Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ଏପାରି ସେପାରି

ଏପାରି ସେପାରି

10 mins
7.7K


ଶ୍ରୀ ଲକ୍ଷ୍ମୀଧର ନାୟକ (ଆଦିସ୍ୟ)

ବିଧୁବାବୁଙ୍କ ପାଦ ଦୁଇଟିକୁ କୋଳରେ ଧରି, କାନ୍ଥକୁ ଆଉଜି, ବସିରହିଛି ଏ କିଏ ? ଖୁବ୍ ଝାପ୍ସା ଝାପ୍ସା ଲାଗୁଛି ନାରୀଟିର ଆକୃତି. . . ।

ବଡ଼ ବୋହୂ ମମତା ହେବେ କି ?

ନାଃ, ତାଙ୍କୁ ସମୟ କାହିଁ ଯେ ? ତାଙ୍କ ପିଲା ବଢ଼ିଗଲେଣି । ସେମାନେ ତାଙ୍କର ଭବିଷ୍ୟତ । ଅତୀତ କଥା ବୁଝିବାକୁ ସମୟ ନଥିବ । ସେ କାହିଁକି ଆସନ୍ତେ ?

ବଡ଼ ପୁଅ ନିହାର ରଞ୍ଜନ ମହାପାତ୍ର ।

ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡର ଚିଫ୍ ଇଞ୍ଜିନିୟର୍ । ଶକ୍ତି ବିଭାଗ । ସବୁବେଳେ ବ୍ୟସ୍ତ । ରାଜଧାନୀରେ ରହୁଛି । ଏଣୁ ଦାୟିତ୍ୱ ପ୍ରତି ଅବହେଳା ସମ୍ଭବ ହେଉ ନାହିଁ । ଆଗରୁ ହେଉଥିଲା । ନୂଆ ମୁଖ୍ୟମନ୍ତ୍ରୀଙ୍କ ନଜର ବିଭାଗୀୟ ମୁଖ୍ୟମାନଙ୍କ ଉପରେ । ସାମାନ୍ୟ ତ୍ରୁଟି ଦୃଷ୍ଟିକୁ ଆସିଲେ, ବରଦାସ୍ତ କରନ୍ତି ନାହିଁ । ନିଷ୍ପତ୍ତି ନିଜେ ନିଅନ୍ତି. . . ସସ୍ପେଣ୍ଡ୍‌ କରିଦିଅନ୍ତି । ଏଣୁ, ବାପାଙ୍କୁ ଟିକେ ଦେଖି ଯିବାର ସମୟ ତା’ହାତରେ ନାହିଁ ବୋଲି ସେ କହେ । ହେଉ. . . ।

ମଝିଆଁ ପୁଅ ତୁଙ୍ଗଭଦ୍ର ମହାପାତ୍ର- ଡାକ୍ତର ! ଆମେରିକା, ଲଣ୍ଡନ୍, ଫ୍ରାନ୍ସ କେତେ କୁଆଡେ଼ ବୁଲିଛି । ବୁଲି ବୁଲି ପଢ଼ିଛି । ଭାରି ସ୍ୱାଭିମାନୀ । ଦେଶ ପ୍ରତି କର୍ତ୍ତବ୍ୟକୁ ସାମ୍ନାରେ ରଖି, ଫରେନ୍‌ରେ ଉଚ୍ଚ ବେତନକୁ ପଛରେ ପକାଇ, ରାଜଧାନୀ ହସ୍ପିଟାଲ୍‌ରେ ଯୋଗ ଦେଇଛି । ହୃଦ୍ ବିଭାଗୀୟ ଉପମୁଖ୍ୟ ହେଲେ ବି ଅନ୍ୟ ସବୁ ବିଭାଗରେ ତା’ର ଅମାପ ଦକ୍ଷତା । ସବୁବେଳେ ଦେଶ ସାରା ଘୂରୁଛି । ଏବେ ତ ସବୁ ବଡ଼ ବଡ଼ ଲୋକ ହୃଦରୋଗୀ । ପଇସାର ଅଭାବ ନାହିଁ । ଓଡ଼ିଶାର ଡାକ୍ତରଙ୍କୁ କର୍ଣ୍ଣାଟକ କି କାଶ୍ମୀର ନେଇ ଅପରେସନ୍ ହେବାରେ ଅସୁବିଧା କ’ଣ ? ବେଳେ ବେଳେ ଫରେନ୍ ବି ଯାଏ. . . ।

ତାକୁ ବି ସମୟ ନାହିଁ । ଫୁରସତ୍ ମିଳିଲେ ତ ରୋଗିଣା ବାପ ପାଇଁ କ’ଣ କରାଯାଆନ୍ତା !

ବିଧୁବାବୁଙ୍କ ତଳି ପେଟରୁ ଛାତିଯାଏ. . . ଧାନ ଉଷୁନା ହାଣ୍ଡି ପରି ହେଇଗଲାଣି । ଅନ୍ୟ ସମସ୍ତ ଅଙ୍ଗ ପେଶିହୀନ । ଚମଡ଼ା ଯେମିତି ହାଡ଼ ସହିତ ନେସି ହେଇଛି । ମାଂସ ଥାଇ ନଥିଲା ପରି । ଗାଲରେ ହନୁ ହାଡ଼ କେବଳ । ତଳ ଉପର ଚାରୋଟି ଦାନ୍ତ ବ୍ୟତୀତ ଆଉ ସବୁ କେଉଁ କାଳରୁ ଝଡ଼ି ପଡ଼ିଲେଣି । କୋଟର ଭିତରେ ଜୁଳୁ ଜୁଳୁ ଦିଶୁଛି ଆଖି ଦୁଇଟି । ପରଳ ଢାଙ୍କି ଯାଇଛି ଯେ. . . ସ୍ପଷ୍ଟ କିଛି ଦିଶୁ ନାହିଁ ।

