ବିଚରା ବିଲୁଆ
ବିଚରା ବିଲୁଆ
ଜଙ୍ଗଲିଆ ରାସ୍ତା। ଚାରିଆଡେ ଶୂନଶାନ। ଆଗରେ କେହି ନାହିଁ କି ପଛରେ କେହି ନାହିଁ। ଜଙ୍ଗଲକୁ କିଏ କାହିଁକି ବା ଆସିବ ସକାଳୁ ସକାଳୁ। ଏମିତି ତ ତୁହାକୁ ତୁହା ବର୍ଷା ଲାଗିରହିଛି। ଶୀତୁଆ ପବନ ବି ବହୁଛି। ଆକାଶରେ କଳାହାଣ୍ଡିଆ ମେଘ ।
-'ଏ ବିଲୁଆ ନନା ! ତରବର ହୋଇ ସକାଳୁ ସକାଳୁ କୁଆଡେ ଧାଉଁଛ ?' -ପଛରୁ କିଏ ଡାକିଲା ଭଳି ଶୁଭିଲା ।
-'ଆରେ ତମେ ବି ତ ଧାଉଁଛ କୁକୁର ଭାଇ ।' -ବିଲୁଆ ନନା ହଡବଡ ହୋଇ ପଛକୁ ଚାହିଁ ଜବାବ ଦେଲା ।
-'ଜଙ୍ଗଲରେ ଆଜି ଗୋଟିଏ ଜରୁରୀ ସଭା ଡକାଯାଇଛି। ମୁଁ ସେଇଠିକୁ ଧାଉଁଛି ।' -ବିଲୁଆ ନନା ଟିକେ ମୁରୁକି ହସି ଉତ୍ତର ଦେଲା ।
-'ମୁଁ ତ ସେହି ସଭାକୁ ବାହାରିଛି।' -କୁକୁର ଭାଇ ଖନେଇ ଖନେଇ କହିଲା
- 'ଗଧିଆ ଭାଇ ସଭା ଡାକିଛି । ଏ ଜଙ୍ଗଲରେ ଯେତେ ପଶୁ ପକ୍ଷୀ ଅଛନ୍ତି ସବୁ ଏକାଠି ହେବେ । ସିଂହ ରଜାଙ୍କ ଅତ୍ୟାଚାର ଦିନକୁ ଦିନ ବଢି ଚାଲିଛି। ସେ ଆଉ ଆମ ଦୁଃଖ ଶୁଣୁନାହାଁନ୍ତି ।
ଖାଲି ଚିଡି ଚିଡି ହଉଛନ୍ତି। ନିଜେ ମଉଜ ମଜଲିସ୍ ରେ ଦିନ କାଟୁଛନ୍ତି। ଗଧିଆ ଭାଇ ରାଜା ହେବ । ସିଂହ ରାଜାକୁ ଆଛାକି ପାନେ ଦେବ ।' -ବିଲୁଆ ଏକ ନିଶ୍ବାସରେ କହିଦେଲା ।
ବିଲୁଆ ତ ବଡ ଚତୁର । ସେ ବି ସୁଯୋଗ ଅପେକ୍ଷାରେ ଥିଲା । ଗଧିଆ ହେବ ଜଙ୍ଗଲରେ ରାଜା ସେ ଏ କଥା ସହଜରେ ହଜମ କରିପାରୁନଥିଲା ।ମନେ ମନେ ଭାବିଲା କୁକୁରକୁ ହାତ କରି ଗଧିଆକୁ ପାନେ ଦେଲେ କେମିତି ହୁଅନ୍ତା। ଏହି କଥା ଚିନ୍ତା କରି କରି ତା ଦେହରୁ ଝାଳ ଗମଗମ ବହିଯାଉଥିଲା। ସିଂହାସନ ପ୍ରତି କାହାର ବା ଲୋଭ ନ ଥାଏ !
-'ଏତେ କ'ଣ ଭାବୁଛ ମ ।' -କୁକୁର ପଚାରିଲା ।
-'ନାଇଁ ଯେ....। ମୁଁ କ'ଣ ଭାବୁଥିଲି କି!'
