Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Sahoo

Tragedy

5.0  

Sasmita Sahoo

Tragedy

ରେଶମୀ ବନ୍ଧନ

ରେଶମୀ ବନ୍ଧନ

4 mins
414



ଆକାଶରେ ବାଦଲ ସବୁ ମେଘୁଆ ରଙ୍ଗର ଚାଦର ଘୋଡେଇ ହେଲେଣି। ସେପଟେ ପଶ୍ଚିମ ଆକାଶ ନାରଙ୍ଗୀ ରଙ୍ଗର ଓଢଣୀ ରେ ସଜେଇ ହେଲେଣି, କିନ୍ତୁ ଭାଇଙ୍କର ଏବେ ଯାଏ ଦେଖା ନାହିଁ। ଭାଇ କହିଥିଲେ ଚାରିଟା ସୁଦ୍ଧା ଘରେ ପହଞ୍ଚିବେ। ଏଇଥର ରାକ୍ଷୀ ପୂର୍ଣ୍ଣିମାର ଦୁଇ ଦିନ ଆଗରୁ ଛୁଟିନେଇ ଆସୁଛନ୍ତି। ଘଣ୍ଟାରେ ସମୟ ୪:୩୫ ହେଲାଣି, ଏବେଯାଏଁ ତାଙ୍କର ଦେଖାନାହିଁ। ସୁଭଦ୍ରା ଛାତ ଉପରେ ଛିଡା ହୋଇ ରାସ୍ତାକୁ ଚାହିଁ ଏପରି ଭାବୁଥାଏ। ସୁଭଦ୍ରାର ନଜର ଆକାଶ ଆଡକୁ ଗଲା। ତାକୁ ଏଇ ମେଘୁଆ ରଙ୍ଗ ଖୁବ ପସନ୍ଦ। ଏଇ ରାକ୍ଷୀ ରେ ସେ ଭାଇଙ୍କୁ କହିବ ମେଘୁଆ ରଙ୍ଗର ଗୋଟେ ବୁସ୍କେର ପାଟ ଶାଢ଼ୀ କିଣିଦେବେ। ତା ସହିତ ମାଚିଂ ରଙ୍ଗର ଚୁଡି ଆଉ କାନଫୁଲ। ଆଗରୁ ସିନା ପଇସା ଦେଇ ଠକି ଦେଉଥିଲେ କିନ୍ତୁ ଏବେ ତ ନିଜେ ଚାକିରୀ କରୁଛନ୍ତି, ପୁଣି ଦୁଇ ବର୍ଷରେ ଘରକୁ ଆସୁଛନ୍ତି। ଏଇ ଥରକ ନିଶ୍ଚିନ୍ତ କିଛି ଗୋଟେ ବଡ ଜିନିଷ ଦେବେ।


