Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Rath

Inspirational

4.1  

Arabinda Rath

Inspirational

ଘର

ଘର

9 mins
748


                         

                


  ଶୁଣ୍ ନେତ ଆଜି ସଞ୍ଜବେଳେ ମୁଁ କଲିକତା ଚାଲିଯିବି। ତୋ କଥା ତୁ ବୁଝିବୁ ଓ ପିଲା ମାନଙ୍କର ଦେଖାଶୁଣା କରିବୁ। ସୁବିଧା ହେଲେ ଟଙ୍କା ପଠେଇବି, ନ ହେଲେ ନାହିଁ। ତୋ ସହ ସବୁଦିନ ଝିକଝିକ୍ କରିବାକୁ ମୋ ବଳ ପାଉନି। ଏତିକି କହି ସନତ ବୋତଲରେ ଥିବା ଅବଶିଷ୍ଟ ମଦ, ଗୋଟିଏ ଢୋକରେ ଶେଷ କରି ଉତ୍ତର ଅପେକ୍ଷାରେ ରହିଲା।

  ଆକାଶରେ ଘୋଟି ଆସୁଥିବା କଳାହାଣ୍ଡିଆ ମେଘ କୁ ଚାହିଁ ନେତ କହିଲା-- ଆଜି ପରା ବାତ୍ଯା ଆସୁଛି। ରେଡିଓ ରେ କହୁଥିଲା ଜୋର୍ ରେ ପବନ ବୋହିବ, ଘରଦ୍ବାର ଭାଙ୍ଗିଯିବ। ତୁମେ ଚାଲିଗଲେ ମୁଁ ଦୁଇ ପିଲାଙ୍କୁ ଧରି କାହା ପାଖେ ମୁଣ୍ଡ ଗୁଞ୍ଜିବି? ମୋ ପାଇଁ ତୁମ ମନରେ କିଛି ନ ଥାଉ ପରବାୟ ନାହିଁ, କିନ୍ତୁ ଏ ପିଲା ଦୁଇଟା କଥା ଟିକେ ବିଚାର କର।

  ସାତ ଆଠ ବର୍ଷର ପିଲା ଦୁଇଟି ବାପା ମାଆଙ୍କ ଭିତରେ ଚାଲିଥିବା ଗମ୍ଭୀର ଆଲୋଚନା ର ଟେର ନ ପାଇ ଖେଳରେ ମାତିଥିଲେ। ସାନ ପୁଅ ବଡ ପାଟି ରେ କହୁଥିଲା – ନାନି ଲୋ, ଆଜି ବାତିଆ ଆସିବ, ପବନ ବୋହିବ, କୁଆପଥର ବରଷିବ। କୁଆପଥର ପଡିଲେ ଲେମ୍ବୁ ସରବତ କରି ଆମେ ଦିହେଁ ପିଇବା, ବାପା ମାଆଙ୍କୁ ବି ଦେବା। ଝିଅ ଟା ଉଲ୍ଲସିତ ହୋଇ କହୁଥିଲା- - ସେ ବରଫ କିଛି ଓଦା କନାରେ ସାଇତି ରଖିବା। ସଞ୍ଜ ବେଳେ ତୋରାଣୀ ରେ ପକାଇ ପିଇଲେ ଭାରି ସୁଆଦ ଲାଗିବ।

  ବସ୍ତିରେ ଥିବା ଝାଟିମାଟି ଘର ଭିତରୁ ଚାରି ପ୍ରାଣୀଙ୍କ ଭିନ୍ନ ଭିନ୍ନ କଥାରେ ତିଳେ ମାତ୍ର ପ୍ରଭାବିତ ନ ହୋଇ ବାତ୍ଯା ସ୍ବଆଗମନ ର ପ୍ରାକପ୍ରସ୍ତୁତି, ଜୋରଦାର୍ ଚଳାଇଥିଲା। 

  ରାଜଧାନୀ ଉପକଣ୍ଠରେ ଶହେ ସରିକି କୁଡିଆ, ଝାଟିମାଟି ଓ ପଲିଥିନ୍ ଟଣା ଘର ଓ ଚାରିଶହ ନିହାତି ଗରିବ ଶ୍ରେଣୀର ଲୋକଙ୍କ ସମାହାର ରେ ଗଢି ଉଠିଥିଲା ଏକ ବସ୍ତି। ସହର ର ଆଧୁନିକୀକରଣ ଓ ଚାକଚକ୍ଯତା ର ତେଜରେ ବିତାଡିତ ହୋଇ ବସ୍ତି ବାସିନ୍ଦା ମାନେ ସେହି ସ୍ଥାନ ରେ ନିଜର ସ୍ବର୍ଗ ମାନ ସ୍ଥାପନ କରିଥିଲେ। ସାରା ସହରର ଅଳିଆ, ଆବର୍ଜନା ରେ ସୃଷ୍ଟି ହୋଇଥିବା କୃତ୍ରିମ ପାହାଡ ର ପାଦଦେଶରେ ଥିବା ସେହି ବସ୍ତି ଓ ବସ୍ତି ବାସିନ୍ଦାଙ୍କର କୌଣସି ସ୍ବତନ୍ତ୍ର ପରିଚୟ ନ ଥିଲା। ସେମାନେ ଯେ ରକ୍ତ ମାଂସଧାରୀ ମନୁଷ୍ଯ, ଏ କଥା ମାନିବାକୁ ସହରି ମାନେ ଆଦୌ ପ୍ରସ୍ତୁତ ନ ଥିଲେ। ପଶୁଠାରୁ ଉନ୍ନତ ଓ ମନୁଷ୍ଯଠାରୁ ନ୍ଯୁନ ଶ୍ରେଣୀରେ ସେମାଙ୍କୁ ସ୍ଥାନିତ କରାଯାଇଥିଲା। ସେହି ବସ୍ତିରେ ସନତ ନିଜ ପରିବାର ଧରି ବିଗତ କେତେ ବର୍ଷଧରି ରହି ଆସୁଥିଲା। 

    ସ୍ବାମୀ,ସ୍ତ୍ରୀ ଓ ଦୁଇ ପିଲା ବେଶ୍ ହସଖୁସି ରେ ଦିନ କାଟି ଚାଲିଥିଲେ। କିନ୍ତୁ ତାଙ୍କ ପରିବାରରେ, ସେହି ବସ୍ତିରେ ରହୁଥିବା ଜଣେ ବଙ୍ଗୀୟ ଯୁବତୀର ଅନୁପ୍ରବେଶ ଘଟିବା ପରେ ସବୁକିଛି ଛାରଖାର ହୋଇ ଯାଇଥିଲା। ଯୁବତୀ ଟି କି କୁହୁକ କଲା ଭଗବାନଙ୍କୁ ଜଣା, ଖୁବ୍ କମ୍ ଦିନ ମଧ୍ଯରେ ସନତ ପୋଷା ବିଲେଇ ପରି ତା ପାଖରେ ପଡି ରହିଲା। ରୋଜଗାର କରୁଥିବା ଟଙ୍କା,ସମୟ ଓ ଭଲପାଇବା ତା ପାଦରେ ଅର୍ପଣ କରିବାରେ ଲାଗିଲା। ପ୍ରଥମେ ନେତ ନେହୁରା ହୋଇ ସନତକୁ ଏ କାମରୁ ବିରତ କରିବାକୁ ଚେଷ୍ଟା କଲା। କୌଣସି ଫଳ ନ ମିଳିବାରୁ ସେ ପ୍ରତିବାଦ କରି ଗାଳିଗୁଲଜ କଲା। ମାତ୍ର ବଶୀଭୂତ ହୋଇ ସାରିଥିବା ସନତ ଅଧିକ ଉଗ୍ର ରୂପ ଧାରଣ କରି ନେତ କୁ ପିଟାମରା କଲା। ତା କ୍ରୋଧବହ୍ନିରୁ ନିରିହ ପିଲା ଦୁଇଟା ମଧ୍ଯ ତ୍ରାହି ପାଉ ନ ଥିଲେ। ଦିନେ ମଦ ନିଶା ରେ ଚୁର୍ ହୋଇ ସନତ ଘରକୁ ଫେରିଲା ଓ ନେତ କୁ ରୋକଠୋକ ଶୁଣାଇଦେଲା ଯେ ସେ ବଙ୍ଗାଳୀ ଝିଅ କୁ ବାହା ହେବ ଓ କଲିକତା ଚାଲିଯିବ। ସେଦିନ ବୁକୁଫଟାଇ ନେତ ବହୁତ କାନ୍ଦିଲା ଓ ସେ ବଙ୍ଗାଳୀ ଝିଅର ଗୋଡ ତଳେ ପଡି ତା ସ୍ବାମୀ କୁ ଫେରାଇ ଦେବାକୁ ନେହୁରା ହେଲା। କିନ୍ତୁ ସବୁ ନିଷ୍ଫଳ ହେଲା। ସ୍ତ୍ରୀ, ପିଲାଙ୍କର ଅଶୃ , ମୋହ ଓ ସ୍ନେହର ଶିକୁଳିକୁ ବିଛିନ୍ନ କରି ସନତ ଘର ଛାଡି ସେହି ଯୁବତୀ ସହ ରହିବାକୁ ନିଷ୍ପତ୍ତି ନେଇ ସାରିଥିଲା ଲାଗିଲା। ସେ ନେତ କୁ ଦେଇଥିବା ଅସୁମାରୀ ସ୍ବପ୍ନ ଓ ପ୍ରତିଶୃତି ର ଦୁର୍ଗ ଖଣ୍ଡ ବିଖଣ୍ଡିତ ହୋଇ ଭୁଷୁଡି ଚାଲିଥିଲା। ଭାଗ୍ଯକୁ ନିନ୍ଦି ଘର କୋଣରେ ଗୁମୁରି କାନ୍ଦିବା ଛଡା ଅନ୍ଯ କିଛି ବିକଳ୍ପ ନେତ ପାଖରେ ନ ଥିଲା।