ଡାଇବେଟିସ୍ ରୋଗ. . . ତା’ର କେତେ ଯେ ବନ୍ଧୁଙ୍କୁ ଧରି ବିଧୁବାବୁଙ୍କ ଦେହ-ମନ୍ଦିରରେ ପୂଜା ପାଉଛି, ତା’ର ହିସାବ ରଖିବାକୁ କାହାରି ବେଳ ନାହିଁ । ପ୍ୟାନ୍ ରଖାଯାଇଥିଲା । ନିଜେ ଉଠି, ସେଇଥିରେ ଝାଡ଼ା-ପରିସ୍ରା କରୁଥିଲେ, ଏହି ସମ୍ପନ୍ନ ପରିବାର ମୁଖ୍ୟ । ଠାକୁରଙ୍କ ଆଶୀର୍ବାଦରୁ ଆଜିକୁ ସାତଦିନ ହେବ ଝାଡ଼ା ପରିସ୍ରା କରିବାକୁ ପଡୁ ନାହିଁ । ସେ ସବୁ ପ୍ରାକୃତିକ ବ୍ୟବସ୍ଥା ବନ୍ଦ ହେଇଗଲାଣି । ଏଇ ପାଇଁ ପେଟରୁ ଛାତି ଧାନ ଉଷୁନା ହାଣ୍ଡି । ଭଲ ! କିଏ ବିଛଣାରୁ ଉଠାନ୍ତା ? ସ୍ତ୍ରୀକୁ ତ ସତୁରୀ ବର୍ଷ ବୟସରେ ଦିଲ୍ଲୀକୁ ପଠାଇ ଦିଆଯାଇଛି । ସେଠି ନାତୁଣୀ ଜ୍ୱାଇଁ ପାର୍ଲିଆମେଣ୍ଟର କେଉଁ ବିଭାଗର ଅଣ୍ଡର ସେକ୍ରେଟେରୀ । ପୁଅ କି ଝିଅ ହେବ ନାତୁଣୀର । ବୁଢ଼ୀ ମା’ଟା ରୋଗିଣା ବାପାକୁ ଛାଡ଼ି ସେଇଠି ଥାଉ । ଡେଲିଭରି ପରେ ପରେ ଆସିଯିବ ।

ବିଧୁବାବୁଙ୍କ ଝାଡ଼ା ପରିସ୍ରା ବନ୍ଦ ହେବା ପୂର୍ବରୁ ଟୋପା ଟୋପା ପରିସ୍ରା ଝରି, ବିଛଣାଟାକୁ ଉସୁମୁଳିଆ ପଚା ଗନ୍ଧରେ ଭରିଦେଇଛି । ଗାଧୁଆ ପାଧୁଆ ନ ଥିବାରୁ ପେଟ ଗରମ ହେଇ, ହୁଏତ କେବେ ପତଳା ଝାଡ଼ା ହେଇ ଯାଇଛି । ରୁମ୍ ଭିତରକୁ ପଶି ହେଉନି । ଦୁର୍ଗନ୍ଧର ତୀବ୍ରତା ବଢ଼ି ଯାଇଛି । ମଧୁମେହ ରୋଗ ଯୋଗୁ ପରିସ୍ରାରେ ପିମ୍ପୁଡ଼ି ଲାଗି ବିଧୁବାବୁଙ୍କ ପିଚାକୁ ପୁଳା ପୁଳା ଖାଇଯାଇଛନ୍ତି କିମ୍ୱା ଦୀର୍ଘ ଦିନ ଚିତ୍ ହୋଇ ବିଛଣାରେ ପଡ଼ିଥିବାରୁ, ସେଥିରେ ଘା’ ହୋଇ ପୋକ ଫୁଟିଲେଣି. . . କାହାରିକୁ ଜଣା ନାହିଁ । କେବଳ ଚାକରାଣୀଟି କର୍ମକୁ ଆଦରି, ଦିନକୁ ଥରେ ରୁମ୍‌କୁ ପଶେ । ନାକରେ ଲୁଗା ଦେଇ, କ’ଣ ଟିକେ ପାଟିରେ ପୁରାଇ ଦେଇ. . . ଯେତେ ଶୀଘ୍ର ପାରେ, ବାହାରି ଯାଏ ।

ମାସେ ଦୁଇ ମାସରେ ହିମାଦ୍ରି ଆସେ । ବଡ଼ ନାତି । ବୁର୍ଲା ଇଞ୍ଜିନିୟରିଂ କଲେଜ୍‌ରେ ସଫ୍ଟୱେୟାର୍ ଶେଷ ବାର୍ଷିକ ଛାତ୍ର । ଇଚ୍ଛା ହୁଏ ବିଧୁବାବୁଙ୍କର- ହିମାଦ୍ରି ଟିକେ ପାଖକୁ ଆସନ୍ତା କି ? ତା’ ମୁଣ୍ଡକୁ ଟିକେ ଆଉଁସି ଦିଅନ୍ତେ । କପାଳକୁ ଟିକେ ଚୁମା ଦିଅନ୍ତେ । ଛାତିରେ ଟିକେ ଆଉଜାଇ ଆଣନ୍ତେ । ଦେହ ମନ ତୃପ୍ତିରେ ଭରି ଯାଆନ୍ତା ।

ହିମାଦ୍ରି ସେଲ୍‌ଫରୁ ଚେକ୍ ବୁକ୍ ଦିଏ. . . ।

ବିଧୁବାବୁ ଅଭ୍ୟାସ ବଶତଃ ବିଅରର୍ ବ୍ଲାଙ୍କ ଚେକ୍‌ରେ ସ୍ପେସିମେନ୍ ସିଗ୍ନେଚର୍ କରିଦିଅନ୍ତି । ହିମାଦ୍ରି ନିଜ ଇଚ୍ଛାରେ ଯାହା ଅଙ୍କ ପୂର୍ଣ୍ଣ କରେ । ବେଶ୍ ତା’ କାମ ଶେଷ ।

