Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆଲୋକର ଲୋଭ
ଆଲୋକର ଲୋଭ
★★★★★

© Dr Subas Chandra Rout

Others

8 Minutes   4.3K    11


Content Ranking

ମୋର ଏକମାତ୍ର ନିବିଡ଼ ସାଙ୍ଗର ନାମ ଆଲୋକ ନାଥ । ଆଉ ଅନ୍ୟ ସାଙ୍ଗମାନେ ‘ହାଏ ହାଏ, ବାଏ ବାଏ’ ଶ୍ରେଣୀର ସାଙ୍ଗ । ଏତେ ଅଧିକ ବନ୍ଧୁତ୍ଵ ହେବାର କାରଣ ଆମେ ଏକା ଗାଁଆର ପିଲା, ସମ ବୟସ୍କ ଓ ଅବସରପ୍ରାପ୍ତ । ପିଲାଦିନେ ଏକସଙ୍ଗେ ଏକା ସ୍କୁଲ ଓ କଲେଜରେ ପାଠ ପଢ଼ି ମଣିଷ ହୋଇଥିଲୁ । ସେଇ କାରଣକୁ ବୋଧହୁଏ ଆମ ଚିନ୍ତାଧାରା ଓ ଭାବନା ପ୍ରାୟ ମିଶିଯାଏ । ତାର ମାଆ ମୋତେ ପୁଅ ଭଳି ଗେଲ କରନ୍ତି ଓ ମୋ ମାଆ ବି ଆଲୋକକୁ ଠିକ ମୋରି ଭଳି ଭଲ ପାଏ । ଗୋଟିଏ ଗ୍ରାମରେ ଦୁହିଙ୍କ ଘର, ପ୍ରାୟ ଅଧ କିଲୋମିଟର ଦୂରତାରେ । ଦୁହେଁ ଅନ୍ନ ସଂସ୍ଥାନ ପାଇଁ ଗ୍ରାମରୁ ବାହାରକୁ ଯାଇ ଅଲଗା ହୋଇଯାଇଥିଲେ ମଧ୍ୟ ପରସ୍ପର ସହ ସମ୍ପର୍କ ଅତୁଟ ରଖିଥିଲୁ । ଶେଷରେ ଆଉଥରେ ଆମର ସମ୍ପର୍କ ଯୋଡ଼ିହେଇଗଲା ଅବସର ପରେ ।

ଆଲୋକର ଗୋଟିଏ ପୁଅ ଥିଲା । ପୁଅଟି ଗାଁରେ ଚାଷବାସ କରି ରହିଲା । ତାଙ୍କର ବହୁତ ଜମିବାଡ଼ି ଥିଲା । ବିଲରେ କୂଅ ଖୋଳି ପାଣି ମଡ଼େଇ ଉନ୍ନତ ଧରଣର ଚାଷ କରି ଖୁସିରେ ରହିଲା । ବିରାଟ ଆମ୍ବ ବଗିଚା ଥାଏ । ବିଲରେ ଉନ୍ନତ ଧରଣର ଧାନ, ପନିପରିବା ଇତ୍ୟାଦି ଚାଷ ହୁଏ । ମୋର ଗୋଟିଏ ଝିଅ ହୋଇଥିଲା । ଦୁହେଁ ସମୟ କ୍ରମେ ବଡ଼ ହୋଇଯିବାରୁ ତାଙ୍କର ବିବାହ କରିଦିଆଗଲା । ମୋ ଝିଅ ତା ଶାଶୁ ଘରକୁ ଗଲା ଓ ତା ପୁଅ ବାହା ହୋଇ ସୁନ୍ଦରୀ ବୋହୂଟିଏ ଆଣିଲା । ତା ସମୁଦିର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ । ପୁଅଟିର ବୟସ ୨୫ ବର୍ଷ ହୋଇଥିଲେ ମଧ୍ୟ କିଛି କାମ ଧନ୍ଦା ନକରି ତା’ଠାରୁ ପନ୍ଦର ବର୍ଷରୁ କମ୍ ବୟସ୍କ ପିଲାଙ୍କ ସାଥିରେ ବୋହୂଚୋରି ଓ ବାଗୁଡ଼ି ଖେଳରେ ମାତୁଥାଏ । କେବଳ ମାଟ୍ରିକ ପଢ଼ିବା ପରେ ପାଠରେ ଡୋର ବାନ୍ଧିଦେଇଥିଲା । ତା ନାଆଁ ଥିଲା ଦାମ । କହିଲା, “ମୋ ଦ୍ଵାରା ପାଠଶାଠ ହେବନି ।” ବାପ ବିଚରା ମୁଣ୍ଡ କାନ ଆଉଁସି ଚୁପ ରହିଲା । ଜନ୍ମକଲା ପୁଅ ଅମଣିଷ ହେବାର ଦୁଃଖ କେବଳ ବାପ ବୁଝିପାରିବ, ଆଉ କେହି ନୁହେଁ ।

