Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସିଂହ ଏବଂ ଠେକୁଆର ଗପ
ସିଂହ ଏବଂ ଠେକୁଆର ଗପ
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.1K    11


Content Ranking

ଗୋଟିଏ ଜଙ୍ଗଲରେ ‘ଭାସୁରକ’ ନାମକ ଏକ ସିଂହ ବାସ କରୁଥିଲା । ସେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ପରାକ୍ରମୀ ଥିଲା । ବଣରେ ବାସ କରୁଥିବା ଅନ୍ୟାନ୍ୟ ଜୀବମାନଙ୍କୁ ମାରି ଖାଉଥିଲା । ଦିନେ ବାର୍ହା, କୃଷ୍ଣସାର ମୃଗ, ମଇଁଷି, ଠେକୁଆ ଇତ୍ୟାଦି ତୃଣ ଭୋଜୀ ପ୍ରାଣୀମାନେ ଏକାଠି ଭାସୁରକଙ୍କ ନିକଟକୁ ଗଲେ ଏବଂ ସମସ୍ତେ ନିବେଦନ କରି କହିଲେ, “ମହାରାଜ! ଆପଣ ପ୍ରତ୍ୟେକଦିନ ଆମ୍ଭ ମାନଙ୍କ ମଧ୍ୟରୁ ଅନେକଙ୍କୁ ମାରି ଭକ୍ଷଣ କରୁଛନ୍ତି । ଜଣେ ପଶୁ ହିଁ ଆପଣଙ୍କ କ୍ଷୁଧା ମେଂଟାଇବାକୁ ସକ୍ଷମ ହୋଇପାରିବ । ତେଣୁ ଆପଣ ଆମ ପ୍ରତି ଦୟା କରନ୍ତୁ । ଆମ୍ଭେ ସମସ୍ତେ ଆପଣଙ୍କ ନିକଟରେ ପ୍ରତିଜ୍ଞା କରୁଛୁ ପ୍ରତ୍ୟହ ଆପଣଙ୍କ ଭୋଜନ ପାଇଁ ଜଣ ଜଣ କରି ଆମେ ଜୀବ ପଠାଇବୁ । ଏହାଦ୍ୱାରା ଆପଣଙ୍କର ମଧ୍ୟ କିଛି ଅସୁବିଧା ହେବ ନାହିଁ ଏବଂ ଆମ୍ଭମାନଙ୍କୁ ମଧ୍ୟ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ମୃତ୍ୟୁ ବରଣ କରିବାକୁ ପଡିବ ନାହିଁ । “ମହାରାଜ! କଥାରେ ଅଛି ଔଷଧ ଠିକ୍ ଭାଗ ମାପ ଅନୁଯାୟୀ ସେବନ କଲେ ମନୁଷ୍ୟ ଶୀଘ୍ର ସୁସ୍ଥ ସବଳ ହୋଇଥାଏ ।

ଏହା ଶୁଣି ସାରିବା ପରେ ‘ଭାସୁରକ’ କହିଲେ, “ତୁମ୍ଭେମାନେ ଯାହା କହୁଛ ତାହା ସତ୍ୟ । କିନ୍ତୁ ମୋର ମଧ୍ୟ ଏକ ସର୍ତ ଅଛି ।” ସମସ୍ତେ ଏକ ସ୍ୱରରେ ପଚାରିଲେ ପ୍ରଭୁ ସର୍ତଟି କଣ? ଭାସୁରକ କହିଲେ, “ଯେଉଁଦିନ ମୋ ପାଖକୁ ଆହାର ପଠାଇବା ବନ୍ଦ କରିବ, ସେଦିନ ମୁଁ ତୁମ୍ଭମାନଙ୍କୁ ସମସ୍ତଙ୍କୁ ମାରି ଖାଇବି । ” ପ୍ରତିଜ୍ଞା ଅନୁସାରେ ସେମାନେ ପ୍ରତିଦିନ ମହାରାଜାଙ୍କ ଆହାର ନିମିତ୍ତ ଗୋଟିଏ ଲେଖାଁଏ ପଶୁ ପ୍ରେରଣ କରନ୍ତି, ଏବଂ ଅନ୍ୟମାନେ ଜଙ୍ଗଲରେ ଭାସୁରକଙ୍କ କବଳରୁ ନିର୍ଭୟରେ ବିଚରଣ କରନ୍ତି ।

