟ ବାରି ହେଉଥିଲା । କୌଣସି ପୁରୁଷର ପ୍ରେମାଭିଳାସି ପରି ସଲ୍ଲଜତା ଓ ସଙ୍କୋଚତାର ଆଭାସ ତା ବ୍ୟବହାରରେ ମୋଟେ ପରିଲକ୍ଷିତ ହେଉନଥିଲା । ଏକ ସ୍ୱଚ୍ଛ ଝରଣାର ଶୀତଳ ଜଳ ପରି ତା' ଅନ୍ତରଟା ସ୍ୱଚ୍ଛ ଓ ପବିତ୍ର ଥିଲା । ସ୍ତ୍ରୀ ପୁରୁଷ ନିର୍ବିଶେଷରେ ବନ୍ଧୁତା କରିପାରିବାର କ୍ଷମତା ତା' ଠାରେ ଅନ୍ତର୍ନିହିତ ଥିଲା । ବନ୍ଧୁତାରେ ସ୍ତ୍ରୀ ପୁରୁଷ ମଧ୍ୟରେ ରହିଥିବା ତାରତମ୍ୟ ବାରିପାରୁନଥିଲା ।
                   ସେ କ୍ଳାନ୍ତ ହେବାଯାଏଁ ଅସୀମ୍ ସଙ୍ଗେ ବୁଲାବୁଲି କରିଥିଲା । ଦ୍ୱିପହରରେ ହୋଟେଲରେ ଖାଇନେଇ ସନ୍ଧ୍ୟା ସୁଧା ଫେରି ଆସିଥିଲେ ଦିଁହେ । ଅନିନ୍ଦିତାର ମନଟା ଏକ ଅବ୍ୟକ୍ତ ଆନନ୍ଦରେ ଉଲ୍ଲସିତ ଓ ଉଚ୍ଛ୍ୱସିତ ହୋଇ ଉଠୁଥିଲା ।
                  କିନ୍ତୁ ଅସୀମ୍ !
                   ବିଚରାର ମୁହଁରେ ଉଦାସର ଉଁଆସ । କେମିତି ଏକ ନିରୁତ୍ସାହିତ ଓ କ୍ଳାନ୍ତ ଲାଗୁଥିଲା । ଭାଉଜ ତା' ମୁଖ ମଣ୍ଡଳରେ ଉଦାସୀନତାର ଛାଇ ଦେଖି , ରସିକତା କରି କହି ପ୍ରଶ୍ନକଲେ , " ଅସୀମ୍ ତମ ମନଟା ମରିଯାଇଛି ଯେ ? ମୁହଁଟା ଏମିତି ଝାଉଁଳି ଯାଇଛି କାହିଁକି ? କଥା କଣ , ବେଶି ଥକ୍କିଯାଇଛ ନା ଯାହା ଚାହିଁଥିଲ ତାହା ପାଇଲନି ବୋଲି ମନ ଦୁଃଖ ?"
                 ଅସୀମ୍ କିଛି ନକହି ଶୁଷ୍କ ହସଟିଏ ଓଠ ଧାରରେ ଖେଳେଇ ପୋଷାକ ପରିବର୍ତ୍ତନ କରିବାପାଇଁ ନିଜ ଶୟନ କକ୍ଷକୁ ଚାଲିଗଲା । ଭାଉଜ ପାଟିକରି କହୁଥିଲେ , " ବ୍ୟସ୍ତ ହୁଅନାହିଁ ଅସୀମ୍ ପ୍ରତୀକ୍ଷାର ଫଳ ସବୁବେଳେ ମିଠା ହିଁ ହୋଇଥାଏ ।"
                  ଅସୀମ୍ ଆସୁ ଆସୁ ନିଜ କକ୍ଷକୁ ଚାଲିଯାଇଥିଲା ଏଣୁ ଭାଉଜ ଏପରି ଥଟ୍ଟା କରିବା ସେ ଶୁଣି ପାରିନଥିଲା ।