ସେଦିନ ହିମାଦ୍ରିକୁ ବିଧୁବାବୁ କହିଥିଲେ-

“. . .ତୁଙ୍ଗକୁ କହି, ମୋତେ ଟିକେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରିଦିଅ । ତେଣିକି ଭାଗ୍ୟରେ ଯାହାଥିବ ।”

ହିମାଦ୍ରି କହିଥିଲା- “ଏଠି ଯାବତୀୟ ଅବ୍ୟବସ୍ଥା । ଭେଲୋର୍ ଖ୍ରୀଷ୍ଟିଆନ୍ ହସ୍ପିଟାଲ୍‌ରେ ନାହିଁ ନଥିବା ସେବା ।”

– “ତେବେ, ପଠାଉନା କାହିଁକି ? ବହୁତ କଷ୍ଟ ହେଉଛି ବାବା. . . !”

“. . .ସମସ୍ତେ ଚାହୁଁଛନ୍ତି ଯେ. . . ସମୟ କାହାରି ହାତରେ ନାହିଁ । ଚାକର କିମ୍ୱା ପିଅନଟି ଦ୍ୱାରା ପଠାଯାଇ ପାରନ୍ତା, କିନ୍ତୁ ଲୋକେ କହିବେ କ’ଣ ? ତିନି ତିନି ଜଣ ଯୋଗ୍ୟ ସନ୍ତାନ ଥାଉ ଥାଉ, ବୁଢ଼ାଟାକୁ ଅନାଥ ପରି ପଠାଇ ଦିଆଗଲା ।”

– “ନାତୁଣୀ ଜ୍ୱାଇଁ ପାଖକୁ ଦିଲ୍ଲୀ ପଠାଇ ଦିଅ. . . !”

“. . .ଦିଦିର ପିଲାଝିଲା ହେବ । ତା’ ଶାଶୁଘରୁ କେହି ସାହାଯ୍ୟ କରିବାକୁ ଆସିଲେ ନାହିଁ ବୋଲି ଗ୍ରାଣ୍ଡମା’ ତୁମକୁ ଛାଡ଼ି ସେଠିକୁ ଗଲା । ଭାଇ ତ ତାଙ୍କ ସେକ୍ସନ୍ ସମସ୍ୟା ନେଇ ବ୍ୟସ୍ତ । ତାଙ୍କୁ ବା ସମୟ କାହିଁ- ତୁମ କଥା ବୁଝିବେ ।”

“. . .ନଚେତ୍ ତୁ ଟିକେ ଭେଲୋର୍‌ରେ ଛାଡ଼ିଦେ’ ହିମାଦ୍ରି !”

ଭିତର ଘରୁ ମମୀ ଡାକିଥିଲେ- “କ’ଣ ସେଠି ଚାଲିଛି ହିମୁ ? ଏଠିକି ଆ ତ. . . !”

ଦ୍ୱାର ସେପାଖରେ ଠିଆ ହୋଇଥିବା ନାତି ହିମାଦ୍ରି ଜେଜେଙ୍କ ଭରସାକୁ ପଛ କରି ବାହାରି ଯାଇଥିଲା । ସେଠାରେ ମମତାଙ୍କୁ କହିଥିଲା, ଯାହା ଅସ୍ପଷ୍ଟ ଭାବରେ ଶୁଭିଥିଲା ବିଧୁବାବୁଙ୍କୁ-

“ବୁଢ଼ାଟା ଥାଉଜାଣ୍ଡ୍ ଡିଜିଜ୍‌ର ଏକ୍ଜିବିସନ୍ ହେଇ ବୋର୍ କରୁଛି । ଘରଟାକୁ ପୁରାପୁରି ଦୂଷିତ କରି ଦେଲାଣି । ତୁମେ ସବୁ କେମିତି ଏଠି ରହୁଛ କେଜାଣି । କେହି ଆଟେଣ୍ଡାଣ୍ଟ ସାଙ୍ଗରେ ଛାଡ଼ି ଦେଉ ନା- ଭେଲୋର୍‌ରେ ! ଆମର ରିସ୍କ ନ ଥିବ । ଆଟେଣ୍ଡାଣ୍ଟ ଫୋନ୍ କରୁଥିବ, ଆମେ ଖବର ପାଉଥିବା । ଟଙ୍କା ପଠାଉଥିବା । ଲାଷ୍ଟରେ, ପ୍ଲେନ୍‌ରେ ଶବ ଆସିବ । ଏରୋଡ୍ରମ୍‌ରେ ରିପୋର୍ଟର ପହଞ୍ଚି, ପେପର୍ ଫ୍ଲାଶ୍ କରିଦେବେ । ତେଣିକି ଯାହା କରାଯିବ, ସବୁ ଚାକର ବାକର କରିବେ ।”

ମମତା କହିଲେ- “ସମସ୍ତେ ଏ କଥା ଚାହୁଁଛନ୍ତି । ସମୟ କେହି ବାହାର କରିପାରୁ ନାହାନ୍ତି । ତୋ ଡୀ (ଡାଡୀ) ଆଉ ଅଙ୍କଲ୍‌ମାନଙ୍କ କଥା ଛାଡ୍ । ଦେଖୁଚୁ- ମୁଁ ଝେଲମ୍ ଆଉ ଶତଦ୍ରୁଙ୍କ ପଢ଼ାପଢ଼ି ନେଇ କେତେ ବ୍ୟସ୍ତ । ପ୍ରଥମେ ନା ନିଜକୁ ଦେଖିବାକୁ ହେବ ହିମୁ । ପୁଣି ପଚସ୍ତରୀ ବର୍ଷ ବୟସ ପରେ, ଜେଜେଙ୍କର ଲମ୍ୱା ଆୟୁଷ ପାଇଁ ଲୋଭ କରିବାର ମାନେ କିଛି ନାହିଁ । ପରିବାରଟାର ବୋଝ ହେବା ଅପେକ୍ଷା, ତାଙ୍କର ବରଂ ଚାଲିଯିବା ଭଲ । ମୁଁ ତ କହୁଛି- ମୋ ସମୟ ଏମିତି ଆସିଲେ ମୁଁ ସୁଇସାଇଡ୍ କରିଦେବି. . . !”

