ଦେଶଦ୍ରୋହୀ
ଦେଶଦ୍ରୋହୀ
ସେ ଲମ୍ବାକୁର୍ତା ପିନ୍ଧିଥାଆନ୍ତି । କାନ୍ଧରେ ଝୁଲେଇଥାନ୍ତି ଗୋଟେ କପଡାର ଝୁଲାମୁଣି । ପାଦ ରେ ଚଟି ଚପଲ ଓ ଆଖିରେ ଚଷମା । ସେ ସବୁବେଳେ ଚାଲି ଚାଲି ଆସନ୍ତି । ଗାଁରୁ ଗାଁ ବୁଲୁଥାନ୍ତି । ଆମକୁ ଅନେକ କାହାଣୀ ଶୁଣାନ୍ତି । କେବେ କାହାଠାରୁ ଶୁଣିନଥିବା ବାଜି ରାଉତ, ଭଗତ ସିଂହ ଓ ଖୁଦୀରାମଙ୍କ ଅମର ଗାଥା ଆମେ ତାଙ୍କରିଠୁ ଶୁଣୁ । ସେ ସୁନ୍ଦର ଗୀତ ଵି ଗାଆନ୍ତି । ସେ ଏମିତି ଗୀତ ସବୁ ଆମକୁ ଶିଖାନ୍ତି ;
" ଏତ ସଂଗ୍ରାମୀ ର ଦେଶ ରେ,
ଏତ ବିପ୍ଲବୀ ର ଦେଶ ।
ଖୁଦୀରାମ ଓ ବାଜି ରାଉତ
ଆମ ତରୁଣ ବୀର
ଫାସୀ ଖୁଣ୍ଟ କୁ ସେ ଆଦରେ ଚୁମିଲେ
କଳାପାଣି କରି ଛାର । "...
ଆହୁରି ଵି ତାଙ୍କ ଠାରୁ ଆମେ ଶୁଣୁ....
"ଶପଥ କର ଶପଥ କର
ଲଢେଇ ର ମୈଦାନ
ବଞ୍ଚିବା ଲଢେଇ ଜିତିବା ପାଇଁ
ପ୍ରାଣ ଦିଅ ବଳୀଦାନ ।"
ସେ ଆମ ଗାଁସ୍କୁଲ ପାଖ ଗୋଟେ ଭଙ୍ଗା ନୁଆଁଣିଆ ଚାଳଘରେ ରହୁଥିଲେ । ଆମେ ସ୍କୁଲ ଛୁଟି ପରେ ତାଙ୍କ ଘର ପଛପାଖରେ ଲୁଚକାଳୀ ଖେଳୁ । ଝରକା ଫାଙ୍କରେ ଦେଖୁ ସେ କଣ ସବୁ ଲେଖୁଥାନ୍ତି । ତାଙ୍କୁ ପଚାରିଲେ କୁହନ୍ତି ସେ ଗୋଟେ ଇଂରାଜୀ ପତ୍ରିକାର ଓଡ଼ିଆ ଅନୁବାଦ କରୁଛନ୍ତି । ଆମେ ଦେଖୁ ସେ କେତେ ବଡ ବଡ ଇଂରାଜୀ ବହିର ଓଡ଼ିଆ ଟ୍ରାନ୍ସଲେସନ ବସି କରୁଥାନ୍ତି । ଓଡ଼ିଆ ପତ୍ରିକାଗୁଡିକୁ ତାଙ୍କ ଝୁଲାବ୍ୟାଗ ରେ ଭର୍ତ୍ତିକରି ବାଣ୍ଟିବାକୁ ବାହାରିଯାଆନ୍ତି । ସେଥିରେ କଣ ସବୁ ଲେଖାଥାଏ ଆମକୁ ସେତେବେଳେ କିଛି ଵି ଜଣାନଥାଏ । ଦିନେ ଗାଁରେ ଆସି ପୁଲିସ ତାଙ୍କୁ ଖୋଜିଲା । ଖୋଜି ଖୋଜି ପାଇଲାନାହିଁ । ଗାଁଲୋକେ ତାଙ୍କୁ ବହୁତ ଭଲପାଉଥିଲେ ।