ଦାଣ୍ଡ ଦୁଆରେ ଗୋଟେ ଅଟ ଆସି ଲାଗିଲା। ସୁଭଦ୍ରା ଜଲଦି ଜଲଦି ପାହାଚ ଓହ୍ଲେଇ ଦାଣ୍ଡ ପଟକୁ ଦୌଡ଼ିଲା, ଦେଖିଲା ଭାଇ ଅଟ ବାଲାକୁ ପଇସା ଦେଉଛନ୍ତି। ହାତରେ ଗୋଟେ ଖାକି ରଙ୍ଗର ବଡ ବ୍ୟାଗ ଧରିଛନ୍ତି। ସୁଭଦ୍ରା ଯାଇ ଭାଇଙ୍କୁ ପ୍ରଣାମ କଲା। ଭାଇଙ୍କ ହାତରୁ ବ୍ୟାଗଟି ନେଲାବେଳକୁ ଭାଇ କହିଲେ "ତୁ ଟେକି ପାରିବୁନି, ଏଡିକି ସୁକୁଟି ଟେ ହେଇଚୁ।" ସୁକୁଟି ଡାକ ଶୁଣି ସୁଭଦ୍ରା ଚିଡିଗଲା। ପିଲାବେଳୁ ଭାଇ ତାକୁ ଏଇ ନାଁ ରେ ଡାକନ୍ତି। ଏଇଥିପାଇଁ କେତେଯେ ଝଗଡା ହେଇନଥିବ।ଥରେ ତ ସେ କାନ୍ଦିବାରୁ, ବାପା ଭାଇଙ୍କୁ ଗାଳି ମଧ୍ୟ କରିଥିଲେ। ସୁଭଦ୍ରା ଚିଡିକି କହିଲା "କାଇଁ ତୁମେ କଣ ବ୍ୟାଗ ଭିତରେ ଟ୍ୟାଙ୍କକୁ ପୁରେଇକି ଆଣିଛ ଯେ ମୁଁ ଟେକିପାରିବିନି।" ବୋଉ ଘର ଭିତରୁ ବାହାରକୁ ଆସି ସୁଭଦ୍ରାକୁ କହିଲେ "ପୁଅ ଟା ଆସୁ ଆସୁ ଝଗଡା ଆରମ୍ଭ କରିଦେଲୁ। ଘର ଭିତରକୁ ତ ଆସିବାକୁ ଦେ।" ଚାହୁଁ ଚାହୁଁ ଦୁଇ ଦିନ ଦୁଇ ମୁହୂର୍ତ ପରି କଟିଗଲା। ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳୁ ସୁଭଦ୍ରା ନିଜର ନିତ୍ୟକର୍ମ ସାରି ଗୋଟେ ଥାଳିରେ ଦୀପ, ଅରୁଆ ଚାଉଳ, ଦୁବ, ମିଠା ଓ ସେ ନିଜେ ତିଆରି କରିଥିବା ରାଖିକୁ ରଖିଲା। ଭାଇ ବି ନିଜର ସବୁ କାମ ସାରି ଅପେକ୍ଷା କରିଥାନ୍ତି। ସୁଭଦ୍ରା ଭାଇଙ୍କୁ ବନ୍ଦାପନା କରି ରାଖି ପିନ୍ଧାଇଲା ଓ ଗୋଟେ ବଡ ରସଗୋଲାଟେ ଭାଇଙ୍କୁ ଖୁଆଇ ଦେଲା। ଭାଇ ସୁଭଦ୍ରାକୁ ମିଠା ଖୁଆଇବାକୁ ଗଲାବେଳେ ତାଙ୍କର ଫୋନଟି ବାଜି ଉଠିଲା। ଭାଇ ମିଠାଟିକୁ ସୁଭଦ୍ରା ପାଟିରେ ପୁରେଇ ଫୋନ ଉଠେଇଲେ। ଫୋନ ରଖିଲା ପରେ ଭାଇଙ୍କ ମୁହଁର ରଙ୍ଗ ଟିକେ ଫିକା ଦେଖାଗଲା। କଣ ହୋଇଛି ପଚାରିବାରୁ ଭାଇ କହିଲେ "କିଛି ନାହିଁ , କେତେକ ଆତଙ୍କବାଦୀ ସୀମା ଭିତରକୁ ପଶିଥିବାର ସନ୍ଦେହ କରାଯାଉଛି। ସେଥିପାଇଁ ଆମର ଛୁଟି ବାତିଲ କରାଯାଇଛି। ଆଜି ଦିନ ଦୁଇଟାରେ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ ରେ ମୋତେ ଫେରିବାକୁ ପଡ଼ିବ।" ଏକଥା ଶୁଣି ସୁଭଦ୍ରାର ପାଟିଭିତର ମିଠାଟି ପୁରା କଞ୍ଚାଲଙ୍କା ପରି ରାଗ ଲାଗିଲା। ତା ଆଖିରୁ ଦୁଇ ଧାର ଲୁହ ଗଡି ଆସିଲା। ମନେମନେ ଠାକୁରଙ୍କୁ ବହୁତ ଗାଳିକଲା। ଭାଇଙ୍କୁ ଏ ଚାକିରୀ କାହିଁକି ଦେଲ ଯେ। ସୁଭଦ୍ରା ଆଖିରୁ ଲୁହ ଦେଖି ଭାଇ କହିଲେ "ଆଲୋ ମୋ ସୁକୁଟି କାଇଁ ମନ ଦୁଃଖ କରୁଚୁ। ସେଇଟା ମୋର କର୍ତ୍ତବ୍ୟ। ଆଜି ନହେଲେ ଆଉ ଦି ଦିନ ପରେ ଯାଇଥାନ୍ତି। ତୁ ମନ ଖରାପ କରେନି। ଦେଖିଲୁ ତୋ ପାଇଁ କଣ ଆଣିଛି।" ସୁଭଦ୍ରା ଦେଖିଲା ତା ମନ ପସନ୍ଦର ମେଘୁଆ ରଙ୍ଗର ପାଟ ଶାଢ଼ୀ ଓ ମାଚିଂ ଗହଣା। ନିଜ ପସନ୍ଦର ଜିନିଷ ଦେଖିକି ବି ସେ ଖୁସି ହେଇପାରୁନଥିଲା। ଭାଇକୁ ଛାଡିବା ପାଇଁ ସେ ଷ୍ଟେସନକୁ ଗଲା । ଆଖିର ଲୁହ କୌଣସି ବନ୍ଧବାଡ ମାନୁ ନଥାଏ। ଅବିରତ ବୋହି ଚାଲିଥାଏ। ଭାଇ ସୁଭଦ୍ରାର ଲୁହ ପୋଛିଦେଇ କହିଲେ "ଆଲୋ ସୁକୁଟି ହୁଣ୍ଡି କାହିଁକି କାନ୍ଦୁଛୁ। ଏଇ ଦେଖ ତୋ ରାଖି ମୋ ହାତରେ ଅଛି। ମୋର କିଛି ହେବନି ତୁ ଜମାରୁ ବ୍ୟସ୍ତ ହେବୁନି।"


