Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Tragedy Inspirational

4.2  

Soumya Shubhadarshinee

Tragedy Inspirational

ବସନ୍ତର ଠିକଣା

ବସନ୍ତର ଠିକଣା

7 mins
531



 ବେଶି ନୁହେଁ କି କମ ନୁହେଁ ଯେତିକି ଲୋଡ଼ା ସେତିକି । ବେଶ ମାପି ଚୁପି , ଜୀବନ ଗଣିତରେ ସଫଳ ହେଇ ସେ ଗଢିଥିଲା ନିଜକୁ । କିନ୍ତୁ ଯେବେ ଇଡି ଯାଏ ଆଲେଖା କାଗଜରେ ସ୍ୟାହି ତେବେ ହଜିଯାଏ କାଗଜର ସଫେଦ ସ୍ୱରୂପ । ଠିକ ସେମିତି ହଜିପାରେ ଜୀବନର ପରିଚିତ ରୂପ ।


*****


" ତୁ ଡ଼ଟ ପେନ୍ ରେ ଲେଖୁନୁ କିଆଁ, ସ୍ୟାହୀ କଲମ ଆଉ କିଏ ଲେଖୁଛି । ସେଗୁଡା ବଡ଼ ଅଡୁଆ । କାଳି ଦୁଆତ ଆଉ କାହିଁ ଯେ ? ତୁ ସେ ଝାମେଲା ଆଉ କରନା । ଭଲ ରେନୋଲଡ଼୍ ପେନ ପୁଳେ ଆଣି ଲେଖ , ୟୁଜ ଆଣ୍ଡ ଥ୍ରୋ କିଛି ଝାମେଲା ନାହିଁ । ''


  ବୋଉ ଏମିତି ବିଗୁଡୁଛି ରୁବି ଉପରେ । ସକାଳୁ ପୁଅ ସ୍ୟାହି ଦୁଆତଟା ବଲ ବାଡେଇ ଭାଙ୍ଗିଦେଲା । ବାପାଙ୍କ ଧଳା ସାର୍ଟ ଉପରେ ସ୍ୟାହି ଇଡି ଗଲା । ବାପା ରାଗିକି ପଞ୍ଚମ । ବୋଉ ଉପରେ ପ୍ରବଳ ଗାଳି ପଡିଲା । ସ୍ୟାହି ଲଗା ସାର୍ଟ ବେକାର ହେଇଗଲା । 


 ବୋଉ ନାତି ଉପରେ ନରାଗି ରୁବି ଉପରେ ବର୍ଷୁଛି । ସେ ସ୍ୟାହି ଦୁଆତ ଆଉ ନୁହେଁ । ବହୁତ ହେଲା ସେ ସୁଆଗ । ଏବେ ନା' ରହିବ ଦୁଆତ ନା' ଢାଳିବ ସ୍ୟାହି । ବୋଉ କଡା କରି ଏତକ ଶୁଣେଇ ଦେଇଛି । 


 ରୁବି କିନ୍ତୁ ସକେଇ ସକେଇ କାନ୍ଦୁଛି । କାଳି କଲମ ବିନା ସେ ଲେଖି ପାରିବିନି ଜମା । କେମିତି ବୁଝେଇବ ବୋଉକୁ । ସେଇ ଗୋଟିଏ କଲମ ତା'ର ଶେଷ ସନ୍ତକ । ସେଇଟାକୁ ହାତ ଛଡା କରିଦେବା ଅର୍ଥ ତା' ସ୍ମୃତିକୁ ସାରା ଜୀବନ ପାଇଁ ପାଶୋରି ଦେବା । ସେଇ ସ୍ୟାହି କଲମ ଛୁଇଁ ଦେଲେ କେମିତି ଗୋଟେ ତା' ସ୍ପର୍ଶ ମିଳେ ତାକୁ । ସେଇ କଲମଟା ତା'ର କା' । ଯେତେ ଭାବୁଛି ରୁବି ଲୁହ ସେତେ ଆଖିରେ ରୁନ୍ଧି ହେଇଯାଉଛି । ଧାର ଧାର ଲୁଣି ପାଣି ଝରି ଶୁଖିଲା ମନକୁ ଆହୁରି ଆହୁରି ଓଦା କରିଦେଉଛି । 


