Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

3  

Prasanta kumar Hota

Inspirational

କିଛି ପ୍ରଚେଷ୍ଟା କିଛି ପ୍ରାୟଶ୍ଚିତ

କିଛି ପ୍ରଚେଷ୍ଟା କିଛି ପ୍ରାୟଶ୍ଚିତ

9 mins
458


ବାହାଘର ପରେ ପରେ ମାମି ଯେବେ ବାପ ଘରକୁ ଆସୁଥିଲା ମନ ପ୍ରାୟତଃ ଖୁସି ଜଣା ପଡୁଥିଲା। କିନ୍ତୁ ଏଥରକ କଥା ବିପରୀତ ଥିଲା। ଘରେ ପଶି ଆସୁ ଆସୁ କେହି ତା ମୁହଁରେ ପୂର୍ବର ସେ ହସ ଦେଖି ପାରୁନଥିଲେ। ବର୍ଷଟିଏ ବି ହେଇନି ବାହାଘରର, ଅଚାନକ ଏପରି ପରିବର୍ତ୍ତନ ଦେଖି ସମସ୍ତେ ବିବ୍ରତ ହେଇଗଲେ। ଗୋଟିଏ ବୋଲି ଝିଅ କେତେ ଗେଲ ବସରରେ ବଢିଥିଲା। ଭଲ ପାଠ ପଢିଛି। ବଡଘରେ ବାହା ଦେଇଛନ୍ତି। ପିଲାଟିବି ଖୁବ୍ ଭଲ। ଏମିତି ହଠାତ୍ କଣ ହେଲା କେହି ଭାବି ପାରୁନଥିଲେ। ସମସ୍ତେ ଉତ୍ସୁକ ଥିଲେ ପଚାରିବେ ବୋଲି। କିନ୍ତୁ କିଏ ଆରମ୍ଭ କରିବ ବୋଲି କେହି କହୁ ନଥିଲେ। ବାପା ଅବିନାଶ, ବୋଉ ସୁମିତ୍ରା, ଭାଇ ଆକାଶ ଓ ଭାଉଜ ଆନି ସମସ୍ତେ ପରସ୍ପର ଆଡେ ଅନାଇ ରହିଥିଲେ। କିଛି ସମୟ ଆଶ୍ଵସ୍ତ ହୋଇ ବସିବା ପରେ ବୋଉ ପଚାରିଲେ - ତୁ ଏକୁଟିଆ କେମିତି ଖବର ନଦେଇ ଚାଲି ଆସିଲୁ। ଜୋଇଁ କୁଆଡ଼େ ଗଲେ, ଆସିଲେନି।

ସେ ଅଫିସ୍ କାମରେ ଆସୁଥିଲେ ମୁଁ ତାଙ୍କ ସାଙ୍ଗରେ ପଳେଇ ଆସିଛି, କହିଲା ମାମି ।

ବୋଉ କହିଲେ ଘରକୁ ଡାକିଲୁନି ପାଞ୍ଚ ମିନିଟ ବସିକି ତ ଯାଇ ପାରିଥାନ୍ତେ।

ମୁଁ ଡାକିଲାରୁ ମୋତେ କହିଲେ ମିଟିଂ ଅଛି ଡେରି ହେଇଯିବ।

ହୋଉ ମିଟିଂ ପରେ ଆସିବେ ତ?

ନାଇ। ସେୟାଡୁ ସେୟାଡୁ ଘରକୁ ପଳେଇବେ ବୋଲି କହିଛନ୍ତି ।

ଏଠିକି ଆସିକି ମୁହଁ ନଦେଖେଇ ପଳେଇବେ। ଏଇଟା କଣ ଠିକ୍ କଥା।

ସେ ତ କହିଲେ ମିଟିଂରେ ଲଞ୍ଚ କରିବେ। ମିଟିଂ ସରୁ ସରୁ ଡେରି ହେଇଯିବ। ତେଣୁ ଘରେ ପହଞ୍ଚିବା ବିଳମ୍ବ ହେବ କହି ଆସି ପାରିବେନି ବୋଲି କହିଲେ।

ତୁ ମାମି ତାହେଲେ ମଣିଷକୁ ଦେଖି ଚିହ୍ନିବା ବୁଝିବା ଭୁଲ କରୁଛୁ। ଯେତେ ଡେରି ହେଲେ ବି ଶ୍ବଶୁର ଘରକୁ ଆସି ଏଠି ଦେଖା ନକରି ଫେରିଯିବା ମାନେ ଆମ ପ୍ରତି କିଛି ଅଭିମାନ ଅଛି ନହେଲେ ତୋ ପ୍ରତି ଅଭିମାନ ପ୍ରକାଶ କରୁଛନ୍ତି। ସୁମିତ୍ରା ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କଲେ।