ଝିଅ ବିଦା ହୋଇଯିବା ପରେ ମୁଁ ଏକୁଟିଆ ହୋଇଗଲି । ତେଣୁ ଆଲୋକ ଘରକୁ ପ୍ରାୟ ପ୍ରତି ଦିନ ଯାଉଥିଲି । ଗପସପ କରି ସମୟ କଟିଯାଉଥିଲା । ତାର ପୁଅ ଗୋଟିଏ ଅବସ୍ଥାପନ୍ନ ଘରେ ବାହା ହୋଇଥିଲା । ମାତ୍ର ପୁଅ ବାହାଘର ପରେ ତା ମୁହଁରେ ପୂର୍ବରୁ ଥିବା ହସ ଲିଭିଗଲା ଭଳି ମୋତେ ଲାଗିଲା । ତା ସମୁଦି ଥିଲା ବାଲା ଘରର ହୋଇଥିଲେ ମଧ୍ୟ ବିଶେଷ କିଛି ଦିଆନିଆ କରି ନଥିଲେ । ଅନେକ ଲୋକ ବହୁତ ଧନୀ ଥିଲେ ମଧ୍ୟ ଝିଅକୁ ଦେବାକୁ କୁଣ୍ଠିତ ହୁଅନ୍ତି । ପୁଅକୁ ଦେଲେ ତାଙ୍କୁ ଲାଗେ ସମ୍ପତ୍ତି ଘରେ ରହିଲା, ଝିଅକୁ ଦେଲେ ପର ଘରକୁ ଚାଲିଗଲା । ତେବେ ଏହିଭଳି ଭାବନା ବହୁତ କମ ଲୋକଙ୍କର ଥାଏ ଓ ତାଙ୍କ ମଧ୍ୟରୁ ଜଣେ ବୋଧହୁଏ ମୋ ସାଙ୍ଗର ଭାଗ୍ୟରେ ପଡ଼ିଗଲା । ଭଲ ଘର ସମୁଦି ପାଇଛି କହି ଆଗରୁ ଯେଉଁ ଫୁଲି ଉଠୁଥିଲା, ସେଇଟା ଉଭେଇ ଗଲା । ମୁଁ ତା ପରିବର୍ତ୍ତନ ଦେଖିଲେ ମଧ୍ୟ କେବେ ଭରସି କରି ତାର କାରଣ ପଚାରେନି ।

ଦିନେ କଥା ପ୍ରସଙ୍ଗରେ ସେ କଥା ମୁଁ ଉଠେଇଥିଲି । ତେବେ ଅତି ଘନିଷ୍ଠ ସାଙ୍ଗ ହୋଇଥିବା ଯୋଗୁ ଏ କଥା ପଚାରିଥିଲି, ନହେଲେ ତାଙ୍କ ଘର କଥାରେ ମୁଁ ମୁଣ୍ଡ ଖେଳେଇବାକୁ କିଏ ! ଆଲୋକ କହିଲା, “ଭାଇ, ସମୁଦି ଘରୁ ଆଣି କଅଣ ଜଣେ ଧନୀ ହୁଏ ? ହେଲେ ଲୋକ ଦେଖାଣିଆକୁ ସେଇଟା ସାହାଯ୍ୟ କରେ । ଲୋକମାନେ ଯୌତୁକ ଜିନିଷ ଦେଖି ଭଲ ଘରେ ବନ୍ଧୁ କରିଛି କହିଲେ ଟିକିଏ ଗର୍ବ ଲାଗେ । ଏଥିରେ ସମୁଦି ଘରର ମାନସମ୍ମାନ ବଢ଼େ । ମୋତେ ଲୋକ ପଛରେ କହୁଛନ୍ତି, ଭାରି ଗର୍ବରେ କହୁଥିଲା ମୋ ସମୁଦି ଘର ଭାରି ଧନୀ । ଦେଖିଲା ବେଳକୁ ପୁରା ପୋଲା । ଆରେ, ମୁଁ ଗର୍ବ କଅଣ କଲି ? ମୁଁ ତ କହିଥିଲି ସେମାନେ ଧନୀ ଲୋକ । ବାସ ସେତିକି । ଆଉ ତ କିଛି କହିନି ।”

