Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bismita Sahoo

Tragedy

5.0  

Bismita Sahoo

Tragedy

ରହସ୍ୟ ଉନ୍ମୋଚନ

ରହସ୍ୟ ଉନ୍ମୋଚନ

4 mins
511


ଗଳ୍ପ-

(ରହସ୍ୟ ଉନ୍ମୋଚନ)

ଇଏ କି ଅପୂର୍ବ ଶିହରଣ ମନ ଭିତରେ ସଂଚରି ଯାଉଛି।ତାର ପ୍ରତ୍ୟେକଟି ଲୋମକୂପରେ ଭରି ଯାଉଛି ଅଫୁରନ୍ତ ଆନନ୍ଦ। ଦୁଇଟି ଡେଣା ତା କାନ୍ଧ ପାଖରେ ଗଜ୍ଜୁରିତ ହେଲାଣି ବୋଧେ। ନଚେତ ତାର ପାଦ ଆଜିକାଲି ମାଟିରେ ଲାଗୁନି କେମିତି? ଉଡ଼ିବାକୁ ଇଛା ହେଉଛି। ମନ ଉପରେ ନିଜର ଲଗାମ ରହୁନି।

ନହେଲେ ସିଙ୍ଗାଣି ନାକିଆ ମନୋଜର ଚେହେରା ତାକୁ ରାଜକୁମାର ପରି ଦିଶନ୍ତା କେମିତି? ସେଇ କାଳିଆ ଭୁଷୁଣ୍ଡା ମହେନ୍ଦ୍ର ଯେତେବେଳେ ତାକୁ ଅନେଇ ହସି ଦେଉଛି, ତା ଦେହ ଭିତରେ କିଛି ହେଇଯାଉଛି କଣପାଇଁ? କଣପାଇଁ ତାର ଏ ପରିବର୍ତ୍ତନ। ସଦାବେଳେ ମା ବାପାଙ୍କ ଚାରିପାଖେ ଘୁରୁଥିବା ଶିଲାକୁ ଏବେ ଏକୁଟିଆ ରହିବାକୁ ଇଚ୍ଛା ହେଉଛି କଣପାଇଁ? ସାଙ୍ଗମାନଙ୍କ ଗହଣରେ ଥିଲାବେଳେ ଏତେ ଖୁସିଲାଗେ ହେଲେ ଘରକୁ ଆସିଲେ ମନ ବିଷାଦଗ୍ରସ୍ତ ରହୁଛି କଣପାଇଁ? ତା ନାଁ ଧରି କେଉଁ ପୁଅପିଲା ଡାକିଦେଲେ ତାକୁ ଲାଜ ଲାଜ ଲାଗୁଛି କଣପାଇଁ? କଣପାଇଁ?କଣପାଇଁ?

ଓହୋ ଶିଲା ର ମୁଣ୍ଡ କାମ କରୁନଥିଲା। ସେ ସବୁକଥା ମା'କୁ କୁହେ। ତେଣୁ ଦୌଡ଼ିଗଲା ମା ପାଖକୁ ଏସବୁର ଉତ୍ତର ପାଇବା ପାଇଁ। ଚଉଦ ବର୍ଷୀୟ ଝିଅର ମୁହଁରୁ ଏସବୁ ପ୍ରଶ୍ନ ଶୁଣି ମା'ଙ୍କ ମୁଣ୍ଡ ଗୋଳମାଳ ହେଇଗଲା। ତାଙ୍କ ପାଦ ତଳ ମାଟି ଯେମିତି ଖସିବାକୁ ଲାଗୁଥିଲା। ଯେତେସବୁ ବଳ ଲଗେଇ କଷିଦେଲେ ଦୁଇଟି ଚଟକଣି ଝିଅର ଗାଲରେ। କହିଲେ ଆଜିକାଲି ବହୁତ ବଡ଼ ବଡ଼ କଥା କହିଲୁଣି। ଲାଜ ଲାଗୁନି ତତେ। ଯା ଚୁପଚାପ ପାଠ ପଢ଼।

ଠପ୍ ଠପ୍ କରି ଲୁହ ବହିଗଲା ଶିଲାର ଆଖିରୁ, କିନ୍ତୁ ତାର ଅନୁସନ୍ଧିତ୍ସୁ ମନ ଉପରେ ଲଗାମ କଷି ପାରିଲାନି। ଅନେଇ ରହିଲା ବାପାଙ୍କ ଅଫିସରୁ ଆସିବା ପଥକୁ।

ବାପା ଘରେ ଗୋଡ଼ ନ ଦେଉଣୁ ଶିଲାର ଆରମ୍ଭ ହେଇଗଲା ପ୍ରଶ୍ନ ବାଣ, ଏମିତି ତା ସହିତ ହେଉଛି କଣପାଇଁ?

ବାପାଙ୍କ ଆଖିରୁ ସତେ ଯେମିତି ଅଗ୍ନିର ସ୍ଫୁଲିଙ୍ଗ ନିର୍ଗତ ହେଉଥିଲା। ସେଇଥିରେ ଜଳି ପାଉଁଶ ହେଉଥିଲା ଦୁନିଆର କଟକଣା, ଆମ ରକ୍ଷଣଶୀଳତା ମନୋଭାବ। ଛିଃ ଲାଜ ଲାଗୁନି। ଝିଅଟେ ହେଇ ବାପାଙ୍କୁ ଏ ପ୍ରଶ୍ନ ପଚାରୁଛୁ? ତୁ ମୋ ଇଜ୍ଜତ ମହତକୁ ତଳେ ପକେଇବୁ ନା କଣ? ଏଡିକିଟେ ନା ମେଞ୍ଚଡ ଛୁଆ। ଯା ମୋ ସାମନାରୁ ବାହାରି ଯା।

ଶିଲା କାନ୍ଦି କାନ୍ଦି ଦାଣ୍ଡଘରୁ ତା ଶୋଇବା ଘରକୁ ଚାଲିଗଲା। ସେଦିନ ରଥବାବୁଙ୍କ ଘରେ ରୋଷେଇ, ଖାଇବା ପିଇବା ସବୁ ବନ୍ଦ। ଚିନ୍ତା କରୁଥିଲେ ପତି-ପତ୍ନୀ। ଏତେ ଆଦର ଯତ୍ନ ଓ ସଂସ୍କାର ସହିତ ଝିଅକୁ ବଡ଼ କରିଛନ୍ତି। ତାକୁ ନେଇ କେତେ କଣ ସ୍ୱପ୍ନ ଦେଖିଛନ୍ତି। ଝିଅ ପୁଅ ଭିତରେ କେବେ ପ୍ରଭେଦ ଦେଖିନାହାନ୍ତି ବୋଲି ଗୋଟିଏ ଝିଅ ପରେ ଆଗକୁ ଆଉ ସନ୍ତାନ କରିନାହାନ୍ତି। ସେ ଝିଅ ପୁଣି ଏପରି ପ୍ରଶ୍ନ ପଚାରୁଛି ତା ବାପା ମା'ଙ୍କୁ। କୋଉଥିରେ ଅବହେଳା ରହିଗଲା? ତାଙ୍କ ପିତୃତ୍ୱ ବାରମ୍ବାର ତାଙ୍କୁ ନିନ୍ଦୁଥିଲା। ଗୋଟିଏ ବୋଲି ଛୁଆକୁ ସେ ସଠିକ ମାର୍ଗରେ ପରିଚାଳିତ କରିପାରିଲେନି? ସେ ନିଜକୁ ଧିକ୍କାର କରୁଥିଲେ।

ବୀରସ ଚିତ୍ତରେ ସକାଳୁ ସକାଳୁ ଚା' କପ ଟି ପାଟିକୁ ନେଉ ନେଉ ଖବରକାଗଜର ପ୍ରଥମ ପୃଷ୍ଠାରେ ଦୃଷ୍ଟି ପଡ଼ିଗଲା। "ବିବାହର ପ୍ରଲୋଭନ ଦେଖାଇ ବାର ବର୍ଷର ଝିଅକୁ ବଳାତ୍କାର"।

ଧଡ଼ାମ୍ କରି କପ ଟା ପଡ଼ିଗଲା ହାତରୁ। ଏକା ନିଃଶ୍ବାସରେ ଦୌଡ଼ିଗଲେ ଝିଅର ଶୋଇବା ଘରକୁ। କାନ୍ଦି କାନ୍ଦି ଆଖି ଦୁଇଟି ଝିଅର ଗେଣ୍ଡାପରି ଫୁଲି ଯାଇଛି। ମୁଣ୍ଡରେ ହାତ ଦେଇ ବସି ରହିଲେ ଖଟ ଉପରେ। କେଡ଼େ ଭୁଲ ସେ ନ କରିଛନ୍ତି? ବିଜ୍ଞାନ ଅଧ୍ୟାପକ ଭାବରେ ଭଲରେ ସେ ଜାଣିଛନ୍ତି ଯେ କିଶୋର ଅବସ୍ଥାରେ(୧୨-୧୮ ବର୍ଷ) ଅନ୍ତଃସ୍ରାବି ଗ୍ରନ୍ଥି ବା ଏଣ୍ଡୋକ୍ରାଇନ ଗ୍ଲାଣ୍ଡ ରୁ ବିଭିନ୍ନ ପ୍ରକାରର ହରମୋନ କ୍ଷରଣ ଯୋଗୁଁ ପିଲାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ। ନିଜ ଶରୀରରେ ଅଚାନକ ଏପରି ପରିବର୍ତ୍ତନରେ ସେମାନେ ମାନସିକ ଅସନ୍ତୁଳନର ସମ୍ମୁଖୀନ ହୁଅନ୍ତି। ବିପରୀତ ଲିଙ୍ଗ ପ୍ରତି ଆକର୍ଷଣ ବଢ଼େ। ପିଲାମାନେ ବିନା କାରଣରେ ଚିଡିଚିଡା ହେଇଯାନ୍ତି। ଭାବତ୍ମକ ଆବେଗ ବଢ଼ି ଉଠେ। ଶାରୀରିକ ବିକାଶ ଯୋଗୁଁ ପିଲାମାନେ ଉତ୍ସୃଙ୍ଖଳିତ ହେଇ ଉଠନ୍ତି। ଆଦ୍ୟ ଯୌବନର ପ୍ରବେଶ ଯୋଗୁଁ ସେମାନେ ଭୁଲ ଠିକ୍ ର ନିର୍ଦ୍ଧାରଣ କରି ପାରନ୍ତି ନାହିଁ।

ଯାହାଦ୍ୱାରା ଅବାଞ୍ଛିତ ମାତୃତ୍ୱ କିମ୍ବା ଗର୍ଭ ଧାରଣର ସମସ୍ୟା କିଶୋରୀ ମାନଙ୍କ କ୍ଷେତ୍ରରେ ମୁଣ୍ଡ ଟେକିଲାଣି। କିଶୋର-କିଶୋରୀ ମାନେ ଏପରି ପଥଭ୍ରଷ୍ଟ ହେବା ପୂର୍ବରୁ ବାପା ମା'ଙ୍କ କର୍ତ୍ତବ୍ୟ ହେଲା ସେମାନଙ୍କ ଚଲାପଥକୁ ସଜାଡ଼ିବା। ସେମାନଙ୍କ ପ୍ରତି କଠୋର ମନୋଭାବ ପରିବେଷଣ ନ କରି ବନ୍ଧୁତା ପାଇଁ ହାତ ବଢ଼ାଇବା।

ବାର ବର୍ଷର ଝିଅଟିଏ ଯିଏ ବିବାହର ମାନେ କଣ ଜାଣିନି ତାକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାର ମାନେ କଣ ହେଇପାରେ? ଅଷ୍ଟମ ଶ୍ରେଣୀର ଝିଅଟିଏ ଶ୍ରେଣୀରେ ସନ୍ତାନ ପ୍ରସବ କରୁଛି? ଏସବୁ ସମ୍ଭବ କିପରି ହେଉଛି?

ଆମକୁ ଆମ ଚିରାଚରିତ ପ୍ରଥାରୁ ଟିକିଏ ଆଗେଇବାକୁ ପଡ଼ିବ। ପିଲାମାନଙ୍କୁ ବୁଝେଇବାକୁ ପଡିବ ବିବାହ ମାନେ ଖାଲି ଦୁଇଟି ଦେହର ମିଳନ ନୁହେଁ। ତା ସହିତ ଅନେକ ପ୍ରକାର ଦାୟିତ୍ୱ ଯୋଡ଼ି ରହିଛି। ପୁଅ-ଝିଅ ମଧ୍ୟରେ ଆକର୍ଷଣ ସ୍ବଭାବିକ କିନ୍ତୁ ସୀମା ଲଙ୍ଘିଲେ କଣ ହୁଏ ତାହା ଉଭୟ ପୁଅ-ଝିଅଙ୍କୁ ଶିଖେଇବାକୁ ପଡ଼ିବ। ଖାଲି ପାଠ ପଢ଼, ପାଠ ପଢ଼ ନ କହି ପିଲାଙ୍କୁ ପାଠ ସହିତ ସେମାନଙ୍କୁ ଖେଳକୁଦ, ଗୀତନାଚ , ଡ୍ରଇଂ କରିବା ଆଦିରେ ଲିପ୍ତ ରଖିବା ପାଇଁ ବ୍ୟବସ୍ଥା କରିଲେହିଁ ଶାରୀରିକ, ମାନସିକ ଓ ବୌଦ୍ଧିକ କ୍ଷେତ୍ରରେ ସେମାନେ ଉନ୍ନତି କରି ପାରିବେ।

ପିଲାଟିଏ ବଡ଼ ହେଲେ ବାପା-ମା ତାର ଉତ୍ତମ ବନ୍ଧୁ ସାଜି ତାର ପ୍ରତ୍ୟେକଟି ଜିଜ୍ଞାସା କିପରି ଭାବରେ ଦୂରୀଭୂତ କରିବେ ତାହା ପ୍ରଥମ ଚିନ୍ତନ ହେବା ଆବଶ୍ୟକ। ସାନ ଭାଇ କିମ୍ବା ଭଉଣୀ ଟିଏ ଭୂମିଷ୍ଠ ହେଲାବେଳେ ଯେତେବେଳେ ଅନୁସନ୍ଧିତ୍ସୁ ମନ ପଚାରି ବସେ ମା ଏଇ ଛୁଆଟି କେଉଁଠୁ ଆସିଲା? କେତେଦିନ ଯାଏଁ ଭଗବାନ ଦେଲେ, ଛାତ ଉପରୁ ଖସିଲା କି ଫ୍ୟାନରୁ ପଡ଼ିଲା କହି ତାର ଜିଜ୍ଞାସା ଉପରେ ପରଦା ପକେଇବେ?

ଇଏ ସମୟ ପହଂଚିଛି ଯେତେବେଳେ ମା ସାଥିଟିଏ ସାଜି ମାସିକ ୠତୁଚକ୍ର ବିଷୟରେ ଝିଅ ସହିତ ଖୋଲା ଖୋଲି କଥାହେବ, ବାପା ପୁଅ ମନକୁ ଆନ୍ଦୋଳିତ କରୁଥିବା ପ୍ରତ୍ୟେକଟି ପ୍ରଶ୍ନର ସଠିକ ଉତ୍ତର ଦେବ। ଖାଲି ମନୁଷ୍ୟ ନୁହେଁ ପଶୁ ମାନଙ୍କ ଠାରେ ମଧ୍ୟ ଏପରି ଶାରୀରିକ ବିକାଶ ହୁଏ। ତେଣୁ ମନୁଷ୍ୟ କିପରି ପଶୁତୁଲ୍ୟ ନ ହେଇ ନିଜ ବୁଦ୍ଧି ବିଚାର ବଳରେ ଏସବୁ ସୋପାନକୁ ଅତିକ୍ରମ କରିବ ତାହା ଚିନ୍ତାଯୋଗ୍ୟ। ନାରୀ ଓ ପୁରୁଷ କେବଳ ଦୈହିକ ସମ୍ପର୍କ ଦ୍ୱାରା ପରସ୍ପରର ନିକଟତର ହେଇ ପାରିବେ ଏହି ଭ୍ରାନ୍ତ ଧାରଣା ମନୁଷ୍ୟ ମନରୁ ହଟେଇବାକୁ ପଡ଼ିବ।

ଆଜି ଶିଲା ମନରେ ଯେଉଁ ପ୍ରଶ୍ନର ଜୁଆର ଆସିଛି ତାକୁ ଯଦି ସେ ଏବେଠୁ ନ ସମ୍ଭାଳିବେ ତେବେ ସେ ଜୁଆର ସୀମା ଲଙ୍ଘି କୂଳକୁ ମାଡ଼ି ଆସିବ ଓ ଯାହା ଭସେଇ ନେବ ତାଙ୍କର ସୁନା ସଂସାରକୁ। ଆଉ କେହି ଶଠ ପ୍ରବଞ୍ଚକ ତାଙ୍କ ଝିଅକୁ ଭୁଲେଇ ଖେଳି ନେବ ତା ଜୀବନ ସହିତ ଓ ଫିଙ୍ଗିଦେଵ ରାଜରାସ୍ତାରେ।

ନା ସେ କଦାପି ଏହା ହେବାକୁ ଦେବେନି। ଜୀବନର ଗୁଢ଼ ରହସ୍ୟକୁ ନିଜ ଝିଅ ପାଖରେ ଉନ୍ମୋଚନ କରିବା ପାଇଁ ରଥବାବୁ ନିଜକୁ ପ୍ରସ୍ତୁତ କରୁଥିଲେ। ଆଉ ଆପଣମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି ତ?

---------------

(ବିସ୍ମିତା)


Rate this content
Log in

Similar oriya story from Tragedy