Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Tragedy

3  

sushama Parija

Tragedy

ଅଭିଶପ୍ତ

ଅଭିଶପ୍ତ

6 mins
3.2K


ଅଭିଶପ୍ତ

----------

ଏଥର ଚୈତ୍ର ପୂର୍ଣ୍ଣମୀ କୁ ଗାଁ କୁ ଯାଇଥିଲୁ ନାତୁଣୀ ର ଚୁଟି ପକାଇବା ପାଇଁ ଆମ ଗାଁ ଡମପଡ଼ା ର ପୋଟଳେଇ ଠାକୁରାଣୀ ଙ୍କ ପାଖରେ । ଯାତମୁଣ୍ଡିଆ ରେ ମା ପୋଟଳେଇ ଠାକୁରାଣୀଙ୍କ ଚୈତ୍ର ମାସ ପୂର୍ଣ୍ଣମୀ ରେ ଝାମୁଯାତ୍ରା ହୁଏ। ମା ପୋଟଳେଇ ଖୁବ୍ ପ୍ରତ୍ୟକ୍ଷ ଠାକୁରାଣୀ । ସେଦିନ ସେଠି ମାନସିକ ରଖି ମାଆ ମାନେ ଶହଶହ ପିଲାଙ୍କର ଚୁଟି ପକାଇ ଥାଆନ୍ତି । ଖୁବ୍ ବଡ ଆକାରରେ ମେଳା ହୋଇଥାଏ ।ଯାବତୀୟ

ଘରକରଣା ଜିନିଷ ପତ୍ର ଠାରୁ ଆରମ୍ଭ କରି ମିଠା ମିଠି , ପ୍ରସାଧନ ସାମଗ୍ରୀ ସବୁ ର ବଜାର ବସିଥାଏ।

ଆଖପାଖ ଗାଁର ବହୁତ ଲୋକଙ୍କ ଭିଡ ଜମେ ସେଠାରେ । ମେଳା ଟି ଦିନିକିଆ ହେଲେ ମଧ୍ୟ ଦୁଇ ତିନି ଦିନ ଧରି ବେପାରୀମାନେ ବସିଥାଆନ୍ତି । ଆମ ଗାଁର ପ୍ରସିଦ୍ଧ ମିଠା ହେଲା ଛେନା ଖଇ ଆଉ ମନୁହର ,ଯାହା

ପ୍ରତି ମୋର ଦୁର୍ବଳତା ବହୁତ ଅଧିକ । ତେଣୁ ମୁଁ ଗାଁକୁ ଯିବା ଖବର ପାଇଲେ ମୋ ବୋଉ ଏସବୁ ଜିନିଷ ଆଗୁଆ ସାଇତି ରଖିଥାଏ ମୋ ପାଇଁ। ସେଦିନ ଆମେ ନାତୁଣୀ ର ଚୁଟି ପକେଇ ଝାମୁଯାତ୍ରା ଦେଖି ଘରେ ପହଞ୍ଚିଲା ବେଳକୁ ବୋଉ ତରବର ହୋଇ ଗୋରୀ ଗଉଡୁଣୀ ଠୁ ରଖିଥିବା ବସାଦହି ବଡା ଟିକୁ ଆମ ଆଗରେ ଥୋଇଦେଇ କହିଲା 'ଶିଘ୍ର ହାତଗୋଡ ଧୋଇ ପକେଇ ଆଗ ଦହି ତକ ଖାଇ ନିଅ। ଖରା ରେ ଆସିଛ ଦେହ ଝାଇଁ ମାରି ଯାଉଥିବ'। ଏତିକି କହି ସେ ରୋଷେଇ ଘର ଭିତରକୁ ଚାଲିଗଲା ଖାଇବା ପିଇବା ବ୍ୟବସ୍ଥା କରିବା ପାଇଁ ।