ଏହିପରି ଦିନ ପରେ ଦିନ ଅତିକ୍ରାନ୍ତ ହୋଇ ଚାଲିଲା । ମହାରାଜଙ୍କ ନିକଟକୁ ପଶୁ ପ୍ରେରଣ ବନ୍ଦ ନଥାଏ । ଏକଦା ଏକ ଠେକୁଆର ପାଳି ପଡିଲା । ଠେକୁଆଟି ଭାସୁରକଙ୍କ ନିକଟକୁ ଯିବା ସମୟରେ ରାସ୍ତାରେ ଏକ କୂପ ଦେଖିଲା । ସେ କୂପ ମଧ୍ୟକୁ ଚାହିଁବାରୁ ଜଳରେ ତାର ପ୍ରତିଛବି ପ୍ରତିଫଳିତ ହେଉଥିବାର ଦେଖିପାରିଲା । ଏହି ସମୟରେ ତା’ର ମନରେ ଏକ ଧାରଣା ଆସିଲା ଯେ, ସେ ଏହି ଉପାୟରେ ସିଂହକୁ ମାରି ପାରିବ । ଏହା ଭାବି ଭାବି ଠେକୁଆ ସିଂହ ମହାରାଜ ଭାସୁରକଙ୍କ ନିକଟରେ ପହଁଚିଲା । ସୂର୍ଯ୍ୟ ଅସ୍ତ ହୋଇଯାଉଥାଆନ୍ତି । ଦିନ ସାରା ଆହାର ନ ପାଇ ଭାସୁରକ କ୍ରୋଧରେ ଗର୍ଜ୍ଜନ କରୁଥାଆନ୍ତି । ରାଗରେ ଠେକୁଆକୁ କହିଲେ, “ଏପର୍ଯ୍ୟନ୍ତ ମୁଁ ଖାଦ୍ୟ ଖାଇନାହିଁ । ଆସନ୍ତା କାଲି ମୁଁ ଜଙ୍ଗଲର ସମସ୍ତ ପ୍ରାଣୀମାନଙ୍କୁ ଶିକାର କରିବି । ଏହା ଶୁଣିବା ପରେ ନିରୀହ ଠେକୁଆଟି ଧୀରେ ଧୀରେ ତାଙ୍କ ସମ୍ମୁଖରେ ଆସି ଠିଆ ହେଲା ।” ଠେକୁଆକୁ ଦେଖି ଭାସୁରକ ଆହୁରି ଜୋର୍ରେ ଗର୍ଜନ କରି ଉଠିଲା ଏବଂ କହିଲା, ‘ପ୍ରଥମତଃ ତୁ ହେଉଛୁ ଅତ୍ୟନ୍ତ କ୍ଷୁଦ୍ର । ତତେ ଖାଇଲେ ମୋର ପେଟ ପୂରିବ ନାହିଁ । ଦ୍ୱିତୀୟରେ ତୁ ବିଳମ୍ବରେ ମୋ ପାଖକୁ ଆସିଛୁ । ତା’ ହେଲେ ଠିକ୍ ଅଛି ମୁଁ ବର୍ତ୍ତମାନ ତୋତେ ମାରି ଖାଇବି ଏବଂ ଅନ୍ୟାନ୍ୟ ପ୍ରାଣୀମାନଙ୍କୁ ଆସନ୍ତାକାଲି ମାରି ଖାଇବି ।