ଦୁଇ ଦିନ ପରେ ଟିଭିରେ ସମାଚାର ଆସିଲା। ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହେଇଛି। ଭାରତୀୟ ଯବାନମାନଙ୍କର ଶକ୍ତ ମୁକାବିଲାରେ ସମସ୍ତ ଆତଙ୍କବାଦୀ ମୃତ କିନ୍ତୁ ଏଥିରେ ଦୁଇଜଣ ଯବାନ ସହିଦ ଓ କୋଡିଏ ରୁ ଅଧିକ ଯବାନ ଆହତ ହୋଇଛନ୍ତି। ସୁଭଦ୍ରାର ମନକୁ ପାପ ଛୁଇଁଲା। ସେ ଭାଇଙ୍କୁ ଫୋନ ଲଗେଇଲା। ଫୋନ ଲାଗିଲା ନାହିଁ। ଗୋଟେ ପରେ ଗୋଟେ ଭାଇଙ୍କ ସାଙ୍ଗମାନଙ୍କୁ ଫୋନ ଲଗେଇଲା। କାହାର ଫୋନ ଲାଗିଲା ନାହିଁ। ଟିଭିରେ ଦିଆଯାଇଥିବା ମିଲିଟାରୀ ହେଲ୍ପ ଲାଇନକୁ ବି ଫୋନ କଲା। ସେପଟୁ ଲାଇନ ବ୍ୟସ୍ତ ବୋଲି କହିଲା। ସୁଭଦ୍ରା ଦୌଡିକି ମା ତାରିଣୀଙ୍କୁ ଜଗନ୍ନାଥଙ୍କୁ ସମସ୍ତଙ୍କୁ କେତେ କଣ ଗୁହାରି କଲା। ତା ଭାଇର ଜୀବନ ଭଲରେ ଥାଉ ବୋଲି। ଦଶ ଥର ହେଲ୍ପ ଲାଇନକୁ ଫୋନ କରିବା ପରେ ଯାଇ ସେପଟୁ ଫୋନ ରିସିଭ ହେଲା। ସୁଭଦ୍ରା ନିଜ ଭାଇ ବିଷୟରେ ପଚାରିବାରୁ ସେମାନେ କହିଲେ ଆମେ ଖୁବଶୀଘ୍ର ଆପଣଙ୍କୁ ଜଣେଇବୁ। ସୁଭଦ୍ରା ଆଖିରେ ନିଦ ନାହିଁ କି ଭୋକ ଶୋଷ କିଛି ନାହିଁ। ସେମିତି ଗୋଟେ ପଥର ମୂର୍ତ୍ତିପରି ଠାକୁର ଘରେ ବସିଛି।