                   ପରଦିନ ଅସୀମ ଭାଇଙ୍କ କାର୍ ନେଇ ଅନିନ୍ଦିତାକୁ କୋଣାର୍କ ଓ ପୁରୀ ବୁଲାଇ ନେଇଥିଲା । କୋଣାର୍କର ପ୍ରାଚୀନ ଭାସ୍କର୍ଯ୍ୟ , କାରୁକାର୍ଯ୍ୟ , କଳା ଓ ସ୍ଥାପତ୍ୟ ଦେଖି ବିସ୍ମୟ ପ୍ରକାଶ କରିଥିଲା ଅନିନ୍ଦିତା । ମନ୍ଦିର କାନ୍ଥର ଚଟାଣରେ ନଗ୍ନ ଭାସ୍କର୍ଯ୍ୟ ଦେଖି ବିସ୍ମିତ କଣ୍ଠରେ ପ୍ରଶ୍ନ କରିଥିଲା , " ଅସୀମ ଭାଇ ମନ୍ଦିର କାନ୍ଥର ଚଟାଣରେ ଏହି ନଗ୍ନ ଭାସ୍କର୍ଯ୍ୟର ତାତ୍ପର୍ଯ୍ୟ କଣ ?" ଅସୀମ୍ ଏକ ଦାର୍ଶନିକ ଭଳି ତାର ଗୁଢ ତତ୍ୱ ବୁଝାଇ କହିଥିଲା , " ଏହି ନଗ୍ନ ଭାସ୍କର୍ଯ୍ୟର ଦାର୍ଶନିକ ତତ୍ତ୍ୱ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଇନ୍ଦ୍ରିୟ ଭୋଗର ପରିସମାପ୍ତିହିଁ ଭଗବତ୍ ପ୍ରାପ୍ତିର ମାର୍ଗ ଉନ୍ମୁକ୍ତ କରିଦିଏ । ବୁଦ୍ଧଦେବ କହିଥିଲେ,   କାମନାର ବିନାଶରେହିଁ  ଦୁଃଖର ବିନାଶ ଘଟେ । ଏଣୁ ମଣିଷ ମନରେ କାମନାର ବିନାଶ ପରେହିଁ ଭଗବତ୍ ଚିନ୍ତନ ତା'  ମାନସରେ ସୃଷ୍ଟି ହୁଏ । ଯେତେବେଳେ ଯାଏଁ ସମ୍ଭୋଗ, ଲାଳସା ଓ କାମନା ମଣିଷ ମନରେ ଉଜ୍ଜୀବିତ ହୋଇ ରହିଥାଏ , ସେ ଯାଏ ସେ କେବେ ଭଗବାନଙ୍କ ଠାରେ ନିଜକୁ ସମ୍ପୂର୍ଣ ରୁପେ ସମର୍ପଣ କରିପାରେ ନାହିଁ । ତେଣୁ ପର୍ଯ୍ୟାପ୍ତ ସମ୍ଭୋଗ ଓ ଭୋଗ ପରେହିଁ ମଣିଷ ବୀତସ୍ପୃହ ହୋଇ ଭଗବତ୍ ଚିନ୍ତନରେ ମନ ନିବେଶ କରିବା ପାଇଁ ଯେଉଁ ଏକାଗ୍ରତା ଆବଶ୍ୟକ ସେହି ଏକାଗ୍ରତା ପ୍ରାପ୍ତି ହୁଏ । ଅର୍ଥଶାସ୍ତ୍ରରେ ଦ ଲ ଅଫ୍ ଡିମିନିସିଙ୍ଗ ମାର୍ଜିନାଲ୍ ୟୁଟିଲିଟି ସମ୍ପର୍କରେ ହୁଏତ ତମେ ଜାଣ । ଜଣେ ଗୋଟିଏ ବସ୍ତୁର ସ୍ୱାଦ ଆହରଣ କରିବା ପରେ ପୁଣି ସେହି ବସ୍ତୁର ସ୍ୱାଦ ଆହରଣ କରିବାର ଇଚ୍ଛା ହ୍ରାସ ପାଇଥାଏ । ଠିକ୍ ସେହିପରି ବାରମ୍ବାର ସମ୍ଭୋଗ ଦ୍ୱାରା ମଣିଷର କାମ ଲାଳସା କ୍ରମେ ପ୍ରଶମିତ ହୋଇଥାଏ , ସେତେବେଳେ ମନ୍ଦିର ଚଟାଣରେ ଖୋଦିତ ଏହି ନଗ୍ନ ସମ୍ଭୋଗର ଭାସ୍କର୍ଯ୍ୟ ତା' ମନରେ କୌଣସି ପ୍ରଭାବ ବିସ୍ତାର କରି ପାରେନାହିଁ । ସେ ଏହି ନଗ୍ନ ଭାସ୍କର୍ଯ୍ୟ ଗୁଡିକୁ ଦେଖି  ମୋହାବିଷ୍ଠ ନହେଇ ଭଗବାନଙ୍କ ପାଦ ପଦ୍ମରେ ନିଜକୁ ସମର୍ପଣ କରିଦେଇଥାଏ । ତେଣୁ ମଣିଷ ମନର ସଂଯମତା ପରୀକ୍ଷା କରିବା ପାଇଁ ଏପରି ନଗ୍ନ ସମ୍ଭୋଗ ଦୃଶ୍ୟର ଚିତ୍ର ଖୋଦିତ ହୋଇଥାଏ । ଏହା କୌଣସି ଅଶ୍ଲିଳତାକୁ ପ୍ରଶ୍ରୟ ଦେବାପାଇଁ ହୋଇ ନଥାଏ । ଏହାହିଁ ଆଧ୍ୟାତ୍ମିକ ମାର୍ଗର ଦର୍ଶନ ତତ୍ତ୍ୱ । ଏହି ତତ୍ତ୍ୱ  ଖୁବ୍ କମ୍ ଲୋକଙ୍କର ହୃଦବୋଧ ହୋଇଥାଏ ।ଏ ହେତୁ ଏହି ତତ୍ତ୍ୱ କୁ ଅନେକେ  ଭୁଲ ମାର୍ଗରେ ଅନୁସରଣ କରିଥାନ୍ତି । ଆଚାର୍ଯ୍ୟ ରଜନୀଶଙ୍କ ଭଗବତ୍ ପ୍ରାପ୍ତିର ତତ୍ତ୍ୱ  ବି ଠିକ୍ ସେଇୟା ହିଁ ଥିଲା । କିନ୍ତୁ ତାଙ୍କ ଶିଷ୍ୟଗଣ ତାଙ୍କର ଏହି ତତ୍ତ୍ୱକୁ ଠିକ୍ ରୁପେ ବୁଝି ନପାରି ବ୍ୟଭିଚାରର ଆଶ୍ରିତ ହୋଇଥିଲେ । ଏଣୁ ତାଙ୍କର ପତନ ଘଟିଥିଲା ।" ଅସୀମ୍ ଦର୍ଶନର ଛାତ୍ର ନ ହୋଇ ବି ଏହି ତତ୍ତ୍ୱ କୁ ଅତି ପ୍ରାଞ୍ଜଳ ଭାବେ ବୁଝାଇ ପାରିଥିବାରୁ ଏକ ଅଦମ୍ୟ ଆତ୍ମସନ୍ତୋଷରେ ତା' ମୁଖମଣ୍ଡଳ ଏକ ସନ୍ତୃପ୍ତିର ଆଲୋକରେ ପ୍ରଜ୍ୱଳିତ ହୋଇଉଠିଥିଲା ।
               ଅସୀମର ଜ୍ଞାନ ଗାରିମାରେ ଅନିନ୍ଦିତା ଅଭିଭୂତ ହୋଇ ଯାଇଥିଲା । ଏକ ଭାବାବେଗରେ ଉଚ୍ଛ୍ୱସିତ ହୋଇ କହିଲା , "ୟୁ ଆର୍ ଗ୍ରେଟ୍ ଅସୀମ୍ ଭାଇ । ଏଠାରୁ ଫେରିବା ପରେ ତମ ସଙ୍ଗେ ମୋର ଆଉ ଦେଖା ହେବ କି ନାହିଁ ମୁଁ ଜାଣିନି । କିନ୍ତୁ ମୋ ମନରେ ସବୁଦିନ ପାଇଁ ଅବଶୋଶଟିଏ  ରହିଯିବ । ମୋ ହୃଦୟରେ କିଛି ଶୂନ୍ୟତା ରହିଯିବ ।" ଆଗକୁ ଆଉ କହିପାରିଲା ନାହିଁ ଅନିନ୍ଦିତା । ତା' କଣ୍ଠ ରୁଦ୍ଧ ହୋଇ ଆସୁଥିଲା । ଅସୀମର ଆଖିରେ ଆଖି ମିଶାଇ ଚାହିଁ ପାରିଲାନି । ମୁହଁକୁ ଅନ୍ୟ ଆଡକୁ ଘୁରାଇ ଅସୀମର ଅଲକ୍ଷ୍ୟରେ ନିଜ ଓଢଣିରେ ଲୁହରେ ସଜଳ ହେଇଆସୁଥିବା ଆଖିକୁ ପୋଛିନେଇ,  ତଳ ଓଠକୁ ଦାନ୍ତରେ କାମୁଡି ଧରି ମୁହଁରେ ଅନିଛାକୃତ ହସଟିଏ ଖେଳାଇବାପାଇଁ ବ୍ୟର୍ଥ ଚେଷ୍ଟାଟିଏ କରିଥିଲା । ଅସୀମ୍ କିନ୍ତୁ ଠିକ୍ ବୁଝିପାରୁଥିଲା ।