  ଏକ ବ୍ଯାଗ୍ ରେ ସନତ ଜିନିଷପତ୍ର ପୁରାଇବାରେ ଲାଗିଥିଲା। ପିଲା ଦୁଇଟା ତାକୁ ପଚାରି ଚାଲିଥଲେ-- ବାପା କୁଆଡେ ଆମେ ବୁଲିବାକୁ ଯିବା ନା କଣ? ନିତିଆ କାକା ତା ପିଲାଙ୍କୁ ଧରି ପୁରୀ ଯାଇଛି, ଚାଲ ଆମେ ସବୁ ପୁରୀ ଯିବା। ବଡଦେଉଳ ଯିବା, ସମୁଦ୍ର ଦେଖିବା- - କେତେ ମଜା କରିବା। 

  ଝିଅ ଟି ଅଳି କରି କହୁଥାଏ- - ବାପା ମୋ ଫ୍ରକ୍ ଟା ଚିରି ଯାଇଛି। କେତେ ଦିନ ହେଲାଣି ମୋ ପାଇଁ ନୂଆ ଜାମା କରିନ, ଏଥର ଗୋଟେ କିଣିଦିଅ। ତୀର୍ଯକ୍ ଚାହାଁଣି ରେ ସେ ପିଲା ମାନଙ୍କୁ ଦେଖିଲା। ଏ ଚାହାଁଣୀ ର ଅର୍ଥ ପିଲା ମାନେ ଭଲରେ ବୁଝୁଥିଲେ। ଭୟଙ୍କର ଗାଳି ଓ ବିଧା,ଚାପୁଡା ଛଡା ଅନ୍ଯ କିଛି ମିଳିବ ନାହିଁ ବୋଲି ସେମାନେ ବୁଝି ପାରି ଚୁପ୍ ରହିଲେ।

   ବାହାରେ ପବନ ର ତେଜ ବେଳକୁ ବେଳ ବଢି ଚାଲିଥିଲା। ସେ ତରତର ହେଉଥିଲା, ଯଥାଶୀଘ୍ର ଜିନିଷ ନେଇ ସେଠାରୁ ଚାଲିଯିବା ପାଇଁ। ତେଣେ ନେତ ଡବାରେ ତା ପାଇଁ ଚୁଡା,ଗୁଡ, ବାଦାମ୍ ଭଜା, ମୁଢି ମୁଆଁ ପୁଞ୍ଜାଏ ପୁରାଇବାରେ ବ୍ଯସ୍ତ ଥିଲା। ସନତ ସିନା ତାକୁ ପର କରିଦେଲା, କିନ୍ତୁ ସେ କଣ କରି ପାରିବ? ସାତ ଜନମ ପାଇଁ ସେ ତା ସାଥୀ ରହିବ ବୋଲି ପରା ଅଗ୍ନି ଆଗରେ ଶପଥ ନେଇଛି। ସ୍ବାମୀ ଭଲରେ ରହିଲେ ତା ମଥାରେ ସିନ୍ଦୁର ହାତରେ ଚୁଡି ଚହଟୁଥିବ। ପିଲା ଦୁଇଟା ତାଙ୍କ ବାପ ନାଁଆ ଗର୍ବରେ କହି ପାରୁଥିବେ। ସେ ନିଆଁଲଗା ବଙ୍ଗାଳୀ ଝିଅ ସିନା ତା ସଂସାର ରେ ନିଆଁ ଲଗେଇ ଦେଲା, କିନ୍ତୁ ଦଇବ କୋପରୁ ସେ କଣ ତ୍ରାହି ପାଇ ପାରିବ। ନର୍କରେ ସଢିବ ସେ, ତା ଉପରେ ପୋକମାଛି ପଡିବେ। ଏମିତି ଘଇତାଚୋର, ବିଟପୀ ନାରୀ ଭାଗ୍ଯରେ ଭଗବାନ କେବେ ମଧ୍ଯ ସୁଖ ଦେବେନି। ଅଭିଶାପର ନିଆଁରେ ସେ ଜଳିପୋଡି ଛାରଖାର ହୋଇଯିବ। 

- - ଏଥର ମୁଁ ଚାଲିଲି, ପବନ ବଢିଲାଣି - - ତେଣେ ସେ ଡରୁଥିବ। ତାଗିଦ୍ କରିବା ଭଙ୍ଗୀରେ କହିଲା ସନତ।

- - ବାପା ଆମକୁ ସାଙ୍ଗରେ ନ ନେଇ କୁଆଡେ ଯାଉଛ?ଆମେ ଦି ଜଣ ତୁମ ସହ ବୁଲିବାକୁ ଯିବୁ। ଆମକୁ ତୁମ ସାଙ୍ଗରେ ନିଅ।

- - ଆଉ ଟିକେ ରହି ଯାଅ। ପବନ କମିଗଲେ ଚାଲିଯିବ। ତୁମକୁ ମନା କରିବିନି। ଲୁହ ଛଳଛଳ ଆଖିରେ ନେତ କହିଲା।

