Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଗିଖିଆ
ମାଗିଖିଆ
★★★★★

© Arabinda Rath

Inspirational Tragedy

11 Minutes   261    7


Content Ranking



ଲେଖକ- ଅରବିନ୍ଦ ରଥ


କେଜାଣି କାହିଁକି, ଲୋକଟାର ଉପସ୍ଥିତି ସାଗର ମନରେ ଅସମ୍ଭବ ବିରକ୍ତି ଉଦ୍ରେକ କରାଉଥିଲା। ହୋଟେଲ ର ଶୀତତାପ ନିୟନ୍ତ୍ରିତ ବାତାବରଣ, ତା ଦେହ ଓ ମନରେ କୁହୁଳି ଚାଲିଥିବା କ୍ରୋଧାଗ୍ନି କୁ ପ୍ରଶମିତ କରିବାକୁ ଯଥେଷ୍ଟ ନ ଥିଲା। ସେ ପ୍ରାୟ ସବୁ ଦିନ ସଂନ୍ଧ୍ଯାବେଳେ ଏଇ ହୋଟେଲ କୁ ଆସେ। କିଛି ସୁସ୍ବାଦୁ ଜଳଖିଆ ଖାଇବା ସହ ରାତ୍ରୀଭୋଜନ ପାଇଁ ଖାଦ୍ଯ ନେଇ ଘରକୁ ଯାଏ। ଦିନସାରା ଅଫିସ୍ ରେ ଖଟିଖଟି ଦେହ ଅବଶ ହୋଇପଡେ। ତେଣୁ ଘରକୁ ଯାଇ ରୋଷେଇ କରି ଖାଇବା ତା ପକ୍ଷରେ ନିହାତି ଅସମ୍ଭବ ବୋଲି ଅନ୍ତତଃ ସେ ମନେକରେ। ସେ ବାହା ସାହା ହୋଇଥିଲେ ପରିସ୍ଥିତି ଟା ନିହାତି ଅଲଗା ହୋଇଥା'ନ୍ତା ; କିନ୍ତୁ ଆଗାମୀ ଦୁଇ ତିନି ବର୍ଷ ଯାଏ ସେ ବିବାହ କରିବାର କୌଣସି ସୂଚନା ମଧ୍ଯ ନ ଥିଲା। ଅତଏବ୍ , ସେ ନିର୍ଦ୍ଧାରିତ କରିଥିବା ଜୀବନଶୈଳୀ, ସବୁ ଦୃଷ୍ଟିରୁ ଉପଯୁକ୍ତ ବୋଲି ସେ ଭାବୁଥିଲା।

ବେଶ୍ କିଛି ଦିନ ହେବ ସେ ଲୋକଟାକୁ ଲକ୍ଷ କରୁଛି। ସେ କିଏ, କଣ ତାର ପରିଚୟ- - ସେ ବିଷୟ ଜାଣିବାର କୌଣସି ଆବଶ୍ଯକତା ଅନୁଭବ କରି ନ ଥଲା ସାଗର। କିନ୍ତୁ ଦିନ ବଢିବା ସହ ତା ମନରେ ସେହି ରହସ୍ଯମୟ ବ୍ଯକ୍ତି ପ୍ରତି ବଢି ଚାଲିଥିଲା ଅସୂୟାଭାବ ଓ ଅସହିଷ୍ଣତା। ଲୋକଟି କାହାର କ୍ଷତି କରେନି, କେବଳ ଅପଲକ ନୟନ ରେ ଚାହିଁ ରହିଥାଏ ହୋଟେଲରେ ଖାଉଥିବା ଲୋକ ମାନଙ୍କୁ। କୌଣସି ଗ୍ରାହକ ଖାଦ୍ଯ ସମାପ୍ତ କରି ଟେବୁଲ ଛାଡି ଉଠିବା ମାତ୍ରେ ସେ ପହଞ୍ଚି ଯାଏ ଓ ବଳକା ଖାଦ୍ଯ କୁ ଯତ୍ନ ସହକାରେ ଜରି ବ୍ଯାଗ୍ ରେ ପୁରାଏ। ତା ପାଖରେ ଥାଏ ଅସରନ୍ତି ଜରି ବ୍ଯାଗ୍ ର ଭଣ୍ଡାର। ପ୍ରତି ଟେବୁଲ ରୁ ସେ ସଂଗ୍ରହ କରିଚାଲେ ବଳକା ଖାଦ୍ଯ ଓ ସାଙ୍ଗରେ ଆଣିଥିବା ବ୍ଯାଗ୍ ପୂର୍ଣ୍ଣ ହୋଇଯିବା ପରେ ସେ ଅନ୍ତର୍ଦ୍ଧାନ ହୋଇଯାଏ। ପ୍ରତିଥର ସେ ଦୋକାନ ମାଲିକ ପାଖକୁ ଯାଇ କିଛି ଟଙ୍କା ବଢାଇ ଦିଏ। କିନ୍ତୁ, ସବୁଠାରୁ ଆଶ୍ଚର୍ଯ୍ଯ କଥା ହେଲା, ହୋଟେଲ ମାଲିକ ଯୋଡହସ୍ତରେ ଲୋକଟି ସହ କିଛି କଥା ହୁଏ ଓ କିଛି ଟଙ୍କା ନେବାକୁ ମନା କରେ।

ଏମିତି ପାଲା ନିତି ଦିନ ଚାଲେ। ପ୍ରଥମେ ସାଗର ଏ ଘଟଣା କୁ ଏତେ ଗୁରୁତ୍ବ ଦେଇ ନ ଥିଲା। କିନ୍ତୁ ତା ସମ୍ମୁଖରେ ଘଟି ଚାଲିଥିବା ଏହି ଅସ୍ବାଭାବିକ ଦୃଶ୍ଯ କୁ କେତେ ଦିନ ବା ଅଣଦେଖା କରି ରହି ପାରି ଥା'ନ୍ତା। ସେ ଲୋକକୁ ଦେଖିଲେ ସାଗର ପାଟିରୁ ସ୍ବତଃସ୍ଫୁର୍ତ୍ତ ଭାବରେ ବାହାରି ଆସେ " ମାଗିଖିଆ କୋଉଠିକାର ”। ମାଗିଖିଆ ହୋଇ ନ ଥିଲେ, ଏମିତି ନିର୍ଲ୍ଲଜ ଭାବରେ ଲୋକଙ୍କ ଅଇଁଠା ଖାଇବା କାହିଁକି ଗୋଟାଉଥା'ନ୍ତା ? ଲୋକର ବେଶ ପୋଷାକ ଦେଖିଲେ ଲାଗିବ ସତେକି ଭଦ୍ରଘର ଲୋକ, କିନ୍ତୁ ସେମାନେ କ'ଣ ଏମିତି ଅଇଁଠା ଖିଆ କାମ କରନ୍ତି?