ତା ପରଦିନ ସକାଳୁ ଫୋନ ଆସିଲା, ସେପଟୁ କହିଲେ ଜଗନ୍ନାଥ ମିଶ୍ରଙ୍କ ଭଉଣୀଙ୍କୁ ଫୋନ ଦିଅନ୍ତୁ। ସୁଭଦ୍ରା କହିଲା ମୁଁ ତାଙ୍କର ଭଉଣୀ କହୁଛି। ସେପଟୁ କହିଲେ ନିଅନ୍ତୁ ଆପଣଙ୍କ ଭାଇ ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି। ଭାଇ ଫୋନ ଧରି "ସୁଭଦ୍ରା" କହୁ କହୁ ସୁଭଦ୍ରା ଗୋଟେ ନିଶ୍ୱାସରେ କହିଚାଲିଲା "ଭାଇ ତୁମର କିଛି ହେଇନି ତ। ତୁମେ ଶୀଘ୍ର ଘରକୁ ଆସ। ଭାଇ ପ୍ରଭୁ ଜଗନ୍ନାଥ ମୋ ଡାକ ଶୁଣିଛନ୍ତି। ମୋ ଭାଇକୁ ସୁରକ୍ଷିତ ରଖିଛନ୍ତି। ମୋ ମାତୃଭୂମିକୁ ସୁରକ୍ଷିତ ରଖିଛନ୍ତି। ତୁମେ ଶୀଘ୍ର ଘରକୁ ଆସିଲେ ଆମେ ଜଗନ୍ନାଥ ମନ୍ଦିରକୁ ଯାଇ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣେଇବା।"ସେପଟୁ ଭାଇ କହିଲେ "ହଁ ତୋ କଥା ମାନି ମୁଁ ଘରକୁ ଯିବି ଲୋ। ଆଉ ଏଠି ରହିବାର ଯୋଗ୍ୟତା ମୋର ଆଉ ନାହିଁ। ମୋର ଜୀବନ ସିନା ବଂଚିଯାଇଛି ହେଲେ ସାରା ଜୀବନ ପାଇଁ ମୋର ଗୋଟେ ହାତ ଆଉ ଗୋଡ ଚାଲିଯାଇଛି। ତୋର ରାକ୍ଷୀ ମୋର ଏଇ ଡାହାଣ ହାତରେ ସେମିତି ଅଛିଲୋ। ଏଇ ରାକ୍ଷୀ ମୋ ଡାହାଣ ହାତ ଆଉ ମୋ ଜୀବନକୁ ରକ୍ଷା କରିଦେଇଛି ଲୋ। ଆଜି ଭାଇ ନୁହେଁ ଭଉଣୀ ତାର ଭାଇକୁ ରକ୍ଷା କରିଛି। ତୋ ଭାଇ ପଙ୍ଗୁ ହେଇଯାଇଛି। ତୁ ଆଜି ମୋ ଜୀବନ ରକ୍ଷା କରିଦେଲୁ କିନ୍ତୁ ତୋର ଏଇ ପଙ୍ଗୁ ଭାଇ ତୋତେ କେବେ ସୁରକ୍ଷା ଦେଇପାରିବନି।" ଏତିକି କହି ଭାଇ ପିଲାଙ୍କ ପରି କାନ୍ଦିପକେଇଲେ। ସୁଭଦ୍ରା ଭାଇଙ୍କର କାନ୍ଦ ସହ୍ୟ କରିପାରିଲା ନାହିଁ। ନିଜର କୋହକୁ ସମ୍ଭାଳି କହିଲା "ଭାଇ ବଡଦେଉଳରେ ଯୋଉ ଜଗନ୍ନାଥ ବସିଛନ୍ତି ତାଙ୍କର ବି ତ ହାତ ଗୋଡ ନାହିଁ। ତଥାପି ସେ ତାଙ୍କ ଭଉଣୀ ସୁଭଦ୍ରାଙ୍କୁ ଏବଂ ଏ ସାରା ଦୁନିଆକୁ ରକ୍ଷା କରୁଛନ୍ତି।ମୋ ଭାଇର ତ ଗୋଟେ ହାତ ଅଛି ସେ କାହିଁକି ମୋତେ ରକ୍ଷା କରିପାରିବେନି। ମୋ ଭାଇ ନିଶ୍ଚିନ୍ତ କରିପାରିବେ। ମୁଁ ପ୍ରାଥନା କରୁଛି ସବୁ ଜନ୍ମରେ ତୁମେ ହିଁ ମୋର ଭାଇ ହୋଇ ଜନ୍ମହୁଅ।"


"ରାକ୍ଷୀର ରେଶମସୁତାରେ ବାନ୍ଧିଥିବା ସମ୍ପର୍କରେ କୌଣସି ପରିସ୍ଥିତି ରେ ଟିକିଏ ବି ହୁଗୁଳା କରିପାରେନାହିଁ ବରଂ ମଜବୁତ କରିଦିଏ।"



Rate this content
Log in

Similar oriya story from Tragedy