-'ହଁ କ'ଣ କହୁ ନ ।'
ବିଲୁଆ ଦେଖିଲା ଏଇଟା ଠିକ୍ ସମୟ । ତା ମନ କଥାଟା କୁକୁରକୁ ଜଣାଇଦେଲେ କେମିତି ହେବ । ଅବଶ୍ୟ ତା କଥାରେ କୁକୁର ରାଜି ହୋଇନପାରେ । ଗଧିଆ ତା ପିଲାଦିନର ସାଙ୍ଗ । ସେ କ'ଣ ତାକୁ ଧୋକା ଦେଇପାରିବ ।ହଉ ପଛେ ତାକୁ ଥରେ ପଚାରି ଦେଲେ କ୍ଷତି କ'ଣ ? ମନରେ ସାହାସ ବାନ୍ଧିଲା ବିଲୁଆ ।ଦରକାର ହେଲେ ଲାଂଚ ବି ଯାଚିବ ।ମନେ ମନେ ସେ ସ୍ଥିରକଲା ।
-'ହଇ ହୋ ବିଲୁଆ ନନା ଏତେ କ'ଣ ଭାବୁଛ ? '
-''ମୁଁ କ'ଣ ଭାବୁଛିକି.......।'କହୁ କହୁ ଅଟକି ଗଲା ବିଲୁଆ।
-'ହଁ କୁହ ।'
-ଆଛା, କହିଲ ଭାଇ ଗଧିଆ ଜଙ୍ଗଲରେ ରାଜା ହେବ ଏ କଥା ତମ ମନକୁ କ'ଣ ଯାଉଛି ? -ଅନେକ ଭାବିଚିନ୍ତି ବିଲୁଆ ପଚାରିଲା ।
କୁକୁର ତ ଏତେ ମୁର୍ଖ ନୁହେଁ ଯେ ବିଲୁଆ କଥାରେ ସେ ସହଜରେ ଭୁଲିଯିବ । ବିଲୁଆର ଚାଲାଖିକୁ ସେ ବୁଝିପାରିଲା । ଟିକେ ମୁରୁକି ହସି ଭାବିଲା ବିଲୁଆ ନିଜକୁ ଅତି ସିଆଣା ଭାବୁଛି। ଆଗରୁ ତ ବିଲୁଆ ଉପରେ ଏମିତି ରାଗ ଥିଲା। ଏଇ ମଉକାରେ ସୁଜେଇ ଦେବ ।
-'ଆଛା ! ତୁମେ ତାହେଲେ କ'ଣ ଭାବୁଛ ?'
- 'ଗଧିଆ ବଦଳରେ ମୁଁ ରାଜା ହେବାକୁ ଚାହୁଁଛି। ତୁମେ ଖାଲି ମୋ କଥା ଟିକେ ମାନିଲେ ହେଲା ।ତୁମେ ଯାହା ଚାହିଁବ ମୁଁ ତାହା ଦେବି ।'
-' ତେବେ ମୋତେ କ'ଣ କରିବାକୁ ପଡିବ ?'
-'ତୁମେ କେବଳ ମୋ ନାଁ ଟି ଉଠାଇଲେ ହେଲା । ତା ପର
କଥା ମୁଁ ସମ୍ଭାଳି ଦେବି ।'
××××××××××××××××××××××××××××××××
ଯଥା ସମୟରେ ସଭା ଆରମ୍ଭ ହେଲା । ଜଙ୍ଗଲର ସବୁ ପଶୁ ପକ୍ଷୀ ଏକାଠି ହେଲେ । ଗଧିଆ ସିଂହ ରଜାଙ୍କ ଦୁର୍ଗୁଣ ବଖାଣି ବସିଲା। ସେ ନିଜେ ରାଜା ହେବା କଥା କହିଲା । ସମସ୍ତେ କରତାଳି ମାରିଲେ । କଜଳପାତି ଅଭିନନ୍ଦନ ଜଣାଇଲା ।
ହଳଦୀବସନ୍ତ ସମର୍ଥନ କଲା ।ହେଲେ କୁକୁର ଚୁପ ଚାପ ବସିଥିଲା ।ଏପଟରେ ବିଲୁଆ କିନ୍ତୁ ରାଗରେ ଗରଗର ହେଉଥିଲା କୁକୁର ଉପରେ । ଏଥର ଆଉ ବସିପାରିଲାନି ।ଛିଡା ହେଲା ।ରାଗକୁ ଚାପିରଖି କହିଲା -
-'ଆଜ୍ଞା, ମୋତେ ଯଦି ଅନୁମତି ମିଳିବ ତେବେ ମୁଁ ଗୋଟିଏ କଥା କହିବି ।'
-'ହଁ କୁହ ।' -ଗଧିଆ କହିଲା ।
-'ତେବେ ସମସ୍ତେ ଶୁଣ ।'
-'ଗଧିଆ ଭାଇ ରାଜା ହେବା କଥା ମୋର କାହିଁକି ମୋଟେ ପସନ୍ଦ ହେଉନି । ଏମିତି ତ ସେ ବହୁତ ବୋକା ।ଦୁର୍ବଳ ବି ।
ସେ ରାଜା ହେଲେ ବହୁତ ଅସୁବିଧା ହେବ ।ଶତୃ ମାଡିଆସିବେ ତେଣୁ ମୋତେ ରାଜା କରାଯାଉ । ନାଁ କ'ଣ କହୁଛ କୁକୁର ଭାଇ ?'
