Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil Kumar Parhi

Comedy Others

3  

Anil Kumar Parhi

Comedy Others

ଦର୍ପଣ

ଦର୍ପଣ

4 mins
7.7K


ପ୍ରାୟ ସାଢେ ତିନିଥର ମୁଁ ସେ ଲାଇନରୁ ଖସିବାକୁ ଚେଷ୍ଟାକରି ବିଫଳ ହୋଇସାରିଥିଲି। ମୋ ପଛରେ ଠିଆ ମୋ ଲେଖକ ବନ୍ଧୁ ମୋତେ ଭିଡି ଧରୁଥିଲେ। " ରୁହମ! ଏତେ ବେସ୍ତ କାଇଁକି! ଅତିଥିମାନେ ପରା ଆସିନାହାଁନ୍ତି।" ମୁଁ ବାଧ୍ୟ ହୋଇ ଠିଆ ହେଉହେଉ ପୁଣି ଲାଇନରୁ ବାହାରିବାର ଦୁର୍ବଳ ପ୍ରଚେଷ୍ଟା କରୁଥିଲି।

ସଭା ଆଗରୁ ରେଜିଷ୍ଟ୍ରେସନ କରେଇବାର ଲାଇନ। ନାଁ ଲେଖିବ, ଗୋଟେ ଗାୟମୋଟ ୨୫ ଟଙ୍କାର କଭର ଫାଇଲ୍, ତା ଭିତରେ ବ୍ୟବହାର କର ଏବଂ ଫିଙ୍ଗ ବ୍ରାଣ୍ଡର ଡଟ୍ ପେନ୍, ଗୋଟେ ପକେଟ୍ ଖାତା ପରି ପେଡ୍। ଏଇ ଏତକ ଥିଲା ଲାଇନରେ ଥିବା ଲେଖକମାନଙ୍କ ଲୋଭ।

ଫାଇଲ୍ ପାଇଥିବା ଭାଗ୍ୟବାନ ମାନେ ଚା’ ଷ୍ଟଲ୍ ପାଖରେ ଠିଆ ହୋଇସାରିଥିଲେ। କାଖରେ ଫାଇଲ୍ ଯାକି, ଡାହାଣ ହାତରେ ଚା’ କପ୍ ଓ ବାମ ହାତରେ ବିସ୍କୁଟ ପାଟିକୁ ନେବା, ଗୋଟେ ଲେଖକୀୟ ଆଭିଜାତ୍ୟର ଚିହ୍ନ ବହନ କରୁଥିଲା। ସେମାନେ ସାଂପ୍ରତିକ ସାହିତ୍ୟ, ସଭା, ଆଲୋଚନା, ଲବି, ପୁରସ୍କାର, କୁତ୍ସା, ପରଶ୍ରୀକାତରତା, ଆଗାମୀ ଆୟୋଜନ, ଆୟୋଜକଙ୍କ ଠାରୁ ଆରମ୍ଭ କରି ରାଜନୀତି ଯାଏ ଆଲୋଚନା କରୁଥିଲେ। ଚା ପିଇ ସାରିଥିବା କେହି କେହି ଦ୍ବିତୀୟବାର୍ ନେବେ ନା ନାହିଁ, ବିସ୍କୁଟ ନେବେ ନା ଚା’, ଏଇ ଦ୍ଵନ୍ଦ୍ଵରେ ଫାଇଲ୍ ଧରି ବିଞ୍ଚିବା ଆରମ୍ଭ କରିଦେଇଥିଲେ।

ପାକଳ ଚଇତ ତତଲା କରେଇପରି ବୋଧ ହେଉଥିଲା। ମୋର ଲୋଭ ଥିଲା ଭିତରେ ଥିବା ଶୀତତାପ ନିୟନ୍ତ୍ରିତ କକ୍ଷ। ଗରମ ହେଲେ ମୋତେ ଟିକେ ଅଣନିଶ୍ଵାସୀ ଲାଗେ।