  ତା ଚାହାଁଣୀର କାରୁଣ୍ଯତା ର ତୀବ୍ରତା ରେ ପାଷାଣ ତରଳିଯିବା ଆଦୌ ଅସମ୍ଭବ ନ ଥିଲା। ସନତ ମନରେ କିଛି ଭାବାନ୍ତର ହେଲା ବୋଧେ, ସେ ମସିଣା ଉପରେ କିଛି ସମୟ ବସିି ରହିଲା। ଘର ଭିତରେ ଶ୍ମଶାନ ର ନୀରବତା କାୟା ବିସ୍ତାର କରି ଚାଲିଥିଲା। ଚାରି ପ୍ରାଣୀ ନିଜ ନିଜର ଭାବନାରାଜ୍ଯ ରେ ବୁଡି ରହିଥିଲେ। କେବଳ ସନତ କୁ ଛାଡିଦେଲେ ବାକି ତିନି ଜଣଙ୍କ ଆଖିରୁ ଲୁହ ବୋହି ଚାଲିଥିଲା। 

  ପୁଅ ତା ପାଖକୁ ଲାଗି ଆସି ଗେହ୍ଲେଇ ହୋଇ ପଚାରିଲା-- ବାପା ତୁମେ କେବେ ଫେରିବ? ଆମେ କେବେ ଯାତ୍ରା ଦେଖିବାକୁ ଯିବା?

- - ମୁଁ ଜାଣିନି କେବେ ଫେରିବି। ତୋର ସେ ବିଷୟ ରେ ମୁଣ୍ଡ ଖେଳାଇବା ଦରକାର ନାହିଁ।

  ଦିନର ଅର୍ଦ୍ଧାଧିକ ସମୟ ବାପ ପାଖରେ ଗୁଞ୍ଜିଗାଞ୍ଜି ହୋଇ ଗେଲ ଖାଉଥିବା ସାନ ପୁଅ ବୁଝି ପାରୁ ନ ଥିଲା ଯେ ସେ କି ଦୋଷ କରିଛି। କାହିଁକି ତା ପ୍ରତି ବାପାର ଭଲ ପାଇବା କମି ଯାଇଛି। ସେ ନୀରବ ରେ ମାଆ ପାଖକୁ ଚାଲିଗଲା। ଝିଅ କଣ କହିବ ବୋଲି ଭାବୁଥିଲା, କିନ୍ତୁ ଭାଇର କାନ୍ଦ ଓ ବାପାର କଠୋର ମୁହଁ ଦେଖି ସେ ମଧ୍ଯ ମାଆ ପାଖରେ ଜାକିଜୁକି ହୋଇ ବସି ରହିଲା। 

  ହଠାତ୍ କିଛି ଭାଙ୍ଗି ପଡିବାର ଶବ୍ଦରେ ସବୁ ଚମକି ଉଠିଲେ। ବାହାରକୁ ଯାଇ ଦେଖିବା ବେଳକୁ ବସ୍ତି ରେ ଥିବା ବୁଢା ବରଗଛର ବଡ ଡାଳ ଭାଙ୍ଗି ତଳେ ପଡିଥିଲା। ପବନ ର ବେଗ ଯଥେଷ୍ଟ ବଢି ଯାଇଥିଲା ଓ ଅଳିଆ ଗଦାରେ କାହିଁ କେତେ ବର୍ଷରୁ ଗଦା ହୋଇଥିବା ପଲିଥିନ୍, କାଗଜ ଓ ପ୍ଲାଷ୍ଟିକ୍ ବୋତଲ ସବୁ ଆକାଶ ରେ ଉଡୁଥିଲେ। ସନତ ତରତରରେ ଆସି ରେଡିଓ ଲଗାଇଲା। ଘୋଷକ ଚେତାବନୀ ଦେଇ ଚାଲିଥିଲେ ଯେ – ବର୍ତ୍ତମାନ ଫାନି ନାମକ ମହାବାତ୍ଯା ରାଜଧାନୀ ଉପରେ ଜମାଟ ବାନ୍ଧିଛି। ଭୟଙ୍କର ପବନ ଆରମ୍ଭ ହୋଇ ସାରିଛି ଓ ଏ ପରିସ୍ଥିତି ରେ ବାହାରକୁ ବାହାରିବାର ଅର୍ଥ ଜୀବନ କୁ ବିପନ୍ନ କରିବା। ତେଣୁ ବାତ୍ଯା ସରିବା ଯାଏଁ କେହି ବାହାରକୁ ନ ବାହାରିବାକୁ ଚେତାବନୀ ଦିଆଯାଉଛି। ସେତିକି ରେ ରେଡିଓ ଟି ଅଚାନକ୍ ବନ୍ଦ ହୋଇଗଲା। ବୋଧ୍ ହୁଏ ବ୍ଯାଟେରୀ ସରିଗଲା। ପ୍ରବଳ ବିରକ୍ତି ରେ ସନତ ଘର ଭିତରେ ଚାଲିବାକୁ ଲାଗିଲା। 

  ନେତ କୁ ଗାଳି ଦେଇ କହିଲା-- ପୋଡାମୁହୀଁ, ତୁ ମୋ ସୁଖ ଦେଖି ପାରିବୁନି, ଜାଣିଶୁଣି ମୋତେ ଅଟକାଇ ରଖିଲୁ, ଯେମିତି ବାତ୍ଯା ରେ ମୁଁ ବାହାରକୁ ଯାଇ ପାରିବିନି। ତେଣେ ଝିଅ ଟା ଏକୁଟିଆ ଅଛି, କଣ କରୁଥିବ ସେ?