**************


 ଖରାଛୁଟିରେ ସେ ବର୍ଷ ରୁବି ଯାଇଥିଲା ବୁଲି ତା' ସାନ ପିଇସୀ ନାନୀ ଘରକୁ ଝଙ୍କଡ଼ । ଭାରି ଭଲପାନ୍ତି ସାନ ନାନୀ ତାକୁ। ଝଙ୍କଡ଼ ଆସି ଶାରଳା ମା' ଙ୍କ ପୀଠରେ ମୁଣ୍ଡିଆ ନମାରି କିଏ ଆଉ ଫେରେ ଭଲା। ପୂଜାର୍ଚ୍ଚନା ପାଇଁ ସଭିଏଁ ସେଥିଲାଗି ମାଁ ' ଙ୍କ ପୀଠକୁ ବାହାରିଲେ । ହେଲେ ରୁବିର ବେଳା ଖରାପ । ସେ ରହିଲା ଘରେ ।


  ଝିଅଟିଏ ହେବା ସତରେ ଭାରି ଅଡୁଆ । ସେମିତି ସାମାଜିକ କଟକଣା ଆସିଲେ ରୁବିକୁ ଭାରି ଚିଡା ଲାଗେ । ସୃଷ୍ଟି ପାଇଁ ଝିଅଟିଏ କେତେ ଯେ ଯନ୍ତ୍ରଣା ପାଏ କେହି ବୁଝନ୍ତି ନାହିଁ । ସେଥିରେ ପୁଣି ଏମିତି ପୂଜାର୍ଚ୍ଚନାରେ ଅବରୋଧ କରନ୍ତି ଲୋକେ । ଧନ୍ୟ କହିବ ଆମ ସଂସ୍କାର । କିନ୍ତୁ ଯେହେତୁ ନିୟମ ରହିଛି । ପାଳିତ ହେବ ନିଶ୍ଚିତ । 


 ସେଦିନ ଘରେ ସେ ଏକା ରହିଗଲା ଆଉ ସଭିଏଁ ମନ୍ଦିର ବାହାରିଗଲେ । ଜଣା ନଥାଏ କେମିତି ଆଉ କାହିଁକି ଦୁର୍ଘଟଣା ଘଟିବାର ସମ୍ଭାବନା ଗଢ଼ାହୁଏ ଜୀବନରେ । ହୁଏତ ଅପଦେଵତାମାନଙ୍କର ଷଡ଼ଯନ୍ତ୍ର ବା ଆମର ଦୁର୍ଭାଗ୍ୟ । 


 ଏକା ଏକା ଘରେ ଭଲ ଲାଗିଲା ନାହିଁ ତେଣୁ ସେ ପଡୋଶୀ ଘର ରିନି ଅପା ପାଖକୁ ବୁଲିବାକୁ ଚାଲିଗଲା । ରିନି ଅପା ସହ ତାର ଆଗରୁ ପରିଚୟ । ସେ ସବୁବେଳେ ପିଇସୀ ନାନୀ ଘରେ । ଠିକ ନାନୀର ନିଜ ଝିଅ ଭଳି । ନାନୀ ତାକୁ ସାଥିରେ ନେଇ ତାଙ୍କ ଘରକୁ ମଧ୍ୟ ଯାଇଛି । ରୁବିର ସେ ବହୁତ ଭଲ ସାଙ୍ଗ । ନିଜ ଭଉଣୀ ଭଳି ଅତ୍ମୀୟତା । 


