Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୁର୍ନୀତି
ଦୁର୍ନୀତି
★★★★★

© Laxman Kumar Behera

Tragedy

6 Minutes   7.1K    10


Content Ranking

ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା (ଯତି)

ଏ ମିତା କ'ଣ ହେଲା ତୋର । କାନ୍ଦୁଛୁ କ'ଣ ପାଇଁ ଯେ' । କିଏ କିଛି କହିଲା କି ? କହ ! ମାନସ୍ ତତେ କିଛି କହିଲା କି ? ନା ତୁମ ଘର ଆଡେ କିଛି ହେଇଛି ! ସେଦିନ ଜ୍ଯୋତ୍ସ୍ନା ଏମିତି ସବୁ ପଚାରି ଚାଲିଥାଏ । ହେଲେ ମିତା କିଛି କହୁ ନଥାଏ । ସେମାନେ ଦୁଇ ସାଙ୍ଗ । ଏକା କଲେଜରେ ପାଠ ପଢନ୍ତି । ଗୋଟିଏ ବେଞ୍ଚ୍ ରେ ବସନ୍ତି । ପୁଣି ହଷ୍ଟେଲରେ ଗୋଟିଏ ସ୍ଥାନରେ ରହଣୀ ଦେଢ ବର୍ଷ ହେଲା ।

ଦୁହେଁ ଗଙ୍ଗାଧର ମେହେର କଲେଜ୍, ସମ୍ବଲପୁରରେ ଓଡିଆ ସାହିତ୍ୟରେ ପି•ଜି• । ଶେଷ ବର୍ଷର ଛାତ୍ରୀ । ଆଉ ତିନି ମାସ ପରେ ପଢା ସରିଯିବ । ସମସ୍ତେ ଗାଆଁକୁ ଫେରିଯିବେ ସବୁଦିନ ପାଇଁ । ସେଥିପାଇଁ ସେ ନିରବରେ ସକେଇ ସକେଇ କାନ୍ଦୁଥାଏ ।

ମାନସ୍ କୁ ସେ ଏଇ ଦୁଇ ବର୍ଷ ଭିତରେ କେବେ ଯେ' ମନେ ମନେ ଭଲପାଇ ବସିଲା ଏକଥା ସେ କେବେ ଜାଣି ପାରିଲା ନାହିଁ । ଜ୍ଯୋତ୍ସ୍ନାକୁ ତା'ର ମନକଥା ସେ ସବୁଦିନେ କହେ । ଆଜି ମାନସକୁ ଦେଖିଲି । ବହୁତ ଭଲ ଲାଗୁଥିଲେ । କିନ୍ତୁ କଥା ହେଇ ପାରିଲି ନାହିଁ ••• ଏମିତି ଅନେକ କଥା ।

ମାନସ ପି•ଜି• କରୁଥାଏ ଇଂରାଜୀ ସାହିତ୍ୟରେ । ସେ କାହୁଁ ବା ଜାଣିବ ଓଡିଆ ପ୍ରାଣର ଅନ୍ତର କଥା । ମିତା ସବୁଦିନେ ଅପେକ୍ଷା କରିଥାଏ ମାନସକୁ ଥରୁଟିଏ ଦେଖିବା ପାଇଁ । ଥରେ ଦେଖିଦେଲେ ସେ ଖୁସିରେ ନାଚିଉଠେ । ଦେଢ ବର୍ଷ ଉପରେ ସମୟ ବିତି ଗଲା ପରେ ବି କେବେ ମନରେ ସାହସ ଜୁଟାଇ ଚିଠି ଖଣ୍ଡେ ଦେଇ ପାରିନି ମାନସକୁ । ଥରି ଥରି ଦେଢ ବର୍ଷର କଥା ଭାବି ଏକୁଟିଆ ହଷ୍ଟେଲରେ ରହି ଚିଠି ଟିଏ ଲେଖିଛି । ଜ୍ଯୋତ୍ସ୍ନାକୁ ମନର କଥା ହସି ହସି ପ୍ରକାଶ କରିଛି । ଦୁହେଁ ଚିଠି ଦେବାକୁ ମାନସ୍ ପାଖକୁ ଯାଇଛନ୍ତି । ଜ୍ଯୋତ୍ସ୍ନା ହାତଠାରି ମାନସ୍ କୁ ଡାକିଛି ।

- ମାନସ୍ ଟିକେ ଶୁଣ ତ !