- - ନାନୀ ଲୋ, ବାପାଙ୍କର ଆଉ ଗୋଟେ ଝିଅ ଅଛି ନା କଣ?କାଇଁ ଆମେ ତ କେବେ ଦେଖିନେ। ପୁଅ ଫିସଫିସ କରି କହିଲା।

- - ପାଟି ଚୁପ୍ କର ବୋକା। ବାପା ଶୁଣିଲେ ମାରି ପକେଇବ। ତୁ ଜାଗ୍ରତ ରହି ଦେଖୁ ଥା, କୁଆପଥର ମାରିଲେ ମୋତେ ଜଣେଇବୁ। ମିଶି କି ଗୋଟେଇବା।

- - ଆରେ ମୁଁ ତ ସେଇଆକୁ ଚାହିଁ କି ବସିଛି। ହିଃ ହିଃ ହିଃ

  ସୁ ସୁ ଗର୍ଜନ କରି ପବନ ମାଡି ଆସୁଥିଲା। ଆକାଶ ଘନକୃଷ୍ଣ ରଙ୍ଗ ରେ ମେଘରେ ଆଛାଦିତ ହୋଇ ସାରିଥିଲା। ବାହାରେ ଗଛ ପତ୍ର ଭାଙ୍ଗିବାର ଶବ୍ଦ ଓ ଲୋକ ମାନଙ୍କର ବିକଟାଳ ଚିତ୍କାର ର ମାତ୍ରା ବଢି ଚାଲିଥିଲା। ସେତେ ବେଳକୁ ତାଙ୍କ ଘର ର ଛାତ ପବନ ରେ ହଲିବାକୁ ଲାଗିଲା। ସତେ କି ଉଡିଯିବ ଅଳ୍ପ ସମୟ ଭିତରେ। ତା ସାଙ୍ଗକୁ ବର୍ଷା ପାଣି ଛିଟା ଘର ର ଝରକା ଡେଇଁ ଭିତରକୁ ମାଡି ଆସୁଥିଲା। ପାଖ ଘରର ରାମ ବଡ ପାଟି ରେ ଡାକ ଛାଡିଲା-- ସନିଆ ଭାଇ ଦଉଡି ଆସେ, ମୋ ବାପା ଗଛ ତଳେ ଚାପି ହୋଇଗଲା। ହାତରେ ଟାଙ୍ଗିଆ ଧରି ସନତ ବାହାରିବାକୁ ଚେଷ୍ଟା କଲା। ମାତ୍ର ପବନ ମାଡ ରେ ସେ ଫିଙ୍ଗି ହୋଇ ପଡିଲା ଓ ହାତରୁ ଟାଙ୍ଗିଆ ଛିଟିକି ପଡିଲା। ଚାରି ଆଡକୁ ସେ ଚାହିଁ ଦେଖିଲା-- ପବନ ର ମାଡରେ ଅନେକ ଘରର ଛାତ ଉପର ଚାଳ ପ୍ରାୟ ଉଡି ସାରିଥିଲା। କୌଣସି ମତେ ସେ ରାମ ପାଖରେ ପହଞ୍ଚିଲା- - ମାତ୍ର ସେତେ ବେଳକୁ ବୁଢା ଲୋକଟିର ଶରୀର ମୋଟା ଡାଳ ତଳେ ମେଞ୍ଚା ହୋଇ ପଡିଥିଲା ଓ ରାମ ଛାତି ବାଡେଇ କାନ୍ଦିବାରେ ଲାଗିଥିଲା। 

  ନିର୍ଦ୍ଦୟତା ର ସମସ୍ତ ପାଚେରୀ ଡେଇଁ ସାରିଥିଲା ନିଷ୍ଠୁର ପବନ। କାହାର ଦୁଃଖ, ଚିତ୍କାର ବା ରୋଦନ ଶୁଣିବାର ସମୟ ନ ଥିଲା ତା ପାଖରେ। ସେ ଚାହୁଁଥିଲା କେବଳ ଧ୍ବଂସ ଓ ପ୍ରଳୟ । କାଗଜ ଟୁକୁରା ପରି ଉଡି ଚାଲିଥିଲା ଚାଳ ଛପର, ଝାଟିମାଟି ଘର ଓ ଗଛ ପତ୍ର। ପ୍ରଖର ପବନ ସାଙ୍ଗକୁ ବର୍ଷାର ଭୀଷଣ ମାଡ ଶରୀର ର ଚର୍ମ ଭେଦ କରି ହାଡରେ ବାଜିବା ପରି ମନେ ହେଉଥିଲା। ନିଜର ସୁଶୀତଳ କୋମଳ ସ୍ପର୍ଶରେ ଆହ୍ଲାଦିତ କରି ଦେଉଥିବା ପବନ ର ଏପରି ଭୀଷଣ ଉଗ୍ର ରୂପ ଦେଖି ବିଶ୍ବାସ କରିବା କଷ୍ଟକର ହୋଇ ପଡୁଥିଲା। ଚାହୁଁ ଚାହୁଁ ବସ୍ତିରେ କେବଳ ହା ହା କାର ଶୁଭି ଚାଲିଥିଲା। ଛୋଟ ପିଲା ଙ୍କ କାନ୍ଦ ବୋବାଳି, ନାରୀ ମାନଙ୍କର ଆର୍ତ୍ତ ଚିତ୍କାର ଓ ପୁରୁଷ ମାନଙ୍କର ଘୋ ଘା ଶବ୍ଦର କୋଳାହଳ କୁ ପାଦ ତଳେ ମାଡି ମକଚି ଦେଉଥିଲା ସେହି ପ୍ରଖର ପବନ। ସୁ ସୁ ଶବ୍ଦ ସାଙ୍ଗକୁ ଭାସି ଆସୁଥିଲା ବଡ ବଡ ଗଛ ଉପୁଡିବାର ଶବ୍ଦ, ଘର ଛାତ ଉଡିଯିବାର ଓ କାନ୍ଥ ଭାଙ୍ଗି ଯିବାର ଶବ୍ଦ। ତା ସାଙ୍ଗକୁ ଭୀଷଣ ଭାବେ ଆଘାତପ୍ରାପ୍ତ ଓ କାନ୍ଥ ତଳେ ଚାପି ହୋଇ ପଡିଥିବା ବସ୍ତିି ବାସିନ୍ଦାଙ୍କ ହୃଦୟ ବିଦାରକ ବିକଳ ଚିତ୍କାର। ଲାଗୁଥିଲା କିଛି କ୍ଷଣ ମଧ୍ଯରେ ପବନ ସବୁ କିଛି ନିଃଶେଷ କରି,ବସ୍ତି ବାସିନ୍ଦା ମାନଙ୍କୁ ପୋକ ମାଛି ପରି ଦଳି ଭୂଇଁରେ ମିଶେଇ ଦେବ। 

  ବସ୍ତି ପାଖକୁ ଲାଗିଥିବା ସୁଉଚ୍ଚ ଅଟ୍ଟାଳିକା ମାନଙ୍କର ଅବସ୍ଥା ମଧ୍ଯ ଅନୁରୂପ ଥିଲା। ଚକମକିଆ ଦାମିକା କାଚ ଝରକା ପଛରେ ବସି ପବନ ର ଉଦ୍ଦଣ୍ଡତା କୁ ଉପଭୋଗ କରୁଥିବା ସହରି ମାନଙ୍କ ପାଇଁ ତା ମନରେ ତିଳେ ମାତ୍ର ଦୟା ନ ଥିଲା। ଧକ୍କା ପରେ ଧକ୍କା ଦେଇ ସମସ୍ତ କାଚକୁ ଟୁକୁରା ଟୁକୁରା କରି ସେ ନିଜ ସହିତ ଉଡେଇ ନେଲା। କାଚ ଝରକା ପଛରେ ଲୁଚି ବାତ୍ଯା ଦୃଶ୍ୟ ଉପଭୋଗ କରୁଥିବା ଦେଖଣାହାରୀ ମାନଙ୍କ ଦେହରେ କାଚ ଟୁକୁରା ର କ୍ଷୁଦ୍ରାତି କ୍ଷୁଦ୍ର ଅଂଶ ବିଦ୍ଧ ହୋଇ ଭୟଙ୍କର କ୍ଷତମାନ ସୃ ଷ୍ଟି କରି ଚାଲିଥିଲା। ଛାତ ଉପରୁ ବିଶାଳକାୟ ପାଣିଟାଙ୍କି ମାନ ବେଲୁନ୍ ପରି ଉଡି ଚାଲିଥିଲେ। ଚତୁର୍ଦ୍ଦିଗରେ କେବଳ ଧ୍ବଂସର ତାଣ୍ଡବ କାୟା ବିସ୍ତାର କରିଥିଲା। 

  ସନତର ମୁଣ୍ଡ ଗୋଳମାଳ ହୋଇ ଯାଉଥିଲା। ବାତ୍ୟାର ଭୀଷଣ ପ୍ରକୋପ ଦେଖି ସେ କିଂକର୍ତ୍ତବ୍ୟବିମୁଢ ହୋଇ ପଡିଥିଲା। ବାହାରେ ପବନ ର ବେଗ ଯେତିକି ଥିଲା, ତା ଠାରୁ ଅଧିକ କ୍ଷୀପ୍ର ଗତିରେ ବୋହି ଚାଲିଥିଲା ତା ମନ ଭିତରେ। ତା ଆଖି ସାମନା ରେ ବସ୍ତିର କେତେ ଲୋକ ବାତ୍ୟାର ଭୀଷଣ ପ୍ରହାର ପ୍ରତିହତ ନ କରି ପାରି ଆଖି ବୁଜି ସାରିଥିଲେ। ଆଉ କିଛି ଲୋକ ଆସନ୍ନ ମୃତ୍ୟୁ ଅପେକ୍ଷାରେ ଥିଲେ।

   ଦିନରାତି ମଦ ନିଶାରେ ଚୁର୍ ରହି ସ୍ତ୍ରୀ କୁ ଅନବରତ ପିଟାମରା କରୁଥିବା ହରିର ମୃତ ଦେହ ପାଖରେ ତା ସ୍ତ୍ରୀ ବାହୁନି ବାହୁନି କାନ୍ଦି ଚାଲିଥିଲା। ତା ପିଲା ଦୁଇଟା ଗୋଡ ପାଖରେ ବସି ଆଉଁସି ଚାଲିଥିଲେ, କାଳେ ବାପା ପୁଣି ବସି ଉଠିବ। ନୂଆ କରି ବାହା ହୋଇଥିବା ବରଜୁ ତା ସ୍ତ୍ରୀ ର ନିଥର ଦେହକୁ ଧରି ପାଗଳ ପରି ଚିତ୍କାର କରି ଚାଲିଥିଲା। ବିଚାରି ତା ସ୍ବାମୀ କୁ ବଞ୍ଚାଇବାକୁ ଯାଇ କାନ୍ଥ ତଳେ ଚାପି ହୋଇ ଯାଇଥିଲା। କେବଳ ଧ୍ବଂସ,  ମୃ ତ୍ଯୁ ଓ ରୋଦନ ର ଗୋଲକଧନ୍ଦାରେ ସନ୍ତୁଳି ହୋଇ ଯାଉଥିଲା ସନତ।

  ସେତେ ବେଳକୁ ତା ପୁଅର ବିକଟାଳ ଚିତ୍କାର ଶୁଣି ସେ ପ୍ରକୃତ୍ତିସ୍ଥ ହେଲା ଓ ଏକ ନିଶ୍ବାସରେେ ଘରକୁ ଦଉଡିଲା। ଦେଖିଲା ବେଳକୁ ଘର ପାଖରେ ଥିବା ଗଛଟା ଘର ଉପରେ ଉପୁଡି ପଡିଛି ଓ ନେତ ତା ତଳେ ଚାପି ହୋଇ ରହିଛି। ପିଲା ଦୁଇଟା ତାକୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଛନ୍ତି। ଘର ର ଛାତ ସେତେବେଳକୁ ସମ୍ପୂର୍ଣ୍ଣ ଉଡି ସାରିଥିଲା। ପବନ ଓ ବର୍ଷାର ମାଡ ଅହରହ ଦେହ ଉପରେ ଚାବୁକ୍ ପରି ପଡି ଚାଲିଥିଲା। ସନତ ନିଜର ସମସ୍ତ ବଳ ଖଟାଇ ନେତ କୁ ଟାଣିବାକୁ ଚେଷ୍ଟା କଲା, କିନ୍ତୁ ପାରିଲାନି। 

  ନେତ ସେହି ଅବସ୍ଥାରେ ସନତ କୁ କହିଲା-- ହେଇ ଦେଖ, ମୁଁ ବୋଧେ ଆଉ ବଞ୍ଚିବିନି। ତୁମେ କଲିକତା ଚାଲିଗଲା ପରେ ମୋ ପିଲା ମାନଙ୍କର କଣ ହେବ ? ତୁମେ ସେମାନଙ୍କୁ ଟିକେ ଦୟା କରିବ, ନ ହେଲେ ସେମାନେ କୁଆଡେ ଯିବେ ? ତୁମ ସାଙ୍ଗେ ଏତେ ଦିନ ରହିଲି, ଖୁସି ଟିକେ ଦେଇ ପାରିଲିନି,ସଦାବେଳେ ତୁମ ମନରେ କଷ୍ଟ ଦେଲି। ମୋତେ କ୍ଷମା କରିଦେବ। ହାତରେ ଚୁଡି, ମଥାରେ ସିନ୍ଦୂର ନେଇ ମୁଁ ଆରପୁର କୁ ଯାଉଛି-- ତା ଠୁ ବଳି ଭାଗ୍ୟର କଥା ମୋ ପାଇଁ ଆଉ କିଛି ନାହିଁ। କିନ୍ତୁ ମୋ ନିରିହ ପିଲା ଦୁଇଟା.......ଆଖିି ବୁଜି ହୋଇ ଆସୁଥିଲା ନେତର।