 ରିନି ଅପା ଘର ଦରଜା ଖଡ଼ ଖଡ଼ କଲା ରୁବି । କେହି କିଛି ସୋର ଶବ୍ଦ କରିବାର ଶୁଣା ଗଲାନି । ରୁବି ଘଡ଼ିଏ ଠିଆ ହେଲା ଆଉ ପୁଣି ଥରେ ଦରଜା ବାଡେଇଲା । ଏଥର ଅବଶ୍ୟ କେହି ଜଣେ ଦରଜା ଖୋଲିବାର ଜଣା ପଡିଲା । ରୁବି ସାମ୍ନାରେ ଠିଆ ହେଇଥିଲେ ଜଣେ ବୟସ୍କ ଲୋକ । କିଏସେ ଚିହ୍ନି ନାହିଁ ରୁବି । ସେ ଟିକେ ଥ' ଥ' ମ' ମ' ହେଇ କହିଲା ,


--'' ରିନି ଅପା ଅଛିକି ?''


--'' ହଁ ଅଛି !''


 ଏତିକି କହି ଲୋକଟା ଘରଭିତରକୁ ଚାଲି ଗଲା । ରୁବି ଏବେ ଭାବୁଛି ଘର ଭିତରକୁ ଯିବ ନା' ଯିବନି । ଭଲ ହେବ ସେ ଏଇଠୁ ଡାକିବ ରିନି ଅପାକୁ । ସେ ଜୋରରେ ଡାକିଲା ଅପା , ଅପା କହି । କିନ୍ତୁ କେହି ଜବାବ ଦେଲେନି । ବଡ଼ ଆଶ୍ଚର୍ଯ୍ୟ କଥା ହେଲା ! ରିନି ଅପା ଅଛି ବୋଲି ତ ଲୋକଟା କହିଲା ତେବେ ଅପା କିଛି ଉତ୍ତର ଦେଉନି କିଆଁ ?


 ରୁବି ଫେରି ଆସିବାକୁ ବୁଲିପଡ଼ି ଯିବାକୁ ବାହାରିଲା ବେଳକୁ କିଛି ଗୋଟେ ଖୁବ୍ ଥଣ୍ଡା ଜିନିଷ ତା ପିଠିକୁ ଛୁଇଁଲା ଭଳି ଲାଗିଲା । ସେ ବୁଲିପଡ଼ି ଦେଖିଲା ସେଇ ଲୋକ ବଡ଼ ବରଫ ଖଣ୍ଡେ ଧରି ତା ' ପିଠିରେ ଲଗେଇ ଦେଉଛି । ସେ ଭୟରେ ଚିତ୍କାର କଲା ପୁର୍ବରୁ ସେଇ ଲୋକର ଶକ୍ତ ହାତ ତା' ମୁହଁକୁ ବନ୍ଦ କରିନେଲା । ଆଉ ସେ ଲୋକଟା ଖୁବ୍ ଜୋରରେ ରୁବିକୁ ଘର ଭିତରକୁ ଟାଣି ନେଲା । ରୁବିର ମୁଣ୍ଡ ଏବେ ଆଉ କାମ କରୁନଥିଲା । ସେ ବୁଝିପାରୁନଥିଲା ତା' ସହ କ'ଣ ଘଟୁଛି । 


 ସେ ନିଜକୁ ମୁକୁଳେଇ ବାକୁ ପ୍ରାଣ ପଣେ ଚେଷ୍ଟା କଲା । କିନ୍ତୁ ସବୁକିଛି ବିଫଳ ହେଲା । ଅଜଗର ଭଳି ସେ ଲୋକ ରୁବିକୁ ଗ୍ରାସିବାକୁ ଲାଗିଥିଲା ଭୟଙ୍କର ଭାବରେ । ରୁବି ଛାଟି ପିଟି ହେଉଥିଲା ଆଉ ଲୋକଟା ତାକୁ ଖିନ ଭିନ କରିବାର ପ୍ରଚେଷ୍ଟାରେ ଥିଲା । ଏତିକି ବେଳକୁ ଘଟିଲା ଗୋଟେ ବିଚିତ୍ର ଘଟଣା ।