ଠିକ୍ ଅଛି ତାହେଲେ ମୁଁ ମେସେଜ୍ ପଠେଇ ଦେଉଛି - ଏଠି ଆସି ଦେଖାକରି ଯିବେ। ମାମି ବି ସେହିପରି ଅସନ୍ତୋଷରେ କହିଲା।

ଏଇଟା ତ ଆଦେଶ ଦେଲା ଭଳିଆ କଥା ହେଲା। ନିଜର ସ୍ତ୍ରୀ ହେବାର ଅଧିକାରରେ ଆଦେଶ ଦେଲା ପରି କଥା ହେବା ଭବିଷ୍ୟତ ପାଇଁ ଭଲ ନୁହେଁ। ଏଇଟା ଆମ ପରମ୍ପରା ବି ନୁହେଁ।

ବୋଉ ତୁ କଣ ମୋ ଶାଶୁ ଘର ଭଳିଆ ମୋର ସବୁ କଥାରେ ଭୁଲ ଧରିବା ଆରମ୍ଭ କଲୁଣି।

ବୋଉ ହସିଦେଲେ। କହିଲେ ତୁ କାହିଁକି ସେମିତି ଭାବୁଛୁ। ବଡ ମାନଙ୍କ କଥାକୁ ଗ୍ରହଣ କରିବା ତ ଭଲ କଥା କାରଣ ସେମାନେ ଅନେକ ଅଭିଜ୍ଞତା ଦେଇ ଆସିଛନ୍ତି। ତୋର ସନ୍ଦେହ ହେଲେ ପରଖି ପାରୁ କିନ୍ତୁ ପ୍ରତିରୋଧ କରିବା ଠିକ୍ ନୁହେଁ।

ମୋତେ କିନ୍ତୁ ଏଗୁଡିକ ଭଲ ଲାଗେନା। ବଡ ହୋଇଗଲେ ବୋଲି କଣ ସବୁଥିରେ ମୁଣ୍ଡ ପୁରେଇବେ ନା କଣ। କେତେ ପ୍ରଶ୍ନ ତାଙ୍କର! ମୁଁ କାହିଁକି ଘରକୁ ଯିବି? ଏବେ ଘରକୁ ଯାଇଥିଲୁ । ରହ ପରେ ଯିବୁ। ସଦାବେଳେ ବାପ ଘରକୁ ଦୌଡ଼ିବା ଭଲ ନୁହେଁ। ଏମିତି କେତେ କଥା।

ବୋଉ କହିଲେ - ତାହେଲେ ତୁ ଝଗଡା କରି ଆସିଛୁ !

ଝଗଡା କେତେବେଳେ କଲି। ମହେଶଙ୍କ ଗାଡି ଆସୁଥିଲା। ତାଙ୍କ ସାଙ୍ଗରେ ପଳେଇ ଆସିଲି।

କିନ୍ତୁ ଝିଅ ତୋ ଶ୍ବଶୁର ଘର ଲୋକଙ୍କର ଇଛା ଥିଲା କି?

ସଦାବେଳେ କଣ ତାଙ୍କର ଇଛା ନେଇ ଚଳି ହେବ! ମୋର କଣ କିଛି ଇଛା ନାହିଁ। ମୋର ପ୍ରତ୍ୟେକ କଥାକୁ ଜଗିକି ବସିଛନ୍ତି। ମୁଁ କେତେବେଳେ ଗାଧେଇଲି, ଖାଇଲି ବୁଲିଗଲି କଣ ପିନ୍ଧିଲି ଏମିତି କେତେ କଣ। ଖାଲି ଏତିକି ନୁହେଁ ମୋତେ ପୁଣି କହିବେ ଆଜି ଆଇଁଷ ଖାଇବୁନି, କାଲି ଅରୁଆ ଖାଇବୁ। ତାଙ୍କ ଝିଅକୁ କହୁ ନାହାନ୍ତି। ସେ ତ ବାହାରେ ଯାଇ ଆଇଁଷ ଖାଇ ଦେଇ ପଳେଇ ଆସୁଛି। ଆଜିର ଯୁଗରେ ଏତେ କଟକଣା କଣ।

ବୋଉ କହିଲେ -ହୋଉ ତୁ ଏତେ ରାଗିବା ଭଲ ନୁହେଁ। ନାରୀର ଅନେକ ରୂପ। ତା ଭିତରୁ ଝିଅ ଗୋଟିଏ ବୋହୂ ଗୋଟିଏ। ଉଭୟଙ୍କୁ ସମାନ ଭାବେ ତୁଳନା କରା ଯାଇପାରେ ନାହିଁ। ତମେମାନେ ବଡ ହେଲଣି। ନିଜେ ନିଜେ ବୁଝି ଯିବା କଥା।