                  ଅସୀମ୍ କିନ୍ତୁ କହିଦେବାକୁ ଚାହୁଁଥିଲା , " ଅନିନ୍ଦିତା ତମେ ଚାହିଁଲେ ପ୍ରତ୍ୟେକ ଦିନ, ପ୍ରତ୍ୟେକଟି ମୁହୂର୍ତ୍ତରେ ମୋତେ ଅତି ନିକଟରେ ପାଇପାରିବ ।" କିନ୍ତୁ କାହିଁକି ଯେ ଏହି କେତୋଟି ଶବ୍ଦ ତା' କଣ୍ଠରେ ଅନୁଚ୍ଚାରିତ ରହିଗଲା ।
                  ଅନିନ୍ଦିତା ଫେରିଯିବାପରେ କେବଳ ସ୍ମୃତିଟିଏ ହେଇ ତା' ମନ ଭିତରେ ରହିଯିବ । ତାକୁ ପାଇବା ଅସମ୍ଭବ , ଏଭଳି ଏକ ଦୃଢ ଧାରଣା ତା' ମନରେ ଦୃଢୀଭୂତ ହୋଇ ଉଠୁଥିଲା କାହିଁକି କେଜାଣି ।
                     ସେଦିନ କ୍ଳାନ୍ତ ଶ୍ରାନ୍ତ ହୋଇ ଫେରିଥିଲେ ଦିହେଁ  ।
                      ଅନିନ୍ଦିତାର ମୁହଁରେ ଏକ ସନ୍ତୃପ୍ତି ଭାବ । ସେ କେବେବି ଭାବିନଥିଲା ଭୂବନେଶ୍ୱର ଆସି  ଏତେ ଅମୂଲ୍ୟ ଏୈତିହ୍ୟ , କଳା, ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ ଦର୍ଶନ କରିପାରିବ । କିନ୍ତୁ ଅସୀମର ମନଟା ମରି ଯାଇଥିଲା । ଭାଉଜ ତା'ର ଉଦାସୀନତା ଠିକ୍ ବାରି ପାରିଥିଲେ । ସେ ତାର ଅନ୍ତରର ଏହି ଦୁଃଖକୁ ବେଶ୍ ବୁଝି ପାରିଥିଲେ । ଏଣୁ ତାକୁ ଥଟ୍ଟା କରି ଆହୁରି କଷ୍ଟ ଦେବାପାଇଁ ଚାହିଁ ନଥିଲେ । ମନେ ମନେ ଭାବିଥିଲେ , ବିଚରା ଅସୀମ୍ ଜାଣେନାହିଁ , ଏକ ମରୁଯାତ୍ରୀ ପରି ମରୀଚିକା ପଛରେ ଧାଉଁଛି ମୁନ୍ଦାଏ ପାଣି ଆଶାରେ । ଆଉ କିଛିଦିନ ପରେ ଅନିନ୍ଦିତା ହେଇଯିବ ଆଉ କାହାର ଅମାନତ୍ । ଅସୀମ୍ ପାଇଁ ଭାଉଜଙ୍କ ମନଟା ସମବେଦନାରେ ସଜଳ ହୋଇ ଆସିଲା ।
                      ଅନିନ୍ଦିତା ଦଶ ଦିନ ରହିଥିଲା ।
                       ୟାରି ଭିତରେ ଅସୀମ୍ ସଙ୍ଗେ ସିନେମା ଯାଇଥିଲା । ନନ୍ଦନ କାନନ୍ ବୁଲି ଆସିଥିଲା । କିନ୍ତୁ ଅସୀମର ତା ସଙ୍ଗେ ବୁଲା ବୁଲି କରିବାପାଇଁ ପ୍ରବଳ ଆକାଂକ୍ଷା ଥିଲେ ବି ସ୍ପୃହା ନଥିଲା । ନିଜ ଭିତରେ ଏକ ଶୂନ୍ୟତାର ଅନୁଭବ ଅହର୍ନିଶି ତାକୁ ଜଳାଉଥିଲା ।