ନିରୀହ ଠେକୁଆଟି ହାତଯୋଡି ମହାରାଜଙ୍କୁ କହିଲା, ପ୍ରଭୁ! ଏହା ମୋର କିମ୍ବା ଜଂଗଲର ଅନ୍ୟାନ୍ୟ ଜୀବମାନଙ୍କର ଭୁଲ୍ ନୁହେଁ । ଦୟାକରି ଆପଣ କିଛି ସମୟ ପାଇଁ ମୋ କଥା ଶୁଣନ୍ତୁ । ମୋ ସହିତ ଆହୁରି ତିନୋଟି ଠେକୁଆ ମଧ୍ୟ ଆସିଥିଲେ । ରାସ୍ତାରେ ଆସିବା ସମୟରେ ଆଉ ଗୋଟିଏ ବିରାଟକାୟ ସିଂହ ଆମ ସମ୍ମୁଖରେ ଆସି ପହଁଚିଲା । ଏବଂ କହିଲା, ‘ତୁମ୍ଭେମାନେ କେଉଁ ଆଡକୁ ଯାଉଛ’? ମୁଁ କହିଲି, ମହାରାଜ ଭାସୁରକଙ୍କ ନିକଟରେ କରାଯାଇଥିବା ପ୍ରତିଜ୍ଞା ଅନୁଯାୟୀ ଆମେମାନେ ମହାରାଜଙ୍କର ଭୋଜନ ନିମିତ୍ତ ତାଙ୍କ ନିକଟକୁ ଯାଉଛୁ । ଠେକୁଆ କହିଲା, ମହାରାଜ! ମୋ ଠାରୁ ଏହି କଥା ଶୁଣି ସାରିବା ପରେ ସିଂହ ପଚାରିଲା, ‘ସେ ଭାସୁରକ କିଏ’? ତମ୍ଭେମାନେ ତାଙ୍କ ନିକଟକୁ ଯେଉଁ ପ୍ରତିଜ୍ଞା ପୂରଣ ଉଦ୍ଧେଶ୍ୟରେ ଯାଉଛ, ମୋ ନିକଟକୁ ଆସ ମୁଁ ତୁମର ସେହି ପ୍ରତିଜ୍ଞା ପୂରଣ କରିଦେବି । ଏବଂ କହିଲେ, ‘ଭାସୁରକ ହେଉଛି ପ୍ରତାରକ । ମୁଁ ତୁମ ଚାରିଜଣଙ୍କ ମଧ୍ୟରୁ ତୁମକୁ ଭାସୁରକଙ୍କ ନିକଟକୁ ମୋ ସଂପର୍କରେ ଜଣାଇବା ପାଇଁ ପଠାଇବି । ଏବଂ ଅନ୍ୟମାନଙ୍କୁ ଏଇ ସଂଗେ ସଂଗେ ଭକ୍ଷଣ କରିବି । ଆପଣଙ୍କ ସହିତ ଶକ୍ତି ପରୀକ୍ଷା କରିବା ପାଇଁ ସେ ଆହ୍ୱାନ ଦେଇଛି ଏବଂ କହିଛି, ‘ଶକ୍ତି ପରୀକ୍ଷାରେ ଯିଏ ବିଜୟୀ ହେବ, ସେ ହେବ ଏହି ଜଙ୍ଗଲର ରାଜା । ସେ ମୋତେ ଆପଣଙ୍କ ନିକଟକୁ ପଠାଇବାରୁ ମୁଁ ଏଠାକୁ ଆସିପାରିଲି ଏବଂ ସେ ଅନ୍ୟ ତିନିଜଣ ଠେକୁଆଙ୍କୁ ମୋ ଆଖି ସାମ୍ନାରେ ମାରି ଭକ୍ଷଣ କଲା ।