-ହୋଉ ହେଲା ତୁ କହ -ତୋ ଜୋଇଁକୁ ଲଞ୍ଚରେ ଆସିବା ପାଇଁ ମେସେଜ୍ କରିବି ନା ନାହିଁ।

ବୋଉ କହିଲେ ହଁ ମେସେଜ୍ କରିଦେ ମୁଁ ଡାକୁଛି ବୋଲି। କିନ୍ତୁ ଦେଖିବୁ ସେ ବାହାନା କରି ମନା କରିବେ। କହିବେ ଏଠି ଲଞ୍ଚ କରିବାକୁ ପଡ଼ିବ। ସମୟ ହେଲାନି ଆସିବା ପାଇଁ।

ସତ ନା କଣ! ତୁ କେମିତି ଆଗରୁ ଏକଥା ଜାଣିଛୁ?

-ଏଗୁଡିକ ଅଭିଜ୍ଞତା। ସଦାବେଳେ ପୁସ୍ତକ ଜ୍ଞାନ କାମ ଦିଏ ନାହିଁ।

ମାମି ମେସେଜ୍ କରିଦେଲା। କିଛି ସମୟ ପରେ ବୋଉଙ୍କର କହିବା ମୁତାବକ ଉତ୍ତର ପଳେଇ ଆସିଲା।

ମାମିର ମୁହଁ ଟା ଶୁଖିଗଲା। ସେ କିନ୍ତୁ ଭିନ୍ନ କିଛି ଆଶା କରୁଥିଲା। ବୋଉ ମୁହଁ ଦେଖି ଜାଣି ପାରିଲେ। ପଚାରିଲେ -କଣ ଆସିବେନି ବୋଲି ମନାକଲେ?

-ହଁ

ଏଥିରେ ମୁହଁ ଶୁଖେଇବାର କଣ ଅଛି। ଠିକ୍ କହିଛନ୍ତି। ପ୍ରତ୍ୟେକ ପୁରୁଷ ଏହା ହିଁ କହିଥାନ୍ତା। ତୋ ବାପା ବି ଏହା କହିଥାନ୍ତେ। ତୁ ତାଙ୍କର ବୋହୂ। ସେମାନଙ୍କ ଇଛା ପୁରଣ ହେବା ଅଗ୍ରାଧିକାର। ନକରି ପାରିଲେ ସେଇଟା ଆମର ଅକ୍ଷମତା। ଆମ ଜାତି ଧର୍ମର ବିପରୀତ। ଆମକୁ କଣ ଭଲ ଲାଗୁଛି ବା ନଲାଗୁଛି ସେଇଟା ମୂଖ୍ୟ ନୁହେଁ। ମୂଖ୍ୟ ହେଉଛି ଆମର ବର୍ତ୍ତମାନର ପରିସ୍ଥିତିରେ କର୍ତ୍ତବ୍ୟ କଣ।

- ବୋଉ ତୁ ଆଉ ମୋତେ ଏତେ ଉପଦେଶ ଦେ ନା। ସେଠି ତ ଉପଦେଶ ଶୁଣି ଶୁଣି ଆସିଛି। କେତେ ଶୁଣିବି।

ଝିଅର ବିରକ୍ତି ଭାବ ବୁଝିପାରି ବୋଉ ଚୁପ୍ ରହିଗଲେ। କହିଲେ-ହୋଉ ତୁ ଆସିଲା ବେଳୁ କିଛି ଖାଇନୁ। ଟିକେ ଜୁସ୍ କରିଦେଉଛି ପିଇଦେବୁ।