କିଛି ଅମିଳି ଲେଖକ ଗାଈ ପାକୁଳି କଲାପରି ପାନ ଚୋବାଉଥିଲେ। କିଛି ସଦ୍ୟ ଜନ୍ମିତ ଲେଖକ ଚୁଇଙ୍ଗମ୍ ଚୋବାଉଚୋବାଉ ବେଲୁନ ତିଆରି କରି ଫୁଟାଉଥିଲେ। କେହି କେହି ଓଠ ଚାପୁଚାପୁ ଲିପଷ୍ଟିକ ଖାଇଯାଉଥିଲେ।

ମୋ ଠାରୁ ମାତ୍ର ଦଶଜଣ ଲୋକ ଦୂରତାରେ ଥିଲା ରେଜିଷ୍ଟର୍, ଫାଇଲ୍। ମୁଁ ସ୍ପଷ୍ଟ ଦେଖିପାରୁଥିଲି ଯେ ନାମ ପଞ୍ଜୀକୃତ କରି ଫାଇଲ୍ ବଢାଉଥିବା ଦୁଇଜଣ ଚନ୍ଦା ଅଣ ସାହିତ୍ୟିକ କର୍ମଚାରୀ, ଯେଉଁମାନେ ଉକ୍ତ ସାହିତ୍ୟ ସଂସ୍ଥାର ଡିଟିପି କର୍ମଚାରୀ ବା ପ୍ରସାର ଅଧିକାରୀ ବା କିରାଣୀ ହୋଇଥିବେ ବୋଲି ମୋର ବିଶ୍ଵାସ, ସେମାନେ ଏ କାଉଳିଆ ଲେଖକମାନଙ୍କ ଉପରେ ବିରକ୍ତ ହେଉଥିଲେ ବି ମନ୍ଦହାସ୍ୟ ସହିତ ସ୍ବାଗତ କରୁଥିଲେ। ବୋଧେ ସେମାନେ ଚାହୁଁଥିଲେ ଯେ ଲେଖକଟିଏ ଲେଖକ ବୋଲି ଆଧାର କାର୍ଡ ପରି କିଛି ପ୍ରମାଣପତ୍ର ଦେଖାଉ। ଆଜିକାଲି ଗଣ୍ଡେ ଖାଇବା ଆଉ ଫାଇଲ, କଲମ ନେବା ଆଶାରେ କିଛି ଲୋକ ପଶିଆସୁଛନ୍ତି! ବରଯାତ୍ରୀରେ ବାହାର ଲୋକ ପଶିଲା ପରି!

ବୋଧେ ଆଗରେ ସଂସ୍ଥାର କର୍ମଚାରୀ ଆଉ ଜଣେ ସେହିପରି ଲୋକଙ୍କର ଯୁକ୍ତିତର୍କ ଲାଗିଥିଲା। ପଛରେ ଥିବା ସାହିତ୍ୟିକ ପାଟିକଲେ, ହେଇ, କିଏରେ ସେ, ଲାଇନ ଭାଙ୍ଗି ପଶୁଛି! ଯିଏ ଆସିବା କଥା ଲାଇନରେ ଆସ। ଆମେ ସକାଳ ପ୍ରହରୁ ଠିଆହୋଇଛୁ!" ମୁଁ ଆଗରେ ଚାଲିଥିବା ଗଣ୍ଡଗୋଳକୁ କାନେଇଲି। ଓହୋ, ସେହି ଲୋକଟି ଦୁଇଟି ଫାଇଲର ଦାବୀଦାର୍ । ତାଙ୍କର ଜଣେ ବନ୍ଧୁ ଦସ୍ତଖତ କରି ସେମିତି ଚାଲିଯାଇଛନ୍ତି ଓ ତାଙ୍କ ଫାଇଲଟି ୟା’ଙ୍କୁ ଦିଆଯାଉ ବୋଲି ଦାବୀ କରୁଛନ୍ତି। ବଣ୍ଟନ କର୍ତ୍ତା ପ୍ରମାଣ ଖୋଜିବା ସ୍ବାଭାବିକ।