ତାକୁ ମୁଁ ଆଶ୍ଵାସନା ଦେଇ କହିଲି, “ଭାଇ, ‘ଯେତେ ମୁଣ୍ଡ, ସେତେ ତୁଣ୍ଡ’ । ଲୋକ ସମାଲୋଚନା କରିବେ ହିଁ କରିବେ । ତାକୁ ରୋକିହେବନି । କଅଣ କରିବା । ତୁ ସେଥିରେ ମନ ଊଣା କରନା । ତୋର କଅଣ ନାହିଁ ଯେ ଏତେ ଦୁଃଖୀ ହେଉଛୁ ।”

-- “ହଁ ଭାଇ, ଭୁଲିବିତ ନିଶ୍ଚୟ । କିନ୍ତୁ ତୁ କେତେ ଯାନିଯୌତୁକ ଦେଇ ତୋ ଝିଅକୁ ବାହା କଲୁ । ତୋର କଅଣ ସରିଗଲା କି ? ଲୋକଙ୍କ କଥାକୁ ପଡ଼ିଛି । ତୁ ତ ଜାଣୁ, ଗାଁଆ ଲୋକଙ୍କ କଥା । ବୋଲି-ବାଣୀ କରିବାକୁ ଉସ୍ତାଦ । କିନ୍ତୁ ମୁଁ କାହା କଥା ସହିପାରେନି ।” ମୁଁ କହିଲି , “ହଁ ଭାଇ, ତୁ ବଡ଼ ସ୍ଵାଭିମାନୀ । ହଉ, ଭୁଲିଯା ଏସବୁ ।”

ଗାଁଆ ନିକଟରେ ଗୋଟିଏ ସବୁଜ ପାହାଡ଼ ଓ ଛୋଟ ଜଙ୍ଗଲ ଥିଲା । ସେଇ ପାହାଡ଼ରୁ ଗୋଟିଏ ଝରଣା ବୋହି ଆସିଥାଏ । ଆମେ ଅଧିକାଂଶ ଦିନ ସେଇ ପାହାଡ଼ ପାଖ ଝରଣା କୂଳକୁ ଯାଇ ବସୁ । ସେଇ ପାହାଡ଼ ଉପରୁ ପାଣି ପଡ଼ିବାର କୁଳୁକୁଳୁ ଶବ୍ଦ ଅପୂର୍ବ ତାନରେ ସଂଗୀତ ସୃଷ୍ଟି କରେ ଓ ଆମେ ତନ୍ମୟ ହୋଇ ତାକୁ ଶୁଣୁ ଓ ନିଜର ସବୁ ଦୁଃଖ କଷ୍ଟ ସେହି ସମୟରେ ଭୁଲିଯାଉ । ମୋତେ ଲାଗେ, ମୁଁ ସେଇ ପ୍ରକୃତିର ଏକ ଅଂଶ, କୌଣସି ଜୀବ ବା ମାନବ ନୁହେଁ । ପୁରା ନିଜକୁ ଭୁଲିଯାଏ । ସେଇଠି ଭୈରବୀ, ଦରବାରୀ, ମାଲଖୌସ ଆଦି ସବୁ ରାଗ ରାଗିଣୀ ମୋ କର୍ଣ୍ଣ ପଟଳରେ ଗୁଞ୍ଜରିତ ହୁଏ । ଆଖି ବୁଜି ହୋଇଆସେ । ପ୍ରକୃତି ଆମକୁ ସ୍ଵର୍ଗ ସୁଖ ପ୍ରଦାନ କରେ । ସବୁଜ ବନାନୀ ଓ ସଙ୍ଗୀତ ମୋର ଜୀବନର ଏକ ଅଂଶ ହୋଇଯାଏ । ଆମଭଳି ସାଧାରଣ ଲୋକଙ୍କୁ ରୋଟି ଡାଲିର ସଂସାରରେ ପ୍ରକୃତିର ଚକ୍ଷୁଲୋଭା ମାଧୁର୍ଯ୍ୟ, ଶୋଭା, ସଙ୍ଗୀତ ଓ ସ୍ଵର ସମ୍ଭାର ଇତ୍ୟାଦି ଦେଖିବାକୁ ବା ଶୁଣିବାକୁ ସୁଯୋଗ କ୍ଵଚିତ ମିଳେ । ଏଇଠି ବସିଲେ କିଏ କଅଣ ଦେଲା ନଦେଲା, କିଏ ଟଙ୍କା ନେଇ ଫେରେଇଲାନି ବା କିଏ ବିନା କାରଣରେ ଅପମାନିତ କଲା, ଏ ସବୁ ବିସ୍ମରଣ ହୋଇଯାଏ ।