ଖିଆପିଆ ସାରି ପିଲାମାନେ ଶୋଇବାକୁ ଗଲା ପରେ ମୁଁ ବୋଉ ସାଙ୍ଗରେ ବସିଲି ଖାଇବାକୁ । ଖାଇ ବସିଲା ବେଳେ ମୋ ବୋଉ ର ଅଭ୍ୟାସ ଗାଁ ଗୋଟାକର କଥା ଗପିବ ମୋ ଆଗରେ। ୟା ର ଏଇଟା ହେଲା ,ତା ର ସେଇଟା ହେଲା ଏମିତି ଗାଁ 'ଟା ଯାକର କଥା ଗପିବ ଯେ ଭାତଥାଳି ଉପରେ ହିଁ ଅଧା ନିଦ ଆସି ଯାଇଥିବ ମତେ । ସେ ସେମିତି ଗପୁଥିବ ମୁଁ ରୋଷେଇ ଘର ବାରଣ୍ଡାରେ ପଡିଥିବା ଖଟିଆ ଟି ଉପରେ ନିଘୋଡ ନିଦରେ ଶୋଇପଡିବା ଯାଏଁ। ସେଦିନ ସେମିତି ସେ କହିଲା ନଟ ଦାଦି ଙ୍କ ଘର କଥା । ନଟଦାଦି ମୋ ବାପାଙ୍କର କୁଟୁମ୍ବ ରେ ଭାଇ ହେବେ। ତାଙ୍କ ବାପା ଧନେଶ୍ଵର ଜେଜେଙ୍କର ପାଞ୍ଚ ପୁଅରୁ ନଟଦାଦି ହେଲେ ଦ୍ଵିତୀୟ। ତାଙ୍କ ଉପରେ ବିନ ଦାଦି ଆଉ ତାଙ୍କ ତଳେ କୁନ ଦାଦି , ତା'ପରେ ମଣିଦାଦି ଆଉ ଫଣି ଦାଦି। ସବା ଉପରେ ସାଧବାଣୀ ଆଉ ସବା ତଳେ ସୁଲୋଚନା ବୋଲି ଦୁଇଟି ଝିଅ । ସମସ୍ତେ ବାହାତୋଳା ହୋଇ ଯିଏ ଯାହା ସଂସାରକୁ ନେଇ ବ୍ୟସ୍ତ । ବୋଉ କହେ ଧନେଶ୍ଵର ଜେଜେ କୁଆଡ଼େ କଲିକତାରେ ଚାକିରି କରୁଥିଲେ, ବଡ ଝିଅ ଆଉ ଚାରିଚାରିଟା ପୁଅକୁ ଛାଡି ଭାନୁ ଜେଜେମା ବାଟ କାଟିଲେ ଆରପାରିକୁ । ଜେଜେଙ୍କୁ ସେତେବେଳେ ପଚାଶ କି ପଞ୍ଚାବନ ବର୍ଷ । ସଉକିଆ ଜେଜେ କାଳେ ବର୍ଷ ଟାଏ ନପୁରୁଣୁ ଦ୍ବିତୀୟ ବିବାହ କରିଥିଲେ ଷୋହଳ ବର୍ଷ ର ମାଧବୀ ଜେଜେମାଙ୍କୁ । ପାଞ୍ଚ ବର୍ଷ ମଧ୍ୟରେ ଗୋଟିଏ ପୁଆ ଆଉ ଗୋଟିଏ ଝିଅକୁ ଜନ୍ମ ଦେଇ ଜେଜେ ଚାଲିଗଲେ ଯକ୍ଷ୍ମାର ଶୀକାର ହୋଇ କିନ୍ତୁ ଏକୋଇଶି ବର୍ଷ ର ମାଧବୀ ଜେଜେମାଙ୍କୁ ଛାଡି ଦେଇଗଲେ ଯନ୍ତ୍ରଣା ର ନର୍କକୁଣ୍ଡ ରେ।

ଗୋଟିଏ ପଟରେ ଆଗ ସଉତୁଣୀ ର ପିଲାମାନେ ତାଙ୍କୁ ମା ବୋଲି ଗ୍ରହଣ କରିବାକୁ ନାରାଜ ତ ଅନ୍ୟ ପଟେ ଛୋଟ ଛୋଟ ପିଲାଙ୍କର ପାଳନ ପୋଷଣ ର ଚିନ୍ତା। ଘରେ ସିନା ଚାଉଳ ଗଣ୍ଡାକ ଅଛି କିନ୍ତୁ ବାକି ଖର୍ଚ୍ଚ କୋଉଠୁ ଆସିବ। ଏମିତି ବେଳେ ବେଡି ଉପରେ କୋରଡା ହେଲେ ଆଗ ସଉତୁଣୀ ର ମାଆ। ସେ ଆସି ରହିଲେ ଜେଜେମାଙ୍କ ପାଖରେ କାଳେ ସାବତ ମା ତାଙ୍କ ନାତି ନାତୁଣୀ ମାନଙ୍କୁ ହଇରାଣ ହରକତ କରିବ,ଏଇ ବାହାନା କରି । ଧୀରେ ଧୀରେ ବିଦ୍ରୋହର ମନ୍ତ୍ର ଫୁଙ୍କିଲେ ପିଲାମାନଙ୍କ କାନରେ ଫଳରେ ବାପା ଥିଲା ବେଳେ ଯେଉଁମାନେ ମୁହଁକୁ ଚାହିଁବାକୁ ସାହସ କରୁନଥିଲେ ସେମାନେ ହାତ ଉଠାଇ ମାଡ ମାରିଲେ ସାବତ ମା ' ଆଉ ତାର ପିଲାମାନଙ୍କୁ । ବାପଘର ଦୁର୍ବଳତା ଭଲ ଭାବରେ ଜାଣିଥିବା ଜେଜେମା ମାଡ ଗାଳି