ଦେଇଦେଉନାହାଁନ୍ତି ଆଉ ଗୋଟେ - ମୋର ଆଗକୁ ଷଷ୍ଠ ସ୍ଥାନରେ ଥିବା ମୋର ଛାଇଛାଇକା ଚିହ୍ନା ବ୍ୟକ୍ତି କହିଲେ। କୋଉ ଦାମୀକା ଚିଜଟା ଯେ....। କିଏ ଜଣେ ବହୁ ପଛରୁ ଚିତ୍କାର କଲା - ଶଳା ଏ ଲାଇନ୍ ଭାଙ୍ଗି ପଶୁଥିବା ଲୋକଙ୍କୁ ଅଟକେଇବା ପାଇଁ ଜଣେ କନେଷ୍ଟବଳ ନହେଲେ ହୋମଗାର୍ଡ ରଖିବାର ଥିଲା!

ଦୂରରେ ବାହାଘର ସମୟରେ ଶ୍ଵଶୁର ଘରୁ ପାଇଥିବା କୋଟ ପିନ୍ଧା କିଛି ବରେଣ୍ୟ ବା ବିଶିଷ୍ଟ ଲେଖକ, ଯେଉଁମାନେ କି ମୋତେ ପ୍ରତି ନମସ୍କାର ଜଣେଇବାର ସୌଜନ୍ୟ ଜାଣିନଥିଲେ, ସେମାନେ କାହିଁକି କେଜାଣି କଣେଇକଣେଇ ଦୂରରେ ଭାସମାନ ଅବସ୍ଥାରେ ଥିବା ଲେଖିକାମାନଙ୍କୁ ଚାହୁଁଥିଲେ। ନଜର ପଡିଗଲେ ହସୁଥିଲେ। ଜଣେ ବଡ ସାହିତ୍ୟିକର ମର୍ଯ୍ୟାଦା ପାଇବା ପାଇଁ ପୁରସ୍କାର ପଛକୁ ଯୋଗ୍ୟତା ହେଲା ଗୋଟାଏ ବୃହତ୍ ନାରୀ ପ୍ରଶଂସକଙ୍କର ଲିଷ୍ଟ।

ସେହି ବିଶିଷ୍ଟମାନଙ୍କ ଭିତରୁ ଜଣେ ଜନୈକ ଆୟୋଜକଙ୍କ ବାମହାତ ଖୁଆ ପାଖରୁ ଝିଙ୍କି ଧରି କହିଲେ - ସ୍ତ୍ରୀଲୋକଙ୍କ ପାଇଁ ଅଲଗା ଲାଇନ୍ କରୁନା! ଆୟୋଜକ ବୋଧେ ଫେରିଗଲେ। ଜଣେ ଲେଖିକା ଗଦଗଦ୍ ହୋଇଗଲେ - ...ଭାଇ! ତମକୁ କଣ କହିବି! ଆଉ ଜଣେ ହସିହସି କହିଲେ ( ଯାହାଙ୍କ ହସର ଦୈର୍ଘ୍ୟ ଓ ଉଚ୍ଚତା ତାଙ୍କ ପ୍ରସାଧାନଠୁ ଢେର୍ କମ୍ ଥିଲା) ତମେ ଜାଣିନା କି, ଅମୁକ ସଭାରେ ପା ଭାଇନା ଆମକୁ ସୁପ୍ ପରଶି ଥିଲେ। ଆଉ କେତେଜଣ ଖିଲିଖିଲି ହୋଇ ହସି ଉଠିଲେ। ଠିକ୍ ଯେମିତି ଅରୁନ୍ଧତୀ ( ପ୍ରାୟ, ଠିକ୍ ରେ ମନେପଡୁନି) ସିନେମାରେ - ଜୀବନ ଯମୁନାରେ ଗୀତର ବାହାଘର ଦୃଶ୍ୟରେ ହସୁଥିବା ସଖୀମାନେ! ଭାଇନା ଲାଜେଇଗଲେ। କହୁଣୀରେ କେଞ୍ଚିଦେଲେ ପାଖ ଲେଖକ।