 ହଠାତ୍ କେହି ଜଣେ ଲୋକଟାକୁ ଧକ୍କା ଦେଇ ରୁବି ଉପରୁ ହଟେଇ ଦେଲା । ଆକସ୍ମିକ ଭାବେ ଘଟିଗଲା ଏଇତକ । ରୁବି କିଛି ଭାବିବା ପୂର୍ବରୁ ତା' ସାମ୍ନାରେ ଥିଲା ରିନି ଅପା । ସେ ଧାଇଁ ଗଲା ଅପା ପାଖକୁ । ଆଉ ସେଇ ଲୋକଟା ସେଇଠି ସେମିତି ପଡିଥିଲା ଚିତ ପଟାଙ୍ଗ । 


 ରିନି ଅପାର ଧକ୍କା ଖାଇ ଲୋକଟା ଯାଇଁ ପିଟି ହେଇଯାଇଥିଲା ଖଟ ପାଖରେ ଥିବା ସେ ବଡ଼ ହେମଦସ୍ତା ଦେହରେ । ମୁଣ୍ଡ ମାଡ଼ ହେଇ ରକ୍ତ ଧାର ଝରୁଥିଲା ସେଥିରୁ । ସେ ଦୁହେଁ ସେଇ ରକ୍ତାକ୍ତ ଲୋକଟାକୁ ଦେଖି ଡରିଗଲେ ।  


 ମରିଗଲା କି ଆଉ ?


 ପ୍ରଶ୍ନଟିଏ ଏଇନେ ଥିଲା ରିନି ଆଉ ରୁବିର ଆଖିରେ । କିନ୍ତୁ କେହି ସାହସ କରି କିଛି କହୁନଥିଲେ । ହେଲେ ଦେଖିବାକୁ ହେବ ନିଶ୍ଚିତ । ରିନି ଗଲା ନିଶ୍ୱାସ ଚାଲୁଛି କି ନାହିଁ ଦେଖିବାକୁ । କିନ୍ତୁ ଲୋକଟା ଏକଦମ ନିସ୍ତେଜ ଥିଲା । କିଛି ଜାଣି ହେଲାନି । ମରିଗଲା ବୋଧେ !....


 ରିନି ଅପା କହିଲା , '' ରୁବି ଏ ମୋ ବାପା । ମାନସିକ ବିକୃତି ଅଛି ଟିକେ । ମୋ ମା' କୁ ଏମିତି ଅତ୍ୟାଚାର କଲେ ଯେ ସେ ଜୀବନ ହାରି ଦେଲା । ସେଥିପାଇଁ ମୁଁ ତୋ ପିଇସୀ ନାନୀ ପାଖରେ ରହିବାକୁ ଭଲ ପାଏ । ଦେଖ ଯାହା ଘଟିଲା ତୁ କିଛି ଜାଣିନୁ । ଏଠିକି ତୁ ଆସିନୁ ଜମା । ତୁ ତୋ ଘରକୁ ଚାଲି ଯା । ବାକି ମୁଁ ଦେଖିବି ।''


 ରୁବି ପଥର ଭଳି ସ୍ଥାଣୁ ହେଇ ଠିଆ ହେଇଥିଲା । ଲୋକଟା ମରିଗଲା କି ବଞ୍ଚିଛି ଜାଣିବାକୁ ଇଚ୍ଛା କରୁଥିଲା । କିନ୍ତୁ କିଛି କଥା ସ୍ଫୁରୁନଥିଲା ତା' ଓଠରୁ । ଭୟରେ ଗୋଟାପଣ ଥରୁ ଥିଲା ସେ । ରିନି ଅପା ଜୋର କରି ତାକୁ ବିଦା କରିଦେଲେ । ରୁବି ଘରକୁ ଆସିଗଲା । 