-ନାଇ ମୁଁ ଚାହା ପିଇବି ।

-ହୋଉ କହି ବୋଉ ରୋଷେଇ ଘର ଭିତରକୁ ପଶିଗଲେ ।

ଅବିନାଶ ପାଖକୁ ଆସି ସୁମିତ୍ରାଙ୍କୁ ପଚାରିଲେ ଜୋଇଁକୁ ଫୋନ କରି ଡାକିବା କି? ସୁମିତ୍ରା ତୁରନ୍ତ ମନାକଲେ। କହିଲେ -ତାଙ୍କ ଭିତରେ କଥା। ଆମେ ଏତେ ଶୀଘ୍ର ସେ ଭିତରେ ପଶିବା ଠିକ୍ ନୁହେଁ। କିଛି ଦିନ ଯାଉ ଦେଖିବା। ମୋତେ ଲାଗୁଛି ମୋ ଝିଅର ସବୁ ଭୁଲ। ରୋଷେଇ ବାସ ଭଲ କରି ଶିଖିଲା ନାହିଁ। କିଏ କଣ କହି ଦେଇଥିବ। ମାମି ଯେମିତି ଝିଅ କିଛି ନ କହିଲେ ବି ସାଙ୍ଗେ ସାଙ୍ଗେ ରାଗି ଯାଇଥିବ। ରାଗ ଥରେ ମନ ଭିତରେ ରହିଲେ ସେ ଭିନ୍ନ ଭିନ୍ନ ବାଟ ଦେଇ ବାହାରେ ଓ ଭିନ୍ନ ଭିନ୍ନ ରୂପ ପ୍ରକାଶ କରେ। ଯିଏ ସମ୍ଭାଳି ପାରିଲା ସିଏ ହସ ଖୁସିରେ ରହିଲା। ଯିଏ ସମ୍ଭାଳି ପାରିଲା ନାହିଁ ତା ଜୀବନଟା ବିରସ ହୋଇଗଲା। ଆମେ ଧର୍ଯ୍ୟର ସହିତ ପରିସ୍ଥିତିକୁ ବୁଝି ବୁଝାଇ ପାରିଲେ ଭାବୁଛି ମୋ ଝିଅର ଜୀବନ ଆନନ୍ଦରେ ଭରି ଉଠିବ।

ଅବିନାଶ କହିଲେ -ସୁମିତ୍ରା ତମେ ପାରିବ। ମୋ ଜୀବନରେ ବି ସେମିତି ଘଡି ସନ୍ଧି ମୂହୁର୍ତ୍ତ ଆସିଥିଲା। ତମ ବିଚାର ବୁଦ୍ଧିର ସାହାଯ୍ୟ ପାଇ ନଥିଲେ ମୋତେ ବି ବଡ ହାହାକାର ଲାଗିଥାନ୍ତା।

ସୁମିତ୍ରା ହସିଦେଲେ - କହିଲେ କୌଣସି ଜିନିଷ ଏକତରଫା ହୁଏ ନାହିଁ। ତମେ ମୋତେ ଯେତେ ଭଲ ପାଅ ମୁଁ ତମ ପାଇଁ କିଛି ବି ତ୍ୟାଗ କରିପାରେ। ନାରୀର ଭଲ ପାଇବା ନାରୀ ପାଇଁ ସବୁକିଛି। ଏହି ଭଲ ପାଇବାକୁ ନେଇ ନାରୀମାନେ ଅନେକ ପ୍ରକାରର ଖେଳ ଖେଳନ୍ତି ବୋଲି ଜୀବନ ସଂସାର ସୁଖରୁ ଦୁରେଇ ଯାଏ ଓ ସମସ୍ତେ ନାରୀକୁ ବଦନାମ କରନ୍ତି।

ବୋଉ ଚାହା ବସେଇଛୁ ତ! ମାମି ଡାକ ଦେଲା।

- ହଁ ହଁ ହେଲାଣି। ଏଠିକି ଆସୁନୁ। ତୋ ବାପା ବସିଛନ୍ତି। ଗପସପ ହେଇ ଚାହା ପିଇବା।

ମାମି ପାଖକୁ ଆସି କହିଲା- ବୋଉ କାଲିଠାରୁ ମୁଁ ରୋଷେଇ କରିବି ।

ଅବିନାଶ କହିଲେ -କଣ ପାଇଁ। ତୁ ଆସିଛୁ। ଆରାମରେ କିଛି ଦିନ ରହ।

ମାମି ଉତ୍ତର ଦେଲା - ବାପା ସେଇଟା ମୋ ଆରାମ। ମୁଁ ରୋଷେଇ କରି ମଜା ନେବି। ତମେ ଟେନସନ ନିଅନାହିଁ । ମୋ ଶାଶୁ ନଣନ୍ଦ କଣ ଦି'ଟା ଭଲ ରୋଷେଇ କରି ପକାନ୍ତି ଯେ ମନେ ମନେ ଭାରି ଗର୍ବ।

-ହୋଉ ତୁ ଚାହା ପି। ଆଜି ଦିନଟି ବିଶ୍ରାମ ନେ। କାଲିଠାରୁ ତ କରିବୁ। ମୁଁ ତୋତେ ଯାହା ସବୁ ଶିଖେଇ ପାରିନି ଏବେ ପୁରା କରିଦେବି। ସୁମିତ୍ରା ହସିକି କହିଲେ ମୋର ବି ତୋ ଘରେ ମାନ ସମ୍ମାନ ରହିବାର ଅଛି କି ନାହିଁ! ସମସ୍ତେ ଜୋରରେ ହସି ଉଠିଲେ।