ଥରେ ସେ ସାଙ୍ଗସାଥୀଙ୍କ ସହ ସେହି ହୋଟେଲରେ ରାତ୍ରୀଭୋଜନ କରୁଥିଲା। ଜଣେ ଅନ୍ତରଙ୍ଗ ସାଙ୍ଗର ଜନ୍ମଦିନ ପାଳନ ଚାଲିଥିଲା ବେଶ୍ ଜାକଜମକରେ। ଟେବୁଲ ଉପରେ ସଜାଇ ରଖା ଯାଇଥିଲା ଅନେକ ପ୍ରକାରର ସୁସ୍ବାଦୁ ବ୍ଯଞ୍ଜନ ଓ ସମସ୍ତେ ମହା ଆନନ୍ଦ ସହକାରେ ଖାଇ ଚାଲିଥିଲେ। ସେତିକି ବେଳେ ଆବିର୍ଭାବ ହେଲା ମାଗିଖିଆ ର ଓ ତାକୁ ଦେଖିବା ମାତ୍ରେ ସାଗର ର ମନ ଅବ୍ଯବସ୍ଥିତ ହୋଇ ଉଠିଲା। ମନ ଭିତରେ ଉତ୍ତାଳ ତରଙ୍ଗ ସୃଷ୍ଟି କରୁଥିବା ଆନନ୍ଦ ରେ ସତେ ଯେମିତି ଭଟ୍ଟା ପଡିଗଲା । ସେ ଗୁମସୁମ ହୋଇ ବସିବା ଦେଖି ଅନ୍ଯ ସାଙ୍ଗ ମାନେ ଘଟଣା କଣ ଜାଣିବାକୁ ଆଗ୍ରହ ପ୍ରକାଶ କଲେ। ସେମାନଙ୍କ ଭିତରେ କିଛି ଆଲୋଚନା ହେବା ପରେ ସମସ୍ତେ ଚୁପିଚୁପିି ହସିବାରେ ଲାଗିଲେ। ଖାଦ୍ଯ ଭର୍ତ୍ତି ପ୍ଲେଟ୍ ଦୁଇଟି ଅନ୍ଯ ଏକ ଟେବୁଲ ଉପରେ ରଖିଦେଇ ସମସ୍ତେ ମାଗିଖିଆର ଆଗମନ କୁ ଅପେକ୍ଷା କରି ରହିଲେ। ସତ କୁ ସତ ସେ ଆସିଲା ଓ ବ୍ଯାଗ୍ ରୁ ଜରିମୁଣା କାଢି ଖାଦ୍ଯ ପୁରାଇବା କୁ ଉଦ୍ଯତ ହେଲା ବେଳକୁ,

ସାଗର ପାଟି କରି କହିଲା- - ଆରେ ହେଃ, ସେଥିରେ ହାତ ମାରନି, ତୁ କଣ ଆମ ଖାଇବା ଟେବୁଲ୍ ରୁ ଖାଇବା ଛଡାଇ ନେବୁ ନା କଣ? ବଡ ନିର୍ଲ୍ଲଜ ଲୋକ ତ? ଆରେ ମାଗିଖିଆ, ତୁ ମଣିଷ ନା କୁକୁର। ଲୋକଙ୍କ ଅଇଁଠା ଖାଉଛୁ, ତୋତେ ଲାଜ ଲାଗୁନି। ଭଦ୍ରଲୋକଙ୍କ ପରି ବେଶଭୂଷା ହୋଇ ଏମିତି ନିଉଛୁଣିଆ କାମ କିପରି କରୁଛୁ?

ଏତିକି କହି ସାଗର ସଗର୍ବେ ସାଙ୍ଗ ମାନଙ୍କୁ ଦେଖିବାକୁ ଲାଗିଲା। କରତାଳିରେ ସ୍ଥାନ ଟି ଫାଟି ପଡିବା ପରି ଲାଗିଲା। ସାଙ୍ଗ ମାନେ କରତାଳି ଦେଇ ସୂଚାଇ ଦେଲେ ଯେ ସାଗର ସେ ଲୋକଟିକୁ ଅତି ଉତ୍ତମ ରୂପରେ ଅପମାନିତ କରିବାରେ ସଫଳ ହୋଇଛି। ସେତିକି ରେ ସାଗର ର ମନ ପୁରିଲାନି ; ସେ ଜୋରରେ ଧକ୍କା ମାରି ଲୋକଟାକୁ ତଳେ ପକାଇ ଦେଇ ଗୋଇଠାଏ ମାରିଲା। ନୀରବରେ ଲୋକଟି ଉଠିଲା ଓ "କ୍ଷମା କରନ୍ତୁ ଆଜ୍ଞା" ବୋଲି କହି ହୋଟେଲ ରୁ ବାହାରକୁ ଚାଲିଗଲା। ଯଦିଓ ସେ ଲୋକର ଛକ୍ଷୁଯୁଗଳରେ ନିର୍ଲ୍ଲିପ୍ତ ଭାବ ସ୍ପଷ୍ଟ ଦିଶୁଥିଲା, ତାହା ସାଗର କୁ ବିଦ୍ରୋହର ପରିଭାଷା ପରି ବୋଧ ହେଲା। କିନ୍ତୁ ସେ କିଛି କହିବା ପୂର୍ବରୁ ଲୋକଟି ସ୍ଥାନ ଛାଡି ଯାଇ ସାରିଥିଲା।

ଏହି ଘଟଣା କିଛି ଲୋକ ଦେଖିଲେ ମଧ୍ଯ କୌଣସି ପ୍ରତିକ୍ରିୟା ଦେଖାଇବା ଉଚିତ୍ ମନେ କଲେନି। ହୋଟେଲ ମାଲିକ, କାର୍ଯ୍ଯବ୍ଯସ୍ତତା ହେତୁ ଏ ଘଟଣା ଦେଖି ପାରିଲା ନ ଥିଲେ। ସାଗର ମନ ଭିତରେ କ୍ରୋଧାଗ୍ନୀ ତୀବ୍ରତ୍ତର ହେବାକୁ ଲାଗିଲା। ଆଶ୍ଚର୍ଯ୍ଯ ! ତା ବୀରତ୍ବର ପରାକାଷ୍ଠା କେହି ଦେଖି ପାରିଲେନି ଓ ଯିଏ ବି ଦେଖିଲା କୌଣସି ପ୍ରତିକ୍ରିୟା ଦେଲା ନାହିଁ। ସେ ହୋଟେଲରେ ଖାଉଥିବା ଲୋକ ମାନଙ୍କୁ ଗାଳି ଗୁଲଜ କରି ଘରକୁ ଫେରିଲା।

ସେଦିନ ରାତିରେ ତା ଆଖିରୁ ନିଜ ହଜି ଯାଇଥିଲା। ଅନେକ ଅବାସ୍ତବ କଳ୍ପନା ରେ ଅସ୍ତବ୍ଯସ୍ତ ହୋଇ ଚାଲିଥିଲା ତା ମନ। ସେ ଭାବୁଥିଲା- - - ମାଗିଖିଆ ଟା କ'ଣ ସବୁ ଖାଇବା ନିଜେ ଖାଇ ଦେଉଥିବ, ନା ତା ଘର ଲୋକଙ୍କୁ ଦେଉଥିବ। ନାଃ,ସେ ବୋଧେ ଖାଦ୍ଯ ସଂଗ୍ରହ କରି ଅନ୍ଯ କେଉଁଠାରେ ବିକ୍ରୀ କରି ଦେଉଥିବ। କିନ୍ତୁ କାହାକୁ? କେଉଁମାନେ ସେ ଅଭାଗା ଗ୍ରାହକ, ଯିଏ ଲୋକଙ୍କ ଉଚ୍ଛିଷ୍ଟ ଖାଦ୍ଯ ଖାଉଥିବେ ଟଙ୍କା ଦେଇ?

ତା ମନରେ ଲୋକଟି ପ୍ରତି ଘୃଣାଭାବ ଚକ୍ରବୃଦ୍ଧି ହାରରେ ବଢି ଚାଲିଥିଲା। ମନ ହେଉଥିଲା ତା ବେକରେ ଗାମୁଛା ପକାଇ ରାସ୍ତାରେ ପିଟିପିଟି ଘୋଷଣା କରିବାକୁ-- ଦେଖ ସବୁ ଏ ମାଗିଖିଆକୁ, ଇଏ ସବୁ ଦିନ ହୋଟେଲରୁ ବଳକା ଖାଇବା ସଂଗ୍ରହ କରି ଲୋକଙ୍କୁ ବିକ୍ରୀ କରୁଛି। ଏମିତି ପାପୀ କୁ ଦଣ୍ଡ ଦେବା ନିହାତି ଆବଶ୍ଯକ। ତାକୁ ପଥର ମାର, ତା ମୁଣ୍ଡ ଫଟାଇ ଦିଅ , ଏ ପାପୀ ମାଗିଖିଆକୁ ଉପଯୁକ୍ତ ଦଣ୍ଡ ଦିଅ।।

ରାତିସାରା ଖଟ ଉପରେ କଡ ଲେଉଟାଇ ସକାଳ କେତେବେଳେ ହୋଇଗଲା ସେ ଜାଣି ମଧ୍ଯ ପରିଲାନି। କିନ୍ତୁ ସେ ଅନୁଭବ କରୁଥିଲା, ମାଗିଖିଆ ଲୋକଟି ତା ଆତ୍ମାକୁ ଭୀଷଣ ଭାବରେ କବଳିତ କରି ସାରିଛି। ବେଳେବେଳେ ଏମିତି ବି ହୁଏ; ମଣିଷ ନିଜ ଅଜାଣତ ରେ ଅଦୃଶ୍ଯ ଶତୃ ତିଆରି କରିଦିଏ ଓ ଶତୃତାର ଲେଲିହାନ ଶିଖାରେ ନିଜକୁ ଜାଳିପୋଡି ଛାରଖାର କରିଦିଏ। କିନ୍ତୁ ବିଡମ୍ବନା ଏହା ଯେ, ଯାହା ପ୍ରତି ସେ ଶତୃତା ଆଚରଣ କରେ, ସେ ଲୋକ ପାଖରେ ଏ ବିଷୟରେ କିଞ୍ଚିତ୍ ସୂଚନା ନ ଥାଏ।

ପୂର୍ବ ଘଟଣା ଘଟିବାର କିଛି ଦିନ ଯାଏ ସେ ମାଗିଖିଆ ଲୋକର ଆବିର୍ଭାବ ସେହି ହୋଟେଲ ରେ ହେଲାନାହିଁ। ସାଗର କୁ ଲାଗିଲା ବୋଧେ ସେଦିନ ର ଘଟଣା ପାଇଁ ଲୋକଟି ଭୟରେ ହୋଟେଲ କୁ ଆସୁନାହିଁ। ଭାବିଲା ଯାଇ ମାଲିକ କୁ ପଚାରିବ, କିନ୍ତୁ ରହିଗଲା। କାଳେ ମାଲିକ ଖରାପ ଭାବିବ ? ଯାହା ହେଲେ ବି, ତା ପରି ଜଣେ ଭଦ୍ରଲୋକ ଯଦି ମାଗିଖିଆ ଲୋକଙ୍କ ବିଷୟ ରେ ପଚାରି ବୁଝିବ, ଲୋକେ କ'ଣ କହିବେ? ମାଗିଖିଆ ର ଅନ୍ତର୍ଦ୍ଧାନ ସହିତ ସାଗର ମନରେ କାୟା ବିସ୍ତାର କରି ଚାଲିଥିବା ଉତ୍କଣ୍ଠା ଓ ଉଦବିଗ୍ନତା ର ଘନକୃଷ୍ଣ ମେଘ ଅପସରି ଯାଉଥିଲା। କାମର ବୋଝରେ ନିଷ୍ପେସିତ ମାନସ ପଟ୍ଟଳରେ ତା ଛବି ମଧ୍ଯ ଝାପସା ଦିଶିବାକୁ ଆରମ୍ଭ କରି ଆସିଥିଲା।

କିନ୍ତୁ ଅଚାନକ୍ ପୁଣି ଥରେ ସେଦିନ ମାଗିଖିଆର ଆବିର୍ଭାବ ହେଲା ହନୁମାନ ମନ୍ଦିର ରେ। ସେଦିନ ଛୁଟି ଥିବାରୁ ସାଗର, ହନୁମାନ ମନ୍ଦିରରେ ଦର୍ଶନ କରି ଭୋଗ ଖାଇବାକୁ ମନସ୍ଥ କରିଥିଲା। ଦର୍ଶନ ସାରି ଭୋଗମଣ୍ଡପ ଆଡକୁ ଅଗ୍ରସର ହେବା ବେଳକୁ ତା ନଜର ପଡିଗଲା ମାଗିଖିଆ ଉପରେ। ସାଧାରଣ ବେଶ ପୋଷାକ ପରିହିତ ମାଗିଖିଆ ଧିର ପଦକ୍ଷେପରେ ଲୋକ ମାନେ ଛାଡି ଯାଇଥିବା ବଳକା ଭୋଗ ଜରି ରେ ପୁରାଇବା କାର୍ଯ୍ଯରେ ଲାଗି ପଡିଥିଲା। କିଛି ଦୟାଳୁ ଭକ୍ତ ସ୍ବତ୍ତଃପ୍ରବୃତ୍ତ ଭାବେ ତାକୁ ଭୋଗ ଯାଚି କରି ଦେଉଥିଲେ। ତାକୁ ଦେଖିବା ମାତ୍ରେ ସାଗରର ସର୍ବାଙ୍ଗ ଶରୀର କ୍ରୋଧରେ କମ୍ପମାନ ହେବାକୁ ଲାଗିଲା। ମନେମନେ କହିଲା-- ଏ ଅନାର୍ଯ୍ଯ ଶେଷକୁ ମନ୍ଦିର ରେ ବି ପହଞ୍ଚିଗଲା। ମାଗିଖିଆ ଏମିତି ମାଗଣାରେ ଖାଇ ଖାଇ ଖୁବ୍ କମ ଦିନ ରେ ସମ୍ପୂର୍ଣ୍ଣ ସଂସାର ଗିଳିଦେବ । ଲୋକଟା ଭଦ୍ର ପୋଷାକ ପିନ୍ଧି ଏପରି ଘୃଣ୍ଯ କାମ କଲା ବେଳକୁ ତା ବିବେକ କିପରି ବାଧା ଦେଉନାହିଁ ବୋଲି , ସେ ନିଜକୁ ପ୍ରଶ୍ନ କରି ଚାଲିଲା। ମାଗିଖିଆର ପୁନଃ ଆବିର୍ଭାବ ସାଗର ର ମନ,ପ୍ରାଣ ଓ ଆତ୍ମାରେ ପୁଣି ଥରେ ତିକ୍ତ ଶତୃତାର ନିର୍ଝରିଣୀ ପ୍ରବାହିତ କରି ଦେଇଥିଲା। ମନ୍ଦିରରେ ଭୋଗ ନ ଖାଇ ସେ ଘରକୁ ଫେରି ଆସିଲା। ବେଳ କୁ ବେଳ ମନ ଅଶାନ୍ତ ହୋଇ ଉଠୁଥିଲା। ତାକୁ ଲାଗୁଥିଲା ଏ ସମଗ୍ର ଜଗତରେ ତା'ର ଏକ ମାତ୍ର ପ୍ରତିଦ୍ବନ୍ଦୀ ହେଲା ମାଗିଖିଆ।

କିନ୍ତୁ କାହିଁକି? ଏତେ ବଡ ସଂସାର ରେ କଣ ଶତୃ ହେବା ପାଇଁ ଲୋକଙ୍କ ଅଭାବ ଯେ, ସେ ମାଗିଖିଆକୁ ନିଜ ଶତୃ ରୂପରେ ବାଛି ନେଇଥିଲା ?

ମାଗିଖିଆ ଲୋକଟିକୁ ଦେଖିବା ମାତ୍ରେ ସେ ପ୍ରତିଥର ଅନୁଭବ କରିଛି ତା ହାତର ଏକ ନିର୍ଦ୍ଦିଷ୍ଟ ଅଂଶରେ ଭୀଷଣ ଜ୍ବାଳା। ସେହି ଜ୍ବାଳା ନିମିଷକରେ ସାଗରର ସମଗ୍ର ଶରୀର କୁ କବଳିତ କରେ ଓ ତା'ର ଅସ୍ତିତ୍ବ କୁ ଧ୍ବସ୍ତବିଧ୍ବସ୍ତ କରି ପକାଏ।

ଅଚାନକ ସମୟର ଚକ ଫେରିଚାଲିଲା ଅତୀତ କୁ- -

ସେଦିନ ବର୍ଷଣ ମୁଖର ରାତ୍ରିକାଳରେ ନାରୀ ଟି ପ୍ରସବ ବେଦନା ର ଅତିଷ୍ଠ ହୋଇ ଉଠୁଥିଲା। ଅନେକ ଲୋକଙ୍କୁ ସାହାଯ୍ଯ ଭିକ୍ଷା କରି ବିଫଳ ହେବା ପରେ, ପୁରୁଷଟି ସାଇକେଲରେ ବସାଇ ତାକୁ ଡାକ୍ତରଖାନା କୁ ନେବାକୁ ମନସ୍ଥ କଲା। ଘନ ଅନ୍ଧକାରରେ ମୁହଁ କୁ ମୁହଁ ଦେଖିବା ମଧ୍ଯ ସମ୍ଭବ ନ ଥିଲା। ଏପରି ସ୍ଥଳେ ପ୍ରସବ ବେଦନା ରେ ଅତିଷ୍ଠ ନାରୀ ଜଣଙ୍କୁ ସୁରକ୍ଷିତ ଭାବରେ ଡାକ୍ତରଖାନା ରେ ପହଞ୍ଚାଇବା, କେତେ ଯେ କଷ୍ଟକର ତାହା ସହଜରେ ଅନୁମେୟ। ଦୁର୍ଯୋଗ କେବେ ଏକୁଟିଆ ଆସେନି, ବରଂ ଅନେକ ଦୁଃଖ ଓ ଲୁହର ଝରଣା ସାଙ୍ଗରେ ନେଇ ଆସେ। ବୋଧ୍ ହୁଏ ସେହି ପୁରୁଷ ଓ ନାରୀ ଙ୍କ ଭାଗ୍ଯରେ ସେମିତି କିଛି ଲେଖାଥିଲା। ଦୃତଗତି ରେ ଆସୁଥିବା ଏକ ମୋଟରଯାନ ସାଇକେଲକୁ ଧକ୍କା ଦେଲା ଓ ପୁରୁଷଟି ସେହି କ୍ଷଣି ମୃତ୍ଯୁବରଣ କଲା। ଭୀଷଣରୂପରେ ଆଘାତପ୍ରାପ୍ତ ନାରୀଟି କିଛି କ୍ଷଣ ପରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଆଖି ବୁଜିଲା। ସେଦିନ ଭୀଷଣବର୍ଷା ଓ ପ୍ରତିକୂଳ ପରିସ୍ଥିତି, ସେହି ଶିଶୁପୁତ୍ରର ନିଶ୍ବାସ ପ୍ରଶ୍ବାସର ଗତିରୋଧ କରିବାରେ ସଫଳ ହୋଇ ପାରି ନ ଥିଲା। ତା' ପର ଦିନ ସକାଳୁ ଏକ ଆଦିବାସୀ ଦମ୍ପତ୍ତିଙ୍କ ଦ୍ବାରା ଉଦ୍ଧାର ପାଇ ପିଲାଟି ନବଜୀବନ ଲାଭ କଲା। ସୀମିତ ସମ୍ବଳରେ ସେମାନେ କିଛି ଦିନ ପିଲାଟିର ଲାଳନ ପାଳନ କଲେ,କିନ୍ତୁ ଅଭାବ ଓ ଦାରିଦ୍ର୍ଯ ଜର୍ଜରିତ ଅବସ୍ଥାରେ ସେମାନେ କେତେ ଦିନ ବା ପିଲାଟିକୁ ନିଜ ପାଖରେ ରଖି ପାରିଥା'ନ୍ତେ। ପିଲା ଟିକେ ବଡ ହୋଇଯିବା ପରେ ତାକୁ ନେଇ ସହରର ଭିଡ ମଧ୍ଯରେ ଛାଡି ଦେଇ ସ୍ବଗୃହ କୁ ବାହୁଡି ଆସିଲେ। ସେମାନଙ୍କର ଏତାଦୃଶ୍ଯ କାର୍ଯ୍ଯ ନିର୍ମମ ଲାଗିପାରେ ; ମାତ୍ର ନିଜ ପାଖରେ ରଖି ପିଲାଟିକୁ ଅଭାବ ଅସୁବିଧାରେ ତିଳ ତିଳ ଜାଳିବା ଅପେକ୍ଷା, ତାକୁ ନିଜ ଭାଗ୍ଯର ନିର୍ଦ୍ଧାରଣ ନିଜେ କରିବା ପାଇଁ ଛାଡିଦେବା କୁ ସେମାନେ ଶ୍ରେୟସ୍କର ମନେ କରିଥିଲେ।

ସହରରେ ବଞ୍ଚିବା ପାଇଁ ସଂଘର୍ଷ କରି ପିଲାଟିର ଦିନ ବିତିଗଲା। ରୁଟି ପଟେ ପାଇବା ପାଇଁ ସେ କେତେ ବେଳେ ପଶୁ ପାଲଟୁଥିଲା ତ କେତେ ବେଳେ ଭିକାରୀ। କେତେବେଳେ ଜଳଖିଆ ଦୋକାନର ଅଳିଆ ଗଦାରୁ ଗୋଟାଇ ଖାଉଥିଲା ତ କେତେବେଳେ ବାହାଘର ଭୋଜି ସ୍ଥାନରେ ଅଇଁଠା ପତ୍ରରୁ କୁକୁରଙ୍କୁ ଘଉଡାଇ ଖାଇବା ଖୋଜୁଥିଲା। ମନୁଷ୍ଯର ଶରୀର ଧାରଣ କରି ମଧ୍ଯ ସେ ବୁଲାକୁକୁରଙ୍କ ପାଖରେ ଖାଇଛି,ପିଇଛି ଓ ଶୋଇଛି କ୍ଷୁଧାର ତାଡନା କୁ ପ୍ରତିହତ କରି ଜୀବନ ଧାରଣ ପାଇଁ। ସକାଳ ହେଲେ ଦୋକାନ ଦୋକାନ ବୁଲି ହାତ ପତେଇଛି ପେଟ ଚାଖଣ୍ଡକ ପାଇଁ। କ୍ଷୁଧାର ଅସଲ ସ୍ବରୂପ କୁ ସେ ମର୍ମେ ମର୍ମେ ଅନୁଭବ କରିଛି ଓ ତାକୁ ପ୍ରଶମିତ କରିବାର ଅନେକ ପନ୍ଥା ନିଜେ ଖୋଜି କାଢିଛି। ଜୀବନ ଯୁଦ୍ଧରେ ତିଷ୍ଠି ରହିବା ଭିତରେ ସେ ଅନେକ ଉପାଧି ପାଇଛି-- ଘୁଷୁରୀ, ଚୋର, ଖଣ୍ଟ, ଅଇଁଠାଖିଆ, ମାଗିଖିଆ....

ଦିନେ ଚାରିଆଡେ ଖାଦ୍ଯ ସନ୍ଧାନ କରି ନିଷ୍ଫଳ ହେବା ପରେ, କ୍ଷୁଧାର ତାଡନା ସହ୍ଯ କରି ନ ପାରି ସେ ଏକ ଜଳଖିଆ ଦୋକାନ ରୁ ଖଣ୍ଡେ ବରା ଚୋରି କରିବା ବେଳେ ଧରାପଡିଗଲା। ନୃଶଂସ ଦୋକାନୀ ତାକୁ କାଠ ଫାଳିଆ ରେ ବାଡେଇ ଦରମରା କରିବା ପରେ ତା ହାତରେ ତତଲା ଲୁହା ଚିମୁଟା ରେ ଚେଙ୍କ ଦେଇ ଦେଲା। ଅସହ୍ଯ ଯନ୍ତ୍ରଣା ଓ ପୋଡା ମାଂସର ଗନ୍ଧରେ ଜର୍ଜରିତ ହୋଇ ସେ ଚେତାଶୂନ୍ଯ ହେବା ପୂର୍ବରୁ କେବଳ ଏତିକି ଶୁଣି ପାରିଥିଲା-- “ ମାଗିଖିଆ, ଆଉ ଦିନେ ଯଦି ମୋ ଦୋକାନ ପାଖରେ ତୋତେ ଦେଖିବି ଜୀଅନ୍ତା ଜାଳିଦେବି”।

କେହି ଜଣେ ଭଦ୍ରବ୍ଯକ୍ତି ସେଦିନ ଚେତାଶୂନ୍ଯ ହୋଇ ପଡିଥିବା ପିଲା କୁ ଉଦ୍ଧାରକରି ଏକ ଅନାଥ ଆଶ୍ରମ ରେ ରଖାଇବାର ବ୍ଯବସ୍ଥା କରି ଦେଇଥିଲେ। ନିଜ ପରିଶ୍ରମ ବଳରେ ସେହି ପିଲା ଜୀବନର ପାହାଚ ପରେ ପାହାଚ ଚଢି ନିଜକୁ ପ୍ରତିଷ୍ଠିତ କରି ପାରିଥିଲା।

ହଠାତ୍ ସାଗର କାନ ପାଖରେ ଗୁଞ୍ଜରିତ ହେଲା " ମାଗିଖିଆ”। ସେ ଚମକି ଉଠି ଚତୁର୍ଦ୍ଦିଗ କୁ ଦେଖିବାକୁ ଲାଗିଲା।

ଚିତ୍କାର କରି କହିଲା - - ସେ ମାଗିଖିଆ କାହିଁ କେତେ କାଳୁ ସମାଧିସ୍ଥ ହେଲାଣି। ମୁଁ ମାଗିଖିଆ ମାନଙ୍କୁ ଘୃ ଣା କରେ। ସେମାନେ ଦୁର୍ବଳ ଓ ମେରୁଦଣ୍ଡ ବିହୀନ ପ୍ରାଣୀ। ସେମାନଙ୍କର ଏ ଦୁନିଆରେ ରହିବାର କୌଣସି ଅଧିକାର ନାହିଁ। ମାଗିଯାଚି ଖାଦ୍ଯ ଖାଇ ସୁଖ ନିଦ୍ରା ଯିବା ଅପେକ୍ଷା , ସେମାନେ ନିଜ ମୃତ୍ଯୁ ର ଭିକ୍ଷା ମାଗି ଚିରକାଳ ଶାନ୍ତିରେ ଶୋଇଯିବା ହିଁ ଶ୍ରେୟସ୍କର।

ନାଃ ଆଉ ନୁହଁ, ତାକୁ କିଛି କରିବାକୁ ହେବ। ତା ଜୀବନ କୁ ଅବ୍ଯବସ୍ଥିତ କରି ଚାଲିଥିବା ମାଗିଖିଆକୁ ନିଶେଃଷ କରିବାକୁ ହେବ। ନିଜର ବର୍ତ୍ତମାନ ଓ ଭବିଷ୍ଯତକୁ ସୁରକ୍ଷିତ କରିବାକୁ ହେଲେ, ସେ ଲୋକ କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ହେବ। ସେ ଅଟ୍ଟହାସ୍ଯ କରି ଉଠିଲା- - ବାସ୍ ସେଇଆ ହିଁ ହେବ। ଏ ସହର ରେ ସବୁଦିନ କେତେ ଦୁର୍ଘଟଣା ଘଟି ଚାଲିଛି ତାର ହିସାବ ନାହିଁ। ସେମିତି ଆଉ ଏକ ଦୁର୍ଘଟଣା ହେବ ଓ ତା ରାସ୍ତାର କଣ୍ଟା ସବୁଦିନ ପାଇଁ ନିଶ୍ଚହ୍ନ ହୋଇଯିବ। ପୈଶାଚିକ ହସରେ ମୁଖରିତ ହୋଇ ଉଠିଲା ସାଗରର ଶୟନକକ୍ଷ।

ହୋଟେଲରୁ ଲୋକଟି ସବୁଦିନ ପରି ଖାଦ୍ଯଭର୍ତ୍ତି ବ୍ଯାଗ୍ ଧରି ରାସ୍ତାରେ ପହଞ୍ଚିଲା। ସାଗର ଧିର ପଦକ୍ଷେପରେ ତାକୁ ଅନୁସରଣ କରିବାକୁ ଲାଗିଲା। ଲୋକଟି କିଛି ବାଟ ଚାଲି ଚାଲି ଯିବା ପରେ ଏକ ନିର୍ଜନ ସ୍ଥାନ ରେ ଛିଡା ହୋଇ ଚାରି ଆଡକୁ ଦେଖିବାକୁ ଲାଗିଲା। ସାଗର ଭାବିଲା - - ଲୋକଟା ବୋଧେ ଖାଇବା ବିକ୍ରୀ କରିବାକୁ ଗ୍ରାହକ ଖୋଜିବାରେ ଲାଗିଛି। ଅଚାନକ ସେ ଦେଖିଲା କିଛି ନିହାତି ଦରିଦ୍ର ଶ୍ରେଣୀ ର ଲୋକ ଓ ପିଲା, ଲୋକଟି ଆଡକୁ ମନଖୁସି ରେ ଦଉଡି ଆସୁଛନ୍ତି। ସେମାନଙ୍କୁ ଦେଖିଲେ ମନରେ କରୁଣାଭାବ ଜାଗ୍ରତ ହୋଇଯିବ। ସେମାନଙ୍କ ଶରୀରରେ କେବଳ ଥିଲା ଅସ୍ଥି ର ପ୍ରାବଲ୍ଯତା, ପେଟ ଓ ପିଠି ମଧ୍ଯରେ ଦୂରତା ଖୁବ୍ କମ ଥିଲା କହିଲେ ଅତ୍ଯୁକ୍ତି ହେବ ନାହିଁ। କୋଟରଗତ ଚକ୍ଷୁରେ କେବଳ ଦାରିର୍ଦ୍ର୍ଯ ଓ ଅସହାୟତା ର ଭାଷା ସ୍ପଷ୍ଟ ପଢି ହେଉଥିଲା। ପିଲା ମାନଙ୍କୁ ଦେଖିଲେ ଲାଗୁଥିଲା ସେମାନେ କାହିଁ କେତେ ଦିନରୁ କିଛି ଖାଇ ନାହାଁନ୍ତି। କାଉଁରିଆ କାଠି ପରି ହାତ ଗୋଡ ବିଶିଷ୍ଟ ସେହି ପିଲା ମାନଙ୍କର ଏକ ମାତ୍ର ଆଖିଦୃଶିଆ ଅଙ୍ଗ ଥିଲା, ନୁଖୁରା କେଶଯୁକ୍ତ ମୁଣ୍ଡ। ସେ ମୁଣ୍ଡ ଭିତରେ କେବଳ ଥିଲା ଗୋଟିଏ ଚିନ୍ତା-- ହା ଅନ୍ନ...ହା ଅନ୍ନ ।

ଘୃଣାରେ ସାଗର ର ମୁହଁ ବିକୃତ ହୋଇ ଉଠିଲା। ତା ପାଟିରୁ ବାହାରି ପଡିଲା-- ଏ ମାଗିଖିଆ ଚାରିଆଡୁ ଖାଦ୍ଯ ଯୋଗାଡ କରୁଛି ଏମାନଙ୍କୁ ବିକ୍ରୀ କରିବା ପାଇଁ। ଏହି ଦରିଦ୍ର ଲୋକେ ତାକୁ ପ୍ରତିବଦଳ ରେ କ'ଣ ବା ଦେବେ? ଏପରି ଦୁରାଚାରୀ ଲୋକ ପାଇଁ କେବଳ ଏକମାତ୍ର ଦଣ୍ଡ ପ୍ରଯୁଯ୍ଯ; କେବଳ ମୃତ୍ଯୁଦଣ୍ଡ। ସାର୍ଟ ତଳେ ଲୁଚାଇ ରଖିଥିବା ଶାଣିତ ଛୁରି କୁ ହାତରେ ମୁଠାଇ ଧରି ସେ ଲୋକଟି ଆଡକୁ ଅଗ୍ରସର ହେବାକୁ ଲାଗିଲା।

ସେତେବେଳକୁ ଲୋକଟି ତଳେ ବସି ପଡିଥିଲା ଓ ତା ଚାରି ପଟରେ ସେହି ଅନାଥ, ଦରିଦ୍ର, କ୍ଷୁଧାର୍ତ୍ତ ପ୍ରାଣଟି ମାନ ହସ୍ତ ପ୍ରସାରଣ କରି ବସିଥିଲେ। ଅତି ଯତ୍ନ ସହକାରେ ସେ ଗୋଟିଏ ପରେ ଗୋଟିଏ ପୁଡିଆ ଫିଟାଇ ଲୋକ ମାନଙ୍କୁ ଖାଦ୍ଯ ପରଶି ଚାଲିଥିଲା। ସେମାନେ ପରମ ତୃପ୍ତି ରେ ଖାଦ୍ଯ ଖାଇ ଅସରନ୍ତି ଆଶିର୍ବାଦ ରେ ଲୋକଟିକୁ ପୋତି ଚାଲିଥିଲେ। କିଛି ସମୟ ପରେ କିଛି ଅବଗୁଣ୍ଠନବତୀ ନାରୀ ମୂର୍ତ୍ତିଙ୍କର ଆବିର୍ଭାବ ହେଲା ଓ ଲୋକଟି ସେମାନଙ୍କ ହାତକୁ ବଢାଇ ଦେଲା କିଛି ଖାଦ୍ଯ ପୁଡିଆ। ସେମାନେ ସାଷ୍ଟାମ ପ୍ରଣାମ କରି ଚାଲିଗଲେ। ଅଳ୍ପ ସମୟ ଭିତରେ କ୍ଷୁଧାର୍ତ୍ତ ଆତ୍ମା ମାନଙ୍କର ମୁଖ ମଣ୍ଡଳ ପ୍ରସନ୍ନତା ରେ ଜାଜୁଲ୍ଯମାନ ହେବାକୁ ଲାଗିଲା। ଉଲଗ୍ନ ବାଳୁତ ମାନଙ୍କର ଉଦର ଶାନ୍ତ ହେବା ପରେ ସେମାନେ ଖୁସି ରେ ଡିଆଁ ମାରି ଖେଳିବାକୁ ଲାଗିଲେ। ଦେଖିଲେ ଲାଗୁଥିଲା, ସତେକି ଦାରୁଣ ଗ୍ରୀଷ୍ମରେ ଦଗ୍ଧୀଭୂତ ବୃକ୍ଷରାଜି ଗଣ ଶୀତଳ ବୃଷ୍ଟିର କୁହୁକ ସ୍ପର୍ଶରେ ନବଜୀବନ ଲାଭ କରି ପୁଲକିତ ହୋଇ ଉଠିଛନ୍ତି।

ହଠାତ୍ କିଛି ପଡି ଯିବାର ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଲୋକେ ଚମକି ଉଠିଲେ। ଦେଖିବା ବେଳକୁ ଜଣେ ହୃଷ୍ଟପୃଷ୍ଟ ଯୁବକ ହାତରେ ତୀକ୍ଷଣ ଛୁରି ଧରିଥିବା ଅବସ୍ଥାରେ, ଖାଦ୍ଯଦାତାଙ୍କ ଚରଣ ତଳେ ଲୋଟି ପଡିଛି। କହିବା ବାହୁଲ୍ଯ, ସାଗର ଲମ୍ବ ହୋଇ "ମାଗିଖିଆ" ନାମକରଣ କରିଥିବା ବ୍ଯକ୍ତିଙ୍କର ପାଦ ତଳେ ଲମ୍ବ ହୋଇ ପଡି ଯାଇଥିଲା।

ସାଗର ର ଚକ୍ଷୁ ଯୁଗଳ ରୁ ଅଶୃଧାରା ବର୍ଷି ଚାଲିଥିଲା। ସେ ପ୍ରଳାପ କରି ଚାଲିଥିଲା-- ମୋତେ କ୍ଷମା କରି ଦିଅନ୍ତୁ, ମୁଁ ମହାପାପୀ। ଆପଣଙ୍କ ପରି ଜଣେ ଦେବତାଙ୍କୁ ମୁଁ ମାରିବାକୁ ଆସିଥିଲି। ଆପଣ ମାଗିଖିଆ ନୁହଁନ୍ତି, ବରଂ ମୁଁ ଆଜନ୍ମ ମାଗିଖିଆ।

ସେଦିନ ଦୋକାନୀ ପାଖରୁ ତତଲା ଚିମୁଟା ରେ ଚେଙ୍କା ଓ ମାଗିଖିଆ ଉପାଧି ପାଇଥିବା ପିଲାଟି ଓ ସାଗର, ଏକ ଓ ଅଭିନ୍ନ, ସେ କଥା ସ୍ବୀକାର କରିବାରେ ତା'ର ତିଳେମାତ୍ର କୁଣ୍ଠା ନ ଥିଲା।

ସେତିକି ବେଳକୁ ବ୍ଯକ୍ତି ଜଣଙ୍କ ସାଗର ହାତରେ ଚେଙ୍କା ଚିହ୍ନ ଦେଖି କିଛି ସମୟ ସ୍ଥିର ହୋଇଗଲେ। ତାକୁ କୋଳ କୁ ଭିଡି ନେଇ କହିଲେ-- ବାବୁ, ତୁମେ ମୋତେ ଜାଣି ପାରୁଛ? ନାଃ, ତୁମେ ବା କେମିତି ଜାଣିବ- - ମୁଁ ପଦ୍ମନାଭ ସାହୁ, ଏହି ସହର ର ବାସିନ୍ଦା। ମୁଁ କ୍ଷୁଧାର୍ତ୍ତ ଲୋକଙ୍କୁ ଖାଦ୍ଯ ଯୋଗାଇବା କାମରେ ଅଧିକାଂଶ ସମୟ ବ୍ଯତୀତ କରେ ଓ ଏହି କାର୍ଯ୍ଯ କୁ ପରମ ଧର୍ମ ମନେକରେ। ହୋଟେଲ,ଭୋଜିଭାତ, ମନ୍ଦିର ଓ ଘରେ ବଳକା ରହି ଯାଉଥିବା ଖାଦ୍ଯ ସବୁ କୁ ଅଯଥାରେ ଫୋପାଡି ଦିଆଯାଏ। କିନ୍ତୁ, ସେହି ଖାଦ୍ଯ କୁ ଭୋକିଲା ପାଟିରେ ଦେଇ ପାରିଲେ , ତା' ଠାରୁ ବଡ ଉପଲବଧି ଆଉ କିଛି ନାହିଁ। ଚାକିରି ରେ ଥିଲା ବେଳେ ମଧ୍ଯ ମୁଁ ଏହି କାମ କରୁଥିଲି, କିନ୍ତୁ ଅବସର ନେବା ପରେ କେବଳ ଏହି କାମ କରୁଛି। ସେଥିରେ ମିଳୁଛି ମୋତେ ସ୍ବର୍ଗୀୟ ଶାନ୍ତି। ଏବେ ତ ପ୍ରାୟ ହୋଟେଲର ମାଲକ ମାନେ ମୋତେ ଦେଖିଲେ ଆଦରରେ ବଳକା ଖାଦ୍ଯ ବଢାଇ ଦିଅନ୍ତି । ପ୍ରତିଦିନ ମୁଁ ସହର ସାରା ବୁଲି କ୍ଷୁଧାର୍ତ୍ତ ମାନଙ୍କ ଉଦର ଶାନ୍ତ କରିବା ସହିତ, ଖାଦ୍ଯ ଅପଚୟ ସମସ୍ଯାର ସମାଧାନ ମଧ୍ଯ କରିବାରେ ସାହାଯ୍ଯ କରେ। ଏ କାମ ପାଇଁ କିଛି ଲୋକ ମୋତେ ଭଲ ପା'ନ୍ତି, କିଛି ଲୋକ ପାଗଳ କୁହନ୍ତି ଓ କିଛି ଲୋକ " ମାଗିଖିଆ” ମଧ୍ଯ କୁହନ୍ତି। ସେ ହସିହସି କହିଲେ।

ବହୁ ବର୍ଷ ତଳେ ଜଣେ କ୍ଷୁଧା ଜର୍ଜରିତ ପିଲା ଦୋକାନ ରୁ ଖାଇବା ଟିକେ ନେଇଗଲା ବୋଲି, ଦୋକାନୀ ତାକୁ ବହୁତ ପିଟିଲା ଓ ହାତରେ ତତଲା ଲୁହା ର ଚେଙ୍କ ଦେଇଦେଲା। ମୁଁ ସେ ପିଲାର ଚିକିତ୍ସା କରାଇବା ପରେ ତାକୁ ଅନାଥ ଆଶ୍ରମରେ ଛାଡି ଦେଇଥିଲି। କାହିଁକି କେଜାଣି, ତୁମକୁ ଦେଖିଲେ ମୋର ସେଦିନ ର କଥା ମନେ ପଡି ଯାଉଛି।

ଜୀବନ୍ତ ଇଶ୍ବରଙ୍କୁ ସମ୍ମୁଖରେ ଦେଖି ସାଗର ମୁକ ପାଲଟିି ଯାଇଥିଲା। ସେ ଭୋ ଭୋ ହୋଇ କାନ୍ଦି ଚାଲିଥିଲା- - ମୁଁ ସେହି ଅଭାଗା ଯାହାର ପ୍ରାଣ ଆପଣ ରକ୍ଷା କରିଥିଲେ। କିନ୍ତୁ ମୁଁ ମହାପାପୀ ଆପଣଙ୍କୁ ମାରିବାକୁ ଆସିଥିଲି। ମୋତେ କ୍ଷମା କରି ଦିଅନ୍ତୁ ହେ ଦେବତାପ୍ରତୀମ ବ୍ଯକ୍ତି। ମୁଁ ମାଗିଖିଆ, ଆଜନ୍ମ ମାଗିଖିଆ। ମୋତେ ଆପଣଙ୍କ ଚରଣରେ ରହିବାର ସୁଯୋଗ ଦିଅନ୍ତୁ। ମୁଁ ପାପୀ ...ମହାପାପୀ।

କହିବା ବାହୁଲ୍ଯ, ଏହି ଘଟଣା ଘଟିବାର କିଛିଦିନ ଉତ୍ତାରୁ ସେହି ଭଦ୍ରବ୍ଯକ୍ତି ଓ ସାଗର, ହାତରେ ଖାଦ୍ଯ ଭର୍ତ୍ତି ପୁଡିଆ ଧରି କ୍ଷୁଧାର୍ତ୍ତ ଲୋକଙ୍କ ଅନ୍ବେଷଣ ରେ ସାରା ସହର ବୁଲି କ୍ଷୁଧାର୍ତ୍ତ ମାନଙ୍କର କ୍ଷୁଧା ନିବାରଣ କରି ଚାଲିଥିଲେ।

ଯିଏ ମାଗି ଖାଏ ସେ "ମାଗିଖିଆ" ଓ ଯିଏ ମାଗି କରି ଦିଏ ସେ "ମାଗିଦିଆ"। ତେବେ ଚାଲନ୍ତୁ ଆମେ ଅତି କମ୍ ରେ ଥରେ ପଦ୍ମନାଭ ବାବୁଙ୍କ ପରି "ମାଗିଦିଆ" ସାଜି ଦେଖିବା।


---ସମାପ୍ତ--

ଶୀତତାପ ଗ୍ରାହକ ପ୍ରତିକ୍ରିୟା

Rate the content


Originality
Flow
Language
Cover design

Comments

Post

Some text some message..