ଖାଇ ପଡିରହିଥିଲା ଭାଗ୍ୟ କୁ ଆଦରି। ପିଲାମାନେ ଧୀରେ ଧୀରେ ଅବାଟକୁ ଯାଉଥିବାର ଦେଖି ମଧ୍ୟ ଜେଜେ ମା ଚୁପ୍ ହୋଇ ରହିବାପାଇଁ ବାଧ୍ୟ ହେଉଥିଲା ।

ଦିନ ଗଡି ଚାଲିଲା । ପିଲାମାନେ ବଡ ହୋଇ ଯିଏ ଯାହାର ସଂସାର କଲେ। ନଟଦାଦି ଥିଲେ ସବୁଠାରୁ ଦୁର୍ଦ୍ଦାନ୍ତ । ମଦ ନିଶା ରେ ସବୁବେଳେ ବୁଡି ରହୁଥିଲେ।ସାହି ଭାଇ ସମସ୍ତଙ୍କ ସହିତ ଝଗଡା।ସବୁଦିନ କାହାକୁ ମାରିଥିବେ ନହେଲେ କାହାଠାରୁ ମାଡ ଖାଇ ଘରକୁ ଫେରିଥିବେ। ଖୁଡୀ କହିଲେ ମାଡ , ଅସଭ୍ୟ ଭାଷାରେ ଗାଳି। ଜେଜେମା ପାଟି ଖୋଲିଲେ ଗୋରୁଗାଈ ପରି ପିଟି ପକାଉଥିଲେ ତାଙ୍କୁ । ସାନ ଭଉଣୀ ଓ କଅଁଳା ପୁଅଟିକୁ ମଧ୍ୟ ବାଦ୍ ଦେଉନଥିଲେ। ଏତେ ନିଷ୍ଠୁର ଥିଲେ ଯେ ତାଙ୍କ ପତ୍ନୀ ଙ୍କୁ ଥରେ ଶାବକ ପକାଇ ଚଢି ଯାଇଥିଲେ । ବିଚାରୀ ଲକ୍ଷ୍ମୀ ଖୁଡୀ ଙ୍କୁ ପଡୋଶୀ ମାନେ ଧରା ଧରି କରି ଉଦ୍ଧାର କଲେ ସିନା ତାଙ୍କ ଅଣ୍ଟା ଟି ସବୁ ଦିନ ପାଇଁ ଜଖମ ହୋଇଗଲା । ନଟଦାଦିଙ୍କର ଗୋଟିଏ ବୋଲି ପୁଅ ଦିବାକର । ସେ ଦାଦାଙ୍କର ଜୀବନ ହେଲେ ମଦ ପିଇଲେ ତାକୁ ବି ନିସ୍ତାର ନାହିଁ । ମାଡ ଗାଳି ରେ ଅତିଷ୍ଠ ହୋଇ ଭାଇମାନେ ଘର ଛାଡି