ତା ପରଦିନ ସକାଳୁ ମାମି ବାହାରି ଆସିଲା ଜଳଖିଆ କରିବା ପାଇଁ। ସୁମିତ୍ରା ଝିଅର ଇଛା ଦେଖି ଖୁସି ହୋଇଗଲେ। ପ୍ରସ୍ତୁତି ଚାଲିଥିବା ବେଳେ ସୁମିତ୍ରା କହିଲେ -ସବୁ ଜିନିଷ କଲାବେଳେ ପରିଷ୍କାର ପରିଚ୍ଛନ୍ନତା ଓ ମର୍ଯ୍ୟଦା ବୋଧ ରହିବା ଦରକାର୍।

ମାମି ପଚାରିଲା -ପରିଷ୍କାର ତ ବୁଝୁଛି ପୁଣି ଖାଇବା ପ୍ରସ୍ତୁତିରେ ମର୍ଯ୍ୟାଦା କଣ?

ସୁମିତ୍ରା ହସିଦେଲେ। କହିଲେ -ଆଗ କାଳରେ ସେଇଟା ବହୁତ ଜରୁରୀ ଥିଲା। ଯେମିତି ଗାଧୋଇ ସାରି ରୋଷେଇ ଘରେ ପଶିବା। ଖାଦ୍ୟ ପ୍ରସ୍ତୁତ ପରେ ଅଗ୍ନିକୁ ସମର୍ପଣ କରିବା ଓ ପ୍ରସ୍ତୁତି ସମୟରେ ଖାଇବା ଅଇଁଠା ନକରିବା। ଏଗୁଡ଼ିକ ହେଉଛି ମର୍ଯ୍ୟାଦା। ଦେଇ ପାରିଲେ ଭଲ। ଆଜି କାଲିର ଜଞ୍ଜାଳରେ ଏଗୁଡ଼ିକ ଲୋକ ଧିରେ ଧିରେ ଭୁଲି ଗଲେଣି।

ରୋଷେଇ ପ୍ରାୟ ସରି ଯାଇଥାଏ। ମାମି କହିଲା -କାଲି କିନ୍ତୁ ଗାଧୋଇ ସାରି ରୋଷେଇ ଆରମ୍ଭ ହେବ ସୁମିତ୍ରାଙ୍କ ଅନ୍ତରାତ୍ମା ଖୁସିରେ ନାଚି ଉଠିଲା। ସେ ହସି ଦେଇ କହିଲେ -ହୋଉ।

ଅବିନାଶ ଇସାରାରେ ନିଜ ଖୁସି ଜଣେଇ ଦେଲେ।

ପରଦିନ ସକାଳୁ ମାମି ଗାଧୁଆ କାମ ସାରି ପ୍ରସ୍ତୁତ ହେଇଗଲା।

ସୁମିତ୍ରା ଦେଖି କାବା। ସେ ନିଜର ଆଗ୍ରହ ଏମିତି କେବେ ଦେଖେଇ ନଥିଲା। ସୁମିତ୍ରା ଭାବିଥିଲେ ପଢୁଚି ତ ପଢୁ। ସମୟ ଆସିଲେ ଆପେ ଆଗ୍ରହ କରି ଶିଖିଯିବ। କିନ୍ତୁ ହେଲା ନାହିଁ। ତାର ନ ଶିଖିବାଟା ନିରାଗ୍ରହରେ ପରିଣତ ହୋଇଗଲା।

ନିରାଗ୍ରହ ପାଇଁ ସୁମିତ୍ରା କେବେ ପ୍ରତିବାଦ କରି ନଥିଲେ। ଭାବୁଥିଲେ ଝିଅର ନିଜ ବୁଦ୍ଧି ଯଦି ଶିଖିବା ପାଇଁ ଆଗ୍ରହ ଦେଉନି କହିଦେଲେ ବା କେତେ ଆସିବ। ମାନସିକ ସ୍ତରରେ ଯେ ପର୍ଯ୍ୟନ୍ତ ପ୍ରସ୍ତୁତି ଆସି ନାହିଁ ସେ ପର୍ଯ୍ୟନ୍ତ କିଛି କହିବାଟା ମୂଲ୍ୟହୀନ।

ସୁମିତ୍ରା ଆସି ମାମି ପାଖରେ ପହଞ୍ଚି ଗଲେ। କହିଲେ, ଆଜି ପୁରୀ ଅଣ୍ଡା ଝୋଳ କରିବା। ଏହା କହି ଗୋଟିଏ ପାତ୍ରରେ ଅଣ୍ଡା ଓ ଆଳୁ ସିଝାଇବା ପାଇଁ ବରାଦ କଲେ।