                     ଯେଉଁଦିନ ଅନିନ୍ଦିତା ଫେରିଗଲା , ସେଦିନ ଷ୍ଟେସନରେ ଅସୀମ୍ ଠାରୁ ବିଦାୟ ନେଉ ନେଉ ତା ଆଖି ଛଳ ଛଳ ହେଇଆସିଥିଲା । ସେହି ଛଳ ଛଳ ଆଖିରେ ଅସୀମର ଦୁଇ ପାପୁଲିକୁ ମୁଠାଇ ଧରି କହିଥିଲା , " ଗୋଟିଏ କଥା କହିବି ଅସୀମ୍ ଭାଇ ? ଆଇ ଲଭ୍ ୟୁ ଭେରି ମଚ୍ । ତମକୁ ଛାଡି ଯିବା କଥା ଭାବି ଭାବି ରାତି ତମାମ ଶୋଇ ପାରିନାହିଁ । ଏଠାରୁ ଫେରିଯିବା ପରେ ତୁମକୁ ବହୁତ୍ ମିସ୍ କରିବି । ଜାଣେନା ତମ ସଙ୍ଗେ ମୋର ଆଉ ଦେଖା ହେଇପାରିବ କି ନାହିଁ । ମୋର ବାହାଘର ଠିକ୍ ହେଇଯାଇଛି ଜଣେ ଏନ୍ ଆର୍ ଆଇ ଡାକ୍ତର ସଙ୍ଗେ । ବିବାହ ପରେ ମୁଁ ଇଂଲଣ୍ଡ ଚାଲିଯିବି । କିନ୍ତୁ ତୁମକୁ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ମନେ ରଖିବି । କେବେହେଲେ ଭୁଲି ପାରିବି ନାହିଁ । କାଶ୍ ପୂର୍ବରୁ ତମ ସଙ୍ଗେ ମୋର ପରିଚୟ ହୁଅନ୍ତା ! ଆଗକୁ ଆଉ କହି ପାରିଲା ନାହିଁ । କୋହରୁଦ୍ଧ ହୋଇ ତା କଣ୍ଠ ଆର୍ଦ୍ର ହୋଇ ଆସିଲା । ପାପୁଲିରେ ଲୁହ ପୋଛି ଟ୍ରେନ୍ ର ବଗି ଭିତରକୁ ପଶିଗଲା ।
                ଅସୀମ୍ ନିଜ କୋହକୁ ସମ୍ବରଣ କରିପାରିଲାନି , ତାର ଗଣ୍ଡକୁ ସିକ୍ତ କରି ପ୍ରବାହିତ ହେଇଗଲା ଦୁଇ ଧାର ଅଶ୍ରୁ । ସତେ ଯେମିତି ତା' ହୃଦୟରେ ବହୁଦିନର ଗୁରୁ ଭାର ହଠାତ୍ ଯେପରି ଲାଘବ ହେଇଗଲା । ଆଜିଯାଏଁ ଏକ ତୃଷାର୍ତ୍ତ ମରୁଯାତ୍ରୀ ପରି ଜଳର ସନ୍ଧାନରେ ପଥଭ୍ରଷ୍ଟ ହୋଇ ଘୁରି ବୁଲୁଥିଲା , ହଠାତ୍ ଯେପରି ଶୁଷ୍କ ମରୁଭୂମିରେ ଜଳାଶୟଟିଏର ସନ୍ଧାନ ପାଇ ଆତ୍ମବିସ୍ମୃତ ହେଇଗଲା । ଏକ ଅବ୍ୟକ୍ତ ଆନନ୍ଦରେ ବିହ୍ଵଳ ହେଇଗଲା । ତା ଛାତିତଳେ ନିଃଶବ୍ଦରେ ବହିଗଲା ଏକ ଉଚ୍ଛ୍ୱସିତ ଆବେଗର ଉଚ୍ଛୁଳା ନଈଟିଏ ।