ଦିନେ ମୋ ସାଙ୍ଗର ମୁହଁଟି ଉଜ୍ଜ୍ଵଳ ଦିଶୁଥିବା ଲକ୍ଷ କଲି । ପ୍ରଶ୍ନ କଲି, “ଭାଇ, କଥା କଅଣ; ଆଜି ବହୁତ ଖୁସି ଦେଖାଯାଉଛୁ ।”

“ଟିକିଏ ହସି କହିଲା, ସମୁଦିଙ୍କ ପୁଅ ଆଜି ଗୋଟିଏ ଦାମିକା ଷ୍ଟିରିଓ ସେଟ ମୋ ପୁଅକୁ ଉପହାର ଦେଇଛି । ପ୍ରାୟ ପଚିଶ ହଜାର ଟଙ୍କା ହେବ ତାର ଦାମ । ଆରେ, ସେ ପୁଅଟା ତା ଭଉଣୀକୁ ଏତେ ଭଲ ପାଏ, ମୁଁ ଜାଣିନଥିଲି । ବାପାର ସ୍ନେହଠୁ ପୁଅର ସ୍ନେହତ ବଳିଗଲା ।”

“କିନ୍ତୁ ତୁ କହୁଥିଲୁ ସେ ପୁଅ କିଛି କାମ ଧନ୍ଦା କରେନି, ତେବେ ଏତେ ପଇସା କୁଆଡ଼ୁ ଆଣିଲା ।”

“ସେ ପୁଅ ଆସି ଉପହାର ଦେଲାବେଳେ ସେ ପ୍ରଶ୍ନ ମୁଁ ଉଠେଇଥିଲି । ସେ କହିଥିଲା ଯେ ବେପାର ଆରମ୍ଭ କରିଛି । କି ବେପାର କରୁଛି ପ୍ରଶ୍ନ କଲେ କହିଲା ସେ ଇମ୍ପୋର୍ଟ-ଏକ୍ସପୋର୍ଟ ବେପାର କରୁଛି ।”

ମୁଁ ପ୍ରଶ୍ନ କଲି, “କେତେଦିନ ହେବ ଏ ବେପାର ଆରମ୍ଭ କରିଛି କି ? ତୋ ପୁଅ ବାହାଘର ତ ଦୁଇ ବର୍ଷ ପୁରିଲା । ସେତେବେଳେ କିଛି କାମ କରୁନଥିଲା । ଏଇ ଛଅ ମାସ ତଳେ ବି କିଛି କରୁନଥିଲା । ତା ପରେ କାମ ଆରମ୍ଭ କରି ମାତ୍ର ଏତିକି ଦିନରେ ଏତେ ଧନ ରୋଜଗାର କରିପକେଇଲା ?”