ମାମି ସଙ୍ଗେ ସଙ୍ଗେ ପାତ୍ର ପ୍ରସ୍ତୁତ କରି ବସେଇ ଦେଲା। ଅଣ୍ଡା ଆଳୁ ସିଝିବାକୁ ଲାଗିଲା। ଏପଟେ ମାମି ମସଲା ପ୍ରସ୍ତୁତ କରୁଥାଏ ଓ ସୁମିତ୍ରା ପୁରୀ ପାଇଁ ଅଟା ଚକଟୁ ଥାନ୍ତି। ସୁବିଧା ଦେଖି ସୁମିତ୍ରା ଝିଅକୁ କିଛି ଶିକ୍ଷା ଦେବେ ବୋଲି ପଚାରିଲେ -ଫୁଟୁଥିବା ପାତ୍ରକୁ ଦେଖି କଣ ବିଶେଷ ପରିବର୍ତ୍ତନ ଲକ୍ଷ୍ୟ କରୁଛୁ କହି ପାରିବୁ।

ମାମି ଟିକେ ସମୟ ଲକ୍ଷ କରି କହିଲା- ଆଳୁ ନରମ ହେଇ ଆସିଲାଣି ଓ ଅଣ୍ଡା ଟାଣ ହୋଇ ଆସିଲାଣି।

ସୁମିତ୍ରା କହିଲେ ଏକଦମ୍ ଠିକ୍ କଥା। କିନ୍ତୁ ଏଇଟା ହେଲା ସ୍ଥୂଳ ଚକ୍ଷୁ ର କଥା। ଇୟା ଭିତରେ ବି ଆଉ ଗୋଟାଏ ଜିନିଷ ଅଛି ଯାହା ନ ଦିଶିଲେ ତାର ଗୁଣ ଦ୍ଵାରା ପ୍ରକାଶ କରେ ଯାହା କେବଳ ସୁକ୍ଷ୍ମ ଚକ୍ଷୁ ଦେଖି ପାରେ।

ବୋଉ ତୁ କଣ କହୁଛୁ ମୁଁ ବୁଝି ପାରୁନି।

ବୋଉ କହିଲେ ତୁ ବୁଝି ପାରିବୁନି। ବୋହୁତ ଲୋକ ବି ବୁଝି ପାରନ୍ତି ନାହିଁ। ଉଭୟ ଉତ୍ତାପ ପାଇ ନିଜର ଅବସ୍ଥା ବଦଳାଇଲେ। ଜଣେ କଠିନରୁ ଅତ୍ୟଧିକ ନରମ ହେଲା ଅନ୍ୟଟି ତରଳ ଜାତୀୟ ନରମ ଥିଲା କଠିନ ହେଇଗଲା। ଏହାର ଅର୍ଥ ଉତ୍ତାପ ହେଉଛି ପ୍ରତିକୁଳ ଅବସ୍ଥା ପରି। ସମସ୍ତଙ୍କ ଜୀବନରେ ଆସେ। ଆଳୁ ପରି ଟାଣ କେତେକ ଲୋକ ପ୍ରତିକୁଳ ଅବସ୍ଥାରେ ନରମ ହୋଇଯାନ୍ତି ଅର୍ଥାତ୍ ଶକ୍ତିହୀନ ହୋଇଯାନ୍ତି। ଅଣ୍ଡା ପରି ନରମ ଥିବା ଲୋକ ପ୍ରତିକୁଳ ଅବସ୍ଥାରେ ନିଜକୁ ଶକ୍ତ କରି ଦିଅନ୍ତି। ମଣିଷର ଜୀବନକୁ ସୁବାସିତ କରିବା ପାଇଁ ଯିଏ କଠିନ ପରିସ୍ଥିତିରେ ଗୁଣ ବଦଳାଇ ପାରିଲା ସେମାନେ ଅନ୍ୟମାନଙ୍କ ପାଇଁ ଆଦର୍ଶ ଓ ଆଦରଣୀୟା ହେଇ ଯାଆନ୍ତି।

ମାମି ବୋଉ ଆଡେ ଅନାଇଲା - କହିଲା, ତୁ ମୋତେ ଲକ୍ଷ କରି ଏ କଥା କହୁଛୁ ମୁଁ ଜାଣି ପାରୁଛି। ତୁ ଏ ଉଦାହରଣ ଉପସ୍ଥାପନା କରିବା ପୂର୍ବରୁ କିନ୍ତୁ ମୁଁ ବଦଳି ସାରିଲିଣି ଓ ନିଜକୁ ପ୍ରତିକୁଳ ପରିସ୍ଥିତିରେ କଠିନ ହେବାର ଲକ୍ଷ୍ୟ ସ୍ଥିର କରି ସାରିଲାଣି।