ହସି ହସି ହିମାଦ୍ରି କହିଲା- “ଖବରଟା ମୁଁ ଫରେନ୍‌ରେ ଥାଇ ପାଇବି । ସେହି ସୁଯୋଗରେ ମୋ ପିଲାପିଲିଙ୍କୁ ଥରେ ଇଣ୍ଡିଆରେ ବୁଲାଇ ନେବାକୁ ଚେଷ୍ଟା କରିବି…!

ମା’ ପୁଅ ହସି ଉଠିଥିଲେ ।

ବିଧୁବାବୁ କାନ୍ଦି ପକାଇଥିଲେ ସେଦିନ ।

ଏବେ ଓଠ ଜିଭ ଶୁଖିଲା । ପାଣି ଟୋପାଏ ପାଇଁ ଇଚ୍ଛା । ବିଧୁବାବୁ ତାଙ୍କ ଛାମୁ ଦାନ୍ତରେ ତଳ ଓଠକୁ ଖୁବ୍ ଶକ୍ତି ଲଗାଇ କାମୁଡ଼ିଲେ । ରକ୍ତ ବୁନ୍ଦାଏ ଝରନ୍ତା ଯଦି, ସେଇଥିରେ ହେଲେ ଜିଭ ଓଦା ହୁଅନ୍ତା, କିନ୍ତୁ ନା, ହଲୁଥିବା ଦାନ୍ତ ଯୋଡ଼ିକ ବି ଆଜି ତାଙ୍କୁ ସାହା ହେଉ ନାହାନ୍ତି ।

. . . ପାଦ ପାଖରୁ ଉଠିଆସି, ଚାମଚ ପରେ ଚାମଚ ଗଙ୍ଗାଜଳ ମୁଣ୍ଡ ପାଖ କାଚ ଗିନାରୁ ଆଣି, ତାଙ୍କ ଓଠରେ ଦେଉଛି କିଏ ? ମଝିଆ ବୋହୂ ଊର୍ବଶୀ କି ??

ନା, ସେ ହେଇ ନଥିବେ । ତାଙ୍କ ରୁମ୍‌ରୁ ତ ପିଆନୋଟା ପବନ ସାଙ୍ଗରେ ଆଳାପ କରୁଛି । ଏବେ ଗୀତ କବିତା ଲେଖିବାର ସମୟ ନୁହେଁ । ନଚେତ୍ ପିଆନୋ ନିରବ ଥାଆନ୍ତା !

ସାନବୋହୂ ଗାୟତ୍ରୀ ହେବ କି ??

ସବୁ କଲେକ୍ଟର ଶୁଭକାନ୍ତ ମହାପାତ୍ର ଓ.ଏ.ଏସ୍.ଙ୍କ ପତ୍ନୀ ସାଆନ୍ତାଣୀ ଗାୟତ୍ରୀ ତ ଏଇ କିଛି ସମୟ ଆଗରୁ ସହରର ପ୍ରସିଦ୍ଧ ପୁରାଣ ପଣ୍ଡାଙ୍କୁ ପଠାଇ, ଶଶୁରଙ୍କ ମୋକ୍ଷ ଉଦ୍ଦେଶ୍ୟରେ ଶ୍ରୀମଦ୍ଭାଗବତ ମହାପୁରାଣ ଏକାଦଶ ସ୍କନ୍ଧର ଦ୍ୱାଦଶ ଅଧ୍ୟାୟ ଆବୃତ୍ତି କରାଇ ସାରିଛନ୍ତି । ଦ୍ୱାର କବାଟ ବନ୍ଦ କରି, ଦୁର୍ଗନ୍ଧରୁ ଦୂରେଇ ରହି, ପୁରାଣ ପଣ୍ଡା ବିଧୁବାବୁଙ୍କ କାନ ଉଦ୍ଦେଶ୍ୟରେ ତିନିଥର ମହାମନ୍ତ୍ର ଉଚ୍ଚାରଣ କରି, ସାନବୋହୂଙ୍କୁ ଭେଟି ସାରିଥିବେ । ପ୍ରତିଦିନ ପରି ଆଜି ମଧ୍ୟ ପଚାଶ ଟଙ୍କିଆ ନୋଟ୍‌ଟିଏ ଦକ୍ଷିଣା ପାଇ, ପୁରାଣ ପଣ୍ଡା ଅନ୍ୟ ଗ୍ରାହକ ସନ୍ଧାନରେ ବାହାରି ଯାଇଥିବେ ।

ଗାୟତ୍ରୀ ତାଙ୍କର ବନ୍ଧୁ ବାନ୍ଧବୀମାନଙ୍କୁ, ସେମାନଙ୍କ ପାଇଁ ଆଜିଟା ଶୁଭରେ କଟୁ ବୋଲି ଫୋନ୍ କରୁଥିବେ କିମ୍ୱା ତାଙ୍କ ବେବୀନାକୁ ଧରି ପାର୍କରେ ବୁଲି ବୁଲି ସନ୍ଧ୍ୟା ଭ୍ରମଣ କରୁଥିବେ । ତାଙ୍କର ମଧ୍ୟ ଗୁହ ମୂତରେ ଭିଜି ଭିଜି ମରଣକୁ ଡରୁଥିବା ଶଶୁରଙ୍କୁ ଦେଖିଯିବାକୁ ସମୟ କାହିଁ ??