ମୁଁ ଆଉ ଠିଆହୋଇ ପାରୁନଥିଲି। ପେଟରେ ଗ୍ୟାସ ଜମାହୋଇ ମୋତେ ବ୍ୟସ୍ତ କରିପକାଉଥିଲା। ହାୟରେ, କାହିଁକି ଆସିଲି! ଏମିତି ସଭାସମିତିକୁ ନଯିବା ଯୋଗୁଁ ଲୋକେ ଚିହ୍ନୁନାହାଁନ୍ତି, ଜାଣୁ ନାହାଁନ୍ତି। ଭୁବନେଶ୍ଵରରେ ରହିବ ଅଥଚ ସଭାସମିତି ଯିବନି! ତମେ କ’ଣ୍ କି! ଏଠି ପରା ଲେଖକ ଲେଖିକା ଅପରାହ୍ନ ଚାରିଟାରୁ ରାତ୍ର ଦଶ ଘଟିକା ପର୍ଯ୍ୟନ୍ତ ସମୟକୁ ପ୍ରତିଦିନ ସାହିତ୍ୟ ପାଇଁ ଉତ୍ସର୍ଗ କରୁଛନ୍ତି। ମୁଁ କୋଉ ଗାଈର ଗୋବର ଯେ। କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜ ପରି ଦୂର ଅଞ୍ଚଳରୁ ପ୍ରତିଦିନ ଲେଖକ ଲେଖିକା ଆସି ରାଜଧାନୀରେ ହାଜିରା ପକଉଛନ୍ତି, ଅଥଚ ମୁଁ ଏଇଠି ରହି ଯିବିନି!

ଦିନେ ରାତିରେ ଲେଖକ ଲେଖିକାମାନଙ୍କ ଏ ଘରଭଡା ଗୁଣ ମୋତେ ଚିନ୍ତାରେ ପକେଇଥିଲା। ରାତି ସାରା ଶୋଇପାରିନଥିଲି। କିଏ ଶାଶୁଶ୍ବଶୁର, ଛୁଆପିଲାଙ୍କ ପାଇଁ ରାନ୍ଧୁଥିବ, କିଏ ହୋମ ଓ୍ବାର୍କ କରଉଥିବ, କିଏ ମାର୍କେଟିଙ୍ଗ କରୁଥିବ! ଆହା! ଏ ଯେ ଘରଭଙ୍ଗା ସାହିତ୍ୟ। ପଚାରିବାର ଭୁଲ କରିବେନି - ନାରୀମାନେ ଅସ୍ମିତା ଦେଖେଇବେ। କହିବେ - ଏଇଟା ପାରୋକିଆଲ୍ ମନୋବୃତ୍ତି! ସୋଭିନିଜମ୍। କହିବେ - ଦୁନିଆ ବଦଳୁଛି। ନାରୀର ଜନ୍ମ କ’ଣ ରୋଷେଇ ପାଇଁ, ପିଲାମାନଙ୍କ ହୋମ ଓ୍ବାର୍କ ପାଇଁ.... ଗିଭ୍ ମି ଏ ବ୍ରେକ୍!! ନନସେନ୍ସ। ଆଉ ପୁରୁଷ ଲେଖକମାନେ ପିତ୍ତଳ ଗରା। ମାଜିଦେଲେ ଚକଚାକ୍। କାହା ବୋପାର ସାହାସ ଅଛି କହିବ!!