କେହି ଵି ଜଣେ କହିଲେନି ତାଙ୍କୁ ଚିହ୍ନନ୍ତି ବୋଲି । ପୁଲିସ ଚାଲିଗଲା । ସେ କିନ୍ତୁ ଦୁଇମାସ ଯାଏଁ ଗାଁରେ ଆଉ ଦେଖାଦେଲେ ନାହିଁ । ବୋଉ କହୁଥିଲା ମଧୁକାକା, ଯିଏ କୃଷକ ଓ ଶ୍ରମିକ ଆନ୍ଦୋଳନ କରିବାକୁ ଲୋକଙ୍କୁ ଏକତ୍ରିତ କରନ୍ତି ତାଙ୍କରି ଘରେ କୁଆଡେ ସେ ଲୁଚିକରି ଥିଲେ । କେହି କିନ୍ତୁ ତାର ଟେର ପାଇଲେନାହିଁ । କିଛିଦିନ ପରେ ସେ ଆମ ଗାଁ ଛାଡ଼ି ଚାଲିଗଲେ । ଆମେ ତାଙ୍କର ସେହି ଚାଳିଆ ଘରଟାକୁ ଦେଖିଲେ ତାଙ୍କ କଥା ବହୁତ ମନେପକାଉ । କେମିତି ସେ ଆମ ସାହିର ଗରିବ ଛୋଟ ଛୋଟ ପିଲାଙ୍କୁ ଵିସ୍କିଟ ଖୁଆନ୍ତି, କେମିତି ଆମକୁ ପାଠ ବୁଝେଇ ଦିଅନ୍ତି,କାହାଣୀ ଶୁଣାନ୍ତି, ସାହିରେ ବୁଲି ବୁଲି ବିଭିନ୍ନ ରୋଗର କାରଣ ଓ ନିରାକରଣ ସମ୍ବନ୍ଧରେ ଲୋକଙ୍କୁ ବୁଝାନ୍ତି ଏସବୁ କଥା ଆମର ଗୋଟି ଗୋଟି କରି ମନେପଡିଯାଏ ।
ଦିନ ଗଡିଚାଲିଲା । ଆମେ ତାଙ୍କୁ ଧୀରେ ଧୀରେ ଭୁଲିବାରେ ଲାଗିଲୁ । ଦିନେ ସମ୍ପୂର୍ଣ ପାଶୋରି ଵି ଦେଲୁ । ସେହିଦିନ ଗୁଡିକୁ ବିତିବା ର ଅନେକ ବର୍ଷ ହୋଇଗଲାଣି । ଏବେ ଆମ ଗାଁ ଆଉ ଆଗପରି ନାହିଁ । ଗାଁର ବହୁତ ଉନ୍ନତି ହୋଇଛି । ରାଜନୀତି ଗାଁକୁ ଭାଗ ଭାଗ କରିଦେଇଛି ସତ କିନ୍ତୁ ଗ୍ରାମବାସୀ ଆଗଠୁ ବେଶି ଖୁସିରେ ଅଛନ୍ତି । ଗାଁକୁ ପକ୍କା ରାସ୍ତା, ପକ୍କା ସ୍କୁଲଘର, ଘରେ ଘରେ ବିଜୁଳି ଆଲୁଅ, ଟେଲିଭିଜନ ସବୁ ସୁବିଧା ହୋଇଯାଇଛି । ଆହୁରି ଵି ଗାଁ ପିଲାଏ କ୍ଲବଘର ଟିଏ ଗଢିଛନ୍ତି । ସେଠି ଦିନରାତି ତାସ, କ୍ୟାରମ ଖେଳ ଚାଲୁଛି ଓ ପଡିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଵି ରୀତିମତ ହେଉଛି । ଆଗରୁ ଗାଁରେ କେବେ ଗଣେଶ ଓ ସରସ୍ବତୀପୂଜା ହେବା ଆମେ ପିଲାବେଳେ ଦେଖିନଥିଲୁ । ଏବେ କିନ୍ତୁ ବେଶ୍ ଧୂମଧାମ ରେ ପୂଜାଗୁଡିକ ପାଳନ କରାହେଉଛି । ମଣ୍ଡପ ପାଖେ ମେଲୋଡି ନାଚଗୀତ ର ଆସର ଖୁବ ଜମୁଛି । ପ୍ରତି ବର୍ଷ ଜାଗ ଯଜ୍ଞ ଵି ହେଉଛି । ଲୋକେ ବେଶି ରୁ ବେଶି ଧାର୍ମିକ ହେଉଛନ୍ତି । ଲୋକଙ୍କର ଏପରି ଅଚାନକ ଖୁବ ବେଶୀ ଭକ୍ତିଭାବ ଜାଗ୍ରତ ହେବାର କାରଣ କିଛି ବୁଝାପଡୁନି । ଧାର୍ମିକ ଲୋକଙ୍କ ମନକୁ ଆନ୍ଦୋଳନର କଥା ଆସିବ ବା କାହିଁକି ଯେ ଲୋକେ ଆମର ସେହି ଲମ୍ବା କୁର୍ତ୍ତା ପିନ୍ଧା ଜଗନ୍ନାଥ ଦାଦା ଙ୍କ କଥା ମନେପକେଇବେ !
ଆଜି ଅନେକ ଦିନ ପରେ ଆମ ଘରେ ଜଗନ୍ନାଥଦାଦା ଙ୍କ ବିଷୟରେ ଆଲୋଚନା ହେଉଥିବା ଶୁଣି ଆଶ୍ଚର୍ଯ୍ୟ ହେଲି । ବୋଉ କୁ ପଚାରିଲାରୁ ବୋଉ କହିଲା, "ଯାଉନୁ ଟିଭି ରେ ଦେଖିବୁ । ସେ ଜଗନ୍ନାଥବାବୁ ଙ୍କୁ ପା ପୁଲିସ ବାନ୍ଧିନେଇଛି । ଆମେ ଆଜି ତାଙ୍କୁ ଟିଭିର ବ୍ରେକିଙ୍ଗ ନିଉଜ ରେ ଦେଖି ଚିହ୍ନିଦେଲୁ । "
--ତାଙ୍କର ଅପରାଧ କଣ ବୋଉ?
--କଣ ଗୋଟେ ଦେଶଦ୍ରୋହୀ କାମ କରିଛନ୍ତି ପା । ଗାଁ ସାରା ଲୋକ ଜାଣିସାରିଲେଣି ।
ବୋଉର କଥା ଶୁଣି ମୁଁ ଆଚମ୍ବିତ ହେଲି । ସେ କେମିତି ଦେଶଦ୍ରୋହୀ ହୋଇପାରନ୍ତି ? ସେ ତ ଦେଶବାସୀ ଙ୍କୁ ଖୁବ ଭଲ ପାଉଥିଲେ । ଦେଶର ଗରିବ ଲୋକଙ୍କ ପାଇଁ ତାଙ୍କ ହୃଦୟ କାନ୍ଦି ଉଠୁଥିଲା । ସେ ପୁଣି କେମିତି ଦେଶ ର ବିରୁଦ୍ଧରେ ଗଲେ?
ମୋ ବଡଭାଈ ଠୁ ଶୁଣିବାକୁ ପାଇଲି ସେ କୁଆଡେ ମୋହନଗିରୀ ଅଞ୍ଚଳର ମୂଳନିବାସୀଙ୍କ ଅଧିକାର ପାଇଁ ସେଠି ଲଢେଇ କରୁଥିଲେ ।
--ଭାଈ ସେ ସେଠି କି ଲଢେଇ କରୁଥିଲେ କି?