  ମନ୍ଦିରରୁ ଫେରି ସମସ୍ତେ ଆସିଲେ । ଆଉ ସେମାନେ ଖରାବେଳେ ଖିଆପିଆ ସାରି ଓପରବେଳାକୁ ତାଙ୍କ ଘରକୁ ଫେରି ଆସିଲେ । ରିନି ଅପା କଥା ସେମିତି ରହିଲା ମନ ଭିତରେ ଲୁଚିକି । କିନ୍ତୁ ରୁବି ସନ୍ତୁଳି ହେଉଥିଲା ଭିତରେ ଭିତରେ ସବୁବେଳେ । 


 କେଜାଣି କାହିଁକି କେବେ ଆଉ ରିନି ଅପା ସହ ଦେଖାହେଇପାରିଲା ନାହିଁ । ନାନୀ ସହ ଆଉ ଆସୁନଥିଲା ଅପା । ସେ କେବେ ସାହାସ କରି ନାନୀକୁ ପଚାରିପାରିଲା ନାହିଁ ରିନି ଅପା କଥା । 


*************


 ଦଶ ବର୍ଷ ପରେ ରିନି ଅପା ସହ ଦେଖା ହେଲା ଗୋଟେ ବିଚିତ୍ର ସ୍ଥାନରେ । ସେଠି ଦେଖିବ ବୋଲି ରୁବି କେବେ ସ୍ୱପ୍ନରେ ଭାବି ନଥିଲା !...........


 ବାପାଙ୍କ ଇଚ୍ଛା ଥିଲା ସେ ଗୋଟେ ସୁନାମଧନ୍ୟ ଜଜ୍ ଭାବେ ପ୍ରତିଷ୍ଠିତ ହେଉ । ଖାସ ସେଥିପାଇଁ ଓକିଲାତି ପଢିଲା ସେ ଆଉ ପରେ ଓ .ଜେ .ଏସ୍ . ପାଇ ବାପାଙ୍କ ସ୍ୱପ୍ନ ସାକାର କଲା । 


 ଆଜି ରିନି ଅପାକୁ ଦେଖିଲା ସେ ପୁଣି ଥରେ । କିନ୍ତୁ ରିନି ଅପାକୁ ଏମିତି ଭେଟିବାର ଇଚ୍ଛା ନଥିଲା ଜମା । ରିନି ଅପା ହତ୍ୟା ଅଭିଯୋଗରେ ତା' ପୁଣି ନିଜ ବାପାଙ୍କର । ପ୍ରଥମେ ନାଁ ଟା ଦେଖି ଟିକେ ଦୋ ଦୋ ଚିହ୍ନା ହେଉଥିଲା ସେ କିନ୍ତୁ ଭେଟିବା ପରେ ପୂରା ଚିହ୍ନି ଗଲା । ବଦଳି ନଥିଲା ଅପା । 


  ତେବେ ସେଦିନର ଦୁର୍ଘଟଣାରେ ସେ ଅମଣିଷ ମରିଯାଇଥିଲା । ଆଉ ଅପା ଜେଲ୍ ଯାଇଥିଲା । ବୟସ କମ୍ ହେଇଥିବାରୁ ବାଳ ସୁଧାର ଗୃହରେ ଥିଲା ଆଜିଯାଏଁ । ଦୁଇଦିନ ତଳେ ମୁକୁଳିଛି ଅପା । ଆଉ ତାକୁ ଭେଟିବାକୁ ଆସିଛି । 