ଭାସୁରକ ଏହା ଶୁଣି କହିଲେ : ଯଦି ଏହା ସତ୍ୟ ହୋଇଥାଏ ତା’ହେଲେ ମୋତେ ଯଥା ଶୀଘ୍ର ସେହି ସ୍ଥାନକୁ ନେଇଚାଲ, ଯେଉଁଠାରେ ସେ ଅବସ୍ଥାନ କରୁଛି । ଠେକୁଆଟି କହିଲା, ‘ସେହି ସିଂହ ଜଣକ ଏକ କୂପ ମଧ୍ୟରେ ଅବସ୍ଥାନ କରୁଛି । ଯେଉଁଠାରେ ତାକୁ ମାରିବା ଅତ୍ୟନ୍ତ କଷ୍ଟକର ହେବ । କିନ୍ତୁ ଭାସୁରକ ଗର୍ବର ସହିତ କହିଲେ, ‘ସେହି ସିଂହ କେଉଁଠାରେ ଅଛି ମୋତେ ଖାଲି ଦେଖାଇଦିଅ, ମୁଁ ଯାହା ହେଲେ ମଧ୍ୟ ତାକୁ ମାରିପାରିବି । କାରଣ କଥାରେ କୁହାଯାଏ, ଶତ୍ରୁକୁ ଶୀଘ୍ର ବିନାଶ କରିବା ପରି, ରୋଗକୁ ମଧ୍ୟ ଯଥାଶୀଘ୍ର ଚିକିତ୍ସା କରାଯିବା ଆବଶ୍ୟକ ।

ଠେକୁଆ କହିଲା, ‘ମହାରାଜ’ ତାହା ଠିକ୍ । ମୁଁ ତାଙ୍କୁ ଦେଖିଛି । ସେ ଅତ୍ୟନ୍ତ ପରାକ୍ରମଶାଳୀ, ତେଣୁ ପ୍ରଥମେ ଆମକୁ ଶତ୍ରୁର ଶକ୍ତି ସଂପର୍କରେ ଜାଣିବା ଉଚିତ୍ । ତା’ପରେ ତାକୁ ଆକ୍ରମଣ କରିବା ଉଚିତ୍ ହେବ । କିନ୍ତୁ ଭାସୁରକ କୌଣସି କଥାକୁ କର୍ଣ୍ଣପାତ ନକରି ଠେକୁଆଟିକୁ ତୁରନ୍ତ ସେହି ସ୍ଥାନକୁ ନେଇଯିବା ପାଇଁ କହିଲେ ।

ଠେକୁଆଟି ସଂଗେ ସଂଗେ ଭାସୁରକଙ୍କୁ ସାଙ୍ଗରେ ନେଇ ଚାଲିଲା । ଯେତେବେଳେ ସେମାନେ କୂପ ନିକଟରେ ପହଁଚିଲେ ସେତେବେଳେ ଠେକୁଆ କୂପକୁ ଦେଖାଇଦେଇ କହିଲା, ‘ମହାରାଜ’ ଏହି କୂପରେ ସେହି ପରାକ୍ରମଶାଳୀ ସିଂହ ଲୁଚି ରହିଚି । ଏହା ଶୁଣିବା ପରେ ଭାସୁରକ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ପଡିଲେ । ଆକ୍ରମଣ କରିବା ପାଇଁ କୂପ ଉପରକୁ ଉଠିଗଲେ । ଫଳରେ କୂପର ଜଳରେ ସିଂହ ନିଜର ପ୍ରତିଛବିକୁ ଦେଖି ଭାବିଲେ ଏହା ହେଉଛି ସେହି ପରାକ୍ରମଶାଳୀ ସିଂହ । ତେଣୁ କାଳ ବିଳମ୍ବ ନ କରି ତାକୁ ପ୍ରଥମେ ବଦ୍ଧ କରିବାକୁ ପଡିବ । କାଳ ବିଳମ୍ବ ନ କରି ସେ କୂପ ମଧ୍ୟକୁ ଲମ୍ପ ପ୍ରଦାନ କଲେ । କୂପର ଗଭୀର ଜଳ ମଧ୍ୟରୁ ପୁନର୍ବାର ଉପରକୁ ଉଠିବା ଭାସୁରକଙ୍କ ପକ୍ଷରେ ସମ୍ଭବ ନଥିଲା । ତେଣୁ କିଛି ସମୟପରେ ଭାସୁରକ ସେହି ଗଭୀର ଜଳ ମଧ୍ୟରେ ବୁଡି ପ୍ରାଣତ୍ୟାଗ କଲେ ।