- ( ସହପାଠୀ ମାନଙ୍କ ଠାରୁ ଟିକିଏ ଦୂରେଇ ଯାଇ ) ହଁ ଜ୍ଯୋତ୍ସ୍ନା, କୁହ ? କିଛି କାମ ଥିଲା କି ?

- ଚିଠିଟି ଦେଇ ••• ଏ ଚିଠିଟା ମିତା ଦେଇଛି । ସେଇଠି ଛିଡା ହେଇଛି । ତୁମ ଅପେକ୍ଷାରେ ।

- ମାନସ୍ ମିତା ପାଖକୁ ଯାଇ ••• ଏସବୁ କ'ଣ ମିତା ? ମୁଁ ଆଉ କାହାକୁ ଭଲପାଏ । ସ୍ନିଗ୍ଧା ଦେଖିଲେ କ'ଣ ଭାବିବ କହିଲ । ସ୍ନିଗ୍ଧା ଆଉ ମୁଁ ପରସ୍ପରକୁ ଭଲପାଉ । ଛଅ ବର୍ଷ ହେଇଗଲାଣି । ତୁମ ଚିଠି ତୁମେ ନେଇ ଯାଅ ମିତା ।

ମିତାର ପାଟିରେ ଆଉ କଥା ନଥାଏ । ଜ୍ଯୋତ୍ସ୍ନା ତା'କୁ ଟାଣି ନେଇ କହୁଥାଏ । ଚାଲ୍ ହଷ୍ଟେଲକୁ ଯିବା । ମିତାର ଆଖି ଲାଲ୍ ଦିଶୁଥାଏ । ଆଖିରୁ ତତଲା ଲୁହ ସବୁ ନିଗିଡି ପଡୁଥାଏ । ହଷ୍ଟେଲରେ ପହଞ୍ଚିବା ପରେ ସେ ବହୁତ୍ କାନ୍ଦୁଥାଏ ସେଦିନ । ଆଉ କାନ୍ଦି କାନ୍ଦି କହୁଥାଏ, ୨ ରେ ନରେଶ୍ ଠାରୁ, ୩ ରେ ଦେବେଶ୍ ଠାରୁ ଆଜି ମାନସ୍ ଠୁ । ମୋତେ ସମସ୍ତେ ପ୍ରତାରଣା କଲେ । ଏତେ ଦିନ ହେଲାଣି ମୁଁ ଏକ ତରଫା ଭଲ ପାଉଥିଲି ମାନସକୁ । ସେ ଆଉ କାହାକୁ ଭଲ ପାଉଛି ବୋଲି ମୁଁ କେମିତି ଜାଣି ପାରିଲି ନାହିଁ ? ମୋ ପାଦ ତଳୁ ମାଟି ଖସି ଗଲା ଭଳିଆ ଲାଗୁଛି, ମୋତେ ଜମା ଭଲ ଲାଗୁନି ଜ୍ଯୋତ୍ସ୍ନା ।

ସମସ୍ତଙ୍କ ଠାରୁ ପ୍ରତାରଣା ପାଇବା ପରେ ମିତା ସେଦିନ ପୁଣି ସାତ ବର୍ଷ ପଛକୁ ଫେରିବାକୁ ଇଚ୍ଛା କରିଛି । ଦଶମ ଶ୍ରେଣୀରେ ପଢୁଥିବା ବେଳେ ତାର ଭଲପାଇବା ଅବିନାଶ ପାଖକୁ । ବାରମ୍ବାର ଭଲପାଇ ହାରିବା ପରେ ସତେ ଯେମିତି ସେ ଅତୀତର ସୁନ୍ଦର ମୁହୂର୍ତ୍ତ ଗୁଡିକୁ ସାଉଁଣ୍ଟିବାରେ ବ୍ଯସ୍ତ ଥାଏ ।

ଆଜି ମୋର ପ୍ରଥମ ଭଲ ପାଇବା କଥା ଭାରି ମନେ ପଡୁଛି, ଜ୍ଯୋତ୍ସ୍ନା । ଦଶମ ଶ୍ରେଣୀରେ ପଢୁଥିବା ବେଳେ ମୁଁ ତା'କୁ ବହୁତ ଭଲ ପାଉଥିଲି । ସେ ଏବେ କ'ଣ କରୁଥିବ, କଉଠି ଥିବ କେଜାଣି ?