--ସେଠି ଗୋଟେ କାରଖାନା ବସେଇ ସେଠିକା ଲୋକଙ୍କୁ ବିତାଡିତ କରିବାକୁ ଯୋଜନା କରାଯାଉଥିଲା । ଜଗନ୍ନାଥବାବୁ ସେମାନଙ୍କୁ ବିସ୍ଥାପିତ ନକରିବାକୁ ଆନ୍ଦୋଳନ କରୁଥିଲେ । ସେହି ଆଦିବାସୀ ଲୋକଙ୍କୁ ଜମି, ଜଳ ଓ ଜଙ୍ଗଲର ଅଧିକାର ସମ୍ପର୍କ ରେ ସଚେତନ କରାଇ ସେମାନଙ୍କୁ ଆନ୍ଦୋଳନ ପାଇଁ ମତାଉଥିଲେ ।
--କାହା ବିରୁଦ୍ଧରେ ମତାଉଥିଲେ କି?
--ଆମ ସରକାର ଓ ଗୋଟେ ବଡ କମ୍ପାନୀ ର ବିରୁଦ୍ଧରେ । ତାଙ୍କ ତୀବ୍ର ବିରୋଧ ଯୋଗୁଁ ପରା କିଛିଦିନ ହେଲା ଲୋକେ ମୋହନଗିରୀ ଭିତରକୁ କୌଣସି ସରକାରୀ ଅଫିସର କିମ୍ବା ପୁଲିସ ଙ୍କୁ ପଶେଇ ଦେଉନଥିଲେ । ଆହୁରି ଵି ଉତ୍ୟକ୍ତ ଲୋକେ କମ୍ପାନୀର ବଡ ଗୋଟେ ଗାଡି ପୋଡି ଦେଇଛନ୍ତି ।
--ଭାଈ ! କମ୍ପାନୀ ହେଲେ ତ ଭଲ କଥା । ଦେଶର ବିକାଶ ହେବ । ସେ କାହିଁକି ଦେଶର ବିକାଶ ରେ ବାଧା ଦେଲେ? ସେଥିପାଇଁ ବୋଧେ ଜଗନ୍ନାଥଦାଦା ଙ୍କୁ ଦେଶଦ୍ରୋହୀ କୁହାଯାଉଛି?
--ଦେଶ କହିଲେ କାହାକୁ ବୁଝାଏ କିରେ ? ଦେଶବାସୀ ଙ୍କୁ ବାଦଦେଲେ ଦେଶର ଆଉ କି ବିକାଶ ହେବ? ଆମକୁ ଅଚାନକ ଏ ଗାଁରୁ ଆମ ନିଜଘରୁ ବାହାର କରିଦେଲେ କେମିତି ଲାଗିବ କହ?
ମୁଁ ଭାଈ ପ୍ରଶ୍ନର ଉତ୍ତର ଦେଇପାରୁନଥିଲି । ସତରେ ଦେଶ କିଏ ? ଦେଶର ଲୋକ ନାଁ ଖାଲି ଦେଶର ମାଟି, ପାଣି ଓ ପବନ ? କାହାକୁ ଵିରୋଦ୍ଧ କରି ସେ ଦେଶଦ୍ରୋହୀ ହୋଇଛନ୍ତି ? କିଛି ବୁଝିହେଉନଥିଲା । ମୁଣ୍ଡଟା ଗୋଳମାଳିଆ ହେଇଯାଉଥିଲା । ମୋ ବଡଭାଈ ମୋ ମନର ଦ୍ୱନ୍ଦ୍ୱ ବିଷୟରେ ବୁଝିପାରିଲା । ସେ ମତେ ଆଉ ମାତ୍ର ଦୁଇଟି ବାକ୍ୟରେ ବୁଝେଇ କହିଲା , " ତୁ ଆଉ ବେଶୀ କିଛି ଭାବେନା । ହଁ ଜଗନ୍ନାଥବାବୁ ଦେଶଦ୍ରୋହୀ, କାରଣ ଏବେ ଦେଶ କହିଲେ କୋଉ ଦେଶବାସୀ ନୁହଁନ୍ତି କେବଳ ଆମ ସରକାରଙ୍କୁ ହିଁ ବୁଝାଏ ।"
ଲୋପାମୁଦ୍ରା ମିଶ୍ର