ଏହା ଦେଖି ଠେକୁଆଟି ମନେ ମନେ ଖୁସି ହୋଇ ଜଙ୍ଗଲକୁ ଫେରିଲା, ଏବଂ ଅନ୍ୟାନ୍ୟ ଜୀବଜନ୍ତୁମାନଙ୍କ ଆଗରେ ସେ କିପରି ସିଂହ ପରି ପରାକ୍ରମଶାଳୀ ଜୀବଟିକୁ ନିଜର ବୁଦ୍ଧି ବଳରେ ବଦ୍ଧ କରି ପାରିଲା ତାହା ବର୍ଣ୍ଣନା କଲା । ଏହା ଶୁଣି ସାରିବା ପରେ ସମସ୍ତେ ଠେକୁଆର ବୁଦ୍ଧିକୁ ପ୍ରଶଂସା କଲେ । ଜଙ୍ଗଲ ମଧ୍ୟରେ ପୂର୍ବ ପରି ଜୀବଜନ୍ତୁମାନେ ସୁଖରେ ବସବାସ କଲେ ।

ଏହାପରେ ‘ଦମନକ’ କହିଲେ, ‘ମୁଁ କଣ କହୁଥିଲି : ଯେଉଁ ବ୍ୟକ୍ତି ଚତୁର, ସେହିଁ ପ୍ରକୃତରେ ଶକ୍ତିଶାଳୀ । ବର୍ତ୍ତମାନ ତୁମେ ଚିନ୍ତାକର, ମୁଁ ନିଶ୍ଚୟ ମୋ ବୁଦ୍ଧି ବଳରେ ମହାରାଜ ସିଂହ ଏବଂ ସଂଜୀବକଙ୍କ ମଧ୍ୟରେ କଳହ ସୃଷ୍ଟି କରିପାରିବି । ଏହା ପରେ କାରାତକ କହିଲେ, ‘ଦମନକ! ତୁମେ ଯଦି ଏହା କରିପାରିବ ତା’ହେଲେ ତୁରନ୍ତ କର । ଭଗବାନ ତୁମ କାର୍ଯ୍ୟରେ ସହାୟ ହେବେ ।

ଏକଦା ପିଙ୍ଗଳକ ଏବଂ ସଂଜୀବକ ଏକତ୍ର ବସିଥିବା ସମୟରେ ‘ଦମନକ’ ତାଙ୍କ ନିକଟରେ ପହଁଚିଲେ । ଦମନକଙ୍କୁ ଦେଖି ମହାରାଜ ପିଙ୍ଗଳକ କହିଲେ, ‘ପ୍ରିୟ ସାଙ୍ଗ ଦମନକ! ବହୁତ ଦିନ ପରେ ତୁମେ ମୋ ପାଖକୁ ଆସୁଛ?’ ଉତ୍ତରରେ ଦମନକ କହିଲେ, ‘ମୁଁ ଏଠାକୁ ଅନେକ ଦିନ ହେବ ଆସି ନାହିଁ । ତାହାତ ସତ୍ୟ ନ ଆସିବାର ମଧ୍ୟ କାରଣ ଅଛି । କାରଣ ଆପଣ ମୋ ଦ୍ୱାରା ଆଉ କୌଣସି କାର୍ଯ୍ୟ କରାଉ ନାହାନ୍ତି । ତଥାପି ମଧ୍ୟ ମୁଁ ଆପଣଙ୍କ ନିକଟକୁ ଆସିଛି, ଆପଣଙ୍କ ସହିତ କଥାବାର୍ତ୍ତା କରିବା ପାଇଁ । କାରଣ ମୁଁ ରାଜନୈତିକ ବ୍ୟବସ୍ଥାରେ ଘୋର ଅବ୍ୟବସ୍ଥା ଦେଖି ପାରୁଛି । ଏହା ଶୁଣି ସାରିବା ପରେ ପିଙ୍ଗଳକ କହିଲେ ‘ପ୍ରିୟ ଦମନକ! ତୁମେ କ’ଣ କହିବାକୁ ଚାହଁ’?