ଆରେ ଵାଃ- ମୋ ଝିଅ ମନରେ ଏତେ ସୁନ୍ଦର ପରିବର୍ତ୍ତନ କିଏ ଆଣି ପାରିଲା ଆମେ ବି ତ ଟିକିଏ ଜାଣୁ।

ମାମି ଲାଜେଇ ଗଲା। ହସିଦେଲା।

ସୁମିତ୍ରା ଆଶ୍ଚର୍ଯ୍ୟ ହେଲେ। ପଚାରିଲେ, ଜୋଇଁ ଫୋନ କରିଥିଲେ କି?

-ନା, ସେ କରି ନାହାନ୍ତି।

-ଆଉ ତାହେଲେ। ତୋତେ ଏବେ ଏମିତି କିଏ କଣ କହିଲା କହ ଆମେ ତ ହେଲେ ଟିକେ ଜାଣିବୁ। ଆମେ ତୋତେ ଏପର୍ଯ୍ୟନ୍ତ ବୁଝେଇ ପାରି ନଥିଲୁ। ଯାହେଉ ସିଏ ତ ମୋ ଝିଅକୁ ବୁଝେଇ ଦେଇ ପାରିଲେ। ଆମେ କଣ ତାଙ୍କୁ ଟିକିଏ ଧନ୍ୟବାଦ ଦେବା ନାହିଁ। ତୁ କହ ସେ କିଏ ।

- ବୋଉ ପ୍ଲିଜ୍। ନକହିଲେ କଣ ହେବନି ?

ଅବିନାଶ ବାହାରି ଆସି କହିଲେ -ଏଥିରେ ଏତେ ଲାଜ କଣ ମା। ଯିଏ ତୋ ହୃଦୟରେ ଏତେବଡ଼ ପରିବର୍ତ୍ତନ ଆଣି ଦେଲେ ତାଙ୍କୁ କଣ ଆମେ ଜାଣିବା ଉଚିତ ନୁହେଁ!

-ବାପା, ତମେ ବି ଶେଷରେ କହିଲ। ତମମାନଙ୍କ ଛଡା ମୋର କିଏ ପରିବର୍ତ୍ତନ ଆଣି ପାରିବ। ତମେମାନେ ହିଁ ଆଣିଛ।

ସୁମିତ୍ରା କହିଲେ -ତୁ ମିଛ କହନା, ଆମେ ତ ଏବେ କିଛି କହିନୁ। ତାପରେ ମୁଁ ତୋତେ ଯାହା କହି ବୁଝାଇବାକୁ ଚେଷ୍ଟା କରୁଥିଲି, ତୁ ତ ସାଙ୍ଗେ ସାଙ୍ଗେ କହିଲୁ ଯେ ତୁ ସବୁ ବୁଝି ସାରିଛୁ। ତୋର ପରିବର୍ତ୍ତନ ହେଇ ସାରିଛି।

ବୋଉ ତୁ ଜାଣିଛୁ କିନ୍ତୁ ବୁଝି ପାରୁନୁ।

ଅବିନାଶ କହିଲେ ମୋର ବି ଧର୍ଯ୍ୟ ଚ୍ୟୁତି ହେଲାଣି। ମୋତେ ହେଲେ ଟିକେ ବୁଝେଇ ଦିଅ।

ଆନି ପାଖରେ ଥାଇ ସବୁ ଶୁଣୁଥିଲେ। କହିଲେ -ମୁଁ ଜାଣିଛି। ମୁଁ କହି ଦେଉଛି। ସମସ୍ତେ ଆନି ଆଡେ ମୁହଁ କଲେ। ଆନି ମୁରୁକି ମୁରୁକି ହସୁଥାଏ।

ଅବିନାଶ ସୁମିତ୍ରାଙ୍କୁ ଦେଖୁଥାନ୍ତି। ସୁମିତ୍ରା ଅବିନାଶଙ୍କୁ। ଦୁହେଁ କହିଲେ- ହୋଉ ନଣନ୍ଦ ଭାଉଜ ଯିଏ ପାରୁଛ କୁହ କିନ୍ତୁ ଜଲଦି କୁହ।