ଅବିନାଶ ସବୁବେଳେ ଶ୍ରେଣୀରେ ପ୍ରଥମ ହେଉଥିଲା, ଆଉ ମୁଁ ଦ୍ବିତୀୟ । ତା'କୁ ଭଲ ଗଣିତ ଆସୁଥିଲା । ମୁଁ ସେଥିପାଇଁ ବୋଧେ ପିଲାଦିନେ ତା' ପ୍ରେମରେ ପଡି ଯାଇଥିଲି । ମୋ ବାପା ପ୍ରଧାନ ଶିକ୍ଷକ ଥିଲେ । ତେଣୁ ଘରେ ସବୁଦିନେ ଗାଳି ଶୁଣୁଥିଲି । ହେଲେ ସ୍କୁଲ୍ ରେ ଅବିନାଶ କୁ ଦେଖି ସବୁ ଗାଳିକୁ ଭୁଲି ଯାଉଥିଲି । ପିଲାଦିନର ସବୁ କଥାକୁ ଜ୍ଯୋତ୍ସ୍ନା ଆଗରେ ସେଦିନ ଭାରି ଖୁସିରେ କହି ଚାଲିଥାଏ ମିତା । ଜ୍ଯୋତ୍ସ୍ନା ସବୁ କଥାରେ ହୁଁ ମାରି ଚାଲିଥାଏ ।

ପରୀକ୍ଷା ସରିଲା । ସମସ୍ତେ କଲେଜରୁ ବିଦାୟ ନେଲେ । ମିତା ବି ସବୁଦିନ ପାଇଁ ନିଜ ଗାଆଁ କୁ ଫେରି ଆସିଲା । ତା'ର ସାଙ୍ଗ ( ଦଶମ ଶ୍ରେଣୀରେ ପଢୁଥିବା ବେଳର ସାଙ୍ଗ ) ମାନଙ୍କୁ ସେ ଅନେକ ପଚାରିଛି ଅବିନାଶ କଥା । ହେଲେ କାହାରି ଠାରୁ ସେ ଅବିନାଶ ବିଷୟରେ କିଛି ଜାଣି ପାରିଲା ନାହିଁ ।

ରବି ପ୍ରଧାନ ଭାରି ଖୁସି ମିତାକୁ ପାଖରେ ପାଇ । ମିତାର ବାପା ରବି ପ୍ରଧାନ । ଓଡିଶା ସରକାରଙ୍କ ଅଧିନରେ ଜଣେ ବେତନଭୋଗୀ କର୍ମଚାରୀ । ମାସକୁ ଦରମା ୫୬ ହଜାର ୭୦୦ ଟଙ୍କା, ଚାଷୀ ମଧ୍ୟ । ସୋସାଇଟି ରେ କିଷାନ୍ କ୍ରେଡିଟ୍ କାର୍ଡ୍ ଅଛି । କୃଷି ଋଣ ଉଠାନ୍ତି ପ୍ରତ୍ଯେକ ବର୍ଷ ନିଜ ନାଆଁ ରେ । କେବେ ଶୁଝନ୍ତି ନାହିଁ । ମରୁଡି ନ ହେଲେ ବି ପ୍ରତି ବର୍ଷ ଋଣ ଛାଡ୍ ହେଇଯାଏ ନା ସେଥିପାଇଁ । ଜିଲ୍ଲାର ବଡ ବଡ ଅଫିସର, ନେତା ଠାରୁ ମନ୍ତ୍ରୀ ଯାଏଁ ସମସ୍ତେ ପ୍ରତ୍ଯେକ ମାସରେ ବୁଲିବାକୁ ଆସନ୍ତି ତାଙ୍କ ଘରକୁ। ସମସ୍ତଙ୍କର ଉତ୍ତମ ଚର୍ଚ୍ଚା କରନ୍ତି ସେ । ସେଥିପାଇଁ କାହାକୁ ଭୟ କରନ୍ତି ନାହିଁ ରବି ବାବୁ । ଆଖପାଖ ଅଞ୍ଚଳରେ ବି ତାଙ୍କର ନାଁ ଟେ ଅଛି ।

ପରିବାରର ସମସ୍ତେ ମିତା ସହ କଥା ହେବାକୁ କାଉଳି ହେଉଥାନ୍ତି, ମିତା କିନ୍ତୁ ଅବିନାଶ ସହ ଦେଖା କରି କଥା ହେବାକୁ ବିକଳ ହେଉଥାଏ । ଆଉ ଖୋଜୁଥାଏ ତା'ର ସେଇ ପୁରୁଣା ଧଡଧଡି ସ୍ମୃତିର ସାଇକେଲ୍ ଟିକୁ । ଘରେ ଆଖି ବୁଲାଉ ବୁଲାଉ ପାଇଲା ହେଲେ ସାଇକେଲ୍ ଟି ଅନ୍ଧୁରେ ଭର୍ତ୍ତି ଥିଲା । ସଫା କଲା ନିଜେ । ସମସ୍ତେ ସଫା କରିଦେବୁ ବୋଲି କହୁଥାନ୍ତି । ହେଲେ; ସେ ସମସ୍ତଙ୍କୁ ମନା କଲା ।

ଆର ଦିନ ସକାଳୁ ସେଇ ପୁରୁଣା ସାଇକେଲରେ ସେ ବାହାରିଛି ଅବିନାଶର ଘରକୁ । ତା'ର ପିଲାଦିନର ଭଲପାଇବା ଯେ' ଏକ ବଣ ପାହାଡ ଘେରା ଆଦିବାସୀ ଅଞ୍ଚଳରେ ରହେ ଏକଥା କେବେବି ମିତା ଜାଣି ପାରି ନଥିଲା । କ'ଣ କରୁଥିବ ଜାଣିବା ପାଇଁ ତା' ମନରେ ପ୍ରବଳ ଇଚ୍ଛା ଜନ୍ମୁଥାଏ । ପଚାରି ପଚାରି ସେ ତାଙ୍କ ଘରେ ପହଞ୍ଚି ଦେଖିଲା ନଡା ଛପର ଘର, ତା' ବାପାଙ୍କୁ ପଣାମ କରି ପଚାରିଲା

- ମଉସା ମୁଁ ମିତା, ଅବିନାଶ ର ସହପାଠିନୀ । ଅବିନାଶ କେଉଁଠି ଅଛନ୍ତି ?

- ଭଲରେ ଥାଆରେ ମାଆ ••• ଅବିନାଶ ତ ଘରେ ନାହିଁ । ସେ ଗାଈ ନେଇଛି ଜଙ୍ଗଲ କୁ ଚରାଇବା ପାଇଁ । ସଂଜ ହେଲେ ଫେରିବ ।

- ମିତା ଲୁହ ଛଳ ଛଳ ଆଖିରେ କହିଲା, ମୁଁ କେମିତି ଦେଖା କରି ପାରିବି ମଉସା ?

ଅବିନାଶ ର ଭଉଣୀ ସୁଇଟୀକୁ ଡାକି ମିତା ସହ ପଠାଇଲେ ଅବିନାଶ ଚରାଉଥିବା ଗାଈଗୋଠ ପାଖକୁ । ସାଙ୍ଗ ହୋଇ ଅବିନାଶ ପାଖକୁ ଯିବା ବାଟରେ ସୁଇଟୀ ମିତାକୁ କହୁଥାଏ, ମୋ ମାଆ ମରିବାର ଦଶ ବର୍ଷ ହେଇଗଲାଣି । ମୁଁ ସେବେଠୁ ଘରର ସବୁ ପାଇଟି କରୁଛି । ବହୁତ କଷ୍ଟରେ ଚଳୁଛୁ । ମୋ ବାପାଙ୍କ ଦେହ ଭଲ ନଥିବାରୁ ବଡଭାଇ ସବୁଦିନେ ଗାଈ ଚରାଇବା ପାଇଁ ଆସନ୍ତି । ମିତା ଶୁଣୁଥାଏ କିଛି କହି ପାରୁ ନଥାଏ । ମିତାକୁ ଅବିନାଶ ସହ ଭେଟ କରାଇ ଘରକୁ ଫେରି ଆସିଲା ସୁଇଟୀ ।

ଅବିନାଶ କୁ ଏ ଅବସ୍ଥା ରେ ଦେଖି କାନ୍ଦି ପକାଇଲା ମିତା । ଅବିନାଶକୁ ଜାବୁଡି ଧରି କହିଲା,

ତୁମେ ତ ଶ୍ରଣୀରେ ସବୁବେଳେ ପ୍ରଥମ ହେଉଥିଲ । ଦଶମ ପରୀକ୍ଷାରେ ବି ୮୯% ରଖି ଫାଷ୍ଟ୍ କ୍ଲାସ୍ ପାଇଲ । ପୁଣି ତମେ ଏସ୍ ଟି ( ତଫସିଲଭୁକ୍ତ ଉପଜାତି ) ର । ଚାକିରି ତୁମର ଥୁଆ ଥିଲା । ପଢିଲ ନାହିଁ କାହିଁକି ? କଣ ଅସୁବିଧା ହେଲା ?

