Swagatika Mishra

Inspirational Tragedy


3  

Swagatika Mishra

Inspirational Tragedy


ନିଶୂନ ରାତିର ଗାୟିକା

ନିଶୂନ ରାତିର ଗାୟିକା

2 mins 14.6K 2 mins 14.6K

ଘଣ୍ଟାରେ ସମୟ ୧୨ଟା ୩୫ ମିନିଟ।

ଟିକ୍-ଟକ୍ ଟିକ୍-ଟକ୍

ରମେଶ ବାବୁଙ୍କ ପାଖରେ ନିଘୋଡ଼ ନିଦରେ ସ୍ତ୍ରୀ, ସୁନନ୍ଦା।

ହଠାତ୍ ଗୋଟେ ଛାୟାର ଭ୍ରମ ସୃଷ୍ଟି କରି କିଏ ଜଣେ ସ୍ତ୍ରୀ ଲୋକ ଘର ସାରା ଏପଟ ସେପଟ ହଉ ଥାଏ । ସ୍ତ୍ରୀ ଲୋକଟି କାନ୍ଧରେ କାହାକୁ ଗୋଟାଏ ପକେଇ ଥାଏ। ଠିକ୍ସେ ବାରି ପାରୁ ନଥାନ୍ତି ରମେଶ ବାବୁ।

-କିଏ... କିଏ..... ସେଠି

କୌଣସି ଜବାବ ନାହିଁ…।

ଖାଲି ଧୋ ରେ ବାଇଆ.... ପଦକ ଶୂଭୁଛି ରମେଶ ବାବୁଙ୍କୁ।

-ଆରେ ପଚାରୁଛି ପରା କିଏ?

ରମେଶ ବାବୁଙ୍କ ଶବ୍ଦ ଗୁଡାକ ପାଟି ଭିତରୁ ନିଶବ୍ଦ ହେଇ ଆସୁ ଥାଏ।

ଶବ୍ଦ ସବୁ ଅନ୍ଧାରରେ ହଜି ଯାଉଥାନ୍ତି ।ଚେଷ୍ଟା କରି ବି ରମେଶ ବାବୁ ଡାକି ପାରୁ ନଥାନ୍ତି । ପାଟି ଅଠା ମାରି ଆସୁ ଥାଏ।

ପୁଣି ଥରେ ରମେଶ ବାବୁ ଚିତ୍କାର କଲେ।

କିଏ.....ଶୁଭା ଯାଉନି କି ତୁମକୁ?

ଏଥର ବି ଶବ୍ଦ ସବୁ ମିଳଇ ଗଲେ ଅନ୍ଧାରରେ ହେଲେ.. ଧୀରେ ଧୀରେ ଛାଇଟା ସଫା ହେଇ ଆସିଲା ଜହ୍ନ ଆଲୁଅରେ।

ରମେଶ ବାବୁ ଅପଲକ ନୟନରେ ଚାହିଁଥାନ୍ତି ଛାୟାଟାକୁ।

-କିଏ... କିଏ.... ମା.... ମା....

ଶବ୍ଦ ଦୁଇଟା ଛିଟିକି ଆସିଲା ପାଟିରୁ।

ସୁନନ୍ଦା ଦେବୀ ନିଦରୁ ଉଠି ହାତ ବୁଲେଇ ଆଣି ଦେଖନ୍ତି ତ ରମେଶ ବାବୁ ଝାଳରେ ବୁଡି ଯାଇଛନ୍ତି।

-ଆରେ!କଣ ହେଲା ?କାହିଁକି ନିଦରେ ବିଳି ବିଳଉଛ?

ଆଖି ଖୋଲିଲେ ରମେଶ ବାବୁ। ମା’...ମା’...ଆସି ଥିଲା।

-ମାଆ ? ସେ ପରା ଗାଁରେ।

-ହଁ ଯେ... ମୁଁ ଦେଖିଲି ତାକୁ ମତେ କାନ୍ଧରେ ପକେଇ ଧୋ ରେ ବାଇଆ ଗାଇ ଶୁଆଇ ଦେଉ ଥିଲା।

-ଓଃ!ପିଲା ହେଇ ଯାଉଛ । ତମ ମା’ ତମକୁ ଧୋ ବାଇଆ ଗାଇ ଶୁଆଇ ଦେଉଛନ୍ତି ! ବୁଝିଲ ଏକଥା ରିଙ୍କୁ ପିଙ୍କୁଙ୍କୁ କହିବନି ସମସ୍ତେ ହସିବେ। ଶୋଇ ଯାଅ ଏବେ ରାତି ଅଧ ହେଲାଣି,ଘଣ୍ଟା ଦେଖ ୧.୩୦ହେଲାଣି । ସକାଳ ହେଲେ ମା’ ପ୍ରେମ ଦେଖେଇବ । ଆରେ....ଶୁଆଇ ଦେବେନି ଟିକେ ଶାନ୍ତିରେ ! ବିରକ୍ତି ପ୍ରକାଶ କରି କହିଲେ ସୁନନ୍ଦା।