ଉତ୍ତରରେ ‘ଦମନକ’ କହିଲେ, ‘ମହାରାଜ’! ସଂଜୀବକ ଆପଣଙ୍କୁ ଘୃଣା କରନ୍ତି । ଆପଣ ଯେଉଁ ବଳଦଟିକୁ ଆପଣଙ୍କର ବନ୍ଧୁ ରୂପରେ ଗ୍ରହଣ କରିନେଇଛନ୍ତି, ପ୍ରକୃତରେ ସେ ଆପଣଙ୍କର ବନ୍ଧୁ ନୁହେଁ, ଶତ୍ରୁ । ସଂଜୀବକ ମୋ ନିକଟରେ ଏହା ପ୍ରକାଶ କରିଛନ୍ତି । ଏବଂ କହିଛନ୍ତି, ‘ଦମନକ’! ବର୍ତ୍ତମାନ ମୁଁ ପିଙ୍ଗଳକଙ୍କର ଶକ୍ତି ଏବଂ ଦୁର୍ବଳତା ସଂପର୍କରେ ସବୁକିଛି ଜାଣି ପାରିଛି । ତେଣୁ ସମୟ ଏବଂ ସୁବିଧା ଦେଖି ମୁଁ ପିଙ୍ଗଳକଙ୍କୁ ହତ୍ୟା କରି ଏହି ଜଙ୍ଗଲର ରାଜା ହେବି ଏବଂ ଆପଣଙ୍କୁ ମୁଁ ମନ୍ତ୍ରୀପଦରେ ଅଭିଷିକ୍ତ କରିବି । ଦମନକଙ୍କ ଠାରୁ ବନ୍ଧୁଙ୍କ ସଂପର୍କରେ ଏହି ସବୁ ମନ୍ତବ୍ୟ ଶୁଣି ସାରିବା ପରେ ପିଙ୍ଗଳକ ସ୍ତବ୍ଧ ହୋଇଗଲେ ସତେଯେପରି ତାଙ୍କ ମୁଣ୍ଡରେ ବଜ୍ର ପଡିଲା ପରି ଲାଗିଲା ।

ଏହା ଦେଖିବା ପରେ ‘ଦମନକ’ ଚିନ୍ତାକଲେ ‘ପିଙ୍ଗଳକଙ୍କର ଏକମାତ୍ର ବିଶ୍ୱାସୀ ହେଉଛନ୍ତି ସଂଜୀବକ । ତେଣୁ ସଂଜୀବକଙ୍କ ସଂପର୍କରେ ଏହି ମନ୍ତବ୍ୟ ନିଶ୍ଚିତ ଭାବରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବ । କିଛି ସମୟ ପରେ ପିଙ୍ଗଳକ କହିଲେ, ‘ଦମନକ’ ବର୍ତ୍ତମାନ ମୁଁ କ’ଣ କରିବି? ସଂଜୀବକଙ୍କୁ ମୁଁ ମୋର ଜୀବନଠାରୁ ମଧ୍ୟ ଅଧିକ ଭଲପାଏ । ମୁଁ କଦାପି ବିଶ୍ୱାସ କରିପାରୁନାହିଁ ଯେ ସଂଜୀବକ ମୋ ପ୍ରତି ଏପରି ବିଶ୍ୱାସ ଘାତକତା କରିବେ ବୋଲି ।’

ଉତ୍ତରରେ ଦମନକ କହିଲେ, ‘ମହାରାଜ’! ଆପଣ ଗୋଟିଏ ବହୁତ ବଡ ଭୁଲ୍ କରିଛନ୍ତି । ଆପଣ ସଂଜୀବକଙ୍କ ନିକଟରେ ଏପରି କ’ଣ ଦେଖିଲେ ଯେ ତାଙ୍କ ସହିତ ବନ୍ଧୁତା କରି ବସିଲେ? ସେ ଏପରି ଏକ ଜୀବ, ତାଙ୍କଠାରେ କୌଣସି ସଦ୍ଗୁଣ ନାହିଁ । ଯଦି ଆପଣ ଭାବୁଥାଆନ୍ତି ଯେ, ସେ ଜଣେ ଶକ୍ତିଶାଳୀ ଜୀବ । ଏବଂ ତାଙ୍କର ଶକ୍ତିମାଧ୍ୟମରେ ସେ ଆପଣଙ୍କର ଶତ୍ରୁ ମାନଙ୍କୁ ପରାଜିତ କରି ପାରିବେ । ତା ହେଲେ ଆପଣ ଭୁଲ୍ ଭାବିଛନ୍ତି । ସଂଜୀବକ ହେଉଛନ୍ତି ଜଣେ ତୃଣଭୋଜୀ ପ୍ରାଣୀ । କିନ୍ତୁ ଆପଣଙ୍କର ଶତ୍ରୁମାନେ ସମସ୍ତେ ମାଂସାଶୀ ପ୍ରାଣୀ । ତେଣୁ ଆପଣ ତାଙ୍କୁ କୌଣସି ଉପାୟରେ ବଦ୍ଧ କରନ୍ତୁ ।

ପିଙ୍ଗଳକ କହିଲେ ‘ସଂଜୀବକ’ ହେଉଛନ୍ତି ମୋର ଅତ୍ୟନ୍ତ ଘନିଷ୍ଠତମ ବନ୍ଧୁ । ତେଣୁ ମୁଁ କିପରି ତାଙ୍କୁ ମୋ ନିଜ ହାତରେ ମାରିବି? ତାଙ୍କର କୌଣସି ଦୋଷ ତ୍ରୁଟି କିମ୍ବା ମୋ ପ୍ରତି କୌଣସି ଖରାପ ବ୍ୟବହାର କରିବା ମଧ୍ୟ ମୁଁ କେବେ ଅନୁଭବ କରି ନାହିଁ । ତେଣୁ ମୁଁ କିପରି ତାଙ୍କୁ ମାରିବି?

ଉତ୍ତରରେ ‘ଦମନକ’ କହିଲେ, ‘ମହାରାଜ’! ଆପଣ ଯଦି ଏପରି ଅହିଂସା ନୀତି ଅବଲମ୍ବନ କରିବେ ତା’ହେଲେ ଆମ୍ଭମାନଙ୍କ ପରି ମାଂସାଶୀ ପ୍ରାଣୀମାନେ ବଂଚିବୁ କିପରି? ଆପଣ ଯେଉଁ ଦିନଠାରୁ ସଂଜୀବକଙ୍କ ପରି ବନ୍ଧୁଙ୍କ ସହିତ ବନ୍ଧୁତା କଲେଣି, ସେହି ଦିନଠାରୁ ଆପଣ ଶିକାରକୁ ଯିବା ମଧ୍ୟ ଭୁଲି ଗଲେଣି । ଏହା କହି ଦମନକ ଛାରପୋକ ଓ ମନ୍ଦବିସର୍ପିଣୀ ନାମକ ଏକ କୀଟର କାହାଣୀ ଅବତାରଣା କଲେ । କାହାଣୀଟି ଶୁଣିବା ପାଇଁ ପିଙ୍ଗଳକ ଉତ୍ସାହ ର ସହିତ ଦମନକଙ୍କୁ କାହାଣୀଟି କଣ ବୋଲି ପଚାରିଲେ? ଏହାପରେ ଦମନକ କାହାଣୀ କହିବା ଆରମ୍ଭ କଲେ ।

ଭାସୁରକ ଠେକୁଆ କୀଟ

Rate the content


Originality
Flow
Language
Cover design

Comments

Post

Some text some message..