ଆଲୋକ କହିଲା, “ଭାଇ, ଏତେ କଥା ମୁଁ ଜାଣିନି । କିଏ କଅଣ ନିଜ ବେପାର ବା ଦରମା କଥା ଖୋଲିକରି କହେ ? କଥାରେ ଅଛି ଝିଅ ବୟସ ଓ ପୁଅ ରୋଜଗାର ପଚାରନ୍ତିନି । ପଚାରିଲେ ମିଛ ଉତ୍ତର ମିଳେ । ସୁତରାଂ ପଚାରି ଲାଭ କଅଣ ।”

“ହଉ, ଭଲ ହେଲା । ଗାଁଆ ଲୋକମାନେ ଆଉ ତୋତେ ତାନା ଦେଇପାରିବେନି । ତୋ ମୁହଁରେ ହସ ସେଇମିତି ଥାଉ । ମୁଁ ଠାକୁରଙ୍କୁ

ଡାକୁଛି।”

କହିଦେଲି ସିନା, କିନ୍ତୁ ମୋ ମନରେ ଖଟକା ଲାଗିଲା । ଆମେ ସାରା ଜୀବନ ଚାକିରି କରି କିଛି ଆଖିଦୃଷ୍ଟିଆ କରିପାରିଲୁନି । ଛଅ ମାସ ମଧ୍ୟରେ ଏତେ ରୋଜଗାର ଜଣେ କେମିତି କରିପାରିବ । ପଚିଶ ହଜାର କିଛି ଛୋଟ କଥା ନୁହେଁ । ହଁ, ସେଭଳି ବେପାରରେ ବହୁତ ରୋଜଗାର ହୁଏ କିନ୍ତୁ ଏତେ ଶୀଘ୍ର କେମିତି ହେବ । କୌଣସି ବେପାର ତ ଆରମ୍ଭ କରୁକରୁ ଜେଟ ଗତିରେ ଉଡ଼ିଯାଏନି । ସେଥିପାଇଁ ବର୍ଷ ବର୍ଷର ଅଧ୍ୟବସାୟ ଆବଶ୍ୟକ ହୁଏ । ଲୋକଙ୍କ ସାଥିରେ ଚିହ୍ନା ପରିଚୟ ହେବା ଆବଶ୍ୟକ । ନିଜକୁ ଭରସା ଯୋଗ୍ୟ ସାବ୍ୟସ୍ତ କରିବାକୁ ପଡ଼େ । କେମିତି କଲା ସେ ପୁଅ ! ହାଏ, ଆମେ ହେଲେ ଆମ ଦିନେ ସେଇ କଳା ଜାଣିଥାଆନ୍ତୁ ! କିଛି ସମୟ ପାଇଁ ନିଜକୁ ବହୁତ ଛୋଟ ଓ ଅଯୋଗ୍ୟ ଲାଗିଲା । ତା ପରେ ଭାବିଲି ମୋର ତ ସେମିତି କିଛି ବଡ଼ ଅସୁବିଧା ଜୀବନରେ ହେଇନି । ମୁଁ କାହିଁକି ନିଜକୁ ଏତେ ଛୋଟ

ଭାବୁଛି ? ଲୋଭ ମଶିଷର ବଡ଼ ଶତୃ । ସଂସ୍କୃତ ଭାଷାର ଗୋଟିଏ ଗପରେ ଅଛି, ‘ଅତି ଲୋଭରେ ତନ୍ତୀ ମରେ ।' ମୁଁ ଏସବୁ ଭୁଲିଯିବା ଭଲ । ମଣିଷର ଷଡ଼ ରିପୁ ମଧ୍ୟରୁ ଲୋଭ ଗୋଟିଏ ଓ ଏହା ଜନ୍ମରୁ ଥାଏ ।