                   ତୃତୀୟ ଘଣ୍ଟି ବାଜିଲା ।
                   ଟ୍ରେନ୍ ଧିରେ ଧିରେ ଚାଲିବା ଆରମ୍ଭ କଲା । ବଗିର ଦ୍ୱାରରେ ଅନିନ୍ଦିତାର ଯନ୍ତ୍ରଣା ବିଜଡିତ ମୁଖମଣ୍ଡଳ ଉଭା ହେଲା । ଧିରେ ଧିରେ ହାତ ହଲାଇ ସେ ବିଦାୟ ଜଣାଉଥିଲା । ସେ ବିଦାୟରେ ଖୁନ୍ଦି ହେଇ ରହିଥିଲା ବହୁତ୍ କିଛି ହରାଇବାର ଯନ୍ତ୍ରଣା , ଦୁଃଖ ଓ ଅବଶୋଷର ଅସଙ୍ଖ୍ୟ  ଈସ୍ତାହାର । ଅସୀମ୍ ର ହାତ ବି ନିଜ ଅଜ୍ଞାତରେ ଉଠି ଯାଇଥିଲା । ସେମିତି ହାତ ହଲାଇ ବିଦାୟ ଜଣାଉଥିଲା , ଅନିନ୍ଦିତା ତା' ଦୃଷ୍ଟିରୁ ଅନ୍ତର ହେବାଯାଏଁ ।
                     ଠିକ୍ ସେହି ମୁହୂର୍ତରେ କାହାରି ଏକ ଅଜ୍ଞାତ କଣ୍ଠରୁ ଭାସିଆସିଲା ପୁରୁଣା ଏକ ହିନ୍ଦୀ ସିନେମାର ଗୀତଟିଏ, " ପଲ୍ ଭର୍ କେ ଲିଏ କୋଇ ହମେ ପ୍ୟାର୍ କରଲେ , ଝୁଟା ହି ସହି .....।"
                     ପଛକୁ ଘୁରି ଚାହିଁଲା , ପାଗଳଟିଏ ତା'ର ପିଙ୍ଗଳ ବର୍ଣ୍ଣର ମଳିନ ଦନ୍ତପଂକ୍ତି ଉକୁଟାଇ ତାକୁ ଚାହିଁ ହସୁଥିଲା । ଅସୀମ୍ ଓଠରେ ଖେଳିଗଲା ପ୍ରଜ୍ୱଳିତ ହସଟିଏ । ନିଜ ମସ୍ତକରେ ହସ୍ତ ସଞ୍ଚାଳନ କରୁ କରୁ , ପଡିଥିବା ମୃଦୁ ପାନୀୟର ଖାଲି ଟିଣ ଡବାଟିକୁ ପାଦରେ ଫୁଟ୍ ବଲ୍ ପରି କିକ୍ ଟିଏ ମାରି ଫେରି ଆସିଲା । ମୃଦୁ ପାନୀୟ ଟିଣଟି ଖୁବ୍ ଦୂରକୁ ଉଡ଼ି ଯାଇଥିଲା ।
                       ଅସୀମ୍ ମୁହଁରେ ଖେଳି ଯାଇଥିଲା ଏକ ଅବ୍ୟକ୍ତ ସନ୍ତୃପ୍ତି । ମନରେ ସଞ୍ଚରି ଯାଇଥିଲା ଅସରନ୍ତି ପ୍ରଗଳ୍ଭତା ।
------------------------------------------------------------------------

ଦୁଇ କୋମଲ ହୃଦୟରେ ଥିବା ପ୍ରେମ ଓ ପରିସ୍ଥିତି ଜନିତ ବିଚ୍ଛେଦ.

Rate the content


Originality
Flow
Language
Cover design

Comments

Post

Some text some message..