 ଏତେ ଦୀର୍ଘ ବର୍ଷ ପରେ ମଧ୍ୟ ଅପା ପାଖରେ ଥିଲା ତା' ଖବର । ପିଇସୀ ନାନୀଠୁ ଶୁଣିଲା ଯେବେ ସେ ଜଜ୍ ହେଇଗଲାଣି ଭେଟିବାକୁ ଆସିଲା ଆଜି । ଏଇ ଘଟଣାରେ ସୁଖୀ ହେବ ନା ଦୁଃଖି ଜାଣି ପାରୁନଥିଲା ରୁବି । ତା' ଭୁଲର ଦଣ୍ଡ ପାଇଲା ଅପା । ଦୋଷୀ ଦୋଷୀ ଲାଗୁଥିଲା ତାକୁ । ଅପାର ସମ୍ନା କରିବାର ସାହସ ନଥିଲା ଭିତରେ ।


ସେଦିନ କିନ୍ତୁ ଅପା ତାକୁ ଦେଖି ବହୁତ ଖୁସି ହେଇଥିଲା । ହାତ ଧରି କହିଥିଲା , '' ଜାଣୁ ତୋତେ ଏଇ ରୂପରେ ଦେଖି ଲାଗୁଛି ମୋ ଯନ୍ତ୍ରଣା ବ୍ୟର୍ଥ ହେଇନି । ସେଦିନ ତୋତେ ବଞ୍ଚେଇ ନଥିଲେ ତୁ ହୁଏତ କେଉଁ ଅନ୍ଧକାର ଭିତରେ ହଜି ଯାଇଥାନ୍ତୁ । ''


 ରୁବି ଅପାର ତ୍ୟାଗ ସାରା ଜୀବନ ସୁଝିପାରିବ ନାହିଁ । ସେ କେବଳ କାନ୍ଦୁଥିଲା ଅପାର ବଦଳି ଯାଇଥିବା ଜୀବନ ଦେଖି । ଜୀବନରେ ଅପା କେବେ କୌଣସି ଅପକର୍ମ କରିନଥିଲା । କେବଳ ଗୋଟେ ଅମଣିଷ ଠାରୁ ଗୋଟେ ନିଷ୍ପାପ ଝିଅକୁ ବଞ୍ଚେଇ ଥିଲା । ଅପା ମୁହଁ ଖୋଲି କିଛି କହିନଥିଲା , ଥରୁଟିଏ ରୁବିର ନାଁ ନେଇନଥିଲା । କେତେବଡ଼ ତ୍ୟାଗ କଲା ସତରେ । କିନ୍ତୁ ସମାଜ ଆଗରେ ତା' ମହାନ ତ୍ୟାଗର ଚିତ୍ର କେଡେ କଦର୍ଥ ହେଇଯାଇଥିଲା । ଅପବାଦର ସ୍ୟାହି ଇଡି ହେଇଯାଇଥିଲା ଗୋଟେ ଦେବୀଙ୍କ ସ୍ୱରୂପ ଉପରେ ।


ମଣିଷର ଜୀବନ ସତରେ କେତେବେଳେ କେଉଁ ମୋଡ଼ ନେବ କହିବା ଅସମ୍ଭବ ।


ରୁବିର ମନେ ପଡୁଥିଲା ରିନି ଅପାର ସେ ଅତୀତର ସ୍ନେହ , ଶ୍ରଦ୍ଧା , ଆତ୍ମୀୟତା । ସେଇ ନୀରିହ ପିଳାଖେଳ । ବଡ଼ ଅପା ଭଳି ତାଗିଦ ।


ଭୋ ଭୋ କାନ୍ଦି ଥିଲା ସେଦିନ ରୁବି । ହେଲେ ଅପା ରୁବିର ଲୁହ ପୋଛି ଦେଇ ତାକୁ କୋଳେଇ ନେଇଥିଲା । ଆଉ ସ୍ୟାହି ପେନଟେ ଦେଇ କହିଥିଲା , ''ତୋ ଭବିଷ୍ୟତ ବିଚାର ସବୁ ଏଇଥିରେ ଲେଖିବୁ । ମୋତେ ବହୁତ ଭଲ ଲାଗିବ । ମୁଁ ହିଁ ତୋ ଭିତରେ ଲେଖୁଛି ବୋଲି ଭାବିବି ।''