ମାମି ଆନିକୁ କହିଲା-ଭାଉଜ ତମେ ରୁହ ମୁଁ ହିଁ କହି ଦେଉଛି।

ମାମି ବାପାଙ୍କ ଆଡେ ଅନେଇ ଆରମ୍ଭ କଲା - ବୋଉ ଯେତେବେଳେ ଚାହା କରୁଥିଲା ସେ ତମ କଥାର ଉତ୍ତରରେ କହିଲା - ତମେ ମୋତେ ଯେତେ ଭଲ ପାଉଛ ମୁଁ ତମ ପାଇଁ କିଛି ବି କରିପାରେ। ଏଇ ପଦକ କଥା ମୋ ମନ ଛୁଇଁ ଗଲା। ମୁଁ ଭାବିଲି ମୋ ସ୍ଵାମୀ ବି ମୋତେ କେତେ ଭଲ ପାଉଛନ୍ତି। ମୁଁ କଣ ତାଙ୍କ ପାଇଁ କିଛି କରି ପାରିବିନି। ତେଣୁ ମୁଁ ନିଶ୍ଚୟ କଲି। ରୋଷେଇ ଭଲ କରି ଶିଖିବା ଯେମିତି ମୋତେ ଆଉ କେହି ଖଣି ପାରିବେନି କି ଶାଶୁ ନଣନ୍ଦ ଯାହା କହିଲେ ବି ଆଉ ଦେହକୁ ନେବି ନାହିଁ। ମୋ ସ୍ଵାମୀଙ୍କ ପାଇଁ ଏତିକି ତ କରି ପାରିବି। ବୋଉର ଆଉ ଗୋଟିଏ ଡାଇଲଗ୍। ସେଇଟା ବି ବାପା ଭାରି ଇମ୍ପ୍ରେସିଭ୍। କୌଣସି ଜିନିଷ ଏକତରଫା ହୁଏ ନାହିଁ। କାହାକୁ କିଛି ନଦେଇ କାହାଠୁ କେମିତି କିଛି ଆଶା କରାଯାଇ ପାରେ।

ବୋଉ ଆଉ ସମ୍ଭାଳି ପାରିଲେ ନାହିଁ।ସେ ପାଖକୁ ଯାଇ କୁଣ୍ଢାଇ ପକାଇଲେ।

ଅବିନାଶ ଚପଳ ଈର୍ଷା ରେ କହିଲେ - ଆଉ ମୁଁ। ମୋ ପାଖକୁ ଟିକେ ଆସିବୁନି।

ମାମି ଲାଜେଇ ଯାଇ ବାପାଙ୍କ କାନ୍ଧ ଉପରେ ମୁହଁଟା ଥୋଇ ଦେଲା।

ସମସ୍ତେ ପ୍ରକୃତିସ୍ଥ ହେଲା ପରେ ସୁମିତ୍ରା କହିଲେ -ତୁ ଯେହେତୁ ଅଭିମାନ ରେ ପଳେଇ ଆସିଥିଲୁ ଏବେ ଚାଲ ଆମେ ତୋତେ ଘରେ ଛାଡିଦେବୁ। ଆମେ ପୁଣି କେବେ ତୋତେ ଯାଇ ଘରୁ ନେଇ ଆସିବୁ।

ନାଇ ବାପା। ମୁଁ ନିଜେ ଆସିଥିଲି। ମୁଁ ନିଜେ ଯିବି। ସେଇଟା ମୋ ପାଇଁ ପ୍ରାୟଶ୍ଚିତ-ମାମି କହିଲା

କେହି ଆଉ କିଛି କହି ପାରିଲେ ନାହିଁ।

ଏତିକିବେଳେ ପରଦା ଆଢୁଆଳରେ କିଏ କହିଲା -ତମେ ଯଦି ସବୁ ପ୍ରାୟଶ୍ଚିତ କରିବ ମୁଁ ପୁଣି କଣ କରିବି। ବାପା ମୋତେ ଜବରଦସ୍ତି ପଠେଇଛନ୍ତି। କହିଲେ ବାହା ହେଇଛି। ବୋହୂକୁ ବୁଝାଇବାର କ୍ଷମତା ନାହିଁ।

ଆରେ ଜୋଇଁ ଆସିଛନ୍ତି ! ତମେ ଆସିଲ କେତେବେଳେ । ଅବିନାଶ ପଚାରିଲେ ।

ଏଇ ତ ଆସିଲି। ଭାଉଜ କବାଟ ଖୋଲିଲେ। କହିଲେ ଏଠି ଠିଆ ହେଇ ଚୁପ୍ ଚାପ୍ ଶୁଣ ମହାମିଳନ ହେବ।

ସମସ୍ତେ ଜୋରରେ ମନଖୋଲା ହସ ହସିଲେ। ମାମି ଆହୁରି ଲାଜେଇ ଗଲା ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational