ଖଟି ଗପ
ଖଟି ଗପ
ଅଭି ଭାବେ ଏମିତି, "ଜାଣୁ ବଢୁଛି , ବହୁତ ବଢୁଛି ଅପରାଧ ର କାୟା ।"
"ସେଇଠି ତ ଅଛି ଆମର ଅଵଶ୍ୟକତା , ବୁଝିଲୁ ବଢୁ ଆହୁରି ବଢୁ। ଆମ ପରି ଚଣା ଖିଆ, ଖଡା ଖିଆ ଓକିଲ ସବୁ ନହେଲେ କେମିତି ବଞ୍ଚିବେ?"
କୁହେ ଅଭିର ରୁମ ମେଟ୍ ବିହାରୀଟା , ପୁରା।
***
କାଠଯୋଡ଼ି କୂଳେ ନରାଜ ପାଖେ ବିସ୍ତୀର୍ଣ୍ଣ ପରିସରରେ ନିଜ ପସରା ମେଲିଛି ଅଭିର ସ୍ୱପ୍ନ। ଗୋଟେ ଉନ୍ନତ ଜୀବନର ଠିକଣା।
ଯେବେ କହି ଥିଲା ଲ' ପଢିବି , ବୋଉ ମନା କରିଥିଲା। ଗୋଟେ ବୋଲି ପିଲା ସେ କୋର୍ଟ କଚେରୀ ପାଲ ରେ ପଡିବ କିଆଁ?..
ବାପା ବି କୁଣ୍ଠିତ ଥିଲେ , କିନ୍ତୁ ଦୁଇ ତିନି ଥର 'ଥ୍ରୀ ଇଡିଅଟ୍ '' ସିନେମାଟା ତାଙ୍କୁ ଦେଖେଇ ଅଭି ମନେଇ ନେଲା । " ମୁଁ ଇଚ୍ଛାରେ ପଢିଲେ ମଣିଷ ହେବି, ତୁମ ଚାପରେ ପଢିଲେ ପଣସ । ବାକି ତୁମ ଯାହା ଠିକ ଭାବିବ!" ପୁରା ସଫା ସଫା ଜଣେଇ ଦେଇଥିଲା ସେ । ଯାହା ହେଉ ମାନିଗଲେ ବାପା ଆଉ ବୋଉ। ଏକମାତ୍ର ପୁଅକୁ ପଣସ କରିବାକୁ କୋଉ ବାପା ମା' ଚାହିଁବେ ଭଲା !
ସେ ଆସିଗଲା ଏଇ ନେଶନଲ୍ ଲ' ୟୁନିଭରସିଟି। ଭାରି ଖୁସି ହେଇ ନିଜ ଜ୍ଞାତି କୁଟୁମ୍ବଙ୍କୁ ଛାଡି , ଗାଁର ମୋହ ଭାଙ୍ଗି। କିନ୍ତୁ ବଡ଼ ବେଖାପ ଥିଲା ଏଠିକାର ପରିବେଶ ।ସାରା ଭାରତରୁ ବିଭିନ୍ନ ଭାଷା ଓ ଚଳଣୀର ପିଲାଙ୍କ ସମାବେଶ। ଟିକେ ନୁହେଁ ବହୁତ କଷ୍ଟ ଲାଗୁଥିଲା ତାକୁ ନିଜକୁ ସେଠି ସହଜ କରିବା। ହେଲେ ଚଳିଗଲା ଆଗାମୀ ଜୀବନର ମୋହରେ। ନିଜକୁ ନିଜେ ଗଢିବାର ଜିଦ୍ ରେ ।
ମଣିଷକୁ ଉପଯୋଜିତ ହେବାର ବୃହତ ଶକ୍ତି ମିଳିଛି ପ୍ରକୃତି ପାଖରୁ। ସେଥିପାଇଁ ତ ସେ ଶ୍ରେଷ୍ଠ ସୃଷ୍ଟି।
ଚିରାଚରିତ ଜୀବନ ସହ ସମତାଳରେ ଚାଲେ ଟିକେ ମୁକ୍ତ ମୁହୂର୍ତ୍ତର ସନ୍ଧାନ। ଅଭି ଲାଗି ସେଇ ଏକାନ୍ତ ମୁହୂର୍ତ୍ତର ଠିକଣା ନଦୀ କୁଳ ପାଦ ଚଲା ବୁଦୁବୁଦିଆ ଜଙ୍ଗଲୀ ରାସ୍ତା। ସନ୍ଧ୍ୟାରେ ଚାଲି ଯାଏ ଟିକେ ଫୁର୍ତ୍ତି ହେବାକୁ ସେଇ ଆଡେ । ସେଇ ଅଭିଯାନରେ ଆଉ ଗୋଟେ ଆକର୍ଷଣ ହେଲା ବାବୁ ଭାଇ ଦୋକାନରେ ମସ୍ତ ମଲେଇ ମରା କଟିଂ ଚା' ।
ହଷ୍ଟେଲ ଝରକାରୁ ଯେବେ ଦିଶେ ସେଇ ଝୁମ୍ପୁଡି ଦୋକାନରୁ ଧୂଆଁର କୁଣ୍ଡଳୀ ସେବେ ମନ ଖୁଜୁ ବୁଜୁ ହୁଏ ନିକୋଟିନ୍ ର ଛୁଆଁଲାଗି।
ଘଣ୍ଟାରେ ପାଞ୍ଚଟା, ଆକାଶରେ ଧୂଆଁ ଆଉ ମନରେ ଗୋଟେ ସାନ୍ଧ୍ୟ ଅଭିଯାନ।
ପ୍ରଫେସର ରାୟ , ଅଭିର ବେଷ୍ଟ ସାର୍ , କୁହନ୍ତି ଭଲ ଓକିଲ ମନସ୍ତତ୍ତ୍ୱବିତ ହେବା ଜରୁରୀ । ଅପରାଧୀ ଆଉ ସାକ୍ଷୀ ଉଭୟର ଆଖି ପଢ଼ିବାର କଳା ଶିଖିବା ଲୋଡ଼ା। ସେଥିପାଇଁ ବହୁ ଲୋକ ଚରିତ୍ରର ଅନୁଧ୍ୟାନ କରିବାକୁ ହୁଏ। ଚା' ଖଟିରେ ମିଳେ ଅପର୍ଯ୍ୟାପ୍ତ କାହାଣୀ।
ସବୁ ରୋଚକ ଆଉ ବେଶ ମଜାଦାର।
ଅଭି କିଛି ବନ୍ଧୁ କରିନିଏ ନିଜ କଥା କହିବାକୁ ଆଉ କିଛି ଶୁଣେ ମଣିଷକୁ ବୁଝିବାକୁ। ପୁଣି ଥାନ୍ତି ଦଳେ ଅପରିଚିତ ଯେଉଁମାନେ ଫାଣ୍ଟାସି ଠୁ ଅଧିକ ରୋମାଞ୍ଚ କର। ଥାଆନ୍ତି ପତ୍ରକାର , ଦୁନିଆର ସବୁ ଖବର ପକେଟରେ ଧରି ବୁଲୁଥିବା ମଣିଷ କମ୍ପ୍ୟୁଟର। ଥାନ୍ତି ରାଜନୀତିର ଚିଡ଼ିଆ, କେବେ ବାହୁବଳୀ, ତ କେବେ କୁଜି ଅସରପା। ପୁରା ଦେଶ ଶାସନ କରିପକାନ୍ତି ଗୋଟେ କପ ଚା' ଭିତରେ।
କେବେକେବେ ଦିଶନ୍ତି ଅଶୀତପର ବୟସ୍କ । ଗୋଟେ ଗୋଟେ ଜୀବନ୍ତ ଜୀବାଶ୍ମ। କଥା ଭିତରେ ଥାଏ ଗାନ୍ଧୀ ଠୁ ମୋଦି ଯାଏଁ ସୁଦୀର୍ଘ ଯାତ୍ରା। ଆଜିର ବିପର୍ଯ୍ୟସ୍ତ ଆଉ ଘୁଣଖିଆ ସମାଜର ଜୀଵନ ଚର୍ଯ୍ୟା କଥା।
ବେଳେ ବେଳେ ମିଳନ୍ତି ଡ଼ହ ଡ଼ହ କଅଁଳ ମନର ଅଧିକାରୀ ପ୍ରେମୀ। ଚା' ତ ନୁହେଁ ପିଅନ୍ତି ଚେହେରା। ଆଖି ଛଡା ଆଉ କିଛି ଦିଶୁ ନଥିବା ପ୍ରେମ ପଛରେ ଟିକେ ଅଭି ବି ପଡେ ଏମିତି ।