ଅନ୍ୟତ୍ର ରହିବାକୁ ପସନ୍ଦ କଲେ । ଜେଜେମାଙ୍କୁ ଥରେ ଏମିତି ପିଟି ପିଟି ଦରମରା ଳରିଦେଲେ ଯେ ସେ ରକ୍ତ ବାନ୍ତି କରି ପକାଇଲେ । ସେତେବେଳକୁ ତାଙ୍କ ନିଜ ପୁଅ ଅଠର ବର୍ଷର । ମା' ର ଦୁର୍ଦ୍ଦଶା ଦେଖି ସେ ଆଉ ସଂଭାଳି ପାରିଲା ନାହିଁ, ପାଖ ଘର ଚାଳରୁ ଟାଣି ଆଣିଲା ଖଣ୍ଡେ ବାଉଁଶ ,ଛଣ ବାଡେଇବା ପଳି ବାଡେଇ ଦେଇଗଲା ନଟଦାଦିଙ୍କର ଗୋଡ ରୁ ମୁଣ୍ଡ ଯାଏ। ସାହି ପଡିଶା ସମସ୍ତେ ଦେଖୁଥିଲେ ମଧ୍ୟ କେହି ସାହସ କଲେ ନାହିିଁ ତାଙ୍କର ରୁଦ୍ର ମୂର୍ତ୍ତି ଦେଖି । ମାଡ ଖାଇ ଅଚେତ୍ ହୋଇ ପଡିଥାନ୍ତି ନଟଦାଦି, ମୁଣ୍ଡ ଫାଟି ରକ୍ତ ଧାର ଧାର ହୋଇ ବୋହି ଯାଉଥାଏ, ଘର ଭିତରୁ ଜେଜେମା ର ହାତ ଧରି ଭିଡି ଭିଡି ଆଣି ସାଇକେଲ୍ ପଛରେ ବସାଇ ବାହାରି ଗଲା ସାନ ଦାଦା । ସେଇଦିନଠୁ ଆଉ ତାଙ୍କର ଖୋଜ ଖବର ନାହିଁ। ଉଡା ଖବର ମିଳିଥିଲା ସାନ ଦାଦା ସୈନ୍ୟ ବାହିନୀରେ ଯୋଗ ଦେଇଛନ୍ତି , ଜେଜେମା ଙ୍କୁ କେଉଁଠି ବଂଧୁ ଘରେ ଛାଡି ଟ୍ରେନିଂରେ ଯାଇଛନ୍ତି, ସେଠାରୁ ଫେରିବା ପରେ ପୋଷ୍ଟିଂ ହେଲେ ମା ଙ୍କୁ ପାଖକୁ ନେବେ।

ସେଦିନ ସେଇ ଯେ ନିର୍ଘାତ ମାଡ ଖାଇ ମୁଣ୍ଡ ଫାଟି ଗୋଡ ଭାଙ୍ଗି ଯାଇଥିଲା ନଟଦାଦିଙ୍କର ସିଏ ଆଉ ଭଲ ହେଲେ ନାହିଁ। ମୁଣ୍ଡରେ ମାଡ ହୋଇ ଥିବାରୁ ତାଙ୍କର ବେଳେ ବେଳେ ମତିଭ୍ରମ ହେଲା, ଭଙ୍ଗା ଗୋଡଟି ଆଉ ଭଲଭାବେ ଯୋଡି ହୋଇ ପାରିଲାନି ଫଳରେ ସେ ଆଉ କିଛି କାମ ଧନ୍ଦା କରି ପାରିଲେନି । ଅଭାବ ଲାଗି ରହିଲାରୁ ଖଣ୍ଡିଏ ଖଣ୍ଡିଏ ଜମି ବିକ୍ରୀ କରିବାକୁ ଲାଗିଲେ । ହାତ କୁ ପଇସା ଆସିଲରୁ ମଦପିଆ ବି ବଢି ବଢି ଗଲା । ଏମିତି ଧୀରେ ଧୀରେ ସବୁ ଯାକ ଜମି ବିକ୍ରୀ ହୋଇଗଲା। ଦିବାକର ମଧ୍ୟ ପାଠ ଶାଠ ନପଢି ଅମଣିଷ ହେବାକୁ ଲାଗିଲା ।ସେ ବି ଖରାପ ପିଲା ମାନଙ୍କ ସହିତ ମିଶି ଲୁଚି ଲୁଚି ସାଙ୍ଗ ମେଳରେ ମଦ ପିଇବାକୁ ଲାଗିଲା। ଶଯ୍ୟାଶାୟୀ ବାପାଙ୍କୁ ସେବା କରିବ କ'ଣ ମାଆକୁ ଧମକାଇ ପଇସା ପତ୍ର ନେଇ ମଦ ଜୁଆ ରେ ଉଡେଇଲା। ସେମିତି ପଡ଼ି ପଡି ନଟଦାଦି ଚାଲିଗଲେ । ଘର ଡିହ ଖଣ୍ଡିକ ବିକ୍ରି କରି ଶୁଦ୍ଧି କାମ କଲେ ଖୁଡୀ । ଜେଜେମା ବଂଚି ଥିବା ଅବସ୍ଥାରେ କୁନ ଦାଦି, ବିନ ଦାଦି ଅଧା ବୟସରେ ରୋଗରେ ଯାଇଥିଲେ, ଫଣି ଦାଦି ଗଲେ ଟ୍ରକ ଧକ୍କାରେ, ଖୁଡୀ ମାନସିକ ଭାରସାମ୍ୟ ହରାଇ ବେକରେ ଦଉଡ଼ି ଦେଇ ମଲେ। ଜେଜେମା ଫେରି ଆସିଥିଲେ ଗାଁ କୁ ତାଙ୍କ ପୁଅ ଆଉ ତା'ର ପରିବାର ସହିତ। ଦୁର୍ଭାଗ୍ୟ କୁ ତାଙ୍କ ଯୁଦ୍ଧ ଫେରନ୍ତା ପୁଅ ଟି ମଧ୍ୟ ମଦ୍ୟପାନ ରେ ଅଭ୍ୟସ୍ତ ହୋଇ ଦୂରାରୋଗ୍ୟ କ୍ୟାନ୍ସର୍ ରେ ପିଡିତ ହୋଇ ସାରିଥିଲା। ନଟଦାଦିଙ୍କର ଅନାଥ ପୁଅ ଟି ବାରଦୁଆର ଶୁଣ୍ଢି ପିଣ୍ଡା ହେଉଥାଏ । ତାକୁ ଦେଖି ଜେଜେମା ଖୁବ୍ ଅସ୍ତବ୍ୟସ୍ତ ହେଉଥାନ୍ତି । ଯୋଗାଡଯନ୍ତ୍ର କରି ତାକୁ ଗୋଟିଏ ଗରିବ ଘରର ଝିଅ ଦେଖି ବାହାଘର କରେଇ ଦେଲେ । ଭାବିଥିଲେ ସଂସାର କଲେ ସେ କାଳେ ପରିବର୍ତ୍ତନ ହୋଇ ଯିବ। ନୂଆ ବୋହୂ ଟି ଆସିଲାପରେ କିଛିଦିନ ଖୁବ୍ ଭଲରେ ଚଳିଲା ଦିବାକର । ରୀତିମତ ମୂଲ ମଜୁରୀ କରି ସୁରୁଖୁରୁ ରେ ତା'ର