  ସନତ ଅନୁଭବ କଲା ବାତ୍ୟାର ପ୍ରଖର ପବନ ତା ମନ ଭିତରେ ଭରି ରହିଥିବା ଅଳିଆ ଆବର୍ଜନା କୁ ବହୁତ ଦୂରକୁ ଫିଙ୍ଗି ଦେଉଛି। ତା ଆଖି ଆଗରେ ନାଚି ଯାଉଥିଲା ପ୍ରଥମଥର ନେତ ର ହାତ ଧରିଥିବାର ଦୃଶ୍ୟ, ପିଲାମାନଙ୍କର ଜନ୍ମ ହେବା ବେଳର ହସଖୁସିର ଦୃଶ୍ୟ ଓ ନେତ ର ହସହସ ମୁହଁ। ପାଗଳଙ୍କ ପରି ସେ ଚିତ୍କାର କଲା--- ନାଃ ନେତ, ତୋର କିଛି ହେବନି- - ମୁଁ ଅଛି ତୋ ସାଙ୍ଗରେ। ତଡିତ୍ ବେଗରେ ସେ ଟାଙ୍ଗିଆ ଉଠାଇ ଗଛ ଉପରେ ପ୍ରହାର ପରେ ପ୍ରହାର କରିବାକୁ ଲାଗିଲା। ବୋଧେ ସେ ପ୍ରହାର ସହିତ କାହିଁ କେତେ ଦିନରୁ ତା ମନ ଭିତରେ ଜମାଟ ବାନ୍ଧି ଆସୁଥିବା କ୍ରୋଧ, ଅସମ୍ପୂର୍ଣ୍ଣତା ଓ ନିରାଶାର ଶକ୍ତି ମିଶ୍ରଣ ହୋଇ ଯାଇଥିଲା। ମିଛ ମରିଚିକା ର ମୋଟା ଆସ୍ତରଣ ଧିରେଧିରେ ଭାଙ୍ଗି ଚାଲିଥିଲାଓ ନେତ ର ହସହସ ମୁହଁ ଟା ଆହୁରି ଜାଜୁଲ୍ଯମାନ ଦିଶୁଥିଲା। ସନତ ହାତରୁ ରକ୍ତ ଝରି ଟାଙ୍ଗିଆକୁ ରକ୍ତାକ୍ତ କରି ସାରିଥିଲା। କିନ୍ତୁ ସେ ହାରିବାର ପ୍ରଶ୍ନ ଉଠୁ ନ ଥିଲା। ଶେଷରେ ତା ଦୃଢ ନିଶ୍ଚୟ ସମ୍ମୁଖରେ ପରିସ୍ଥିତି ହାର ମାନିଗଲା। କାଠଗଡ କୁ ଅଲଗା କରି ସେ କୋଳେଇ ଧରିଲା ନେତକୁ। 

   ତାକୁ କୁଣ୍ଠାଇ ଧରି ଚିତ୍କାର କରି କହିଲା-- ମୋତେ କ୍ଷମା କରିଦେବୁ ନେତ, ମୁଁ ତୋ ସାଙ୍ଗରେ ଅଛି- - ରହିବି ସବୁଦିନ। ମୋତେ ଛାଡି ତୁ ଯାଇ ପାରିବୁନି। 

  ଆକାଶରୁ ଝରି ପଡୁଥିବା ବର୍ଷା ଟୋପାର ମୋଟା ଚାଦର କୁ ଆଖି ପତାରୁ ପୋଛି ନେତ ଚାହିଁଲା। ପିଲା ଙ୍କ ସାମନା ରେ ସନତର କୋଳରେ ଥାଇ ଲାଜ ଲାଗୁଥିଲେ ମଧ୍ଯ ସେ ଅଳ୍ପ ହସି କହିଲା – – ଭଗବାନଙ୍କ ଦୟାରୁ ମୋ ଘର ବଞ୍ଚିଗଲା।

  ବାତ୍ଯାରେ ବସ୍ତିର ସମସ୍ତ ଘର ଧ୍ବସ୍ତବିଧ୍ବସ୍ତ ହୋଇ ମାଟିରେ ମିଶି ସାରିଥିଲା ଓ ବସ୍ତି ବାସିନ୍ଦା ମାନଙ୍କର ଆଖିରୁ ଅନବରତ ଲୁହ ବୋହି ଚାଲିଥିଲା। କିନ୍ତୁ ସନତ,ନେତ ଓ ତା ପିଲା ମାନଙ୍କ ମୁହଁରେ ଅପୂର୍ବ ପ୍ରଶାନ୍ତି ର ଝଲକ ଦେଖିବାକୁ ମିଳୁଥିଲା। ଘରର ଭୌଗଳିକ ସଂଜ୍ଞା ନିରୂପଣ କରୁଥିବା ଯେଉଁ ସ୍ଥାନଟି ସନତର ଥିଲା, ତାହା ତ ନିଶ୍ଚୟ ଧ୍ବଂସ ପାଇ ସାରିଥିଲା ; ମାତ୍ର, ନେତ ର ଘର ଅକ୍ଷତ ଥିଲା ପ୍ରଚଣ୍ଡ ବାତ୍ଯାକୁ ପ୍ରତିହତ କରି। 

  ଧ୍ବସ୍ତ ବିଧ୍ବସ୍ତ ବସ୍ତି କୁ ପଛରେ ଛାଡି ସନତ ନେତକୁ କୋଳରେ ଟେକି ଡାକ୍ତରଖାନା ଅଭିମୁଖେ ବଢି ଚାଲିଥିଲା ଓ ତା ଦୁଇ ପିଲା ତାଳି ମାରି କୁଆପଥର ଖୋଜିବାରେ ବ୍ଯସ୍ତ ଥିଲେ। ପ୍ରଳୟ ଲକ୍ଷରେ ଆସି ଲାକ୍ଷାଧିକ ଘର ଓ ଜୀବନ କୁ ଧୂଳିସାତ୍ କରିଥିବା ଫାନି, ନେତର ଘର ଭାଙ୍ଗି ପାରି ନ ଥିବାରୁ ନିରାଶ ତ ହୋଇଥିବ ନିଶ୍ଚୟ- - ଅନ୍ତତଃ ଲେଖକ ସେୟା ଭାବୁଛି।


   



Rate this content
Log in

Similar oriya story from Inspirational