  ଲୁହଭର୍ତ୍ତି ଆଖିରେ ରୁବି ଦେଖୁଥିଲା ତା' ତ୍ରାଣକର୍ତ୍ତୀକୁ ନିର୍ବାକ ହେଇ । 


********


 ନିୟତିର ନିର୍ଦ୍ଦେଶ କେତେବେଳେ କାହା ପାଇଁ କିପରି କହିବା ଅସମ୍ଭବ । ମଣିଷ ନିଜ ଭାଗ୍ୟ ପରିବର୍ତ୍ତନ କରିବା ପ୍ରସଙ୍ଗ ହୁଏତ କେବଳ ଗପ କାହାଣୀରେ । ବାସ୍ତବ ଜୀବନର ଚିତ୍ର କିନ୍ତୁ ଭିନ୍ନ !..... 


 ପରବର୍ତ୍ତୀ ସମୟରେ ରୁବି ରିନି ଅପାର ଥଇଥାନ ପାଇଁ ବହୁତ ଚେଷ୍ଟା କରିଥିଲା । ଗୋଟେ ସ୍ୱୟଂ ସେବୀକା ସଂସ୍ଥାରେ ଅପାକୁ ସ୍ଥାନିତ ମଧ୍ୟ କରିଥିଲା । କିନ୍ତୁ ଅପାର ଅତୀତ ଗୋଟେ କଳା ବାଦଲ ହେଇ ଛାଇ ରହୁଥିଲା ସବୁଠି । ଅପା ନିଜ ହତ୍ୟାକାରୀର ପରିଚୟର ବୋଝ ତଳେ ନିଷ୍ପେସିତ ହେଉଥିଲା ଅହରହ । 


 ସମାଜ ମଣିଷକୁ ସୁଯୋଗ ଦିଏନି କେବେ ନିଜ ଅତୀତର ଅମାବାସ୍ୟାର ଅନ୍ଧକାର ଭିତରୁ ମୁକ୍ତ ହେଇ ନୂତନ ସୂର୍ଯ୍ୟାଲୋକ ଦେଖିବାକୁ । ଗୋଟେ ପିତୃହନ୍ତା ଝିଅ କେବେ ସାମାଜିକ ହେବାର ନୁହେଁ । 


 ଅପା ସବୁବେଳେ ସେଇ ଘୃଣ୍ୟ ଦୃଷ୍ଟିର ସମ୍ନା କରୁଥିଲା । ଆଉ ଦିନେ ଅପା ହୁଏତ ଏସବୁ ଭିତରୁ ନିଜକୁ ମୁକୁଳେଇ ନେଇ ଚାଲିଗଲା । ନିରୂଦ୍ଦିଷ୍ଟ ହେଇଗଲା କାଳର କରାଳ ସ୍ରୋତ ଭିତରେ । 


 ରୁବି ଅପାକୁ ଖୋଜିଲା ନାହିଁ। କାରଣ ସେ ବୁଝୁଥିଲା ଏଇ ପରିଚିତ ପୃଥିବୀରେ ଅପା ପାଇଁ ବସନ୍ତର ଠିକଣା ହଜିଯାଇଛି । 


****


 ସ୍ୟାହୀ ପେନ୍ ଟା ଅପାର ଶେଷ ସନ୍ତକ । ସେଇଟି ଭିତରେ ଅଛି ଗୋଟେ ତ୍ୟାଗପୁତ ଜୀବନର ଅଦୃଶ୍ୟ କାହାଣୀ । ଯାହା ଉପରେ ପର୍ଯ୍ୟବେସିତ ହେଇଛି ରୁବିର ଅସ୍ତିତ୍ୱ । ରୁବି ନୂଆ କାଳି ଦୁଆତଟେ କିଣିବାକୁ ବାହାରି ଗଲା । 




Rate this content
Log in

Similar oriya story from Tragedy