-ହୈଓ କି ମାଆ... କାହାର ମାଆ ? କୋଉଠୁ ତମକୁ ଉଠେଇ ଆଣି ଥିଲା ପିଲାଦିନେ ।କଣ ଗଣ୍ଡେ ଚୁଡ଼ା ଚାଉଳ ଦେଇ ବଡ କରି ଥିଲା ଯେ ଆଜି ଯାଏଁ ତାକୁ ପୋସିଲ ।ମୁଁ ଆଉ ଏତେ କାମ କରି ପାରିବିନି ତମର ସେଇ ବାରବୁଲି ନକଲି ମାଆର । ପନ୍ଦର ଦିନ କାଳ ଦେହ ଆଳରେ ଏଠି ରହିଲା ଯେ ଯିବାର ନାଁ ଧରିଲାନି । ଭଲ ମନ୍ଦ ଗେଫି ଚାଲିଲା ବୁଢ଼ୀ । କାଲି ତ ଛାଡିକି ଆସିଲ ତାକୁ ଗାଁରେ । ଆଉ ଆଜି ପୁଣି ସପନରେ ହାଜିର୍ । ବୁଢ଼ୀ ମୋ ପିଛା ଛାଡିବନି ବୋଧେ ।

-ସୁନନ୍ଦା ! ଟିକେ ଚୁପ ରୁହ।ସେ ନକଲି ହଉ କି ଅସଲି ହଉ ଯାହା ହେଲେ ତା ଯୋଗୁ ତ ମୁଁ ମଣିଷ ହେଇଛି । ତା ପାଇଁ କିଛି ନକଲ ନାହିଁ ହେଲେ ତା ବୁଢ଼ୀ କାଳେ ତାକୁ ଏମିତିକା ନିନ୍ଦା ଅପବାଦ ଆଉ ଦିଅନି । ଶୋଇପଡ ରାତି ବହୁତ ହେଲାଣି । ଟିକେ ଚଢା ଗଳାରେ କହିଲେ ରମେଶ ବାବୁ।

-ସୁନନ୍ଦା ଦେବୀ ମୁଁହ ମୋଡି କହି ପକାଇଲେ ଉଁ..... ମାଆ ପ୍ରେମ ଖାଲି ଉଛୁଳି ପଡୁଛି।

-ମାଆ କଣ କେବେ ନକଲି ହେଇ ପାରେ !ଯଦି ବାରବୁଲି ହେଇ ଥିବ ମୋ ପାଇଁ ହେଇ ଥିବ । ଏଇ ସୁନନ୍ଦା ପାଇଁ ସବୁ ଅନର୍ଥ ।ରାତି ପାହୁ ମାଆ ସହ ଟିକେ ଦାଦାଙ୍କ ଫୋନରେ କଥା ହେଇ ଯିବି । ଏମିତି ଭାବୁ ଭାବୁ କେତେ ବେଳେ ଆଖି ଲାଖି ଗଲା ରମେଶ ବାବୁଙ୍କର।

ସକାଳର ନିତ୍ୟ କର୍ମରେ ରମେଶ ବାବୁ ଭୁଲି ଯାଇ ଥାନ୍ତି ରାତିର ସ୍ବପ୍ନ ବିଷୟରେ ।ସମୟ ସକାଳ ଆଠଟା ହେବ। ଫୋନଟା ବାଜି ଉଠିଲା । ରମେଶ ! ଆରେ ମାଆ ଚାଲି ଗଲା ।ସକାଳୁ କବାଟ ନ ଖୋଲିବାରୁ ଝରକା ପଟେ ଦେଖିଲୁ ବୁଢ଼ୀ ତୋ ପିଲା ବେଳ ଫଟୋଟାକୁ ଛାତିରେ ଜାକି ପଡ଼ିଛି । ବ୍ୟସ୍ତ ହୋଇ ସେପଟୁ କହି ପକାଇଲେ ରମେଶର ଦାଦା ତୁ ଶୀଘ୍ର ଗାଁରେ ଆସି ପହଞ୍ଚ। ମଡ଼ାଟା ଉଠିଲେ ଯାହାର ଚୁଲିକୁ ହାଣ୍ଡି ଯିବ।

ରମେଶ ବାବୁଙ୍କ ହାତରୁ ଫୋନଟା ଖସି ପଡ଼ିଲା।ଏଇଟା ସତ ନା ସ୍ବପ୍ନ ସେ ଭାବି ପାରୁ ନଥାନ୍ତି । ଲଥ୍ କରି ତଳେ ବସି ପଡ଼ିଲେ ରମେଶ ବାବୁ ।ଆଃ! ସତରେ କଣ କାଲି ମାଆ ଆସିଥିଲା ! ମତେ ଶେଷ ଥର ପାଇଁ ଦେଖିବାକୁ !! ପିଲା ଦିନର ମୋ ନିଶୂନ ରାତିର ଗାୟିକା ସାଜି ଶେଷ ଥର ପାଇଁ ଧୋ ବାଇଆର ତାଳେ ତାଳେ ମୋ ନିଦ ସଜାଇବା ପାଇଁ?

BySwagatika Mishra


Rate this content
Originality
Flow
Language
Cover Design