ଧୀରେ ଧୀରେ ମୁଁ ଲକ୍ଷ କଲି, ଆଲୋକ ଘରେ ବିଭିନ୍ନ ଦାମିକା ଜିନିଷ ଭର୍ତ୍ତି ହୋଇଯାଉଛି । କିଛି ଦିନ ମଧ୍ୟରେ ଆଲୋକର ବାର୍ଦ୍ଧକ୍ୟ କଷାଘାତରେ ପୀଡିତ ହାଡ଼ୁଆ ଛାତିଟା ୪୨ ଇଞ୍ଚ ଚଉଡ଼ା ହୋଇ ଫୁଲିଗଲା । ଗ୍ରାମବାସୀ ତାକୁ ପ୍ରଶଂସାରେ ପୋତି ପକାଇଲେ । କେହି କେହି ମଧ୍ୟ ଈର୍ଷା କରିବାକୁ ଲାଗିଲେ । ମୁଁ କହିପାରିବିନି, ମୋତେ କାହିଁକି ଏ ସବୁ ଭଲ ଲାଗିଲାନି । ଲାଗିଲା ଯେମିତି ଗୋଟିଏ ବଡ଼ ବିପତ୍ତି-ରାକ୍ଷସ ମୁଖ ବ୍ୟାଦାନ କରି ଆଲୋକ ଆଡ଼କୁ ମାଡ଼ି ଆସୁଛି । ଏସବୁ ଦେଖି ଭାରି ଅସ୍ଵସ୍ତି ଲାଗୁଥାଏ ଓ ଭାବି ଭାବି ଦୁଃଖ ଲାଗୁଥାଏ । ଦିନେ ସାହସ କରି ଆଲୋକକୁ ଚେତେଇ ଦେବାକୁ କହିଲି, "ଭାଇ, ମୋତେ ଭୁଲ ବୁଝିବୁନି । ଏତେ ଧନ ଏତେ କମ ଦିନରେ ଜଣେ କେମିତି ରୋଜଗାର କରିବ ଓ କାହିଁକି ଅନ୍ୟ ଜଣକୁ ଉପହାର ଆକାରରେ ଦେବ । ସେ ବୋଧହୁଏ କିଛି ଦି ନମ୍ବରୀ କାମରେ ହାତ ଦେଇଛି ।" ଉତ୍ତର ମିଳିଲା, “ବନ୍ଧୁ ଘର ଦେଉଛନ୍ତି, କଅଣ କହିବି ତାଙ୍କୁ । ସେମାନଙ୍କୁ ନାହିଁ କହିଲେ ଅପମାନ ବୋଧ କରିବେ । ମୁଁ ସେ ପିଲାକୁ ପଚାରିଥିଲି ତା କାମ ବିଷୟରେ । ସେ ଜଣେ ଧନୀ ଲୋକ ସହିତ ମିଶି ଏ ବେପାର କରୁଛି । ମୋତେ ତ କିଛି ଅସୁବିଧା ଦେଖାଯାଉନି । ସେ ପିଲାର ବ୍ୟବହାର ଅତି ମଧୁର । ମୁଁ ତୋ ସହିତ ଦିନେ ଭେଟ କରେଇଦେବି, ଦେଖିବୁ କେତେ ଭଲ ପିଲା ।”

କିଛି କହିପାରିଲିନି ଆଲୋକକୁ । ଯେତେବେଳେ ବିନା ପରିଶ୍ରମରେ ଧନ ଘରକୁ ଆସେ, ସେତେବେଳେ ଦୁନିଆ ବହୁତ ରଙ୍ଗୀନ ଦେଖାଯାଏ । କେଉଁ ବାଟ ଦେଇ ଆସୁଛି, ଜାଣିବାକୁ ଇଚ୍ଛା ହୁଏନି । ‘ରତ୍ନାକର’ ତା ଘରକୁ ଡକାୟତି କରି ଧନ ବୋହି ଆଣିଲା ବେଳେ ସମସ୍ତଙ୍କୁ ଭଲ ଲାଗୁଥିଲା, କିନ୍ତୁ ପାପର ଭାଗ ନେବାକୁ କହିଲେ ସମସ୍ତେ ମନା କଲେ । ଚିକ୍କଣ କଥା କହିବା ଲୋକ ବହୁତ ପ୍ରିୟ ଲାଗନ୍ତି । ତେଣୁ ମୁଁ ଅପ୍ରିୟ କଥା ବାରମ୍ବାର କହି ଅପ୍ରିୟ ହେବାକୁ ପସନ୍ଦ କଲିନି । ମୋ ମନ କିନ୍ତୁ ଆଉଟପାଉଟ ହେଉଥାଏ । ମୋ ନିଜର ବନ୍ଧୁମାନେ ବହୁତ ରୋଜଗାର କରନ୍ତି କିନ୍ତୁ କେହି ତ କେବେ ଗୋଟିଏ ବି ଦାମିକିଆ ଉପହାର ଦେଇନାହାନ୍ତି । ଅବଶ୍ୟ ସମସ୍ତେ ଯେ ଦାନୀ ହେବେ, ତାର

କିଛି ମାନେ ନାହିଁ । ଅଜଣା ଆଶଙ୍କା ମୋ ମନକୁ ଘେରି ରହିଲା । ଭଗବାନଙ୍କୁ ଡାକି କହିଲି, “ହେ ପ୍ରଭୁ, ମୋ ସାଙ୍ଗକୁ ଘଣ୍ଟ ଘୋଡ଼େଇ ରକ୍ଷା କର ।” ଏମିତି ତିନି ବର୍ଷ ବିତିଗଲା । ...

ଦିନେ ବଡ଼ି ଭୋରରୁ ମୋ ଦାଣ୍ଡ କବାଟରେ ଜୋରରେ ଖଟ ଖଟ ଶବ୍ଦ ଶୁଣାଗଲା । ବଡ଼ ପାଟିରେ କେହି ଡାକୁଥାଏ, “ଅଜା, ବେଗେ କବାଟ ଖୋଲ ।” ଏତେ ସକାଳୁ କିଏ ଡାକୁଛି ଭାବି କବାଟ ଖୋଲି ଦେଖିଲା ବେଳକୁ ଗାଁଆ ପିଲା ମଣ୍ଟୁ ଠିଆ ହୋଇଛି । ସେ ଦୌଡ଼ି ଦୌଡ଼ି ଆସିଥିଲା ବୋଧହୁଏ । ଅଣନିଶ୍ଵାସୀ ହୋଇଥିଲା । କହିଲା, “ଜେଜେ, ଆଲୋକ ଜେଜେଙ୍କ ଘରେ ପୋଲିସ ପଶିଛି । ତାଙ୍କ ବୋହୁର ଭାଇ ଚୋରୀ କି ଡକାୟତି କଅଣ କରିଛି ବୋଧେ । ପୋଲିସ ଆସି ତଦନ୍ତ କରୁଛି । ଗାଁଆ ସାରା ସମସ୍ତେ ରୁଣ୍ଡ ହୋଇଛନ୍ତି । ଆପଣ ଶୀଘ୍ର ଯାଆନ୍ତୁ ।” “କଅଣ କହୁଛୁ !”, କହି ଶୀଘ୍ର ଲୁଗାପଟା ପିନ୍ଧି ଦୌଡ଼ିଲି ତା ଘରକୁ । ତା ଘର ଆଗରେ ପହଞ୍ଚି ଦେଖିଲି ପୋଲିସ ତା ପୁଅଙ୍କୁ ନେଇ ଗାଡ଼ିରେ ବସଉଛି । ରାତି ଚାରିଟା ବେଳୁ ଘର ଅନୁସନ୍ଧାନ ଚାଲିଥିଲା । ସେ ଯେତେକ ଦାମିକିଆ ଜିନିଷ ପାଇଥିଲା ସେ ସବୁ ଜବତ କରି ପୋଲିସ ଭ୍ୟାନରେ ଭର୍ତ୍ତି କରାଗଲା । ତାକୁ ନେଇ ପୋଲିସ ଗାଡ଼ି ଚାଲିଗଲା । ମୋ ସାଙ୍ଗ ହତବାକ୍ ହୋଇ ଠିଆ ହୋଇଥିଲା, ତା ସ୍ତ୍ରୀ ଓ ବୋହୂ ଦାଣ୍ଡରେ ଠିଆହୋଇ ଉଚ୍ଚ ସ୍ଵରରେ କାନ୍ଦୁଥାଆନ୍ତି । ମୋତେ ଦେଖି ଆଲୋକ ଦୌଡ଼ି ଆସି କୁଣ୍ଢେଇ ପକେଇ କାନ୍ଦିବାକୁ ଲାଗିଲା ।

ତା ଆଖିରୁ ଅଶୃର ଧାରାଶ୍ରାବଣ ବୋହିଚାଲିଥାଏ । ରାହା ନେଇ ନେଇ କହିଲା, “ରଶ୍ମୀ, ତୁ ମୋର ଏତେ ଘନିଷ୍ଠ ସାଙ୍ଗ, ହେଲେ ମୁଁ ତୋ କଥା ଶୁଣିଲିନି । ମୋତେ କେତେ ଥର ସତର୍କ କରେଇଥିଲୁ । ଆମେ କେଡ଼େ ସୁନ୍ଦର ଖାଇପିଇ ଝରଣା ସୌନ୍ଦର୍ଯ୍ୟ ଉପଭୋଗ କରି ଜୀବନ ଯାତ୍ରାରେ ସୁଖରେ ମଗ୍ନଥିଲେ । ମୁଁ ପୋଡ଼ାମୁହାଁ ଏମିତି କେମିତି ହେଲି, ବୁଝିପାରୁନି । ସେତେବେଳେ ମୋତେ ତୋ କଥା ପିତା ଲାଗିଥିଲା । ଭାବୁଥିଲି, ଇଏ ଈର୍ଷାରେ ଜଳିକରି କହୁଛି । ଏବେ ମୁଁ କୁଆଡେ ଯିବି । ଗାଁଆ ଲୋକଙ୍କୁ କେମିତି ମୁହଁ ଦେଖେଇବି । ମୋତେ କିଛି ବୁଦ୍ଧି ବାଟ ଦେଖାଯାଉନି । ତୋ ଭଳି ସାଙ୍ଗ କଥା ମାନିଲିନି । ଭାବିଲି, ଯଦି କିଛି ବିଶେଷ କିଛି ଖୋଳତାଡ଼ କରେ, ବୋହୂ ଘର ସାଥିରେ ସମ୍ପର୍କ କଟିଯିବ । କେବେଳ ବୋହୂ ଘର ସାଥିରେ ନୁହେଁ, ମୋ ପୁଅ ବି ତାଙ୍କ ପଟିଆ ହୋଇ ବାହାରିଯିବ । କଥାଟା ଏତେ ଦୂର ଚାଲିଯିବ, ଭାବିପାରିଲିନି । ଆଜି ଜାଣୁଛି, ମଣିଷର ଦୂର ଦୃଷ୍ଟି କେତେ ଆବଶ୍ୟକ ।” ତା କାନ୍ଦ ଶୁଣି ମୋ ଆଖିରୁ ବି ଲୁହ ବୋହିଆସିଲା । ଆଶ୍ଵାସନା ଦେଇ କହିଲି, “କାନ୍ଦନି, ତୋର ସାଙ୍ଗ ‘ମୁଁ’ ପରା ବଞ୍ଚିଛି । ଯେତେଦୂର ସମ୍ଭବ ହୋଇପାରେ ତୋତେ ସାହାଯ୍ୟ କରିବି । ପୋଲିସ ଆଇ.ଜି. ମୋର ଚିହ୍ନା ଅଛନ୍ତି । କାଲି ସାଙ୍ଗ ହୋଇ ଯିବା । ମୋ ବାପାଙ୍କ କଥା ମନେପଡ଼ିଗଲା । ସେ ମୋତେ ସବୁବେଳେ କହନ୍ତି, “ଅଧିକାଂଶ କ୍ଷେତ୍ରରେ ପାପର ଜମିରେ ହିଁ ସମ୍ପତ୍ତିର ଅଙ୍କୁରୋଦ୍‌ଗମ ହୋଇ ଫଳ ପୁଷ୍ପ ସମ୍ଭାରରେ ଭରିଯାଏ ।”

ଡା ସୁବାସ ଚନ୍ଦ୍ର ରାଉତ

E-Mail – subasmangal@yahoo.co.in

ବାହାଘର ସମାଲୋଚନା ଯୌତୁକ

Rate the content


Originality
Flow
Language
Cover design

Comments

Post

Some text some message..