ଭିତରେ ମାଇକ୍ ଟେଷ୍ଟିଙ୍ଗ ଆରମ୍ଭ ହୋଇସାରିଥିଲା। ବାହାରେ ଭାଇ, ଅପା ଡାକରେ ଗୁଳୁଗୁଳି ବଢିଯାଇଥିଲା।

ଜଣେ କଳାରଙ୍ଗର ପେଟୁଆ ଲୋକ ହଠାତ୍ ଲାଇନ୍ ଭାଙ୍ଗି ମୋ ଆଗରେ ଠିଆ ହୋଇଗଲେ। ମୁଁ କିଛି କହିବା ଆଗରୁ ସେ ମୋ ଆଡକୁ ମୁହଁ ବୁଲେଇ କହିଲେ - ଏକ୍ସକ୍ୟୁଜ ମି। ମୁଁ ଫାଇଲ ନ ନେଇ ପଳେଇଥିଲି।

ତାଙ୍କୁ ବୋଧେ ପାଇରିଆ ହୋଇଥିଲା। ବା ବସ୍ ରୁ ଓହ୍ଲେଇ ସେ ସିଧା ଦାନ୍ତ ଅଘଷା ଏଠାକୁ ପଳେଇ ଆସିଥିଲେ। ଦୁର୍ଗନ୍ଧରେ ନାକ ଫାଟିପଡୁଥିଲେ ବି ତାଙ୍କ ପ୍ରତି ମୋର ଦୟା ହେଲା। ଖଣ୍ଡେ ରଙ୍ଗୀନ ମାନପତ୍ର, ପଚାଶଟଙ୍କିଆ ଉତ୍ତରୀୟ ଭବିଷ୍ୟତ ପାଇଁ ଯୋଗାଡ କରିବାକୁ ବିଚରା ଧାଇଁ ଆସିଛନ୍ତି। କିଏ ଜାଣେ ଆଜି ପତ୍ନୀଙ୍କ ଶ୍ଵାସରୋଗ, ବାପା ମା’ଙ୍କ ଆଣ୍ଠୁଗଣ୍ଠି ରୋଗ ବାହାରି ଥାଇପାରେ! ଝିଅର ମେଟ୍ରିକ୍ ପରୀକ୍ଷା ଥାଇପାରେ!

ପଛରୁ ବନ୍ଧୁ ସାହିତ୍ୟିକ ପୁଚ୍ଛା କଲେ - ତମେ ତାଙ୍କୁ ଜାଣିଛ?

ମୁଁ ମୁଣ୍ଡ ହଲେଇ ନାଁ କହିଲି।

ତେବେ ଲାଇନରେ ପଶିବାକୁ ଦେଲ କାହିଁକି? ବନ୍ଧୁ ପୁଚ୍ଛିଲେ।

ମୁଁ ନୀରବ ରହିଲି।

ବହୁ ସମୟ ପରେ, ପ୍ରାୟ ଗୋଟେ ଦୁଇଟି ଯୁଗାବସାନ ପରେ ମୋର ପାଳି ପଡିଲା।

ଆରେ, କିଏ ଏମାନେ ମୋ ଚାରିକଡେ! କାହାର ମୁହଁ ଗର୍ଦ୍ଧଭ ପରି, କାହାର ଅଶ୍ବ ତ କାହାର ବଳିବର୍ଦ ପରି! ମୋ ଚାରିପାଖର ମଣିଷମାନେ କୁଆଡେ ଗଲେ!

ନାମଟି ଦସ୍ତଖତ କଲା ବେଳକୁ ସତରେ ମୁଁ ମୋ ନାଁ ଟି ଭୁଲିଯାଇଥିଲି। କ’ଣ ମୋ ନାଁଟା ତ? କାହାକୁ ପଚାରିବି ଯେ! ମଣିଷ କାହାଁନ୍ତି।

ଏହି ରୂପାନ୍ତର ଭିତରେ ଗୋଟିଏ ବିରୋଧାଭାସ ପରି ପ୍ରତୀୟମାନ ହେଉଥିଲା ମାଇକର ଟେଷ୍ଟିଙ୍ଗ୍ - ହ୍ୟାଲୋ ଓ୍ବାନ୍, ଟୁ, ଥ୍ରୀ......।।


Rate this content
Log in

Similar oriya story from Comedy