. . . ଏ ତେବେ କିଏ ? କିଏ ଦଉଛି ଗଙ୍ଗା ଜଳ ??

ଗଙ୍ଗାଜଳ ଦେଉ ଦେଉ, ତାଙ୍କ ଆଖିରୁ ଦୁଇବିନ୍ଦୁ ଲୁହ ଧରି, ବିଧୁବାବୁଙ୍କ ଆଁ ଭିତରେ ପଡ଼ିଗଲା । ସେହି ଲୁହ ରସରେ କି ଯେ ଜୀବନୀ ଶକ୍ତି ଥିଲା. . . ଯାହା ବିଧୁବାବୁଙ୍କ ସାରା ଦେହର ସମଗ୍ର ଚେତନାକୁ ସଞ୍ଚରିତ ହେଇଗଲା । ଅତି କ୍ଷୀଣ ସ୍ୱରରେ, ଜୀବନ କାଳର ସମସ୍ତ ତୃପ୍ତି ଝରାଇ, ଅସ୍ପଷ୍ଟ ସ୍ୱରରେ ପଚାରିଲେ ବିଧୁବାବୁ. . . !

. . . ତୁମେ ଆସିଚ ନିହାର ବୋଉ. . . ?

– ଏଠି ବସିଚି, କାଲି ସଞ୍ଜରୁ ।

. . . ମୁଁ ଜାଣି ପାରିଲି ନାହିଁ. . . !

– ତମର ଚେତା ନଥିଲା ।

. . . ହଁ, ହେଇଥିବ. . . ।

– ତମେ କ’ଣ ଚାହୁଁଚ ? ବାଲ୍ୟଲୀଳା ହେବ । ଦାନ ନେବ । କିଛି ଭଲମନ୍ଦ କରିଛ ଯଦି କୁହ- ପ୍ରାୟଶ୍ଚିତ କରାଯିବ. . . ।

. . . ନା, ଟିକେ ଭେଲୋର ଯାଆନ୍ତି । ତମ ସହିତ ଆଉ କିଛି ଦିନ ବଞ୍ଚିବାକୁ ଇଚ୍ଛା ହେଉଛି ।

– କାଲି ବି ଭେଲୋର୍ କଥା ଏମାନେ କହୁଥିଲେ ।

. . . କେବେ ନେଉଛନ୍ତି ?

– ନେବାକୁ ରାଜି । ହେଲେ କାହାରି ହାତରେ ସମୟ ନାହିଁ । ଏମାନେ ଅନ୍ୟ କାହାରି ସହିତ ପଠାଇବାକୁ ନାରାଜ ।

ବିଧୁବାବୁ ହଠାତ୍ ଆଖି ମୁଦି ପକାଇଲେ । ପଲକ ଚିରି କେଉଁଠି ଲୁଚିଥିଲା କେଜାଣି ସେ ଲୁହ ଦୁଇବିନ୍ଦୁ, ଝରି ପଡ଼ିଲେ. . . ଶୁଖି ବି ଗଲେ । କହିଲେ-

. . . ହେଉ ଭଲରେ ରହନ୍ତୁ. . . ଆହୁରି ସୁଖରେ ରହନ୍ତୁ । ବାପ ପାଇଁ ସମୟ କାହିଁକି ମିଳିବ ? ଶଳା ଶାଳୀ ଶଶୁର ଶାଶୁ. . . ସମସ୍ତଙ୍କ ପାଇଁ ସମୟ ଦିଅନ୍ତୁ, ଧନ ଦିଅନ୍ତୁ । ମୋ ପୁଅ ଇଞ୍ଜିନିୟର୍. . . ! ମୋ ପୁଅ ଡାକ୍ତର. . . ! ମୋ ପୁଅ ସବୁ କଲେକ୍ଟର. . . ! କି ତୃପ୍ତି ! କି ଶାନ୍ତି ! ନିହାର ବୋ. . ଉ. . !

– ତୁନି ହୁଅ. . . କଥା ମାନି ତୁନି ହୁଅ !

କେହି ଶୁଣିବ ତ. . . ସଂସ୍କାର କରିବାକୁ ବି ସମୟ ମିଳିବ ନାହିଁ । ପିଲାଏ ତ ବୋହୂଙ୍କ ଆଙ୍ଗୁଳିରେ ଡେଉଁଛନ୍ତି । ଉଠ୍ କହିଲେ ଉଠ୍. . . ବସ୍ କହିଲେ ବସ୍ ହେଉଛନ୍ତି । ଟଙ୍କା ପଛରେ ଧାଇଁଛନ୍ତି । ଟଙ୍କା ଗଛ ଯିଏ ଲଗେଇଛି, ତା’ କଥା ବୁଝିବାକୁ ବେଳ କାହାରି ନାହିଁ । ହେ ଠାକୁରେ ! !