କିନ୍ତୁ ଯେବେ ଆସନ୍ତି ଇଭିନିଙ୍ଗ ବୁଲା ପାର୍ଟି ବେଶି ଗହଳି କରନ୍ତି। ବିନା ଚିନି ଚା' ମାଗନ୍ତି । ଦୁନିଆ ଯାକର ରୋଗର ବିସ୍ତୃତ ବିବରଣୀ ଦିଅନ୍ତି। ଚାରଣା ଗପନ୍ତି ବାରଣା ଡାକ୍ତର କୂଳ ଉପରେ ଅଭିଶାପ ଢାଳନ୍ତି।
ଅଭି ଏମାନଙ୍କୁ ଦେଖିଲେ ଭାବେ ଦୁନିଆଁର ସବୁଠୁ ବଡ଼ ସମ୍ପଦ ହେଲା ଦେହ । କାରଣ ମନଟା ତା ଅକ୍ତିଆରରେ । ବେମାର ଲୋକ ବେକାର୍ ଲୋକ ହେଇଯାଏ ପୁରା ।କିନ୍ତୁ ସେ ବୁଝିପାରେନା ମଣିଷ ସୁସ୍ଥ ରହିବାକୁ ଏକ୍ସରସାଇଜ କରେ ନା ଅସୁସ୍ଥ ହେବା ପରେ..!
ଏଇ ଭିଡ଼ ଭିତରେ - କଥା , ବାର୍ତ୍ତା, ହସ , କାନ୍ଦ, ରାଗ , ରୁଷା, ମେଳରେ ଚାଲେ ଧୂଆଁର ଯାତ୍ରା । ମଲେଇ ମରା ଚା' ଆଉ ହରରଙ୍ଗୀ ବିସ୍କୁଟର ଯୁଗଳବନ୍ଦୀ। ମୋଟା ମୋଟି ସେଇ ଚା' ଦୋକାନ ଲାଗେ ଗୋଟେ ଛୋଟ ପୃଥିବୀ। ମଣିଷର ସବୁ ସ୍ୱରୁପର ଅଭିନୟ ଲାଗି ସେଠି ମିଳେ ଗୋଟେ ଖୋଲା ମଞ୍ଚ। ଅଭି ସେଠୁ ଶିଖେ ଅନେକ କିଛି ଆଉ ସାଉଁଟି ନିଏ ଅନୁଭୂତି ନିଜ ଆଗାମୀ କର୍ମକ୍ଷେତ୍ର ଲାଗି।
ଧୂଆଁ ଆଉ ଘଣ୍ଟାର ସମନ୍ୱୟ ସହିତ ଆଉ ଗୋଟେ କଡି ବି ଥାଏ ଶକ୍ତ ଭାବେ ବନ୍ଧା ହେଇ। ସେଇଟା ପୁରା ଭିନ୍ନ। କିନ୍ତୁ ବଡ଼ ମାୟା ଲଗାଏ ଅଭି ସହ। ତା' ଭିତରେ ମାଡି ଜାକି ହେଇ ଥିବା ଅନାଡି କଳାକାରକୁ ଚିତ୍ରଟେ ଆଙ୍କି ବାକୁ ଉସୁକାଏ।
ବାବୁ ଭାଇ ତେଲେଙ୍ଗା ଲୋକର ଥାଏ ଗୋଟେ ସୁନ୍ଦରୀ ଝିଅ , ପ୍ରକୃତରେ ତା ରୂପଠି କିଛି ନାହିଁ , ତା ଗୁଣରେ ଥାଏ ମୋହ। ଝିଅଟି ଚମତ୍କାର ଝୋଟି ଚିତା ଲେଖେ । କୁହନ୍ତି ତାକୁ ରଙ୍ଗୋଲି , ଶୁଭଙ୍କର ତାଙ୍କ ପରମ୍ପରା ରେ। ରୋଜ ସକାଳୁ ଘର ଆଗରେ ପକେଇଲେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି।
ଅଭିକୁ ଭାରି ଭଲ ଲାଗେ ସେ ରଙ୍ଗର ସମାବେଶ। ପହଁଚି ଗଲା ପରେ ସେଠି ଆଗ ଦୃଷ୍ଟି ଖୋଜେ ସେଇ ଝୋଟିକୁ। ଆଉ ଘଡ଼ିଏ ତା ପ୍ରେମରେ ପଡ଼ିଯାଏ ସେ। ଆଉ କେହି ସେମିତି ହୁଏତ ନଥାନ୍ତି ତା ପରି ଚିତ୍ର ପ୍ରେମୀ , ବା ଥାନ୍ତି ଅନେକ । କିନ୍ତୁ ଅଭି ସେମାନଙ୍କ ଭିତରେ ଥାଏ ସବୁଠୁ ଆଗରେ ।