ପରିବାର ଚଳେଇଲା। ଛଅ ମାସ ପରେ ଦିନେ କ'ଣ ହେଲା କେଜାଣି ସେ ବିଷ ପିଇ ଆତ୍ମହତ୍ୟା କରିଦେଲା। ସେତେବେଳକୁ ତା'ର ସ୍ତ୍ରୀ ଚାରିମାସ ର ଗର୍ଭବତୀ ।ଏତେ ଗୁଡ଼ାଏ ଦୁଃଖ ବୋଧହୁଏ ଜେଜେମା ଙ୍କ ହୃଦଯ କୁ ଦୁର୍ବଳ କରିଦେଇଥିଲା । ଖୁବ୍ କମ୍ ଦିନରେ ସେ ହୃଦ୍ ଘାତ ରେ ପ୍ରାଣ ହରାଇଲା ।

ଗୋଟିଏ ଏତେ ବଡ ବଂଶ ଲୋପ ପାଇଗଲା ସମସ୍ତ ଙ୍କ ଆଖି ଆଗରେ। ଏବେ ଦିବାକର ସ୍ତ୍ରୀ ର

ପୁଅ ଟିଏ ହୋଇଛି । ବୋହୂଟିର ବାପ ନାହାଁନ୍ତି ତେଣୁ ତା'ର ମା ଆଉ ସାନ ଭାଇ ଦୁଇଟି ଆସି ଜଗି ରହିଛନ୍ତି ତାକୁ। ସାଇ ଭାଇ ସମସ୍ଚେ ତେଷ୍ଟା କରୁଛନ୍ତି ବୋହୂ ଟି କୂ ଅଙ୍ଗନବାଡ଼ି ରେ ରଖେଇ ଦେବା ଲାଗି, ତା ହେଲେ ଅନ୍ତତଃ ସେ ନିଜେ ବଂଚି ପିଲାଟିକୁ ବଂଚେଇ ପାରିବ।

କେଜାଣି କାହାର ଅଭିଶାପ ପଡିଛି ସେ ବଂଶ ଉପରେ ଯେ କେହି ଜଣେ ହେଲେ ତିଷ୍ଠି ରହି ପାରୁନାହାଁନ୍ତି । ଜଗନ୍ନାଥେ ଏଇ ଗୋଟିକୁ ହେଲେ ରକ୍ଷା କରନ୍ତୁ କହି ଦୁଇ ହାତ ମୁଣ୍ଡରେ ଲଗାଇ ପ୍ରଣାମ କଲା ବୋଉ। ଖଟିଆ ଉପରେ ଅନେକ ବେଳୂ ଶୋଇ ରହିଥିଲେ ବି ମୋ ଆଖିରେ ନିଦ ନଥିଲା । ଧାର ଧାର ହୋଇ ଲୁହ ବୋହି ତକିଆ ଟି ଓଦା ହୋଇ ଯାଇଥିଲା ସେତେବେଳକୁ।

ସୁଷମା ପରିଜା


Rate this content
Log in

Similar oriya story from Tragedy