. . . ନା, କେହି ନ ଯାଆନ୍ତୁ. . . ମୁଁ ଯିବି, ମୁଁ ତୁମକୁ ସାଥୀରେ ନେଇ ଭେଲୋର ଯିବି । ଏକା ସାଙ୍ଗରେ ଜୀଇଁବା ମରିବାକୁ ଶପଥ ନେଇଥିଲେ ପରା । ତମେ ଚିନ୍ତା କରନା । ଭେଲୋର ଯିବା. . . ମରିବାକୁ ଥିଲେ ସେଇଠି ଏକା ସାଙ୍ଗରେ ମରିବା. . . ।

ପତ୍ନୀଙ୍କ ନିର୍ଭର ପ୍ରତିଶ୍ରୁତି ପାଇ ବଞ୍ଚିବାର ଆଶା ଏତେ ବଢ଼ିଗଲା ଯେ ବିଧୁବାବୁଙ୍କର ସେ ଆନନ୍ଦରେ ଚିତ୍କାର କରିଉଠିଲେ- ନି ହା ର ବୋ ଉ. . . !

ସ୍ନେହରେ ସହଯାତ୍ରିଣୀଙ୍କ ମୁହଁଟିକୁ ତୋଳି ଧରିବାକୁ ବିଧୁବାବୁ ତାଙ୍କର ଦୁଇ ନିଃଶକ୍ତ ହାତକୁ ଉପରକୁ ଉଠାଇବାକୁ ଚେଷ୍ଟା କଲେ । କିନ୍ତୁ. . . ଅଳ୍ପ ଟିକେ ଉପରକୁ ଉଠି, ସେମାନେ ପୂର୍ବ ପରି ବିଛଣାରେ ପଡ଼ି ରହିଲେ ।

ଖୁସିରେ ବିଭୋର ହେଇ ବିଧୁବାବୁ ନିହାର ବୋଉ. . . ନିହାର ବୋଉ. . . ବୋଲି କ୍ରମଶଃ ଉଚ୍ଚରୁ ଧୀର ସ୍ୱରରେ ଡାକି ଚାଲିଲେ । ନିହାର ବୋଉ ତାଙ୍କ ମଥାଟିକୁ କୋଳରେ ଧରି, ଓଠରେ ହାତ ଦେଲେ ।

ବିଧୁବାବୁଙ୍କର ଶେଷ ଇଚ୍ଛା ଥିଲା- ସହଯାତ୍ରିଣୀଙ୍କ କୋଳରେ ମଥା ରଖି ଶାନ୍ତିରେ ଆଖି ବୁଜିବାକୁ । ଇଞ୍ଜିନିୟର, ଡାକ୍ତର ଓ ସବ୍-କଲେକ୍ଟରଙ୍କ ବାପାଙ୍କର. . . କିଛି ସମୟ ପୂର୍ବରୁ ତୃପ୍ତିର ସ୍ୱର, ପଡ଼ିଗଲା କଂସାର ସ୍ୱର ପରି, ଦୀର୍ଘରୁ କ୍ଷୀଣତମ ଚିତ୍କାର କରି କରି, ସବୁ ଦିନକୁ ନିରବ ରହିଗଲା ।

ଆଉ ନିହାର ବୋଉ !

ତାଙ୍କ କଣ୍ଠରୁ ବି ଆଶ୍ୱାସନାର କ୍ଷୀଣ ଉତ୍ତରଟିଏ ମିଳିଲା ନାହିଁ । ଆଖି କୋଣରୁ ଲୁହ ଦି’ଧାର ବି ଝରିଲା ନାହିଁ । ବୈଧବ୍ୟର ସଦ୍ୟ ଆଘାତରେ କପାଳରେ ହାତ କୋଡ଼ି, ଚିତ୍କାରଟିଏ ମଧ୍ୟ କଲେ ନାହିଁ ନିହାର ବୋଉ ।

ତାଙ୍କ ନିହାର ବାପାଙ୍କ ଛାତିରେ ସେହି ଜାଗାରେ ସେ ଢଳି ପଡ଼ିଲେ, ଯେଉଁଠି ଦିନେ ନିହାର, ତୁଙ୍ଗଭଦ୍ର ଓ ଶୁଭକାନ୍ତଙ୍କର ସ୍ୱପ୍ନ ଦେଖିଥିଲେ ସେ ।

ସବୁ ଶେଷ ହେଇଗଲା. . . ।

ସ୍ଥୂଳ-ଜୀର୍ଣ୍ଣ ଦେହ ଦୁଇଟିରେ ଏପାରିର ସମସ୍ତ ଖେଳ ଖେଳି, ସୂକ୍ଷ୍ମ ଆତ୍ମା ଦୁଇଟି ଦେହ-ପଞ୍ଜୁରୀର ଦଶଦ୍ୱାର ମଧ୍ୟରୁ କେଉଁ ବାଟ ଦେଇ ଉଡ଼ିଗଲେ, କିଏ କହିବ ?

ସତରେ, ଏମିତି ମରଣ କେତେ ଜଣଙ୍କ ଜୀବନରେ ଘଟେ ! ଜଣଙ୍କ ସାଥୀରେ ସାରା ଜୀବନର ମୂଲ୍ୟବାନ୍ ସମୟ କାଟି ସାରିଲା ପରେ, ଶୀର୍ଣ୍ଣ-ଦୁର୍ବଳ ଦେହ-ମନକୁ ନେଇ, ଯେତେବେଳେ ଜଣେ ଅନ୍ୟକୁ ପାଖରେ ପାଇବାକୁ ଖୋଜୁଥିବ, ପରିତ୍ୟକ୍ତ ବସ୍ତୁ ପରି ବୁଢ଼ା ବୁଢ଼ୀଙ୍କୁ ଏଣେ ତେଣେ ବିକ୍ଷିପ୍ତ କରିଦିଆଯାଇଥିବ, ସେତେବେଳେ ଜଣଙ୍କର ପରପାରିକୁ ବାଟ କାଟିବା ଓ ଅନ୍ୟ ଜଣେ ଏ ପାରିରେ ଅତୀତକୁ ଘାଣ୍ଟି ଘାଣ୍ଟି ଲୁହ ଝରାଇବାରେ କେତେ ଯେ ଯନ୍ତ୍ରଣା. . . ଏମିତି ବିଧବା କି ବିଧୁର ବୁଢ଼ୀ ବୁଢ଼ାଙ୍କୁ ଅତି ନିକଟରୁ ଯିଏ ଦେଖିଛି, ସେହି ବୁଝିଛି ।

ଏପାରିକୁ ତ ଆପଣ ଦେଖିଲେ । ଏବେ, ସେପାରି ଯାତ୍ରାର ପରବର୍ତ୍ତୀ ଦୃଶ୍ୟରେ ଆତ୍ମା ପ୍ରତିଷ୍ଠା ପାଇଁ ଯେଉଁ ବିପୁଳ ଆୟୋଜନ, କାଳେ ସେଥିରୁ କିଛି ମିଳିଯିବ- ଆମ ସମାଜରେ ସେହି ଶ୍ରେଣୀୟ ଲୋକ ଚରିତ୍ରଙ୍କୁ ବୁଝିବା ପାଇଁ, ଯେଉଁମାନେ କଳଙ୍କକୁ ପଇସାରେ ଢାଙ୍କି ଦିଅନ୍ତି. . . ।

ଏକାଦଶ ସଂସ୍କାର କର୍ମର ଅପର ପାର୍ଶ୍ଵ ଉତ୍ସବ ସେଦିନ ।

ମଝିଆ ବୋହୂ ଊର୍ବଶୀ ଶଶୁରଙ୍କ ଅଏଲ୍‌ପେଣ୍ଟିଂ କ୍ୟାନ୍‌ଭାସ୍‌ ଚିତ୍ରର ଶାଗୁଆନ୍ ଫ୍ରେମ୍‌ରେ ମଲ୍ଲୀ-ଗୋଲାପ-ରଜନୀଗନ୍ଧା ଫୁଲର ଗଜରା ହାରଟିଏ ଲମ୍ୱାଇ ଦେଇ ପ୍ରଦୀପ ଜାଳିଲେ । ଭିଡ଼ିଓ ସୁଟିଂ ଚାଲିଥାଏ । ଊର୍ବଶୀ ହାତ ଯୋଡ଼ି ମନେ ମନେ କହୁଥାନ୍ତି-

“. . . ବାପା ! ଆମକୁ ଆଶୀର୍ବାଦ କରନ୍ତୁ । ଆପଣଙ୍କ ଡାକ୍ତର ପୁଅଙ୍କ ସବୁ ଚେଷ୍ଟା ବିଫଳ ହେଲାଣି । କାହାରି କିଛି ଦୋଷ ନାହିଁ । ମୋ କୋଳ ଶୂନ୍ୟ । ଆଠ ବର୍ଷ ହେଲା ଶୂନ୍ୟ ହେଇ ରହିଛି. . . ।”

ଏହି ପ୍ରାର୍ଥନା ସେ ଶାଶୁଙ୍କୁ କରିଥାନ୍ତେ । ଆର୍ଟିଷ୍ଟ୍ ଏ ଯାଏ ପେଣ୍ଟିଂ ଦେଇ ପାରିଲା ନାହିଁ । ତା’ ପ୍ରତି ମନେ ମନେ ବିରକ୍ତ ହେଇ, ଶାଢ଼ୀର ଭାଙ୍ଗରେ ବାଁ ହାତ ଆଙ୍ଗୁଲି ଖସାଉ ଖସାଉ ଊର୍ବଶୀ ବାହାରିଗଲେ ।

ଏଣେ ବଡ଼ ବୋହୂ- ମମତା !

ଶାଶୁ ଶଶୁରଙ୍କ ଯୁଗଳ ମାର୍ବଲ ଷ୍ଟାଚ୍ୟୁ ଉପରେ ପିପିଲି ଚାନ୍ଦୁଆ ଟଙ୍ଗାଇ. . . ସେଠାରେ ନାମ ସଂକୀର୍ତ୍ତନ ବିଭୋର ପ୍ରେମମାର୍ଗୀ ଭକ୍ତ ମାନଙ୍କ ମଧ୍ୟରୁ ଜଣଙ୍କ ପରେ ଜଣଙ୍କୁ ଫଳ ରସ ପିଆଉଛନ୍ତି ।

ନିହାରରଞ୍ଜନ, ତୁଙ୍ଗଭଦ୍ର ଓ ଶୁଭକାନ୍ତ. . . !

ସମସ୍ତେ ଲଣ୍ଡା ହେଇଚନ୍ତି । ବାପା-ବୋଉଙ୍କ ଷ୍ଟାଚ୍ୟୁ କଡ଼ରେ ହାତ ଯୋଡ଼ି ଠିଆ ହେଇ, ମନେ ମନେ କ’ଣ କହୁଛନ୍ତି । ସେମାନଙ୍କ ପାଖରେ- ଝେଲମ୍, ଶତଦ୍ରୁ ଓ ବେବୀନା. . . ।

ଆଉ ହିମାଦ୍ରି !

ଯାହାକୁ ବୁଢ଼ା ବରଗଛର ପ୍ରଶାଖା ବୋଲି ଭାବନ୍ତି ବିଧୁବାବୁ. . . ରଙ୍ଗୀନ୍ ୟାସିକା ଡିଜିଟାଲ୍ କ୍ୟାମେରାରେ ପରିବାର, ବନ୍ଧୁ ପରିଜନ ଓ ଅତିଥିମାନଙ୍କର ଫଟୋ ଉଠାଉଛି । ନିମନ୍ତ୍ରିତ ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ ସମାଜର ପ୍ରତିଷ୍ଠିତ କ୍ଷେତ୍ରମାନଙ୍କରୁ ଆସିଛନ୍ତି । ସେମାନେ କାର୍ପେଟ୍ ଉପରେ କାଣ୍ଡି ହୋଇଥିବା ବିଭିନ୍ନ ପ୍ରକାର ଫୁଲରୁ ଗୋଟିଏ ଯୋଡ଼ିଏ ଆଣି, ଷ୍ଟାଚ୍ୟୁ ଦୁଇଟି ଉପରକୁ ଫିଙ୍ଗି ଦେଉଛନ୍ତି । ଏସବୁ ହିମାଦ୍ରିର ଡିଜିଟାଲ୍ କ୍ୟାମେରା ବାନ୍ଧି ରଖୁଛି ।

ହିମାଦ୍ରି କିନ୍ତୁ ଲଣ୍ଡା ହେଇନି. . . !

ଜେଜେ ତାକୁ ସବୁ ଦେଇଥାଆନ୍ତୁ ନା କାହିଁକି, ବାଳ ଗୋଛାକ ତ ତା’ ଡୀଙ୍କର ଦାବି । ସେ ବାପର ବଡ଼ ପୁଅ କି ନା !

ପୁଣି, ସାନ ବୋହୂ ଗାୟତ୍ରୀ. . . !

ନୂଆ ଶହେଟଙ୍କିଆ ନୋଟ୍‌ର ବଣ୍ଡଲ୍ କେତୋଟି ତାଙ୍କ ଭ୍ୟାନିଟୀରେ ଭରିଛନ୍ତି । ଗୋଟିକରୁ ଖଣ୍ଡିଏ ଲେଖା କାଢ଼ି ପଙ୍ଗତରୁ ଫେରୁଥିବା ବ୍ରାହ୍ମଣମାନଙ୍କ ହାତକୁ ବଢ଼ାଇ ଦେଉଛନ୍ତି । ଏମିତି ଦକ୍ଷିଣା ଦେଲାବେଳେ, ତାଙ୍କ ଗୋଡ଼ ତଳେ ଲାଗୁନି । ନେଇଥିବା ଲୋକକୁ ବି ଜାଣି ଜାଣି ପଛରୁ ଡାକି ପଚାରୁଛନ୍ତି- “ଏ, ତମେ ନେଇଛ ଟି ?”

ଯେଉଁ ପୁରାଣ ପଣ୍ଡା ବିଧୁବାବୁଙ୍କ ଆତ୍ମାର ଇହକାଳରୁ ମୁକ୍ତି ଓ ପରକାଳର ଶାନ୍ତି ପାଇଁ, ପ୍ରତିଦିନ ସନ୍ଧ୍ୟାରେ ବନ୍ଦ ଦ୍ୱାର ଏ ପାଖରେ ଭାଗବତ ପାରାୟଣ କରୁଥିଲେ, ସେ ସାନବୋହୂଙ୍କ ସାମ୍ନାକୁ ଆସୁ ଆସୁ, ଶରୀରର ବିନାଶତା ଓ ଆତ୍ମାର ଅବିନଶ୍ୱରତା ସମ୍ୱନ୍ଧୀୟ ଗୀତା ଅନ୍ତର୍ଗତ ସାଂଖ୍ୟ ଯୋଗର ବାଇଶିତମ ଶ୍ଲୋକର ସସ୍ୱର ଆବୃତ୍ତି ଉଚ୍ଚ ସ୍ୱରରେ କରୁଛନ୍ତି. . ., ଯେମିତିକି ଅନ୍ୟ ବ୍ରାହ୍ମଣଙ୍କ ଠାରୁ ତାଙ୍କର ସ୍ୱତନ୍ତ୍ରତା ଫୁଟି ଉଠିବ. . . ।

ବାସାଂସି ଜୀର୍ଣ୍ଣାନି. . . ଯଥା ବିହାୟ

ନବାନି ଗୃହ୍‌ଣାତି . . . ନରୋଽପରାଣି. . .

ତଥା ଶରୀରାଣି. . . ବିହାୟ ଜୀର୍ଣ୍ଣା –

ନ୍ୟନାନି ସଂଯାତି. . . ନବାନି ଦେହୀ. . . ।”

ଖୁବ୍ ଖୁସିରେ ଗାୟତ୍ରୀ ତାଙ୍କ ହାତକୁ ଦୁଇଟି ଶହେ ଟଙ୍କିଆ ନୋଟ୍ ବଢ଼ାଇ ଦେଲେ । କେବଳ ଏହାଙ୍କ ଯୋଗୁ ହିଁ ସହରରେ ତାଙ୍କ ଦାନଶୀଳତାର ଅନେକ ପ୍ରଚାର ଘଟିଛି ଓ ସେ ସବୁ ଗଡ଼ି ଗଡ଼ି ଆସି, କ୍ଲବ୍ ହାଉସ୍‌ରେ ଗାୟତ୍ରୀଙ୍କ କାନରେ ବାଜିଛି ।

ଏବେ ଗାୟତ୍ରୀ ଦେଖୁଛନ୍ତି-

ହଠାତ୍ ଅନ୍ୟ ବ୍ରାହ୍ମଣମାନଙ୍କ କଣ୍ଠରୁ ଗୀତାର ଅଠରଟିଯାକ ଅଧ୍ୟାୟର ମୂର୍ଚ୍ଛିତ ଶ୍ଲୋକମାନେ ଚେତା ପାଇ, ଯେମିତି ଚିତ୍କାରିତ ହେଇ ଉଠୁଛନ୍ତି. . . ।

ବାଃ ! ଗାୟତ୍ରୀ ମିଚି ମିଚି ହସୁଛନ୍ତି ଓ ଟଙ୍କା ବାଣ୍ଟୁଛନ୍ତି ।

କେତେ ମଜାର ଏ ଉତ୍ସବ ସତରେ !


Rate this content
Log in

Similar oriya story from Classics