ବାବୁ ଭାଇ ଝିଅଟି ବସି ପଇସା ପତ୍ର ରଖେ ଅସୁଥିବା ଗ୍ରାହକ ମାନଙ୍କ ଠାରୁ। ସବୁଦିନ ଦେଖେ ଅଭି ତା ବିଷାଦମୟ ଚେହେରା। ଝିଅଟା ହସୁଥିବାର ଦେଖାଯାଏନି କେବେ। ଭବିଷ୍ୟତ ଓକିଲ ଟିକେ ଅନୁସନ୍ଧାନ କରେ ଜାଣିବାକୁ ଝିଅର ଦୁଃଖ। ଏଇ ସନ୍ଧାନ ଆଳରେ ଏକାତ୍ମ ହୁଏ ବାବୁ ଭାଇ ସହ ଟିକେ ବେଶି।
ବାବୁ ଭାଇକୁ ନିଜର କରେ ଲଗେଇ ତା' ପୋଥି ପାଠ। ଘରର ଭଲ ମନ୍ଦ ବୁଝେ। ଚା'ର ସିକ୍ରେଟ ଖୋଜେ। ଝୋଟିର ପ୍ରଶଂସା କରେ । ଝିଅର ନାଁ ପଚାରେ। ସବୁ କିଛି ହୁଏ ଗୋଟେ ଅନୁସନ୍ଧାନ ଛଳରେ। କିନ୍ତୁ କେବେ ସାହସ କରି ସିଧା ସିଧା ପଚାରି ପାରେନା , ''ବାବୁ ଭାଇ ଝିଅଟା ହସୁନି କିଆଁ?"
ଧୀରେ ଧୀରେ ଅଭିକୁ ଚିନ୍ହି ଯାଏ ବାବୁ ଭାଇ । ମାୟା ଲାଗି ଯାଏ ତା ସହ ।ଚା'ରେ ଅଭି ଲାଗି ଚମଚେ ଅଧିକ ମଲେଇ ପକେଇ ଦିଏ। ଝିଅଟି ବି ବେଳେ ବେଳେ କଥା ପଦେ କହି ଦିଏ । ବାବୁ ମନେ ମନେ ଓକିଲ ବାବୁଙ୍କୁ ଭଲ ମଣିଷ ବୋଲି ଧରି ନିଏ।
ତାକୁ ଟିକେ ଅଧିକ ନିଜର ଭାବି ବାବୁ ଖୋଲେ ତା ଦୁଃଖ ପସରା। ଝିଅଟାର ଗୋଡ଼ଟେ ଦୁର୍ଘଟଣାରେ ନଷ୍ଟ ହେଇ ଗଲା ଦିନୁ କେମିତି କଷ୍ଟରେ ଅଛନ୍ତି ସେମାନେ। ଝିଅଟି ଉଦାସ ହେଇଯାଇଛି। ଚାଲି ପାରୁନି ଆଉ ଆଗ ପରି ଚଳ ଚଞ୍ଚଳ। ଅଭି ଭାବି ନିଏ କେହି ଜାଣିନି ଝିଅଟା ଅଚଳ ବୋଲି । ଏଇଟା ଗୋଟେ ନୂଆ ସତ୍ୟର ଉନ୍ମୋଚନ। ନିଜ ପାରିଲାପଣ ଉପରେ ଭାରି ଗୋଟେ ଖୁସି ହୁଏ ଅଭି ,କିନ୍ତୁ ଝିଅଟି ଲାଗି ଦୁଃଖୀ ହେଇଯାଏ। ଭାବି ନିଏ ବିଚାରୀର ଦୁର୍ଭାଗ୍ୟ।
ଏଇଠି ହୁଏ ଅଡୁଆ ।
ଓକିଲ ବାବୁଙ୍କୁ ନେଇ ଗରିବ ଲୋକଟା ଗୋଟେ ଆଶା ବାନ୍ଧିନିଏ। .. ଘଂଟା ଆଉ ଧୂଆଁ ସହ ଝୋଟିର ମିଳିତ ସଙ୍ଗମରୁ ମିଳିଥିବା ଦୁର୍ମୂଲ୍ୟ ମଣିଷକୁ ବିଶ୍ୱାସରେ କୁହେ ଦିନେ!.....
--" ତୁମେ ଗୋଟେ କାମ କରିବ ଅଭି ବାବୁ?"
---" କହୁନ ବାବୁ ଭାଇ କି କାମ?"
-- " ଜାଣ ସେମାନେ ଝିଅ ଗୋଡ଼ରେ ଗାଡି ମଡେଇ ଦେଲେ । ମଦ ପିଇକି ମାତାଲିଆ ହେଇ, ଅମଣିଷ ଗୁଡା। "
ଅଭି ଶୁଣୁ ଥିଲା ଗୋଟେ କେସ୍ ସଂକ୍ରାନ୍ତରେ । ତା' ଜୀବନର ପ୍ରଥମ । ଗୋଟେ ବିରାଟ ଦାୟିତ୍ୱ। ଓଃ ତାକୁ ଲାଗୁଥିଲା ଭୀଷଣ ଉତ୍ସାହିତ!!
ସେ ଶୁଣିଲା ବସି ଆଉ କଥା ଦେଲା କରିବ କିଛି ସେଇ ଝୋଟିର ମୋହ ଲାଗି। ଚା'ର ମାୟା ଲାଗି।
ସେଦିନ ତାଙ୍କର ଏଇ କଥା ବାର୍ତ୍ତାର ଥିଲେ ଆଉ ଜଣେ ଶ୍ରୋତା। ଟିକେ ବୃଦ୍ଧ ଆଉ ଟିକେ ନେତାଳିଆ।
ଅଭି ଦେଖିଲା ସେ କରୁଛନ୍ତି ତା ପିଛା ଦ୍ରୁତ ଗତିରେ ଯେମିତି କିଛି କହିବାର ଅଛି ବା କରିବାର ଅଛି। ସେ ଟିକେ ଡରିଗଲା ସେ ଆଉ ଟିକେ ଆଗ୍ରହୀ ବି ହେଲା ।
ରହିଗଲା ସେ ନିଜ ରାସ୍ତାରେ ତାଙ୍କ ଅପେକ୍ଷାରେ। କିଛି ନୂଆ କଥା ଶୁଣିବାକୁ ବା ତା ପ୍ରଥମ କେସ୍ ସମ୍ପର୍କରେ ଜାଣିବାକୁ।
ବୃଦ୍ଧ ତା ନିକଟକୁ ଆସି କହିଲେ ''ଶୁଣ, ତୁମେ ପିଲା ଲୋକ , ପଢିବାକୁ ଆସିଛ ପାଠରେ ମନ ଦିଅ। ବାବୁର କାଣ୍ଡ ପଛରେ ପଡ଼ି ଜୀଵନ ହାରନା। 'ଫେଲୁ' ଗୁଣ୍ଡାର ଗାଡି ତା' ଝିଅକୁ ଚଢେଇ ଥିଲା, ତୁମକୁ ବି ଚଢି ଯାଇ ପାରେ! ବିଶ୍ୱାସ କର ତୁମେ ଏବେବି ଗୋଟେ ଓକିଲାତି ପଢ଼ୁଥିବା ପିଲା ଓକିଲ ନୁହେଁ"।...
ଅଭି ସ୍ତବ୍ଧ ହେଇଗଲା , ଡରି ଗଲା ଆଉ ଦ୍ରୁତ ପାଦରେ ଚାଲି ଗଲା ନିଜ ସୁରକ୍ଷିତ ପୃଥିବୀକୁ!!
ବାବୁ ଭାଇ ଆଉ ଖୋଜି ପାଉ ନଥିଲା ଓକିଲ ବାବୁକୁ ନିଜ ଚା’ ଖଟିରେ , ବୁଝିବାକୁ ଝୋଟି ପକାଳୀର ଭବିଷ୍ୟତ ବିଷୟରେ .....।
ସୌମ୍ୟା