ଏକଥା ଶୁଣି ଅବିନାଶ ମିତାକୁ ଯାହା କହିଲା, ସେ କଥା ଶୁଣି ମିତାର ରୋମ ଟାଙ୍କୁରି ଉଠିଲା ।

ତୁମେ ଜାଣ ମିତା, ତୁମ ବାପାଙ୍କ ପାଇଁ ମୁଁ କଲେଜରେ ପାଠ ପଢି ପାରିଲି ନାହିଁ । ସେଦିନ ମୁଁ ଦଶମରେ ଫାଷ୍ଟ କ୍ଲାସ୍ ପାଇଲି ବୋଲି ମୋ ବାପା ଅନେକ ସ୍ବପ୍ନ ଦେଖିଥିଲେ, ମୋ ପୁଅ ପାଠ ପଢିବ, ଚାକିରି କରିବ, ରୋଜଗାର କରି ଘର ଚଳେଇବ, ସବୁ ସ୍ବପ୍ନ ଚୁରମାର ହେଇଗଲା । ବାରକୋଟ କଲେଜରେ ନାମ ଲେଖାଇବା ପାଇଁ ପଇସା ନହେବାରୁ ତୁମ ବାପାଙ୍କ ଠାରେ ଜମି ବନ୍ଧକ ରଖି ତିନି ହଜାର ଟଙ୍କା ସୁଧରେ ଆଣିଲୁ । ମୋ ବାପା ରୋଗରେ ପଡିବାରୁ ସବୁ ଟଙ୍କା ଡାକ୍ତରଖାନାରେ ସରିଗଲା । ମୂଳ ସୁଧ ମିଶାଇ ତୁମ ବାପା ଏତେ ଟଙ୍କା କହିଲେ ଯେ' ଆମେ ଜମି ମୁକୁଳାଇ ପାରିଲୁ ନାହିଁ । ଯଦି ତୁମ ବାପା ସେଦିନ ମୋତେ ମୋ ଷ୍ଡାଇପେଣ୍ଡ୍ ୩୫୦୦ ଟଙ୍କା ଦେଇଥାନ୍ତେ ମୁଁ କଲେଜ୍ ରେ ନାମ ଲେଖାଇ ପାରିଥାନ୍ତି । ସାଇକେଲରେ ଯାଇ ଆସି ପାଠ ପଢି ପାରିଥାନ୍ତି । ମୋ ଗରିବ ବୁଢା ବାପାର ସ୍ବପ୍ନ କୁ ସାକାର କରିପାରି ଥାନ୍ତି । ହେଲେ ମୁଁ ପାରିଲିନି ।

( ଆଖିର ଲୁହ ସବୁ ନିଜେ ପୋଛି ) କେବଳ ତୁମ ବାପାଙ୍କ ପାଇଁ । ଜଣେ ଦୁର୍ନୀତି ଗ୍ରସ୍ତ, ମନ୍ଦ ବୁଦ୍ଧି, କପଟୀ ଶିକ୍ଷକ ପାଇଁ । ମୋ ଜୀବନଟା ମାଟି ହେଇଗଲା । ଏମିତି କହି କହି ଅବିନାଶ ଗାଈ ପଛେ ପଛେ ଜଙ୍ଗଲ ଭିତରକୁ ପଳାଇ ଯାଉଥାଏ ••• ଆଉ ମିତା ସବୁ କଥା ଶୁଣି ପାହାଡ ଭଳି ସ୍ଥିର ହୋଇ ଆଖିରୁ ଅଶ୍ରୁ ବୁହାଇ ଜୀବନର ମଧୁର ସ୍ମୃତି ସବୁକୁ ମାଟି ତଳେ କବର ଦେଇ କୋହ ମିଶା ହୃଦୟରେ କାନ୍ଦୁଥାଏ ଆଉ ନିଜକୁ ଜଣେ ଦୁର୍ନୀତି ଗ୍ରସ୍ତର ଝିଅ ଭାବି ବହୁତ ଘୃଣା ବି କରୁଥାଏ ।

କବି କୁଟୀର

ଦଣ୍ଡାସିଂହା, ବାରକୋଟ

ଦେବଗଡ ( ଓଡିଶା )

ପିନ୍ - ୭୬୮୧୦୮

ଭ୍ରାମ୍ଯଭାଷ - ୦୯୬୬୮୨୪୨୭୨୦

ମିତା ମାନସ୍ ମଧୁର ସ୍ମୃତି

Rate the content


Originality
Flow
Language
Cover design

Comments

Post

Some text some message..