ସଭାରେ ବସିଥିବା ସମସ୍ତ ପଶୁ ପକ୍ଷୀ ବିଲୁଆ କଥା ଶୁଣି ଠୋ ଠୋ କରି ହସିଲେ । ଗଛ ଡାଳରେ ହନୁମାଙ୍କଡ ବିଲୁଆକୁ ଚାହିଁ ଖତେଇ ହେଉଥିଲା ଖେଁ ଖେଁ.......।କକୁର ସବୁ କଥା ଚୁପ ଚାପ୍ ବସି ଶୁଣୁଥିଲା। ହଠାତ୍ ଉଠିପଡି ଠିଆ ହେଲା।
-'ମୋତେ ଅନୁମତି ଦିଆଗଲେ ମୁଁ ମୋ କଥା କହିବି। '-କୁକୁର ଆନୁମତି ମାଗିଲା।
-'କୁହ ତେବେ। '-ଗଧିଆ କହିଲା।
-'ଆଜ୍ଞା! ବିଲୁଆ ନନାର ବୁଦ୍ଧି ବହୁତ ଖରାପ ।ସେ ନିଜକୁ ଅତି ଚାଲାକ ଭାବେ ।ତା ଆଖିରେ ଅନ୍ୟମାନେ ନିହାତି ବୋକା ।
ନିଜେ ରାଜା ହେବା ପାଇଁ ଷଡଯନ୍ତ୍ର କରିଥିଲା । ମୋତେ ତା ସପକ୍ଷରେ କହିବାକୁ ଲାଂଚ ବି ଯାଚୁଥିଲା । ତେଣୁ ତାକୁ ଉଚିତ ଦଣ୍ଡ ଦିଆଯାଉ ।'
କୁକୁର ମୁହଁରୁ ସତ କଥା ଶୁଣି ସମସ୍ତେ ବିଲୁଆକୁ ଛି ଛି କଲେ । ଦୁଷ୍ଟକୁ ଦଣ୍ଡ ମିଳୁ ବୋଲି କହିଲେ । ହା ହୋଲ୍ଲା ବେଶ୍ କିଛି ସମୟ ଧରି ଚାଲୁରହିଲା ।କୋକିଶିଆଳୀ ପଛରେ ବସି ସବୁ ଶୁଣୁଥିଲା। ତା ମୁଣ୍ଡକୁ କି ବୁଦ୍ଧି ପଶିଲା କେଜାଣି ହଠାତ ଆଗକୁ ଆସି କହିଲା-'ମୁଁ ଗୋଟିଏ କଥା ଭାବୁଛି କହିବା ପାଇଁ।'
-'ଆମ ଭିତରୁ କେହି ବି ରାଜା ହେଲେ ନିଶ୍ଚୟ ଅସୁବିଧା ହେବ।
ଗଣ୍ଡଗୋଳ ଲାଗିରହିବ ।ଏହାର ସୁଯୋଗ ମଣିଷମାନେ ନେବେ। ତା'ଛଡା ବଣରେ ସିଂହ ହିଁ ରାଜା ରହିବା ଉଚିତ।
ନ ହେଲେ କାହାରି ଭୟ ରହିବ ନାହିଁ। ଚାଲ ଆମେ ସମସ୍ତେ ଏକାଠି ହୋଇ ସିଂହ ରାଜାଙ୍କ ପାଖକୁ ଯିବା । ତାଙ୍କୁ ବୁଝେଇ ସୁଝେଇ ବାଟକୁ ଆଣିବା ।ସେ ଆମ କଥା ନିଶ୍ଚୟ ରଖିବେ ।'
କୋକିଶିଆଳୀର କଥା ସମସ୍ତଙ୍କ ମାନକୁ ପାଇଲା ସମସ୍ତେ ତା' ବୁଦ୍ଧିକୁ ପ୍ରଶଂସା କଲେ। ଏକତା ହିଁ ବଳ । ଖଳ ପ୍ରକୃତିର ପ୍ରାଣୀଙ୍କ ପାଖରୁ ଦୂରେଇ ରହିବା ଉଚିତ ବୋଲି ସମସ୍ତେ ଅନୁଭବ କଲେ ।
ସବୁ ପଶୁ ପକ୍ଷୀ ଏକାଠି ହୋଇ ଏକଲୟରେ ସିଂହ ରାଜାଙ୍କ ପାଖକୁ ଧାଇଁଲେ । ବିଚରା ବିଲୁଆ ମୁଣ୍ଡରେ ହାତ ଦେଇ ଏକୁଟିଆ ବସିରହିଥିଲା । କରିଥିବା କର୍ମ ପାଇଁ ନିଜକୁ ଧିକାର କରୁଥିଲା । ଚତୁରତା ଖରାପ ନୁହେଁ। ମାତ୍ର ଅଧିକ ଚତୁରତା ଖରାପ ବୋଲି ପ୍ରମାଣିତ ହେଲା ।
-- ----------'-----------------
ଶରତ କୁମାର ଦାସ